ରବି ଦାସ
ପାର୍ଲାମେଂଟର ବଜେଟ୍ ଅଧିବେଶନ ହଠାତ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବା ପୂର୍ବରୁ ରାଜ୍ୟସଭାରେ ଯେଉଁ ଦୃଶ୍ୟ ଓ ଅବସ୍ଥା ବରିଷ୍ଠ ସଦସ୍ୟା ସମାଜବାଦୀ ପାର୍ଟିର ଜୟା ବଚ୍ଚନ (ଜୟା ଅମିତାଭ ବଚ୍ଚନ) ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ମଧ୍ୟରେ ଘଟିଗଲା ଓ ଯାହାକୁ କେନ୍ଦ୍ର କରି ସମୁଦାୟ ରାଜ୍ୟସଭାର ବିରୋଧୀ ସଦସ୍ୟମାନେ କକ୍ଷତ୍ୟାଗ କଲେ ତାହା ଦର୍ଶାଇ ଦେଇଛି ଯେ ସେଠାରେ ଏକ ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। କାରଣ ବିରୋଧୀ ରାଜ୍ୟସଭାର ସଦସ୍ୟମାନେ ବାହାରକୁ ଆସିବା ପରେ ରାଜ୍ୟସଭାର ଅଧ୍ୟକ୍ଷ ଯିଏକି ଦେଶର ଉପ ରାଷ୍ଟ୍ରପତି, ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ବା ଇମ୍ପିଚମେଣ୍ଟ ମୋସନ୍ ଆଣିବାକୁ ସ୍ଥିର କରିଛନ୍ତି।
ସମ୍ବିଧାନର ବ୍ୟବସ୍ଥା ଅନୁସାରେ ଉପ ରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ହିଁ କାମ କରନ୍ତି। ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କଠାରୁ ଆରମ୍ଭ କରି ଜାକିର ହୁସେନ୍, ଭେଙ୍କଟ ରମନ, ଶଙ୍କର ଦୟାଲ ଶର୍ମା, କେ.ଆର. ନାରାୟଣ, ଭୈରବ ସିଂ ଶେଖାୱାତ୍ ଓ ହମିଦ ଅନସାରୀ ପ୍ରମୁଖ ଏହି ଆସନ ଅଳଂକୃତ କରିଛନ୍ତି। ଏପରିକି ବାଜପେୟୀଙ୍କ ସରକାର ସମୟରେ ଭୈରବ ସିଂ ଶେଖାୱାତ୍ ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ କାମ କରିଥିବାର ରେକର୍ଡ ରହିଛି। କିନ୍ତୁ ଜଗଦୀପ ଧନକଡ଼ଙ୍କ ସମୟରେ ବିରୋଧୀ ପକ୍ଷ ଓ ଅଧ୍ୟକ୍ଷଙ୍କ ଭିତରେ ବରାବର ଏକ ପ୍ରକାର ମୁକାବିଲା ଦେଖିବାକୁ ମିଳିଛି। ଗତ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ବିପୁଳ ସମର୍ଥନ ଥିବାରୁ ଓ ବିରୋଧୀ ପକ୍ଷ ରାଜ୍ୟସଭାରେ ଯାହା ଶକ୍ତି ହେଲେ ମଧ୍ୟ ଅଧ୍ୟକ୍ଷଙ୍କ ସହିତ ମୁକାବିଲାକୁ ବିଭିନ୍ନ ଭାବରେ ସୀମିତ କରି ରଖୁଥିଲେ। ଏପରିକି ଗତ ସରକାର ସମୟରେ ପାର୍ଲାମେଂଟର ଉଭୟ ଗୃହରୁ ୧୪୦ ଜଣ ସଦସ୍ୟ ବହିଷ୍କାର ହେବା ସମୟରେ ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ଜଗଦୀପ ଧନକଡ଼ଙ୍କ ଭୂମିକାକୁ ନେଇ ଆଲୋଚନା ହେଉଥିଲା। ବିରୋଧୀ ପକ୍ଷର ଅନେକ ଜଣାଶୁଣା ନେତା ଏପରିକି ଟିଏମସିର ଡେରିକ୍ ଓବ୍ରାଏନ୍ ଓ ଆପର ସଂଜୟ ସିଂହ ପ୍ରମୁଖ ତାଙ୍କ କ୍ରୋଧର ଶିକାର ହୋଇଥିଲେ।
ଅସଲକଥା ହେଉଛି ରାଜ୍ୟସଭାର ଅଧ୍ୟକ୍ଷ ହୁଅନ୍ତୁ ବା ଲୋକସଭାର ବାଚସ୍ପତି ହୁଅନ୍ତୁ ସେମାନେ ସବୁ ସଦସ୍ୟମାନଙ୍କୁ ଯଥା ସମ୍ଭବ ସେମାନଙ୍କ ବକ୍ତବ୍ୟ ରଖିବାକୁ ସୁବିଧା ପ୍ରଦାନ କରିବା ଆବଶ୍ୟକ। ସରକାରଙ୍କ କୌଣସି ଆଇନ୍ ବା ବିଧେୟକ ଗୃହୀତ କରାଇବା ପାଇଁ ସଂଖ୍ୟା ଗରିଷ୍ଠତାର ଆବଶ୍ୟକତା ଥାଏ। ସେହି ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ହେଲେ ମଧ୍ୟ ସଦସ୍ୟମାନଙ୍କ ମତାମତକୁ ସାଧାରଣତଃ ପ୍ରକାଶ କେଉଁ ବାଟରେ କରି ହେବ ସେଥିପାଇଁ ଅଧ୍ୟକ୍ଷ ବା ବାଚସ୍ପତି ସୁଯୋଗ ସୃଷ୍ଟି କରିପାରିଲେ ସେଥିରେ ଗଣତନ୍ତ୍ର ଦୃଢ଼ୀଭୂତ ହୁଏ। ଏଥିରେ ସରକାରର ପତନ ହୁଏନାହିଁ। କିନ୍ତୁ ସବୁ ପକ୍ଷ ବକ୍ତବ୍ୟ ରଖିପାରନ୍ତି। ଗତ ନିର୍ବାଚନ ପରେ ଲୋକସଭାରେ ଏନଡିଏ ସଂଖ୍ୟା ଗରିଷ୍ଠତା ଲାଭ କରି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ବିରୋଧୀ ପକ୍ଷର ଶକ୍ତି ଯଥେଷ୍ଟ ବଢ଼ିଯାଇଛି। ଏକୁଟିଆ ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ। ୧୦ ବର୍ଷ ପରେ ଲୋକଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ପାଇଁ କଂଗ୍ରେସକୁ ସଂଖ୍ୟା ମିଳିଛି। ସମସ୍ତ ଇଣ୍ଡିଆ ମେଂଟର ସଦସ୍ୟମାନଙ୍କୁ ମିଶାଇଲେ ସେମାନଙ୍କ ସଂଖ୍ୟା ଯାହା ହେଉଛି ସେଥିରେ ଗତ ଲୋକସଭା ପରି ଆଉ ବିରୋଧୀମାନଙ୍କୁ ସହଜରେ ଏଡ଼ାଇ ହେବନାହିଁ।
ଲୋକସଭାର ବାଚସ୍ପତି ଓମ୍ ବିର୍ଲା ଦ୍ୱିତୀୟଥର ପାଇଁ ବାଚସ୍ପତି ହୋଇଥିଲେ ମଧ୍ୟ ଏଥର ତାଙ୍କ ଆଚରଣରେ ପରିବର୍ତ୍ତନ କରି ବିରୋଧୀ ପକ୍ଷଙ୍କୁ ସେମାନଙ୍କ ଶକ୍ତିକୁ ଦେଖି ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟସଭାରେ ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଆଚରଣରେ ସେପରି ପରିବର୍ତ୍ତନ ହୋଇନାହିଁ। ଏହା ହିଁ ବିରୋଧୀମାନଙ୍କୁ ଉତ୍ତେଜିତ କରୁଛି। ଏପରିକି ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପ୍ରତି ଅଧ୍ୟକ୍ଷଙ୍କ ଆଚରଣରେ ବିରୋଧୀ ପକ୍ଷ କ୍ଷୁବ୍ଧ ଥିବା ସମୟରେ ଜୟା ବଚ୍ଚନ ଓ ଅଧ୍ୟକ୍ଷଙ୍କ ଭିତରେ ଅଯଥା ଏକ ମୁକାବିଲା ପରିସ୍ଥିତିରୁ ସୁଯୋଗ ନେଇ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ବିରୋଧୀ ପକ୍ଷ ମନସ୍ଥ କରିଛନ୍ତି। ସେହି ଅନୁସାରେ ବିରୋଧୀ ସଦସ୍ୟମାନଙ୍କ ଦସ୍ତଖତ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି।
ରାଜ୍ୟସଭାରେ ଏନଡିଏ ଅଂଶୀଦାର ଦଳମାନଙ୍କ ୧୧୦ଟି ଆସନ ରହିଥିବା ବେଳେ ଇଣ୍ଡିଆ ମେଂଟର ୮୭ ଜଣ ସଦସ୍ୟ ଅଛନ୍ତି। ବିଜେପିର ଏକାକୀ ୮୭ ଜଣ ସଦସ୍ୟ ଥିଲେ ମଧ୍ୟ ରାଜ୍ୟସଭାର ମୋଟ ସଂଖ୍ୟା ଗଣିତରେ ଏନଡିଏ ମେଂଟ ପଛରେ ରହିଛି। ଇଣ୍ଡିଆ ମେଂଟର ସଦସ୍ୟମାନଙ୍କ ସହିତ କୌଣସି ପକ୍ଷରେ ନଥିବା ୱାଇଏସ୍ଆରସିପି (ଜଗନ ରେଡ୍ଡୀ)ର ୧୧, ବିଜୁ ଜନତା ଦଳର ୮, ବିଆରଏସର ୪, ଏଆଇଏଡିଏମକେର ୩, ବିଏସପିର ଜଣେ ଓ ଏମ୍ଏନ୍ଏଫର ଜଣେ ସଦସ୍ୟ ଅଛନ୍ତି। କୌଣସି ଗୋଷ୍ଠୀରେ ନଥିବା ଏହି ସଦସ୍ୟମାନଙ୍କ ମୋଟ ସଂଖ୍ୟା ୨୮ ହେଉଥିବାରୁ ସେମାନେ ଇଣ୍ଡିଆ ମେଂଟ ସହିତ ମିଶିଗଲେ ରାଜ୍ୟସଭାରେ ଏନଡିଏ ସଂଖ୍ୟାଲଘୁ ହୋଇଯିବ। ଭବିଷ୍ୟତରେ ଯେତେସବୁ ବିଧେୟକ ଆସିବ ସେଗୁଡ଼ିକ ଲୋକସଭାରେ ଏନଡିଏ ସହଯୋଗୀ ଦଳମାନଙ୍କୁ ନେଇ ଗୃହୀତ କରାଇବାକୁ ସକ୍ଷମ ହେଲେ ମଧ୍ୟ ରାଜ୍ୟସଭାରେ କୌଣସି ପକ୍ଷରେ ନଥିବା ଏହି ୨୮ ଜଣ ସଦସ୍ୟଙ୍କ ଭିତରୁ ଅତିକମରେ ୧୦ ଜଣଙ୍କୁ ପ୍ରଭାବିତ କରିବା ଏନଡିଏର ଏକ ମୁଖ୍ୟ ଲକ୍ଷ୍ୟ। ରାଜ୍ୟସଭାରେ ଖାଲି ଥିବା ୨୦ଟି ଆସନ ମଧ୍ୟରୁ ନିକଟରେ ହେବାକୁ ଥିବା ଉପ ନିର୍ବାଚନରେ ବିଜେପି ୧୦ ଜଣ ସଦସ୍ୟ ଜିତାଇବାର ଲକ୍ଷ୍ୟ ରଖିଥିଲେ ମଧ୍ୟ ରାଜ୍ୟସଭାର ମୋଟ ସଂଖ୍ୟା ଦୃଷ୍ଟିରୁ ବିଜେପି ବା ଏନଡିଏ ସଂଖ୍ୟା ଗରିଷ୍ଠତା ପାଇଁ ତଥାପି ଅଭାବ ହେବ।
ତେଣୁ ବିଜେପିର ଏବେ ମୁଖ୍ୟ ଲକ୍ଷ୍ୟ ହେଉଛି ୱାଇଏସ୍ଆରସିପି ଓ ବିଜେଡିକୁ ପ୍ରଭାବିତ କରିବା। ଏହି ଦୁଇ ଦଳ ଯାକ ପୂର୍ବରୁ ଗତ ୫ ବର୍ଷ ହେଲା ଆଖିବୁଜା ବିଜେପି ସରକାରକୁ ସମର୍ଥନ କରୁଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ଦୁଇଟିଯାଜ ଦଳ ନିଜ ନିଜ ରାଜ୍ୟରେ କ୍ଷମତାଚ୍ୟୁତ ହୋଇଛନ୍ତି। ଅବଶ୍ୟ ଆନ୍ଧ୍ର ପ୍ରଦେଶରେ ତେଲଗୁ ଦେଶମ ପାର୍ଟି ହିଁ ୱାଇଏସ୍ଆରସିପିର ମୁଖ୍ୟ ଶତ୍ରୁ। ବିଜେପି ଏବେ ସେହି ମେଂଟରେ ଥିଲେ ମଧ୍ୟ ଏହାକୁ ଦଳ ହୁଏତ ମୁଖ୍ୟ ଶତ୍ରୁ ଭାବରେ ବିଚାର କରୁନାହିଁ। ଏହାଛଡ଼ା ଜଗନଙ୍କ ବିରୋଧରେ ସିବିଆଇ ମାମଲା ବିଚାରାଧୀନ ଥିବାରୁ ସେହିଦଳ ରାଜ୍ୟସଭାରେ ଆଭିମୁଖ୍ୟ ସିଧାସଳଖ ଏନଡିଏ ବିରୋଧୀ ପୂରାମାତ୍ରାରେ କରିପାରିବ କି ନାହିଁ ତାହା ଜଣାନାହିଁ। ଆନ୍ଧ୍ରରେ ଟିଡିପି ନେତୃତ୍ୱାଧୀନ ଏନଡିଏ କ୍ଷମତାରେ ଥିବାରୁ ୱାଇଏସ୍ଆରସିପି ମୁଖ୍ୟ ବିରୋଧୀ ଆସନରେ ରହିଛି। ଓଡ଼ିଶା କଥା ସଂପୂର୍ଣ୍ଣ ଭିନ୍ନ। ଓଡ଼ିଶାରେ ବିଜେଡି ଯେଉଁଭଳି ଭାବରେ ଗତ ନିର୍ବାଚନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ପାର୍ଲାମେଂଟର ଉଭୟ ଗୃହରେ ସମର୍ଥନ କରିଆସୁଥିଲା ସେଥିରେ ପୂରାପୂରି ବ୍ୟତିକ୍ରମ ଘଟିଛି। ଲୋକସଭାରେ ବିଜେଡିର କୌଣସି ସଦସ୍ୟ ନଥିବା ବେଳେ ରାଜ୍ୟସଭାରେ ଏହାର ସଦସ୍ୟମାନଙ୍କୁ ସରକାରୀ ବିରୋଧୀ ଆଭିମୁଖ୍ୟ ନେବା ପାଇଁ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଓଡ଼ିଶାରେ ବିଜେପି ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନର ଅବସାନ ଘଟାଇ କ୍ଷମତାସୀନ ହୋଇଛି ଏବଂ ନବୀନ ବିରୋଧୀ ଦଳର ନେତା ଭୂମିକାରେ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଜେଡିରୁ ରାଜ୍ୟସଭା ସଦସ୍ୟ ନେବା ବିଜେପିର ଏବେ ଏକ ଜାତୀୟ ଲକ୍ଷ୍ୟରେ ପରିଣତ ହୋଇଛି।
ଏହିକ୍ରମରେ ନିକଟରେ ମମତା ମହାନ୍ତ ରାଜ୍ୟସଭାରୁ ଓ ବିଜେଡିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଯେଉଁ ଉପ ନିର୍ବାଚନ ହେବ ସେଥିରେ ବିଜେପି ସଦସ୍ୟ ନିର୍ବାଚିତ ହେବେ। ବିଜେପି ଯଦି ମମତା ମହାନ୍ତଙ୍କୁ ସେହି ଆସନରେ ମନୋନୀତ କରେ ତେବେ ବିଜେଡିର ଅନ୍ୟ ସଦସ୍ୟମାନଙ୍କ ଭିତରେ ତାହା କିଛି ଆକର୍ଷଣ ସୃଷ୍ଟି କରିବ। କାରଣ ଯେଉଁ ସଦସ୍ୟମାନଙ୍କ ଆଉ ଯେତିକି ବର୍ଷ କାର୍ଯ୍ୟକାଳ ରହିଛି ସେଗୁଡ଼ିକ ସୁରକ୍ଷିତ ହେଲେ ସେମାନେ ବିଜେଡିରୁ ଇସ୍ତଫା ଦେଇ ବିଜେପି ସଦସ୍ୟ ଭାବରେ ରାଜ୍ୟସଭାକୁ ନିର୍ବାଚିତ ହେବେ। ଏହି ମର୍ମରେ କିଛି ଇଙ୍ଗିତ ମଧ୍ୟ ମିଳିଲାଣି। ବାସ୍ତବରେ ରାଜ୍ୟସଭାର ଗଣିତ ଓ ରାଜନୀତି ଓଡ଼ିଶାରେ ବିଜେଡିକୁ ଦୁର୍ବଳ କରିଦେବାରେ ବିଜେପି ପାଇଁ ଏକ କୌଶଳ ଭାବରେ ବିଚାର କରାଯାଉଛି। ରାଜ୍ୟସଭାରେ ଏନଡିଏର କୌଣସି ଭାବେ ସଂଖ୍ୟା ଗରିଷ୍ଠତା ହାସଲ ନହେଲେ ସରକାରଙ୍କ ପାଇଁ ସବୁବେଳେ ଅସୁବିଧା ସୃଷ୍ଟି ହେବ। ବିଶେଷ ଭାବରେ ରାଜ୍ୟସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଯଦି ଆସେ ତେବେ ତାହାକୁ ମୁକାବିଲା ପାଇଁ ଏହି ସଂଖ୍ୟା ଗରିଷ୍ଠତା ଜରୁରୀ। ଅବଶ୍ୟ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପାଇଁ ରାଜ୍ୟସଭା ସହିତ ଲୋକସଭାରେ ମଧ୍ୟ ସଂଖ୍ୟା ଗରିଷ୍ଠତା ଆବଶ୍ୟକ, ଯାହା ବିରୋଧୀଙ୍କ ପାଖରେ ନାହିଁ। କିନ୍ତୁ ଅଧ୍ୟକ୍ଷଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ଆଲୋଚିତ ହେବା ଭାରତୀୟ ସଂସଦୀୟ ଇତିହାସରେ ହୁଏତ ପ୍ରଥମ ଘଟଣା ହେବ।
ବରିଷ୍ଠ ସାମ୍ବାଦିକ, ମୋ-୮୦୧୮୦୯୪୪୫୫