Advertisment

ଜିଏସଟି ହାରରେ ହ୍ରାସ ଓ ଏହାର ପ୍ରଭାବ

କେନ୍ଦ୍ର ସରକାର କହିଛନ୍ତି ଯେ ୨୦୨୩-୨୪ରେ ବ୍ୟବହାର ହୋଇଥିବା ଢାଞ୍ଚା ଉପରେ ଆଧାରିତ ରାଜସ୍ୱ ପ୍ରଭାବ ପ୍ରାୟ ୪୮ ହଜାର କୋଟି ଟଙ୍କା ହେବ। ତଥାପି, ନୂତନ ତଥ୍ୟ ପ୍ରାପ୍ତ ହେବା ପରେ ହିଁ ପ୍ରକୃତ ପ୍ରଭାବ ନିର୍ଣ୍ଣୟ କରାଯାଇ ପାରିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ‘ଇକୋରାପ୍ ରିପୋର୍ଟ୍’ କହିଛି ଯେ, ଏହି ସଂସ୍କାର ଦ୍ୱାରା ୩,୭୦୦ କୋଟି ଟଙ୍କାରୁ ବହୁତ କମ୍ ପ୍ରଭାବ ପଡ଼ିବ।

Union Finance Minister Nirmala Seetharaman

Union Finance Minister Nirmala Seetharaman

Advertisment

ଜାନକୀଶ ବଡ଼ପଣ୍ଡା

ଗତ ସେପ୍ଟେମ୍ବର ୩ ତାରିଖ ଜିଏସଟି ପରିଷଦ ବୈଠକରେ ପରୋକ୍ଷ ଟିକସ ବ୍ୟବସ୍ଥାରେ ଏକ ନୂତନ ଟିକସ ହାର ଅନୁମୋଦନ ଲାଭ କରିଥିଲା। ଏହି ଅନୁମୋଦନ ମିଳିଥିବାରୁ ସମଗ୍ର ଦେଶରେ ଅଧିକାଂଶ ସାମଗ୍ରୀ ଉପରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ହ୍ରାସ କରାଯାଇଛି। ଏହାକୁ ଅଧିକାଂଶ କ୍ଷେତ୍ର ସ୍ୱାଗତ କରିଛନ୍ତି। ତଥାପି, କିଛି କ୍ଷେତ୍ର ଏବଂ ବିରୋଧୀ ରାଜନୈତିକ ଦଳମାନେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନେକ ଅର୍ଥନୀତି ବିଶେଷଜ୍ଞ ମଧ୍ୟ ଏହାର କୁପ୍ରଭାବ ବିଭିନ୍ନ ରାଜ୍ୟର ରାଜସ୍ୱ ସଂଗ୍ରହ ଉପରେ ପଡ଼ିବ ବୋଲି ଚିନ୍ତା ପ୍ରକଟ କରିଥିଲା ବେଳେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ‘ଇକୋରାପ୍ ରିପୋର୍ଟ୍” କହିଛି ଯେ, ଏହି ସଂସ୍କାର ଦ୍ୱାରା ଓଡ଼ିଶାକୁ ପୂର୍ବାପେକ୍ଷା ଅଧିକ ୧୮,୭୫୧ କୋଟି ଟଙ୍କା ରାଜସ୍ୱ ମିଳିବା ସହିତ ଦେଶର ସମସ୍ତ ରାଜ୍ୟ ସାମଗ୍ରିକ ଭାବେ ଲାଭବାନ ହେବେ।

Advertisment

ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି)ରେ ବହୁବିଧ ହାରର ଯୁକ୍ତିଯୁକ୍ତୀକରଣ ଉପରେ ଦୀର୍ଘ ସମୟ ଧରି ବିତର୍କ ଚାଲିଆସିଛି। ସେପ୍ଟେମ୍ବର ୨୦୨୧ରେ ପରିଷଦ ପକ୍ଷରୁ ଜିଏସଟି ହାର ଉପରେ ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ-ଗୋଷ୍ଠୀ ଗଠନ କରାଯାଇଥିଲା। ଏହି ଗୋଷ୍ଠୀ ନିଜର କାମ ଆରମ୍ଭ କରିଥିଲେ ହେଁ ବିଶେଷ ଅଗ୍ରଗତି କରି ନଥିଲେ। କେନ୍ଦ୍ରର କୌଣସି ପ୍ରତିନିଧି ନନେଇ ମନ୍ତ୍ରୀ-ଗୋଷ୍ଠୀ ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ପ୍ରତିନିଧିମାନଙ୍କୁ ନେଇ ଗଠିତ ହୋଇଥିଲା। ତେଣୁ, ଗୋଟିଏ ଦେଶ ଗୋଟିଏ ଟିକସ ହାରକୁ ବାସ୍ତବ ରୂପ ଦେବା ପାଇଁ ମନ୍ତ୍ରୀ-ଗୋଷ୍ଠୀକୁ କେନ୍ଦ୍ର ସରକାର ବିଭିନ୍ନ ପ୍ରସ୍ତାବ ଦେଉଥିଲେ। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗତ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଘୋଷଣା କରାଗଲା ଯେ ସେମାନେ ମନ୍ତ୍ରୀ-ଗୋଷ୍ଠୀକୁ ତାଙ୍କର ପ୍ରସ୍ତାବ ପ୍ରଦାନ କରିଛନ୍ତି। ଲାଲକିଲ୍ଲା ଉପରୁ ସ୍ୱାଧୀନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କଲେ ଯେ ‘ପରବର୍ତ୍ତୀ ପିଢ଼ିର’ ଜିଏସଟି ସଂସ୍କାର ଆସିବାକୁ ଯାଉଛି; ଯାହାକୁ ସେ ଦେଶ ପାଇଁ ଦୀପାବଳି ଉପହାର ଭାବେ ଚିତ୍ରଣ କରିଥିଲେ। ଅଗଷ୍ଟ ୨୧ ତାରିଖରେ ମନ୍ତ୍ରୀ-ଗୋଷ୍ଠୀ ପକ୍ଷରୁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରି ଜିଏସଟି ପରିଷଦକୁ ପଠାଇ ଦେଇଥିଲେ। ସେପ୍ଟେମ୍ବର ୩ତାରିଖରେ ପ୍ରାୟ ସାଢ଼େ ଦଶଘଣ୍ଟା ଧରି ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏହି ପ୍ରସ୍ତାବଗୁଡ଼ିକ ଉପରେ ବିଚାର ବିମର୍ଶ କରାଯାଇ ନିଜର ନିଷ୍ପତ୍ତି ଘୋଷଣା କଲେ।

ଗତ ୨୦୧୭ ମସିହା ଜୁଲାଇ ପହିଲା ଠାରୁ ଚଳିତ ସେପ୍ଟେମ୍ବର ମାସ ୨୨ ତାରିଖ ଯାଏଁ ପ୍ରଚଳିତ ଜିଏସଟି ବ୍ୟବସ୍ଥାରେ ଅନେକ ପ୍ରକାରର ଟିକସ ହାର ରହିଥିଲା। କେବଳ ମୁଖ୍ୟ ହାରଗୁଡ଼ିକ ମଧ୍ୟରେ ୦%, ୫%, ୧୨%, ୧୮%, ୨୮%, ଏବଂ ୨୮% ସ୍ଲାବ୍ ଉପରେ ଏକ କ୍ଷତିପୂରଣ ସେସ୍ ମଧ୍ୟ ଅନ୍ତର୍ଭୁକ୍ତ। ଏହାକୁ କମାଇ ମାତ୍ର ୪ଟି ମୁଖ୍ୟ ସ୍ଲାବକୁ, ଯଥା - ୦%, ୫%, ୧୮ % ଏବଂ ୪୦%କୁ ହ୍ରାସ କରାଯାଇଛି, ଯାହାକୁ କୁହାଯାଉଛି ଦୀପାବଳି ଉପହାର। ଏଥିରେ ଅଧିକାଂଶ ସାମଗ୍ରୀ ପାଇଁ କ୍ଷତିପୂରଣ ସେସ୍ ହଟାଇ ଦିଆଯାଇଛି। ଏହା ସତ୍ୟ ଯେ, ଏବେ ବି ତମାଖୁ ଉତ୍ପାଦ ଉପରେ ସେସ୍ ଲାଗୁ ହେଉଛି ଏବଂ ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ତାହା ବଳବତ୍ତର ରହିବ। ସେତେବେଳକୁ କୋଭିଡ୍-୧୯ ମହାମାରୀ ସମୟରେ ରାଜ୍ୟଗୁଡ଼ିକୁ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ନେଇଥିବା ଋଣ ପରିଶୋଧ ହୋଇଯିବାର ଆଶା କରାଯାଉଛି।

Advertisment

ଏହା ବ୍ୟତୀତ ଅନେକ ସାମଗ୍ରୀକୁ ନିମ୍ନ ଟିକସ ସ୍ଲାବକୁ ଅଣାଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅର୍ଥନୀତି ଗବେଷଣା ଶାଖାର ଏକ ବିଶ୍ଳେଷଣରେ ୪୫୩ଟି ସାମଗ୍ରୀର ଟିକସ ହାରରେ ପରିବର୍ତ୍ତନ ହୋଇଥିବାର ପ୍ରକାଶ ପାଇଛି। ସେଥିମଧ୍ୟରୁ ୪୧୩ଟି (ଯାହା ୯୧%ରୁ ଅଧିକ) ସାମଗ୍ରୀର ଟିକସ ହାରରେ ହ୍ରାସ ହୋଇଛି ଏବଂ ମାତ୍ର ୪୦ଟି ସାମଗ୍ରୀର ଟିକସ ହାର ବୃଦ୍ଧି ପାଇଛି। ହାର ହ୍ରାସର ପ୍ରମୁଖ ଅଂଶ ଭାବେ ରହିଛି ୨୫୭ଟି ସାମଗ୍ରୀ; ଯାହା ମୁଖ୍ୟତଃ ସାଧାରଣ ଲୋକଙ୍କ ନିୟମିତ ଓ ବହୁଳ ବ୍ୟବହୃତ ସାମଗ୍ରୀ। ଏଥିରେ ଅନ୍ତର୍ଭୁକ୍ତ ହୋଇଥିବା ସାମଗ୍ରୀ ଉପରେ ପ୍ରାୟ ୧୨%ରୁ ୫% ସ୍ଲାବ୍ ଲାଗୁ ହେଉଥିଲା। ଯେଉଁ ୪୦ଟି ସାମଗ୍ରୀ ଉପରେ ଟିକସ ହାର ବୃଦ୍ଧି ପାଇବାକୁ ଯାଉଛି, ସେଥିମଧ୍ୟରୁ ୧୭ଟିକୁ ୨୮% ସ୍ଲାବରୁ ୪୦% ସ୍ଲାବକୁ ସ୍ଥାନାନ୍ତରିତ କରାଯାଇଛି। ଏଠାରେ, ଧ୍ୟାନ ଦେବା ଗୁରୁତ୍ୱପୂର୍ଣ୍ଣ ଯେ ଟିକସ ହାର ବୃଦ୍ଧି ପାଉଥିଲେ ବି ଟିକସ ପରିମାଣ ବୃଦ୍ଧି ପାଇ ନପାରେ। ଉଦାହରଣ ସ୍ୱରୂପ, କ୍ଷତିପୂରଣ ସେସ୍ ଯୋଡ଼ା ହେବା ପରେ, ବିଳାସପୂର୍ଣ୍ଣ କାର ଏବଂ ଏସୟୁଭି ବର୍ଗର ମୋଟର ଯାନ ଉପରେ ପ୍ରଭାବୀ ଟିକସ ହାର ପୂର୍ବରୁ ୪୫-୫୦% ହେଉଥିଲା ବେଳେ ଏବେ ଏହା ୪୦%କୁ ହ୍ରାସ ପାଇବାକୁ ଯାଉଛି।

ସମାଲୋଚକମାନେ କହୁଛନ୍ତି ଯେ, ଆଗକୁ ବିହାର ରାଜ୍ୟରେ ଓ ପରେ ପରେ ୪-୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏବଂ ମୋଦି ସରକାର କ୍ରମଶଃ ପୂର୍ବ ଚମକ ହରାଉଥିବାରୁ ତତ୍କାଳ ଦରଦାମ କମାଇବା ପାଇଁ ଜିଏସଟି ହାର ହ୍ରାସ କରିଛନ୍ତି I କିନ୍ତୁ, ଏବେ ଜିଏସଟି ହାର ହ୍ରାସ କରିବାର କିଛି ଯୁକ୍ତିଯୁକ୍ତ କାରଣ ରହିଛି। ପ୍ରଥମ ହେଉଛି ୨୦୨୫-୨୬ ଆର୍ଥିକ ବର୍ଷ ସରିବା ବେଳକୁ ଜିଏସଟି କ୍ଷତିପୂରଣ ସେସ୍ ପ୍ରଦାନ କରିବାପାଇଁ ଆଇନଗତ ଅବଧି ଶେଷ ହେବାକୁ ଯାଉଛି। ଏହାକୁ ମାର୍ଚ୍ଚ ୩୧, ୨୦୨୬ ପର୍ଯ୍ୟନ୍ତ କିମ୍ବା କେନ୍ଦ୍ର ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ଲାଗୁ କରାଯାଇପାରିବାର ବ୍ୟବସ୍ଥା ରହିଥିଲା। ଅର୍ଥମନ୍ତ୍ରୀ ଆଶା କରୁଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ଋଣ ପରିଶୋଧ ହୋଇଯାଇଥିବ। ତାହାଛଡ଼ା ତମାଖୁ ଉତ୍ପାଦ ଉପରେ ମୂଳ ଜିଏସଟି ହାର ବୃଦ୍ଧି ନକରି ସେସ୍ ହଟାଇଥିଲେ, ବିଡ଼ି, ସିଗାରେଟ୍, ଖଇନି, ଜର୍ଦ୍ଦା ଓ ଗୁଟଖା ଭଳି ତମାଖୁରୁ ପ୍ରସ୍ତୁତ କ୍ଷତିକାରକ ସାମଗ୍ରୀ ହଠାତ୍ ବହୁତ ଶସ୍ତା ହୋଇଯାଇ ଥାଆନ୍ତା। ବାର୍ତ୍ତା ଯାଇଥାଆନ୍ତା ଯେ ଏସବୁ ସାମଗ୍ରୀ ବିକ୍ରିକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି। ଏହାକୁ କେନ୍ଦ୍ର ସରକାର ନିରୁତ୍ସାହିତ କରିବାକୁ ଚାହାନ୍ତି। ଅନ୍ୟ କାରଣ ହେଉଛି ଭାରତରୁ ଆମଦାନୀ ଉପରେ ଆମେରିକା ଲାଗୁ କରିଥିବା ୫୦% ଶୁଳ୍କ। କେନ୍ଦ୍ର ସରକାର ଏହାର କ୍ଷତିକାରକ ପ୍ରଭାବ ଭାରତୀୟ ଅର୍ଥନୀତି ଓ ରପ୍ତାନୀ ବାଣିଜ୍ୟ ଉପରେ ପଡିବାର ଆଶଙ୍କା କରୁଛନ୍ତି। ଏହା ସ୍ପଷ୍ଟ ଯେ, ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୭.୮% ଜିଡିପି ଅଭିବୃଦ୍ଧି ସତ୍ତ୍ୱେ ସରକାର ସମ୍ପୂର୍ଣ୍ଣ ବର୍ଷ ପାଇଁ ଏହାର ୬.୩%-୬.୮% ଅଭିବୃଦ୍ଧି ଆକଳନରେ ପରିବର୍ତ୍ତନ କରିନାହାଁନ୍ତି, ଯାହା ସୂଚାଇ ଦିଏ ଯେ ପରବର୍ତ୍ତୀ ତ୍ରୟମାସରେ ଅଭିବୃଦ୍ଧି ଯଥେଷ୍ଟ ଧୀର ହେବ। ଜିଏସଟି ହାର ହ୍ରାସ ଏହି କ୍ଷତିକୁ ପୂରଣ କରିବ ବୋଲି ଆଶା କରାଯାଉଛି। ତଥାପି, ସରକାର ଆନୁଷ୍ଠାନିକ ଭାବରେ ଏପରି କୌଣସି ସଂଯୋଗକୁ ଅସ୍ୱୀକାର କରିଛନ୍ତି। କହିଛନ୍ତି ଯେ, ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନ ଏକ ସାମଗ୍ରିକ ସଂସ୍କାର ପ୍ରୟାସର ଅଂଶ ଏବଂ ଟ୍ରମ୍ପ ପ୍ରଶାସନ ଲଗାଇଥିବା ଟାରିଫ୍ (ଶୁଳ୍କ) ସହିତ ସମ୍ପର୍କିତ ନୁହେଁ।

ସ୍ୱାସ୍ଥ୍ୟସେବା ସହ ସମ୍ପର୍କିତ ଶିଳ୍ପ ସଂଘ ପକ୍ଷରୁ ଜିଏସଟି ବ୍ୟବସ୍ଥାରେ ପରିବର୍ତ୍ତନଗୁଡ଼ିକୁ ସମର୍ଥନ ଓ ସ୍ୱାଗତ କରାଯାଇଛି। କୁହାଯାଇଛି ଯେ ବିଭିନ୍ନ ପ୍ରକାରର ଚିକିତ୍ସା ଉତ୍ପାଦ ଉପରେ ଏହି କ୍ଷେତ୍ରରେ ଜିଏସଟି ୧୨%ରୁ ୫%କୁ ହ୍ରାସ କରିବାର ନିଷ୍ପତ୍ତି ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟମାନଙ୍କୁ ସିଧାସଳଖ ଲାଭ ଦେବ। ଅକ୍ଷୟଶକ୍ତି ଉପାଦାନ ଉପରେ ଟିକସ ୧୨%ରୁ ୫%କୁ ହ୍ରାସ କରିବାର ନିଷ୍ପତ୍ତିକୁ ମଧ୍ୟ ପ୍ରଶଂସା କରାଯାଉଛି, କାରଣ ଏହା ଭାରତର ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ପ୍ରଗତିଶୀଳ ତଥା ଦୂରଦର୍ଶୀ ପଦକ୍ଷେପ। ଏଭଳି ଉପକରଣ ନିର୍ମାତାମାନେ ମଧ୍ୟ ଏହି ହ୍ରାସକୁ ନେଇ ଉତ୍ସାହିତ। ସେମାନଙ୍କ ମତ ଯେ ଏହା ଚାହିଦାକୁ ବୃଦ୍ଧି କରିବ। ଏବେ ସମଗ୍ର ଦେଶରେ ପାର୍ବଣ ଋତୁ। ଆଗକୁ ଅଛି ନବରାତ୍ରୀ, ଦଶହରା ଓ ଦୀପାବଳି ଉତ୍ସବ। ତାହାପୂର୍ବରୁ ଜିଏସଟି ହ୍ରାସ ନିଷ୍ପତ୍ତି ଶିଳ୍ପଜଗତ ତଥା ଜନସାଧାରଣଙ୍କୁ ଆନନ୍ଦ ଦେଇଛି। ସବୁଠୁ ଅଧିକ ଖୁସି ହୋଇଛନ୍ତି କୃଷି କ୍ଷେତ୍ରପାଇଁ ଯନ୍ତ୍ରପାତି ତିଆରି କରୁଥିବା ଶିଳ୍ପସଂସ୍ଥାମାନେ। ଜିଏସଟି ହାର ୫%କୁ ହ୍ରାସ ପାଇଥିବାରୁ କୃଷି ଯାନ୍ତ୍ରିକୀକରଣ, ବୁନ୍ଦା ଜଳସେଚନ ଇତ୍ୟାଦି କିଣି ବ୍ୟବହାର କରିବା ଚାଷୀଙ୍କ ପାଇଁ ଏବେ ସହଜ ହେବ।

ରିଏଲ୍ ଇଷ୍ଟେଟ୍ କ୍ଷେତ୍ର କହିଛନ୍ତି ଯେ ସିମେଣ୍ଟ ଉପରେ ଜିଏସଟି ହାରକୁ ୨୮%ରୁ ୧୮%କୁ ଏବଂ ଗ୍ରାନାଇଟ୍ ସ୍ଲାବ୍ ଭଳି ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଉପରେ ଜିଏସଟି ହାରକୁ ହ୍ରାସ କରିବା ଦ୍ୱାରା ଏହି କ୍ଷେତ୍ର ପାଇଁ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏହା ଗୃହ ନିର୍ମାଣ କରୁଥିବା ସଂସ୍ଥା ତଥା ଘର ନିର୍ମାଣ ଓ ମରାମତି କରୁଥିବା ଲୋକଙ୍କୁ ପ୍ରୋତ୍ସାହନ ଦେବ। ଅଟୋ ନିର୍ମାତାମାନେ କହିଛନ୍ତି ଯେ କାର ଏବଂ ସାଧାରଣ ବାଇକ୍ ଉପରେ ଜିଏସଟି ହାର ୨୮%ରୁ ୧୮%କୁ ହ୍ରାସ କରିବା ଦ୍ୱାରା ଅଟୋ ଚାହିଦା ବୃଦ୍ଧି ପାଇବ।

ବୟନ ଶିଳ୍ପଜଗତ ପକ୍ଷରୁ, ଉଭୟ ଶିଳ୍ପସଂସ୍ଥାରେ ପ୍ରସ୍ତୁତ ତନ୍ତୁ ଏବଂ କପା କ୍ଷେତ୍ର ପାଇଁ ଜିଏସଟି ହାରକୁ ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇ ଥିବାରୁ ସ୍ୱାଗତ କରିଥିଲାବେଳେ ୨,୫୦୦ ଟଙ୍କାରୁ ଅଧିକ ମୂଲ୍ୟର ପୋଷାକ ପାଇଁ ୧୮ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହୋଇଥିବାରୁ ମଧ୍ୟ ନିଜର ନିରାଶା ବ୍ୟକ୍ତ କରାଯାଇଛି। ସେମାନେ କହିଛନ୍ତି ଯେ ପଶମ ତିଆରି ପୋଷାକ, ବିବାହ ପୋଷାକ ଏବଂ ପାରମ୍ପରିକ ଭାରତୀୟ ପୋଷାକ ୨,୫୦୦ ଟଙ୍କାରୁ ଅଧିକ ମୂଲ୍ୟର ହୋଇଥିବାରୁ ୧୮ ପ୍ରତିଶତ ଶୁଳ୍କ କାରଣରୁ ଅଧିକ ମହଙ୍ଗା ହୋଇଯିବ। ଯଦିଓ ଅଟୋ ନିର୍ମାତାମାନେ ନୂତନ ଜିଏସଟି ହାରକୁ ସ୍ୱାଗତ କରିଛନ୍ତି, ଅଟୋ ଡିଲରମାନେ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ସେମାନଙ୍କର କ୍ରୟ ଓ ବିକ୍ରିକୁ ସ୍ଥଗିତ ରଖିବାକୁ ପଡ଼ିବ ବୋଲି ଚିନ୍ତା ପ୍ରକଟ କରିଥିଲେ ବି ସେମାନେ ନୂଆ ବୁକିଂ ନେବାକୁ ବିଜ୍ଞାପନ ଦେଉଥିବାର ଦେଖିବାକୁ ମିଳିଛି। ସେପ୍ଟେମ୍ବର ୨୨ ତାରିଖ ପୂର୍ବରୁ ଡିଲରମାନେ ନିର୍ମାତାଙ୍କଠାରୁ କିଣିଥିବା କିନ୍ତୁ ସେପର୍ଯ୍ୟନ୍ତ ବିକ୍ରି ହୋଇନଥିବା ଯାନଗୁଡ଼ିକ ଉପରେ ସେସ୍ କ'ଣ ହେବ ସେ ବିଷୟରେ ଅଧିକ ସ୍ପଷ୍ଟତା ମଧ୍ୟ ଆସିବା ଦରକାର ହେଉଛି।

ବୀମା କ୍ଷେତ୍ର ନୂତନ ଜିଏସଟି ହାର ହ୍ରାସରୁ ଏକ ମିଶ୍ରିତ ଚିତ୍ର ଦେଖିବାକୁ ପାଇବ। ବ୍ୟକ୍ତିଗତ ଜୀବନବୀମା ଏବଂ ସ୍ୱାସ୍ଥ୍ୟ ବୀମାକୁ ଜିଏସଟିରୁ ମୁକ୍ତ କରାଯିବା ଦ୍ୱାରା ଅଧିକରୁ ଅଧିକ ଲୋକ ବୀମା ହିତାଧିକାରୀ ହେବାକୁ ଉତ୍ସାହିତ ହେବେ। କିନ୍ତୁ ଏକକାଳୀନ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍ ହଟାଇବା ଦ୍ୱାରା ବୀମାକାରୀଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସମସ୍ତ ବିମାନ ଉଡ଼ାଣ କରୁଥିବା କମ୍ପାନୀଗୁଡ଼ିକ ସମସ୍ୱରରେ ବ୍ୟବସାୟିକ ଶ୍ରେଣୀରେ ବିମାନ ଯାତ୍ରାକରୁଥିବା ଯାତ୍ରୀଙ୍କ ଉପରେ ଅଧିକ ଜିଏସଟିକୁ ନାପସନ୍ଦ କରିଛନ୍ତି। ସେହିପରି, ଖାଇବା ତେଲ (ଭେଜିଟେବୁଲ୍ ଅଏଲ୍) ଉତ୍ପାଦକମାନେ କହିଛନ୍ତି ଯେ ଜିଏସଟି ପରିଷଦ ସାର ଏବଂ କୃତ୍ରିମ ତନ୍ତୁରୁ ପ୍ରସ୍ତୁତ ବସ୍ତ୍ର ପାଇଁ ଶୁଳ୍କ ହ୍ରାସ କଲାଭଳି ଖାଇବା ତେଲ ଉପରେ ମଧ୍ୟ ଶୁଳ୍କ ହ୍ରାସ କରିପାରିଥାଆନ୍ତେ। ସେହିପରି ଶ୍ରମିକଙ୍କୁ ଦିଆଯାଉଥିବା ମଜୁରୀ ଉପରେ ଜିଏସଟି ଶୁଳ୍କ ହାରକୁ ୧୨%ରୁ ୧୮%କୁ ବୃଦ୍ଧି କରାଯିବା ଦ୍ୱାରା ଲଘୁ ଉଦ୍ୟୋଗ କ୍ଷେତ୍ରର ପ୍ରତିନିଧିମାନେ ମଧ୍ୟ ପ୍ରତିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ, ଜିଏସଟି ଶୁଳ୍କ ହାରକୁ ବଢ଼ାଇ ଦିଆ ଯାଇଥିବାରୁ ସେମାନଙ୍କର ଖର୍ଚ୍ଚ ବୃଦ୍ଧି ପାଇବ।

କେନ୍ଦ୍ର ସରକାର କହିଛନ୍ତି ଯେ ୨୦୨୩-୨୪ରେ ବ୍ୟବହାର ହୋଇଥିବା ଢାଞ୍ଚା ଉପରେ ଆଧାରିତ ରାଜସ୍ୱ ପ୍ରଭାବ ପ୍ରାୟ ୪୮ ହଜାର କୋଟି ଟଙ୍କା ହେବ। ତଥାପି, ନୂତନ ତଥ୍ୟ ପ୍ରାପ୍ତ ହେବା ପରେ ହିଁ ପ୍ରକୃତ ପ୍ରଭାବ ନିର୍ଣ୍ଣୟ କରାଯାଇ ପାରିବ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ‘ଇକୋରାପ୍ ରିପୋର୍ଟ୍’ କହିଛି ଯେ, ଏହି ସଂସ୍କାର ଦ୍ୱାରା ୩,୭୦୦ କୋଟି ଟଙ୍କାରୁ ବହୁତ କମ୍ ପ୍ରଭାବ ପଡ଼ିବ। ତଥାପି, ବିରୋଧୀ ଦଳ ଶାସନାଧିନ ରାଜ୍ୟଗୁଡ଼ିକ ଚିନ୍ତିତ। ସେମାନେ ୪୦% ସ୍ଲାବରେ ଥିବା ସାମଗ୍ରୀଗୁଡ଼ିକ ଉପରେ ସେସ୍ ଲାଗୁ କରିବାକୁ ଦାବି କରିଛନ୍ତି, ଯାହାର ଆୟ ରାଜ୍ୟଗୁଡ଼ିକୁ ରାଜସ୍ୱ କ୍ଷତି ପାଇଁ କ୍ଷତିପୂରଣ ଦେବା ପାଇଁ ବ୍ୟବହାର କରାଯାଇପାରିବ। କିନ୍ତୁ ଏହାକୁ ପରିଷଦ ଗ୍ରହଣ କରିନାହିଁ। ଏବେ ରାଜ୍ୟଗୁଡ଼ିକୁ ସେମାନଙ୍କର ନିଜସ୍ୱ ଉତ୍ସ ଖୋଜିବାକୁ ପଡିବ ଏବଂ ଯେକୌଣସି କ୍ଷତି ଭରଣା କରିବାକୁ ୧୬ତମ ଅର୍ଥ କମିଶନଙ୍କୁ ମଧ୍ୟ ଖୋଜିବାକୁ ପଡ଼ିବ।

ଫୋ- ୯୪୩୮୨୯୯୦୩୭

GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe