Advertisment

ସଂସଦୀୟ ଗଣତନ୍ତ୍ରରେ ବିଧାନସଭାର ଗୁରୁତ୍ୱ

ଏବେ ଦୁଃଖରେ ସହିତ କହିବାକୁ ହେଉଛି ଗୋଟିଏ ଦୁଇଟି ଘଟଣାକୁ ନେଇ ବିଧାୟକମାନେ ମୂଳରୁ ବିଧାନସଭାରେ ଏପରି ଆଚରଣ କରନ୍ତି ଯେ, ବିଧାନସଭାର ସମସ୍ତ ମୂଲ୍ୟବାନ୍‍ କାର୍ଯ୍ୟ ବନ୍ଦ ହେବାକୁ ବାଧ୍ୟ ହୋଇଥାଏ। ଏହି ବିଶୃଙ୍ଖଳା ବିଧାନସଭାର ବିଧାୟକ ଦଳ ତରଫରୁ ଯେ କରାଯାଏ ତା’ ନୁହେଁ। ଅଧିକନ୍ତୁ, ସରକାରୀ ଦଳ ମଧ୍ୟ ଏପରି ବିଶୃଙ୍ଖଳା ସୃଷ୍ଟିରେ ସହାୟତା ଦେଇଥାଏ।

author-image
Panchanan Kanungo
assembly

Odisha Assembly Photograph: (Internet)

ପଞ୍ଚାନନ କାନୁନଗୋ

ଏବେ ଓଡ଼ିଶା ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ବସିଛି। ସଂସଦୀୟ ଗଣତନ୍ତ୍ରରେ ଲୋକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥା ଅଧିକରୁ ଅଧିକ ଗୁରୁତ୍ୱ ବିଧାନସଭା ଉପରେ ଦେଇଥାଏ। ବିଧାନସଭାର କାର୍ଯ୍ୟ କେବଳ ବାର୍ଷିକ ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରିବା ବା ଆର୍ଥିକ ପରିଚାଳନା ସମ୍ପର୍କ ତ୍ରୁଟି ଓ ଶୃଙ୍ଖଳା ଉପରେ ଆଲୋଚନା କରିବା ବୁଝାଯାଇ ନଥାଏ। ଲୋକଙ୍କର ସମସ୍ୟା ବର୍ଷ ତମାମ ଲାଗି ରହିଥିବା ରାଜ୍ୟର ସମସ୍ୟା ଉପରେ ବିଶେଷ ଆଲୋଚନା ବିଧାନସଭାରେ ହୋଇଥାଏ। 

Advertisment

ବିଧାନସଭା କେବଳ ବଜେଟ୍‍ ଅଧିବେଶନ ନୁହେଁ, ଆଉ ଦୁଇଟି ଅଧିବେଶନ ଅତିକମରେ ବର୍ଷକ ମଧ୍ୟରେ ବସିଥାଏ। ବର୍ଷ ତମାମ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ନିୟମ ଅନୁସାରେ ଅତି କମରେ ୬୦ ଦିନ ବିଧାନସଭା ବସିବାର ବ୍ୟବସ୍ଥା ରହିଛି। କିନ୍ତୁ ଦୁର୍ଭାଗ୍ୟର କଥା ଏକବିଂଶ ଶତାବ୍ଦୀର ପ୍ରଥମ ଭାଗରେ ୨୦୦୨-୩ ଓ ୨୦୦୩-୪ ମସିହାକୁ ଛାଡ଼ିଦେଲେ ଆଉ ଅନ୍ୟ କୌଣସି ବର୍ଷ ବିଧାନସଭା ୫୨ ଦିନରୁ ଅଧିକ ବସିବାର ଦେଖାଯାଇନାହିଁ। 

ବିଧାନସଭା କାର୍ଯ୍ୟକାଳ ଯେତେ ଅଧିକ ହେବ ଅମଲାତାନ୍ତ୍ରିକ ଶାସନ ବ୍ୟବସ୍ଥା ସେହି ପରିମାଣରେ ଶୃଙ୍ଖଳିତ ଓ ଲୋକାଭିମୁଖୀ ହୋଇଥାଏ। ଲୋକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ଶାସନ ବା ପ୍ରଶାସନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବିଧାନସଭାର ହିଁ ଥାଏ। ବିଧାନସଭାର ନିର୍ଦ୍ଧାରିତ କାର୍ଯ୍ୟପ୍ରଣାଳୀ ଅନୁସାରେ କାର୍ଯ୍ୟ ଆରମ୍ଭରେ ବିଧାନସଭା ସଦସ୍ୟଙ୍କ ମୃତ୍ୟୁ ଅବା ବିଶିଷ୍ଟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁରେ ଶୋକ ପ୍ରସ୍ତାବ ଆଗତ କରାଯାଇ ଆଲୋଚନା କରାଯାଇଥାଏ। ଅଥବା ବିଧାୟକମାନେ ପଚାରିଥିବା ପ୍ରଶ୍ନ ସବୁର ଉତ୍ତର ଦିଆଯାଇଥାଏ। ଏହି ପ୍ରଶ୍ନ ଦୁଇ ପ୍ରକାର ଆସିଥାଏ। ପ୍ରଥମତଃ ଲିଖିତ ପ୍ରଶ୍ନ ଓ ଅନ୍ୟସବୁ ମୌଖିକ ପ୍ରଶ୍ନ। ଏହା ୧୫ ଦିନ ପୂର୍ବରୁ ବିଧାୟକମାନେ ଦେଇଥାନ୍ତି। ଏଣୁ ମନ୍ତ୍ରୀମାନେ ଏହି ପ୍ରଶ୍ନର ଉତ୍ତର ରଖିବାରେ କିଛି ଅସୁବିଧା ନଥାଏ। 

Advertisment

କିନ୍ତୁ ଦେଖାଯାଉଛି ଯେ, ଅନେକ ସମୟରେ ମନ୍ତ୍ରୀମାନେ ‘ତଥ୍ୟ ସଂଗ୍ରହ’ କରାଯାଉଛି ଆଳରେ ବିଧାନସଭା ପ୍ରଶ୍ନର ଉତ୍ତର ଦେଇନଥାନ୍ତି। ୨୦୦୨-୩ ଓ ୨୦୦୩-୪ରେ ଦୁଇଟି ବିଭାଗକୁ ପଚରାଯାଇଥିବା କୌଣସି ପ୍ରଶ୍ନର ଉତ୍ତର ଏପରି ‘ତଥ୍ୟ ସଂଗ୍ରହ’ ବୋଲି ଦିଆଯାଇନଥିଲା। ସେହି ବିଭାଗ ଦୁଇଟି ହେଉଛି ଅର୍ଥ ଓ ସଂସଦୀୟ ବ୍ୟାପାର। କାରଣ ଉତ୍ତରଦାତା ବିଭାଗୀୟ ମନ୍ତ୍ରୀଙ୍କର ଏଥିପାଇଁ ଅଫିସରମାନଙ୍କୁ ପୂର୍ବ ତାଗିଦ୍‍ ଦିଆଯାଇଥିଲା। ଜଣାପଡୁ ନାହିଁ ୧୪ ଦିନରୁ ଉର୍ଦ୍ଧ୍ୱ ସମୟ ଦିଆଯାଇଥିଲେ ମଧ୍ୟ ବର୍ତ୍ତମାନ ଡିଜିଟାଲ୍‍ ଯୁଗରେ କାହିଁକି ସେ ସବୁର ଉତ୍ତର ରଖାଯାଉନାହିଁ। ବିଧାନସଭା ପ୍ରତି ହେୟ ଭାବ, ବିଧାୟକମାନଙ୍କ ଉପରୁ ଗୁରୁତ୍ୱ ଲୋପ ଅବା ଅମଲାତାନ୍ତ୍ରିକ ଖାମଖିଆଲି ଭାବ ଏଥିପାଇଁ ଦାୟୀ, ଏ ସମସ୍ୟା ସମାଧାନ ହେବା ଦରକାର। 

ଦେଶରେ ସୂଚନା ଅଧିକାର ଆଇନ ଆସିବା ଫଳରେ ସାଧାରଣ ଜନତା ମଧ୍ୟ ପ୍ରଶ୍ନର ଉତ୍ତର ପାଇପାରିବାର କ୍ଷମତା ହାସଲ କରିଛନ୍ତି। ଏଥିରେ ୪୫ ଦିନ ସମୟ ଲାଗିଥାଏ ଓ ତଥ୍ୟ ନଦେଲେ ବିଭିନ୍ନ ସ୍ତରରେ ଅପିଲ୍‍ କରିବାକୁ ହୁଏ। ଅର୍ଥାତ୍‍ ଉତ୍ତରଟିଏ ପାଇବା ପାଇଁ ଅଧିକ ସମୟ ନିଆଯାଇଥାଏ ଓ ବିଧାନସଭାର ଉତ୍ତରରେ ସତ୍ୟତା ସ୍ପଷ୍ଟ ଚିତ୍ର ପ୍ରଦାନର ଦାୟିତ୍ୱ ଯେପରି ରହିଛି ତାହା ନତୁଲାଇଲେ ବିଧାନସଭା ପ୍ରତି ବିଶ୍ୱାସ ଭଙ୍ଗ ଅଭିଯୋଗ ଅଣାଯାଇପାରିବ ସେପରି ବ୍ୟବସ୍ଥା ସୂଚନା ଅଧିକାର ଆଇନରେ ଦେଖିବାକୁ ମିଳେନାହିଁ। 

ପ୍ରଶ୍ନ ଉତ୍ତର ପରେ ବବିଧାନସଭାରେ ଗୋଟିଏ ଘଣ୍ଟା ବ୍ୟାପୀ ଜିରୋ ଆୱାର୍‍ ଚାଲେ, ଯେଉଁଥିରେ ଲୋକ ପ୍ରତିନିଧିମାନେ କୌଣସି ପ୍ରକାର ସାମ୍ବିଧାନିକ ତ୍ରୁଟି ବା ଆଇନ ପାଳନ ସମୟରେ ତ୍ରୁଟିକୁ ନେଇ ପଏଣ୍ଟ ଅଫ୍‍ ଅର୍ଡର୍‍ ଉଠାଇ ଦୃଷ୍ଟି ଆକର୍ଷଣ କରିଥାନ୍ତି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏବେ ଏହି ସମୟରେ ମେନ୍ସାନ୍‍ କରିବା ବ୍ୟବସ୍ଥା ରହି ଲିଖିତ ଭାବେ ସଦସ୍ୟମାନେ ଅଭିଯୋଗ ଦାଖଲ କରିଥାନ୍ତି। ବିଶ୍ୱାସ ବିଧାୟକମାନେ ଏହି ସମୟଟିକୁ ମଧ୍ୟ ସଠିକ୍‍ ଭାବେ ଉପଯୋଗ କରିବେ। 

ଏତଦ୍ବ୍ୟସତୀତ ବିଧାନସଭାରେ କଲିଙ୍ଗ୍‍ ଆଟେନ୍ସସନ୍‍ ଏବଂ ଆଡ୍ଜସର୍ଣ୍ଣମେଣ୍ଟ ମୋସନ୍‍ ବିଧାୟକମାନେ ଆଣିଥାନ୍ତି। ରାଜ୍ୟରେ ତତ୍କାଳୀନ କୌଣସି ସମସ୍ୟା ଉପୁଜିଥିଲେ ବିଧାୟକମାନେ ସରକାରଙ୍କର ଦୃଷ୍ଟି ଆକର୍ଷଣ ପାଇଁ କଲିଙ୍ଗ୍‍ ଆଟେନ୍ସ ନ୍‍ ଓ ମୁଲତବି ପ୍ରସ୍ତାବ ଦେଇଥାନ୍ତି। ଏହା ଚର୍ଚ୍ଚା ହୁଏ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତି। ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ବ୍ୟବସ୍ଥାରେ ପୂର୍ବେ ବିଧାନସଭାରେ ଅନ୍ତତଃ ଦୁଇଟି ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆସୁଥିଲା। ଏବେ ଦେଖିବାକୁ ମିଳୁଛି ସେ ବ୍ୟବସ୍ଥା ଉଠାଇ ଦିଆଗଲାଣି ବା ଏଥିରେ ଆଦୌ ଗୁରୁତ୍ୱ ଦିଆଯାଉନାହିଁ। ଅତି କଷ୍ଟେମଷ୍ଟେ ଗୋଟିଏ ମୁଲତବୀ ପ୍ରସ୍ତାବ ବା ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଆସିବାର ଦେଖାଯାଉଛି। ଏହି ପ୍ରସ୍ତାବରେ ବିଧାୟକମାନେ ରାଜ୍ୟରେ ଘଟିଥିବା ବା ଘଟୁଥିବା ସମସ୍ୟାକୁ ନେଇ ଆଲୋଚନା କରିଥାନ୍ତି। ଏଥିରେ ଧାନମଣ୍ଡିରେ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଠାରୁ ଆରମ୍ଭ କରି ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାର, ଶିଶୁ ମୃତ୍ୟୁ ଓ ବଢୁଥିବା ଆର୍ଥୀକ ଦୁର୍ଗତି ଆଦି ସମ୍ପର୍କରେ ଆଲୋଚନା ହେବାର ସୁଯୋଗ ରହିଛି। 

ଅଧିକନ୍ତୁ, ସରକାର କିଛି ଆଇନ ପରିବର୍ତ୍ତନ ବା ଆଇନ୍ରଘ ସଂଶୋଧନ ପାଇଁ ବ୍ୟବସ୍ଥା ଆଣିଥାନ୍ତି, ଯେଉଁଥିରେ ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ବିଧାୟକମାନେ ଦଳମତ ନିର୍ବିଶେଷରେ ଏକ ପ୍ରାଇଭେଟ୍‍ ମେମ୍ବର୍ସ୍ ‍ ବିଲ୍‍ ଜରିଆରେ ପ୍ରସ୍ତାବ ରଖିଥାନ୍ତି। ତା’ ଉପରେ ବିତର୍କ ହୁଏ, ଆଲୋଚନା ହୁଏ। ଅନ୍ୟଏକ ଦୃଷ୍ଟାନ୍ତମୂଳକ କଥା ହେଉଛି, ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ନେଇ ପ୍ରସ୍ତାବ (ରିଜୋଲ୍ୟୁସନ୍‍) ମଧ୍ୟ ବିଧାନସଭାରେ ଆଗତ ହୋଇ ଆଲୋଚନାକୁ ଆସିଥାଏ। ଏ ସମସ୍ତ ହେଉଛି ବଜେଟ୍‍ ବା ଆୟ ବ୍ୟୟର ଖର୍ଚ୍ଚ ବିବରଣୀ ବ୍ୟତିରକେ ଅନ୍ୟସବୁ ଦିନର ବିଧି ବ୍ୟବସ୍ଥା।

କେବଳ ଆୟ ବ୍ୟୟର ବାର୍ଷିକ ବିବରଣୀ (ବଜେଟ୍‍) ବା ଅତିରିକ୍ତ ଆୟ ବ୍ୟୟ ବ୍ୟବସ୍ଥା ଉପସ୍ଥାପନ ବେଳେ ସବୁ ବିଭାଗଗୁଡ଼ିକ ଉପରେ ଆଲୋଚନା, ଖର୍ଚ୍ଚ କାଟ ବା ଖର୍ଚ୍ଚ ଅନୁମୋଦନ ଆଦିର ପୁଙ୍ଖାନୁପୁଙ୍ଖ ଆଲୋଚନା ଦେଖିବାକୁ ମିଳିଥାଏ। ବିଭିନ୍ନ ବିଭାଗର ଆଲୋଚନା ବେଳେ ବିଧାୟକମାନେ ଖର୍ଚ୍ଚରେ ଘଟିଥିବା ବିଶୃଙ୍ଖଳା ବା ଦୁର୍ନୀତି ଉପରେ ଗୁରୁତ୍ୱ ଦେଇ ଆଲୋଚନା ମଧ୍ୟ କରିଥାନ୍ତି ଓ କିଛି ପ୍ରସ୍ତାବ ମଧ୍ୟ ରଖିଥାନ୍ତି। ଏହି ସମସ୍ତ ବ୍ୟବସ୍ଥା ହେଉଛି ବିଧାନସଭାର ନିର୍ଦ୍ଧାରିତ ବିଧି ବ୍ୟବସ୍ଥା। ଏଥିରେ କଟ୍‍ ମୋସନ୍‍ ରହିଛି। ପୂର୍ବେ ଥିବା ଟିକସ ବସାଇବା ସଂଶୋଧନ ଅବା ପ୍ରତ୍ୟାହାର କରିବା ରାଜ୍ୟ ବିଧାନସଭାର ପୂର୍ବପରି ଆଉ ନାହିଁ। ଏସବୁ ଲୋକସଭା ବିଧି ବ୍ୟବସ୍ଥାରେ ଅଛି।

ଏହି ବିଧାନସଭାର ଏକ ଅତିରିକ୍ତ ବଜେଟ୍‍ ଉପସ୍ଥାପନ ହେବାର ଘୋଷଣା କରିଛି। ଏଥିରେ ମୂଳ ବଜେଟ୍‍ ଅପେକ୍ଷା ୧୧ ହଜାର କୋଟି ଟଙ୍କା ଅଧିକ ରଖିବାର ବ୍ୟବସ୍ଥା ଅଛି ବୋଲି ବାହାରେ ପ୍ରକାଶିତ ହୋଇଛି। ସେ ଯାହା ହେଉ ନା କାହିଁକି ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‍ ସମୟରେ ସବୁ ବିଭାଗର ଖର୍ଚ୍ଚ ଉପରେ ଏକ ବିସ୍ତୃତ ଆଲୋଚନା କରାଯାଇ ସମୟାନୁପାତିକ ପୂର୍ବ ବ୍ୟୟର ଆନୁପାତିକ ଖର୍ଚ୍ଚ କାହିଁକି କରାଗଲା ନାହିଁ? ସେ ଉତ୍ତର ବିଭାଗ ଠାରୁ ଅଣାଯିବା ଦରକାର। କାରଣ ଗୋଟିଏ ଗୋଟିଏ ବିଭାଗରେ ଗତ ଅକ୍ଟୋବର ମାସ ଶେଷ ସୁଦ୍ଧା ୩୦-୩୨% ଖର୍ଚ୍ଚ ହୋଇନଥିବା ସରକାରଙ୍କର ତଦାରଖରୁ ଜଣାପଡିଛି। ଅର୍ଥ ବିଭାଗର ନିର୍ଦ୍ଦେଶକ୍ରମେ ସବୁ ବିଭାଗ କେଉଁ ସମୟରେ କେତେ ଖର୍ଚ୍ଚ କରିବ ସେପରି କରାଯାଇନାହିଁ। ଅନେକ ବିଭାଗରେ ନିର୍ଦ୍ଧାରିତ ବ୍ୟୟ କରାନଯାଇ ଅଧିକ ବ୍ୟୟ ବରାଦ କରିବା ପାଇଁ ମଗାଯିବା ଆଦୌ ଉଚିତ୍‍ ନୁହେଁ। ତା’ ମଧ୍ୟ ବିଧାୟକମାନେ ତଦାରଖ କରି ସରକାରଙ୍କୁ ସୂଚାଇ ଦେବା ଉଚିତ୍‍। 

ବିଧାନସଭାର ବ୍ୟବସ୍ଥା ଅନୁସାରେ ବିଧାନସଭାରେ ସର୍ବକାଳୀନ ଦୁଇଟି ପକ୍ଷ ଥାଏ। ଗୋଟିଏ ସରକାରୀ ପକ୍ଷ (ଟ୍ରେଜେରୀ ବେଞ୍ଚ), ଅନ୍ୟଟି ବିରୋଧୀ ପକ୍ଷ (ଅପୋଜିସନ୍‍)। ଏହି ଦୁଇପକ୍ଷଙ୍କର ପୂର୍ଣ୍ଣ ଦାୟିତ୍ୱ ହେଉଛି ବିଧାନସଭାକୁ ସଠିକ୍‍ ଭାବରେ ପରିଚାଳିତ କରି ବିଧି ମୁତାବକ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବେ। ସର୍ବୋପରି ବିଧାନସଭା ପରିଚାଳନା ଦାୟିତ୍ୱରେ ଥିବା ଅଧ୍ୟକ୍ଷ (ବାଚସ୍ପତି) ବିଧାନସଭା ନିୟମାବଳୀକୁ ଦେଖି, ସମ୍ବିଧାନ ଓ ସାମ୍ବିଧାନିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇ ବିଧାନସଭା ପରିଚାଳନା କରିବା କଥା। ସେହି ସମୟରେ ସେ କୌଣସି ନିର୍ଦ୍ଦିଷ୍ଟ ଦଳର ପ୍ରତିନିଧି ବୋଲି ବିଚାରିବା ଉଚିତ୍‍ ନୁହେଁ। ଏଣୁ ଉଭୟେ ସରକାରୀ ଦଳ ଓ ବିରୋଧୀ ଦଳଙ୍କୁ ଯଥାମାନ୍ୟ ସହଯୋଗ ଦେବା ସହିତ ସେମାନଙ୍କ ପାଇଁ ପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ତେବେ ହିଁ ସେ ଉଭୟ ପକ୍ଷର ବିଶ୍ୱାସଭାଜନ ହେବେ ଓ ସମ୍ବିଧାନର ରକ୍ଷକ ଭାବେ ସମ୍ମାନୀତ ହେବେ। ସେ ଦେଖିବା ଉଚିତ୍‍ ଯେ, ତାଙ୍କର କୌଣସି ଆଚରଣ ପାଇଁ ଗୃହର ସମୟ ଅଯଥା ନଷ୍ଟ ହେଉଛି ବୋଲି କୌଣସି ଭାବେ ପ୍ରତ୍ୟୟ ସୃଷ୍ଟି ନହେଉ। ଗୃହରେ ହୋ ହାଲ୍ଲା କରି ମୂଲ୍ୟବାନ୍‍ ସମୟ ନଷ୍ଟ ହେଉଛି। ଉଭୟ ସରକାର ଓ ବିରୋଧି ଦଳ ଏଥିପାଇଁ ଲୋକଚକ୍ଷୁରେ ନିନ୍ଦିତ ହେଉଛନ୍ତି।

କିନ୍ତୁ ଏବେ ଦୁଃଖରେ ସହିତ କହିବାକୁ ହେଉଛି ଗୋଟିଏ ଦୁଇଟି ଘଟଣାକୁ ନେଇ ବିଧାୟକମାନେ ମୂଳରୁ ବିଧାନସଭାରେ ଏପରି ଆଚରଣ କରନ୍ତି ଯେ, ବିଧାନସଭାର ସମସ୍ତ ମୂଲ୍ୟବାନ୍‍ କାର୍ଯ୍ୟ ବନ୍ଦ ହେବାକୁ ବାଧ୍ୟ ହୋଇଥାଏ। ଏହି ବିଶୃଙ୍ଖଳା ବିଧାନସଭାର ବିଧାୟକ ଦଳ ତରଫରୁ ଯେ କରାଯାଏ ତା’ ନୁହେଁ। ଅଧିକନ୍ତୁ, ସରକାରୀ ଦଳ ମଧ୍ୟ ଏପରି ବିଶୃଙ୍ଖଳା ସୃଷ୍ଟିରେ ସହାୟତା ଦେଇଥାଏ। ଏହା ଫଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଉତ୍ତର ଦେବାରୁ ଦୂରେଇ ରହିବା ସୁବିଧାଜନକ ହୋଇଥାଏ। ଏଣୁ ସରକାରୀ ଦଳ ଯଦିଓ ବିଧାନସଭା ପରିଚାଳନା କରେ, ତାଙ୍କର ବିଶେଷ ଲାଭ ଉଠାଇବାର ନିଜର ଦକ୍ଷତା ଉପରେ ନିର୍ଭର କରିଥାଏ। ସେମାନେ ତାହା କରନ୍ତି ନାହିଁ। ବିରୋଧୀ ଦଳ ଅନେକ ପ୍ରସଙ୍ଗକୁ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ସୁଯୋଗ ମିଳିଥାଏ, ତା’ ମଧ୍ୟ ସଂକୁଚିତ ହୁଏ ବା ହରାଇ ବସନ୍ତି। କାହିଁକି କେଜାଣି ଉଭୟ ଉଭୟଙ୍କ କାର୍ଯ୍ୟରୁ ଦୂରେଇ ରହି ଲୋକ ପ୍ରତିନିଧିମୂଳକ ଶାସନ ବ୍ୟବସ୍ଥାରେ ଲୋକଙ୍କ ପାଖରେ ସମସ୍ତ ତଥ୍ୟ ରଖିବାରୁ ବଞ୍ଚିତ କରନ୍ତି ତାହା ବୁଝି ହୁଏନାହିଁ। 

ଲୋକ ପ୍ରତିନିଧିମାନେ ସାଧାରଣତଃ ସାଧାରଣ ଜନତାଙ୍କ ପାଖରେ ଉତ୍ତରଦାୟୀ। ତଥାପି ସେମାନେ ସେହି ଦାୟିତ୍ୱ ତୁଲାଇବାରେ ଅବହେଳା କରୁଥିବା ଦେଖାଯାଏ। ଆଶା ଓ ବିଶ୍ୱାସ ଏବେ ଚାଲିଥିବା ବିଧାନସଭା ଏପରି ଭାବେ କାର୍ଯ୍ୟ କରିବ ଯେଉଁଥିରେ ଲୋକପ୍ରତିନିଧି ମୂଳକ ଶାସନ ବ୍ୟବସ୍ଥାର ଗୁଣାତ୍ମକମାନ ବୃଦ୍ଧିପାଇବା ଦେଖାଯିବ। ତତ୍ସାହିତ ବିଧାୟକ ଓ ବିଧାନସଭାର ମୂଲ୍ୟର ଅବକ୍ଷୟ ନହୋଇ ବୃଦ୍ଧି ଘଟିବ। 

ଫୋ- ୯୪୩୮୩୬୦୮୪୯

Odisha Parliament Democracy Assembly