Cease Fire
ରବି ଦାସ
ସାରା ବିଶ୍ୱ ମୁକ୍ତବଜାର ଅର୍ଥନୀତିକୁ ଗ୍ରହଣ କରିଛି। ବଜାରର କୌଣସି ଧର୍ମ ନାହିଁ ବା ଜାତୀୟତା ନାହିଁ। ବିଶ୍ୱରେ ଯେତେବେଳେ ଯେଉଁଠାରେ ଯୁଦ୍ଧ ଓ ହିଂସାକାଣ୍ଡ ବ୍ୟାପିଛି ଯେଠାରେ ବଜାର ଓ ଅର୍ଥନୀତି ହିଁ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱ ଇତିହାସରେ ଏହା ବାରମ୍ବାର ପ୍ରତିଫଳିତ ହୋଇଛି। ଗାଜା, ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱ ଓ ବିଶେଷ ଭାବରେ ୟୁରୋପ ବହୁ ଭାବରେ ପ୍ରଭାବିତ ହୋଇଛି। ସେହି ଦୃଷ୍ଟିରୁ ଦେଖିଲେ ଭାରତ ପାକିସ୍ତାନ ଭିତରେ ଏକ ଯୁଦ୍ଧର ଯେଉଁ ବାତାବରଣ ପହଲଗାମ୍ରେ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନଙ୍କର ଗୁଳିକାଣ୍ଡ ପରେ ସୃଷ୍ଟି ହୋଇ ଶେଷରେ ଖୋଲା ଲଢ଼େଇ ଆଡ଼କୁ ଯାଇଥିଲା, ସେଥିରେ ଅସ୍ତ୍ରବିରତି ପରେ ଏକ ଶାନ୍ତ ପରିବେଶ ଆସିଯିବା ଫଳରେ ଗୋଟିଏ ଦିନରେ ଭାରତୀୟ ଷ୍ଟକ୍ ବଜାରରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ଏକ ବଡ଼ ସଂକଟ ଏଡ଼ାଇ ଦିଆଯାଇଥିବା ହେତୁ ଗୋଟିଏ ଦିନରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ସେନ୍ସେକ୍ସ ୨୯୭୫ ପଏଣ୍ଟ ବୃଦ୍ଧି ପାଇବା ଫଳରେ ଭାରତୀୟ ବଜାରରେ ପୁଞ୍ଜି ପରିମାଣ ୪୨୯.୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
ଭାରତ ଓ ପାକିସ୍ତାନ ଭିତରେ ଅସ୍ତ୍ରବିରତି ସହିତ ଆମେରିକା ପକ୍ଷରୁ ଚାଲିଥିବା ବାଣିଜ୍ୟ ଯୁଦ୍ଧର ମଧ୍ୟ ଏକ ପ୍ରକାର ଅବସାନ ଘଟି ଆମେରିକା ଓ ଚୀନ ପରସ୍ପର ଉପରୁ ଶୁକ୍ଳ ଶତକଡ଼ା ୧୧୫ କମାଇଦେବା ଫଳରେ ସାରା ବିଶ୍ୱ ବଜାର ଏଥିରେ ପ୍ରଭାବିତ ହୋଇଛି। ବାସ୍ତବିକ ଏକ ଶାନ୍ତିର ବାର୍ତା ଓ ପରିବେଶ ସମସ୍ତଙ୍କ ପାଇଁ ଅମୂଲ୍ୟ। ଯୁଦ୍ଧ ଜନିତ ପରିସ୍ଥିତି ଓ ହିଂସା ପରିବେଶ ସାଧାରଣ ଲୋକଙ୍କର ଧନଜୀବନକୁ ବିପନ୍ନ କରିବା ସହିତ ବିଶ୍ୱ ଅର୍ଥନୀତିକୁ ମଧ୍ୟ ଖରାପ ଅବସ୍ଥାକୁ ନେଇଯିବ। ସେହି ଦୃଷ୍ଟିରୁ ଭାରତ ଓ ପାକିସ୍ତାନ ଭିତରେ ଅସ୍ତ୍ରବିରତି କେବଳ ଦୁଇ ଦେଶ ଲୋକଙ୍କ ପାଇଁ ନୁହେଁ, ସମଗ୍ର ମାନବ ସମାଜ ପାଇଁ ସୁଯୋଗ ସୃଷ୍ଟି କରିଛି। ଅବଶ୍ୟ ଏହି ଶାନ୍ତି ବାତାବରଣରେ ଭାରତର ଅନେକ ଗଣମାଧ୍ୟମ ଓ ବିଶେଷ ଭାବରେ ଟେଲିଭିଜନ୍ ସତ୍ତାମାନେ ଯେଉଁ ମିଥ୍ୟାର ପାହାଡ଼ ସୃଷ୍ଟି କରି ପାକିସ୍ତାନ ଦଖଲ ହୋଇଗଲା ବୋଲି ପ୍ରଚାର କରୁଥିଲେ ସେମାନେ ଦୁଃଖିତ ଓ ଲଜ୍ଜିତ ହେଉଥିବେ। କିନ୍ତୁ ଗଣମାଧ୍ୟମର ଏହି ଗୋଷ୍ଠୀମାନଙ୍କ ଛଡ଼ା ସାଧାରଣରେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁମାନେ ଏତେ ମାତ୍ରାରେ ସାମ୍ପ୍ରଦାୟିକ ଉତ୍ତେଜନା ସହିତ ଜାତୀୟତା ସ୍ଳୋଗାନରେ ଅନ୍ଧ ଯେ, ସେମାନେ ଶାନ୍ତିର ବାତାବରଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି।
କିନ୍ତୁ ଭାରତ ଓ ପାକିସ୍ତାନ ଭିତରେ ଯେଉଁ ୩ ଦିନ କାଳ ଏକପ୍ରକାର ସାମରିକ ଶକ୍ତିର ପରୀକ୍ଷା ଚାଲିଲା, ତାହା ସବୁ ଦୃଷ୍ଟିରୁ ଭାରତକୁ ଭବିଷ୍ୟତ ପାଇଁ ଶିକ୍ଷା ପ୍ରଦାନ କରିବ। ଭାରତର ଦେଶରକ୍ଷା ଓ ସାମରିକ କୌଶଳରେ ଏବେ ଭଲଭାବରେ ମନେରଖିବାକୁ ପଡ଼ିବ ଯେ, ପାକିସ୍ତାନକୁ କେବଳ ଗୋଟିଏ ଦେଶ ଭାବି ଓ ତାହାର ଶକ୍ତି ଭାରତ ଠାରୁ କମ୍ ବୋଲି ବିଚାର କରି କୌଣସି କୌଶଳ କରିବା ଆଦୌ ଠିକ୍ ହେବନାହିଁ। ପାକିସ୍ତାନ ସହିତ ଏବେ ଚୀନ୍ ନିବିଡ଼ ଭାବରେ ରହିଛି। ଏଣୁ ଭାରତ ଯାହାକିଛି ସାମରିକ ପ୍ରସ୍ତୁତି କରିବ ତାହା ଦୁଇଦେଶକୁ ଏକାଠି ମିଶାଇ ଚିନ୍ତା କରିବାକୁ ପଡ଼ିବ।
ଭାରତ ପାକିସ୍ତାନ ଭିତରେ ଅତୀତରେ ଯେଉଁ ତିନୋଟି ଯୁଦ୍ଧ ହୋଇଛି ସେଥିରେ ଭାରତ ହିଁ ବିଜୟୀ ହୋଇଛି। ୧୯୭୧ ଯୁଦ୍ଧ ବେଳେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ପୂର୍ବରୁ ୧୯୬୫ରେ ଯେଉଁ ଯୁଦ୍ଧ ହୋଇଥିଲା ତାହା ପଶ୍ଚିମପଟେ ପଞ୍ଜାବ, ଗୁଜୁରାଟ ଓ ରାଜସ୍ଥାନ ପଟେ ହୋଇଥିଲା। ଅବଶ୍ୟ ୧୯୭୧ ଯୁଦ୍ଧ ମୁଖ୍ୟତଃ ସେତେବେଳେ ପଶ୍ଚିମ ଓ ପୂର୍ବ ପାକିସ୍ତାନକୁ ନେଇ ଥିବା ମିଳିତ ପାକିସ୍ତାନ ବିରୋଧରେ ହୋଇଥିଲେ ମଧ୍ୟ ପ୍ରକୃତ ଲଢ଼େଇ ପୂର୍ବ ପାକିସ୍ତାନ ଯାହାକି ବର୍ତ୍ତମାନ ବଙ୍ଗଳାଦେଶ ସେହିଠାରେ ହୋଇଥିଲା। ସେହି ଯୁଦ୍ଧ ସମୟରେ ବ୍ୟକ୍ତିଗତ ଭାବରେ ମୁଁ ରାଜ୍ୟ ଯୁବ କଂଗ୍ରେସର ସଭାପତି ଥିଲି। ଯେଉଁଦିନ ଭାରତୀୟ ସୈନ୍ୟମାନେ ପୂର୍ବ ପାକିସ୍ତାନ ବା ବଙ୍ଗଳା ଦେଶକୁ ଦଖଲ କଲେ ଓ ସେଠାରେ ଥିବା ପାକିସ୍ତାନର ପ୍ରାୟ ୯୩ ହଜାର ସୈନ୍ୟ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କଲେ, ସେହି ସମୟରେ ଭାରତରେ ଆନନ୍ଦର ଲହରୀ ଦେଖାଦେଇଥିଲା। ଏପରିକି ବଙ୍ଗଳାଦେଶକୁ ପାକିସ୍ତାନ ସୈନ୍ୟମାନଙ୍କ ଅତ୍ୟାଚାରରେ ପଳାଇ ଆସି ଭାରତରେ ଲକ୍ଷ ଲକ୍ଷ ସଂଖ୍ୟାରେ ଶରଣାର୍ଥୀ ସାଜିଥିବା ଲୋକମାନେ ବେଶ୍ ଖୁସି ହୋଇଥିଲେ। ଭାରତ ସାରା ବିଶ୍ୱରେ ଏକ ନୈତିକତାର ଏକ ପ୍ରହରୀ ଭାବରେ ଆତ୍ମପ୍ରକାଶ କରିଥିଲା। ବଙ୍ଗଳାଦେଶର ଲୋକମାନଙ୍କୁ ପାକିସ୍ତାନ ସୈନ୍ୟମାନଙ୍କ ଅତ୍ୟାଚାରରେ ଭାରତ ମୁକ୍ତି ଦେଇଥିଲା।
ଏହି ଘଟଣା ଭାରତ ପାଇଁ ଏକ ଗୌରବମୟ ସମୟ ହେଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଏହି ଯୁଦ୍ଧ ଜନିତ ବ୍ୟାପକ ଅର୍ଥ ଖର୍ଚ୍ଚ ଯୋଗୁ ଦେଶରେ ମୁଦ୍ରାସ୍ପୀତି ଗମ୍ଭୀର ରୂପ ଧାରଣ କରିଥିଲା। ଯାହା ଫଳରେ ୧୯୭୪ରେ ଭାରତ ପ୍ରଥମଥର ପାଇଁ ପରମାଣୁ ବିସ୍ପୋରଣ ପରୀକ୍ଷା କରିଥିଲେ ମଧ୍ୟ ଦେଶରେ ଦରଦାମ୍ ବୃଦ୍ଧି ଜନିତ ଅବସ୍ଥା ଯୋଗୁ ଅଶାନ୍ତି ଦ୍ରୁତ ଗତିରେ ବଢ଼ିଥିଲା। ପ୍ରଥମେ ଏଥିପାଇଁ ରେଳ ଧର୍ମଘଟ ହେଲା ଓ ପରେ ସରକାରଙ୍କ ବିରୋଧରେ ପ୍ରଥମେ ଗୁଜୁରାଟ ଓ ପରେ ବିହାରରେ ଛାତ୍ର ଆନ୍ଦୋଳନ ହେଲା। ସ୍ୱର୍ଗତ ଜୟପ୍ରକାଶ ନାରାୟଣ ଏହି ଆନ୍ଦୋଳନର ନେତୃତ୍ୱ ନେଇ ଦେଶରେ ରାଜନୈତିକ ବାତାବରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ଏହା ବିସ୍ତୃତ ଭାବରେ ବର୍ଣ୍ଣନା କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ। ଅସଲକଥା ହେଉଛି, ଯୁଦ୍ଧ କିଛି ସମୟ ପାଇଁ ଗୋଟିଏ ଦେଶକୁ ଖୁସି ଦେଇପାରେ। କିନ୍ତୁ ଯୁଦ୍ଧ ଯୋଗୁଁ ଯେଉଁ ଅର୍ଥନୈତିକ କ୍ଷତି ହୁଏ ତାହା ଅତ୍ୟନ୍ତ ଭୟଙ୍କର। ଅବଶ୍ୟ ୧୯୭୧ ଯୁଦ୍ଧ ସମୟରେ ଚୀନ୍ ସେପରି କିଛି ଶକ୍ତିଶାଳୀ ରାଷ୍ଟ୍ର ନଥିଲା। ସେ ସମୟରେ ଚୀନ୍ ଓ ଭାରତ ଭିତରେ ଆର୍ଥିକ ତାରତମ୍ୟ ମଧ୍ୟ ବିଶେଷ ନଥିଲା। ତେଣୁ ସେହି ଯୁଦ୍ଧରେ ଭାରତ ପାଇଁ ଚୀନ୍ ଏକ ଚିନ୍ତାର କାରଣ ନଥିଲା।
ବିଗତ ୫୫ ବର୍ଷ ଭିତରେ ଭାରତ ସବୁ ଦୃଷ୍ଟିରୁ ନିଜକୁ ଶକ୍ତିଶାଳୀ କରିଛି। ସବୁଠାରୁ ବଡ଼ କଥା ଯେ, ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଅନୁଷ୍ଠାନଗୁଡ଼ିକ ସ୍ୱାଧୀନତା ପରଠାରୁ ଏପର୍ଯ୍ୟନ୍ତ କାଏମ ରହିଛି। ଫଳରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ପ୍ରଗତି ହାସଲ କରି ଏବେ ବିଶ୍ୱର ୫ମ ଅର୍ଥନୀତିରେ ପରିଣତ ହୋଇଥିବା ସମୟରେ ଆଉ କିଛି ବର୍ଷ ଭିତରେ ତୃତୀୟ ଅର୍ଥନୀତିରେ ପରିଣତ ହେବ। ଅପରପକ୍ଷରେ ପାକିସ୍ତାନ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହେଲେ ମଧ୍ୟ ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଏବେ ବି ଦୁର୍ବଳ ଥିବାରୁ ଯେତେ ନିର୍ବାଚନ ପରେ ମଧ୍ୟ ସାମରିକ ବାହିନୀ ଦେଶର ପ୍ରକୃତ ଶକ୍ତିଶାଳୀ କ୍ଷମତା କେନ୍ଦ୍ର ଭାବରେ ରହିଛି। ସେହି ସାମରିକ ବାହିନୀ ଏପର୍ଯ୍ୟନ୍ତ ଭାରତ ପାକିସ୍ତାନ ବିଭାଜନ ସମୟରେ ଥିବା ଦୁଇଦେଶ ତତ୍ୱର ଉପରକୁ ଯାଇପାରିନାହିଁ। ଫଳରେ ସେଠାକାର ସାମରିକ ବାହିନୀ ଏକ ଜେହାଦି ଅନୁଷ୍ଠାନ ଭାବରେ କାମ କରୁଥିବାରୁ ସୀମାପଟ ଆତଙ୍କବାଦୀ ସଂଗଠନଗୁଡ଼ିକୁ ମଜବୁତ କରି ଭାରତ ବିରୋଧରେ ଆକ୍ରମଣ ଚଳାଇଛନ୍ତି। ସେମାନେ ଏବେ ବି ବିଚାର କରୁଛନ୍ତି ଭାରତ, ପାକିସ୍ତାନ ଯେଉଁ ଦୁଇ ଦେଶ ତତ୍ୱ ଉପରେ ହୋଇଥିଲା ସେଥିରେ ଗୋଟିଏ ଅମିମାନସିକ ଅଧ୍ୟାୟ ଭାବରେ କାଶ୍ମୀର ସମସ୍ୟା ରହିଛି। କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ, ଏହି ଦୁଇ ଦେଶ ତତ୍ତ୍ୱକୁ ଭାରତ କେବେ ବି ଗ୍ରହଣ କରିନାହିଁ। ସେହି ଅନୁସାରେ ଭାରତର ସମ୍ବିଧାନ ଓ ଗଣତାନ୍ତ୍ରିକ ଅନୁଷ୍ଠାନ ଓ ନ୍ୟାୟପାଳିକା କାର୍ଯ୍ୟ କରୁଛି।
ବିଭାଜନ ସମୟରେ ପାକିସ୍ତାନ ପଟେ ରହିଥିବା ହିନ୍ଦୁମାନଙ୍କ ସଂଖ୍ୟା ଏବେ ଆଉ ନାହିଁ କହିଲେ ଚଳେ। ଅଥଚ ଯେଉଁ ମୁସଲ୍ମାନମାନେ ଭାରତରେ ରହିଥିଲେ ସେମାନଙ୍କ ଶତକଡ଼ା ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। କାଶ୍ମୀରରେ କେବେ ବି ମୁସ୍ଲିମ୍ ଲିଗ୍ର ସଂଗଠନ ନଥିଲା। କାଶ୍ମୀରରେ ଅଧିକ ସଂଖ୍ୟକ ମୁସଲ୍ମାନ ରହୁଥିଲେ ମଧ୍ୟ ସେମାନେ ସାମ୍ପ୍ରଦାୟିକ ସଦ୍ଭାବକୁ ଗୁରୁତ୍ୱ ଦେଇ ଆସିଥିଲେ। ବିଗତ କେତେବର୍ଷ ଭିତରେ ସେଠାରେ ଯେଉଁ ସବୁ ବିବାଦ ହୋଇଛି ତାହା ପଛରେ ପାକିସ୍ତାନର ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ରହିଆସିଛି। ତେଣୁ କାଶ୍ମୀର ଏକ ଅମିମାଂସିତ ସମସ୍ୟା ଭାବି ପାକିସ୍ତାନ ସେନାର କ୍ରମାଗତ ଆଚରଣ କେବଳ ଦୁଇଦେଶ ଭିତରେ ଶତ୍ରୁତା ବୃଦ୍ଧି କରିଚାଲିଛି। ଏହି ଜେହାଦି କାର୍ଯ୍ୟକଳାପ ଯୋଗୁ ପାକିସ୍ତାନର ଅର୍ଥନୀତି ଓ ରାଜନୀତି ଦୁର୍ବଳ ହୋଇଛି। ଚୀନ୍ ସହାୟତାରେ ପାକିସ୍ତାନ ତାହାର ଭାରତ ବିରୋଧୀ ଅଭିଯାନକୁ କାଏମ ରଖିପାରିବ ନାହିଁ ବୋଲି ଅସ୍ତ୍ରବିରତି ପରେ ଭାରତର ପ୍ରଧାନମନ୍ତ୍ରୀ ଅତି ସ୍ପଷ୍ଟ ଭାବରେ କହିଛନ୍ତି। ଭାରତ ପାକିସ୍ତାନ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ ହେଲେ ଭାରତ ଅପେକ୍ଷା ପାକିସ୍ତାନ ଅଧିକ ଲାଭବାନ୍ ହେବ।
ଗୋଟିଏ କଥା ମନେରଖିବାକୁ ପଡ଼ିବ ଯେ, ବିଶ୍ୱ ସ୍ତରରେ ଅନେକ ଅନୁଷ୍ଠାନ ସବୁ ଦୁର୍ବଳ ହେବାରେ ଲାଗିଛି। ବିଶ୍ୱରେ ସହନଶୀଳତା ସ୍ତର କମୁଛି। ଜାତୀୟତାବାଦ ଅନେକ ସ୍ଥାନରେ ଶକ୍ତିଶାଳୀ ହୋଇଛି। ଏହି ଅବସ୍ଥାରେ ପ୍ରତ୍ୟେକ ଦେଶକୁ ନିଜର ପଡ଼ୋଶୀ ସହିତ ଭଲ ସମ୍ପର୍କ ରଖିବା ଓ ଶାନ୍ତି ପ୍ରତିଷ୍ଠା ପାଇଁ ବରାବର ଉଦ୍ୟମ କରିବା ଏକ କାର୍ଯ୍ୟକ୍ରମରେ ପରିଣତ ହେବା ଉଚିତ୍। ପହେଲ୍ଗାମ୍ ସଂକ୍ରାନ୍ତୀୟ ଘଟଣାରୁ ଭାରତକୁ ଅନେକ ଶିକ୍ଷା ମଧ୍ୟ ମିଳିଛି। କାଶ୍ମୀରକୁ ଏହାର ରାଜ୍ୟ ମାନ୍ୟତା ଯଥାଶୀଘ୍ର ଫେରାଇ ଦିଆଯାଇ ସେଠାରେ ଲୋକମାନଙ୍କର ଧନଜୀବନ ସୁରକ୍ଷା ଦାୟିତ୍ୱ ପ୍ରଦାନ କରି କେନ୍ଦ୍ର ସରକାର ସୀମାନ୍ତରେ ସଠିକ୍ ପହରା ବ୍ୟବସ୍ଥା ସହିତ ଗୋଇନ୍ଦା ବ୍ୟବସ୍ଥାକୁ ଆହୁରି ଦୃଢ଼ କରିପାରିଲେ ପହେଲଗାମ୍ ଭଳି ଘଟଣାର ପୁନରାବୃତ୍ତି ହେବନାହିଁ। ଆମ ଗୋଇନ୍ଦା ବ୍ୟବସ୍ଥାରେ ତ୍ରୁଟିକୁ ସ୍ୱୀକାର କରିବାକୁ ପଡ଼ିବ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ମାଇ ଫ୍ରେଣ୍ଡ୍ ବୋଲି ସମ୍ବୋଧନ କରୁଥିଲେ ମଧ୍ୟ ଅସ୍ତ୍ରବିରତି ଘଟଣାଗୁଡ଼ିକୁ ଡୋନାଲ୍ଟ ଟ୍ରମ୍ପ ଯେପରି ଭାବରେ ଉପସ୍ଥାପିତ କଲେ ଓ ଭାରତକୁ ସବୁ କ୍ଷେତ୍ରରେ ପାକିସ୍ତାନ ସହିତ ଏକ ସମାନ ରାଷ୍ଟ୍ରରେ ପରିଣତ କରି କଥାବାର୍ତ୍ତା କଲେ ତାହା କଦାପି ଗ୍ରହଣୀୟ ନୁହେଁ। ବିଶେଷ ଭାବରେ ଆତଙ୍କବାଦ ସଂକ୍ରାନ୍ତରେ ଡୋନାଲ୍ଡ ଟ୍ରମ୍ପ ପଦଟିଏ ନକହିବା ଫଳରେ ଭାରତର ସକଳ ସିନ୍ଦୂର ଅପରେସନ୍ ବିଶ୍ୱ ଦରବାରରେ କିପରି ମୁଲାୟମ ହେବ ତାହା ଏକ ପ୍ରମୁଖ ପ୍ରସଙ୍ଗ ଭାବରେ ଦେଖାଦେଇଛି।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Cease_Fire_1747138183.jpg)