Advertisment

କାହା ସ୍ୱାର୍ଥରେ ଆସିଛି ଓଡ଼ିଶା ବିଧାନସଭାରେ ଦୁଇ ବିଲ୍‌?

କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ସବୁଦେଶର ସରକାରମାନେ ଏହି କାର୍ଯ୍ୟ ଦିବସକୁ ଆଇନଗତ ମାନ୍ୟତା ଦେଇ ଆସିଛନ୍ତି। କିନ୍ତୁ ଶ୍ରମ ସଂହିତା ଜରିଆରେ ସରକାର କାର୍ଯ୍ୟ ଦିବସକୁ ଆଠ ଘଣ୍ଟାରୁ ଦଶ ଘଣ୍ଟାକୁ ବୃଦ୍ଧି କରି କେବଳ ମାଲିକମାନଙ୍କ ମୁନାଫାକୁ ନିଶ୍ଚିତ କରିନାହାନ୍ତି ବରଂ ଶ୍ରମିକମାନଙ୍କ ଅମାନବୀୟ ଶୋଷଣର ବ୍ୟବସ୍ଥାକୁ ନିଶ୍ଚିତ କରିଛନ୍ତି।

assembly

Odisha Assembly Photograph: (Ingternet)

Advertisment

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଗତ ଡ଼ିସେମ୍ବର ୧ ଓ ୨ ଦୁଇ ଦିନ ମଧ୍ୟରେ ରାଜ୍ୟର ମୋହନ ମାଝୀଙ୍କ ସରକାର ରାଜ୍ୟ ବିଧାନସଭାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପିତ କରିଛନ୍ତି। ଓଡ଼ିଶା ସରକାର ଜଳ (ପ୍ରଦୂଷଣ ଓ ନିବାରଣ) ସଂଶୋଧନ ଆଇନ - ୨୦୨୪ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଲ୍ -୨୦୨୫ ନାମରେ ଆଗତ ଏହି ଦୁଇଟି ବିଲ୍ ରାଜ୍ୟର ଜନଗଣ ଓ ସେମାନଙ୍କ ଜୀବନ ଜୀବିକାକୁ ବ୍ୟାପକ ଭାବେ ପ୍ରଭାବିତ କରିବାକୁ ଯାଉଥିବା ବେଳେ ତା’କୁ ନେଇ ବିଧାନସଭାରେ ଯେଉଁଭଳି ଚର୍ଚ୍ଚା ଓ ପ୍ରତିକ୍ରୀୟା ଦେଖାଯିବା କଥା, ତାହା ଦେଖାଗଲାନି। ହୁଏତ ରାଜ୍ୟବାସୀ ବିଲ୍ ଦୁଇଟି ବିଷୟରେ ଜାଣିବା ପୂର୍ବରୁ ସରକାର ନିଜର ସଂଖ୍ୟାବଳରେ ତା’କୁ ଗୃହୀତ କରାଇ ଆଇନରେ ପରିଣତ କରାସାରିଥିବେ।

Advertisment

ରାଜ୍ୟ ସରକାର ଦୁଇଟି ଯାକ ବିଲ୍ ଆଣିବା ପଛରେ ଇଜ୍ ଅଫ୍ ଡ଼ୁଇଙ୍ଗ୍ ବିଜିନେସ୍ ବା ‘ବ୍ୟବସାୟ ପାଇଁ ଅନୁକୂଳ ବାତାବରଣ ତିଆରି କରିବା’ ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଆଜିକାଲି ଏହା ଏକ ସ୍ଳୋଗାନରେ ପରିଣତ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଦେଶରେ ବା ରାଜ୍ୟରେ ଦେଶୀ ବିଦେଶୀ କମ୍ପାନୀମାନଙ୍କ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ସୁହାଇଲା ଭଳି ଅନୁକୂଳ ବାତାବରଣ ସୃଷ୍ଟି କରିବା ହେଉଛି ଏହି ସ୍ଳୋଗାନର ଅସଲ ଲକ୍ଷ୍ୟ। ପୂର୍ବରୁ ରାଜ୍ୟକୁ ଆସୁଥିବା ଘରୋଇ କମ୍ପାନୀମାନଙ୍କୁ ସରକାର ସ୍ୱଳ୍ପ ବା ନାମମାତ୍ର ମୂଲ୍ୟରେ ପ୍ରଚୁର ପରିମାଣର ଜମି ପ୍ରଦାନ, ଶସ୍ତାରେ ପାଣି ଓ ବିଦ୍ୟୁତ୍ ଯୋଗାଣ, ଟିକସ ରିହାତି, ସିଙ୍ଗଲ ୱିଣ୍ଡୋ କ୍ଳିଆରାନ୍ସ ଆଦି ଯୋଗାଇ ଆସୁଛନ୍ତି। ଶାସନକୁ ଆସିବାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଖୋଦ୍ ମୁଖ୍ୟମନ୍ତ୍ରୀ ଶିଳ୍ପପତିମାନଙ୍କୁ ଡାକି ସମ୍ମିଳନୀ କରିବା ସହିତ ସେମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ରାଜ୍ୟ ବାହାରକୁ ବାରମ୍ବାର ଯାଇଛନ୍ତି। 

ତେବେ ଉପରୋକ୍ତ ସମସ୍ତ ସୁବିଧା ଦେବା ସତ୍ତ୍ୱେ ରାଜ୍ୟକୁ ଯେତେ ପରିମାଣରେ କମ୍ପାନୀ ଆସି ପୁଞ୍ଜିନିବେଶ କରିବା କଥା, ତାହା ହୋଇପାରୁ ନାହିଁ। ଗତ ଦେଢ଼ ବର୍ଷ ମଧ୍ୟରେ ରାଜ୍ୟକୁ ଯେତେସବୁ ପୁଞ୍ଜିନିବେଶର ପ୍ରତିଶୃତି ଆସିଛି ଅଥବା ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି, ତା’ର ସିଂହଭାଗ କେବଳ ଖଣିଭିତ୍ତିକ ଶିଳ୍ପ ରହିଛି। ଏସବୁ ଖଣିଭିତ୍ତିକ ପୁଞ୍ଜିନିବେଶରେ ହେବାକୁ ଥିବା ଶିଳ୍ପ ଓ ଖଣିଖନନ ଫଳରେ ବହୁତ କମ୍ ରୋଜଗାର ସୃଷ୍ଟି ହେବାକୁ ଥିବା ବେଳେ ପ୍ରଦୂଷଣର ମାତ୍ରା ବହୁତ ଅଧିକ ଅଟେ।

Advertisment

ଏଠାରେ ପ୍ରଶ୍ନ ଉଠେ, ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ଦେଶୀ ବିଦେଶୀ ପୁଞ୍ଜିପତ୍ତିଙ୍କୁ ଆକର୍ଷିତ କରିବା ପାଇଁ ସରକାର ଏତେ ସବୁ ସୁବିଧା କରିବା ପରେ ବି ଇଜ୍ ଅଫ୍ ଡ଼ୁଇଙ୍ଗ୍ ବିଜିନେସ୍ କଥା ଆହୁରି କହୁଛନ୍ତି କାହିଁକି? ଅସଲ କଥା ହେଲା, ସରକାରଙ୍କ ଠାରୁ ସମସ୍ତ ସୁବିଧା ସୁଯୋଗ ପାଇ ବିପୁଳ ଲାଭରେ ଥିବା ଏହି କମ୍ପାନୀମାନେ ଏବେ ସୁପର ମୁନାଫା ପାଇବା ପାଇଁ ସମସ୍ତ ପ୍ରକାର ଉତ୍ତରଦାୟିତ୍ୱରୁ ମୁକ୍ତ ହେବାକୁ ଚାହୁଁଛନ୍ତି। ଶିଳ୍ପ ଜନିତ ପ୍ରଦୂଷଣକୁ ରୋକିବା ପାଇଁ ରହିଥିବା ଆଇନକୁ ଦୁର୍ବଳ କରି ସେମାନେ ଲଗାମଛଡ଼ା ପ୍ରଦୂଷଣ କରି ଖସିଯିବାର ବାଟ ଖୋଜୁଛନ୍ତି। ଏହାଛଡ଼ା ରାଜ୍ୟରେ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଶ୍ରମ ଆଇନକୁ ଦୁର୍ବଳ ଅଥବା ପଙ୍ଗୁ କରି ସେମାନଙ୍କ କଳ କାରଖାନା ଓ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମନଇଛା ଶୋଷଣ କରିବାକୁ ଚାହୁଁଛନ୍ତି। 

ରାଜ୍ୟ ସରକାର ଆଣିଥିବା ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ବିଲ୍ - ୨୦୨୫ରେ ଶ୍ରମିକମାନଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ଖର୍ବ କରି ସେମାନଙ୍କୁ ଶକ୍ତିହୀନ ଓ ଅଧିକାରହୀନ କରିବାର ସମସ୍ତ ଚେଷ୍ଟା କରାଯାଇଛି। ଆଇନରେ ସଂଶୋଧନ କରି ଅଧିକରୁ ଅଧିକ ଶ୍ରମିକଙ୍କୁ ଶ୍ରମ ଆଇନର ପରିସର ବାହାରକୁ ନେଇଯାଇଥିବା ବେଳେ ସେମାନଙ୍କ କାମ କରିବାର ଅବଧିକୁ ବୃଦ୍ଧି କରାଯାଇଛି। କହିବାକୁ ଗଲେ ଉପରୋକ୍ତ ଦୁଇଟିଯାକ ବିଲ୍ କର୍ପୋରେଟ୍‌ମାନଙ୍କ ସ୍ୱାର୍ଥରେ ଏବଂ ଶ୍ରମିକ ଓ ସାଧାରଣ ଜନତାଙ୍କର ସ୍ୱାର୍ଥ ବିରୋଧି ଅଟେ।    

ରାଜ୍ୟ ସରକାର ଗତ ଡିସେମ୍ବର ପହିଲାରେ ଆଗତ କରିଥିବା ପ୍ରଥମ ବିଲଟି ହେଉଛି ଓଡ଼ିଶା ସରକାର ଜଳ (ପ୍ରଦୂଷଣ ଓ ନିବାରଣ) ସଂଶୋଧନ ଆଇନ - ୨୦୨୪। ଇଜ୍ ଅଫ୍ ଡ଼ୁଇଙ୍ଗ୍ ବିଜିନେସ୍ ନାଁରେ ଜଳ ଅର୍ଥ ବ୍ୟୟ କରି ନିଜର ବର୍ଜ୍ୟବସ୍ତୁର ପରିଚାଳନା ନକରି ନିକଟସ୍ଥ ପ୍ରାକୃତିକ ଜଳସ୍ରୋତ ଅଥବା ଭୂତଳ ଜଳର ପ୍ରଦୂଷଣ କରୁଥିବା କମ୍ପାନୀମାନଙ୍କୁ ସେମାନଙ୍କ ଅପରାଧ ପାଇଁ ଦଣ୍ଡ ବିଧାନ ନକରି ସୁରକ୍ଷା ଦେବା। 

ଏହି ବିଲ୍ ଆଇନରେ ପରିଣତ ହେଲେ ତା’ର ଉଲଂଘନ କରୁଥିବା କମ୍ପାନୀ କର୍ତ୍ତୃପକ୍ଷ ଓ ସେମାନଙ୍କୁ ସେଥିରେ ସହାୟତା କରୁଥିବା ଅଧିକାରୀମାନଙ୍କ ବିରୁଦ୍ଧରେ ଏଣିକି ଫୌଜଦାରୀ ମାମଲା ଓ ଗିରଫଦାରୀ ନହୋଇ କେବଳ ଜରିମାନା ଆଦାୟ କରାଯିବ। ଏପରିକି ଜରିମାନାର ସର୍ବୋଚ୍ଚ ସୀମାକୁ ୧୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଅର୍ଥାତ ଅପରାଧ ଯେତେ ବଡ଼ ହେଲେ ବି ଦଣ୍ଡ ବା ଜରିମାନାର ପରିମାଣ ସ୍ଥିର ରହିବ। ଏଭଳି ବ୍ୟବସ୍ଥା ଆଗାମୀ ଦିନରେ କମ୍ପାନୀମାନଙ୍କ ଦ୍ୱାରା ଜଳ ଆଇନକୁ ଅଧିକରୁ ଅଧିକ ଉଲଂଘନ କରିବାକୁ ହିଁ ପ୍ରୋତ୍ସାହିତ କରିବ। ଏହି ସଂଶୋଧନରେ କେତେକ ନିର୍ଦ୍ଦଷ୍ଟ ବର୍ଗର ଶିଳ୍ପ କାରଖାନାକୁ ସମ୍ମତି ନେବାରୁ ଛାଡ଼ ଦେବା ପାଇଁ କ୍ଷମତା ଦେବାକୁ ତଥା ନିୟାମକ ପ୍ରକ୍ରିୟାକୁ ସରଳ କରିବାକୁ ଏବଂ ଅନାବଶ୍ୟକ ବୋଝ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କୁ କ୍ଷମତା ପ୍ରଦାନ କରୁଛି। ଏହା ସଂଘୀୟ ବିଚାରର ଉଲଂଘନ ଅଟେ ଏବଂ ରାଜ୍ୟର କ୍ଷମତାକୁ ହ୍ରାସ କରିବା ସହ ବଡ଼ ବଡ଼ କମ୍ପାନୀମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାରଙ୍କୁ ଏକଚାଟିଆ କ୍ଷମତା ପ୍ରଦାନ କରୁଛି।

ପୂର୍ବରୁ ଆଇନର ଉଲଂଘନ କ୍ଷେତ୍ରରେ ଅପରାଧର ବିଚାର କରିବାର କ୍ଷମତାଟି କୋର୍ଟର ରହିଥିବା ବେଳେ ବର୍ତ୍ତମାନ ସରକାର ପ୍ରକ୍ରିୟାକୁ ଅଧିକ ତ୍ୱରିତ୍ କରିବା ନାଁରେ କୋର୍ଟର ଭୂମିକାକୁ ହିଁ ସମାପ୍ତ କରିଦେଇଛନ୍ତି। ଏଭଳି ମାମଲାର ବିଚାର ଏଣିକି ସରକାରଙ୍କ ଦ୍ୱାରା ନିଯୁକ୍ତ ଆଡଜୁଡିକେଟିଂ ଅଫିସର କରିବେ। ସମ୍ପୃକ୍ତ ଅଧିକାରୀ ସରକାରଙ୍କର ହିଁ ଜଣେ ସଚିବ ପାହ୍ୟାର ଅଧିକାରୀ ହେବେ। ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ସଂପୃକ୍ତ ଅଧିକାରୀ ଜଣକ କେତେ ନିରପେକ୍ଷ ନ୍ୟାୟ ଦେବେ ଓ କେତେ ଦୂର ରାଜ୍ୟ ସରକାରଙ୍କ ମତ ବିରୁଦ୍ଧରେ ଯିବେ ତାହା ସମସ୍ତେ ଜାଣନ୍ତି।

ଇଜ୍ ଅଫ୍ ଡ଼ୁଇଙ୍ଗ୍ ବିଜିନେସ୍ ନାଁରେ ଓଡ଼ିଶା ସରକାର ବିଧାନସଭାରେ ଗତ ଡିସେମ୍ବର ଦୁଇ ତାରିଖରେ ଆଗତ କରିଥିବା ଦ୍ୱିତୀୟ ବିଲ୍‌ଟି ହେଲା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ (ସଂଶୋଧନ) ବିଲ୍ -୨୦୨୫। ପୂର୍ବରୁ ରହିଥିବା ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଆଇନ - ୧୯୫୬କୁ ସଂଶୋଧନ କରି ସରକାର ଏହାକୁ ଆଣିଛନ୍ତି। ଦେଶୀ ବିଦେଶୀ କମ୍ପାନୀଙ୍କ ସ୍ୱାର୍ଥରେ କେନ୍ଦ୍ର ସରକାର ଗତ ନଭେମ୍ବର ୨୧ ତାରିଖରେ ଯେଉଁ ଚାରୋଟି ଶ୍ରମ ସଂହିତାକୁ ଲାଗୁ କରିବାକୁ ବିଜ୍ଞପ୍ତି ଜାରୀ କରିଛନ୍ତି, ତା’ରି ଆଧାରରେ ହିଁ ଏହି ରାଜ୍ୟର ଏକ ଆଇନକୁ ସଂଶୋଧନ କରି ଏହି ବିଲ୍ ଅଣାଯାଇଛି। ପୂର୍ବ ଆଇନରେ ରହିଥିବା ନିୟମଗୁଡ଼ିକ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କ ପାଇଁ ଲାଗୁ ହେଉଥିବା ବେଳେ ବର୍ତ୍ତମାନ ଆଇନର ଧାରା - ୧ ଓ ଉପଧାରା -୨ରେ ଅଣାଯାଇଥିବା ସଂଶୋଧନ ପ୍ରକାରେ ତାହା କେବଳ ୨୦ ବା ତଦୁର୍ଦ୍ଧ୍ୱ ଶ୍ରମିକ ବା କର୍ମଚାରୀ ନିଯୁକ୍ତ ଥିବା ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଲାଗୁ ହେବ। 

ଏହାର ଅର୍ଥହେଲା, ୨୦ରୁ କମ୍ କର୍ମଚାରୀ ବା ଶ୍ରମିକ ନିୟୋଜିତ ଥିବା ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନର ଶ୍ରମିକ ଓ କର୍ମଚାରୀମାନେ ଏହି ଆଇନରେ ରହିଥିବା ଅଧିକାରରୁ ବଞ୍ଚିତ ହେବେ। ସହରମାନଙ୍କରେ ରହିଥିବା ଛୋଟ ଛୋଟ ମଲ୍‌ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ କାର୍ଯ୍ୟରତ ୨୦ କମ୍ ଶ୍ରମିକ ବା କର୍ମଚାରୀ ପୂର୍ବରୁ ଦିଆଯାଇଥିବା ନିଜର ଶ୍ରମ ଅଧିକାରକୁ ହରାଇବେ। ସରକାର ଏହି ସଂଶୋଧନ ଜରିଆରେ ଦୋକାନ ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନମାନଙ୍କରେ କାର୍ଯ୍ୟ କରୁଥିବା ଏକ ବଡ଼ ଭାଗ ଶ୍ରମିକଙ୍କୁ ଆଗରୁ ମିଳୁଥିବା ଅଧିକାରରୁ ବଂଚିତ କରିବେ। ୨୦ରୁ କମ୍ ଶ୍ରମିକ କାର୍ଯ୍ୟ କରୁଥିବା ବ୍ୟାବସାୟିକ ପ୍ରତିଷ୍ଠାନର ଶ୍ରମିକ ବା କର୍ମଚାରୀମାନଙ୍କ ଶ୍ରମ ଅଧିକାରର ସୁରକ୍ଷା ନେଇ ଏହି ବିଲ୍ ସମ୍ପୂର୍ଣ୍ଣ ନୀରବ ରହିବା ଏହି ଆଶଙ୍କାକୁ ସତ୍ୟ ପ୍ରମାଣିତ କରୁଛି। 

କେନ୍ଦ୍ର ସରକାରଙ୍କ ପ୍ରଣୀତ ଶ୍ରମ ସଂହିତାରେ ଶ୍ରମିକ ବା କର୍ମଚାରୀଙ୍କ ପାଇଁ ଦୈନିକ ଶ୍ରମ ଦିବସର ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଶ୍ରମିକମାନଙ୍କ ଲମ୍ବା ଲଢ଼େଇର ଫଳସ୍ୱରୂପ ଆଠ ଘଣ୍ଟିଆ ଶ୍ରମ ଦିବସ ରହିଥିବା ବେଳେ ଏବେ ଶ୍ରମ ସଂହିତା ଲାଗୁ ହେବା ପୂର୍ବରୁ ଅଧିକାଂଶ ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ୧୦ରୁ ୧୨ ଘଣ୍ଟିଆ ଶ୍ରମ ଦିବସ ଲାଗୁ କରିସାରିଲେଣି। ନିକଟରେ ଓଡ଼ିଶା ସରକାର ମଧ୍ୟ ଆଇନରେ ସଂଶୋଧନ କରି ଦୈନିକ ଶ୍ରମ ଦିବସର ଅବଧିକୁ ବୃଦ୍ଧି କରିଛନ୍ତି। ନିଯୁକ୍ତିଦାତା କାର୍ଯ୍ୟରତ ଶ୍ରମିକମାନଙ୍କୁ ଦୈନିକ ୮ ଘଂଟା ଓ ସର୍ବାଧିକ ୯ ଘଂଟା ଖଟାଇ ପାରିବେ ବୋଲି ଉଲ୍ଲେଖ ଥିବା ବେଳେ ବର୍ତ୍ତମାନର ବିଲ୍‌ରେ ତା’କୁ ୧୦ ଘଂଟାକୁ ବୃଦ୍ଧି କରି ସଂଶୋଧନ କରାଯାଇଛି। ଅର୍ଥାତ୍ ଏହି ଆଇନ କାର୍ଯ୍ୟକାରୀ ହେଲେ ଏସବୁ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ମାଲିକମାନେ ସମାନ ମଜୁରୀ ବା ବେତନରେ ଦୈନିକ ଅତିରିକ୍ତ ୧-୨ ଘଂଟା ଯାଏଁ ଖଟାଇ ପାରିବେ। ଦୈନିକ ୮ ଘଂଟାର କାର୍ଯ୍ୟ ଦିବସକୁ ୧୦ ଘଂଟାକୁ ବୃଦ୍ଧି କରି ସରକାର ଶ୍ରମିକଙ୍କ ନୁହେଁ ବରଂ ମାଲିକ ଶ୍ରେଣୀ ବା ପୁଞ୍ଜିପତିମାନଙ୍କର ହିଁ ହିତ ସାଧନ କରିଛନ୍ତି। 

ପୂର୍ବ ଆଇନରେ ଶ୍ରମକିଙ୍କ ‘ଓଭର ଟାଇମ୍‌’ କରିବା ସମ୍ପର୍କରେ ରହିଥିବା ନିୟମରେ ବି କମ୍ପାନୀଙ୍କୁ ସୁହାଇଲା ଭଳି ପରିବର୍ତ୍ତନ କରାଯାଇଛି। ପୂର୍ବ ଆଇନରେ ଜଣେ ଶ୍ରମିକ ବା କର୍ମଚାରୀ ତିନି ମାସ ମଧ୍ୟରେ ସର୍ବାଧିକ ୫୦ ଘଣ୍ଟ। ଓଭର ଟାଇମ୍ କରିବାକୁ କୁହାଯାଇଥିବା ବେଳେ ବର୍ତ୍ତମାନର ବିଲ୍‌ରେ ସରକାର ତା’ର ସୀମାକୁ ୧୪୪ ଘଂଟାକୁ ବୃଦ୍ଧି କରିଛନ୍ତି। ଏଭଳି ବୃଦ୍ଧି କରିବା ବେଳେ ସରକାର ଏହା ଫଳରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି ଓ କାର୍ଯ୍ୟ ଦକ୍ଷତା ଉପରେ କି ପ୍ରକାର ପ୍ରଭାବ ପଡ଼ିବ ତା’ର ବୋଧହୁଏ ଆକଳନ କରି ନାହାନ୍ତି। କେବଳ କମ୍ପାନୀ ଓ ବ୍ୟାବସାୟିକ ପ୍ରତିଷ୍ଠାନର ସୁପର ମୁନାଫା ପାଇଁ ଚିନ୍ତା କରି ଏଭଳି ସଂଶୋଧନ କରିଛନ୍ତି ବୋଲି କୁହାଯାଇପାରେ। ସେହିପରି ମୂଳ ଅଧିନିୟମର ଧାରା - ୯ ରେ ସଂଶୋଧନ କରି ସରକାର ପୂର୍ବରୁ ଜଣେ ଶ୍ରମିକ ନିରନ୍ତର ୫ ଘଂଟା କାମ କଲା ପରେ ଅଧ ଘଂଟାଏ ବିଶ୍ରାମ ଦେବାକୁ ରହିଥିବା ବେଳେ ବର୍ତ୍ତମାନ ତାକୁ ନିରନ୍ତର ୬ ଘଂଟା କାମ ପରେ ଅଧ ଘଂଟାର ବିଶ୍ରମ ଦେବାକୁ କହିଛନ୍ତି।

ଦୈନିକ ଆଠ ଘଂଟାର ଶ୍ରମ ଦିବସ ଶ୍ରମିକମାନଙ୍କ ଐତିହାସିକ ଲଢ଼େଇର ପ୍ରତିଫଳ ଅଟେ। ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, କାମ କରିବାର ସାମର୍ଥ୍ୟକୁ ଆଧାର କରି ହିଁ ବିଶ୍ୱରେ ଆଠ ଘଣ୍ଟା ଶ୍ରମ, ଆଠଘଣ୍ଟା ବିଶ୍ରମ ଓ ଆଠଘଣ୍ଟା ଅନ୍ୟାନ୍ୟ କାମର ବିଭାଜନ କରାଯାଇଛି। କେବଳ ଭାରତ ନୁହେଁ ବିଶ୍ୱର ପ୍ରାୟ ସବୁଦେଶର ସରକାରମାନେ ଏହି କାର୍ଯ୍ୟ ଦିବସକୁ ଆଇନଗତ ମାନ୍ୟତା ଦେଇ ଆସିଛନ୍ତି। କିନ୍ତୁ ଶ୍ରମ ସଂହିତା ଜରିଆରେ ସରକାର କାର୍ଯ୍ୟ ଦିବସକୁ ଆଠ ଘଣ୍ଟାରୁ ଦଶ ଘଣ୍ଟାକୁ ବୃଦ୍ଧି କରି କେବଳ ମାଲିକମାନଙ୍କ ମୁନାଫାକୁ ନିଶ୍ଚିତ କରିନାହାନ୍ତି ବରଂ ଶ୍ରମିକମାନଙ୍କ ଅମାନବୀୟ ଶୋଷଣର ବ୍ୟବସ୍ଥାକୁ ନିଶ୍ଚିତ କରିଛନ୍ତି। ଶ୍ରମିକମାନଙ୍କ କଷ୍ଟାର୍ଜିତ ଏହି ଅଧିକାରକୁ ଦୁର୍ବଳ କରୁଥିବା ଏହି ପରିବର୍ତ୍ତନଗୁଡ଼ିକ ସେମାନଙ୍କ ବିଶ୍ରାମ, ସ୍ୱାସ୍ଥ୍ୟ, ପରିବାରିକ ଜୀବନ ଓ ସଂଗଠିତ ହେବାର ଅଧିକାର ଉପରେ ଭୟଙ୍କର ପ୍ରଭାବ ପକାଇବା ନିଶ୍ଚିତ। 

ବିଲ୍‌ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ମହିଳାମାନଙ୍କୁ ରାତ୍ରୀକାଳୀନ ଡ଼୍ୟୁଟିରେ ମୁତୟନ ପାଇଁ ଅନୁମତି। ପୂର୍ବରୁ ଥିବା ଆଇନରେ ମହିଳାଙ୍କୁ କାମରେ ରାତିରେ ନିୟୋଜିତ କରିବା ବା ରାତ୍ରୀକାଳୀନ ଡିଉଟି ଦେବାକୁ ନିଷେଧ ରହିଥିବା ବେଳେ ବର୍ତ୍ତମାନର ବିଲ୍‌ରେ ସରକାର ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ ଲିଖିତ ସମ୍ମତି ସହିତ ମହିଳାଙ୍କ ସୁରକ୍ଷା ଏବଂ ମର୍ଯ୍ୟାଦାର ସର୍ତ୍ତାବଳି ନିର୍ଦ୍ଧାରଣ କରି ରାତିରେ କାମରେ ନିଯୁକ୍ତି ଦେଇପାରିବେ ବୋଲି କହିଛନ୍ତି। ଆମ ରାଜ୍ୟରେ ସରକାର ଯେତେବେଳେ ମହିଳାଙ୍କୁ ଦିନରେ ବି ସୁରକ୍ଷା ଦେବାରେ ବିଫଳ ହୋଇଛନ୍ତି, ସେତେବେଳେ ମହିଳା କର୍ମଚାରୀଙ୍କ ସୁରକ୍ଷାର କୌଣସି ଆବଶ୍ୟକୀୟ ବନ୍ଦୋବସ୍ତ ନିଶ୍ଚିତ ନକରି ଏଭଳି ନିର୍ଦ୍ଦେଶ ଦେବା ଦୁର୍ଭାଗ୍ୟଜନକ ଅଟେ। ବିଲ୍‌ରେ ରାତ୍ରୀକାଳୀନ ଡିଉଟିରେ ନିୟୋଜିତ ହେବାକୁ ଥିବା ମହିଳା କର୍ମଚାରୀମାନଙ୍କ ଘରୁ କର୍ମସ୍ଥଳ ପର୍ଯ୍ୟନ୍ତ ସୁରକ୍ଷିତ ନେବା ଆଣିବାର ବ୍ୟବସ୍ଥା, କର୍ମସ୍ଥଳରେ ସୁରକ୍ଷାର ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଅତିରିକ୍ତ ସୁବିଧାକୁ ନିଶ୍ଚିତ ନକରି କେବଳ ଯେଉଁ ଅନୁମତି ଦେଇଛନ୍ତି ତାହା ଆଗାମୀ ଦିନରେ ବିପଜ୍ଜନକ ହେବାର ସମ୍ଭାବନା ରହିଛି।

ଫୋନ- ୯୪୩୭୧୬୬୩୯୧

Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe