Advertisment

କରୋନା ୱାର୍ଡ଼ରେ ଅର୍ଥନୀତି!

ଦେବେନ୍ଦ୍ର ପୃଷ୍ଟି ଏମିତି ତ ଭାରତୀୟ ଅର୍ଥନୀତି ଆଗରୁ ମାନ୍ଦାକ୍ରାନ୍ତ। ଏବେ ପୁଣି କରୋନାକ୍ରାନ୍ତ। କେନ୍ଦ୍ର ଓ ରାଜ୍ୟସରକାର ଗୁଡ଼ିକ କରୋନା ମୁକାବିଲା କରିବାକୁ ଯାଇ ଯେଉଁସବୁ ପଦକ୍ଷେପ ଘୋଷଣା କରିଛନ୍ତି ତାହା ସଫଳ ହୋଇପାରେ ଏବଂ ଭାରତବାସୀ କରୋନା ଭୟରୁ ଉଦ୍ଧାର ପାଇପାରନ୍ତି। ମାତ୍ର, ଏସବୁ ପଦକ୍ଷେପ ଭାରତୀୟ ଅର୍ଥନୀତିକୁ ପୂର୍ବ ମାନ୍ଦାବସ୍ଥାରୁ ଉଦ୍ଧାର କରିବା ପରିବର୍ତ୍ତେ ଅଧିକ ସଂକଟରେ ପକାଇପାରେ। ଏହି ସଂକଟରେ ପଡ଼ି ସାଧାରଣ ଖାଉଟି ବି କ୍ଷତିଗ୍ରସ୍ତ ହୋଇପାରନ୍ତି। ଏହାର ସୂଚନା […]

ଅଦ୍ୟତନ ହୋଇଛି
କରୋନା ୱାର୍ଡ଼ରେ ଅର୍ଥନୀତି!

econome

Advertisment

ଦେବେନ୍ଦ୍ର ପୃଷ୍ଟି

ଏମିତି ତ ଭାରତୀୟ ଅର୍ଥନୀତି ଆଗରୁ ମାନ୍ଦାକ୍ରାନ୍ତ। ଏବେ ପୁଣି କରୋନାକ୍ରାନ୍ତ। କେନ୍ଦ୍ର ଓ ରାଜ୍ୟସରକାର ଗୁଡ଼ିକ କରୋନା ମୁକାବିଲା କରିବାକୁ ଯାଇ ଯେଉଁସବୁ ପଦକ୍ଷେପ ଘୋଷଣା କରିଛନ୍ତି ତାହା ସଫଳ ହୋଇପାରେ ଏବଂ ଭାରତବାସୀ କରୋନା ଭୟରୁ ଉଦ୍ଧାର ପାଇପାରନ୍ତି। ମାତ୍ର, ଏସବୁ ପଦକ୍ଷେପ ଭାରତୀୟ ଅର୍ଥନୀତିକୁ ପୂର୍ବ ମାନ୍ଦାବସ୍ଥାରୁ ଉଦ୍ଧାର କରିବା ପରିବର୍ତ୍ତେ ଅଧିକ ସଂକଟରେ ପକାଇପାରେ। ଏହି ସଂକଟରେ ପଡ଼ି ସାଧାରଣ ଖାଉଟି ବି କ୍ଷତିଗ୍ରସ୍ତ ହୋଇପାରନ୍ତି। ଏହାର ସୂଚନା ଓ ସଂକେତ ମିଳି ସାରିଲାଣି।

Advertisment

କରୋନା ଭୟରେ ଏବେ ସୁଦ୍ଧା ଅନେକ ଆର୍ଥିକ ପ୍ରତିଷ୍ଠାନ ବନ୍ଦ। କିଛି ପ୍ରତିଷ୍ଠାନ ସରକାରଙ୍କ ନିର୍ଦ୍ଦେଶରେ ବନ୍ଦ ହୋଇଛି। ଆଉ କିଛି ପ୍ରତିଷ୍ଠାନ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବନ୍ଦ। ଭାରତର ଅନେକ ରାଜ୍ୟରେ ସିନେମା ହଲ୍‌ ବନ୍ଦ। ସିନେମା ଶୁଟିଂ ବନ୍ଦ। ଥିଏଟର ବନ୍ଦ। ମେଳା ବନ୍ଦ। ଯାତ୍ରା ବନ୍ଦ। ଫଳରେ ମନୋରଂଜନ ଶିଳ୍ପରେ ମାନ୍ଦାବସ୍ଥା। ଉତ୍ପାଦନ ବନ୍ଦ, ଆୟ ବନ୍ଦ। କର୍ମଚାରୀଙ୍କଠାରୁ ଆରମ୍ଭ କରି କଳାକାରଙ୍କ ଯାଏଁ ମନୋରଂଜନ ଶିଳ୍ପ ସହିତ ଜଡ଼ିତ ଅନେକ ପେସାଦାର ଏଥିରେ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ କ୍ରିକେଟ ସିରିଜରୁ ଆରମ୍ଭ କରି ଏବେ ସୁଦ୍ଧା ଅନେକ ଖେଳର ଅନେକ ପ୍ରତିଯୋଗିତା ବନ୍ଦ। ଆଇପିଏଲ ହେବ କି ନାହିଁ ସନ୍ଦେହରେ। ଏଣୁ କ୍ରୀଡ଼ା କ୍ଷେତ୍ରରେ ମାନ୍ଦାବସ୍ଥା। ଖେଳାଳି ପ୍ରଭାବିତ। ଖେଳ ସଂଗଠନ ପ୍ରଭାବିତ। ଖେଳ ପ୍ରତିଯୋଗିତାକୁ ବିଜ୍ଞାପନ ଯୋଗାଉଥିବା ସଂସ୍ଥା ମଧ୍ୟ ପ୍ରଭାବିତ। କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ ବିମାନ ଯାତ୍ରା କମୁଛି। କାମ ଥିଲେ ମଧ୍ୟ ଅଧିକ ଲୋକ ବିମାନ ଯାତ୍ରା କରୁ ନାହାନ୍ତି। ଭାରତୀୟ ରେଳବାଇର ସୂଚନା ଅନୁସାରେ ଏବେ ସୁଦ୍ଧା ଲକ୍ଷାଧିକ ଲୋକ ରେଳ ଟିକଟ ଫେରାଇ ସାରିଲେଣି। ବସ୍‌ ସେବା ବି ପ୍ରଭାବିତ। ମାଲ୍ ପରିବହନ କମୁଛି। ସେହିପରି ସରକାରୀ ନିର୍ଦ୍ଦେଶ ଅନୁସାରେ ଜିମ୍‌ ମଧ୍ୟ ବନ୍ଦ। ମନ୍ଦିର, ମସଜିଦ ଓ ଚର୍ଚ୍ଚ ପରି ଧର୍ମାନୁଷ୍ଠାନ ଉପରେ କଟକଣା। ବାରୁଣୀ ଓ ହରିରାଜପୁର ମେଳଣ ଆଦି ବନ୍ଦ। କେବଳ ଓଡ଼ିଶାରେ ନୁହେଁ, ଅନ୍ୟ ରାଜ୍ୟରେ ମଧ୍ୟ ଅନେକ ଧାର୍ମିକ ଓ ସାଂସ୍କୃତିକ ଅନୁଷ୍ଠାନ ବନ୍ଦ। ବିବାହ ଭୋଜି ନିୟନ୍ତ୍ରିତ। ସାମାଜିକ ଅନୁଷ୍ଠାନ ବନ୍ଦ। ଅନେକ ରାଜ୍ୟର ଅନେକ ଅଞ୍ଚଳରେ ୧୪୪ ଧାରା। ହାଟବଜାରରୁ ଆରମ୍ଭ କରି ରାସ୍ତାଘାଟରେ ଲୋକେ ରୁଣ୍ଡ ହେବା ନିଷିଦ୍ଧ।

Advertisment

କରୋନା ସଂକ୍ରମଣ ପୂର୍ବରୁ ୟେସ୍‌ ବ୍ୟାଙ୍କ୍‌ ଓ ଅନ୍ୟାନ୍ୟ କେଳେଙ୍କାରୀ ଯୋଗୁଁ ପୁଞ୍ଜି ବଜାରରେ ଲକ୍ଷଲକ୍ଷ କୋଟି ଟଙ୍କା ହରାଇ ସାରିଛନ୍ତି ଖୁଚୁରା ନିବେଶକ। କରୋନା ସଂକ୍ରମଣ ପ୍ରତିକାର ବ୍ୟବସ୍ଥା ପରେ ଅଧିକ ପ୍ରଭାବିତ ହୋଇଛି ନିଫ୍ଟି ଓ ବିଏସଇ। ଦୈନିକ କୋଟିକୋଟି ଟଙ୍କା ବୁଡ଼ୁଛି। ଏଥିଯୋଗୁଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗୋଷ୍ଠୀର ଲକ୍ଷାଧିକ କୋଟି ଟଙ୍କାର କ୍ଷତି ହୋଇସାରିଲାଣି। ବିଶ୍ୱବ୍ୟାପୀ ବଡ଼ବଡ଼ ଶିଳ୍ପପତି ଓ ବ୍ୟବସାୟୀ ଇତିମଧ୍ୟରେ ଲକ୍ଷେ କୋଟି ଡଲାରରୁ ଅଧିକ ହରାଇସାରିଲେଣି। ଏବେ ପୁଣି ଭାରତର ଅର୍ଦ୍ଧଶତାଧିକ ଶିଳ୍ପପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି କରୋନା ଭୟ ଯୋଗୁଁ ସେମାନେ ଲକ୍‌ ଡାଉନ୍‌ ବା ତାଲାବନ୍ଦ ଘୋଷଣା କରିବେ। କାରଣ ସେମାନଙ୍କ କମ୍ପାନୀ ଓ କାରଖାନାରେ କାମ କରୁଥିବା ଲୋକମାନଙ୍କର ବି ଜୀବନ ଅଛି ଓ ଜୀବନ ଯିବାର ଆଶଙ୍କା ଅଛି। ଅଫିସ ଓ କାରଖାନାରେ ଏକାଠି କାମ କଲେ କରୋନା ସଂକ୍ରମଣର ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀ ସେମାନଙ୍କ ଗୁହାରୀ ଶୁଣନ୍ତୁ ନଶୁଣନ୍ତୁ, ଅନେକ କମ୍ପାନୀ କର୍ମଚାରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କଟକଣା ଓ ନିୟନ୍ତ୍ରଣ ଜାରି କରିପାରନ୍ତି। ତା’ଫଳରେ ଉତ୍ପାଦନ ଓ ବ୍ୟବସାୟ ବ୍ୟାହତ ହେବା ନିଶ୍ଚିତ।

କରୋନା ଭୟରେ ମଲ୍‌ ବନ୍ଦ। ମାଲ୍‌ ଗୋଦାମ ଅଧା ବନ୍ଦ। ହାଟ ବଜାର ବି ଅଧା ବନ୍ଦ। ସାମାଜିକ ଦୂରତା ବଜାୟ ରଖିବାକୁ ଅନେକ ଲୋକ ଏବେ ଘରେ ଓ ଅଫିସରେ ଆତ୍ମ-ବନ୍ଦୀ। ଫଳରେ ବଜାର କାରବାର ପ୍ରଭାବିତ। ପୁଣି ଅନେକ ଲୋକ ହାଟ ବଜାର ବନ୍ଦ ହେବା ଓ ପରିବହନ ସେବା ପ୍ରଭାବିତ ହେବା ଭୟରେ ଏକାଥରକେ ମାସେ ଦି’ମାସ ପାଇଁ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ବ୍ୟସ୍ତ। ଚାହିଦା ଅନୁସାରେ ଯୋଗାଣ ନାହିଁ। ତେଣୁ ବଜାରରେ ସୃଷ୍ଟି ହୋଇଛି କୃତ୍ରିମ ଦରବୃଦ୍ଧି। ଧନୀ ଓ ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ଏ ଦରବୃଦ୍ଧି ବାଧି ନପାରେ। ମାତ୍ର, ସାଧାରଣ ଖାଉଟି ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।

ଏଭଳି ଅନେକ କ୍ଷେତ୍ରରେ କଟକଣା ଯୋଗୁଁ ଶ୍ରମ ବଜାର ବି ପ୍ରଭାବିତ। ଯେଉଁ ସହରୀ ଶ୍ରମିକମାନେ ପ୍ରତି ଦିନ କାମ ଖୋଜନ୍ତି ସେମାନଙ୍କ ଉପରେ କରୋନା ଦାଉ ଅସହ୍ୟ। ଭୁବନେଶ୍ୱର ପରି ସହରର ଅନେକ ସ୍ଥାନରେ ସକାଳୁ ସକାଳୁ ମଣିଷ ହାଟ ବସେ। ସେଠାରେ ବିଭିନ୍ନ ପ୍ରକାର ଶ୍ରମିକ ଏକାଠି ହୋଇଥାନ୍ତି। ଯାହାର ଯେଉଁ ପ୍ରକାର ଶ୍ରମିକ ଦରକାର ସେପରି ସ୍ଥାନରେ ସହଜରେ ମିଳିଯାନ୍ତି। ସରକାର ଜନ ସମାଗମ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଶ୍ରମିକମାନେ ଗୋଟିଏ ଜାଗାରେ ରୁଣ୍ଡ ହୋଇପାରୁ ନାହାନ୍ତି। ତେଣୁ ସମସ୍ତଙ୍କୁ କାମଧନ୍ଦା ମିଳିବାରେ ସମସ୍ୟା ସୃଷ୍ଟି ହୋଇଛି। ଏହା ବ୍ୟତିତ ନିର୍ମାଣ ଶ୍ରମିକ ଓ ପରିବହନ ଶ୍ରମିକମାନେ ମଧ୍ୟ ସାମୟିକ ହେଲେ ବି ରୋଜଗାର ହରଉଛନ୍ତି।

ଅନ୍ୟପକ୍ଷରେ ସରକାର ମଧ୍ୟ ଚିନ୍ତାରେ। ଫେବୃଆରୀ ମାସରେ ୧.୧୫ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହେବ ବୋଲି ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ। ଆଦାୟ ହୋଇଛି ୧.୦୫ ଲକ୍ଷ କୋଟି। ମାର୍ଚ୍ଚ ମାସ ପାଇଁ ଲକ୍ଷ୍ୟଥିଲା ୧.୨୫ ଲକ୍ଷ କୋଟି। କିନ୍ତୁ ଏବେ ବଜାର ପରିସ୍ଥିତି ଯାହା ସେଥିରେ ସରକାରଙ୍କ ଜିଏସଟି ଆଦାୟ ଲକ୍ଷ୍ୟ ପୂରଣ ନହେବାର ଆଶଙ୍କା ଅଧିକ। ପୂର୍ବରୁ ବିତ୍ତୀୟ ନିଅଣ୍ଟ ଲାଗି ରହିଛି। ସରକାର ପୁଞ୍ଜି ପାଇଁ ବିଭିନ୍ନ ସରକାରୀ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି। ରିଜର୍ଭ ବ୍ୟାଙ୍କର ଜରୁରୀ ଭଣ୍ଡାରରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଉଠା ସରିଛି। ତଥାପି ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଦର ବ୍ୟାରେଲ୍‌ ପିଛା ୩୦ ଡଲାରକୁ ଖସିଥିଲେ ମଧ୍ୟ ସରକାର ତାହାର ଫାଇଦା ଖାଉଟିଙ୍କୁ ନଦେଇ ପେଟ୍ରୋଲ ଓ ଡିଜେଲ ଉପରେ ୩ ଟଙ୍କା ଶୁଳ୍କ ବୃଦ୍ଧି କରିଛନ୍ତି।

ଭାରତ ସରକାର କେତେ ଦିନ କରୋନା ମୁକାବିଲା କରିବେ କିଛି ଠିକଠିକଣା ନାହିଁ। କୁହାଯାଉଛି କରୋନା ମୁକାବିଲା କଟକଣା ୬ ମାସ ଯାଏଁ ବଳବତ୍ତର ରହିପାରେ। ଯଦି ତାହା ହୁଏ ତେବେ ୬ ମାସ ଯାଏଁ ଉତ୍ପାଦନ, ପରିବହନ ଓ ବିପଣନ ପ୍ରଭାବିତ ହେବ। ସେହି ଭିତ୍ତିରେ ବିଭିନ୍ନ ବର୍ଗର ଆୟ କମିବ, କିନ୍ତୁ ବ୍ୟୟ ବଢ଼ିବ। ତାହା ଅନେକ ଲୋକଙ୍କ ବ୍ୟକ୍ତିଗତ ଅର୍ଥନୀତିକୁ ଦୁର୍ବଳ କରିବ। ସରକାରଙ୍କ ଅର୍ଥନୀତି ମଧ୍ୟ ସଂକଟରେ ପଡ଼ିପାରେ। ତେଣୁ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ବର୍ଗର ଲୋକଙ୍କ ଯାଏଁ ସମସ୍ତେ ଏହି ପରିସ୍ଥିତିରେ ସଜାଗ ରହିବା ଅତ୍ୟନ୍ତ ଜରୁରୀ। ଲୋକେ ଓ ସରକାର କରୋନା ମୁକାବିଲା କରିବା ଯେପରି ଜରୁରୀ, ଅର୍ଥନୀତିକୁ ସଜାଡ଼ି ରଖିବା ମଧ୍ୟ ତତୋଧିକ ଜରୁରୀ। ନହେଲେ, ଋଣ ବଢ଼ିପାରେ, ବୋଝ ବଢ଼ିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe