/odisha-reporter/media/post_attachments/uploadimage/library/16_9/16_9_0/IMAGE_1748352026.jpg)
Armed Forces Carrying Bodies Of Dead Naxals
ରବି ଦାସ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଘୋଷଣା କରିଛନ୍ତି ଯେ, ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଭାରତରେ ନକ୍ସଲବାଦୀ ବା ମାଓବାଦୀମାନେ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇଯିବେ। ବାସ୍ତବିକ ସେହି ଲକ୍ଷ୍ୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବଳ ସହିତ ନକ୍ସଲ ଓ ମାଓବାଦୀ କାର୍ଯ୍ୟକଳାପ ଥିବା ରାଜ୍ୟମାନଙ୍କର ପୋଲିସ୍ ବାହିନୀ ମିଳିତ ଭାବରେ କାର୍ଯ୍ୟ କରି ମାଓବାଦୀମାନଙ୍କୁ ହତ୍ୟା କରୁଛନ୍ତି ବା ଏଥିରେ ଭୟଭୀତ ମାଓବାଦୀ ବା ନକ୍ସଲମାନଙ୍କୁ ଆତ୍ମ ସମର୍ପଣ ପାଇଁ ବାଧ୍ୟ କରୁଛନ୍ତି।
ନକ୍ସଲ ଓ ମାଓବାଦୀମାନଙ୍କର ଦେଶର ବିଭିନ୍ନ ଅଂଚଳରେ ଥିବା ସଂଗଠନ ଓ ପ୍ରଭାବ ଧ୍ୱଂସ କରିବା ପାଇଁ ମନମୋହନ ସିଂହଙ୍କର ୟୁପିଏ ସରକାର ସମୟରୁ ଯେଉଁ ରଣକୌଶଳ ଆରମ୍ଭ ହୋଇଥିଲା ଯାହାକୁ ସେତେବେଳେ ଗ୍ରୀନ୍ ହଣ୍ଟ ବୋଲି କୁହାଯାଉଥିଲା ତାହା ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ଅଧିକ ଗତିଶୀଳ ହୋଇଥିଲା। ମନମୋହନ ସିଂହ ନିଜେ କହିଥିଲେ ଯେ, ନକ୍ସଲମାନେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ। ମୋଦୀଙ୍କର ଦ୍ୱିତୀୟ ପାଳିରେ ଅମିତ୍ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ଦିନଠାରୁ ମାଓବାଦୀ ଓ ନକ୍ସଲ ଦମନ ଏକ ମୁଖ୍ୟ ଜାତୀୟ ଲକ୍ଷ୍ୟରେ ପରିଣତ ହୋଇଛି। ସେହି କ୍ରମରେ ମାଓବାଦୀ ଓ ନକ୍ସଲ ଉପଦ୍ରୁତ ଜିଲ୍ଲାଗୁଡ଼ିକ ସଂଖ୍ୟା ଧୀରେ ଧୀରେ କମିଯାଇ ବାସ୍ତବରେ ଦେଖିଲେ କେବଳ ବସ୍ତର ଓ ସେହି ଅଂଚଳକୁ ଲାଗି ରହିଥିବା କେତେକ ପଡ଼ୋଶୀ ଜିଲ୍ଲାରେ ସେମାନଙ୍କ ପ୍ରଭାବ ସଂକୁଚିତ ହୋଇଥିଲା। ଯେଉଁ ବୁଦ୍ଧିଜୀବୀମାନେ ଆଦର୍ଶଗତ କାରଣରୁ ମାଓବାଦୀ ଓ ନକ୍ସଲ୍ମାନଙ୍କୁ ବୌଦ୍ଧିକ ସ୍ତରରେ ସମର୍ଥନ ଯୋଗାଉଥିଲେ ସେମାନଙ୍କୁ ଜବତ କରିବା ପାଇଁ ମୋଦି ସରକାର ଅର୍ବାନ୍ ନକ୍ସଲ ନାମରେ ଶବ୍ଦ ପ୍ରୟୋଗ କରି ସେମାନେ ଦେଶର ଶତ୍ରୁ ବୋଲି କହିଚାଲିଲେ।
ଏହି ମାଓବାଦୀ ଦମନ କାର୍ଯ୍ୟକଳାପରେ ବର୍ଷ ବର୍ଷ ଧରି ଯେଉଁସବୁ ଆଦିବାସୀ ଓ ଅବହେଳିତ ଅଂଚଳରେ କୌଣସି ବିକାଶ କାର୍ଯ୍ୟ ହେଉନଥିଲା ସେଠାରେ ରାସ୍ତା, ପୋଲ ଓ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଗଲା। ଅବଶ୍ୟ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା କିପରି ଭାବରେ ଏହିସବୁ ମାଓବାଦୀ ଓ ନକ୍ସଲ ଉପଦ୍ରୁତ ଅଂଚଳରେ ଥିବା ବିସ୍ତୃତ ଖଣିଜ ସମ୍ପଦର ଉପଯୋଗ ହେବ। ଖଣିଗୁଡ଼ିକ ପାଇଁ ଗୋଟିଏ ପକ୍ଷରେ ଲିଜ୍ ଦେବା ପ୍ରକ୍ରିୟା ସହିତ ମାଓବାଦୀମାନେ ଯେପରି ଖଣି କାର୍ଯ୍ୟରେ ବାଧା ସୃଷ୍ଟି କରିବେ ନାହିଁ ସେଥିପାଇଁ ସେମାନଙ୍କ ଉପରେ ଦମନ ଅଭିଯାନ ତ୍ୱରାନ୍ୱିତ ହେଲା। ମାଓବାଦୀ ଓ ନକ୍ସଲବାଦୀମାନେ ସେହି ପୁରୁଣା ଆଦର୍ଶରେ ବ୍ୟସ୍ତ ରହି ସଶକ୍ତ ଗରିଲା ଯୁଦ୍ଧ ପାଇଁ କେବଳ ପ୍ରସ୍ତୁତି ଚଳାଇଲେ। ସେମାନେ ବୁଝିପାରିଲେ ନାହିଁ ଯେ, ଭାରତୀୟ ପୋଲିସ୍ ଓ ସଶସ୍ତ୍ର ପୋଲିସ୍ ବଳ କେତେଦୂର ଓ କେଉଁ ପରିମାଣରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହିତ ଶକ୍ତିଶାଳୀ ଗୋଇନ୍ଦା ବ୍ୟବସ୍ଥା କରିବା ପାଇଁ ସକ୍ଷମ ହୋଇଛନ୍ତି। ଏହିସବୁ ସଂଗଠନରେ ସ୍ଥାନୀୟ ଆଦିବାସୀମାନଙ୍କର ନେତୃତ୍ୱ ବଦଳରେ ବାହାର ନେତାମାନେ ମୁଖ୍ୟ ଭୂମିକାରେ ରହୁଥିଲେ। ପ୍ରାରମ୍ଭିକ ଅବସ୍ଥାରେ ସେମାନେ ସଫଳ ଭାବେ କେତେକ ଘଟଣାରେ ସଶସ୍ତ୍ର ପୋଲିସ୍ ବାହିନୀର ଯଥେଷ୍ଟ କ୍ଷତି ଘଟାଇଥିଲେ ମଧ୍ୟ ସରକାର ଏହି କ୍ଷତି ପୂରଣ କରିବା ଓ ଅଧିକ ଶକ୍ତିଶାଳୀ କରିବା ଅତି ସହଜ ଥିଲା।
ଅପରପକ୍ଷରେ କ୍ରମାଗତ ଭାବରେ ନକ୍ସଲବାଦୀମାନଙ୍କ ଉପରେ ପୋଲିସ୍ର ଆକ୍ରମଣ ଯୋଗୁ ସାଧାରଣ ଭାବରେ ନକ୍ସଲ ଆନ୍ଦୋଳନ ପ୍ରତି ଆକର୍ଷିତ ହୋଇଥିବା ସାଧାରଣ ଲୋକ ଓ ଆଦିବାସୀମାନେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଲୋଭନୀୟ ଆତ୍ମସମର୍ପଣର ଫାଇଦା ପ୍ରତି ଲୋଭ ସୃଷ୍ଟି କରିପାରିଲେ। ଯେଉଁ ମାଓବାଦୀ ଓ ନକ୍ସଲ ନେତାମାନେ ଭିନ୍ନ ସ୍ତରରେ ଏହି ଗୋଷ୍ଠୀଗୁଡ଼ିକୁ ନେତୃତ୍ୱ ଦେଉଥିଲେ ସେମାନେ ସ୍ଥାନୀୟ ଲୋକ ହୋଇ ନଥିବାରୁ ଅନେକ ଅସୁବିଧା ହେଉଥିଲା। ସରକାରୀ କଳ ଏହାର ଫାଇଦା ନେଲେ। ଛତିଶଗଡ଼ ସରକାର ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ବ୍ୟବହାର କରିବା ପାଇଁ ଯେଉଁ ପନ୍ଥାର ଆଶ୍ରୟ ନେଇଥିଲେ ତାହାକୁ ବେଆଇନ ବୋଲି ଅଦାଲତ ମତ ଦେଇଥିଲେ। କିନ୍ତୁ ଏବେ ଆତ୍ମସମର୍ପଣ କରୁଥିବା ନକ୍ସଲଙ୍କୁ ନେଇ ସ୍ୱତନ୍ତ୍ର ଭାବରେ ଜିଲ୍ଲା ରିଜର୍ଭ ଗାର୍ଡ ସୃଷ୍ଟି କରିଛି। ଏମାନେ ଜିଲ୍ଲା ପୋଲିସ୍ ଅଧୀନରେ ସଶସ୍ତ୍ର ପୋଲିସ୍ ଫୋର୍ସ ଭାବରେ କାମ କରୁଛନ୍ତି। ଏହିମାନେ ହିଁ ମାଓବାଦୀଙ୍କ ସୁପ୍ରିମୋ ବାସବରାଜଙ୍କ ସହିତ ୨୬ ଜଣ ମାଓବାଦୀଙ୍କୁ ହତ୍ୟା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କଲେ। ବାସ୍ତବରେ ବାସବରାଜଙ୍କର ହତ୍ୟା ପରେ ମାଓବାଦୀ ଦୁର୍ଗ ବସ୍ତର ଅଂଚଳରେ ଅତିମାତ୍ରାରେ ଦୁର୍ବଳ ହୋଇଯାଇଛି। ସାରା ଦେଶରେ ଯଦି ଦେଖାଯାଏ ତେବେ ମାଓବାଦୀମାନଙ୍କର ପ୍ରଭାବ ଥିବା ଜିଲ୍ଲା ସଂଖ୍ୟା ଏବେ ୩୮ରେ ସୀମିତ ହୋଇଛି। ଆଦିବାସୀମାନଙ୍କ ଭିତରେ ଶିକ୍ଷାର ପ୍ରସାର ସହିତ ପୋଲିସ୍ ସହ ମୁକାବିଲା କରି ଆଉ ଅସହାୟ ଜୀବନ କଟାଇବା ପାଇଁ ଆଦିବାସୀମାନେ ପୂର୍ବପରି ପ୍ରସ୍ତୁତ ନାହାନ୍ତି। ଯଦିଓ ସେମାନେ ଭଲ ଭାବରେ ଜାଣନ୍ତି ଯେ, ମାଓବାଦୀମାନେ ସେ ଅଂଚଳକୁ ଆସିବା ପୂର୍ବରୁ ୫୦ ବର୍ଷର ସ୍ୱାଧୀନତା ଭିତରେ ସେମାନଙ୍କର ବିକାଶଧାରା ଆଦୌ ନଥିଲା ଓ ସରକାରୀ ଅଧିକାରୀମାନେ ସେମାନଙ୍କୁ ଶୋଷଣ ଓ ଅତ୍ୟାଚାର କରୁଥିଲେ।
ଏହି ପୃଷ୍ଠଭୂମିରେ ମାଓବାଦୀ ବିରୋଧୀ ଅଭିଯାନ ବ୍ୟାପକ ହୋଇ ବହୁ ସଂଖ୍ୟାରେ ନେତା ଓ କ୍ୟାଡର୍ ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିବା ପରେ ସରକାରଙ୍କ ସହିତ ଆଲୋଚନା ଜରିଆରେ ଶାନ୍ତି ପାଇଁ ମାଓବାଦୀମାନେ ରାଜି ଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକମାତ୍ର ସର୍ତ୍ତ ଥିଲା ଯେ, ସେମାନେ ଆତ୍ମସମର୍ପଣ କଲା ପରେ କଥାବାର୍ତ୍ତା ହୋଇପାରିବେ। ଏହି ଅବସ୍ଥାରେ ମାଓ ସଂଗଠନର ସୁପ୍ରିମୋ ଭାବରେ ୨୦୧୭-୧୮ରୁ ଦାୟିତ୍ୱ ନେଇଥିବା ନମ୍ବଲା କେଶବ ରାଓ ଓରଫ୍ ବାସବରାଜ୍ଙ୍କ ସମେତ ପ୍ରାୟ ୨୬ ଜଣ ନକ୍ସଲ ସଶସ୍ତ୍ର ପୋଲିସ ବାହିନୀ ସହିତ ଗୁଳି ବିନିମୟରେ ମୃତ୍ୟୁବରଣ କରିବା ଘଟଣା ମାଓବାଦୀ ଶିବିରରେ ହତାଶ ଭାବ ସୃଷ୍ଟି କରିବା ସହିତ ଆସନ୍ତା ବର୍ଷ ସୁଦ୍ଧା ଦେଶରୁ ମାଓବାଦୀ ଲୋପ କରିବା ପାଇଁ କେନ୍ଦ୍ର ସରକାର କରିଥିବା ଲକ୍ଷ୍ୟ ନିକଟତର ହୋଇଛି ବୋଲି ବିଚାର କରାଯାଉଛି। ପୂର୍ବରୁ ମାଓବାଦୀ ସଂଗଠନର ମୁଖ୍ୟ ଭାବରେ କାମ କରୁଥିବା ଗଣପତି ବାର୍ଦ୍ଧକ୍ୟ ଜନିତ କାରଣରୁ ଅପସରି ଯାଇ ବାସବରାଜ୍ଙ୍କୁ ମାଓବାଦୀ ସଂଗଠନର ମୁଖ୍ୟ ଭାବରେ ଦାୟିତ୍ୱ ଦେଇଥିଲେ। ୭୦ ବର୍ଷ ବୟସ୍କ ବାସବରାଜ୍ଙ୍କ ମୁଣ୍ଡ ଉପରେ ତାଙ୍କୁ ୧୦ କୋଟି ଟଙ୍କାର ପୁରସ୍କାର ରହିଥିଲା।
କୁହାଯାଉଛି ଯେ, ପିପୁଲ୍ସ୍ ୱାର୍ ଗ୍ରୁଫ୍ ଓ ଏମ୍ସିସିର ମିଶ୍ରଣ ଫଳରେ ୨୦୦୪ରେ ଗଠିତ ହୋଇଥିବା ସିପିଆଇ (ମାଓବାଦୀ) ସଂଗଠନର ସେ ମୂଳ ନେତା ଭାବରେ ରହି ଦୀର୍ଘ ୨୦ ବର୍ଷକାଳ ସଂଗଠନକୁ ନେତୃତ୍ୱ ଦେଇଛନ୍ତି। ଇଂଜିନିୟରିଂ ଡିଗ୍ରୀ ହାସଲ କରଥିବା ବାସବରାଜ୍ ମାଓବାଦୀ ସଂଗଠନରେ ପ୍ରଥମରୁ କାମ କରି ଆସିଥିଲେ। ଶ୍ରୀଲଙ୍କାର ଏଲ୍ଟିଟିଇ ସହାୟତାରେ ସେ ସାମରିକ କୌଶଳ ଓ ବିସ୍ପୋରଣ ଘଟାଇବାର ସମସ୍ତ ବିଦ୍ୟା ହାସଲ କରିଥିଲେ। ତାଙ୍କର ତେଲୁଗୁ ଭାଷା ଛଡ଼ା ହିନ୍ଦୀ, ଇଂରାଜୀ ଓ ଆଦିବାସୀ ଗୁଣ୍ଡି ଭାଷାରେ ବେଶ୍ ଦକ୍ଷ ଥିଲେ। ଏପରି କୁହାଯାଉଛି ଯେ, ୨୦୧୦ ମସିହାରେ ୭୫ ସିଆର୍ପିଏଫ୍ ଯବାନଙ୍କୁ ମାରିବା ଓ ୨୦୧୩ରେ ଛତିଶଗଡ଼ର ସିନିୟର୍ କଂଗ୍ରେସ ନେତାମାନଙ୍କୁ ହତ୍ୟା କରିବା ଘଟଣାଗୁଡ଼ିକରେ ସେ ସିଧାସଳଖ ସଂପୃକ୍ତ ଥିଲେ। ଏହିଭଳି ଜଣେ ମାଓବାଦୀ ନେତାଙ୍କର ସଶସ୍ତ୍ର ପୋଲିସ୍ ସହିତ ଗୁଳି ବିନିମୟ ପରେ ମୃତ୍ୟୁହେବା ଘଟଣା ମାଓବାଦୀ ଶିବିରକୁ ଘୋର୍ ଅସୁବିଧାରେ ପକାଇ ଦେଇଛି।
ମନମୋହନ ସିଂହଙ୍କ ସରକାର ସମୟରୁ ଦେଶରେ ମାଓବାଦୀମାନଙ୍କୁ ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ସବୁଠାରୁ ବଡ଼ ବିପଦ ଭାବରେ ବର୍ଣ୍ଣନା କରାଯାଇ ମାଓବାଦୀମାନଙ୍କ କାର୍ଯ୍ୟକଳାପ ଥିବା ଜିଲ୍ଲାଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକରେ କେନ୍ଦ୍ରୀୟ ପୋଲିସ୍ ମୁତୟନ କରାଯାଇ ରାଜ୍ୟ ପୋଲିସ୍ ସହାୟତାରେ ଅପରେସନ୍ ଗ୍ରୀନ୍ ହଣ୍ଟ ଆରମ୍ଭ କରିଥିଲେ। ଗୋଟିଏ ପକ୍ଷରେ ମାଓବାଦୀମାନଙ୍କୁ ବିଭିନ୍ନ ଭାବରେ ଏନ୍କାଉଂଟର ଜରିଆରେ ହତ୍ୟା କରିବା ଓ ମାଓବାଦୀମାନଙ୍କର ପ୍ରଭାବ ଥିବା ଅଂଚଳରେ ଲୋକମାନଙ୍କୁ ବିଭିନ୍ନ ପ୍ରକାର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ସାମିଲ କରିବା ପାଇଁ ଏକାଧିକ୍ରମେ ଯୋଜନା ଚାଲିଥିଲା। ଏହି ପ୍ରକ୍ରିୟାରେ ଭାରତର ବହୁ ଅଂଚଳ ଓ ବିଶେଷ ଭାବରେ ଓଡ଼ିଶା, ଝାଡ଼ଖଣ୍ଡ ଓ ବିହାର ଓ ମହାରାଷ୍ଟ୍ର ପ୍ରଭୃତି ଅଂଚଳରେ ମାଓବିରୋଧୀ ଅଭିଯାନ ଚାଲିଥିଲା। ଯେଉଁ ଅଂଚଳମାନଙ୍କରେ ମାଓବାଦୀମାନେ ସକ୍ରିୟ ଥିଲେ ସେହିସବୁ ଅଂଚଳ ଆଦିବାସୀ ବହୁଳ ଓ ଦେଶର ଗରିବ ଅଂଚଳ ଭାବରେ ପରିଚିତ। ସେହିସବୁ ଅଂଚଳରେ ଏବେ ବି ବିକାଶ କାର୍ଯ୍ୟ ଠିକ୍ ଭାବରେ ପହଂଚିପାରି ନାହିଁ। ବରଂ ସାଧାରଣ ଲୋକଙ୍କ ଉପରେ ବିଭିନ୍ନ ଭାବରେ ସରକାରୀ ସଂଗଠନ ଓ ପୋଲିସ୍ ଅତ୍ୟାଚାର କରନ୍ତି।
ଏହାର ସୁଯୋଗ ନେଇ ମାଓବାଦୀମାନେ ଲୋକମାନଙ୍କର ସ୍ୱର ଓ ସାହସ ସୃଷ୍ଟି କରିବା ପାଇଁ ଯେଉଁସବୁ କାର୍ଯ୍ୟ କରୁଥିଲେ, ସେଥିରେ ପ୍ରଥମ ଅବସ୍ଥାରେ ସେଠିକାର ଜନସାଧାରଣଙ୍କ ସମର୍ଥନ ମାଓବାଦୀମାନଙ୍କ ସହିତ ରହୁଥିଲା। କିନ୍ତୁ ସେହିସବୁ ଅଂଚଳଗୁଡ଼ିକ ଖଣିଜ ସମ୍ପଦ ଦୃଷ୍ଟିରୁ ଦେଶର ଅମୂଲ୍ୟ ଅଂଚଳ ଭାବରେ ପରିଚିତ। ଯେତେବେଳେ ବଡ଼ ବଡ଼ ଖଣି କମ୍ପାନୀମାନେ ଏହିସବୁ ଅଂଚଳରେ ଖଣି ଲିଜ୍ ପାଇଁ ସେମାନଙ୍କର କାର୍ଯ୍ୟକଳାପ ଆରମ୍ଭ କଲେ ସେଥିରେ ସେମାନଙ୍କ ସହିତ ମାଓବାଦୀମାନଙ୍କର ଅନେକ ସ୍ଥାନରେ ମୁକାବିଲା ହେଲା। ଖଣିଜ ସମ୍ପଦର ବିକାଶ ସହିତ ନିରବଚ୍ଛିନ୍ନ ଖଣି ଉତ୍ପାଦନ ପାଇଁ ମାଓବାଦୀମାନଙ୍କୁ ଦମନ କରାଯିବା ଆବଶ୍ୟକ ବୋଲି ସରକାର ଅନୁଭବ କଲେ। ତା’ଛଡ଼ା ମାଓବାଦୀମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକମାନଙ୍କର ଦାବି ହାସଲ ପାଇଁ ଗଣ ଆନ୍ଦୋଳନ ଜରିଆରେ ସଂଗଠିତ ହେବାର ଫର୍ମୁଲାକୁ ଗ୍ରହଣ ନକରି ସଶସ୍ତ୍ର ବିପ୍ଳବ ଜରିଆରେ ପରିବର୍ତ୍ତନ ହେବ ବୋଲି ବିଶ୍ୱାସ କରି କାମ କରିବା ନିଶ୍ଚିତ ଭାବରେ ଏକ ଭୁଲ୍ ପନ୍ଥା ଥିଲା। ଭାରତୀୟ ରାଷ୍ଟ୍ର ଏବେ ସବୁ ଦୃଷ୍ଟିରୁ ସଶସ୍ତ୍ର ପୋଲିସ୍ ବାହିନୀ ଜରିଆରେ ଯେଉଁ ପରିମାଣରେ ଶକ୍ତିଶାଳୀ ତାହା ବିରୋଧରେ ଯେକୌଣସି ସଶକ୍ତ ବିପ୍ଳବ ସଫଳ ହେବାର ସମ୍ଭାବନା ନାହିଁ ବୋଲି ମାଓବାଦୀର ନେତାମାନେ କିପରି ଅନୁମାନ କରିପାରିଲେ ନାହିଁ ତାହା ବୁଝିବା ମୁସ୍କିଲ୍। ଭାରତୀୟ ରାଷ୍ଟ୍ର ଏହାର ସମସ୍ତ ଶକ୍ତି ଖଟାଇ ମାଓବାଦୀମାନଙ୍କୁ ଦମନ କରିବା ଏକ ଜାତୀୟ ଲକ୍ଷ୍ୟ ଭାବରେ ଗ୍ରହଣ କରିନେଲେ।
ଏହି ଅବସ୍ଥାକୁ ଦେଖି ଗତ କେତେବର୍ଷ ଭିତରେ ଅନେକ ମାଓବାଦୀ ପୋଲିସ୍ ଗୁଳିର ଶିକାର ହେଲେ ଓ ଅନେକ ପୋଲିସ୍ ନିକଟରେ ଆତ୍ମସମର୍ପଣ କରି ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁବିଧା ଉପଭୋଗ କଲେ। ଗତ କେତେବର୍ଷ ହେଲା ମାଓବାଦୀମାନଙ୍କର ପ୍ରଭାବଶାଳୀ ଅଂଚଳ ସଂକୁଚିତ ହେବା ସହିତ ସେମାନଙ୍କର କ୍ୟାଡର୍ ସଂଖ୍ୟା ହ୍ରାସ ପାଉଥିବା ଜାଣିବା ପରେ ସେମାନଙ୍କ ପକ୍ଷରୁ ଏକ ଶାନ୍ତି ଆଲୋଚନା ଜରିଆରେ ସମାଧାନ ସୂତ୍ର ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ପୋଲିସ୍ ବା ସରକାର ତାହାକୁ ଗ୍ରହଣ କଲେ ନାହିଁ। ପୋଲିସ୍ ବା ସରକାରଙ୍କର ଗୋଟିଏ ଯୁକ୍ତି ହେଲା ଯେ, ମାଓବାଦୀମାନେ ଅସ୍ତ୍ରଶସ୍ତ୍ର ତ୍ୟାଗକରିବା ପରେ ହିଁ ସେମାନଙ୍କ ସହିତ ଆଲୋଚନା କରାଯିବ। ଯାହା ଜଣାପଡୁଥିଲା ମାଓବାଦୀମାନଙ୍କର ଶେଷ ଦୁର୍ଗ ଭାବରେ ଛତିଶଗଡ଼ର ବସ୍ତରର କେତେକ ଅଂଚଳ ରହିଛି। ଏବେ ବାସବରାଜ୍ଙ୍କୁ ହତ୍ୟା ପରେ ସେହି ଦୁର୍ଗ ଆଉ କାମ କରିପାରିବ ବୋଲି ଭାବିବା ଭୁଲ୍ ହେବ। କିନ୍ତୁ ଲୋକମାନଙ୍କୁ ମାରିବା ପରିବର୍ତ୍ତେ ମାଓବାଦୀମାନଙ୍କୁ ସାମୂହିକ ଭାବରେ ସମ୍ମାନଜନକ ଆତ୍ମସମର୍ପଣ ପାଇଁ ସୁଯୋଗ ଦିଆଯିବା ଉଚିତ୍ ହେବ। ଯେଉଁ ମାଓବାଦୀମାନେ ଏକ ଆଦର୍ଶଗତ ବିଚାରରେ କାମ କରୁଥିଲେ ଓ ନିଜର ବ୍ୟକ୍ତିଗତ ଫାଇଦା ପାଇଁ କାମ କରୁନଥିଲେ, ସେହି ଆଦର୍ଶବାଦୀମାନଙ୍କୁ ଏକ ଉତ୍ତମ ଜୀବନ ପାଇଁ ସୁଯୋଗ ଦେବା ଠିକ୍ ପନ୍ଥା ହେବ। ବଡ଼ ବଡ଼ ନେତାମାନଙ୍କର ମୃତ୍ୟୁ ହେଲାଣି ଦ୍ୱିତୀୟ ବା ତୃତୀୟ ଶ୍ରେଣୀରେ ଥିବା ନେତାମାନେ ନିଜ ଜୀବନ ବଂଚାଇବା ପାଇଁ ବୁଲୁଛନ୍ତି। ଏପରି ଅବସ୍ଥାରେ ଯେଉଁ ପ୍ରାୟ ୧୦୦୦ ମାଓବାଦୀ ସକ୍ରିୟ ଅଛନ୍ତି ସେମାନଙ୍କ ପାଇଁ ଏକ ସାମୂହିକ ଆତ୍ମସମର୍ପଣ ବ୍ୟବସ୍ଥା କରିବା ଦିଗରେ ଏକ ପ୍ରଚେଷ୍ଟା ହେବା ଦରକାର।
ମୋ - ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
