- ମାୟାଧର ନାୟକ
ଭାରତବର୍ଷର ନାଭିକେନ୍ଦ୍ରରେ ଆଜି କମ୍ପନ! ଗଣତନ୍ତ୍ର ଆଜି ରକ୍ତାକ୍ତ! ଯୁଦ୍ଧ, ସାମ୍ପ୍ରଦାୟିକ ଦଙ୍ଗା, ଦୁର୍ନୀତି, ଅନୀତି, ଧର୍ଷଣ, ଗଣହତ୍ୟା ଓ ବିକୃତିର ବର୍ବରତାରେ ଅତି ଦେଶବାସୀଙ୍କ ଦୃଷ୍ଟିକୁ ଅନ୍ୟ ଆଡ଼କୁ ନେଇ ଯିବା ପାଇଁ ଉନ୍ମାଦନା, ଉତ୍ତେଜନା ସୃଷ୍ଟି କରିବା ସଂଗେ ସଂଗେ ଜନଗଣଙ୍କ ଅଧିକାରକୁ ପଣ୍ୟ କରିବା ପାଇଁ କଦର୍ଯ୍ୟ, କୁତ୍ସିତ ଚରିତ୍ର ସଂହାର, ବାକ୍ଚାତୁରୀ, ଉଦ୍ଦଣ୍ଡ ନାଚ, ଗଣମାଧ୍ୟମରେ ନକଲି ଚେହେରା ପ୍ରଦର୍ଶନ ଓ ମିଥ୍ୟା ପ୍ରଚାର କରି ଭୋଟଦାତାମାନଙ୍କ ମଧ୍ୟରେ ବିଭ୍ରାନ୍ତ, ବିଦ୍ୱେଷ ଓ ଦ୍ୱନ୍ଦ ସୃଷ୍ଟି କରାଯାଉଛି। ଅନେକ ବର୍ଷ ହେଲା ଶିଳ୍ପପତି, ରାଜନୈତିକ ନେତା, ଅପରାଧୀ ଓ ପ୍ରଶାସକଙ୍କ ଅଶୁଭ ମୈତ୍ରୀ ଗଢ଼ି ଉଠିଛି। ଯାହା ଫଳରେ ଅଳ୍ପ ସଂଖ୍ୟକ ଲୋକ ଲକ୍ଷପତିରୁ କୋଟିପତି ହେବାରେ ଲାଗିଛନ୍ତି। କୋଟି କୋଟି ମେହେନତି ଜନଗଣ ନାହିଁ ନଥିବା ଅଭାବରେ ହନ୍ତସନ୍ତ ହେଉଛନ୍ତି। କାମ ନାହିଁ, ଖାଦ୍ୟ ନାହିଁ, ଜମିରେ ଜଳ ନାହିଁ ଚାରିଆଡ଼େ ନାହିଁ ନାହିଁର ନକ୍ସା।
ଏବେ ରାଜନୀତି ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇସାରିଛି। ନିର୍ବାଚନରେ ଦେଶବାସୀଙ୍କ ପାଇଁ କୌଣସି ଦଳର ବାସ୍ତବ ଆଭିମୁଖ୍ୟ ନାହିଁ। ଦଳମାନଙ୍କର ଇସ୍ତାହାରରେ ଯାହା ପ୍ରତିଶ୍ରୁତି ଦିଆଯାଇଛି – ସେ ସବୁ କେବଳ ପାଣିର ଗାର।
ଭାରତବର୍ଷର ଜନସାଧାରଣ ଆଜି ଜଳକା ହୋଇ ଚାହିଁ ରହିଛନ୍ତି – ମାରି ନେଉଥିବା ମହାପାତ୍ରମାନେ ବସିଛନ୍ତି କ୍ଷମତାର ମସନଦରେ। ପ୍ରିୟାପ୍ରୀତି ତୋଷଣ ତ ସାଧାରଣ କଥା – ଲାଂଚ, ମିଛ ଦୁର୍ନୀତିକୁ ଆଶ୍ରୟ ଓ ପ୍ରଶ୍ରୟ ଦେଇଚାଲିଥିବା ସାଂପ୍ରତିକ ରାଜନୈତିକ ବ୍ୟବସ୍ଥାରେ ହତ୍ୟା, ଗଣସଂହାର, ସାଂପ୍ରଦାୟିକ ଦଙ୍ଗା ଇତ୍ୟାଦି ପରିଣତ ହୋଇସାରିଲାଣି ଗୋଟିଏ ଗୋଟିଏ ସ୍ୱାଭାବିକ ଚଳଣିରେ।
ଭାରତବର୍ଷର ରାଜନୀତିରେ ଆଜି ସତ୍ୟ ନାହିଁ, ସୌନ୍ଦର୍ଯ୍ୟ ନାହିଁ, ସୌରଭ ନାହିଁ - ନାହିଁ ଆଦର୍ଶ, ନାହିଁ ମୂଲ୍ୟବୋଧ। ସ୍ୱାଧୀନତା ପରବର୍ତ୍ତୀ ପର୍ଯ୍ୟାୟରେ ରାଜନୀତି ହୋଇପଡିଛି ବୈଶ୍ୟ ବୃତ୍ତି। ଯାହା ଥିଲା ଦିନେ ବ୍ରତ, ତାହା ଏବେ ହୋଇପଡିଛି ବୃତ୍ତି! ନେତୃତ୍ୱ କହିଲେ ଆମ ଆଖି ଆଗରେ ଯେଉଁ ବ୍ୟକ୍ତିତ୍ୱର ଝଲକ ଝଟକି ଉଠେ, ଯେଉଁ ଭାବମୂର୍ତ୍ତି ଫୁଟିଉଠେ ସେ ନେତୃତ୍ୱ ଆଜିର ରାଜନୀତିରେ ଖୋଜି ପାଇବା କାଠିକର ପାଠ। ବରଂ ନକଲି ନେତୃତ୍ୱ ନିୟନ୍ତଣାଧୀନ ସାଂପ୍ରତିକ ଭାରତୀୟ ରାଜନୀତି। ଏ ରାଜନୀତି ରକ୍ତପାତର ରାଜନୀତି, ଗୁଣ୍ଡାଗର୍ଦ୍ଦିର ରାଜନୀତି, କଳାଟଙ୍କାର ରାଜନୀତି, ନୀତିନୈତିକତାହୀନ ଶଠ-ଶେଠମାନଙ୍କର ରାଜନୀତି। ଏ ରାଜନୀତି ଜନସାଧାରଣଙ୍କୁ ଭୁଲାଏ, ଭଣ୍ଡାଏ, ଭୂଆଁ ବୁଲାଏ ବରାବର। ଏ ରାଜନୀତି ସ୍ୱବିରୋଧର ରାଜନୀତି – ଯେଉଁଠି ଗରିବକୁ ଭତ୍ତା ନ ମିଳୁ ପଛେ ଧନୀକୁ ମିଳେ ନିଶ୍ଚିତ ନିରାପତ୍ତା-ମୂଲିଆକୁ ମଜୁରି ନ ମିଳୁ ପଛେ ମୁନାଫାଖୋର୍ କଳାବଜାରୀକୁ ମିଳେ ନିରଙ୍କୁଶ ମର୍ଯ୍ୟାଦା! ଭାରତବର୍ଷର ରାଜନୀତି ଆଜି ନକଲି ନେତା ଏବଂ ନିଷ୍ଠୁର ବଣିକବର୍ଗଙ୍କର ଗୋଟାଏ ଅସାଧୁ ମେଣ୍ଟ!
ଭାରତୀୟ ରାଜନୀତିରେ ଏକ ସମାନ୍ତରାଳ ଗଣତାନ୍ତ୍ରିକ ବିରୋଧୀ ଧାରାର ପରୀକ୍ଷା ନିରୀକ୍ଷା ବ୍ୟର୍ଥ ସାବ୍ୟସ୍ତ ହୋଇଆସିଛି ବରାବର। ଏଠି ବହୁ ଦଳ, ବହୁ ଧ୍ୱଜା, ବହୁ ଧ୍ୱନି - ଅଜସ୍ର ଚିହ୍ନ ବା ପ୍ରତୀକ – କିନ୍ତୁ ନିରେଖି ଦେଖିଲେ ପରସ୍ପର ସହିତ ଲଢ଼ାଲଢ଼ି ହେଉଥିବା ଏସବୁ ଦଳର ଚରିତ୍ର ସଂପୂର୍ଣ୍ଣ ସମାନ। ବିଭିନ୍ନ ସାଇନ୍-ବୋର୍ଡ ଝୁଲାଇ ରାଜନୀତିର ଗୋଟାଏ ବିରାଟ ବଜାର ବିଛାଇ ବସିଛନ୍ତି କ୍ଷମତା-ଦଲାଲମାନେ-ସମଗ୍ର ଭାରତବର୍ଷରେ ଚାଲିଛି କିଣାବିକାର ରାଜନୀତି, ଦୋକାନଦାରିର ରାଜନୀତି, ଚାନ୍ଦା ଭେଦାର ରାଜନୀତି, ଗୋଲକ ଧନ୍ଦାର ରାଜନୀତି। ଆଜି ଯିଏ ଶାସକ ଦଳରେ, କାଲି ତାକୁ ଦେଖିବାକୁ ମିଳୁଛି ବିରୋଧୀ ଦଳରେ - ଆଜି ଯିଏ ବିରୋଧୀ ଶିବିରରେ ଥାଇ ବଦ୍ଧମୁଷ୍ଟି ଉତ୍ତୋଳନ କରୁଛି, କାଲି ସିଏ ହାତ ମିଳାଉଛି ଶାସକ ଦଳର କାର୍ପଟଦାରମାନଙ୍କ ସହିତ। ଯେହେତୁ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ, ନିର୍ଦ୍ଧାରିତ ଦର୍ଶନ ବା ଦୃଷ୍ଟିଭଙ୍ଗୀ ନାହିଁ – ସେଇଥିପାଇଁ ଭାରତବର୍ଷର ଗଣତନ୍ତ୍ରରେ ବାରମ୍ବାର ପ୍ରତ୍ୟକ୍ଷ କରିବାକୁ ପଡୁଛି ଏ ପ୍ରହସନର ପର୍ବ! ଦଳବଦଳର ଦୃଷ୍ଟାନ୍ତ ସବୁ ଭାରତୀୟ ରାଜନୀତିରେ ଅତି ମାମୁଲି ଘଟଣା। କାହାକୁ ବିଶ୍ୱାସ କରିବା? କାହା କଥାକୁ ବେଦର ଗାର ଭଳି ଗ୍ରହଣ କରିନେବା? ନା, ଆଜିର ଭାରତୀୟ ମୂଳଦୁଆ ଛିଡ଼ା ହୋଇଛି ଗୋଟାଏ ବିରାଟ ବିଶ୍ୱାସଭଙ୍ଗ ଉପରେ! ରାଜନେତାମାନେ ବିଶ୍ୱାସଘାତକତା କରୁଛନ୍ତି ଜନଗଣଙ୍କ ପ୍ରତି, ରାଜନୈତିକ ଦଳମାନେ ଆଖିଠାର ମାରୁଛନ୍ତି ତମାମ୍ ଦେଶକୁ। ଯିଏ ଯେତେ ବେଶି ଦୁର୍ନୀତି କରି ଧନ ଠୁଳ କଲା, ସିଏ ବୋଲାଇଲା ସେତେବଡ଼ ଛାମୁନେତା - ଯିଏ ଯେତେ ବେଶି ଗୁଣ୍ଡା ପୋଷି ପାରିଲା, ସିଏ ହେଲା ସେତେବଡ଼ କରିତ୍କର୍ମା କାର୍ପଟ୍ଦାର! ଏଇ ହେଉଛି ଆଜିର ହାଲ୍ଚାଲ୍।
ପ୍ରିୟ ବଂଧୁଗଣ, ଆପଣମାନେ ଲକ୍ଷ୍ୟ କରନ୍ତୁ – ଏ ରାଜନୀତି କାହାର? ଏ ନେତାସବୁ କାହାର? ଏ ଶାସନ ଓ ପ୍ରଶାସନ କାହାର? ଆପଣମାନେ ଏ ପ୍ରଶ୍ନ ବାରମ୍ବାର ପଚାରନ୍ତୁ ସେମାନଙ୍କୁ – ଯେଉଁମାନେ କେବଳ ନିର୍ବାଚନ ବେଳେ ଆସି ମୁହଁ ଦେଖାନ୍ତି ଆପଣମାନଙ୍କ ଦୁଆରେ – ବଡ଼ ବଡ଼ କଥା କହନ୍ତି, ଭାଷଣବାଜି କରନ୍ତି, ମିଥ୍ୟା ଶପଥପାଠ କରନ୍ତି ବିନା ସଂକୋଚରେ। ଆମେ କ’ଣ ସେମାନଙ୍କୁ ବରଦାସ୍ତ କରିଚାଲିଥିବା ଏମିତି ସବୁଦିନେ? ନିଜେ ଭୁଖା ରହି ମାନି ନେଉଥିବା ସେମାନଙ୍କ କପଟପାଶାକୁ? ମୁଖା ଖସାଇବା ନାହିଁ ସେମାନଙ୍କ ମୁହଁରୁ?
ଭାରତବର୍ଷ ଆଜି ଜ୍ୱଳନ୍ତ ଜତୁଗୃହ। ସବୁଠି ନିଆଁ ଲାଗିଚି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସ୍ଜିଦରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଆଁ ଗଣ୍ଡାରେ, ସହରରେ – ସବୁଠି! ମଣିଷ ମନରେ ନିଆଁ ଲାଗିଛି - ନିଆଁ ଲାଗିଛି ପ୍ରବଂଚିତ ଜନତାର ସଂଚିତ ସ୍ୱପ୍ନରେ! ଏ ନିଆଁ ଲିଭାଇବ କିଏ?
ଯେଉଁମାନେ ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ଯୋଜନାର ଜାଲ ବୁଣନ୍ତି, ଯେଉଁମାନେ ସୌଖିନ୍ ଡ୍ରଇଂରୁମ୍ର ରେଶମୀ ପର୍ଦ୍ଦା ଅନ୍ତରାଳରେ ଥାଇ ବୌଦ୍ଧିକ ସଂଳାପ ଶୁଣାନ୍ତି, ଯେଉଁମାନେ ମାର୍ବଲ ମହଲର କାଠ-କୋଠରୀରେ ଶୋଇ ହିସାବଫର୍ଦ୍ଦ ପଢ଼ନ୍ତି, ଯେଉଁମାନେ ନିଭୃତ ମନ୍ତ୍ରଣାକକ୍ଷରେ ରାଜନୀତିର ରୂପରେଖ ବଦଳାଇବାର ମସୁଧା କରନ୍ତି – ସେମାନେ ଲିଭାଇବେ ନାହିଁ ଏ ନିଆଁ।
ଏ ନିଆଁ ଲିଭାଇବେ ଆପଣମାନେ। ଜନଜାଗରଣର ଏକ ନୂତନ ଅଧ୍ୟାୟ ଉନ୍ମୋଚିତ ହେଲେ ହିଁ ଭାରତବର୍ଷର ଭାଗ୍ୟ ବଦଳିବ – ଭବିଷ୍ୟତ ବଦଳିବ – ବ୍ୟବସ୍ଥା ବଦଳିବ – ବଦଳିବ ଏ ଉତ୍ତପ୍ତ ଅବସ୍ଥା।
ଆଜି ଭାରତବର୍ଷର ଦିଗନ୍ତରେ ଘନୀଭୂତ ଅନ୍ଧକାର ରାତ୍ରି। ଯେଉଁଠି ଚାହିଁଲେ ବି କେବଳ ଗଦାଗଦା ନୈରାଶ୍ୟ, ଆତଙ୍କର ଅପଚ୍ଛାୟା, ସ୍ୱପ୍ନଭଙ୍ଗର କରୁଣ କ୍ରନ୍ଦନ! ଅସୁସ୍ଥ ରାଜନୀତି, ଦୁଃସ୍ଥ ଅର୍ଥନୀତି ପଙ୍ଗୁ କରିଦେଇଛି ଭାରତୀୟ ସମାଜ ବ୍ୟବସ୍ଥାକୁ। ଆମେ ସୀମାନ୍ତର ଶତ୍ରୁମାନଙ୍କୁ ସାମ୍ନା କରିପାରିଛୁ, ମାତ୍ର ଅନ୍ତରାଳର ଅରାତିମାନଙ୍କୁ ଚିହ୍ନି ବି ପାରିଲୁନାହିଁ ଏଯାବତ୍। ଅସତ୍ ରାଜନେତା ଏବଂ ଅସାଧୁ ପୁଞ୍ଜିପତିମାନଙ୍କର ଅଶୁଭ ମୈତ୍ରୀ ଅଣନିଃଶ୍ୱାସୀ କରିସାରିଛି ଭାରତବର୍ଷକୁ – ଜନପ୍ରତିନିଧି ଭାବରେ ଆମେ ଯେଉଁମାନଙ୍କୁ ପଠାଉଛୁ ପାର୍ଲାମେଂଟକୁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏଇ ପୁଞ୍ଜିପତିମାନଙ୍କର ପୁତ୍ତଳିକା ପାଲଟୁଛନ୍ତି ସେଠି - ପ୍ରତିବାଦର ପରମ୍ପରାରେ ଘୁଣ ଧରୁଛି, ରାଜନୀତି ପାଲଟୁଛି ବଚସ୍କର ଓ ବଶମ୍ବଦମାନଙ୍କର ସୁବିଧାବାଦୀ ରଣନୀତି!
ନଷ୍ଟ ରାଜନୀତି ସହିତ ଆଜି ଅପମିଶ୍ରିତ ହୋଇଚି ଭ୍ରଷ୍ଟ ଧର୍ମୀୟତା। ଧର୍ମର ଛଦ୍ମବେଶରେ ଅଧର୍ମ ଆଜି ସୃଷ୍ଟି କରୁଛି ଏକ ଅରାଜକ ଅବସ୍ଥା। ରାଜନୀତିର ସ୍ୱଧର୍ମକୁ କବଳିତ କରିସାରିଛି ଏ ଅଧର୍ମ। ହଣାକଟା ଚାଲିଛି, ଜଳାପୋଡ଼ା ଚାଲିଛି, ଧର୍ମ ଓ ସାଂପ୍ରଦାୟିକତାର ଯୂପକାଠରେ ବଳିପଡ଼ିଛି ନିରୀହ ମଣିଷ। ଅନ୍ଧଧର୍ମର ଅଗ୍ନିକାଣ୍ଡରେ ଜଳିଯାଉଛି କେତେ କାହାର ପରିବାର। ସବୁଠି ଖାଲି ହା-ହୁତାଶ ଆଉ ହାହାକାର। ସମଗ୍ର ଦେଶ ଯେମିତି ମୁହାଇଁ ଯାଉଛି ଗୋଟାଏ ଅନ୍ଧମୁହାଣି ଆଡ଼କୁ ... ସାଂପ୍ରଦାୟିକ ଫାସିବାଦର ଅତଳ ଆବର୍ତ୍ତ ଗର୍ଭକୁ! ଭାରତବର୍ଷର ସାଧାରଣ ମଣିଷ ଆଜି ଏଇ ଘନୀଭୁତ ଅନ୍ଧକାର ରାତ୍ରିରେ ବିକଳରେ ବାଟ ଅଣ୍ଡାଳୁଛି – ତା’ ପାଇଁ ସାନ୍ତ୍ୱନା ନାହିଁ, ପଥ ନିର୍ଦ୍ଦେଶ ନାହିଁ - ନାହିଁ କେଉଁଠି ବିଶ୍ରାମର ଛୋଟ ଚଟିଘରଟିଏ।
ଆଜି ଥିଲାବାଲା, ନଥିଲାବାଲା ମଧ୍ୟରେ ଲଢ଼େଇ ଥମିଯାଇଛି। ନଥିଲାବାଲା ଲୋକେ ଦାରିଦ୍ର୍ୟ, ନିରକ୍ଷରତା, ଅଜ୍ଞତାର ଅନ୍ଧକାରରେ ଭୁଆଁ ବୁଲି ବିପଦବେଳେ ଭାଗ୍ୟ ଭଗବାନଙ୍କୁ ଗୁହାରି କରୁଛନ୍ତି। ଏହାର ସୁଯୋଗରେ ଦଳେ ଇଶ୍ୱର-ଆଲ୍ଲା, ରାମ-ରହିମ ନାଁରେ ଭୋଟ ବ୍ୟବସାୟ ଆରମ୍ଭ କରିଦେଇଛନ୍ତି।
ହିଟ୍ଲରୀ ଫାସିବାଦ ଅପେକ୍ଷା ବର୍ତମାନର ଏ ସାଂପ୍ରଦାୟିକ ଫାସିବାଦ ଦେଶକୁ ଭୟଙ୍କର ବିପଦ ଆଡ଼କୁ ଟାଣି ନେଉଛି। ସାଂପ୍ରଦାୟିକ ଶକ୍ତିମାନେ ମେଂଟ କରି ଫୁତ୍କାର ଛାଡୁଚନ୍ତି... ସେମାନଙ୍କ ହିଂସାର ହେଂଟାଳରେ ଦେଶର ମାଟି, ପାଣି, ପବନ ଆଜି ଥରହର। ଧର୍ମନିରପେକ୍ଷ ବାମଗଣତାନ୍ତ୍ରିକ ଶକ୍ତିମାନଙ୍କ ମଧ୍ୟରେ ବାସ୍ତବ ମେଂଟ ଗଢ଼ି ଉଠିନି। ଏହି ସାମ୍ମୁଖ୍ୟ ଯେତେ ଶୀଘ୍ର ଗଢ଼ି ନ ଉଠିବ ଏହି ଅଦୃଶ୍ୟ ମହାବିପଦ ଦେଶକୁ ଧ୍ୱଂସ ଆଡ଼କୁ ଟାଣିନେବ। ହୁସିଆର...!
ଯାଜପୁର ରୋଡ଼, ଯାଜପୁର
ମୋ : ୯୮୬୧୦୩୪୧୬୩