ରବି ଦାସ
ନିକଟରେ ଆହ୍ଲାବାଦ ହାଇକୋର୍ଟର ଜଣେ ଜଜ ଶେଖର କୁମାର ଯାଦବ ସମାନ ନାଗରିକ ସଂହିତା ଉପରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏକ ସଭାରେ ଯେପରି ଭାବରେ ଭାରତୀୟ ବ୍ୟବସ୍ଥା ଓ ପରିଚାଳନା ସଂଖ୍ୟାଗରିଷ୍ଠ ଲୋକମାନଙ୍କ ମତ ବା ଆଗ୍ରହ ଅନୁସାରେ ପରିଚାଳିତ ହେବ ବୋଲି କହିଛନ୍ତି ତାହାକୁ ନେଇ ଦେଶରେ ଏକ ଝଡ଼ର ସୂତ୍ରପାତ ହୋଇଛି। ସେ ବ୍ୟକ୍ତିଗତ ଭାବରେ ଯେଉଁ ଧର୍ମର ହୁଅନ୍ତୁ ନା କାହିଁକି ସେ ନ୍ୟାୟପାଳିକାରେ ସମସ୍ତଙ୍କ ପାଇଁ ନ୍ୟାୟ ଦେବା ପାଇଁ ଦାୟିତ୍ୱ ନେଇଛନ୍ତି। ସେ ଭଲ ଭାବରେ ଜାଣନ୍ତି ଯେ, ଦେଶର ଶାସନ ଓ ବିଚାର ବ୍ୟବସ୍ଥା ସମ୍ବିଧାନ ଓ ଆଇନ ଦ୍ୱାରା ପରିଚାଳିତ ହେବ। ସେ ଏକଥା ମଧ୍ୟ ଜାଣନ୍ତି ଯେ, ଭାରତୀୟ ସମ୍ବିଧାନରେ ଯେଉଁ ମୌଳିକ ଅଧିକାରଗୁଡ଼ିକ ପ୍ରଦାନ କରାଯାଇଛି ସେଗୁଡ଼ିକ ନାଗରିକମାନଙ୍କ ଅଧିକାର ଭାବରେ ସ୍ୱୀକୃତ। ଦେଶର କୌଣସି ଆଇନ ଏହି ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ପରି ହେଲେ ସେଥିପାଇଁ କେଉଁ ପ୍ରକ୍ରିୟାର ଆଶ୍ରୟ ନେବାକୁ ପଡ଼ିବ ତାହା ମଧ୍ୟ ଲିପିବଦ୍ଧ ହୋଇଅଛି। ଧର୍ମ, ଜାତି, ଲିଙ୍ଗ, ଭାଷା ଓ ବର୍ଗ ଯାହାହେଉ ନା କାହିଁକି ନାଗରିକଙ୍କୁ ଦିଆଯାଇଥିବା ମୌଳିକ ଅଧିକାର ସମସ୍ତଙ୍କ ପାଇଁ ସମାନ। ଏଥିରେ କୌଣସି ପାତରଅନ୍ତର ହୋଇପାରିବ ନାହିଁ। ଏପରି ଯଦି କୌଣସି ଆଇନ ପ୍ରଣୟନ କରାଯାଏ ତେବେ ସୁପ୍ରିମ କୋର୍ଟ ତାହାକୁ ଅବୈଧ ଘୋଷଣା କରିବେ।
ଭାରତୀୟ ଗଣତନ୍ତ୍ରର ମୌଳିକ ଚରିତ୍ର ହେଲା ଯେ, ଯିଏ ଯେତେ ବଳଶାଳୀ, କ୍ଷମତାଶାଳୀ ପଛେ ସମର୍ଥନ ଭିତ୍ତିକ ବ୍ୟବସ୍ଥାରେ ଦେଶ ପରିଚାଳିତ ହେବ ନାହିଁ। ସଂଖ୍ୟାଗରିଷ୍ଠ ମତରେ ଲୋକପ୍ରତିନିଧି ଓ ଶାସନ ଚାଲିଛି। କିନ୍ତୁ ସେହି ଶାସନ କୌଣସି ଭାବରେ ଯିଏ ଯେତେ ଦୁର୍ବଳ ହେଲେ ମଧ୍ୟ ତାହାର ଅଧିକାରକୁ ଖଣ୍ଡନ କରିପାରିବେ ନାହିଁ। ଏପରି ଉଦ୍ୟମ ହେଲେ ବିଚାରକ ବା ନ୍ୟାୟପାଳିକା ସେହିପରି ଉଦ୍ୟମରୁ ଶାସନକୁ ନିବୃତ୍ତ କରିବ। ଆହ୍ଲାବାଦ ହାଇକୋର୍ଟର ଜଜ ନିଜକୁ ଜଣେ ନାଗରିକ ଭାବରେ ନୁହେଁ, ଜଣେ ହିନ୍ଦୁ ଭାବରେ ବିଚାର କରି ସମାନ ଆଚାର ସଂହିତା ନେଇ ଯେଉଁ ମନ୍ତବ୍ୟଗୁଡ଼ିକ ଦେଇଛନ୍ତି ତାହା ସଂଖ୍ୟାଲଘୁମାନଙ୍କ ଭିତରେ ଆଶଙ୍କା ସୃଷ୍ଟି କରିବ। ସମାନ ଆଚାର ସଂହିତା ପାଇଁ ସମ୍ବିଧାନର ସରକାରୀ ନିତି ନିର୍ଦ୍ଧାରଣ ନିର୍ଦ୍ଦେଶାବଳୀରେ କୁହାଯାଇଛି। କିନ୍ତୁ ଏହି ଆଇନ ଏପର୍ଯ୍ୟନ୍ତ ହୋଇ ନଥିଲେ ମଧ୍ୟ ଯେଉଁ ଧାର୍ମିକ ଚଳଣି ବ୍ୟବସ୍ଥା ସମ୍ବିଧାନର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଥିବା ନ୍ୟାୟପାଳିକା ବିଚାର କରିଛନ୍ତି ସେଗୁଡ଼ିକ ଅବୈଧ ବୋଲି ଘୋଷଣା କରିଛନ୍ତି। ଯେପରି ବହୁ ସଂଖ୍ୟକ ପତ୍ନୀ ବା ତିନିଥର ତଲାକ୍ ଦ୍ୱାରା ଛାଡ଼ପତ୍ର ବ୍ୟବସ୍ଥାକୁ ନ୍ୟାୟପାଳିକା ଅବୈଧ ଘୋଷଣା କଲା ପରେ ପାର୍ଲାମେଣ୍ଟ ଏଥିପାଇଁ ଆଇନ୍ ପ୍ରଣୟନ କରିଛି।
ସମାନ ଆଚାର ସଂହିତା ବିଲ୍ ଆସିଲେ ତାହା ଉପରେ ଆଲୋଚନା ଜରିଆରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ଆଇନରେ ପରିଣତ ହେବ। ଏହା ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ବୌଦ୍ଧ, ଜୈନ୍, ଶିଖ୍ ଓ ସବୁ ବର୍ଗ ପାଇଁ ସମାନ ଭାବରେ ଲାଗୁ ହେବ। ହେଲେ ଏହି ଆଇନରେ କଦାପି ନାଗରିକମାନଙ୍କୁ ଦିଆଯାଇଥିବା କୌଣସି ଅଧିକାର କ୍ଷୁଣ୍ଣ ହେବନାହିଁ। ନିକଟରେ ସାରାଦେଶ ଗତ ମାସରେ ନଭେମ୍ବର ୨୬ରେ ସମ୍ବିଧାନ ଦିବସ ପାଳନ କରିଛି। ଗତ ନିର୍ବାଚନରେ ସମ୍ବିଧାନ ସୁରକ୍ଷା ନେଇ ବହୁ ଆଲୋଚନା ହୋଇଛି। ଦେଶର ଉଭୟ ଶାସକ ଓ ବିରୋଧି ଦଳ ସମ୍ବିଧାନ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି। ତଥାପି ସମ୍ବିଧାନ ପ୍ରତି ବିପଦ ରହିଥିବା କୁହାଯାଉଛି।
ଆନ୍ତର୍ଜାତିକ ମାନବାଧିକାର ଦିବସ ଭାବରେ ଡିସେମ୍ବର ୧୦କୁ ପାଳନ କରାଯିବା ସମୟରେ ଭାରତୀୟ ସମ୍ବିଧାନରେ ମାନବିକ ଅଧିକାର ନେଇ ଯେଉଁସବୁ ବ୍ୟବସ୍ଥା ରହିଛି ଓ ତାହାକୁ ଅଧିକ ସୁରକ୍ଷିତ କରିବା ପାଇଁ ଜାତୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ମାନବାଧିକାର କମିସନମାନ ରହିଛି। ତାହା ସତ୍ୱେ ମାନବାଧିକାର ଉପରେ ବରାବର ବିଭିନ୍ନ ପ୍ରକାର ଆକ୍ରମଣ ଚାଲିଛି। ସେଥିରେ ଜୀବନ ଓ ମୁକ୍ତିର ବିଚାର ସହିତ ଧର୍ମ ବିଷୟରେ ନାଗରିକକୁ ସୁରକ୍ଷା ଦିଆଯାଇଛି।
ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଜରୁରୀକାଳୀନ ପରିସ୍ଥିତିରେ ୪୨ତମ ସଂଶୋଧନ ସମୟରେ ‘ସମାଜବାଦ ଓ ଧର୍ମନିରପେକ୍ଷ’ ଶବ୍ଦ ଯୋଡ଼ା ଯାଇଥିବାରୁ ସେଗୁଡ଼ିକ ବାଦ ଦେବାପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାରେ ଏହି ଦୁଇଟି ଶବ୍ଦ ସମ୍ବିଧାନର ମୌଳିକ ଚରିତ୍ରକୁ ଆଦୌ ନଷ୍ଟ କରୁନଥିବା ସୁପ୍ରିମ କୋର୍ଟ ମତ ଦେଇଛନ୍ତି। ମୁଖବନ୍ଧରେ ସମାଜବାଦ ଶବ୍ଦ ରହିଥିବା ସତ୍ୱେ ଭାରତ ମୁକ୍ତବଜାରର ଅର୍ଥନୀତି ଗ୍ରହଣ କରିବାରେ କୌଣସି ଅସୁବିଧା ହୋଇନାହିଁ। କାରଣ ଭାରତର ସମାଜବାଦ ଆଭିମୁଖ୍ୟର ପରିସୀମା ସମ୍ବିଧାନର ୩୯ ଧାରାରେ ବର୍ଣ୍ଣିତ ହୋଇଛି। ଭାରତର ସମାଜବାଦର ସଜ୍ଞା କମ୍ୟୁନିଷ୍ଟ ସମାଜବାଦ ନୁହେଁ।
କିନ୍ତୁ ଧର୍ମନିରପେକ୍ଷତା ନେଇ ଭାରତର ସମ୍ବିଧାନରେ ମୌଳିକ ଅଧିକାର ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଅତି ସ୍ପଷ୍ଟ ଭାବରେ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଦେଶ ସ୍ୱାଧୀନ ହେବା ସମୟରେ ହୋଇଥିବା ଆନ୍ଦୋଳନ ଭିତରେ ଧର୍ମଭିତ୍ତିରେ ଭାରତ ବିଭାଜନ ଘଟିବା ପରଠାରୁ ଦେଶରେ ସାଂପ୍ରଦାୟିକ ଉତ୍ତେଜନା, ବିଭାଜନ, ଦଙ୍ଗା ଓ ବିବାଦୀୟ ପରିସ୍ଥିତି ଦେଶକୁ ଆଦୌ ଯାଇପାରୁନାହିଁ। ପାକିସ୍ଥାନ ଗଠିତ ହେଲା ପରେ ମଧ୍ୟ ମୋଗଲ ବା ମୁସଲିମ୍ ଶାସନ କାଳରେ ପ୍ରାୟ ୫୦୦ ବର୍ଷ କାଳ ଯାହାସବୁ ଘଟିଥିଲା ବା ଘଟିଥିବା ଏବେ ବର୍ଣ୍ଣନା କରାଯାଉଛି ତାହାକୁ ନେଇ ବରାବର ଉତ୍ତେଜନା ଓ ବିବାଦ ଲାଗିରହିଛି। ଅଯୋଧ୍ୟାରେ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ବିବାଦ ସେହିପରି ଏକ ଘଟଣା। ଏହିସବୁ ଘଟଣାଗୁଡ଼ିକ ଓ ବିବାଦ ସମ୍ପର୍କରେ ଅବଗତ ହୋଇ ୧୯୯୧ରେ ଭାରତର ପାର୍ଲାମେଣ୍ଟ ଏକ ଆଇନ କରି ପୂଜାସ୍ଥଳ ଅଧିନିୟମ ଏପରି ଧ୍ୟାର୍ଯ୍ୟକଲେ ଯେଉଁଥିରେ ୧୯୪୭ ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନ ହେବା ସମୟରେ ଯେଉଁ ଧର୍ମର ଯେଉଁ ପୂଜାସ୍ଥଳ ରହିଥିଲା ସେଗୁଡ଼ିକ ସେହିପରି ଭାବରେ ରଖାଯିବ। ସେଥିରେ କେହି ବ୍ୟତିକ୍ରମ କରିପାରିବେ ନାହିଁ। କେବଳ ଅଯୋଧ୍ୟା ବିବାଦକୁ ଏଥିରୁ ବାଦ ଦିଆଯାଇଥିଲା।
ସୁପ୍ରିମ କୋର୍ଟ ଅଯୋଧ୍ୟା ମାମଲାର ବିଚାର କରି ଦେଶରେ ସାଂପ୍ରଦାୟିକ ଶାନ୍ତି ପ୍ରତିଷ୍ଠା ନିମନ୍ତେ ବିବାଦୀୟ ସ୍ଥାନକୁ ରାମ ଜନ୍ମଭୂମି ବା ହିନ୍ଦୁମାନଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ଏହି ରାୟ ଦେବା ସମୟରେ ୧୯୯୧ର ପୂଜାସ୍ଥଳ ଅଧିନିୟମକୁ ପ୍ରଶଂସା କରିଥିଲେ। ତଥାପି କାଶୀର ଜ୍ଞାନବ୍ୟାପୀ ମସଜିଦ୍ ସଂକ୍ରାନ୍ତରେ ସର୍ଭେ ପାଇଁ ଆଦେଶ ଦିଆଯିବା ଘଟଣାରେ ତକ୍ରାଳୀନ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏକ ପୂଜାସ୍ଥଳର ୧୯୪୭ ଅଗଷ୍ଟ ସ୍ଥିତି ଜାଣିବା ପାଇଁ ସର୍ଭେରେ କିଛି ଅସୁବିଧା ନାହିଁ ବୋଲି ଏକ ମନ୍ତବ୍ୟ ଦେଇଥିବାରୁ ମଥୁରା ଓ ସମ୍ଭଲ ସହିତ ଏବେ ଆଜମେରରେ ବଡ଼ ଧରଣର ମୁକାବିଲା ପରିସ୍ଥିତି ସୃଷ୍ଟି ହୋଇଛି।
ଏବେ ଜ୍ଞାନବ୍ୟାପୀ ମସଜିଦ୍ ସଂକ୍ରାନ୍ତରେ ମୁସଲିମମାନଙ୍କ ପକ୍ଷରୁ ୧୯୯୧ର ପୂଜାସ୍ଥଳ ଅଧିନିୟମ ଅନୁସାରେ ହିନ୍ଦୁମାନଙ୍କ ପକ୍ଷରୁ ହେଉଥିବା ମାମଲାଗୁଡ଼ିକ ଖାରଜ କରିଦେବା ପାଇଁ ଆବେଦନ କରିଥିବା ସମୟରେ ହିନ୍ଦୁମାନଙ୍କ ପକ୍ଷରୁ ୧୯୯୧ ଆଇନର ବୈଧତାକୁ ଚାଲେଞ୍ଜ କରାଯାଇଛି। ୧୯୯୧ ଆଇନ୍ ଅବୈଧ ହେଲେ ଭାରତର ଅନେକ ପୂଜାସ୍ଥଳ ବିବାଦୀୟ ହୋଇଯିବ ଓ ଦେଶରେ ବିଭିନ୍ନ ପ୍ରାନ୍ତରେ ସାଂପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ସୃଷ୍ଟିହେବ। କାରଣ ବହୁ ପ୍ରତିଷ୍ଠିତ ମସଜିଦ୍ ସବୁ ମୋଗଲ ଶାସନ ସମୟରେ ହିନ୍ଦୁମାନଙ୍କ ମନ୍ଦିର ଭାଙ୍ଗି ନିର୍ମାଣ କରାଯାଇଥିବା ଅଭିଯୋଗମାନ ରହିଛି।
ଏହିସବୁ ପରିସ୍ଥିତିକୁ ଉପଲବ୍ଧି କରି ୧୯୯୧ ପୂଜାସ୍ଥଳୀ ଆଇନର ବୈଧତାକୁ ଚାଲେଞ୍ଜ କରୁଥିବା ପିଟିସନ୍ ଗୁଡ଼ିକର ଶୁଣାଣି ପାଇଁ ସୁପ୍ରିମ କୋର୍ଟର ଏକ ସ୍ୱତନ୍ତ୍ର ବେଞ୍ଚ ମୁଖ୍ୟ ବିଚାରପତି ସଞ୍ଜିବ୍ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି। ଡିସେମ୍ବର ୧୨ ତାରିଖରୁ ଏହାର ଶୁଣାଣି ହେବ। ହିନ୍ଦୁମାନଙ୍କର ଯୁକ୍ତି ହେଲା ଯେ, ଆକ୍ରମଣକାରୀମାନେ ହିନ୍ଦୁମାନଙ୍କ ମନ୍ଦିରକୁ ଭାଙ୍ଗି ଏହିସବୁ ସ୍ଥାନରେ ମସଜିଦ୍ ନିର୍ମାଣ କରିଥିବାରୁ ୧୯୯୧ ଆଇନ୍ ଫଳରେ ଏହିସବୁ ବିବାଦୀୟ ସ୍ଥାନକୁ ଆଇନଗତ ମର୍ଯ୍ୟାଦା ଦିଆଯାଉଛି। ହିନ୍ଦୁମାନେ ସେମାନଙ୍କର ପୂଜାସ୍ଥଳ ସୁରକ୍ଷା ପାଇଁ ଆଇନଗତ ଭାବରେ କାର୍ଯ୍ୟକରିବା ସମ୍ଭବ ହେଉନାହିଁ। କିନ୍ତୁ ଏହି ଆଇନକୁ ଅବୈଧ କରିଦିଆଗଲେ ଧର୍ମ ନିରପେକ୍ଷତାର ପୃଷ୍ଠଭୂମି ପୂରାପୂରି ଭାବରେ ନଷ୍ଟ ହୋଇଯିବ।
ସମ୍ଭବତଃ ଏହାକୁ ଲକ୍ଷ୍ୟକରି ଆରଏସଏସ ମୁଖ୍ୟ ମୋହନ ଭାଗବତ କହିଥିଲେ ଯେ, ପ୍ରତି ମସଜିଦ୍ ଭିତରେ ଶିବଲିଙ୍ଗ ଖୋଜିବା ଅଭିଯାନରୁ କ୍ଷାନ୍ତ ହେବା ଉଚିତ୍। କାରଣ ଭାଗବତ ଏକଥା ମଧ୍ୟ ଜାଣନ୍ତି ଯେ, ବୌଦ୍ଧମାନଙ୍କର ଅନେକ ପୂଜାସ୍ଥଳୀକୁ ଭାଙ୍ଗି ମନ୍ଦିର ନିର୍ମାଣ ହୋଇଥିବାର ଇତିହାସ ବି ଅଛି। ସେଥିପାଇଁ ସୁପ୍ରିମ କୋର୍ଟ ଅଯୋଧ୍ୟା ବିବାଦର ଆଲୋଚନା କରୁଥିବା ସମୟରେ କହିଥିଲେ ଯେ, ମୋଗଲ ଶାସନରେ କ’ଣ ସବୁ ଘଟିଥିଲା ତାହା ଉପରେ ଏବେ ଅଦାଲତରେ ଆଲୋଚନା କରିବାର କୌଣସି ଅର୍ଥ ନାହିଁ। ଐତିହାସିକ ଅନ୍ୟାୟକୁ ଅଦାଲତ ମାଧ୍ୟମରେ ଠିକ କରିହେବ ବୋଲି ଭାବିବା ମଧ୍ୟ ଭୁଲ୍। ବରଂ ସମ୍ବିଧାନରେ ଧର୍ମ ନିରପେକ୍ଷତାର ଯେଉଁ ମୂଲ୍ୟବୋଧ ବିଷୟରେ ନିର୍ଦ୍ଦେଶ ରହିଛି ସେହି ଅନୁସାରେ ଅଧିକାଂଶ ଅଦାଲତ ସେମାନଙ୍କର ନିଷ୍ପତ୍ତି ନେବା ଉଚିତ୍। କାରଣ ଧର୍ମ ନିରପେକ୍ଷତା ଭାରତୀୟ ସମ୍ବିଧାନର ଏକ ମୌଳିକ ଢାଞ୍ଚା ବୋଲି ସୁପ୍ରିମ କୋର୍ଟ ମତପ୍ରକାଶ କରି ଆସିଛନ୍ତି।
ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ, ଡିସେମ୍ବର ୧୨ ତାରିଖରୁ ସୁପ୍ରିମ କୋର୍ଟ ୧୯୯୧ ପୂଜାସ୍ଥଳୀ ଅଧିନିୟମ ଉପରେ ଯେଉଁ ଶୁଣାଣି କରିବେ ତାହା ଦେଶର ଧର୍ମ ନିରପେକ୍ଷତା ଆଦର୍ଶ ପ୍ରତି ଏକ ଦିଗ ନିର୍ଣ୍ଣୟ କରିବ। ଯେଉଁ ସମୟରେ ପଡ଼ୋଶୀ ବଙ୍ଗଳାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର କରାଯାଉଥିବା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନେଇ ଜାତୀୟ ସ୍ତରରେ ଭାରତ ସରକାର ବଙ୍ଗଳାଦେଶ ଉପରେ ଚାପ ସୃଷ୍ଟି କରୁଛନ୍ତି ସେହି ସମୟରେ ଭାରତରେ ଧର୍ମ ନିରପେକ୍ଷତାର ଦିଗ କିପରି ନିର୍ଣ୍ଣିତ ହେଉଛି ତାହା ଉପରେ ବହୁତ କିଛି ନିର୍ଭର କରିବ।
ଫୋ- ୯୪୩୭୪୦୦୫୫