ଅର୍ଥନୀତିକୁ ବାଟକୁ ଆଣିବା ଏକା ମୋଦୀଙ୍କ ହାତରେ ନାହିଁ!

ଡ଼ ଷ୍ଟାଲିନ ମିଶ୍ର, ସୂଚନା ପ୍ରଯୁକ୍ତିବିତ, ସିଙ୍ଗାପୁର ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ, ତାଗ୍ଦହେଲେ ଅଛି କାହା ହାତରେ? କଥାଟା ଟିକେ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ। ଖାଲି ମୋଦି ଚାହିଁଲେ ବା ଚେଷ୍ଟା କଲେ ଦେଶର ଅର୍ଥନୀତି ପରିସ୍ଥିତି ବଦଳିଯିବ ଏହା ଭାବିବା ଭୁଲ। ଆସନ୍ତୁ ଜାଣିବା ଏହା ପଛର କାରଣ ଓ ଏହାର ସମ୍ଭାବ୍ୟ ନିରାକରଣ କଗ୍ଦଣ? ଭାରତ ବିଶ୍ୱର ସର୍ବ ବୃହତ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା […]

Modi

Debendra Prusty
  • Published: Wednesday, 08 July 2020
  • , Updated: 08 July 2020, 08:16 PM IST

ଡ଼ ଷ୍ଟାଲିନ ମିଶ୍ର, ସୂଚନା ପ୍ରଯୁକ୍ତିବିତ, ସିଙ୍ଗାପୁର

ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନାହିଁ, ତାଗ୍ଦହେଲେ ଅଛି କାହା ହାତରେ? କଥାଟା ଟିକେ ଅଡୁଆ ଲାଗୁଥିଲେ ବି ନିରାଟ ସତ୍ୟ। ଖାଲି ମୋଦି ଚାହିଁଲେ ବା ଚେଷ୍ଟା କଲେ ଦେଶର ଅର୍ଥନୀତି ପରିସ୍ଥିତି ବଦଳିଯିବ ଏହା ଭାବିବା ଭୁଲ। ଆସନ୍ତୁ ଜାଣିବା ଏହା ପଛର କାରଣ ଓ ଏହାର ସମ୍ଭାବ୍ୟ ନିରାକରଣ କଗ୍ଦଣ?

ଭାରତ ବିଶ୍ୱର ସର୍ବ ବୃହତ ପ୍ରଗତିଶୀଳ ଅର୍ଥନୀତି। ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିବାରୁ ସମଗ୍ର ବିଶ୍ୱ ଅର୍ଥନୀତିକୁ ପ୍ରଭାବିତ କରିବାର କ୍ଷମତା ରଖୁଛି ଆମ ଦେଶ। କିନ୍ତୁ ତଥାପି ଆଜି ଆମ ଦେଶ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱାବଲମ୍ବୀ ହୋଇପାରିନାହିଁ। ସରକାର ଯୋଜନା ପରେ ଯୋଜନା କରି କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ ଲୋକେ ତାଗ୍ଦର ଉପଯୋଗୀତାକୁ ଉପଲବ୍ଧି କରିବାରେ ବିଫଳ ହେଉଛନ୍ତି। ଏଥିରେ ଉଭୟ ସରକାର ଓ ଜନତାଙ୍କ ତ୍ରୁଟି ପରିଲକ୍ଷିତ। ଏହା ନିଶ୍ଚିତ ଯେ ଭାରତରେ ଅଧାରୁ ଅଧିକ ଯୋଜନା ଜନତା ବା ଦେଶବାସୀଙ୍କ ହିତକୁ ଦେଖି ନୁହେଁ ବରଂ ରାଜନୈତିକ ଦୃଷ୍ଟିକୋଣରୁ ଉପଯୋଗୀ ହେବା ଉଦ୍ଦେଶ୍ୟରେ କରାଯାଏ। ଭୋଟ ବ୍ୟାଙ୍କକୁ କିପରି ସୁରକ୍ଷିତ ରଖାଯାଇପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯୋଜନା ପ୍ରସ୍ତୁତ କରାଯାଏ। ଏଥିପାଇଁ ଆମ ଦେଶରେ ଅଧିକ ରୁ ଅଧିକ ଯୋଜନା ସାଧାରଣ ଜନତାଙ୍କ କାମରେ ଲାଗିପାରେ ନାହିଁ। ଯଦି ଯୋଜନା କଲା ବେଳେ ରାଜନୈତିକ ଲାଭ କ୍ଷତିକୁ ବିଚାର ନକରି କେବଳ ଦେଶହିତ ବା ଜନହିତକୁ ଧ୍ୟାନ ଦିଆ ହୁଅନ୍ତା ଜନତା ଉପକୃତ ହେବା ସହିତ ଦେଶର ଅର୍ଥନୀତି ବି ସୁଦୃଢ ହୋଇ ପାରନ୍ତା।

୨୦୧୪ ମଇ ମାସରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି (ବିଜେପି) ନିର୍ବାଚନରେ ​​ବିଜୟ ଲାଭ କରି କ୍ଷମତାକୁ ଆସିଥିଲା। ଜନତାଙ୍କ ଆଶା ଥିଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ଲୋଗାନ "ସର୍ବନିମ୍ନ ସରକାର, ସର୍ବାଧିକ ଶାସନ" ଏବଂ "ଆଛେ ଦିନ୍" ବା ଭଲ ସମୟର ପ୍ରତିଶୃତି କେବଳ ସ୍ଲୋଗାନ ନହୋଇ ବାସ୍ତବଧର୍ମୀ ହେବ। ଆଶା ଥିଲା ଯେ ତାଙ୍କର  ନିର୍ଣ୍ଣାୟକ ଆଦେଶ ଭାରତର ଚିରାଚରିତ ସାମାଜିକ ବିଧି ବ୍ୟବସ୍ଥାରେ ପରିବର୍ତନ ଆଣି ଦୁର୍ନୀତି ଦୂର କରିବାକୁ, ଦୁର୍ବଳ ଅନୁଷ୍ଠାନମାନଙ୍କୁ ମଜବୁତ କରିବାକୁ, ସମାଜକୁ ଅର୍ଥନୈତିକ ସ୍ୱାବଲମ୍ବୀ କରିବାକୁ, ଯୁବସମାଜକୁ ରୋଜଗାରପ୍ରାପ୍ତ କରିବାକୁ ଏବଂ ଭାରତକୁ ଏକ ଉଚ୍ଚ ଅଭିବୃଦ୍ଧି ପଥରେ ସ୍ଥାନିତ କରିବାରେ ସକ୍ଷମ କରିବ। ଜନତାଙ୍କ ଆଶା ନିରର୍ଥକ ବି ନଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ମୋଦିଙ୍କୁ ମୁଖ୍ୟ ଓ ସାମାଜିକ ଗଣମାଧ୍ୟମରେ ଯେଭଳି ଭାବେ ଚିତ୍ରଣ କରାଯାଇଥିଲା ସମସ୍ତଙ୍କୁ ଲାଗୁଥିଲା ଯେପରି ସେ କେବଳ ଜଣେ ନେତା ନୁହନ୍ତି ପରନ୍ତୁ ଭାରତର ତ୍ରାଣକର୍ତ୍ତା, ତାଙ୍କ ପାଖରେ ଭାରତର ସମସ୍ତ ସମସ୍ୟାର ସମାଧାନ ଅଛି। କଂଗ୍ରେସ ଶାସନର ଲଗାତାର ବିଫଳତା, ଦୁର୍ନୀତି, ଆତଙ୍କବାଦ, ନକ୍ସଲବାଦ, ଦେଶ ହିତ ପ୍ରତି ଅସମ୍ବେଦନଶୀଳତାର ବାତାବରଣ ତଥା ନୈରାଶ୍ୟ ଭରା ରାଜନୀତିରେ ଜନତା ଏପରି ବିଚଳିତ ଥିଲେ ଯେ ମୋଦିଙ୍କ ପ୍ରଚାର ପ୍ରସାରର ଦକ୍ଷତା ଆଗରେ ସମ୍ପୂର୍ଣ ସମର୍ପିତ ହୋଇଯିବା ଏକମାତ୍ର ସମ୍ଭାବ୍ୟ ବିକଳ୍ପ ଥିଲା।

ଅବଶ୍ୟ ପ୍ରଧାନମନ୍ତ୍ରୀ ଅର୍ଥନୀତିରେ କିଛି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ସଂସ୍କାର ଆଣିବାରେ ସଫଳ ହୋଇଥିଲେ, ଯେପରିକି 'ନୂତନ ଦେବାଳିଆ ଆଇନ', 'ମୁଦ୍ରା ନୀତି' ଏବଂ 'ଜିଏସ୍‌ଟି'। କିନ୍ତୁ ଏସବୁ ସଂସ୍କାର ଭାରତୀୟ ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ପରିବର୍ତ୍ତେ ହାନୀକାରକ ସିଦ୍ଧ ହୋଇଛି। ଏଥିପାଇଁ ଏହି ତଥାକଥିତ ସଂସ୍କାରଗୁଡିକ ଆଣିବା ପୂର୍ବରୁ ଯଥୋଚିତ ଅନୁସନ୍ଧାନର ଅଭାବ, ଉଲ୍ଲେଖନୀୟ ବ୍ୟତିକ୍ରମ, ଅର୍ଥନୀତିରେ ଅପରିପକ୍ଵ ରାଜତନ୍ତ୍ର, କଷ୍ଟଦାୟକ ପ୍ରଶାସନିକ ବିଧି, ଖରାପ କାର୍ଯ୍ୟକାରିତା ଏବଂ ପର୍ଯ୍ୟାପ୍ତ ନିୟାମକ କ୍ଷମତାର ଅଭାବ ଦାୟୀ ବୋଲି ସହଜରେ ଅନୁମାନ ଲଗାଇ ହେବ। କେବଳ ପ୍ରଚାର ପ୍ରସାର ଉଦେଶ୍ୟରେ ଅଣାଯାଇଥିବା ସଂସ୍କାର ଲୋକାଭିମୁଖୀ ହେବ କିପରି? ଅର୍ଦ୍ଧରାତ୍ର ବିମୁଦ୍ରୀକରଣ ପ୍ରକ୍ରିୟା ଆଉ ଏକ ବୌଦ୍ଧିକ ଅପରିପକ୍ଵତାର ପରିଚୟ। ପୂର୍ବ ପ୍ରସ୍ତୁତି ନକରି ଜନତାଙ୍କୁ ବିକଳ୍ପ ନଦେଇ ଲକ୍ଷ ଲକ୍ଷ ନିରୀହ ଜନତାଙ୍କୁ ରାଜରାସ୍ତାରେ ଧାଡ଼ିରେ ଛିଡ଼ା କରେଇବାର ପ୍ରବନ୍ଧ କରିଥିବା ଆଉ ତାହା ସପକ୍ଷରେ ଯୁକ୍ତି ବାଢ଼ୁଥିବା ମହାନୁଭବମାନେ କହି ପାରିବେ କି ବିମୁଦ୍ରିକରଣରେ ଦେଶକୁ କଗ୍ଦଣ ଲାଭ ହେଲା ନା ବିଦେଶରେ ଗଚ୍ଛିତ କଳାଧନ ଦେଶକୁ ଫେରିଆସିଲା ନା କୌଣସି ଜଣେ ହେଲେ ବି ଦୁର୍ନୀତିଗ୍ରସ୍ତ ନେତା ଧରା ପଡ଼ିଲେ? କେବଳ ନିରୀହ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। କୁଟୀର ଶିଳ୍ପ ଉଜୁଡ଼ିଗଲା, କ୍ଷୁଦ୍ର ଓ ମଧ୍ୟମ ବର୍ଗ ରାସ୍ତାକୁ ଆସିଗଲେ। ବେକାରୀ ସମସ୍ୟା ହୁ ହୁ ହେଇ ବଢି ଚାଲିଲା। ମୋଦି ତାଙ୍କ ନିଜ ରାଜ୍ୟ ଗୁଜରାଟରେ ଅଳ୍ପ କିଛି ଉତ୍ପାଦନକାରୀଙ୍କୁ ଉପକୃତ କରିବା ପାଇଁ ମେଡିକାଲ୍ ଉପକରଣଗୁଡ଼ିକ ଉପରେ ମୂଲ୍ୟ ନିୟନ୍ତ୍ରଣ ଲଗାଇଲେ ଏବଂ ବିଭିନ୍ନ ଉତ୍ପାଦଗୁଡ଼ିକରେ ଆମଦାନୀ ଶୁଳ୍କ ବୃଦ୍ଧି କଲେ, ଯାହା ଦେଶର ବାଣିଜ୍ୟିକ ଉଦାରୀକରଣର ନୀତିକୁ ଓଲଟପାଲଟ କରି ଆମଦାନୀ କ୍ଷେତ୍ରରେ ବିଫଳତା ଆଣିଦେଲା।

୨୦୧୪ରେ ମୋଦୀ ଭାରତୀୟ ଯୁବସମାଜ ପାଇଁ ନିଯୁକ୍ତି କ୍ଷେତ୍ରରେ ଯେଉଁ ସବୁ ପ୍ରତିଶୃତି ଦେଇଥିଲେ ଶାସନର ବହୁବର୍ଷ ପରେ ବି କୌଣସି ସକାରାତ୍ମକ ପରିବର୍ତ୍ତନ ନଦେଖି ତାଙ୍କୁ ଯେବେ ଏବିଷୟରେ ପ୍ରଶ୍ନ କରାହେଲା ସେତେବେଳେ ସେ ତାଙ୍କ ଚିରାଚରିତ ଢଙ୍ଗରେ ଶବ୍ଦଜାଲ ସାହାଯ୍ୟରେ ଜନତାଙ୍କୁ ପକୁଡି ବିକିବାର ପରାମର୍ଶ ଦେବାକୁ ପଛେଇ ନଥିଲେ। ଗୋଟେ ପରେ ଗୋଟେ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ, ତୈଳ ଦର ବୃଦ୍ଧି, ରନ୍ଧନ ଗ୍ୟାସର ଦର ବୃଦ୍ଧି, ବିକାଶ ନାମରେ ନୂଆ ନୂଆ ଟିକସ, ଆୟକର ସ୍ଲାବ କ୍ରମାଗତ ଭାବେ ଅପରିବର୍ତ୍ତିତ ରଖିବା ହେଉ କିମ୍ବା ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ଦରବୃଦ୍ଧି ଜନତାଙ୍କ ଅର୍ଥନୈତିକ ମେରୁଦଣ୍ଡକୁ ଦୁର୍ବଳ କରିଚାଲିଛି। ଯେଉଁ ଦୁର୍ନୀତିମୁକ୍ତ ସମାଜ ପାଇଁ ଜନତା ଦୀର୍ଘ ବର୍ଷର କଂଗ୍ରେସ ଶାସନକୁ ବଦଳେଇ ମୋଦୀଙ୍କୁ ଶାସନ ଗାଦିରେ ବସେଇଥିଲେ କିନ୍ତୁ ସେହି ଜନତା ଦିନକୁ ଦିନ ନିଃସ୍ୱ ଓ ବେରୋଜଗାର ହୋଇଚାଲିଛି। ଲକ୍ଷ୍ୟ କରିବାର କଥା ଯେ ମୋଦୀ ଭାରତୀୟ ଅର୍ଥନୀତିକୁ ୭ ପ୍ରତିଶତ ଅଭିବୃଦ୍ଧି ହାରରୁ ଉପରକୁ ଉଠାଇବାରେ ସଫଳ ହୋଇପାରିନାହାଁନ୍ତି। ମୋଦୀଙ୍କ ଉତ୍ତମ ଶାସନର ସ୍ଲୋଗାନ ଏକ କ୍ରୁର ପରିହାସରେ ପରିଣତ ହୋଇଚାଲିଛି। ଅତୀତରେ ରିଜର୍ଭ ବ୍ୟାଙ୍କ ମୁଖ୍ୟ ରଘୁରାମ ରାଜନ ବା ଉର୍ଜିତ ପଟେଲଙୋକ ଇସ୍ତଫା ପାଇଁ ପରିସ୍ଥିତି ସୃଷ୍ଟି କରାଯିବା ସହ ଅର୍ଥନୈତିକ ପୃଷ୍ଠଭୁମି ନଥିବା ଜଣେ ବିଶ୍ୱସ୍ତ ଅମଲାଙ୍କୁ ଅବସ୍ଥାପିତ କରିବା ଦେଶ ପାଇଁ ସୁଭସଙ୍କେତ ସାବ୍ୟସ୍ତ ହୋଇନାହିଁ। ଛୋଟରୁ ଛୋଟ ଉତ୍ପାଦଟେ ପାଇଁ ଆମେ ବିଦେଶ ଉପରେ ନିର୍ଭରଶୀଳ। "ମେକ ଇନ ଇଣ୍ଡିଆ" କେବଳ ପ୍ରଚାରରେ ସୀମିତ ହୋଇ ରହିଯାଇଛି। ବିଏସଏନଏଲ ହେଉ ଅବା ଦୂରଦର୍ଶନ ବା ଏଆର ଇଣ୍ଡିଆ, ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକ କ୍ରମାଗତ କ୍ଷତି ସହୁଥିବା ବେଳେ ଘରୋଇ ପ୍ରତିଯୋଗୀମାନଙ୍କର ଲାଭ ବହୁଗୁଣିତ ହୋଇଚାଲିଛି। ଏଥିରୁ ସ୍ପଷ୍ଟ ଅନୁମାନ ଲଗାଯାଇପାରିବ ସରକାରଙ୍କ ନୀତି ଦେଶର ଅର୍ଥନୀତିକୁ ବାଟକୁ ଆଣିବାକୁ ସକ୍ଷମ ହୋଇପାରୁନି। ଘରେ ଘରେ ଚୀନ ସାମଗ୍ରୀର ବହୁଳ ପ୍ରୟୋଗ ହେଉଥିବା ବେଳେ ଆମ ସରକାର ନୀରବତା ଅବଲମ୍ବନ କରିଚାଲିଛନ୍ତି। ଖାଲି ଲୋକଙ୍କୁ ଚୀନ ସାମଗ୍ରୀ ବର୍ଜନ କରିବାକୁ କହିଦେଲେ ଦାୟିତ୍ୱ ସରିଗଲା ବୋଲି ଭାବିବା ଭୁଲ। କାରଣ ସରକାରଙ୍କ ପ୍ରତ୍ୟକ୍ଷ ସହଯୋଗ ବିନା ବିଦେଶୀ ସାମଗ୍ରୀ ଦେଶର ବଜାରରେ ଉପଲବ୍ଧ ହେବା ଅସମ୍ଭବ। ଶତପ୍ରତିଶତ ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗର ଯୁଗରେ ଆତ୍ମନିର୍ଭର ହେବା କିପରି? ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣଠାରୁ ସଂସ୍ଥାଟିକୁ ବନ୍ଦ କରିବା ପଦ୍ଧତି ଅଧିକ ଜଟିଳ ହୋଇପଡିଛି। ତେଣୁ ସରକାରଙ୍କୁ ବ୍ୟବସାୟ ପ୍ରତିଷ୍ଠାନ ପଞ୍ଜିକରଣ ଓ ଅନୁପାଳନ ପଦ୍ଧତିର ସରଳୀକରଣ କରିବାକୁ ପଡିବ, ଏହା ଦେଶକୁ ଆତ୍ମନିର୍ଭର ହେବାରେ ସହାୟକ ହେବ।

ଏତ ଗଲା ସରକାରଙ୍କ କଥା। ଖାଲି ସରକାରଙ୍କୁ ଦୋଷ ଦେଲେ କିଛି ଲାଭ ହେବନି। ଏବେ ଆସନ୍ତୁ ଜାଣିବା ସାଧାରଣ ନାଗରିକ ହିସାବରେ ଆମେ କଣ କରିପାରିବା? ସରକାରୀ ଯୋଜନାଗୁଡିକ ଉପରେ ସମ୍ପୂର୍ଣ ନିର୍ଭରଶୀଳ ହୋଇ ବସି ରହିବା କିମ୍ବା ନିଜକୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ନକରିବା ମୂର୍ଖାମୀର ପରିଚୟ ହେବ। ନିଜର ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀର ଘରୋଇ ଉତ୍ପାଦନ ଉପରେ ଧ୍ୟାନ ଦେଲେ ବଜ଼ାର ଉପରେ ନିର୍ଭରତା କମିବ। କୃଷି, କୁଟୀର ଶିଳ୍ପ ଯାହା ଭାରତର ଅର୍ଥନୈତିକ ମେରୁଦଣ୍ଡ ବୋଲି କୁହାଯାଏ ଏବେ ତାହା ଅବହେଳିତ ଅବସ୍ଥାରେ। ଆତ୍ମନିର୍ଭର ହେବା ଅତ୍ୟନ୍ତ ଜରୁରୀ। ସମ୍ପ୍ରତି କରୋନା ମହାମାରୀ ଆମମାନଙ୍କୁ ସ୍ୱଳ୍ପ ସଂସାଧନରେ ବଂଚିବା ଶିଖାଇସାରିଛି। ଅଯଥା ବିଦେଶୀ ସାମଗ୍ରୀର ବ୍ୟବହାର ପରିବର୍ତ୍ତେ ସ୍ୱଦେଶୀ ଜ୍ଞାନକୌଶଳରେ ଅତ୍ୟାବଶ୍ୟକ ଉତ୍ପାଦଗୁଡିକର ଉତ୍ପାଦନ ତଥା ବହୁଳ ବ୍ୟବହାର ଦେଶର ଆର୍ତନୀତିକୁ ଦୃଢ଼ୀଭୂତ କରିବାରେ ସାହାଯ୍ୟ ହେବ। ଯେପରି ଗାଡିମଟରର ବହୁଳ ବ୍ୟବହାର ପରିବର୍ତ୍ତେ ସାଇକଲର ବ୍ୟବହାର ତୈଳ ଦରବୃଦ୍ଧିକୁ ପ୍ରଭାବଶୂନ୍ୟ କରିପାରେ ସେପରି ସ୍ୱଦେଶୀ ଜୀବନଚର୍ଯ୍ୟା ଅଯଥା ବିଦେଶୀ ସାମଗ୍ରୀ ଉପରେ ନିର୍ଭରତାକୁ କମ କରିଦେଇପାରେ। ଗ୍ରାମୀଣ ସ୍ତରରେ କୁଟୀର ଶିଳ୍ପ ତଥା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପମାନ ଗଢ଼ି ଉଠିଲେ ବଜାରରେ ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଚାହିଦା କମିଯିବ। ଯୁବକମାନେ ଆତ୍ମନିର୍ଭର ହେବା ସହ ଦେଶର ପ୍ରଗତିରେ ଭାଗିଦାର ହୋଇପାରିବେ। ତେଣୁ ମୁଁ ଆଉ ଥରେ କହି ରଖିବାକୁ ଚାହେଁ ଦେଶର ଅର୍ଥନୀତିକୁ ବାଟକୁ ଆଣିବା ମୋଦିଙ୍କ ହାତରେ ନୁହେଁ, ଆମମାନଙ୍କ ହାତରେ ଅଛି।

Related story