Advertisment

ଜରୁରୀ ପରିସ୍ଥିତି ପାଇଁ ଭୁଲ ମାଗିଥିଲେ ଇନ୍ଦିରା, କ୍ଷମତାକୁ ବି ଫେରିଥିଲେ

ଇନ୍ଦିରା ଗାନ୍ଧୀ ଏହାପରେ ବାରମ୍ବାର ଜରୁରୀ ପରିସ୍ଥିତି ଭୁଲ୍ ନିଷ୍ପତି ଥିଲା ବୋଲି ସ୍ୱୀକାର କରିଛନ୍ତି। ସେହି ସମୟରେ ଦେଶର ଗଣତାନ୍ତ୍ରିକ ଅଧିକାର ରକ୍ଷା କରିବା ପାଇଁ ଯେଉଁ ସ୍ୱେଚ୍ଛାସେବୀମାନେ କାମ କରିଛନ୍ତି ଓ ଜେଲ୍ ଯାଇଛନ୍ତି ସେମାନେ ସେହି ଦିନକୁ ଭୁଲି ପାରିନାହାନ୍ତି।

author-image
Debendra Prusty
Indira Gandhi Faced Massive Opposition

Indira Gandhi Faced Massive Opposition

ରବି ଦାସ

୧୯୭୫ ମସିହା ଜୁନ୍ ୨୫ ତାରିଖ ମଧ୍ୟରାତ୍ରରେ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ନାଗରିକମାନଙ୍କର ମୌଳିକ ଅଧିକାରକୁ ନିଲମ୍ବନ କରି ପ୍ରାୟ ୨୦ ମାସରୁ ଉର୍ଦ୍ଧ୍ୱ ଯାହାସବୁ ସେତେବେଳର ସରକାର କରିଥିଲେ ତାହାକୁ ଯଥାର୍ଥରେ ଭାରତୀୟ ଗଣତନ୍ତ୍ରର ଏକ କଳା ଅଧ୍ୟାୟ ଭାବରେ ବିଚାର କରାଯାଉଛି। କିନ୍ତୁ ଜରୁରୀ ପରିସ୍ଥିତି ଜାରିର ୫୦ ବର୍ଷ ଅତିକ୍ରାନ୍ତ ହୋଇଥିବା ସମୟରେ ସେହି ଦିବସକୁ ସମ୍ବିଧାନ ହତ୍ୟା ଦିବସ ଭାବରେ ପାଳନ ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇ କଂଗ୍ରେସ ଦଳକୁ ନିନ୍ଦିତ କରିବା ପାଇଁ ପ୍ରଚେଷ୍ଟା ରାହୁଲ ଗାନ୍ଧୀଙ୍କର ସମ୍ବିଧାନ ବଂଚାଓ ଆନ୍ଦୋଳନ ଉପରେ କେତେ ଆଘାତ ସୃଷ୍ଟି କରିବ ତାହା ଏବେ କହିବା ସମ୍ଭବ ନୁହେଁ।

Advertisment

ଏହା କେହି ବି ଅସ୍ୱୀକାର କରିପାରିବେ ନାହିଁ ଯେ, ଜରୁରୀ ପରିସ୍ଥିତି ଘୋଷଣା ଏକ ଭୁଲ୍ ନିଷ୍ପତି ଥିଲା। ବାସ୍ତବରେ କଂଗ୍ରେସ ଦଳ ଓ ଖୋଦ୍ ଇନ୍ଦିରା ଗାନ୍ଧୀ ଏହାକୁ ସ୍ୱୀକାର କରି ଭୁଲ୍ ମାଗିଛନ୍ତି। ସମ୍ଭବତଃ ସେହି କାରଣରୁ ଜରୁରୀ ପରିସ୍ଥିତି ଯୋଗୁ କ୍ଷମତାଚ୍ୟୁତ ହୋଇଥିବା ଇନ୍ଦିରା ଗାନ୍ଧୀଙ୍କୁ ଜନତା ପାର୍ଟି ସରକାର ଠିକ୍ ବ୍ୟବହାର ନକରିବାରୁ ଓ ସରକାର ଠିକ ଭାବେ ପରିଚାଳିତ ନକରିବାରୁ ମାତ୍ର ତିନି ବର୍ଷ ପରେ ଲୋକମାନେ ପୁଣିଥରେ ଇନ୍ଦିରା ଗାନ୍ଧୀଙ୍କୁ କ୍ଷମତା ଅର୍ପଣ କରିଥିଲେ।

ଏହି ଘଟଣାକୁ ବୁଝିବା ପାଇଁ ହେଲେ କେଉଁ ପରିପ୍ରେକ୍ଷୀରେ ଏବଂ କେଉଁ ପରିସ୍ଥିତିରେ ଇନ୍ଦିରା ଗାନ୍ଧୀ ସେତେବେଳେ ସମ୍ବିଧାନରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ପାଇଁ ଥିବା ଜରୁରୀ ପରିସ୍ଥିତି ଅଧ୍ୟାୟକୁ ବ୍ୟବହାର କଲେ, ଫଳରେ ଦେଶବାସୀଙ୍କର ନାଗରିକ ଅଧିକାର କ୍ଷୁର୍ଣ୍ଣ ହୋଇଗଲା ତାହାକୁ ବୁଝିବା ଆବଶ୍ୟକ। ଏହି ଜରୁରୀ ପରିସ୍ଥିତି ଘୋଷଣା ପୂର୍ବରୁ ସେହି ମାସରେ ଜୁନ୍ ୧୨ ତାରିଖ ଦିନ ଆହ୍ଲାବାଦ ହାଇକୋର୍ଟ ଏକ ନିର୍ବାଚନୀ ମାମଲା ରାୟରେ ଇନ୍ଦିରା ଗାନ୍ଧୀଙ୍କର ୧୯୭୧ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟରେ କୁହାଯାଇଥିଲା ଯେ, ଶ୍ରୀମତି ଗାନ୍ଧୀ ଲୋକସଭା ସଦସ୍ୟ ଭାବରେ ଅଯୋଗ୍ୟ ଘୋଷିତ ହେଲେ ଓ ସେ ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ। ହାଇକୋର୍ଟର ଏହି ଆଦେଶ ବଳରେ କେନ୍ଦ୍ର କ୍ଷମତାରେ ଥିବା କଂଗ୍ରେସ ଦଳର ଇନ୍ଦିରା ଗାନ୍ଧୀ ସରକାର ଏକ ଅସମ୍ଭବ ଆହ୍ୱାନର ସମ୍ମୁଖୀନ ହୋଇଥିଲେ।

Advertisment

ଯଦିଓ ଶ୍ରୀମତି ଗାନ୍ଧୀ ହାଇକୋର୍ଟର ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅପିଲ୍ କରି ଏକ ରହିତାଦେଶ ଆଣିଥିଲେ, ତଥାପି ଦେଶର ପ୍ରଧାନମନ୍ତ୍ରୀ ଆସନରେ ଥିବା ଜଣେ ବ୍ୟକ୍ତିଙ୍କର ଲୋକସଭା ନିର୍ବାଚନ ଅସିଦ୍ଧ ହୋଇଯିବା ଘଟଣା ଏକ ସାମାନ୍ୟ କଥା ନଥିଲା। ଯେଉଁ କଂଗ୍ରେସ ଦଳ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲା ସେହି ଦଳର ଜଣେ ମୁଖ୍ୟ ହାଇକୋର୍ଟ ରାୟକୁ ସମ୍ମାନ ଜଣାଇ ସୁପ୍ରିମ୍‌କୋର୍ଟରେ ମାମଲା ଅପିଲ୍ ଅବସ୍ଥାରେ ଥିବା ସମୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଓ ତାଙ୍କ ସ୍ଥାନରେ ପ୍ରଭାବଶାଳୀ କଂଗ୍ରେସ ଦଳ ଜଣେ ନୂଆ ନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବା ବାସ୍ତବ ଗଣତାନ୍ତ୍ରିକ ପରମ୍ପରା ଭାବରେ ଗୃହୀତ ହୋଇଥିଲା। କିନ୍ତୁ ଇନ୍ଦିରା ଗାନ୍ଧୀ ସେତେବେଳେ କଂଗ୍ରେସ ଦଳର ନେତୃତ୍ୱରେ ଏତେ ଶକ୍ତିଶାଳୀ ଥିଲେ ଯେ, କ୍ଷମତାରୁ ଦୂରେଇଯିବାର ଆବଶ୍ୟକତାକୁ ସେ ଅନୁଭବ କଲେ ନାହିଁ।

ଏହି ସମୟ ପୂର୍ବରୁ ପ୍ରଥମେ ଗୁଜୁରାଟ ଓ ପରେ ବିହାରରେ ଆରମ୍ଭ ହୋଇଥିବା ଭ୍ରଷ୍ଟାଚାର ବିରୋଧୀ ଜନ ଆନ୍ଦୋଳନ ଭୟଙ୍କର ରୂପ ନେଇଥିଲା। ଗୁଜୁରାଟରେ ଏହି ଆନ୍ଦୋଳନ ଯୋଗୁ ସେଠାକାର ସରକାର ଇସ୍ତଫା ଦେଇ ସାନି ନିର୍ବାଚନ ହେଲା। ସେ ନିର୍ବାଚନରେ କଂଗ୍ରେସ ଦଳ କ୍ଷମତାକୁ ଫେରିପାରିଲା ନାହିଁ। ବିହାରରେ ଛାତ୍ରମାନଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନର ନେତୃତ୍ୱ ଜୟପ୍ରକାଶ ନାରାୟଣଙ୍କ ହାତରେ ରହିଥିଲା। ଜୟପ୍ରକାଶ ନାରାୟଣ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଣୀ ସମାଜବାଦୀ ନେତା ଓ ସାରାଦେଶରେ ତାଙ୍କର ସାଧୁତା ଓ ସାମାଜିକ କାର୍ଯ୍ୟ ପାଇଁ ପ୍ରବଳ ସମ୍ମାନ ମଧ୍ୟ ରହିଥିଲା। ଗୋଟିଏ ସମୟରେ ଦେଶର ସ୍ୱାଧୀନତାର ପ୍ରାୟ ୫ ବର୍ଷ ପରେ ଖୋଦ୍ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଜୟପ୍ରକାଶ ନାରାୟଣଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗଦେବା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ। କିନ୍ତୁ ଜୟପ୍ରକାଶ ଏହି ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଭୂଦାନ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ। ବିହାରରେ ବ୍ୟାପକ ମରୁଡ଼ି ସମୟରେ ଏକ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇ ଜୟପ୍ରକାଶ ଯଥାସମ୍ଭବ ଲୋକମାନଙ୍କ ନିକଟରେ ରିଲିଫ୍ ପହଂଚାଇବାରେ ଉଦ୍ୟମ କରିଥିଲେ। ତା’ଛଡ଼ା ସମସ୍ତ ଜାତୀୟ ପ୍ରସଙ୍ଗ ଉପରେ ଏପରିକି ଜାମ୍ମୁକାଶ୍ମୀର ଠାରୁ ଆରମ୍ଭ କରି ଦଳବିହୀନ ଗଣତନ୍ତ୍ର କଥା ମଧ୍ୟ ସେ କହୁଥିଲେ। ସାରାଦେଶରେ ଜୟପ୍ରକାଶ ନାରାୟଣଙ୍କର ସାଧାରଣରେ ଯଥେଷ୍ଟ ସମ୍ମାନ ଓ ଶ୍ରଦ୍ଧା ଥିଲା। ତେଣୁ ସେ ଯେତେବେଳେ ବିହାରରେ ଯୁବଛାତ୍ର ଆନ୍ଦୋଳନର ନେତୃତ୍ୱ ନେଲେ ସେତେବେଳେ ସାରାଦେଶର ସବୁ କଂଗ୍ରେସ ବିରୋଧୀ ଦଳମାନେ ତାଙ୍କ ନେତୃତ୍ୱରେ ଦେଶରେ ଏକ ପରିବର୍ତନ ସମ୍ଭବ ବୋଲି ଚିନ୍ତା କରି ତାଙ୍କୁ ସମସ୍ତ ପ୍ରକାର ସହାୟତା କଲେ।

ଏହି ଆନ୍ଦୋଳନ ବ୍ୟାପକ ହୋଇ ଦେଶର ଅନ୍ୟପ୍ରାନ୍ତକୁ ସଂପ୍ରସାରିତ ହେଉଥିବା ଯୋଗୁ କେନ୍ଦ୍ର ସରକାର ଓ ଇନ୍ଦିରା ଗାନ୍ଧୀଙ୍କ ଉପରେ ଏକ ଚାପ ସୃଷ୍ଟି ଆରମ୍ଭ ହୋଇଥିଲା। ସେହି ସମୟରେ ଆହ୍ଲାବାଦ ହାଇକୋର୍ଟ ରାୟ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଯିବା ଫଳରେ ରାଜନୈତିକ ପରିସ୍ଥିତି ଭୟଙ୍କର ହୋଇଥିଲା। ଇନ୍ଦିରା ଗାନ୍ଧୀ ଆହ୍ଲାବାଦ ରାୟରେ ନୈତିକବାଦୀ ଆଭିମୁଖ୍ୟ ନନେଇ ସୁପ୍ରିମ୍‌କୋର୍ଟରେ ଅପିଲ୍ ଜରିଆରେ ନିଜ କ୍ଷମତାକୁ ବଜାୟ ରଖିଲେ ମଧ୍ୟ ବାହାର ଚାପ ବଢ଼ିବାକୁ ଲାଗିଲା। ସେତେବେଳେ ଇନ୍ଦିରା ଗାନ୍ଧୀଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ପକ୍ଷରୁ ଦିଲ୍ଲୀରେ ଏକ ବଡ଼ ସମାବେଶ କରାଗଲା। କିନ୍ତୁ ଏହାର ଜବାବରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱାଧୀନ ଆନ୍ଦୋଳନକାରୀମାନେ ପାଲଟା ଆହ୍ୱାନ ଦେଇ ଦିଲ୍ଲୀର ରାମଲୀଳା ମଇଦାନରେ ଯେଉଁ ଲକ୍ଷାଧିକ ଲୋକଙ୍କର ସମାବେଶ କଲେ ଓ ସେ ସଭାରେ ବିରୋଧୀ ଦଳର ସବୁ ବଡ଼ ବଡ଼ ନେତାମାନେ ଭାଷଣ ଦେଇ ଆସନ ଖାଲି କରିବା ପାଇଁ ଇନ୍ଦିରା ଗାନ୍ଧୀଙ୍କୁ ଆହ୍ୱାନ ଦେବା ଦିନ ହିଁ ମଧ୍ୟରାତ୍ରରେ ଜରୁରୀ ପରିସ୍ଥିତି ଜାରି କରାଗଲା।

ଜରୁରୀ ପରିସ୍ଥିତି ଜାରି ପରେ ପରେ ଦିଲ୍ଲୀରେ ଏକତ୍ରିତ ହୋଇଥିବା ଜୟପ୍ରକାଶ ନାରାୟଣଙ୍କ ସମେତ ସବୁ ବିରୋଧୀ ଦଳର ନେତାମାନଙ୍କୁ ମିଶା ଆଇନରେ ଗିରଫ କରାଗଲା। ଏହି ଆଇନ ବଳରେ କୌଣସି କାରଣ ଦର୍ଶାନଯାଇ ବା ସଂପୃକ୍ତ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର ନକରି ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ରେ ରଖିବା ବ୍ୟବସ୍ଥା ଏଥିରେ ଥିଲା। ପରେ କଂଗ୍ରେସ ଶାସିତ ସବୁ ରାଜ୍ୟରେ ସମ୍ଭବତଃ ତାମିଲନାଡୁକୁ ଛାଡ଼ିଦେଲେ ଅନ୍ୟ ସବୁଠାରେ ମିଶା ଜରିଆରେ ଜରୁରୀ ପରିସ୍ଥିତିକୁ ବିରୋଧ କରୁଥିବା ବା ବିରୋଧ କରିବା ପରି ସମ୍ଭାବନା ଥିବା ନେତା, ଯୁବନେତା ଓ ଛାତ୍ରନେତାଙ୍କୁ ଗିରଫ କରାଗଲା। ଏହି ଜରୁରୀ ପରିସ୍ଥିତି ଆଳରେ ଯେହେତୁ ମୌଳିକ ଅଧିକାର ନିଲମ୍ବିତ ହୋଇଥିଲା ସେହେତୁ ମତପ୍ରକାଶ କରିବାର ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଯାଇ ସବୁ ଗଣମାଧ୍ୟମଗୁଡ଼ିକୁ ସେନ୍‌ସର୍‌ସିପ୍ ଅଧୀନକୁ ଅଣାଯାଇଥିଲା। ଫଳରେ ଗଣମାଧ୍ୟମ ବା ଖବରକାଗଜଗୁଡ଼ିକ କେବଳ ସରକାରଙ୍କ ଭାଷା ହିଁ କହୁଥିଲେ। ସେଥିରେ ଭିନ୍ନମତର ସମ୍ଭାବନା ଲୋପ ପାଇଯାଇଥିଲା। ଯେଉଁ କେତୋଟି ସମ୍ବାଦପତ୍ର ଏହି ନିର୍ଦ୍ଦେଶକୁ ପାଳନ କଲେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଲା। ଏପରିକି ଏହି ଲେଖକ ଯେଉଁ ସାପ୍ତାହିକ ସମ୍ବାଦପତ୍ରରେ କାମ କରୁଥିଲେ ସେହି ସଂସ୍ଥା ଜରୁରୀ ପରିସ୍ଥିତି ବିରୋଧରେ ସମାଲୋଚନା କରି ଲେଖା ପ୍ରକାଶ କରିଥିବାରୁ ଉକ୍ତ ସମ୍ବାଦପତ୍ରର ପ୍ରେସ୍‌କୁ ସିଲ୍ କରିଦିଆଯାଇଥିଲା।

ତେବେ, ଜରୁରୀ ପରିସ୍ଥିତି ସମୟରେ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ପାଇଁ ଯେଉଁସବୁ ନିର୍ଦ୍ଦେଶନାମା ଜାରିହେଲା ସେଥିରେ ସରକାରୀ ଅଫିସ୍‌, ସ୍କୁଲ୍‌, କଲେଜ ଠିକ୍ ସମୟରେ ଖୋଲିବା ଏପରିକି ଟ୍ରେନ୍ ଠିକ୍ ଟାଇମ୍ ଅନୁସାରେ ଯାତାୟାତ କରିବା ଆରମ୍ଭ କରିଥିଲା। କେବଳ ସେତିକି ନୁହେଁ କଳାବଜାରୀଙ୍କ ବିରୋଧରେ ମଧ୍ୟ ମିଶା ଆଇନ ପ୍ରୟୋଗ କରାଯିବା ଫଳରେ ବଜାରରେ ଦରଦାମ୍ ନିୟନ୍ତ୍ରିତ ହୋଇଥିଲା। ଇନ୍ଦିରା ଗାନ୍ଧୀଙ୍କ ୨୦ ଦଫା କାର୍ଯ୍ୟକ୍ରମ ସହିତ ସେହି ସମୟରେ ନୂଆ ଯୁବ ନେତା ଭାବରେ ଆବିର୍ଭୂତ ହୋଇଥିବା ସଞ୍ଜୟ ଗାନ୍ଧୀଙ୍କର ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବେଶ ସଂକ୍ରାନ୍ତୀୟ ୫ ଦଫା କାର୍ଯ୍ୟକ୍ରମର ସରକାରୀ ଭାବେ ପ୍ରଚାର ସହିତ ସେଗୁଡ଼ିକ ଲାଗୁ କରିବା ପାଇଁ ନିର୍ଦ୍ଦେଶନାମା ଜାରିହେଲା। ସେହି ସମୟରେ ଆର୍‌ଏସ୍‌ଏସ୍‌କୁ ବେଆଇନ୍ ଘୋଷଣା କରାଗଲା।

ମୋଟାମୋଟି ଭାବରେ ଦେଖିଲେ ବିରୋଧୀ ଦଳମାନଙ୍କର ସଂପୂର୍ଣ୍ଣ କଣ୍ଠବୋଧ ସହିତ ସେମାନଙ୍କୁ ଜେଲ୍‌କୁ ପଠାଇଦେବା ଓ ସମ୍ବାଦପତ୍ରମାନଙ୍କର ସ୍ୱାଧୀନତାକୁ ସମ୍ପୂର୍ଣ୍ଣ ଲୋପ କରାଯିବା ଫଳରେ ସରକାର ଧରିନେଲେ ଯେ, ସେମାନଙ୍କ ପ୍ରତି ସାଧାରଣରେ ସମର୍ଥନ ରହିଛି। ସଞ୍ଜୟ ଗାନ୍ଧୀ ଜଣେ ସମ୍ବିଧାନ ବାହାର ଅଧିକାରୀ ଭାବରେ ଦେଶର ଶାସନ ବ୍ୟବସ୍ଥାରେ ଓ କଂଗ୍ରେସ ଦଳରେ ହଠାତ୍ ଇନ୍ଦିରା ଗାନ୍ଧୀଙ୍କ ପରେ ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିରେ ପରିଣତ ହେଲେ। ଜନସଂଖ୍ୟା ନିୟନ୍ତ୍ରଣ ନାମରେ ଜବରଦସ୍ତ ବନ୍ଧ୍ୟାକରଣ ଯୋଗୁ ସଂଖ୍ୟାଲଘୁ ସଂପ୍ରଦାୟ ଭିତରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହେଲା। ହେଲେ ଜରୁରୀ ପରିସ୍ଥିତି ଜାରି ଜନିତ ସ୍ଥିତି ଯୋଗୁ ଦେଶର ଗଣତନ୍ତ୍ର ସମ୍ପୂର୍ଣ୍ଣ ବିପନ୍ନ ହୋଇଥିବା ଦୃଷ୍ଟିରୁ ବିଶ୍ୱର ଗଣତନ୍ତ୍ରରେ ବିଶ୍ୱାସ କରୁଥିବା ପାଶ୍ଚାତ୍ୟ ରାଷ୍ଟ୍ରମାନେ ଭାରତକୁ ସମ୍ମାନ ପ୍ରଦର୍ଶନ କରିବା କମାଇ ଦେଇଥିଲେ।

ବ୍ରିଟିଶ୍ ଶାସନ ବିରୋଧରେ ଲଢିଥିବା କଂଗ୍ରେସ ଦଳର ସରକାର ଜନସାଧାରଣଙ୍କର ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ବିଷୟକୁ ବିଶ୍ୱରେ ଗଣତନ୍ତ୍ର ପ୍ରେମୀମାନେ ଆଦୌ ସମର୍ଥନ କରିନଥିଲେ। ଦେଶ ଭିତରେ କେବଳ ସରକାରଙ୍କ ପ୍ରଚାର ଓ ମିଶା ଯୋଗୁଁ ବିରୋଧୀ ପକ୍ଷ ନୀରବ ଥିବା ସମୟରେ ଇନ୍ଦିରା ଗାନ୍ଧୀ ଯିଏକି ଜରୁରୀ ପରିସ୍ଥିତି ସମୟରେ ଲୋକସଭାର କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରିଥିଲେ ହଠାତ୍ ନିର୍ବାଚନ ଘୋଷଣା କଲେ। କିନ୍ତୁ ଭାରତର ଜନସାଧାରଣ ସେତେବେଳେ କୌଣସି ବିକଳ୍ପ ନଥିବା ଦେଶରେ ଜେଲ୍‌ରେ ଏକାଠି ରହିଯାଇଥିବା ବିରୋଧୀ ଦଳମାନଙ୍କର ଦ୍ୱାରା ରାତାରାତି ସୃଷ୍ଟି ହୋଇଥିବା ଜନତା ପାର୍ଟିକୁ ନିର୍ବାଚନରେ ବିପୁଳ ସମର୍ଥନ ଦେଲେ। ଖୋଦ୍ ଇନ୍ଦିରା ଗାନ୍ଧୀ ଓ ସଞ୍ଜୟ ଗାନ୍ଧୀ ପରାଜିତ ହେଲେ। ନିର୍ବାଚନ ଫଳାଫଳ ସହିତ ଦେଶରୁ ଜରୁରୀ ପରିସ୍ଥିତି ଅବସାନ ଘଟିଥିବା ଇନ୍ଦିରା ଗାନ୍ଧୀଙ୍କ ସରକାର ଘୋଷଣା କରିଥିଲେ।

ଜରୁରୀ ପରିସ୍ଥିତି ସମୟରେ ଯେଉଁ ୪୨ତମ ସମ୍ବିଧାନ ସଂଶୋଧନ ହୋଇଥିଲା, ସେଗୁଡ଼ିକ ଭିତରୁ ଯେଉଁଗୁଡ଼ିକ ଗଣତନ୍ତ୍ର ବିରୋଧୀ ସେଗୁଡ଼ିକ ମୋରାରଜି ଦେଶାଇଙ୍କ ଜନତା ପାର୍ଟି ସରକାରରେ ୪୪ତମ ସଂଶୋଧନ ଜରିଆରେ ବଦଳାଇ ଦିଆଗଲା। ଆଭ୍ୟନ୍ତରୀଣ ବିଶୃଙ୍ଖଳା ପାଇଁ ଜରୁରୀ ପରିସ୍ଥିତି ଘୋଷଣା ଯେପରି ସହଜରେ ହୋଇନପାରିବ ସେଥିପାଇଁ ଆବଶ୍ୟକୀୟ ସଂଶୋଧନ ମଧ୍ୟ କରାଗଲା। ଜରୁରୀ ପରିସ୍ଥିତି ସମୟରେ ନାଗରିକମାନଙ୍କର ମୌଳିକ ଅଧିକାରକୁ ରକ୍ଷା କରିବାରେ ନ୍ୟାୟପାଳିକା କର୍ତବ୍ୟ ପାଳନ କରିପାରିଲେ ନାହିଁ। ଏପରିକି ନ୍ୟାୟପାଳିକା ମଧ୍ୟ ଭୟଭୀତ ହୋଇଯାଇଥିବା ଦେଖାଯାଇଥିଲା। ସେହି ସମୟରେ ସୁପ୍ରିମ୍‌କୋର୍ଟରେ ଜଜ୍ ନିଯୁକ୍ତିରେ ଓଲଟପାଲଟ କରାଯାଇ ବରିଷ୍ଠ ଜଜ୍‌ଙ୍କୁ ମୁଖ୍ୟ ବିଚାରପତି ହେବା ସ୍ଥାନରୁ ହଟାଇ ଦିଆଯିବା ଫଳରେ ନ୍ୟାୟପାଳିକାରେ ଏକ ପ୍ରକାର ସଂକଟ ସୃଷ୍ଟି ହୋଇଥିଲା। କିନ୍ତୁ ଜନତା ପାର୍ଟି ସରକାର ଆସିବା ପରେ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା ପୂରାମାତ୍ରାରେ ଆରମ୍ଭ ହେବା ସହିତ ଗଣମାଧ୍ୟମରେ ସ୍ୱାଧୀନତା ପୁନଃ ପ୍ରତିଷ୍ଠିତ ହୋଇଥିଲା।

ଇନ୍ଦିରା ଗାନ୍ଧୀ ଏହାପରେ ବାରମ୍ବାର ଜରୁରୀ ପରିସ୍ଥିତି ଭୁଲ୍ ନିଷ୍ପତି ଥିଲା ବୋଲି ସ୍ୱୀକାର କରିଛନ୍ତି। ସେହି ସମୟରେ ଦେଶର ଗଣତାନ୍ତ୍ରିକ ଅଧିକାର ରକ୍ଷା କରିବା ପାଇଁ ଯେଉଁ ସ୍ୱେଚ୍ଛାସେବୀମାନେ କାମ କରିଛନ୍ତି ଓ ଜେଲ୍ ଯାଇଛନ୍ତି ସେମାନେ ସେହି ଦିନକୁ ଭୁଲି ପାରିନାହାନ୍ତି। ସେତେବେଳେ ଏହା ସମ୍ଭବ ହୋଇଥିଲା ଯେହେତୁ ସେହି ସମୟରେ ଜାତୀୟ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ସମୟର ଅନେକ ଯୋଦ୍ଧା ବଂଚି ଲୋକମାନଙ୍କୁ ସାହସ ସଂଚୟ ପାଇଁ ପ୍ରେରଣା ଦେଉଥିଲେ। ସେମାନଙ୍କର ମୃତ୍ୟୁ ହୋଇଯାଇଛି। ଦେଶର ଗଣତନ୍ତ୍ର ଓ ସାମ୍ବିଧାନିକ ଅଧିକାର ଉପରେ ଯେକୌଣସି ଆକ୍ରମଣକୁ ଜରୁରୀ ପରିସ୍ଥିତିରେ କଷ୍ଟ ଭୋଗ କରିଥିବା ସେତେବେଳର ଯୁବନେତା ଓ ସାମ୍ବାଦିକମାନଙ୍କୁ ସାମ୍ନାକୁ ଆସି ପ୍ରତିରୋଧ କରିବାକୁ ପଡ଼ିବ। ଜରୁରୀ ପରିସ୍ଥିତିରେ ଯୁବ ସାମ୍ବାଦିକ ଭାବରେ ଜେଲ୍ ଯାଇଥିବା କେତେକ ସାମ୍ବାଦିକ ଏବେ ବି ବିଭିନ୍ନ ପ୍ରକାର ଅଭିଯୋଗର ସାମ୍ନା କରୁଛନ୍ତି। ସମ୍ବିଧାନକୁ ସୁରକ୍ଷିତ ଓ ସଜାଗ ରଖିବା ପାଇଁ ଏକ ସଶକ୍ତ ଜନଚେତନା ହିଁ ସବୁଠାରୁ ବଡ଼ ସହାୟକ ବୋଲି କେହି ଭୁଲିଯିବା ଉଚିତ୍ ନୁହଁ।

ମୋ- ୮୦୧୮୦୯୪୪୫୫

Narendra Modi Rahul Gandhi Indira Gandhi Emergency