Contaminated Water Photograph: (Internet)
ଭାଲଚନ୍ଦ୍ର ଷଡ଼ଙ୍ଗୀ
ମଧ୍ୟ ପ୍ରଦେଶର ଇନ୍ଦୋର ସହର ଗତ ୨୦୨୩ ମସିହା ପର୍ଯ୍ୟନ୍ତ ଲଗାତାର ସାତ ବର୍ଷ ଧରି ଦେଶର ସ୍ୱଚ୍ଛ ସହର ସୂଚକାଙ୍କରେ ସର୍ବୋଚ୍ଚ ସ୍ଥାନରେ ରହି ଆସିଥିଲା। ଅତ୍ୟନ୍ତ ଦୃତ ଗତିରେ ବିକଶିତ ହେଉଥିବା ଏହି ସହରକୁ ୨୦୨୧ ମସିହାରେ ‘ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ’ ପୁରସ୍କାରରେ ପୁରସ୍କୃତ କରାଯିବା ସହ ବର୍ଜ୍ୟ ଜଳର ଉତ୍ତମ ପରିଚାଳନା ପାଇଁ ଦେଶର ସର୍ବ ପ୍ରଥମ ‘ୱାଟର ପ୍ଳସ୍’ ସହର ବୋଲି ମଧ୍ୟ ଘୋଷିତ କରାଯାଇଥିଲା। କେବଳ ସେତିକି ନୁହେଁ ସମଗ୍ର ଦେଶର ୪ ହଜାରରୁ ଉର୍ଦ୍ଧ୍ୱ ନଗର ପାଳିକା ମଧ୍ୟରେ ବାର୍ଷିକ ସ୍ୱଚ୍ଛତା ସୂଚକାଙ୍କରେ ସର୍ବୋଚ୍ଚ ସ୍ଥାନ ନିର୍ଦ୍ଧାରଣ କରିବା ପାଇଁ ୨୦୨୪ ମସିହାରୁ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ‘ସୁପର ସ୍ୱଚ୍ଛ ଲିଗ୍’ ନାମକ ଏକ ଅଲଗା ଶ୍ରେଣୀରେ ମଧ୍ୟ ଇନ୍ଦୋର ସହର ସ୍ୱଚ୍ଛତାରେ ଦେଶର ସବୁଠାରୁ ଶ୍ରେଷ୍ଠ ସହର ମଧ୍ୟରେ ଅନ୍ୟତମ ଥିଲା। ଅଥଚ ଏଇ ସହରରେ ଗତ କିଛି ଦିନ ତଳେ ବିଷାକ୍ତ ପାନୀୟ ଜଳ ପିଇ ୨୧ ଜଣଙ୍କର ମୃତ୍ୟୁ ହୋଇଗଲା।
ଏପରି ଦୁର୍ଭାଗ୍ୟଜନକ ଘଟଣା ପରେ ସ୍ୱଚ୍ଛତା କ୍ଷେତ୍ରରେ ଇନ୍ଦୋରର ସଫଳତା ନେଇ ଏକ ପ୍ରଶ୍ନ ଚିହ୍ନ ସୃଷ୍ଟି ହୋଇଛି। ପୌର ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ଦୂଷିତ ପାନୀୟ ଜଳ ପାନ କରି ଇନ୍ଦୋର ସହରର ୨୧ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୩୧୦ ଲୋକ ଡାଇରିଆରେ ସଂକ୍ରମିତ ହୋଇ ଚିକିତ୍ସିତ ହୋଇଛନ୍ତି। ଡିସେମ୍ବର ମାସର ମଧ୍ୟ ଭାଗରୁ ସହରର ଭାଗୀରଥପୁରା ସମେତ କିଛି ଅଞ୍ଚଳର ପାଇପ ଯୋଗେ ଆସୁଥିବା ପାନୀୟ ଜଳର ରଙ୍ଗ ବଦଳି ଯାଇଥିବା ଏବଂ ସେଥିରୁ ଦୁର୍ଗନ୍ଧ ବାହାରୁଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଛନ୍ତି। ଖୋଦ୍ ଇନ୍ଦୋରର ମେୟରଙ୍କ ସ୍ୱୀକାରୋକ୍ତି ଅନୁସାରେ ୨୦୨୪ ଠାରୁ ହିଁ ଲୋକେ ଦୂଷିତ ପାଣି ଯୋଗାଣ ନେଇ ଅଭିଯୋଗ କରୁଥିଲେ।
ଇଣ୍ଡିଆନ୍ ଜର୍ନାଲ୍ ଅଫ୍ ଅକ୍ୟୁପେସନାଲ୍ ଏଣ୍ଡ ଏନଭାୟରନମେଂଟାଲ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଇନ୍ଦୋରର ୨୦% ନର୍ଦ୍ଦମା ଜଳ ବିନା କୌଣସି ବିଶୋଧନରେ ସିଧାସଳଖ ଜଳ ଉତ୍ସମାନଙ୍କରେ ଛାଡ଼ି ଦିଆଯାଉଛି ଓ ସହରର ୮୦% ନର୍ଦ୍ଦମା ବ୍ୟବସ୍ଥା କାର୍ଯ୍ୟକ୍ଷମ ନୁହେଁ ଅଥବା ଅବରୋଧିତ ହୋଇରହିଛି। ନିମ୍ନମାନର ପାନୀୟ ଜଳ ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ଅତଏବ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାରୁ ଲୋକେ ପ୍ରଦୂଷିତ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଇଛନ୍ତି। ଫଳସ୍ୱରୂପ ହଜାର ହଜାର ଲୋକ ଡାଏରିଆ ପରି ଜଳଜନିତ ରୋଗରେ ପଡ଼ିଲେ। ସରକାରଙ୍କ ଦ୍ୱାରା ହୋଇଥିବା ନମୂନା ପରୀକ୍ଷଣର ରିପୋର୍ଟରୁ ମଧ୍ୟ ଏହା ବ୍ୟାକ୍ଟେରିଆ ସଂକ୍ରମଣରୁ ଘଟିଥିବା ସ୍ପଷ୍ଟ ଜଣାପଡ଼ିଛି। ଢାଞ୍ଚାଗତ ତ୍ରୁଟିର ପରିଣାମ ସ୍ୱରୂପ ନର୍ଦ୍ଦମା ଜଳ ସହ ପାନୀୟ ଜଳର ମିଶ୍ରଣ ହେତୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ସରକାର ସାଧାରଣ ଲୋକଙ୍କ ଜୀବନକୁ କେତେ ଅବହେଳା ବା ବେଖାତିର କରିପାରନ୍ତି, ଏହି ଘଟଣା ତା’ର ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଯେତେବେଳେ ସାମ୍ବାଦିକମାନେ ଏହି ଘଟଣା ନେଇ ରାଜ୍ୟର କ୍ୟାବିନେଟ୍ ମନ୍ତ୍ରୀ କୈଲାସ ବିଜୟବର୍ଗୀୟଙ୍କୁ ପ୍ରଶ୍ନ କଲେ, ସେ ସିଧାସଳଖ ପ୍ରଶ୍ନଟିକୁ ‘ନିରର୍ଥକ’ ବୋଲି କହିଥିଲେ ଏବଂ କ୍ୟାମେରା ସାମ୍ନାରେ ଅଶ୍ଳୀଳ ଭାଷା ମଧ୍ୟ ବ୍ୟବହାର କରିବାକୁ ପଛେଇ ନଥିଲେ। ଖୋଦ୍ ମନ୍ତ୍ରୀଙ୍କର ନିର୍ବାଚନ ମଣ୍ଡଳୀର ଲୋକମାନେ ବିଷାକ୍ତ ପାଣି ପିଇ ହସ୍ପିଟାଲର ଖଟିଆ଼ରେ ଛଟପଟ ହେଉଥିବା ସମୟରେ ସେ ଲୋକଙ୍କ ପାଖରେ ଠିଆ ହେବା ବଦଳରେ ନିଜ ଦଳର ଅନ୍ୟତମ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଟ୍ୱିଟ୍ କରିବାରେ ବ୍ୟସ୍ତ ଥିଲେ। ଏହା ସହ ସେ ବିଷାକ୍ତ ପାନୀୟ ଜଳ ଜନିତ ମୃତ୍ୟୁର ସଂଖ୍ୟାକୁ ଲୁଚାଇ ସେସବୁକୁ ‘ସ୍ୱାଭାବିକ ମୃତ୍ୟୁ’ ବୋଲି ଦାବି କରିବାକୁ ବି ପଛେଇ ନଥିଲେ। ପରନ୍ତୁ ଲୋକମାନଙ୍କ ତୀବ୍ର ପ୍ରତିବାଦ ପରେ ଯେତେବେଳେ ଭାଗୀରଥପୁରାର ମହିଳାମାନେ କୈଳାସ ବିଜୟବର୍ଗୀୟାଙ୍କୁ ଅଞ୍ଚଳ ଛାଡ଼ି ପଳାଇବାକୁ ଏକରକମ ବାଧ୍ୟ କରିଥିଲେ, ସେତେବେଳେ ଯାଇ ସରକାର କେବଳ କିଛି ନିମ୍ନସ୍ତରୀୟ ଅଧିକାରୀ ଯଥା ଅଧସ୍ତନ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କୁ ନିଲମ୍ବନ କରି ଲୋକଙ୍କ ଆକ୍ରୋଶକୁ ଏକରକମ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ। ଅଥଚ ଏଭଳି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଦାୟୀ କୈଲାସ ବିଜୟବର୍ଗୀୟଙ୍କ ପରି ବଡ଼ ବଡ଼ିଆ ଲୋକମାନେ ନିର୍ବିଘ୍ନ ଖସିଗଲେ।
ବିଷାକ୍ତ ପାଣି ପିଇ ଅସୁସ୍ଥ ହେବା ଘଟଣା କେବଳ ଇନ୍ଦୋରରେ ସୀମୀତ ରହିନି। ଇନ୍ଦୋରର ଘଟଣା ପରେ ପରେ ଚଳିତ ମାସର ଆରମ୍ଭରେ ଖୋଦ୍ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ନିଜ ରାଜ୍ୟ ଗୁଜରାଟର ଗାନ୍ଧୀନଗର ସହରରେ ବି ବିଷାକ୍ତ ପାନୀୟ ଜଳ ସେବନ କରି ୧୫୦ରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଭାବେ ଅସୁସ୍ଥ ହୋଇ ଚିକିତ୍ସିତ ହେବାର ଘଟଣା ସାମନାକୁ ଆସିଛି। ରାୟପୁର, ପାଟନା ଓ ବାଙ୍ଗାଲୁରୁରେ ମଧ୍ୟ ବିଷାକ୍ତ ପିଇବା ପାଣି ପିଇ ରୋଗରେ ସଂକ୍ରମିତ ହେବାର ଘଟଣା ସାମନାକୁ ଆସିଛି। ଦେଶର ଛୋଟ ବଡ଼ ପ୍ରାୟତଃ ସବୁ ସହରରେ ଏପରିକି ରାଜଧାନୀ ଦିଲ୍ଲୀରେ ମଧ୍ୟ ସ୍ୱଚ୍ଛ ପାନୀୟ ଜଳ ଅଭାବରୁ ଲୋକେ ଅସୁସ୍ଥ ଏବଂ ମୃତ୍ୟୁବରଣ କରିବାର ଖବର ଲଗାତାର ଆସିବାରେ ଲାଗିଛି।
ଫେବୃଆରୀ ୨୦୨୫ଠାରୁ ୭ ଜାନୁଆରୀ ୨୦୨୬ ମଧ୍ୟରେ ଦେଶର ୨୨ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ୨୬ଟି ସହରରେ ଯାହାର ମଧ୍ୟରେ ୧୬ଟି ରାଜ୍ୟ ରାଜଧାନୀ ରହିଛି, ସେଠାରେ ପାଇପ୍ ଯୋଗେ ଆସୁଥିବା ବିଷାକ୍ତ ପାଣିକୁ ପିଇ କମ୍ ସେ କମ୍ ୫,୫୦୦ ଜଣ ଲୋକ ଅସୁସ୍ଥ ହୋଇଥିବା ଏବଂ ଅତି କମ୍ରେ ୩୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପ୍ରଭାବିତ ରାଜ୍ୟଗୁଡ଼ିକର ମିଡ଼ିଆରେ ପ୍ରକାଶିତ ରିପୋର୍ଟ ଓ ସରକାରମାନଙ୍କ ଆନୁଷ୍ଠାନିକ ବୟାନ ଅନୁଯାୟୀ ସଂକ୍ରମିତ ଲୋକଙ୍କ ଭିତରେ ସବୁଠାରୁ ଅଧିକ ରିପୋର୍ଟ ହୋଇଥିବା ରୋଗ ହେଉଛି ଡାୟିରିଆ। ତା’ପରେ ଟାଇଫଏଡ଼, ହେପାଟାଇଟିସ୍ ବି ଓ ଦୀର୍ଘ ସମୟ ଧରି ରହୁଥିବା ଜ୍ୱର ରହିଛି। ଭଲକରି ଦେଖିଲେ, ପାଣି ଦୂଷିତ ହେବାର କାରଣଟି ପ୍ରାୟତଃ ସମାନ। ପ୍ରାୟ ସମସ୍ତ ଘଟଣାରେ ପିଇବା ପାଣି ପାଇପ୍ରେ ନର୍ଦ୍ଦମା ଜଳ ମିଶିଯାଇଥିବା ଚିହ୍ନଟ କରାଯାଇଛି।
ଅନେକ ସମୟରେ ପୁରୁଣା, କଳଙ୍କି ଲାଗିଥିବା କିମ୍ବା ଭୁଲ ଭାବରେ ବିଛା ହୋଇଥିବା ପାଣି ପାଇପ୍ଗୁଡ଼ିକ ନର୍ଦ୍ଦମା ନିକଟରେ ଯାଇଥିବାରୁ ପାଇପ୍ରେ କୌଣସି ଛିଦ୍ର ହେଲେ କିମ୍ବା ଚାପ କମିଗଲେ, ନର୍ଦ୍ଦମାର ଜଳ ପାଣି ପାଇପ୍ ମଧ୍ୟରେ ପଶି ସିଧାସଳଖ ଘରୋଇ ସଂଯୋଗ ମାଧ୍ୟମରେ ଆମର ଘରକୁ ପ୍ରବେଶ କରିଯାଏ। ଅଧିକାଂଶ ଘଟଣାରେ ଦଶକ ପୁରୁଣା ପାଇପ୍ ଲାଇନ୍କୁ ହିଁ ପ୍ରଧାନ କାରଣ ଭାବେ ଚିହ୍ନଟ କରାଯାଇଛି। ଭାରତର ଅନେକ ସହର ଆଜି ମଧ୍ୟ ୪୦ ବର୍ଷରୁ ଅଧିକ ପୁରୁଣା ଜଳ ବଣ୍ଟନ ନେଟୱର୍କ ଉପରେ ନିର୍ଭର କରୁଛନ୍ତି। ଉଦାହରଣ ସ୍ୱରୂପ, ଦିଲ୍ଲୀ ଜଳ ବୋର୍ଡର ଏକ ରିପୋର୍ଟ ଅନୁସାରେ ପ୍ରାୟ ୧୮ ଶତାଂଶ ଜଳ ପାଇପ୍ ୩୦ ବର୍ଷରୁ ଅଧିକ ପୁରୁଣା। ନର୍ଦ୍ଦମା ସହ ସମାନ୍ତରାଳ ଭାବେ କିମ୍ବା ତା’ର ତଳେ ଯାଇଥିବା ପାନୀୟ ଜଳ ପାଇପ୍ ଲାଇନ ଗୁଡ଼ିକ ପୁରୁଣା ହୋଇ ଫାଟିଗଲେ ବା ଛିଦ୍ର ହୋଇ ଲିକ୍ ହେଲେ ତାହା ପାନୀୟ ଜଳକୁ ପ୍ରଦୂଷିତ ଓ ବିଷାକ୍ତ କରିଦେଉଛି। କିନ୍ତୁ ସହରର ଜଳଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ ଓ କାର୍ଯ୍ୟକ୍ଷମ କରି ଲୋକଙ୍କୁ ସ୍ୱଚ୍ଛ ପାଣି ଯୋଗାଇବାକୁ ହେଲେ ଉପରୋକ୍ତ ପାଇପ୍ଗୁଡ଼ିକର ରକ୍ଷଣାବେକ୍ଷଣ ଓ ପୁରୁଣା ପାଇପ୍ ଲାଇନ୍ଗୁଡ଼ିକୁ ବଦଳାଇ ନୂଆ ପାଇପ୍ ଲାଇନ୍ ଲଗାଇବା ଜରୁରୀ। କିନ୍ତୁ ସରକାରମାନେ ଏ ଦିଗରେ ବ୍ୟୟର ଆବଶ୍ୟକତାକୁ ଅନୁଭବ ନକରିବା କେବଳ ଦୁଃଖଦାୟକ ନୁହେଁ ବରଂ ସମ୍ବେଦନହୀନତା ବୋଲି କୁହାଯାଇପାରେ।
୨୦୨୩ ମସିହାରେ ପ୍ରକାଶିତ ନୀତି ଆୟୋଗର ଜଳ ପ୍ରବନ୍ଧନ ରିପୋର୍ଟରେ ଭାରତର ୨୧ରୁ ଅଧିକ ବଡ଼ ସହର ଆଗାମୀ ଦଶ ବର୍ଷ ମଧ୍ୟରେ ପିଇବା ପାଣିର ଏକ ଭୟାବହ ପରିସ୍ଥିତିକୁ ସାମନା କରିବାକୁ ଯାଉଛନ୍ତି। କିନ୍ତୁ ଇନ୍ଦୋରର ଘଟଣାରୁ ସ୍ପଷ୍ଟ ଯେ ବିଷାକ୍ତ ପାଣିର ବିପଦ କେବଳ ଭବିଷ୍ୟତର ଆଶଙ୍କା ନୁହେିଁ ବରଂ ବର୍ତ୍ତମାନର ଭୟଙ୍କର ବାସ୍ତବତା ହୋଇସାରିଛି। ଜଳଯୋଗାଣ ବ୍ୟବସ୍ଥାର ଦୟନୀୟ ସ୍ଥିତି, ପାନୀୟ ଜଳ ଓ ଅବର୍ଜନା ନାଳର ପାଣି ମିଶିଯିବା ତଥା ଜଳର ଗୁଣବତ୍ତାର ପରୀକ୍ଷାର ଦୁର୍ବଳ ବ୍ୟବସ୍ଥା ଆମର ସହରୀ ଓ ଗ୍ରାମୀଣ ଜୀବନର ସ୍ଥାସ୍ଥ୍ୟକୁ ବିପଦାପନ୍ନ କରିଦେଇଛି। ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଅର୍ବାନ ଆଫେୟାର୍ସ ଅନୁଯାୟୀ ଭାରତର ସହରମାନଙ୍କରେ ପାନୀୟ ଜଳର ୩୫-୪୦% କେବଳ ପାଇପ୍ରେ ଲିକ୍ କାରଣରୁ ହେଉଛି।
ଶୁଦ୍ଧ ପାନୀୟ ଜଳ ପାଇବା ଏକ ମୌଳିକ ମାନବିକ ଅଧିକାର। ଉଭୟ କେନ୍ଦ୍ର ଓ ଅଧିକାଂଶ ରାଜ୍ୟରେ କ୍ଷମତାସୀନ ଥିବା ବିଜେପିର ଡବଲ ଇଂଜିନ ସରକାର ଲୋକଙ୍କୁ ଏହି ଅଧିକାର ଦେବାରେ ଯେ ବିଫଳ ହୋଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। କମ୍ ସେ କମ୍ ଇନ୍ଦୋର ଓ ଗାନ୍ଧୀନଗରର ସଦ୍ୟତମ ଘଟଣାରୁ ଏକଥା ପ୍ରମାଣିତ ହୋଇଯାଇଛି। ସାରା ଦେଶରେ ଶୁଦ୍ଧ ପିଇବା ପାଣିର ଉପଲବ୍ଧତା ଏକ ସମସ୍ୟା ଭାବେ ବଢ଼ିବାରେ ଲାଗିଛି। ରାଜଧାନୀ ଦିଲ୍ଲୀର ଭୂଗର୍ଭ ଜଳରେ ୟୁରାନିୟମ୍ ଓ ଅନ୍ୟାନ୍ୟ ଭାରୀ ଧାତୁର ମାତ୍ରାଧିକ ଉପସ୍ଥିତି ରହିଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶ ସନ୍ଦର୍ଭରେ ୨୦୧୯ରେ ପ୍ରକାଶିତ ସିଏଜିର ଏକ ରିପୋର୍ଟ ଅନୁସାରେ ୨୦୧୩-୨୦୧୮ ମଧ୍ୟରେ ଭୋପାଳ ଓ ଇନ୍ଦୋରର ୪,୪୮୧ଟି ପାଣି ନମୁନା ପାନୀୟ ଜଳର ମାନଦଣ୍ଡରେ ଅସଫଳ ହୋଇଥିଲା। ସେଠାକାର କେବଳ ୫୬% ପରିବାରକୁ ପାଣି ପାଇପର ସଂଯୋଗ ମିଳିଥିଲା। ଫଳରେ ଭୋପାଳର ପ୍ରାୟ ୩.୬୨ ଲକ୍ଷ ଓ ଇନ୍ଦୋରର ୫.୩୩ ଲକ୍ଷ ପରିବାର ସୁରକ୍ଷିତ ପାନୀୟ ଜଳରୁ ବଂଚିତ ହୋଇଛନ୍ତି। ସେହି ସମୟରେ ପ୍ରାୟ ୫.୪୫ ଲକ୍ଷ ଜଳ ଜନିତ ରୋଗର ମାମଲା ଆଧିକାରିକ ଭାବେ ରେକର୍ଡ ହୋଇଥିଲା।
ଏପରି ସମସ୍ୟାର ମୂଳକୁ ଖୋଜିଲେ ଦେଖିବାକୁ ମିଳେ ଯେ ସରକାରଙ୍କ ଅପରାଧିକ ଅବହେଳା ଓ ମୁନାଫା କୈନ୍ଦ୍ରିକ ପୁଂଜିବାଦୀ ବ୍ୟବସ୍ଥା ଏହି ଢାଞ୍ଚାଗତ ବିପର୍ଯ୍ୟୟ ପାଇଁ ସିଧାସଳଖ ଦାୟୀ, ଯାହାର ପରିଣାମ ମୁଖ୍ୟତଃ ସମାଜର ଗରିବ ଓ ଶ୍ରମଜୀବୀ ଜନତାଙ୍କ ଉପରେ ପଡ଼ିଥାଏ। କାରଣ ଉଚ୍ଚ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ଲୋକେ ନିଜର ଆର୍ଥିକ ସାମର୍ଥ୍ୟ ଥିବା ଯୋଗୁଁ ପିଇବା ପାଣିର ନିଜସ୍ୱ ବ୍ୟବସ୍ଥା କରିପାରନ୍ତି। କିନ୍ତୁ ସମାଜର ଗରିବ ଲୋକଙ୍କ ପାଇଁ ସରକାରୀ ଜଳ ଯୋଗାଣ ବ୍ୟବସ୍ଥା ହିଁ ଏକମାତ୍ର ଭରସା ଅଟେ। ଗୋଟିଏ ପଟେ ଶାସକ ଦଳ ଓ ତାଙ୍କ ସମର୍ଥିତ ମିଡ଼ିଆ ‘ଚାରି ଟ୍ରିଲିୟନ୍ ଅର୍ଥନୀତି’, ‘ବିକଶିତ ଭାରତ’, ‘ବିଶ୍ୱଗୁରୁ’ର ଢୋଲ ତ ପିଟୁଛନ୍ତି ଅନ୍ୟପଟେ ନାଗରିକଙ୍କୁ ଶୁଦ୍ଧ ବାୟୁ ଓ ପାଣି ପରି ବଂଚିବାର ମୌଳିକ ଆବଶ୍ୟକତାକୁ ମଧ୍ୟ ଯୋଗାଇ ପାରୁନାହାନ୍ତି। ଭାରତର ‘ସର୍ବଶୁଦ୍ଧ ସହର’ ଭାବେ ଲଗାତାର ଭାବେ ସାତ ଥର ଘୋଷିତ ଇନ୍ଦୋର ସହରରେ ପାଣି ପ୍ରଦୂଷଣ ଯୋଗୁଁ ୧୪ ଜଣଙ୍କ ଜୀବନ ଅକାଳରେ ଚାଲିଯିବା ଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ! ଏହା ମଧ୍ୟ ମନେ ରଖିବା ଦରକାର ଯେ ୧୯୮୯ ଠାରୁ ଲଗାତାର ୧୦ ଥର ବିଜେପି ଇନ୍ଦୋର ଲୋକସଭା ଆସନ ଜିତିଆସୁଛି। ୨୦୦୩ ଠାରୁ (୨୦୧୮–୨୦୨୦ ମଧ୍ୟରେ ୧୫ ମାସ ବ୍ୟତୀତ) ରାଜ୍ୟରେ ଲଗାତାର ବିଜେପିର ଶାସନ ଚାଲିଛି। ଏହି ଦୀର୍ଘ ଅବଧିକୁ ପରିମଳ ଓ ସ୍ୱାସ୍ଥ୍ୟସେବାର ମୌଳିକ ସୁବିଧା ଯୋଗାଇବାରେ ବ୍ୟବହାର କରିବା ପରିବର୍ତ୍ତେ ସେମାନେ ଅନ୍ୟାନ୍ୟ ଅନାବଶ୍ୟକ ପ୍ରସଙ୍ଗ ଉପରେ ରାଜନୀତି କରିଛନ୍ତି।
ସାମ୍ପ୍ରଦାୟିକ ରାଜନୀତି ଫଳରେ ସାଧାରଣ ଲୋକଙ୍କ ଧ୍ୟାନ ମୌଳିକ ସମସ୍ୟାରୁ ଦୂରେଇ ଯାଇଥାଏ। ସେହି କାରଣରୁ ଆଜି ମଧ୍ୟପ୍ରଦେଶ ମାନବ ବିକାଶ ସୂଚକାଙ୍କର ପ୍ରାୟ ସମସ୍ତ କ୍ଷେତ୍ରରେ ନିମ୍ନରେ ରହିଛି। ଦେଶରେ ସବୁଠାରୁ ଖରାପ ଶିଶୁମୃତ୍ୟୁ ହାର ଓ ସର୍ବାଧିକ ମାତୃ ମୃତ୍ୟୁ ହାର ମଧ୍ୟପ୍ରଦେଶରେ ଥିବା ଉଲ୍ଲେଖନୀୟ। ଆନୁଷ୍ଠାନିକ ତଥ୍ୟ ଅନୁସାରେ ରାଜ୍ୟରେ ୧ ନିୟୁତରୁ ଅଧିକ କୁପୋଷିତ ଶିଶୁ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ପ୍ରାୟ ୧.୩୬ ଲକ୍ଷ ଗୁରୁତର କୁପୋଷଣରେ ପୀଡ଼ିତ ଶିଶୁ ରହିଛନ୍ତି। ଏପ୍ରିଲ୍ ୨୦୨୫ରେ ଜାତୀୟ ସ୍ତରରେ ପାଞ୍ଚ ବର୍ଷରୁ ସାନ ଶିଶୁମାନଙ୍କ ମଧ୍ୟରେ ମଧ୍ୟମ ଓ ଗୁରୁତର କୁପୋଷଣ ୫.୪୦% ଥିବା ବେଳେ ମଧ୍ୟପ୍ରଦେଶରେ ତାହା ୭.୭୯% ରହିଥିଲା। ରକ୍ତହୀନତା ଏହି ସଙ୍କଟକୁ ଆଉରି ଗମ୍ଭୀର କରୁଛି। ରାଜ୍ୟର ୫୭% ମହିଳା ରକ୍ତହୀନତାରେ ପୀଡ଼ିତା, ଫଳରେ ଜନ୍ମ ପୂର୍ବରୁ ମଧ୍ୟ ଆଗାମୀ ପିଢ଼ିର ସ୍ୱାସ୍ଥ୍ୟ ବିପଦାପନ୍ନ ରହିଛି। କେନ୍ଦ୍ର ସରକାରଙ୍କ ନ୍ୟୁଟ୍ରିସନ୍ ଟ୍ରାକର୍ ଆପ୍ ତଥ୍ୟ ଅନୁସାରେ ମଇ ୨୦୨୫ରେ ମଧ୍ୟପ୍ରଦେଶର ମୋଟ ୫୫ଟି ଜିଲ୍ଲାରୁ ୪୫ଟି ଜିଲ୍ଲା ‘ରେଡ୍ ଜୋନ୍’ରେ ଥିଲା। ସେଠାକାର ୨୦% ଠାରୁ ଅଧିକ ଶିଶୁ ସେମାନଙ୍କ ବୟସ ଅନୁସାରେ କମ୍ ଓଜନର ଅଟନ୍ତି। ଅକ୍ଟୋବର ୨୦୨୫ରେ ଛିନ୍ଦୱାଡ଼ା ଓ ଆଖପାଖ ଅଞ୍ଚଳରେ ଦୂଷିତ କଫ ସିରାପ ସେବନ କରି ପାଞ୍ଚ ବର୍ଷ ବୟସ ମଧ୍ୟରେ କମ୍ ସେ କମ୍ ୨୪ ଜଣ ଶିଶୁ ମୃତ୍ୟୁବରଣ କରିଥିଲେ। ସେପ୍ଟେମ୍ବର ୨୦୨୫ରେ ଇନ୍ଦୋର ସରକାରୀ ମେଡିକାଲ୍ କଲେଜରେ ମୂଷା କାମୁଡ଼ାରୁ ଦୁଇ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ପରେ ରାଜ୍ୟର ଅନେକ ହସ୍ପିଟାଲରୁ ମଧ୍ୟ ଏଭଳି ଘଟଣାର ରିପୋର୍ଟ ହୋଇଥିଲା। ମଇ ୨୦୨୫ରେ ଥାଲାସିମିଆରେ ପୀଡ଼ିତ ଛଅ ଶିଶୁ ଦୂଷିତ ରକ୍ତ ସଂଚାର ହେତୁ ଏଚଆଇଭି ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା। ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତି ଶାସନର ଅବହେଳା କେବଳ ମଧ୍ୟପ୍ରଦେଶରେ ସୀମିତ ନୁହେଁ; ଏହା ସାରା ଦେଶରେ ଏକ ପ୍ରବୃତ୍ତିରେ ପରିଣତ ହୋଇଛି।
ଶୁଦ୍ଧ ପାଣି ଓ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଏକ ମୌଳିକ ମାନବ ଅଧିକାର। ମଧ୍ୟପ୍ରଦେଶ ସରକାରଙ୍କ ଅପରାଧିକ ଅବହେଳାରୁ ଅନେକ ନିର୍ଦୋଷ ପ୍ରାଣ ନଷ୍ଟ ହେବା ନିନ୍ଦନୀୟ ଅଟେ। ସରକାରଙ୍କ ଅପରାଧିକ ଅବହେଳାରୁ ଏଭଳି ମୃତ୍ୟୁକୁ ଦୁର୍ଘଟଣା ନୁହେଁ ବରଂ ବ୍ୟବସ୍ଥା ଦ୍ୱାରା ସଂଗଠିତ ହତ୍ୟା ବୋଲି କୁହାଯାଇପାରେ। ଏଭଳି ଏକ ମର୍ମନ୍ତୁଦ ଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ଜରୁରୀ। ଏଭଳି ଅପରାଧିକ ଅବହେଳା ଓ ଦାୟୀତ୍ୱହୀନତା ପାଇଁ ଦାୟୀ ସେଠାକାର ମନ୍ତ୍ରୀ ଓ ସମସ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସରକାରମାନେ ଧର୍ମ ଓ ଜାତିର ସାମ୍ପ୍ରଦାୟିକ ରାଜନୀତି ବଦଳରେ ଶିକ୍ଷା, ରୋଜଗାର, ସାର୍ବଜନୀନ ସ୍ୱାସ୍ଥ୍ୟ, ପରିମଳ, ଶୁଦ୍ଧ ବାୟୁ ଓ ପାଣି ପରି ପ୍ରକୃତ ସମସ୍ୟା ଉପରେ ଗୁରୁତ୍ୱ ଦେବା ଅତ୍ୟନ୍ତ ଜରୁରୀ। ନଚେତ ଭବିଷ୍ୟତରେ ଏଭଳି ଘଟଣା ବାରମ୍ବାର ଘଟୁଥିବ।
ଫୋନ- ୯୪୩୭୧୬୬୩୯୧
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/16/polluted-water-2026-01-16-14-49-56.jpg)