/odisha-reporter/media/post_attachments/uploadimage/library/16_9/16_9_0/Industry_1737365128.jpg)
Industry
ଜାନକୀଶ ବଡ଼ପଣ୍ଡା
ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ପ୍ରଦେଶ ଭାବେ ଦୁଃଖଦ ପରିଚିତି ପାଇଥିବା ଓଡ଼ିଶାକୁ ଏବେ କୁହାଯାଉଛି ଅନନ୍ୟ ସୁଯୋଗର ଦେବଭୂମି। ରାଜ୍ୟବାସୀଙ୍କ ଆର୍ଥିକ ଉନ୍ନତି ହୋଇ ନଥିଲେ ବି ରାଜ୍ୟର ଶିଳ୍ପ ଅଭିବୃଦ୍ଧି ଅନ୍ୟମାନଙ୍କ ସମ୍ମୁଖରେ ଉଦାହରଣ ସୃଷ୍ଟି କରି ପାରିଛି। ରାଜ୍ୟରେ ମହଜୁଦ ଥିବା ପ୍ରକୃତିଦତ୍ତ ଖଣିଜ ସମ୍ପଦ ଏବଂ ଶିଳ୍ପ ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟିଭଙ୍ଗି କାରଣରୁ ଓଡ଼ିଶା ଆଜି ଦେଶର ଏକ ପ୍ରମୁଖ ନିବେଶସ୍ଥଳ ଭାବରେ ଉଭା ହୋଇଛି।
ବିଗତ ବର୍ଷମାନଙ୍କରେ ରାଜ୍ୟ ଦେଖିଛି ବିଭିନ୍ନ କ୍ଷେତ୍ରରେ ଶିଳ୍ପର ଅଭିବୃଦ୍ଧି। କିନ୍ତୁ ସବୁବେଳେ ଇସ୍ପାତ, ଆଲୁମିନିୟମ୍ ଓ କୋଇଲା ଭିତ୍ତିକ ଶିଳ୍ପ ଉପରେ ଧ୍ୟାନ ଦିଆଯାଇଛି। ରାଜ୍ୟରେ ଗଚ୍ଛିତ ରହିଥିବା ବିପୁଳ ଲୁହା ପଥର, କ୍ରୋମାଇଟ୍, ବକ୍ସାଇଟ୍ ଭଣ୍ଡାର ରହିଥିବାରୁ ଧାତବ ଶିଳ୍ପ ସହିତ କୋଇଲାକୁ ବ୍ୟବହାର କରି ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସଫଳତା ହାସଲ କରିଛି। ବର୍ତ୍ତମାନ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ତୈଳ ବିଶୋଧନାଗାର ଏବଂ ପର୍ଯ୍ୟଟନ ତଥା ଶିଳ୍ପର ମାନ୍ୟତା ଦିଆଯାଇଥିବା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ସଫଳତା ହାସଲ କରିବାକୁ ପ୍ରଯତ୍ନ କରୁଛି।
ରାଉରକେଲା ଇସ୍ପାତ କାରଖାନା, କଳିଙ୍ଗ ନଗରସ୍ଥିତ ନୀଳାଚଳ ଏବଂ ମେସ୍କୋ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଲା ପରେ ରାଜ୍ୟ ସରକାର ନୂତନ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଜାତୀୟ ଏବଂ ଅନ୍ତର୍ଜାତୀୟ ଇସ୍ପାତ କମ୍ପାନୀଗୁଡ଼ିକ ସହିତ ୪୯ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ରାଜ୍ୟ ଶାସନଭାର ଗ୍ରହଣ କରିଥିବା ନୂତନ ବିଜେପି ସରକାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଉନ୍ନତ ରାଜ୍ୟ ଭାବେ ପରିଗଣିତ କରିବାକୁ ପ୍ରୋତ୍ସାହିତ କରୁଥିବାର ଦେଖିବାକୁ ମିଳୁଛି। ଆଗାମୀ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ପାଇଁ ଲକ୍ଷ୍ୟ ସ୍ଥିର କରାଯାଇଛି।
ଯାଜପୁର ଜିଲ୍ଲା କଳିଙ୍ଗ ନଗରରେ ‘ଇସ୍ପାତ ଶିଳ୍ପନଗରୀ’ (ଇସ୍ପାତ କମ୍ପ୍ଲେକ୍ସ) ୧୩,୦୦୦ ଏକର ଜମି ଉପରେ ପ୍ରତିଷ୍ଠିତ ହୋଇଛି, ଯେଉଁଠାରେ ୯ଟି ପ୍ରମୁଖ ଇସ୍ପାତ କମ୍ପାନୀ ସେମାନଙ୍କର କାରଖାନା ସ୍ଥାପନ କରି, ବାର୍ଷିକ ୩.୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ସହିତ ୪୦,୦୦୦ ନିଯୁକ୍ତି ସୃଷ୍ଟି କରିଛନ୍ତି। ଭାରତ ସରକାରଙ୍କ ଜାତୀୟ ଉତ୍ପାଦନ ନୀତି ଅନୁଯାୟୀ ଓଡ଼ିଶା ସରକାର ଏହି କମ୍ପ୍ଲେକ୍ସକୁ ଜାତୀୟ ନିବେଶ ଉତ୍ପାଦନ କ୍ଷେତ୍ର ଭାବରେ ବିକଶିତ କରିବାକୁ ପ୍ରଚେଷ୍ଟା କରୁଛନ୍ତି।
ରାଜ୍ୟ ସରକାରଙ୍କ ଭିତ୍ତିଭୂମି ଉନ୍ନୟନ ନିଗମ (ଇଡକୋ) ଦ୍ୱାରା ଦୁଇଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର (ଏସଇଜେଡ୍) ବିକଶିତ କରାଯାଇଛି। ପ୍ରଥମଟି ଭୁବନେଶ୍ୱରର ଚନ୍ଦକାରେ ଇନଫୋସିଟି ଭାବେ ୧୪୫.୯୧ ଏକର ଜମିରେ ବିକଶିତ ହୋଇଛି। ଏଥିରେ ମାଇଣ୍ଡ ଟ୍ରି, ଟିସିଏସ୍, ଉଇପ୍ରୋ ଭଳି ସଫ୍ଟୱେର କମ୍ପାନୀମାନେ ସେମାନଙ୍କର ୟୁନିଟ୍ ପ୍ରତିଷ୍ଠା କରିଛନ୍ତି। ଦ୍ୱିତୀୟଟି ଭୁବନେଶ୍ୱର ନିକଟବର୍ତ୍ତୀ ଗୌଡ଼କାଶିପୁରରେ ୨୬୨ ଏକର ଜମି ଉପରେ ପ୍ରତିଷ୍ଠା ପାଇଥିବା ଇନ୍ଫୋ ଭ୍ୟାଲି କ୍ଷେତ୍ର। ସେଠାରେ କେତେକ ନିର୍ଦ୍ଦିଷ୍ଟ ସୂଚନା ବୈଷୟିକ ଏବଂ ବୈଦ୍ୟୁତିକ ଓ ସୂଚନା ବୈଷୟିକ ପ୍ରତିଷ୍ଠାନ କାର୍ଯ୍ୟ କରୁଛନ୍ତି। ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ଶିଳ୍ପପୁଞ୍ଜ (ଇଏମସି) ଯୋଜନା ଅଧୀନରେ ଇଡକୋ ଇନଫୋଭ୍ୟାଲିରେ ଏକ ଇଲେକ୍ଟ୍ରୋନିକ୍ସ ହାର୍ଡୱେୟାର ଉତ୍ପାଦନ ଶିଳ୍ପପୁଞ୍ଜ କ୍ଷେତ୍ର ବିକଶିତ କରୁଛି।
ପାରାଦୀପରେ ଭାରତ ସରକାରଙ୍କ ପେଟ୍ରୋଲିୟମ୍, ରାସାୟନିକ ଏବଂ ପେଟ୍ରୋକେମିକାଲ୍ ନିବେଶ କ୍ଷେତ୍ର ଯୋଜନାରେ (ପିସିପିଆଇଆର୍) ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ସମୁଦାୟ ୨୮୪.୧୫ ବର୍ଗ କିଲୋମିଟର ବା ୭୦,୨୧୪ ଏକର ଜମିରେ ଦୁଇଟି କ୍ଷେତ୍ର ବିକଶିତ ହେଉଛି। ଏହି ଦୁଇଟି କ୍ଷେତ୍ରକୁ ପେଣ୍ଠସ୍ଥଳ ବା ହବ୍ କୁହାଯିବ; ଯାହା ୨ ଲକ୍ଷ ୭୪ ହଜାର କୋଟି ଟଙ୍କାର ନିବେଶ ଆକର୍ଷିତ କରିବ ବୋଲି ଆଶା କରାଯାଉଛି। ପ୍ରକଳ୍ପ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶ ପାଇଁ ଇଡକୋ ଏକ ସ୍ପେସିଆଲ୍ ପରପସ୍ ଭେହିକଲ୍ (ଏସପିଭି) ଗଠନ କରିଛି, ଯାହାର ନାମ ପାରାଦୀପ ନିବେଶ କ୍ଷେତ୍ର ବିକାଶ ଲିମିଟେଡ୍। ପିସିପିଆଇଆରରେ ଶିଳ୍ପ ବିକାଶ ପାଇଁ ଇଡକୋ ପ୍ରାୟ ୭,୪୦୦ ଏକର ଜମି ଅଧିଗ୍ରହଣ କରିଛି।
ଇଣ୍ଡିଆନ୍ ଅଏଲ୍ (ଆଇଓସିଏଲ୍) ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍ ସହିତ ୫,୦୦୦ କୋଟି ଟଙ୍କା ମୂଲ୍ୟରେ ବନ୍ଦର ପରିସରରେ ବାର୍ଷିକ ପାଞ୍ଚ ନିୟୁତ ଟନ୍ ତରଳ ପ୍ରାକୃତିକ ଗ୍ୟାସ ଟର୍ମିନାଲ ପ୍ରତିଷ୍ଠା କରିବା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ପ୍ରାକୃତିକ ଗ୍ୟାସ ଭିତ୍ତିଭୂମି ବିକାଶ ପାଇଁ ଇଣ୍ଡିଆନ୍ ଅଏଲ୍ ଓଡ଼ିଶା ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ଟର୍ମିନାଲରୁ ଉତ୍ପାଦିତ ହେବାକୁ ଥିବା ପ୍ରାକୃତିକ ଗ୍ୟାସ ପିସିପିଆଇଆର ଅଞ୍ଚଳରେ ବିଭିନ୍ନ ଆନୁସଙ୍ଗିକ ଶିଳ୍ପସଂସ୍ଥାକୁ ସୁବିଧାରେ କଞ୍ଚାମାଲ ଯୋଗାଇବା ସହିତ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି।
ଧାମରା ବନ୍ଦର ନିକଟରେ ଇଣ୍ଡିଆନ୍ ଅଏଲ୍ (ଆଇଓସିଏଲ୍) ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ତରଳ ପ୍ରାକୃତିକ ଗ୍ୟାସ ଟର୍ମିନାଲକୁ ଆଧାର କରି, ରାଜ୍ୟ ସରକାର ୪୩ଟି ଗ୍ରାମରେ ୧୦ ହଜାର ଏକର ପରିମିତ ଜମିରେ ଏକ ସ୍ୱତନ୍ତ୍ର ନିବେଶ କ୍ଷେତ୍ର (ଏସ୍ଆଇଆର୍) ବିକଶିତ କରିବାକୁ ଚିନ୍ତା କରୁଛନ୍ତି। ଏହି ଜମିକୁ ବିକ୍ରି ଓ ବନ୍ଧକ କିମ୍ବା ଭାଗରେ ଦେବାକୁ ନିଷେଧାଜ୍ଞା ଅଧିସୂଚିତ କରିଛନ୍ତି। ଏହି କ୍ଷେତ୍ରରେ ଶିଳ୍ପ, ସାମାଜିକ, ଲଜିଷ୍ଟିକ୍ସ, ଆବାସିକ ଇତ୍ୟାଦି ପାଇଁ ନିର୍ଦ୍ଦିଷ୍ଟ ସୀମାବଦ୍ଧ କ୍ଷେତ୍ର ରହିବ। ଏହା ଆଲୁମିନିୟମ ଏବଂ ଇସ୍ପାତ, ସାର ଏବଂ ଅନ୍ୟାନ୍ୟ ଗ୍ୟାସ ଆଧାରିତ ଶିଳ୍ପ ଏବଂ କାଠ ଆଧାରିତ ଶିଳ୍ପ ଇତ୍ୟାଦି ଡାଉନଷ୍ଟ୍ରିମ୍ ଶିଳ୍ପ କ୍ଷେତ୍ରରେ ଉତ୍ପାଦନ ପାଇଁ ସୁଯୋଗ ସୃଷ୍ଟି କରିବ। ପ୍ଲାଷ୍ଟିକ୍ ଏବଂ ପଲିମର କ୍ଷେତ୍ରରେ ନୂତନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାରଙ୍କ ରସାୟନ ଏବଂ ପେଟ୍ରୋକେମିକାଲ୍ସ ବିଭାଗର ପ୍ଲାଷ୍ଟିକ୍ ପାର୍କ ଯୋଜନା ଅଧୀନରେ ଇଣ୍ଡିଆନ୍ ଅଏଲ’ର ବିଶୋଧନାଗାର ପରିସରରେ ପେଟ୍ରୋଲିୟମ୍, ରାସାୟନିକ ଏବଂ ପେଟ୍ରୋକେମିକାଲ୍ ନିବେଶ କ୍ଷେତ୍ରରେ ୧୦୬ କୋଟି ଟଙ୍କା ନିବେଶ ସହିତ ୧୨୦ ଏକର ଜମି ଉପରେ ଏକ ପ୍ଲାଷ୍ଟିକ୍ ପାର୍କ ବିକାଶ କରାଯାଉଛି।
ଇଡକୋ ପକ୍ଷରୁ ୧୫୨.୭୮ ଏକର ଜମିରେ ଭୁବନେଶ୍ୱର ନିକଟସ୍ଥ ଡେରାସରେ ଏକ ସାମୁଦ୍ରିକ ଖାଦ୍ୟ ପାର୍କ ବିକାଶ କରାଯାଉଛି। ଏହି ପ୍ରକଳ୍ପ ଭାରତ ସରକାରଙ୍କ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ମେଗା ଫୁଡ୍ ପାର୍କ ଯୋଜନା ଅଧୀନରେ ବିକଶିତ ହେଉଛି। ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଏହି ଯୋଜନାର ମୋଟ ପ୍ରକଳ୍ପ ମୂଲ୍ୟ ୧୨୫.୪୨ କୋଟି ଟଙ୍କା, ଯେଉଁଥିରେ ୫୦ କୋଟି ଟଙ୍କା ଅନୁଦାନ ସହାୟତା ସାମିଲ୍ ଅଛି।
ଆଲୁମିନିୟମ କ୍ଷେତ୍ରରେ ଡାଉନଷ୍ଟ୍ରିମ୍ ଏବଂ ଆନୁସଙ୍ଗିକ ଶିଳ୍ପ ଗୁଡ଼ିକରେ ଯେଭଳି ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ ଗଢ଼ି ଉଠିବ ଏବଂ ନିବେଶକାରୀମାନେ ପୁଞ୍ଜି ନିବେଶ କରିବାକୁ ପ୍ରୋତ୍ସାହିତ ହେବେ, ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳରେ ୨୨୩ ଏକର ଜମିରେ ଅନୁଗୁଳ ଆଲୁମିନିୟମ ପାର୍କକୁ ଇଡକୋ ଏବଂ ନାଲକୋ ଦ୍ୱାରା ମିଳିତ ଭାବରେ ବିକଶିତ କରାଯାଉଛି। ଏହି ପ୍ରକଳ୍ପ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ ଅଧୀନସ୍ଥ ସଂଶୋଧିତ ଶିଳ୍ପ ଭିତ୍ତିଭୂମି ଉନ୍ନୟନ ଯୋଜନା ଅଧୀନରେ ବିକଶିତ ହେବାକୁ ଯାଉଛି। ଗତବର୍ଷ ଅଗଷ୍ଟ ମାସରେ ଏହାକୁ ଚୂଡ଼ାନ୍ତ ଅନୁମୋଦନ ମିଳିଛି। ଅନୁମୋଦିତ ପ୍ରକଳ୍ପ ମୂଲ୍ୟ ୯୯.୬୦ କୋଟି ଟଙ୍କା, ଯେଉଁଥିରେ ୩୩.୪୪ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ଅନ୍ତର୍ଭୁକ୍ତ। ପାର୍କରେ ୫୦ରୁ ଅଧିକ ଉଦ୍ୟୋଗୀ ସେମାନଙ୍କର ୟୁନିଟ୍ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସେମେଲା ଗ୍ରାମରେ ଇଡକୋ ମାଧ୍ୟମରେ ଏକ କୃଷି ଭିତ୍ତିକ-ଶିଳ୍ପାଞ୍ଚଳ ପ୍ରତିଷ୍ଠା କରୁଛନ୍ତି; ଯାହାର ପ୍ରକଳ୍ପ ମୂଲ୍ୟ ୧୨.୭୬ କୋଟି ଟଙ୍କା। ଏହି କୃଷି ଭିତ୍ତିକ-ଶିଳ୍ପାଞ୍ଚଳ ୬୯.୮୧ ଏକର ଜମିରେ କାର୍ଯ୍ୟକାରୀ ହେଉଛି ଏବଂ ସଂଯୋଗ ରାସ୍ତା, ଡ୍ରେନ୍ କାମ, ବିଦ୍ୟୁତ୍ ଯୋଗାଣ ଏବଂ ଜଳ ଯୋଗାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଏହି କାର୍ଯ୍ୟଗୁଡ଼ିକ ପାଇଁ କୃଷି ବିଭାଗ ୬.୬୨ କୋଟି ଟଙ୍କା ମଞ୍ଜୁର କରିଛି ଯାହା ମଧ୍ୟରୁ ୩ କୋଟି ୩୬ ଲକ୍ଷ ୮୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସଂଯୋଗ ରାସ୍ତାର ପ୍ରଶସ୍ତୀକରଣ ସହିତ ବୃକ୍ଷରୋପଣ ଇତ୍ୟାଦି ଅତିରିକ୍ତ କାର୍ଯ୍ୟ ହେବାକୁ ଯାଉଛି।
ଭୁବନେଶ୍ୱରର ଚନ୍ଦକାସ୍ଥିତ ଇନଫୋସିଟି ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରରେ ୩୩,୦୪୮ ବର୍ଗମିଟର ପରିମିତ କ୍ଷେତ୍ରଫଳ ସହିତ ୨.୩୯ ଏକର ଜମି ଉପରେ ଏକ ‘ଆଇଟି ଇନକ୍ୟୁବେସନ୍ ସେଣ୍ଟର’ ବିକଶିତ କରାଯାଉଛି। ଏହି କମ୍ପ୍ଲେକ୍ସରେ ୨୦୦ ଆସନ ବିଶିଷ୍ଟ ‘ଆଇଟି ଇନକ୍ୟୁବେଟର’ ସହିତ ଦୁଇଟି ଟାୱାର, କମ୍ପାନୀଗୁଡ଼ିକ ପାଇଁ ବିକଶିତ ସ୍ଥାନ, ଏକ ବାଣିଜ୍ୟିକ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ସୁବିଧା ରହିବ। ରପ୍ତାନି ଭିତ୍ତିକ ସଫ୍ଟୱେର୍ କମ୍ପାନୀଗୁଡ଼ିକ ସେମାନଙ୍କର ନିୟମିତ ବିକାଶ କେନ୍ଦ୍ରକୁ ଯିବା ପୂର୍ବରୁ ଏଠାରେ ସେମାନଙ୍କର ପୂର୍ବାଭ୍ୟାସ ସୁବିଧା ଉଠାଇପାରିବେ। ଅଣ୍ଡାରୁ ଚିଆଁ ଫୁଟାଇବା ଯନ୍ତ୍ରକୁ ଇନକ୍ୟୁବେଟର କୁହାଯାଏ। ନୂଆକରି କାର୍ଯ୍ୟ ଆରମ୍ଭ କରୁଥିବା ରପ୍ତାନି ଭିତ୍ତିକ ସଫ୍ଟୱେର୍ କମ୍ପାନୀଗୁଡ଼ିକ ଏହି ଆଇଟି ଇନକ୍ୟୁବେସନ୍ କେନ୍ଦ୍ରରେ ବିକାଶ ଲାଭ କରିବେ। ଏହା ଓଡ଼ିଶାର କୁଶଳୀ ଯୁବ ପ୍ରତିଭାଙ୍କ ପାଇଁ ବରଦାନ ହେବାକୁ ଯାଉଛି।
ଭଦ୍ରକ ଜିଲ୍ଲାର ଧାମନଗର ନିକଟରେ ଉପଲବ୍ଧ ୨୩୪ ଏକର ଜମିରେ ଏକ ଟେକ୍ସଟାଇଲ୍ ପାର୍କ ଏବଂ ଏକ ଫୁଡ୍ ପାର୍କ ପ୍ରତିଷ୍ଠା କରିବାକୁ ଇଡକୋ ଚିନ୍ତା କରିଛି। ଟେକ୍ସଟାଇଲ୍ ପାର୍କ ୧୧୦ ଏକର ଜମିରେ ବିକଶିତ ହେବ; ଯାହା ପାଇଁ ଏକ ଡିପିଆର୍ ବା ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ଭାରତ ସରକାରଙ୍କ ବୟନ ମନ୍ତ୍ରଣାଳୟକୁ ମଞ୍ଜୁର ପାଇଁ ଦାଖଲ କରିଛି। ଏହା ସମନ୍ୱିତ ଟେକ୍ସଟାଇଲ୍ ପାର୍କ ଯୋଜନା ଅଧୀନରେ ପ୍ରତିଷ୍ଠା ହେବାର ସମ୍ଭାବନା ବଢିଛି।
ଦେଶର ମୋଟ କ୍ଷେତ୍ରଫଳର ମାତ୍ର ୪.୮୭ ପ୍ରତିଶତ ସ୍ଥଳଭୂମି ଅଧିକାର କରୁଥିବା ପୂର୍ବ ଉପକୂଳରେ ଅବସ୍ଥିତ ରାଜ୍ୟ ଓଡ଼ିଶା। ଅଥଚ ଏହା ଶିଳ୍ପ ଦୃଷ୍ଟିରୁ ଅନେକ ସ୍ୱତନ୍ତ୍ର। ଓଡ଼ିଶାକୁ ଚାରିପଟରୁ ଘେରି ରହିଛନ୍ତି ସୀମାନ୍ତବର୍ତ୍ତୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶ ରାଜ୍ୟ। ପୂର୍ବ ଉପକୂଳରେ ୪୮୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ବଙ୍ଗୋପସାଗର - ଯାହା ନୌବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶପଥ। ରାଜ୍ୟରେ ଅଛି ଦୁଇଟି ସ୍ମାର୍ଟ ସିଟି - ଭୁବନେଶ୍ୱର ଏବଂ ରାଉରକେଲା। ଏହାର ସମୃଦ୍ଧ ଖଣିଜ ଭଣ୍ଡାର, ବିସ୍ତୃତ ବନ୍ଦର ସୁବିଧା ଓ ସମୃଦ୍ଧ ଶିଳ୍ପ ଭିତ୍ତିଭୂମି ପାଇଁ ପ୍ରସିଦ୍ଧି ଲାଭ କରି ଆସିଥିବା ଏହି ରାଜ୍ୟକୁ ପୂର୍ବଭାରତର ଏକ ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ସ୍ଥାନିତ କରିବାକୁ ଉଦ୍ୟମ କରାଯାଇ ଆସିଛି। ଭାରତର ଶୀର୍ଷ ଖଣିଜ ଉତ୍ପାଦକ ରାଜ୍ୟ ମଧ୍ୟରୁ ଓଡ଼ିଶା ପ୍ରମୁଖ ଭାଗରେ ରହିଛି। ଏଠାରେ ରହିଛି କ୍ରୋମାଇଟ୍, ଲୁହା ପଥର, ବକ୍ସାଇଟ୍ ଏବଂ କୋଇଲାର ବିପୁଳ ଭଣ୍ଡାର। ୨୦୨୨-୨୩ ଆର୍ଥିକ ବର୍ଷରେ, ରାଜ୍ୟ ଭାରତର ମୋଟ ଖଣିଜ ଉତ୍ପାଦନ ମୂଲ୍ୟର ୪୧.୯ ପ୍ରତିଶତରୁ ଅଧିକ ଅବଦାନ ଥିଲା କେବଳ ଓଡ଼ିଶାର। ଏହାର ଉତ୍ପାଦନ ମୂଲ୍ୟ ୬୧.୩୬ ନିୟୁତ ଡଲାର।
ଭାରତର ଧାତବ ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ଓଡ଼ିଶାର ଖଣିଜ ସମ୍ପାଦ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି। ଓଡ଼ିଶାର ଖଣିଜ ସମ୍ପଦ, ଏହାର ରଣନୈତିକ ସ୍ଥାନ ଏବଂ ବିକଶିତ ଭିତ୍ତିଭୂମିକୁ ପରସ୍ପର ସହିତ ଯୋଡ଼ି, ଏହାକୁ ଶିଳ୍ପ ପାଇଁ ଏକ ଆଦର୍ଶ ଗନ୍ତବ୍ୟସ୍ଥଳ କରିବା ପାଇଁ ଚତୁର୍ଥ ଥର ପାଇଁ ଶିଳ୍ପ-ଉଦ୍ୟୋଗୀ ସମାବେଶ ଆଗାମୀ ୨୮ରୁ ୩୦ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି, ଯାହା ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ପ୍ରଥମ ଅଭିଜ୍ଞତା ଆଣିଦେବ। ତାଙ୍କ ସରକାର ରାଜ୍ୟରେ ଶିଳ୍ପ ବିକାଶର ଏକ ନୂତନ ଯୁଗ ଆରମ୍ଭ କରିବାକୁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହି ସାରିଥିବାରୁ ଓ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦ୍ଘାଟନ କରୁ ଥିବାରୁ ଏହାର ମହତ୍ୱ ବଢ଼ି ଯାଇଛି। ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଦେଶରେ ପ୍ରଥମ ଥର ପାଇଁ ସେ ଆରମ୍ଭ କରିଥିବା ‘ଭାଇବ୍ରାଣ୍ଟ ଗୁଜରାତ୍’ ଶିଳ୍ପ ସମାବେଶ ହିଁ ଗୁଜରାତ୍ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିପାରିଥିଲା। ଓଡ଼ିଶାରେ ସେହିପରି ନିଯୁକ୍ତିସୁଯୋଗ ସୃଷ୍ଟି କରିବାକୁ ସମର୍ଥ ଶିଳ୍ପସଂସ୍ଥା ଗଢ଼ି ଉଠିବ ବୋଲି ଓଡ଼ିଶାବାସୀ ଆଶା କରନ୍ତି।
ଉତ୍କର୍ଷ ଓଡ଼ିଶା-୨୦୨୫ ସମ୍ମିଳନୀ ଅନୁଷ୍ଠିତ ହେବାର ଅବ୍ୟବହିତ ପୂର୍ବରୁ ଓଡ଼ିଶାକୁ ଆସି ନିଜ ଦେଶକୁ ଫେରିଯାଇଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶନମୁଗରତ୍ନମ। ପ୍ରଥମ ଥର ପାଇଁ ଓଡ଼ିଶାର ମହତ୍ୱାକାଂକ୍ଷୀ ଶିଳ୍ପ ବିକାଶର ସାଥୀ ହେବାକୁ ଯାଉଛି ସିଙ୍ଗାପୁର। ସିଙ୍ଗାପୁର ହେବ ଆମର ପ୍ରଥମ କଣ୍ଟ୍ରି ପାର୍ଟନର। ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ କରିବା ପାଇଁ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ ସିଙ୍ଗାପୁରର ରାଷ୍ଟ୍ରଦୂତ ସିମନ ୱଙ୍ଗ ୱାଇ କୌନ। ପେଟ୍ରୋକେମିକାଲ, ସହରୀ ଯୋଜନା, ପର୍ଯ୍ୟଟନ, ଶକ୍ତି କ୍ଷେତ୍ରରେ ଉଭୟେ କାର୍ଯ୍ୟ କରିବାକୁ ନିଷ୍ପତି ହୋଇଛି। ଏହି ସମ୍ମିଳନୀରେ ଭାଗ ନେବେ ୫୦୦ ବିଦେଶୀ ନିବେଶକଙ୍କ ସହ ୫୦ ହଜାର ନିବେଶକ। ୧୨ଟି ଦେଶ ଏଥର ରହିବେ କଣ୍ଟ୍ରି ଇନ୍ ଫୋକସ। ଆଶା କରାଯାଇପାରେ ଯେ, ଆଗାମୀ ଦିନରେ ଶିଳ୍ପ ପ୍ରତିଷ୍ଠା କରିବା ବେଳେ ପାରମ୍ପରିକ ଭାବେ ଖଣି-ଭିତ୍ତିକ ବୃହତ୍ ଶିଳ୍ପ ସହିତ ସେମି-କଣ୍ଡକ୍ଟର, ସୌର-ବିଦ୍ୟୁତ୍ ଉତ୍ପାଦନ ପାଇଁ ଆବଶ୍ୟକୀୟ ଶିଳ୍ପ ସାମଗ୍ରୀ, ଆନୁସଙ୍ଗିକ ଶିଳ୍ପ, ବୟନ ଶିଳ୍ପ, ଗ୍ରୀନ୍ ହାଇଡ୍ରୋଜେନ ଉତ୍ପାଦନ ଉପରେ ପ୍ରାଧାନ୍ୟ ଦିଆଯିବା ସହିତ ନୂତନ ଅତ୍ୟାଧୁନିକ ସହର ନିର୍ମାଣ ହେବ, ଆର୍ଥିକ-ବୈଷୟିକ କୌଶଳ ଉନ୍ନତ ହେବ ଏବଂ ତାଲିମପ୍ରାପ୍ତ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବ।
ଆଶା କରିବା ଯେ, ସଫଳତା ସହିତ ଉତ୍କର୍ଷ ଓଡ଼ିଶା-୨୦୨୫ ସମ୍ମିଳନୀ ସରିଗଲା ପରେ ରାଜ୍ୟ ସରକାର ବନ୍ଦ ହୋଇ ଯାଇଥିବା କୃଷିଶିଳ୍ପ ଯଥା- ଚିନିକଳ, ସୂତାକଳ, ଲୁଗାକଳ ଗୁଡ଼ିକୁ ଖୋଲିବା ପାଇଁ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ଓ ଏମଏସ୍ଏମଇଗୁଡ଼ିକୁ କାର୍ଯ୍ୟକ୍ଷମ କରିବେ। ୨୦୩୬ ବେଳକୁ ବିକଶିତ ଓଡ଼ିଶା ଗଠନ କରିବା ପାଇଁ ଓଡ଼ିଶାକୁ ଅଧିକ ଗତିଶୀଳ ହେବାକୁ ପଡ଼ିବ।
ଫୋ- ୯୪୩୮୨୯୯୦୩୭
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
