ଓଡ଼ିଶାରେ ଉଠିବେ କିପରି ଆଦିବାସୀ, ଦଳିତ ଓ ପଛୁଆ ବର୍ଗ?

ପଛୁଆ ତାଲିକାରେ ପ୍ରାୟ ୨୧୦ଟି ଜାତି ରହିଥିବା ବେଳେ ଅନୁସୂଚିତ ଜାତି ତାଲିକାରେ ପ୍ରାୟ ୯୩ଟି ଜାତି ରହିଛନ୍ତି। ଆଦିବାସୀ ତାଲିକାରେ ୬୪ଟି ଆଦିବାସୀ ଗୋଷ୍ଠୀଙ୍କୁ ତାଲିକାଭୁକ୍ତ କରାଯାଇଛି। ଜନଗଣନା ଅନୁସାରେ ଅନୁସୂଚିତ ଜାତି ଓ ଆଦିବାସୀମାନଙ୍କର ମୋଟ ଜନସଂଖ୍ୟାର ପ୍ରାୟ ୪୦ ଭାଗ। ରାଜ୍ୟରେ ଥିବା ଖ୍ରୀଷ୍ଟିଆନ୍, ଇସଲାମ୍, ବୌଦ୍ଧ ବା ଜୈନମାନଙ୍କ ସଂଖ୍ୟା ଲୋକସଂଖ୍ୟାର ପ୍ରାୟ ୫ ଭାଗ। ଏମାନେ ମୂଳତଃ ଆଦିମ ଜନଜାତି ଓ ତଫସିଲଭୁକ୍ତ ଜାତିର ଲୋକ। ଏସମସ୍ତଙ୍କୁ ମିଶାଇଲେ ରାଜ୍ୟର ପ୍ରାୟ ୪୫ ଭାଗ ଲୋକ ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ।

Tribal People

  • Published: Monday, 11 November 2024
  • , Updated: 11 November 2024, 05:22 PM IST

ରବି ଦାସ

ଗତ ସପ୍ତାହରେ ଅସମାନତାର ଭାରତ ଓ ସେଥିରେ ଓଡ଼ିଶାର ଅବସ୍ଥା ସମ୍ପର୍କରେ ଜଣେ ସାମାଜିକ ଆନ୍ଦୋଳନକାରୀ ମାନସ ଜେନା ଲେଖିଥିବା ଏକ ପ୍ରବନ୍ଧ ପୁସ୍ତକ ଉନ୍ମୋଚିତ ହୋଇଛି। ଭାରତରେ ସାମାଜିକ ଓ ଅର୍ଥନୈତିକ ବୈଷମ୍ୟ ଗତ ୩୦ ବର୍ଷରେ ବିଶେଷ ଭାବରେ ବଢ଼ିଥିବା ସମ୍ପର୍କରେ ବିଭିନ୍ନ ଅର୍ଥନୀତିଜ୍ଞ ଓ ଅକ୍ସଫାମ୍ ପ୍ରଭୃତି ଆନ୍ତର୍ଜାତିକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି। ରାଷ୍ଟ୍ରୀୟ ସମ୍ପତିର ଶତକଡ଼ା ୪୦ ଭାଗ ଉପରେ ଶତକଡ଼ା ୧ ଭାଗ ଲୋକଙ୍କ ହାତରେ ଅଛି। ସେହିପରି ରାଷ୍ଟ୍ରୀୟ ଆୟର ଶତକଡ଼ା ୨୪ ଭାଗ ସେହି ୧ ଭାଗ ଲୋକଙ୍କ ହାତରେ ରହିଛି।

ଭାରତୀୟ ଗଣତନ୍ତ୍ରର ମୂଳମନ୍ତ୍ର ହେଲା ସମାନତା। ଯଦିଓ ଦେଶରେ ସମସ୍ତ ଲୋକଙ୍କର ହାତରେ ଗୋଟିଏ ଲେଖାଏଁ ଭୋଟ୍ ରହିଛି, ହେଲେ ଦେଶରେ ରହିଥିବା ବିପୁଳ ସାମାଜିକ ଓ ଆର୍ଥିକ ବୈଷମ୍ୟ ଏପରି ଅବସ୍ଥାକୁ ଆସିଛି ଯେଉଁଠାରେ ଭାରତୀୟ ଗଣତନ୍ତ୍ରରେ ରାଜନୈତିକ ସମାନତା ପାଇଁ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ନଷ୍ଟ ହେବାକୁ ବସିଛି। ମାନସ ଜେନାଙ୍କ ପୁସ୍ତକରେ ଭାରତରେ ସାମାଜିକ-ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ରହିଥିବା ବୈଷମ୍ୟ ଲୋକମାନଙ୍କର ସମସ୍ତ ପ୍ରକାର ମାନବିକ ଅଧିକାର ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ଅଧିକାରକୁ କିପରି କ୍ଷୁଣ୍ଣ କରୁଛି, ସେଗୁଡ଼ିକ ସଂକ୍ରାନ୍ତରେ ସରକାରଙ୍କର ବିଭିନ୍ନ ରିପୋର୍ଟକୁ ଆଧାର କରି ତଥ୍ୟମାନ ପ୍ରକାଶ ପାଇଛି। ଏହି ରିପୋର୍ଟ ଗୁଡ଼ିକରେ କୁହାଯାଇଛି ଯେ, ଭାରତ ବିଶ୍ୱର ସବୁଠାରୁ ଅସମାନତାର ଦେଶ।

ଭାରତରେ ଆଦିମ ଜନଜାତି, ଧର୍ମ ଓ ଅଞ୍ଚଳ ଆଧାରରେ ଅସମାନତାର ଜଡ଼ ଯେପରି ସ୍ୱାଧୀନତା ପୂର୍ବରୁ ରହିଥିଲା, ସ୍ୱାଧୀନ ହେଲା ପରେ ମଧ୍ୟ ତାହା କମିପାରି ନାହିଁ। ବରଂ ଅନେକ କ୍ଷେତ୍ରରେ ବଢ଼ିଛି। କିନ୍ତୁ ମାନସ ଜେନାଙ୍କ ପୁସ୍ତକରେ ଓଡ଼ିଶାରେ ସାମାଜିକ ଅସମାନତାର ଓ ତାହାକୁ କେନ୍ଦ୍ରକରି ରହିଥିବା ଆର୍ଥିକ ଓ ଅନ୍ୟାନ୍ୟ ଅସମାନତାର ପର୍ଯ୍ୟାୟକ୍ରମେ ତଥ୍ୟସବୁ ଦିଆଯାଇଛି। ଓଡ଼ିଶାର ଲୋକସଂଖ୍ୟା ୨୦୧୧ ଜନଗଣନା ଅନୁସାରେ ୪ କୋଟିରୁ ଅଧିକ। ଏଥିରୁ ଶତକଡ଼ା ୯୪ ଭାଗ ହିନ୍ଦୁ।

ଜାତି ଜନଗଣନା ହୋଇନଥିବାରୁ ଓଡ଼ିଶାରେ ପଛୁଆ ଶ୍ରେଣୀ (ଓବିସି) ତାଲିକାରେ କେତେ ଜାତିର କେତେ ଲୋକ ଅଛନ୍ତି, ତାହା କୁହାଯାଇ ପାରୁନଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା ପ୍ରାୟ ପଚାଶ ଭାଗ ହେବ ବୋଲି ହିସାବ କରାଯାଉଛି। ପଛୁଆ ତାଲିକାରେ ପ୍ରାୟ ୨୧୦ଟି ଜାତି ରହିଥିବା ବେଳେ ଅନୁସୂଚିତ ଜାତି ତାଲିକାରେ ପ୍ରାୟ ୯୩ଟି ଜାତି ରହିଛନ୍ତି। ଆଦିବାସୀ ତାଲିକାରେ ୬୪ଟି ଆଦିବାସୀ ଗୋଷ୍ଠୀଙ୍କୁ ତାଲିକାଭୁକ୍ତ କରାଯାଇଛି। ଜନଗଣନା ଅନୁସାରେ ଅନୁସୂଚିତ ଜାତି ଓ ଆଦିବାସୀମାନଙ୍କର ମୋଟ ଜନସଂଖ୍ୟାର ପ୍ରାୟ ୪୦ ଭାଗ। ରାଜ୍ୟରେ ଥିବା ଖ୍ରୀଷ୍ଟିଆନ୍, ଇସଲାମ୍, ବୌଦ୍ଧ ବା ଜୈନମାନଙ୍କ ସଂଖ୍ୟା ଲୋକସଂଖ୍ୟାର ପ୍ରାୟ ୫ ଭାଗ। ଏମାନେ ମୂଳତଃ ଆଦିମ ଜନଜାତି ଓ ତଫସିଲଭୁକ୍ତ ଜାତିର ଲୋକ। ଏସମସ୍ତଙ୍କୁ ମିଶାଇଲେ ରାଜ୍ୟର ପ୍ରାୟ ୪୫ ଭାଗ ଲୋକ ଅନୁସୂଚିତ ଜାତି ଜନଜାତି ଓ ସଂଖ୍ୟାଲଘୁ।

ରାଜ୍ୟରେ ଅନୁସୂଚିତ ଜାତିମାନଙ୍କର ସଂଖ୍ୟା ମୋଟ୍ ଜନସଂଖ୍ୟାର ପ୍ରାୟ ୧୮ ଭାଗ। ଏହି ଗୋଷ୍ଠୀ ବିଭିନ୍ନ ସମୟରେ ଅସ୍ପୃଶ୍ୟତାର ଶିକାର ହୋଇ ଆସିଛନ୍ତି। ଯଦିଓ ସମ୍ବିଧାନରେ ଅସ୍ପୃଶ୍ୟତାକୁ ସମ୍ପୁର୍ଣ୍ଣ ଭାବରେ ବାରଣ କରାଯାଇଛି, ତଥାପି ଅସ୍ପୃଶ୍ୟତାର ଚିତ୍ର ଭିନ୍ନଭିନ୍ନ ରୂପରେ ଗ୍ରାମାଞ୍ଚଳମାନଙ୍କରେ ରହିଛି। ଏହି ଲୋକମାନଙ୍କୁ ସର୍ବସାଧାରଣ ସମ୍ପତି ବ୍ୟବହାର ଉପରେ କଟକଣା ରହିଛି। ଏମାନେ ବରାବର ଭେଦଭାବର ଏପରି ଶିକାର ହୋଇଛନ୍ତି ଯେ, ସମସ୍ତଙ୍କ ଅଧିକାର ସମାନ ବୋଲି ଗାଁରେ କହିବାକୁ ସାହସ କରିବା ମଧ୍ୟ କଷ୍ଟକର। ସରକାରଙ୍କ ଗୃହ ବିଭାଗର ତଥ୍ୟ ଅନୁସାରେ ଗଲା ୧୦ ବର୍ଷ ଭିତରେ ଅନୁସୂଚିତ ଜାତିମାନଙ୍କ ଉପରେ ୨୫ ହଜାରରୁ ଅଧିକ ନିର୍ଯାତନା ମାମଲା ରେକର୍ଡ କରାଯାଇଛି। ଏହାର ପ୍ରକୃତ ସଂଖ୍ୟା ଯଥେଷ୍ଟ ଅଧିକ ହୋଇପାରେ। ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋର ତଥ୍ୟ ଅନୁସାରେ ୨୦୨୧ରେ ଓଡ଼ିଶାରେ ଏସସି-ଏସଟି ଆଇନ୍ ଅନୁସାରେ ପ୍ରାୟ ୨୨ ହଜାର ମାମଲା ବିଚାରାଧୀନ ରହିଛି। ୩୫୦୦ ମାମଲାର ତଦନ୍ତ ଚାଲିଛି। ଗତ ୨ ବର୍ଷରେ ଏସସି କେସରେ ମାତ୍ର ଜଣେ ବ୍ୟକ୍ତି ଦଣ୍ଡିତ ହୋଇଥିବା ବେଳେ ଏସଟି କେସରେ କେହି ବି ଦଣ୍ଡିତ ହୋଇନାହାନ୍ତି। ଓଡ଼ିଶାର ଜେଲଗୁଡ଼ିକରେ ୨୦୨୧ ତଥ୍ୟ ଅନୁସାରେ ୨୦ ହଜାର ୭୭୯ ଜଣ ବନ୍ଦୀ ରହିଥିବା ବେଳେ ସେମାନଙ୍କ ଭିତରୁ ୬,୩୪୧ ଜଣ ଅନୁସୂଚିତ ଜାତି, ୫,୨୫୬ ଜଣ ଆଦିବାସୀ, ୨,୬୪୪ ଜଣ ହେଲେ ସଂଖ୍ୟାଲଘୁ। ଏମାନଙ୍କୁ ମିଶାଇଲେ ସେମାନେ ଜନସଂଖ୍ୟା ହାର ତୁଳନାରେ ବହୁ ଅଧିକ ହାରରେ ଜେଲରେ ଅଛନ୍ତି।

ଓଡ଼ିଶାର ଅସମାନତାର ଚିତ୍ର ବିଭିନ୍ନ ସାମାଜିକ ଗୋଷ୍ଠୀମାନଙ୍କ ହାତରେ ଥିବା ଜମି ମାଲିକାନା ପରିମାଣରୁ ଜାଣିହେବ। ଓଡ଼ିଶାରେ ଅନୁସୂଚିତ ଜାତିର ଲୋକସଂଖ୍ୟା ଯାହା ସେହି ଓଡ଼ିଶାରେ ସେମାନଙ୍କ ହାତରେ ଜମି ମାଲିକାନା ନାହିଁ। ଏମାନଙ୍କ ହାତରେ ଥିବା ଲ୍ୟାଣ୍ଡ ହୋଲ୍ଡିଙ୍ଗ୍ ମଧ୍ୟରୁ ତିନି ଚତୁର୍ଥାଂଶ ହେଉଛନ୍ତି ନାମକୁ ମାତ୍ର ଚାଷୀ। ଅର୍ଥାତ୍ ସେମାନଙ୍କର ଜମି ପରିମାଣ ଏକ ହେକ୍ଟରରୁ କମ୍। ଦଳିତମାନଙ୍କ ଭିତରୁ ମାତ୍ର ୧୫୦ ଜଣଙ୍କର ୧୦ ହେକ୍ଟରରୁ ଅଧିକ ଜମି ରହିଛି। ଅବଶ୍ୟ ଜମି ମାଲିକାନା କ୍ଷେତ୍ରରେ ଆଦିବାସୀମାନଙ୍କ ପାଖରେ ଅନୁସୂଚିତ ଜାତିମାନଙ୍କ ଠାରୁ ଯଥେଷ୍ଟ ଅଧିକ ଜମି ରହିଛି। ଅନୁସୂଚିତ ଜାତି ଓ ଜନଜାତିର ବିକାଶ ପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ସ୍କିମ୍ ଜରିଆରେ ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ କୃଷିର ଉନ୍ନତି ପାଇଁ ଅର୍ଥବ୍ୟୟ କରୁଛନ୍ତି। ତଥାପି ଓଡ଼ିଶାରେ ସବୁକ୍ଷେତ୍ରରେ ଆଦିବାସୀମାନେ ହିଁ ପଛରେ ପଡ଼ି ରହିଛନ୍ତି। ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେଥିବା ଲୋକସଂଖ୍ୟାରେ ଆଦିବାସୀମାନେ ହିଁ ସବୁଠାରୁ ପଛରେ ଅଛନ୍ତି।

୨୦୧୧-୧୨ରେ ପ୍ରକାଶିତ ତଥ୍ୟ ଅନୁସାରେ ରାଜ୍ୟର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକମାନଙ୍କ ଭିତରେ ଆଦିବାସୀ ଜନସଂଖ୍ୟା ଶତକଡ଼ା ୪୫। ୨୦୨୧ ଜଣଗଣନା ହୋଇନାହିଁ। ନିତି ଆୟୋଗର ହିସାବ ଅନୁସାରେ ଓଡ଼ିଶାରେ ଦାରିଦ୍ର୍ୟ ସୀମାରେଖା ତଳେ ଲୋକଙ୍କ ସଂଖ୍ୟା କମିଯାଇଥିବା କୁହାଯାଉଥିଲେ ମଧ୍ୟ ଏହାକୁ ଏକ ସମ୍ପୂର୍ଣ୍ଣ ତଥ୍ୟ ଭାବରେ ନିଆଯାଇ ପାରୁନାହିଁ। କିନ୍ତୁ ଏହି ସଂଖ୍ୟାରେ ମଧ୍ୟ ଆଦିବାସୀମାନଙ୍କ ସଂଖ୍ୟା ସବୁଠୁ ଅଧିକ। ଦାରିଦ୍ର୍ୟ ସୂଚକାଙ୍କ ଆଧାରରେ ନିତି ଆୟୋଗ ୨୦୨୧ରେ ୧୦ଟି ଗରିବ ରାଜ୍ୟ ମଧ୍ୟରେ ଓଡ଼ିଶାକୁ ସ୍ଥାନୀତ କରିଥିଲା। ସେହି ରିପୋର୍ଟ ଅନୁଯାୟୀ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, ମୟୂରଭଞ୍ଜ ଓ କନ୍ଧମାଳ ଇତ୍ୟାଦି ଜିଲ୍ଲାମାନଙ୍କରେ ପ୍ରାୟ ୬୦ ଭାଗ ଲୋକ ଗରିବ। ରାଜ୍ୟରେ ତିରିଶ ପ୍ରତିଶତ ଲୋକ ଗରିବ ଥିଲାବେଳେ ଆଦିବାସୀମାନଙ୍କ କ୍ଷେତ୍ରରେ ତାହା ୪୩ ଭାଗ ରହିଛି।

ଓଡ଼ିଶାରେ ଭୁସଂସ୍କାର ଜରିଆରେ ଦଳିତ ଆଦିବାସୀମାନଙ୍କୁ ଜମି ଉପଲବ୍ଧ କରାଇବା ଓ ସେମାନଙ୍କ ଜମି ଯେପରି ଅନ୍ୟମାନେ ହଡ଼ପ ନକରନ୍ତି ସେଥିପାଇଁ ବ୍ୟବସ୍ଥା କରିବା ମୂଳଲକ୍ଷ୍ୟ ହୋଇଥିଲା। ଆଦିବାସୀ ଅଞ୍ଚଳରେ ଆଦିବାସୀମାନଙ୍କ ଜମି କେହି ଯେପରି ନେଇ ନପାରିବେ ସେଥିପାଇଁ ଆଇନ ହୋଇଥିଲେ ମଧ୍ୟ ନାନା ପ୍ରକାର ବେଆଇନ ଭାବରେ ଆଦିବାସୀମାନଙ୍କ ହାତରୁ ଜମି ହଡ଼ପ କରାଯାଉଛି। ଅଧିକାଂଶ ଦଳିତ ଓ ଆଦିବାସୀମାନେ କୃଷି କ୍ଷେତ୍ର ଉପରେ ନିର୍ଭରଶୀଳ ହେଲେ ମଧ୍ୟ ସେମାନଙ୍କ ହାତକୁ ଜମି ଦିଆଯାଉ ନାହିଁ। ଆଇନର ସୁରକ୍ଷା ଆଦିବାସୀମାନଙ୍କୁ କିଛି ସୁବିଧା ଦେଇଥିଲେ ମଧ୍ୟ ଦଳିତମାନଙ୍କ ପାଇଁ ସେହି ସୁବିଧା ନାହିଁ।

ଓଡ଼ିଶାର ବିକାଶରେ ଖଣିଜ ସମ୍ପଦ ପ୍ରମୁଖ ଭୂମିକା ଗ୍ରହଣ କରୁଛି। କିନ୍ତୁ ଏହି ସମସ୍ତ ଖଣିଜ ସମ୍ପଦ ଯେଉଁସବୁ ଅଞ୍ଚଳରେ ରହିଛି, ତାହା ଉପରେ ରାଜ୍ୟର ଆଦିବାସୀ, ଦଳିତ, ପଛୁଆ ବର୍ଗ ଓ ଗରିବ ଲୋକମାନେ ହିଁ ଅଛନ୍ତି। ଖଣିଜ ସମ୍ପଦ ଖନନ ଯୋଗୁ ସେମାନେ ଜମି ହରାଉଛନ୍ତି। ସେମାନଙ୍କ ଜଙ୍ଗଲ ସମ୍ପଦ ନଷ୍ଟ ହେଉଛି। ଫଳରେ ଝରଣା ଓ ନଦୀ ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ଖଣିଜ ସମ୍ପଦ ଖନନ ଦ୍ୱାରା ରାଜ୍ୟ ସରକାର କିଛି ରୟାଲିଟି ପାଉଛନ୍ତି ସିନା ହେଲେ ରାଜ୍ୟର ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଯେଉଁମାନେ ବର୍ଷବର୍ଷ ଧରି ସେହିସବୁ ଅଞ୍ଚଳରେ ବସବାସ ଜୀବିକା ଅର୍ଜନ କରୁଥିଲେ, ସେମାନେ କର୍ମଚ୍ୟୁତ ହୋଇଛନ୍ତି। ଫଳରେ ସେମାନେ ବହୁ ସଂଖ୍ୟାରେ ଦାଦନ ଶ୍ରମିକ ଭାବେ ଯିବାକୁ ବାଧ୍ୟ ହୋଇଛନ୍ତି।

ଖଣିଜ ସମ୍ପଦର ମାଲିକାନା, ପରିଚାଳନା ଓ ନିୟନ୍ତ୍ରଣ ବିଷୟରେ ସ୍ଥାନୀୟ ଲୋକମାନଙ୍କୁ ବିଶ୍ୱାସକୁ ନେଇ କୌଣସି ନିୟମ ପ୍ରଣୟନ କରାଯାଇ ନାହିଁ। ଖଣିଜ ସମ୍ପଦରୁ ହେଉଥିବା ଆୟର କେତେଭାଗ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଅଞ୍ଚଳର ଆଦିବାସୀ, ଦଳିତ ଓ ପଛୁଆ ବର୍ଗର ଲୋକମାନେ ପାଇପାରିବେ ସେ ସଂକ୍ରାନ୍ତରେ ଆଇନ ହେବା ଦରକାର। ଖଣିଜ ବିକାଶ ଦ୍ୱାରା ବା ଅଧିକ ଖଣିଜ ଆୟ ଦ୍ୱାରା ଯଦି ରାଜ୍ୟରେ ଆର୍ଥିକ ଓ ସାମାଜିକ ଅସମାନତା ଦୂର ହେବା ପରିବର୍ତ୍ତେ ବୃଦ୍ଧି ପାଇଲା ଓ ଯେଉଁମାନେ ଖଣି ଯୋଗୁ କ୍ଷତିଗ୍ରସ୍ତ ହେଲେ ସେମାନେ ପୂରାପୂରି ହଜିଯିବା ସ୍ଥିତିକୁ ଗଲେ ତାହାକୁ କିପରି ଭାବରେ ବିକାଶ କୁହାଯିବ? ଖଣି ଅଞ୍ଚଳର ଖାଲି ସ୍ଥାନକୁ ପୂରଣ କରି ଜଙ୍ଗଲ ସୃଷ୍ଟି ପାଇଁ ସରକାରଙ୍କ ପାଖରେ ଅର୍ଥ ରହିଛି। ଯଦି ପ୍ରକୃତରେ ଆନ୍ତରିକତା ସହିତ ଖଣିଜ ଅଞ୍ଚଳକୁ ପୁଣି ଥରେ ସବୁଜମୟ କରାଯାଇ ପାରନ୍ତା ଓ ସେହି ଜମିଗୁଡ଼ିକୁ ସେଠାରୁ ଜୀବନଜୀବିକା ହରାଇଥିବା ଆଦିବାସୀ, ଦଳିତ ଓ ପଛୁଆ ବର୍ଗ ଭିତରେ ବଣ୍ଟାଯାଇ ପାରନ୍ତା ତେବେ ଅସମାନତା ଦୂରୀକରଣରେ ତାହା ଏକ ବଡ଼ ମାଧ୍ୟମ ହୋଇପାରନ୍ତା।

ମାନସ ଜେନାଙ୍କ ପୁସ୍ତକରେ ନ୍ୟାୟପାଳିକା, ଗଣମାଧ୍ୟମ, ବିଶ୍ୱ ବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ ପ୍ରମୁଖ ବିଭିନ୍ନ ସ୍ଥାନରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗର ପ୍ରତିନିଧିତ୍ୱ ବସ୍ତୁତଃ ନଗଣ୍ୟ ବୋଲି ଦର୍ଶାଯାଇଛି। ଦଳିତ ଓ ଆଦିବାସୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ସତ୍ତ୍ୱେ ସବୁ ସ୍ତରରେ ଏହା କାର୍ଯ୍ୟକାରୀ ହେଉନାହିଁ। ବିଶେଷ ଭାବରେ ଉଚ୍ଚସ୍ତରରେ ଆନୁପାତିକ ପ୍ରତିନିଧିତ୍ୱ କମିଯାଉଛି। ଆଦିବାସୀମାନଙ୍କ କ୍ଷେତ୍ରରେ ଏହା ବେଶ୍ ସ୍ପଷ୍ଟ। ଯେହେତୁ ମୁକ୍ତବଜାର ଅର୍ଥନୀତିରେ ସରକାରୀ ଉଦ୍ୟୋଗ ଓ ବ୍ୟବସ୍ଥାକୁ ସଂକୁଚିତ କରାଯାଇ ଖୋଲାପୁଞ୍ଜି ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ସେହିମାନଙ୍କ ଜରିଆରେ ବିକାଶ ସମ୍ଭବ ବୋଲି କୁହାଯାଉଛି, ସେହେତୁ ଘରୋଇ ଉଦ୍ୟୋଗରେ ସଂରକ୍ଷଣ ଜରୁରୀ ହୋଇପଡ଼ିଛି। ଯେଉଁ ପୁଞ୍ଜିପତିମାନେ ଓଡ଼ିଶାରୁ ଜମି, ଜଳ ଓ ସର୍ବୋପରି ଖଣିଜ ସମ୍ପଦର ସୁଯୋଗ ପାଉଛନ୍ତି ଓ ଯେଉଁମାନଙ୍କ କାରଖାନା ଯୋଗୁ ବାୟୁମଣ୍ଡଳ ଓ ଜଳପ୍ରବାହ ପ୍ରଦୂଷିତ ହେଉଛି ସେମାନେ ରାଜ୍ୟରେ ପଛରେ ପଡ଼ିଥିବା ଦଳିତ, ଆଦିବାସୀ ଓ ପଛୁଆବର୍ଗକୁ ସଂରକ୍ଷଣ ସୁବିଧା ଦେବେ ନାହିଁ କାହିଁକି?

ଘରୋଇ ଶିଳ୍ପ ଓ ବ୍ୟବସାୟରେ ଅଧିକାଂଶ ନିଯୁକ୍ତି, ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ କରାଯାଉଛି। ମେଧାବୀ ଭିତିରେ ପରୀକ୍ଷା ହୋଇ ସେମାନେ ନିଯୁକ୍ତି ଦିଅନ୍ତି ନାହିଁ। କେବଳ ଯୋଗ୍ୟତା ଥିବା ଲୋକଙ୍କୁ ଚିହ୍ନା ପରିଚୟ ଓ ଯୋଗାଯୋଗ ମାଧ୍ୟମରେ ନିଯୁକ୍ତି ଦିଆଯାଏ। ଫଳରେ ଯେଉଁ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କର ଉଚ୍ଚ ସ୍ତରରେ ଯୋଗାଯୋଗ ନାହିଁ, ସେମାନେ କିପରି ନିଯୁକ୍ତି ପାଇପାରିବେ? ତେଣୁ ଘରୋଇ ଉଦ୍ୟୋଗରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ନକଲେ ଦେଶରେ ଅସମାନତା ସାମାଜିକ ଓ ଆର୍ଥିକ ବ୍ୟବସ୍ଥା ଯୋଗୁ ବର୍ଷବର୍ଷ ଧରି ଶୋଷିତ ହୋଇ ଆସୁଥିବା ଶ୍ରେଣୀ ତଥାକଥିତ ମୁକ୍ତବଜାର ଓ ନବଉଦାରବାଦ ଅର୍ଥନୀତିରେ ସମ୍ପୂର୍ଣ୍ଣ ପେଷି ହୋଇଯିବେ। ଓଡ଼ିଶା ପରି ଖଣିଜ ସମ୍ପଦଭରା ରାଜ୍ୟରେ ଏହାର ଖଣିଜ ସମ୍ପଦକୁ ନଷ୍ଟ କରିବା ପୂର୍ବରୁ ଏଥିରେ ପ୍ରକୃତ ଭାଗିଦାରୀମାନଙ୍କୁ ସମ୍ପତିରେ ଅଂଶିଦାର କରିବା ପାଇଁ ସଂରକ୍ଷଣ ରାଜନୀତିକୁ ଆହୁରି ସଂପ୍ରସାରିତ କରିବାକୁ ପଡ଼ିବ।

ଫୋ- ୯୪୩୭୪୦୪୪୫୫

Related story