Advertisment

ବିହାରରେ ଭୋଟର୍ ତାଲିକାର ଇଂଟେନ୍‌ସିଭ ସଂଶୋଧନ

ବିହାରରେ ପ୍ରକାଶିତ ତଥ୍ୟ ଅନୁସାରେ ସେଠାରେ ପ୍ରାୟ ୮ କୋଟି ୮ ଲକ୍ଷ ଭୋଟର୍ ଚଳିତ ବର୍ଷ ହେବାକଥା । ସେମାନଙ୍କ ମଧ୍ୟରୁ ୧୯୮୭ ପରେ ଜନ୍ମଗ୍ରହଣ କରିଥିବା ଲୋକମାନେ ଯେଉଁମାନଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ସେମାନଙ୍କୁ ନାଗରିକତାର ପ୍ରମାଣ ଦେବାକୁ ପଡ଼ିବ । ଏହିସଂଖ୍ୟା ପ୍ରାୟ ୪ କୋଟି ୭୬ ଲକ୍ଷ ହେବ ବୋଲି କୁହାଯାଉଥିଲା ବେଳେ ନିର୍ବାଚନ କମିସନ୍ କହୁଛନ୍ତି ଯେ, ୨୦୦୩ର ଇଂଟେନସିଭ ଭୋଟର୍ ତାଲିକା ସଂଶୋଧନ ଭିତିରେ ଦେଖିଲେ ଆଉ ମାତ୍ର ୨ କୋଟି ୯୪ ଲକ୍ଷ ଭୋଟରଙ୍କୁ ସେମାନଙ୍କ ନାଗରିତାର ପ୍ରମାଣ ପ୍ରଦାନ କରିବାକୁ ପଡ଼ିବ ।

Voter

Voter

Advertisment
  • ରବି ଦାସ

ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ଭାବରେ ଭୋଟର୍ ତାଲିକାର ତନ୍ନତନ୍ନ ସଂଶୋଧନ ପ୍ରକ୍ରିୟା ଯେପରି ଭାବରେ ନିର୍ବାଚନ କମିସନ୍ ଆରମ୍ଭ କରିଛନ୍ତି, ତାହାକୁ ନେଇ ଦେଶରେ ବିରୋଧୀ ଦଳମାନଙ୍କ ପକ୍ଷରୁ ତୀବ୍ର ସମାଲୋଚନା କରାଯାଉଛି । ଯଦିଓ ସମ୍ବିଧାନ ଅନୁସାରେ ଭୋଟର୍ ତାଲିକା ପ୍ରସ୍ତୁତ କରିବା କାମ ନିର୍ବାଚନ କମିସନର । ସମ୍ବିଧାନରେ ଏଥିପାଇଁ ନିର୍ବାଚନ କମିସନକୁ କ୍ଷମତା ପ୍ରଦାନ କରାଯାଇଛି । ସେହିପରି ସମ୍ବିଧାନ ଅନୁସାରେ ଦେଶର ପ୍ରତ୍ୟେକ ନାଗରିକ ଯେଉଁମାନଙ୍କର ବୟସ ୧୮ ବର୍ଷରୁ ଊର୍ଦ୍ଧ୍ୱ ସେମାନେ ଭୋଟର୍ ହୋଇପାରିବେ । ଲୋକପ୍ରତିନିଧି ଆଇନରେ ଏଥିପାଇଁ ଭୋଟର୍ ତାଲିକା ପ୍ରସ୍ତୁତ କରିବାର ଦାୟିତ୍ୱ ନିର୍ବାଚନ କମିସଙ୍କ ହାତରେ ରହୁଛି । ଦେଶରେ ପ୍ରଥମରୁ ହୋଇ ଆସୁଥିବା ଭୋଟର୍ ତାଲିକା ପ୍ରସ୍ତୁତିରେ ନିର୍ବାଚନ କମିସନ୍ ପକ୍ଷରୁ ସରକାରୀ ଅଧିକାରୀମାନେ ଘରକୁ ଘର ଯାଇ ଭୋଟର୍ ତାଲିକା ପ୍ରସ୍ତୁତ କରୁଥିଲେ । ପରବର୍ତୀ ଅବସ୍ଥାରେ ପ୍ରତିବର୍ଷ ଗୋଟିଏ ନିର୍ଦ୍ଦଷ୍ଟ ସମୟରେ ଭୋଟର୍ ତାଲିକାରେ ସଂଶୋଧନ ପାଇଁ ବ୍ୟବସ୍ଥା ହୁଏ ଓ ବର୍ଷ ଶେଷରେ ଭୋଟର୍ ତାଲିକା ପ୍ରକାଶ ପାଏ । ମଝିରେ ମଝିରେ ଭୋଟର୍ ତାଲିକାରେ ତନ୍ନ ତନ୍ନ ସଂଶୋଧନ ପାଇଁ ଯେତେବେଳେ ବ୍ୟବସ୍ଥା ହୁଏ ସେତେବେଳେ ମଧ୍ୟ ସରକାରୀ ଅଧିକାରୀ ଘରକୁ ଘର ଯାଇ ଏହି ସଂଶୋଧନ କରନ୍ତି । କୌଣସି ଲୋକଙ୍କର ମୃତ୍ୟୁ ହୋଇଗଲେ ବା କୌଣସି ବ୍ୟକ୍ତି ନିର୍ଦ୍ଧାରିତ ବୟସସୀମା ଯାହା ପୂର୍ବରୁ ୨୧ ଥିଲା ଓ ୧୯୮୯ ପରଠାରୁ ୧୮ ହୋଇଛି ସେମାନେ ନୂଆ ଭୋଟର୍ ଭାବରେ ନିଜର ନାମ ସାମିଲ୍ କରନ୍ତି । କିନ୍ତୁ ଏବେ ବିହାରରେ ସ୍ୱତନ୍ତ୍ର ଇଂଟେନ୍‌ସିଭ ଭୋଟର୍ ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିସନର ବିଧାନସଭା ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ହଠାତ୍ ମାତ୍ର ଗୋଟିଏ ମାସ ସମୟ ଦେଇ ନାଗରିକମାନେ ସେମାନଙ୍କର ନାମ ଭୋଟର୍ ତାଲିକାରେ ରେଜିଷ୍ଟ୍ରି କରିବା ନିମନ୍ତେ ବିଭିନ୍ନ ପ୍ରମାଣ ପତ୍ର ଦେବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ସେଥିରେ ଏକ ସନ୍ଦେହ ସୃଷ୍ଟି ହେଉଛି ଯେ, ବିହାର ପରି ଏକ ପଛୁଆ ରାଜ୍ୟରେ ଭୋଟର୍ମାନଙ୍କୁ ମାତ୍ର ଏକ ମାସ ସମୟ ଦେଇ ନିଜ ନାମକୁ ରେଜିଷ୍ଟ୍ରି କରିବା ନିମନ୍ତେ ନିର୍ଦ୍ଦେଶ ଦେବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି । ବିଶେଷ ଭାବରେ ବିହାର ପରି ରାଜ୍ୟରେ ଯେଉଁଠାରେ ମୋଟ୍ ପ୍ରାୟ ୮ କୋଟି ଭୋଟର୍ଙ୍କ ମଧ୍ୟରୁ ଅତିକମ୍ରେ ୨ କୋଟିରୁ ଊର୍ଦ୍ଧ୍ୱ ଭୋଟର୍ କାମଧନ୍ଦା ପାଇଁ ରାଜ୍ୟ ବାହାରକୁ ଚାଲିଯାନ୍ତି ଓ ବର୍ତମାନର ମୌସୁମୀ ସମୟରେ ଯେତେବେଳେ ରାଜ୍ୟରେ ବନ୍ୟା ସମ୍ଭାବନା ରହିଛି ସେତେବେଳେ ଏହି କାର୍ଯ୍ୟ ତରବରିଆ ଭାବରେ କରାଯାଉଛି କାହିଁକି? ନିର୍ବାଚନ କମିସନରଙ୍କ ଗୋଟିଏ ଯୁକ୍ତି ହେଲା ଯେ, ନିକଟରେ ଶେଷ ହୋଇଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର୍ ତାଲିକା ସଂଖ୍ୟା ବଢ଼ାଇ ଦିଆଯିବା ଓ ଭୋଟ୍ ଗ୍ରହଣ ଦିନ ପ୍ରାୟ ୧୨ ହଜାରରୁ ଅଧିକ ବୁଥ୍‌ରେ ଶେଷ ମୂହୁର୍ତରେ ଅଧିକ ସଂଖ୍ୟାରେ ଭୋଟ୍‌ ଦାନର ଯେଉଁ ବ୍ୟବସ୍ଥା ହୋଇଥିଲା ତାହା ପଛରେ ଏକ ମ୍ୟାକ୍ସେସ୍କିନ୍ ହୋଇଥିବା କୁହାଯାଇଥିଲା । ସମ୍ଭବତଃ ନିର୍ବାଚନ କମିସନର୍ ବିହାର ନିର୍ବାଚନ ପୂର୍ବରୁ ଭୋଟର୍ ତାଲିକାର ଇଂଟେନ୍‌ସିଭ ସଂଶୋଧନ ପାଇଁ ନିଷ୍ପତ୍ତି କରିଛନ୍ତି । କିନ୍ତୁ ଏହି କାର୍ଯ୍ୟ ବର୍ଷ ଆରମ୍ଭରୁ କମିସନ୍ କରିପାରିଥାନ୍ତେ । କିନ୍ତୁ ନିର୍ବାଚନ ମାତ୍ର ଚାରିମାସ ସମୟ ବାକିଥିବା ସମୟରେ ଏହି କାର୍ଯ୍ୟ କରିବା କେତେଦୂର ଯଥାର୍ଥ । ଯେହେତୁ ଏହି ପ୍ରକ୍ରିୟା ଚଳିତମାସ ୩୧ ତାରିଖରେ ଶେଷ ହେବ, ସେହେତୁ ବିହାର ବାହାରେ ରହୁଥିବା ରାଜ୍ୟର ପ୍ରାୟ ୨ କୋଟି ଭୋଟର୍ ହୁଏତ ଭୋଟର୍ ହେବାରୁ ବଂଚିତ ହୋଇଯିବେ ।

Advertisment

ବିହାରରେ ବହୁସଂଖ୍ୟାରେ ଦାଦନ ଶ୍ରମିକ ଥିବାରୁ ପ୍ରତ୍ୟେକ ନିର୍ବାଚନରେ ଦେଖାଯାଉଛି ଯେ, ଭୋଟ୍ ଦାନରେ ଅଧିକ ସଂଖ୍ୟକ ମହିଳା ଭୋଟର୍ ଭୋଟ୍ ଦେଉଛନ୍ତି । କାରଣ ପୁରୁଷମାନେ ରାଜ୍ୟରେ ସେହି ସମୟରେ ରହିପାରୁନାହାନ୍ତି । ଯଦିଓ ବିହାରର ଭୋଟର୍ ତାଲିକା ଦେଖିଲେ ବାସ୍ତବରେ ପୁରୁଷ ଭୋଟର୍ମାନଙ୍କ ସଂଖ୍ୟା ମହିଳାଙ୍କ ଠାରୁ ଅଧିକ । ଏହା ବ୍ୟତୀତ ଏହି ଇଂଟେନ୍‌ସିଭ ଭୋଟର୍ ତାଲିକା ସଂଶୋଧନରେ ୨୦୦୩ ରେ ହୋଇଥିବା ଏହିପରି ସଂଶୋଧନରେ ଯେଉଁମାନଙ୍କ ନାମ ଭୋଟର୍ ତାଲିକାରେ ଥିଲା ସେମାନଙ୍କ ନାମକୁ କେବଳ ଫର୍ମ ଦାଖଲ ସହିତ ରଖିଦିଆଯିବ । କିନ୍ତୁ ଏହାପରେ ଯେଉଁମାନେ ଭୋଟର୍ ଯୋଗ୍ୟ ହୋଇଛନ୍ତି ଓ ପରବର୍ତୀ ନିର୍ବାଚନମାନଙ୍କରେ ମଧ୍ୟ ଭୋଟ୍ ଦେଇଛନ୍ତି, ଏପରିକି ଗତ ଲୋକସଭା ନିର୍ବାଚନରେ ଭୋଟ୍ ଦେଇଛନ୍ତି ସେମାନଙ୍କୁ ଭୋଟର୍ ହେବାକୁ ହେଲେ ସାନି ଜନ୍ମ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଅର୍ଥାତ୍ ଯେଉଁମାନେ ୧୯୮୭ ପରେ ଜନ୍ମଗ୍ରହଣ କରିଛନ୍ତି ସେମାନଙ୍କୁ ଏବେ ସେମାନଙ୍କର ଜନ୍ମତାରିଖ ସହିତ ସେମାନଙ୍କ ପିତାମାତାଙ୍କର ଭିତରୁ ଅତିକମ୍‌ରେ ଜଣଙ୍କର ଜନ୍ମ ପ୍ରମାଣପତ୍ର ଦେବାକୁ ପଡ଼ିବ ।

ନିର୍ବାଚନ କମିସନର୍ କହିପାରିବେ ଯେ, ପ୍ରତ୍ୟେକ ନାଗରିକର ଭୋଟ୍‌ ଦେବାର ଅଧିକାର ଥିବାରୁ ସେ ଯେ, ପ୍ରକୃତରେ ସେହି ରାଜ୍ୟରେ ଜନ୍ମଗ୍ରହଣ କରିଛି ତାହାର ପ୍ରମାଣ ହେବା ଦରକାର । ଆଶ୍ଚର୍ଯ୍ୟର କଥା ଏଥର ନିର୍ବାଚନ କମିସନର୍ ସ୍ପଷ୍ଟ କହିଦେଇଛି ଯେ, ଆଧାରକାର୍ଡ, ବା ଗତ ନିର୍ବାଚନରେ ସେମାନେ ଭୋଟ୍ ପାଇଁ ହାସଲ କରିଥିବା ଭୋଟର୍ କାର୍ଡ ଏପରିକି ରାସନ୍ କାର୍ଡ ସେମାନଙ୍କ ପରିଚୟ ଭାବରେ ବିଚାର କରାଯିବନାହିଁ । ସେମାନଙ୍କର ଜନ୍ମ ସାର୍ଟିଫିକେଟ୍ ଅର୍ଥାତ୍ କେଉଁ ସମୟରେ ସେ ଜନ୍ମଗ୍ରହଣ କରିଛନ୍ତି ଓ ସେମାନଙ୍କର ପିତାମାତାଙ୍କ ପରିଚୟ ମଧ୍ୟ ନିର୍ବାଚନ କମିସନ୍ ଦାବି କରିଛନ୍ତି । ବିହାର ପରି ଏକ ରାଜ୍ୟରେ ମ୍ୟାଟ୍ରିକ୍ ପାସ୍ କରିଥିବା ଲୋକମାନଙ୍କ ସଂଖ୍ୟା ସର୍ବାଧିକ ଶତକଡ଼ା ୧୫ ଭାଗ । ଏମାନଙ୍କ ପାଖରେ ଶିକ୍ଷାଗତ ସାର୍ଟିଫିକେଟରେ ଜନ୍ମ ସମୟ ଲିପିବଦ୍ଧ ଅଛି । ବାକି ଅନ୍ୟମାନେ ଓ ଯେଉଁମାନେ ନିରକ୍ଷର ସେମାନଙ୍କର ଜନ୍ମତାରିଖର ପ୍ରମାଣପତ୍ର ମିଳିବା କଦାପି ସମ୍ଭବ ହେବନାହିଁ । ପୁଣି ସେମାନଙ୍କର ପିତାମାତାଙ୍କ ଜନ୍ମ ସାର୍ଟିଫିକେଟ୍ ମାଗିଲେ ଅଧିକାଂଶ ହୁଏତ ପ୍ରଦାନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହେବ । ଏହିସବୁ ଦସ୍ତାବିଜ୍ ସଂଗ୍ରହ ପାଇଁ ଭୋଟର୍ ହାତରେ ସମୟ ବି ନାହିଁ । ଅବଶ୍ୟ ଯେଉଁମାନଙ୍କର ସରକାରଙ୍କ ପ୍ରଦତ ଜାତି ସାର୍ଟିଫିକେଟ୍ ଅଛି ଅର୍ଥାତ୍ ଯେଉଁମାନେ ଏହି ସାର୍ଟିଫିକେଟ୍ ହାସଲ କରି ଚାକିରି ବା ଅନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଛନ୍ତି ସେଗୁଡ଼ିକ ସେମାନଙ୍କ ପ୍ରମାଣପତ୍ର ଭାବରେ ବିବେଚିତ ହେବ ବୋଲି କୁହାଯାଇଛି । କିନ୍ତୁ ଏତିକି ସୁବିଧା ବା ଦସ୍ତାବିଜ୍ ଯେଉଁ ଭୋଟର୍ ପାଖରେ ନାହିଁ ସେ ଭୋଟର୍ ତାଲିକାରୁ ବାଦ୍ ପଡ଼ିଯିବ ବୋଲି କୁହାଯାଉଛି ।

Advertisment

ବିହାରରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ ସଂପ୍ରସାରିତ ହେବ । ଆସନ୍ତା ବର୍ଷ ଯେଉଁ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହେବ ସେହି ରାଜ୍ୟମାନଙ୍କରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ । ଯେଉଁଥିରେ ପଶ୍ଚିମବଙ୍ଗ ମଧ୍ୟ ରହିଛି । ଅନେକ ସେଥିପାଇଁ ଅଭିଯୋଗ କରୁଛନ୍ତି ଯେ, ଯେଉଁ ଏନ୍ଆରସିର କରିବାର ପ୍ରକ୍ରିୟା ସିଏଏ ଆଇନ ହେବା ପରେ କୁହାଯାଇଥିଲା ସେହି ପ୍ରକ୍ରିୟାକୁ ହୁଏତ ନିର୍ବାଚନ କମିସନ୍ ଜରିଆରେ କରାଯାଉଛି । ତେଣୁ ଯେଉଁମାନେ ଏନ୍ଆରସିର ବିରୋଧୀ ସେମାନେ ଏହାକୁ ତୀବ୍ର ଭାବରେ ବିରୋଧ କରୁଛନ୍ତି । ନିର୍ବାଚନ କମିସନର୍ ଏପରି ଏକ ପଦକ୍ଷେପ ନେଇ ନିଷ୍ପତ୍ତି ନେବା ପୂର୍ବରୁ ରାଜନୈତିକ ଦଳମାନଙ୍କ ସହିତ ଆଲୋଚନା କରିଥିଲେ ଅନେକ ଦ୍ୱନ୍ଦ୍ୱ ଦୂର ହୋଇପାରିଥାନ୍ତା । କିନ୍ତୁ ଏହି କାର୍ଯ୍ୟ ଆରମ୍ଭ ହେବାପରେ ଯେଉଁ ବିରୋଧୀ ଦଳର ନେତାମାନେ ନିର୍ବାଚନ କମିସନଙ୍କୁ ସାକ୍ଷାତ କଲେ ସେମାନଙ୍କ ସହିତ ଆଲୋଚନାରେ ନିର୍ବାଚନ କମିସନର୍ ଯାହା କହିଲେ ତାହା ଅନେକଙ୍କୁ ବିସ୍ମିତ କରିଛି ।

ବିହାରରେ ପ୍ରକାଶିତ ତଥ୍ୟ ଅନୁସାରେ ସେଠାରେ ପ୍ରାୟ ୮ କୋଟି ୮ ଲକ୍ଷ ଭୋଟର୍ ଚଳିତ ବର୍ଷ ହେବାକଥା । ସେମାନଙ୍କ ମଧ୍ୟରୁ ୧୯୮୭ ପରେ ଜନ୍ମଗ୍ରହଣ କରିଥିବା ଲୋକମାନେ ଯେଉଁମାନଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ ସେମାନଙ୍କୁ ନାଗରିକତାର ପ୍ରମାଣ ଦେବାକୁ ପଡ଼ିବ । ଏହିସଂଖ୍ୟା ପ୍ରାୟ ୪ କୋଟି ୭୬ ଲକ୍ଷ ହେବ ବୋଲି କୁହାଯାଉଥିଲା ବେଳେ ନିର୍ବାଚନ କମିସନ୍ କହୁଛନ୍ତି ଯେ, ୨୦୦୩ର ଇଂଟେନସିଭ ଭୋଟର୍ ତାଲିକା ସଂଶୋଧନ ଭିତିରେ ଦେଖିଲେ ଆଉ ମାତ୍ର ୨ କୋଟି ୯୪ ଲକ୍ଷ ଭୋଟରଙ୍କୁ ସେମାନଙ୍କ ନାଗରିତାର ପ୍ରମାଣ ପ୍ରଦାନ କରିବାକୁ ପଡ଼ିବ । ସମସ୍ତ ସର୍ଭେରୁ ଏହା ମଧ୍ୟ ସ୍ପଷ୍ଟ ଯେ, ବିହାରରେ ପ୍ରତିବର୍ଷ ହାରାହାରି ୮ ଲକ୍ଷ ଲୋକ ବାହାର ରାଜ୍ୟକୁ ଯାଇ କାମଧନ୍ଦାରେ ଲିପ୍ତ ରହି ସେ ସବୁ ସ୍ଥାନରେ ରହୁଛନ୍ତି। ଅର୍ଥାତ୍ ଏ ବାବଦରେ ପ୍ରାୟ ୧ କୋଟି ୭୬ ଲକ୍ଷ ଭୋଟର୍ ବାହାର ରାଜ୍ୟରେ ଅଛନ୍ତି । ଯେଉଁମାନେ ହୁଏତ ମାତ୍ର ଅଳ୍ପ ଦିନ ଭିତରେ ହେଉଥିବା ଇଂଟେନସିଭ ଭୋଟର୍ ତାଲିକା ସଂଶୋଧନ ପ୍ରକ୍ରିୟାରେ ସାମିଲ୍ ହେବେନାହିଁ । ଯଦି ବାହାରେ ଯାଇ ରହୁଥିବା ଲୋକମାନଙ୍କୁ ବାଦ୍ ଦିଆଯାଏ ବା ମୃତ ଲୋକମାନଙ୍କୁ ବାଦ୍ ଦିଆଯାଏ ତଥାପି ବିହାରରେ ରହୁଥିବା ପ୍ରାୟ ୩ କୋଟି ୧୬ ଲକ୍ଷ ଭୋଟର୍ଙ୍କୁ ଏବେ ନାଗରିକତ୍ୱ ପ୍ରମାଣପତ୍ର ଦେଇ ନିଜର ନାମକୁ ଭୋଟର୍ ତାଲିକାରେ ସାମିଲ୍ କରିବେ । ଏହା ଏକ ଅସମ୍ଭବ ବ୍ୟାପାର । ଯେଉଁସବୁ ପ୍ରମାଣପତ୍ର ମଗାଯାଉଛି ସେଗୁଡ଼ିକ ଭିତରୁ ଅଧିକାଂଶ ଏହି ଭୋଟରମାନେ ଏପରିକି ସେମାନଙ୍କ ପିତାମାତାମାନେ ଦାଖଲ କରିବା ହୁଏତ ସମ୍ଭବ ହେବନାହିଁ । ସେଥିପାଇଁ ବିହାରରେ ଏହି ଭୋଟର୍ ତାଲିକା ସଂଶୋଧନର ଯେଉଁ ପ୍ରକ୍ରିୟା ଚାଲିଛି ଯାହାକି ଦେଶର ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ସଂପ୍ରସାରିତ ହେବ ସେଥିରେ ବହୁ ଗରିବ ଲୋକ ଓ ଖଟିଖିଆ ଭୋଟର୍ ତାଲିକାରୁ ପୁରାପୁରି ବଂଚିତ ହୋଇଯିବେ । ଏହା ଏକ ସାଂଘାତିକ ଅଧ୍ୟାୟ ସୃଷ୍ଟି କରିବ ।

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe