Advertisment

ଅନ୍ତରୀଣ ବଜେଟ୍‍- ଅନ୍ତର୍ନିହିତ ଇଚ୍ଛା

ଏହା ଅନ୍ତରୀଣ ବଜେଟ୍‍ ହେଲେ ମଧ୍ୟ ଉପସ୍ଥାପନ କରିଥିବା ସରକାରର ଇଚ୍ଛା ଏହା ମଧ୍ୟରେ ରଖାଯାଇଛି। ପ୍ରଥମତଃ ଏହା କ୍ଷୁଦ୍ର ସମୟ ପାଇଁ ପ୍ରସ୍ତୁତ ହିସାବ ହେଲେ ମଧ୍ୟ ଏଥିରେ ଏକ ଦୀର୍ଘ ମିଆଦୀ ଅର୍ଥାତ୍‍ ‘ଅମୃତକାଳ’ର ଫଳ ନିମନ୍ତେ ଆଶ୍ୱାସନା ବା ବିଶ୍ୱାସ ସୃଷ୍ଟି କରିବାର ଉଦ୍ୟମ କରାଯାଇଛି। ଏହି ବିଶ୍ୱାସ ଆଗାମୀ ୨୦୪୭ ମସିହା ପର୍ଯ୍ୟନ୍ତ ବ୍ୟାପ୍ତ।

author-image
Debendra Prusty
Interim Budget

Interim Budget

ପଞ୍ଚାନନ କାନୁନ୍‌ଗୋ

ଭାରତ ସମ୍ବିଧାନ ମତେ ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟରେ ବାର୍ଷିକ ଆୟବ୍ୟୟ ବିବରଣୀ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାରେ ଉପସ୍ଥାପିତ ହୋଇଥାଏ। ଯଦିଓ ଏହା ଆୟବ୍ୟୟର ଏକ ଅଙ୍କ ବା ଗଣିତ ବୋଲି କୁହାଯାଏ, ଏଥିରେ ଗୋଟିଏ ଅନ୍ତର୍ନିହିତ ନୀତି ଓ କିଛି ଆଶା ମିଶିଥାଏ। ଚଳିତ ବର୍ଷ (୨୦୨୪-୨୫) ପାଇଁ କେନ୍ଦ୍ରରେ ଯେଉଁ ବଜେଟ୍‍ ଉପସ୍ଥାପିତ ହୋଇସାରିଛି ଏହା ଏକ ଅନ୍ତରୀଣ ବଜେଟ୍‍ କୁହାଯିବାର ଅର୍ଥ ହେଉଛି ଏହି ବଜେଟ୍‍ ପୂର୍ଣ୍ଣାଙ୍ଗ ବଜେଟ ନୁହେଁ। ଚଳିତ ବର୍ଷ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ଶେଷ ହେଲେ ଯେଉଁ ସରକାର ଗାଦିନସୀନ ହେବ ତା’ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପନର ସୁଯୋଗ ରଖାଗଲା। ଏହା ଅନ୍ତରୀଣ ବଜେଟ୍‍ ହେଲେ ମଧ୍ୟ ଉପସ୍ଥାପନ କରିଥିବା ସରକାରର ଇଚ୍ଛା ଏହା ମଧ୍ୟରେ ରଖାଯାଇଛି। ପ୍ରଥମତଃ ଏହା କ୍ଷୁଦ୍ର ସମୟ ପାଇଁ ପ୍ରସ୍ତୁତ ହିସାବ ହେଲେ ମଧ୍ୟ ଏଥିରେ ଏକ ଦୀର୍ଘ ମିଆଦୀ ଅର୍ଥାତ୍‍ ‘ଅମୃତକାଳ’ର ଫଳ ନିମନ୍ତେ ଆଶ୍ୱାସନା ବା ବିଶ୍ୱାସ ସୃଷ୍ଟି କରିବାର ଉଦ୍ୟମ କରାଯାଇଛି। ଏହି ବିଶ୍ୱାସ ଆଗାମୀ ୨୦୪୭ ମସିହା ପର୍ଯ୍ୟନ୍ତ ବ୍ୟାପ୍ତ। ଯେକୌଣସି ପ୍ରାପ୍ତ ବୟସ୍କ ବ୍ୟକ୍ତି ପାଇଁ ଏହା ହାସ୍ୟାସ୍ପଦ ମନେହୁଏ। ସେମାନଙ୍କ ସମୟ ସୀମିତ ଥାଇ ବିଶ୍ୱାସ ସମସ୍ତ ସୀମା ସରହଦ ଟପିଯାଇଛି। ତେବେ ଯୁବପିଢ଼ିଙ୍କୁ ପ୍ରଲୋଭିତ ବା ଆଶାନ୍ୱିତ କରିବା ପାଇଁ ଏହା ଅଭିପ୍ରେତ। ହୁଏତ ବିରୋଧୀ ଦଳ ଏପରି ଏକ ନିର୍ଣ୍ଣୟକୁ ପ୍ରତାରଣା ବା ପ୍ରବଞ୍ଚନାର କାହାଣୀ କହିପାରନ୍ତି।

Advertisment

ଦ୍ୱିତୀୟତଃ, ଏଥିରେ ଥିବା ଆୟବ୍ୟୟର ଧାରା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବଜେଟ୍‍ ଭିତରେ ଲୁଚି ରହିଥିବା ଇଚ୍ଛା ପ୍ରକଟିତ ହୋଇଥାଏ। ଆୟକାରୀ ଦିଗ ଭିତରେ ପ୍ରତ୍ୟକ୍ଷ କର ଅର୍ଥାତ୍‍ ଧନାର୍ଢ଼୍ୟ ବ୍ୟକ୍ତି ବା ସଂସ୍ଥାଠାରୁ ଆଦାୟ ପରିମାଣ ସମୁଦାୟ ଆୟର ୧୭% ଥିବା ବେଳେ ଆଦାୟ ହେଉଥିବା ପରୋକ୍ଷ କର ଅବା ବିକ୍ରିକର ପରିମାଣ ମୋଟ ଆଦାୟର ୧୯%ରୁ ଅଧିକ ରଖାଯାଇଛି। ଏହା ପ୍ରମାଣ କରୁଛି ଯେ ବଜେଟ୍‍ ବଡ଼ଲୋକଙ୍କ ସମର୍ଥନରେ ରହିଛି ଓ ସାଧାରଣ, ମଧ୍ୟବିତ୍ତ, ଗରିବଙ୍କ ଉପରେ ଚାପ ସୃଷ୍ଟି କରିଛି। ସେହିପରି ମଧ୍ୟମ ଆୟକାରୀ ବର୍ଗଙ୍କୁ ଏ ବଜେଟରେ କୌଣସି ରିହାତି ଦିଆଯାଇ ନାହିଁ। ପୂର୍ବ ପ୍ରଚଳିତ ଆୟକର ବ୍ୟବସ୍ଥା ଅପରିବର୍ତ୍ତିତ ରହିଛି। ଅଥଚ ଦରଦାମ୍‍ ବୃଦ୍ଧିର ଚାପ ଏମାନଙ୍କ ଉପରେ ବଢ଼ିବାର ଆଶଙ୍କା ରହିଛି। କାରଣ ପେଟ୍ରୋଲ, ଡିଜେଲ୍‍ ଉପରେ ଉଚ୍ଚ ହାରର କର ଚାଲୁ ରହିଛି। ଅଧିକନ୍ତୁ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦରେ ମୋଟ ଆୟର ୫% ଆଦାୟ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ମଧ୍ୟବିତ୍ତ ପରିବାର ଉପରେ ଖାଉଟି କର ସମେତ ଆୟକର ବୋଝ ପଡ଼ିଥାଏ। ଯାହାର ପରିମାଣ ସମୁଦାୟ କର ଆଦାୟର ୧୯% ପାଖାପାଖି। ଏହି ମଧ୍ୟବିତ୍ତ ବର୍ଗଟି ଯେ ଅଧିକ କ୍ଷତିଗ୍ରସ୍ତ ହେବେ ଏହାର ସୂଚନା ମିଳୁଛି।

ବଜେଟରେ ଋଣଚାପ ମଧ୍ୟ କିଛି କମ୍‍ ନୁହେଁ। ଏହା ପ୍ରତିବର୍ଷ ମୁଣ୍ଡପିଛା ବଢ଼ିବାରେ ଲାଗିଛି। ଚଳିତ ବର୍ଷର ବଜେଟ୍‍ ଆୟର ଋଣ ପରିମାଣ ସମୁଦାୟ ଆୟର ସର୍ବୋଚ୍ଚ ସୀମା ଅର୍ଥାତ୍‍ ୨୫%ରେ ରଖାଯାଇଛି। ଏକପକ୍ଷରେ ମୁଦ୍ରାସ୍ପୀତି କମାଇବାର ଇଚ୍ଛା ପ୍ରକଟ କରାଯାଇଥିଲେ ମଧ୍ୟ ବଜେଟ୍‍ ଆୟବ୍ୟୟ ଅଟକଳରେ ମାତ୍ରାଧିକ ନିଅଣ୍ଟ ରହିବାର ସୂଚନା ମିଳିଛି। ଯାହାକି ୨୦୨୩-୨୪ରେ ମୋଟ ଜି.ଡି.ପି.ର ୫.୨% ଥିଲା ତାହା ଯେ ବହୁତ କମିବ ନାହିଁ ଅବା ୪% ତଳକୁ ଆସିବ ନାହିଁ ଏହା ସ୍ପଷ୍ଟ ହୋଇଛି। ଏ ସମସ୍ତ ମୋଟାମୋଟି ଦେଖିଲେ ଜଣାଯାଏ ଯେ ଦେଶରେ ଦରଦାମ୍‍ ନିୟନ୍ତ୍ରଣ ପୂର୍ବପରି ଅଣାୟତ୍ତ ରହିବ। ଯଦିଓ ଏହା ଏକ ଅନ୍ତରୀଣ ବଜେଟ୍‍, ଏହା ବେଶ୍‍ ଭଲ ସୂଚନା ଦିଏ ଯେ ଦେଶର ସାମରିକ ଖର୍ଚ୍ଚ ବୃଦ୍ଧି ବାର୍ଷିକ ହାର ୮% ପାଖାପାଖି ରହିଛି। ସେଥିପାଇଁ ଅର୍ଥମନ୍ତ୍ରୀ ସୀତାରମଣ ଚତୁରତାର ସହ ଜି.ଡି.ପି.ର ନୂଆ ସଂଜ୍ଞା ଉଚ୍ଚାରଣ କରିଛନ୍ତି। ତାହା ହେଉଛି ଗଭର୍ଣ୍ଣନାନ୍ସ (ଜି), ଡେଭଲପ୍‍ମେଣ୍ଟ(ଡି) ଓ ପରଫର୍ମାନସ୍‍(ପି)।

Advertisment

ବ୍ୟୟ ଦିଗକୁ ଅନୁଧ୍ୟାନ କଲେ ପୂର୍ବପରି ଭିତ୍ତିଭୂମି ନାମରେ ବ୍ୟୟ ବରାଦ ସହିତ ସାମରିକ ବାବଦ ଖର୍ଚ୍ଚ ଉପରେ ଜୋର ଦିଆଯାଇଛି। ଏହିସବୁ ଖର୍ଚ୍ଚ ବିଶେଷ କିଛି ରୋଜଗାର ସୃଷ୍ଟିକାରୀ ନୁହେଁ। ଏକଥା ସ୍ୱୀକାର କରିବାକୁ ହେବ ଯେ ଏ ବାବଦ ଅର୍ଥର ମୁଖ୍ୟ ଅଂଶ ସେହି କର୍ପୋରେଟ୍‍ ସେକ୍ଟର ହାତକୁ ହିଁ ଯିବ। ସ୍ମରଣ କରିବାକୁ ହେବ ଯେ ଏଥିରେ ଗୁଡ଼ିଏ ‘ଏୟାର ଫିଲ୍ଡ’ ସଂପ୍ରସାରଣ ତଥା ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରୀ ଅଟଳ ବିହାରୀ ବାଜପେୟୀ ଓ ଶ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଗ୍ରାମୀଣ ସଡ଼କ ବାବଦରେ ଯେଉଁ ଖର୍ଚ୍ଚ ହେଉଥିଲା, ସେସବୁ ଗ୍ରାମୀଣ ରୋଜଗାର ବୃଦ୍ଧିରେ ସହାୟକ ଥିଲା। ଯୁବବର୍ଗଙ୍କ ପାଇଁ ଅଭିପ୍ରେତ କୁଶଳୀ ଶିକ୍ଷା ବଢ଼ିଛି ସତ, ତେବେ ସେମାନେ କର୍ମ ନିଯୁକ୍ତି ପାଇବା କ୍ଷେତ୍ରରେ ସେପରି ଆଖି ଦୃଶିଆ ଅଗ୍ରଗତି ଦେଖିବାକୁ ମିଳିନାହିଁ। ବେକାରୀ ବୃଦ୍ଧି ଘଟି ଚାଲିଛି ଓ ଏହି କ୍ଷୁଦ୍ର ବଜେଟରେ ତା’ର ଅନ୍ତ ଘଟିବାର ସୂଚନା ନାହିଁ। ଅନ୍ନଦାତାମାନଙ୍କର ଉନ୍ନତି କଳ୍ପେ ଅତୀତରେ ଅନେକ କଥା କୁହାଗଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ଘଟିନାହିଁ। ଏ ବଜେଟରେ ଯାହା ସୂଚନା ଅଛି ସେଥିରୁ ସ୍ପଷ୍ଟ ଅନୁମେୟ ଯେ ଆଗକୁ ସ୍ଥିତି ଖରାପ ହେବ ସିନା ଭଲ ହେବ ନାହିଁ। ତା’ର ମୁଖ୍ୟ କାରଣ ଏବେ ବି କୃଷି ଓ କୃଷକ ପ୍ରକୃତି ବା ପାଗ ଉପରେ ନିର୍ଭରଶୀଳ। ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକର ଶିକାର ହେବା ନିଶ୍ଚିତ ପ୍ରାୟ।

ମହିଳାମାନଙ୍କ ଉଦ୍ଦେଶ୍ୟରେ କୁହାଯାଇଥିବା ‘ଲକ୍ଷପତ ଦିଦି’ ସୃଷ୍ଟିକାରୀ ସ୍ଲୋଗାନ୍‍ ନିରର୍ଥକ। ଯେଉଁ ପର୍ଯ୍ୟନ୍ତ ସେମାନଙ୍କ ହାଣ୍ଡିଶାଳ ଉପରେ ଚାପ ବଢ଼ି ଚାଲିଥିବ ସେ ପର୍ଯ୍ୟନ୍ତ ସେମାନଙ୍କ ଆୟ ସଂକୁଚିତ ହେବାରେ ଲାଗିଥିବ। ଏବେବି ଗ୍ୟାସ୍‍ ଦର ବୃଦ୍ଧି ସାଙ୍ଗକୁ ଡାଲି, ତେଲଠାରୁ ଆରମ୍ଭ କରି ଜୀରା, ସୋରିଷ, ପିଆଜ, ରସୁଣ ଆଦି ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଘଟି ଚାଲିଛି। ଫଳରେ ରୋଷେଇ ଘରେ ଦରବୃଦ୍ଧିର ଚାପ ବୃଦ୍ଧି ପାଇଛି ଓ ମହିଳାମାନଙ୍କ ଉପରେ ଏହାର ପ୍ରଭାବ ବଢ଼ି ଚାଲିଛି। ଦେଶରୁ ଗତ ୧୦ ବର୍ଷ ମଧ୍ୟରେ ୨୫ କୋଟି ଲୋକ ବହୁମୁଖି ଦାରିଦ୍ର‌୍ୟରୁ ମୁକୁଳିଥିବା କୁହାଯାଉଥିଲେ ମଧ୍ୟ ୮୧ କୋଟି ଲୋକଙ୍କୁ ମାଗଣା ଚାଉଳ ଯୋଗାଣ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇ ବିପରୀତମୁଖି କଥା କାହିଁକି ଯେ ବଜେଟ୍‍ରେ କୁହାଗଲା, ତା’ ବୁଝାପଡୁ ନାହିଁ। ତା’ର ଉତ୍ତର ଅର୍ଥମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କଠାରୁ ଜନସାଧାରଣ ଆଶା କରନ୍ତି। ଏହି ମାଗଣା ଖାଦ୍ୟ ଯୋଗାଣ ହଟାଇ ଦେଲେ ଦାରିଦ୍ର‌୍ୟ ଯେ କେତେ ଉତ୍କଟ ତାହା ସ୍ପଷ୍ଟ ହୋଇଯିବ। ଦେଶରେ ପୂର୍ବରୁ ଘୋଷିତ ସମସ୍ତ ଆକାଂକ୍ଷା ଜିଲ୍ଲା ମଧ୍ୟରୁ ଓଡ଼ିଶାର ୧୦ ଗୋଟି ଜିଲ୍ଲାରେ ଏବେ ବି ରକ୍ତ ଶୂନ୍ୟତା, କ୍ଷୁଧା ବା ପୁଷ୍ଟିହୀନତାର ବିକଳ ଚିତ୍ର ଉତ୍କଟ ଥିବାର ଦେଖାଯାଏ। ଏ ଦିଗରେ ବିଶେଷ କିଛି ଉଦ୍ୟମ ବା ବ୍ୟୟ ବରାଦ ଥିବାର ଲକ୍ଷ୍ୟ କରାଯାଇ ନାହିଁ। ଦେଶରକ୍ଷା ବାବଦରେ ବ୍ୟୟ ବରାଦ ଜି.ଡି.ପି.ର ୮% ଥିବା ବେଳେ କୃଷି ଓ କୃଷକଙ୍କ ମଙ୍ଗଳ ପାଇଁ ମାତ୍ର ୧.୨୭% ବ୍ୟୟ ବରାଦ କରାଯାଇଛି। ଏ ସମସ୍ତ ବ୍ୟୟ ବରାଦ ସୂଚନା ଦିଏ ଯେ ଯୁବବର୍ଗ, ମହିଳା, ଗରିବ, ଅନ୍ନଦାତା ଚାରିବର୍ଗ ନାମରେ ଖ୍ୟାତ, ଶ୍ରେଣୀର ଅବସ୍ଥାରେ ବିଶେଷ ଉନ୍ନତି ଘଟିବ ନାହିଁ। କେବଳ ଆଗାମୀ ଦିନରେ ଆସୁଥିବା ଭୋଟ୍‍କୁ ଲକ୍ଷ୍ୟ ରଖି ସେମାନଙ୍କ ଉଦ୍ଦେଶ୍ୟରେ ଏପରି ସବୁ ଶବ୍ଦ ଉଚ୍ଚାରିତ ହୋଇଛି।

ଫୋ- ୯୪୩୮୩୬୦୮୪୯

Parliament 2024 Election Union Budget