Advertisment

ବିଜେଡିରେ ଆଭ୍ୟନ୍ତରୀଣ ବିବାଦର ନୂଆରୂପ

ରବି ଦାସ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାୟ ପ୍ରତ୍ୟେକ ସ୍ତରରେ ଆଭ୍ୟନ୍ତରୀଣ ବିବାଦ କ୍ରମଶଃ ପଦାକୁ ଆସୁଛି। ଦଳ ପକ୍ଷରୁ ଯେଉଁମାନଙ୍କୁ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଓ ପୌର ପରିଷଦମାନଙ୍କରେ ଡେପୁଟି ମେୟର ଓ ଉପାଧ୍ୟକ୍ଷ ପ୍ରଭୃତି କରାଗଲା ସେଥିରେ ବାହାରେ ଅସନ୍ତୋଷ ପ୍ରକାଶ ପାଇନଥିଲା। ଏହିସବୁ ମନୋନୟନରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହିସବୁ କାର୍ଯ୍ୟ କରି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମରେ ଘୋଷଣା କରିଥିବାରୁ ସିଧାସଳଖ ଅସନ୍ତୋଷ ପ୍ରକାଶ […]

ବ୍ରଜରାଜନଗର ଉପନିର୍ବାଚନ: ପଂଚାୟତ ଦାୟିତ୍ୱରେ ମାଳମାଳ ବିଜେଡି ନେତା

BJD

Advertisment

ରବି ଦାସ

ପଂଚାୟତ ଓ ପୌର ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ପ୍ରାୟ ପ୍ରତ୍ୟେକ ସ୍ତରରେ ଆଭ୍ୟନ୍ତରୀଣ ବିବାଦ କ୍ରମଶଃ ପଦାକୁ ଆସୁଛି। ଦଳ ପକ୍ଷରୁ ଯେଉଁମାନଙ୍କୁ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଓ ପୌର ପରିଷଦମାନଙ୍କରେ ଡେପୁଟି ମେୟର ଓ ଉପାଧ୍ୟକ୍ଷ ପ୍ରଭୃତି କରାଗଲା ସେଥିରେ ବାହାରେ ଅସନ୍ତୋଷ ପ୍ରକାଶ ପାଇନଥିଲା। ଏହିସବୁ ମନୋନୟନରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହିସବୁ କାର୍ଯ୍ୟ କରି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମରେ ଘୋଷଣା କରିଥିବାରୁ ସିଧାସଳଖ ଅସନ୍ତୋଷ ପ୍ରକାଶ ପାଇଲା ନାହିଁ। କିନ୍ତୁ ଦଳ ଭିତରେ ଯେଉଁମାନେ ଏହିସବୁ କାର୍ଯ୍ୟ ପରିଚାଳନା କରି ମୁଖ୍ୟମନ୍ତ୍ରୀ ବା ଦଳର ସୁପ୍ରିମୋଙ୍କୁ ବ୍ୟବହାର କରିଛନ୍ତି ସେମାନଙ୍କ ବିରୋଧରେ ଖୋଲାଖୋଲି ଆଲୋଚନା କରାଯାଉଛି।

Advertisment

ଏହିସବୁ ଘଟଣା ଭିତରେ ଦଳର ସାଂସଦ ଓ ଏକଦା ବିଜେଡି ନିର୍ବାଚନ ପରିଚାଳନାରେ ମୁଖ୍ୟ ଷ୍ଟାର ପ୍ରଚାରକ ଥିବା ଅନୁଭବ ମହାନ୍ତି ଯେପରି ଭାବରେ ନିଜ ପରିବାରରେ ଲାଗିଥିବା ବିବାଦକୁ ଦଳ ଭିତରେ ଏକ କ୍ଷମତାଶାଳୀ ଗୋଷ୍ଠୀ ବିରୋଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ତାହା ଦଳର ଆଭ୍ୟନ୍ତରୀଣ ବିବାଦ ପ୍ରସଙ୍ଗକୁ ନୂଆରୂପ ଦେଇଛି। ଅନୁଭବ ମହାନ୍ତିଙ୍କର ପାରିବାରିକ ବିବାଦ ହେବା ଦିନଠାରୁ ବିଜେଡି ପକ୍ଷରୁ ତାଙ୍କୁ ଆଉ କୌଣସି ଗୁରୁତ୍ୱ ଦିଆଯାଉନାହିଁ। ସବୁଠାରୁ ବଡ଼କଥା ଯେ, ତାଙ୍କ ପାରିବାରିକ ବିବାଦରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କର ବିଜେଡିରେ ହଠାତ୍ ପ୍ରଭାବ ବଢ଼ିଯାଇଛି। ଏବେ ଦଳ ତାଙ୍କୁ ଷ୍ଟାର ପ୍ରଚାରକ ଭାବରେ ବ୍ୟବହାର କରୁଛି। ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ନିଜର ପାରିବାରିକ ଅଶାନ୍ତି ଓ ବ୍ୟଥାକୁ ଯେପରି ଭାବରେ ଦର୍ଶାଇଛନ୍ତି ସେଥିରେ ଆଇନ ଅଦାଲତ ଜରିଆରେ ଲଢ଼ି ନ୍ୟାୟ ପାଇବା ନିମନ୍ତେ ଅପେକ୍ଷା କରିବା ଅପେକ୍ଷା ଆତ୍ମହତ୍ୟା କରିବା ଶ୍ରେୟସ୍କର ବୋଲି ପରୋକ୍ଷରେ ମତ ରଖିଛନ୍ତି। ତାଙ୍କର ଏହି ଭାବାବେଗପୂର୍ଣ୍ଣ  ଭିଡିଓକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଯେଉଁସବୁ ମତ ରଖିଛନ୍ତି ସେଥିରେ ଅନୁଭବ ଅତିମାତ୍ରାରେ ଭାଙ୍ଗିପଡ଼ିବାର ମୁଖ୍ୟ କାରଣ ହେଉଛି ପତ୍ନୀ ବର୍ଷା ସରକାରଙ୍କ ଦ୍ୱିତୀୟ କ୍ଷମତା କେନ୍ଦ୍ରର ନିକଟବର୍ତ୍ତୀ ହେବା ବୋଲି ରିପୋର୍ଟ ପ୍ରକାଶ ପାଇଛି।

ଅନୁଭବ ମହାନ୍ତି ଅନ୍ୟଏକ ଭିଡିଓରେ ପତ୍ନୀଙ୍କ ସହିତ ବିବାହ ପରଠାରୁ ଶାରୀରିକ ସଂପର୍କ ପାଇନଥିବା ଯାହା ଉଲ୍ଲେଖ କରିଛନ୍ତି ସେଥିରେ ବର୍ଷା କ୍ଷୋଭ ପ୍ରକାଶ କରି ସେ ଥାନାରେ ଏତଲା ଦେଇଛନ୍ତି। ବର୍ଷାଙ୍କ ଅଭିଯୋଗ ହେଲା ଯେ, ଅନୁଭବ ତାଙ୍କ ଚରିତ୍ର ସଂହାର କରିଛନ୍ତି। ବର୍ଷା ପାଲଟା ଅଭିଯୋଗ କରିଛନ୍ତି ଯେ, ଦିଲ୍ଲୀରେ ରହୁଥିବା ଅନୁଭବଙ୍କର ଜଣେ ବାନ୍ଧବୀ ଛାଡ଼ପତ୍ରର ମୁଖ୍ୟ କାରଣ। ଅନୁଭବ ମହାନ୍ତି ଚଳଚ୍ଚିତ୍ର ଜଗତରେ ଓଡ଼ିଶାର ୧ନଂ ହିରୋ ଥିବା ସମୟରେ ବର୍ଷା ପ୍ରିୟଦର୍ଶନୀ ମଧ୍ୟ ୧ନଂ ହିରୋଇନ୍ ଭାବରେ ମାନ୍ୟତା ପାଇଥିଲେ। ସେଥିପାଇଁ ସେମାନଙ୍କ ବିବାହ ଫଳରେ ବିଜେଡି ସବୁ ଆଡ଼ୁ ଲାଭବାନ ହେବ ବୋଲି ଧରିନେଇଥିଲା। ଅନୁଭବ ଏପରି ଭାବରେ ଗତ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଭାବେ ପରିଚିତ ବୈଜୟନ୍ତ ପଣ୍ଡାଙ୍କୁ ପରାସ୍ତ କରିଥିଲେ ଓ ସେଥିରେ ରାଜ୍ୟ ନେତୃତ୍ୱର ଭୂମିକା ସମସ୍ତଙ୍କୁ ଜଣାଅଛି। ତାହା ସତ୍ତ୍ୱେ ଅନୁଭବ ବର୍ଷାଙ୍କ ଭିତରେ ବିବାଦ ଅଦାଲତକୁ ଯିବା ଓ ନ୍ୟାୟପାଳିକାର କଚ୍ଛପ ଗତିରେ ଅନୁଭବ ଅତିଷ୍ଠ ହେବା ସମୟରେ ବର୍ଷା ପ୍ରିୟଦର୍ଶନୀଙ୍କୁ ସେ ସାଂସଦ ଥିବା ଦଳର ପରିଚାଳନାକାରୀମାନେ ଗୁରୁତ୍ୱ ଦେଇ ତାଙ୍କୁ ଅଣଦେଖା କରିବା ଅନୁଭବଙ୍କ ପାଇଁ ଅସହ୍ୟ ହୋଇଛି। ଏହି ଘଟଣାଗୁଡ଼ିକ ଓ ପାରିବାରିକ ବିବାଦରେ କଟକ ପୋଲିସର ଭୂମିକା ମଧ୍ୟ ଅନୁଭବଙ୍କୁ ବିରକ୍ତ କରିଛି। ମୋଟାମୋଟି ଭାବରେ ବର୍ଷା ବିଜେଡିର ଗେହ୍ଲା ଝିଅ ହୋଇଥିବା ସମୟରେ ଅନୁଭବ ଜଣେ ଅବାଞ୍ଛିତ ବ୍ୟକ୍ତିତ୍ୱ ଭାବରେ ବିବେଚିତ ହେଉଛନ୍ତି।

Advertisment

ଠିକ ସେହିପରି ପ୍ରଶାନ୍ତ ଜଗଦେବ ବାଣପୁରରେ ଯେଉଁ କାଣ୍ଡ ଘଟାଇଲେ ସେଥିରେ ତାଙ୍କର ବିଶ୍ୱାସ ଥିଲା ଯେ, ଦଳ ଭିତରେ ଓ ସରକାରରେ ତାଙ୍କୁ ସହାୟତା ମିଳିବ। କିନ୍ତୁ ଏବେ ଦେଖାଯାଉଛି ସେ କୌଣସିଠାରୁ କିଛି ସହାୟତା ପାଇପାରିଲେ ନାହିଁ। କ୍ଷମତାଧିକାରୀମାନେ ତାଙ୍କ ହାତ ଛାଡ଼ିଦେଲେ। କାରଣ ବାଣପୁର ଆସନରେ କିଏ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି ହୋଇଗଲାଣି। ଦଳ ଭିତରେ ଯେଉଁମାନେ ଅତୀତରେ କ୍ଷମତା ନିକଟବର୍ତ୍ତୀ ବୋଲି ଭାବୁଥିଲେ ସେମାନଙ୍କ ଭିତରୁ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି ସେମାନେ ଏବେ ଚିନ୍ତାରେ ଅଛନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳରେ ସେମାନଙ୍କର ସ୍ଥାନ କ’ଣ ହେବ ଜଣାନାହିଁ। ମନ୍ତ୍ରିମଣ୍ଡଳରେ ସେମାନେ ଯେଉଁ କ୍ଷମତା ଉପଭୋଗ କରିବେ ବୋଲି ଭାବୁଥିଲେ ତାହା କରିପାରୁନାହାନ୍ତି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଓ ବଦଳି ପ୍ରଭୃତି କାମ ସେମାନେ ନିଜ ଇଚ୍ଛାରେ ନେଇପାରୁନାହାନ୍ତି । ଅବସ୍ଥା ଏପରି ହୋଇଛି ଯେ, ଅଧିକାଂଶ ବିଧାୟକ ନିଜ ଆସନଟି କିପରି ସୁରକ୍ଷିତ ରଖିବେ ଓ ତାଙ୍କୁ ଯଦି ଟିକେଟ ଦିଆନଯାଏ ତେବେ ତାଙ୍କ ପରିବାରର କାହାକୁ ଏହି ସୁବିଧା ମିଳିବ ସେଥିପାଇଁ ଯୋଜନା କରୁଛନ୍ତି। ଦଳ ଭିତରେ ଏକ ଅସ୍ଥିରତାର ଭାବନା ସମସ୍ତଙ୍କୁ ଗ୍ରାସ କରିଛି। ଅପରପକ୍ଷରେ ସରକାରୀ କାର୍ଯ୍ୟକଳାପରେ ସେମାନଙ୍କର ନିଷ୍ପତି ନେବା ଅଧିକାର ସଂକୁଚିତ ହୋଇଯାଇଥିବାରୁ ସରକାରୀ ଅଫିସରମାନଙ୍କର ଅନୀତି ଓ ଦୁର୍ନୀତି ବିଷୟରେ ମୁହଁ ଖୋଲି ସେମାନେ ଅଭିଯୋଗ କରିପାରୁନାହାନ୍ତି। ଦଳର ଅଧିକାଂଶ ନେତା, ମନ୍ତ୍ରୀ, ବିଧାୟକ ଓ ପଦାଧିକାରୀମାନେ ଦଳର ସୁପ୍ରିମୋଙ୍କ ସହିତ ସିଧାସଳଖ କଥାବାର୍ତ୍ତୀ ହେବା ବା ସେମାନଙ୍କର ଭାବନା ଜଣାଇବା ପାଇଁ ସୁଯୋଗ ପାଉନାହାନ୍ତି।

ବାସ୍ତବରେ ଏହିସବୁ ଘଟଣାଗୁଡ଼ିକ ଆଭ୍ୟନ୍ତରୀଣ ଅସନ୍ତୋଷକୁ ଜନ୍ମ ଦେଇଛି। ଯାହାଫଳରେ କେତେବେଳେ କ’ଣ ଘଟିବ କହିହେବ ନାହିଁ। ଯଦିଓ ଦଳର ଅଧିକାଂଶ ନେତା ନବୀନଙ୍କ ନେତୃତ୍ୱ ପ୍ରତି ଅନୁରକ୍ତ ବୋଲି ପ୍ରକାଶ କରୁଛନ୍ତି। କିନ୍ତୁ ନବୀନଙ୍କର ସେମାନଙ୍କ ଉପରେ କେତେ ବିଶ୍ୱାସ ରହିଛି ତାହା ସେମାନେ ଜାଣୁନାହାନ୍ତି। ଏହାକୁ ବାତ୍ୟା ପୂର୍ବରୁ ନିରବତା ସହିତ ତୁଳନା ନକଲେ ମଧ୍ୟ ଆଭ୍ୟନ୍ତରୀଣ ଅସନ୍ତୋଷ ଦଳ ଭିତରେ ଗୁମୁରି ଉଠୁଥିବା ଯେକୌଣସି ନେତାଙ୍କ ସହିତ ମନଖୋଲା କଥାବାର୍ତ୍ତା ହେଲେ ସହଜରେ ଜାଣିହେଉଛି। ୨୨ ବର୍ଷ ଧରି କ୍ଷମତାରେ ଥିବା ଦଳ ଓ ଯେଉଁ ମୁଖ୍ୟମନ୍ତ୍ରୀ ଏବେ ସାରା ଦେଶରେ ସବୁଠାରୁ ଅଧିକ ସମୟ କ୍ଷମତାରେ ଅଛନ୍ତି ସେହି ଦଳରେ ଆଭ୍ୟନ୍ତରୀଣ ଆଲୋଚନା ପ୍ରକ୍ରିୟା ପ୍ରାୟ ବନ୍ଦ ହୋଇଯାଇଛି। ରାଜ୍ୟସଭା ପାଇଁ କାହାକୁ ମନୋନୀତ କରାଯିବ ତାହା ଠିକ୍ ଭାବରେ କୌଣସି ନେତା ବି ଅନୁମାନ ଲଗାଇ ପାରୁନାହାନ୍ତି।

ରାଜ୍ୟରେ ମନ୍ଦିରଗୁଡ଼ିକର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଦ୍ୱାରା ସଂପୃକ୍ତ ଅଂଚଳ ଲୋକଙ୍କୁ ଆକୃଷ୍ଟ କରାଯିବା ସହିତ ଗଣମାଧ୍ୟମଗୁଡ଼ିକୁ ଏଥିପାଇଁ ବିଜ୍ଞାପନ ଦିଆଯାଉଛି। କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଯେପରି ଭାବରେ ବେଆଇନ କାର୍ଯ୍ୟ କରାଯାଇଛି ତାହା ଉପରେ ଦଳ ଭିତରେ ଓ ସରକାରରେ ସମୀକ୍ଷା କରିବାକୁ ମଧ୍ୟ କେହି ସାହସ କରୁନାହାନ୍ତି। ସବୁକିଛି ଏବେ ହାଇକୋର୍ଟ ଉପରେ ନିର୍ଭରଶୀଳ। କିନ୍ତୁ ରାଜ୍ୟର ବିକାଶ ପାଇଁ ବିପୁଳ ଖଣିଜ ରାଜସ୍ୱ ସତ୍ତ୍ୱେ ଯେଉଁସବୁ ବ୍ୟୟବରାଦ କରାଯାଉଛି ତାହା ଭିତରୁ ଅଧିକାଂଶ ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ। ଫଳରେ ରାଜ୍ୟରେ ଚାଷୀ ବା ସାଧାରଣ ଲୋକଙ୍କର ଆୟ ବୃଦ୍ଧି ଘଟୁନାହିଁ। ଓଡ଼ିଶା ଏବେବି ରାଜସ୍ୱ ବଳକା ସତ୍ତ୍ୱେ ଦେଶର ବିକାଶ ରାଜନୀତିରେ ଯେପରି ପଛରେ ଥିଲା ସେହିପରି ରହିଛି। କିନ୍ତୁ ଆଂଚଳିକ ଦଳରେ ଏ ସଂପର୍କରେ ଆଲୋଚନା ପାଇଁ କୌଣସି ପରିବେଶ ବା ସୁଯୋଗ ରହୁନାହିଁ। କେବଳ ନିର୍ବାଚନ ଜିତିବା ପାଇଁ ଯାହାକିଛି ଆବଶ୍ୟକ ତାହା ସରକାରୀ କଳ ଓ ସମ୍ବଳ ଜରିଆରେ ପ୍ରସ୍ତୁତ କରାଯାଉଛି। ଏହିସବୁ ଘଟଣା ଦଳର ସାଧାରଣ କର୍ମୀ ଓ ସମର୍ଥକଙ୍କ ଭିତରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରୁଛି।

ବରିଷ୍ଠ ସାମ୍ବାଦିକ

ମୋ- ୮୦୧୮୦୯୪୪୫୫

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe