Advertisment

ଅନ୍ତର୍ଜାତୀୟ ମହିଳା ଦିବସ ଓ ଭାରତୀୟ ମହିଳା

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଏପରି ଏକ ସମୟରେ ପାଳିତ ହେଉଛି, ଯେତେବେଳେ ଦେଶର ମହିଳାମାନଙ୍କ ଉପରେ ଭେଦଭାବ, ହିଂସା ଓ ଆର୍ଥିକ ସଙ୍କଟ ବଢ଼ିଚାଲିଛି। ଲିଙ୍ଗଗତ ଭେଦଭାବ ରହିତ ଏକ ସମାଜ ନିର୍ମାଣର ଲକ୍ଷ୍ୟରେ ପରିକଳ୍ପନା କରାଯାଇଥିବା ଏହି ମହିଳା ଦିବସରେ ସବୁ ମହିଳା ନିଜ ଉପରେ ଏବଂ ସମାଜରେ ଘଟୁଥିବା ଲିଙ୍ଗଗତ ଭେଦଭାବ, ହିଂସା ଏବଂ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଏକତାବଦ୍ଧ ଲଢ଼େଇ କରିବା ଜରୁରୀ।

ଅଦ୍ୟତନ ହୋଇଛି
Indian Women

Indian Women

Advertisment
  • ଭାଲଚନ୍ଦ୍ର ଷଡ଼ଙ୍ଗୀ

ଆଜିକୁ ୧୧୩ ବର୍ଷ ତଳେ ମାର୍ଚ୍ଚ ୮ ତାରିଖରେ ଆମେରିକାର ନିୟୁର୍କ ସହରରେ ମହିଳାମାନଙ୍କ ଏକ ବଡ଼ ଆନ୍ଦୋଳନ ହୋଇଥିଲା । ‘ଆଠ ଘଂଟାର ଶ୍ରମ ଦିବସ’ ଓ ‘ପୁରୁଷମାନଙ୍କ ଭଳି ଭୋଟଦାନର ଅଧିକାର ପ୍ରଦାନ’ ଦାବିରେ ସେଦିନ ପ୍ରଥମ ଥର ପାଇଁ ମହିଳାମାନେ ରାସ୍ତା ଉପରକୁ ଓହ୍ଲାଇଥିଲେ । ପୁରୁଷ ପ୍ରଧାନ ସମାଜର ଗଣ୍ଡି ଭିତରୁ ବାହାରି ନିଜର ଅଧିକାର ପାଇଁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସମଗ୍ର ବିଶ୍ୱରେ ଚହଳ ସୃଷ୍ଟି କରିଥିଲା । ଏହାର ଠିକ୍ ଦୁଇବର୍ଷ ପରେ, ୧୯୧୦ ମସିହାରେ କୋପେନହେଗେନ୍ ଠାରେ ଜର୍ମାନର କମ୍ୟୁନିଷ୍ଟ ନେତ୍ରୀ କ୍ଳାରା ଜେଟକିନଙ୍କ ନେତୃତ୍ୱରେ ଅନୁଷ୍ଠିତ ସମାଜବାଦୀ ମହିଳାମାନଙ୍କ ସମ୍ମିଳନୀରେ ‘ମାର୍ଚ୍ଚ ୮’କୁ ପ୍ରତିବର୍ଷ ଅନ୍ତର୍ଜାତୀୟ ସ୍ତରରେ ‘ମହିଳା ଦିବସ’ ରୂପେ ପାଳନ କରିବାକୁ ନିଷ୍ପତ୍ତି କରାଯାଇଥିଲା। ସେହିଦିନ ଠାରୁ ମହିଳାଙ୍କ ସଂଘର୍ଷର ପ୍ରତୀକ ଭାବେ ପ୍ରତିବର୍ଷ ମାର୍ଚ୍ଚ ୮କୁ “ଅନ୍ତର୍ଜାତୀୟ ମହିଳା ଦିବସ” ରୂପେ ପାଳନ କରାଯାଉଛି।

Advertisment

ଚଳିତ ୨୦୨୫ ମସିହାର ଅନ୍ତର୍ଜାତୀୟ ମହିଳା ଦିବସ (୮ମାର୍ଚ୍ଚ)ରେ ଆମେ ଭାରତରେ ମହିଳାମାନଙ୍କୁ କଠୋର ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ଦେଖୁଛେ । ଆମ ସମାଜରେ ମହିଳାମାନଙ୍କ ସ୍ଥିତି ଏବଂ ଉଭୟ ଆନୁଷ୍ଠାନିକ ଏବଂ ଅନୌପଚାରିକ ଅର୍ଥନୀତିରେ ପୁରୁଷମାନଙ୍କ ତୁଳନାରେ ନିମ୍ନରେ ରହିଛି । ମହିଳାମାନେ ଘର ଭିତରେ ସମସ୍ତ କାମର ସର୍ବାଧିକ ବୋଝ ବହନ କରିବା ଏବଂ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଚାକିରି ପାଇଁ ଯୋଗ୍ୟତା ହାସଲ କରିବା ସତ୍ତ୍ୱେ ଏହା ହେଉଛି । ସମାଜରେ ଏକ ଅର୍ଦ୍ଧ ସାମନ୍ତବାଦୀ ସଂସ୍କୃତି ଅବ୍ୟାହତ ରହିବା ସହ ମହିଳାଙ୍କ ଏଭଳି ଏକ ସ୍ଥିତିକୁ ନ୍ୟାୟସଙ୍ଗତ କରୁଛି । ଏହାର ପ୍ରଭାବରେ ହିଁ ଉଭୟ ଘର ଭିତରେ ଏବଂ ସମାଜରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଜାରି ରହିଛି ।

ଏହା ବ୍ୟତୀତ, ୨୦୧୪ ମସିହାରୁ କେନ୍ଦ୍ର ସରକାରରେ ରହିଥିବା ବିଜେପି ତା’ର ମନୁବାଦୀ ନୀତିକୁ ଧରି ରଖିଛି ।  ଏହା ଜରିଆରେ ସବୁଠାରୁ ପଶ୍ଚାଦପଦ ପିତୃତାନ୍ତ୍ରିକ ପ୍ରଥାଗୁଡ଼ିକୁ ବୈଧତା ପ୍ରଦାନ କରାଯାଇଛି । ଦଳିତ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ବିଶେଷ ଭାବରେ ଆକ୍ରମଣର ଶିକାର ହୁଅନ୍ତି । ଆନ୍ତଃ ଧାର୍ମିକ ଏବଂ ଆନ୍ତଃ ଜାତି ବିବାହ କ୍ଷେତ୍ରରେ ଦମ୍ପତିଙ୍କ ଉପରେ ହିଂସାତ୍ମକ ଆକ୍ରମଣ, ହତ୍ୟା ଏବଂ ବଂଶ ବା ପରିବାରର ତଥାକଥିତ ସମ୍ମାନ ରକ୍ଷା ନାଁରେ 'ସମ୍ମାନ ହତ୍ୟା' ଏକ ପ୍ରକାର ନିୟମରେ ପରିଣତ ହୋଇଯାଇଛି । ଦଳିତ ମହିଳାଙ୍କ ବିରୁଦ୍ଧରେ ଯୌନ ହିଂସା ସମେତ ହିଂସା ବୃଦ୍ଧି ପାଉଛି ।

Advertisment

ଏହିଭଳି ପରିସ୍ଥିତିରେ, ସବୁଆଡ଼ୁ ମହିଳାଙ୍କ ଅଧିକାର ଉପରେ ପୁରୁଷବାଦୀ ଆକ୍ରମଣ ମଧ୍ୟ ବୃଦ୍ଧି ପାଇଛି। ମହିଳା ଆନ୍ଦୋଳନ ଏବଂ ସମାଜରେ ଅନେକ ଶକ୍ତିଶାଳୀ ଆନ୍ଦୋଳନ ସତ୍ତ୍ୱେ ମହିଳାମାନଙ୍କ ଉପରେ ଯୌନ ହିଂସା ବୃଦ୍ଧି ପାଉଛି । ଯେଉଁଠି ଅଭିଯୁକ୍ତମାନେ ଶାସନ କ୍ଷମତାରେ ରହିଥା’ନ୍ତି, ସେତେବେଳେ ଏହା ଆହୁରି ଅଧିକ ହେଉଛି । କର୍ମକ୍ଷେତ୍ରରେ ଯୌନ ଉତ୍ପୀଡ଼ନ ଏବଂ ହିଂସା ବ୍ୟାପକ ହେଉଛି । ଏପରିକି କୋର୍ଟ ପରିସରରେ ମଧ୍ୟ ମହିଳାଙ୍କ ସୁରକ୍ଷା ପାଇଁ ରହିଥିବା ଆଇନର ଉଲ୍ଲଂଘନ ହେଉଛି ଏବଂ ପିଡ଼ୀତାମାନେ ପ୍ରାୟତଃ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ସେ ଜଣେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ମୁଷ୍ଟିଯୋଦ୍ଧା ହୁଅନ୍ତୁ କିମ୍ବା ହାଥରାସର ଦଳିତ ଝିଅ ହେଉ ଅଥବା କାଠୁଆର ଜଣେ ଶିଶୁକନ୍ୟା ହେଉ ଅଥବା ମଣିପୁରର ଆଦିବାସୀ ମହିଳା ହୁଅନ୍ତୁ କିମ୍ବା ନିକଟ ଅତୀତରେ ଘଟିଥିବା ପଶ୍ଚିମବଙ୍ଗର ଜଣେ ସ୍ନାତକୋତ୍ତର ଡାକ୍ତର ଛାତ୍ରୀ ହୁଅନ୍ତୁ, ଏଭଳି ଯୌନହିଂସା ସମସ୍ତଙ୍କ ପାଇଁ ସତ୍ୟ ଅଟେ । ସମାଜର ଉଚ୍ଚ ଏବଂ ଶକ୍ତିଶାଳୀ ଲୋକଙ୍କ ଦ୍ୱାରା ଯୌନ ହିଂସାର ଘଟଣାରେ ରାଷ୍ଟ୍ର କିଭଳି ସୁରକ୍ଷା ଦେଉଛି, ତାହା କେରଳର ସିନେମା ଶିଳ୍ପରେ ମହିଳାମାନଙ୍କ ଉପରେ ଘଟିଥିବା ଯୌନ ହିଂସାକୁ ନେଇ ଗଠିତ କମିଶନ ରିପୋର୍ଟରୁ ମଧ୍ୟ ପ୍ରମାଣିତ ହୋଇଛି, ଯାହାକୁ ସେଠାକାର ରାଜ୍ୟ ସରକାର ଘୋଡ଼େଇବାକୁ ଚେଷ୍ଟା କରିଥିଲେ ।

ଗୋଟିଏ ପଟେ ସରକାର ଏବଂ ବିଶେଷ କରି କେନ୍ଦ୍ର ସରକାର ଦେବୀ ତଥା ଶକ୍ତି ବିଶେଷ କରି ମହିଳା ଶକ୍ତି କଥା କହୁଥିବା ବେଳେ ଏବଂ "ଭଉଣୀମାନଙ୍କ" ପ୍ରତି ସେମାନଙ୍କ ଚିନ୍ତାର କଥା କହୁଥିବା ବେଳେ ମହିଳାମାନଙ୍କ ବିରୁଦ୍ଧରେ ଢାଞ୍ଚାଗତ ହିଂସା ସବୁଠାରୁ ଚରମ ସୀମାରେ ଯାଇ ପହଂଚିଛି । ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବାର ବ୍ୟବସାୟୀକରଣ ବଢ଼ି ଚାଲିଛି । ଦାରିଦ୍ର୍ୟ ଏତେ ବ୍ୟାପକ ହୋଇଛି ଯେ କେନ୍ଦ୍ର ସରକାର ମଧ୍ୟ ୮୦ କୋଟି ପରିବାରର ଅନାହାର ଦୂର କରିବା ପାଇଁ ୫ କିଲୋ ଶସ୍ୟ ମାଗଣାରେ ଦେବାକୁ ବାଧ୍ୟ ହେଉଛନ୍ତି । ଦାରିଦ୍ର୍ୟ ନିଶ୍ଚିତ ଭାବରେ ମହିଳାମାନଙ୍କୁ ହିଁ ଅଧିକ ଆଘାତ ଦେଉଛି, କାରଣ ସେମାନେ ପରିବାରର ଅନ୍ୟମାନଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ନିଜକୁ ବଂଚିତ କରନ୍ତି । ବଜାରରେ ଅତ୍ୟାବଶ୍ୟକ ଜିନିଷଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ଆନୁଷ୍ଠାନିକ ଚାକିରିରେ ମହିଳାମାନଙ୍କ ସଂଖ୍ୟା ହ୍ରାସ ପାଉଛି । ୨୦୧୩-୧୪ରୁ ୨୦୨୩-୨୪ର ଦଶ ବର୍ଷ ମଧ୍ୟରେ ଦେଶର ଉଭୟ ଗ୍ରାମାଂଚଳ ଏବଂ ସହରାଂଚଳରେ ମହିଳାମାନଙ୍କ ମଜୁରୀ ହ୍ରାସ ପାଇଛି।ସ୍ୱଚ୍ଛତା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ପ୍ରଫେସର, ବୈଜ୍ଞାନିକ ଏବଂ ଡାକ୍ତରଙ୍କ ପର୍ଯ୍ୟନ୍ତ ଠିକା, ଆଉଟସୋରସିଂ ଏବଂ ଅସ୍ଥାୟୀ ନିଯୁକ୍ତି ଏକ ନିୟମରେ ପରିଣତ ହୋଇଯାଇଛି । ଅନେକ କ୍ଷେତ୍ରରେ ମହିଳାମାନେ ସମାନ କାମ ପାଇଁ ବି ଅସମାନ ମଜୁରୀ ପାଇଥା’ନ୍ତି । ଅନେକ ସ୍ଥାନରେ ଇଏସ୍ଆଇ କଟାନଯିବା ଫଳରେ ମହିଳା କର୍ମଚାରୀ ଓ ଶ୍ରମିକମାନେ ମାତୃତ୍ୱକାଳୀନ ସୁବିଧାରୁ ବଂଚିତ ହୋଇଥାନ୍ତି। ଇପିଏଫ୍ ପରି ମହିଳାମାନଙ୍କୁ ସଶକ୍ତ କରୁଥିବା ଏକ ସାମ୍ବିଧାନିକ ଅଧିକାର ଏବଂ ସର୍ବନିମ୍ନ ମଜୁରୀ ଅନେକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉ ନାହିଁ ।  କାର୍ଯ୍ୟର ସମୟସୀମା ଆଇନଗତ ଭାବେ ଦୈନିକ ଆଠ ଘଂଟା ଥିବା ବେଳେ ଅନେକ କ୍ଷେତ୍ରରେ ତାକୁ ଅତିକ୍ରମ କରିବା ଦେଖାଯାଉଛି । ଏସବୁ ଅବଶ୍ୟ କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତା କାର୍ଯ୍ୟକାରୀ ହେବା ପୂର୍ବରୁ ମଧ୍ୟ ଘଟି ଆସିଛି ଏହା ଲାଗୁହେବା ପରେ କର୍ମଜୀବୀ ମହିଳାମାନଙ୍କ ସମେତ ଶ୍ରମିକମାନଙ୍କର ଅନେକ ଆଇନଗତ ଅଧିକାର ସମାପ୍ତି ହୋଇଯିବ ।

ଗ୍ରାମାଂଚଳରେ ଏକମାତ୍ର ସରକାରୀ ରୋଜଗାର ଯେଜନା ରୂପେ ପରିଚିତ ମନରେଗା ପାଇଁ ବଜେଟ୍ ସରକାର ଲଗାତାର ଭାବେ ସଙ୍କୁଚିତ କରୁଛନ୍ତି । ଏହା ଗ୍ରାମୀଣ ମହିଳାମାନଙ୍କୁ ଯଦିଓ ୧୦୦ ଦିନର ଏକ ସାମାନ୍ୟ ସମୟ ପାଇଁ ମଜୁରୀ ଦେବାକୁ କହୁଛି ଏବଂ ତାହା ମଧ୍ୟ ସର୍ବନିମ୍ନ ମଜୁରୀରେ ନୁହେଁ । ପ୍ରାୟତଃ ମହିଳାମାନେ ନିଯୁକ୍ତ ହୋଇଥିବା ଅଙ୍ଗନୱାଡ଼ି, ଆଶା, ପାଚିକା, ସ୍ୱଚ୍ଛସାଥୀ ଏବଂ ଅନ୍ୟ କର୍ମଚାରୀମାନେ ଯଦିଓ ନିୟମିତ କର୍ମଚାରୀଙ୍କ ପରି କାମ କରୁଛନ୍ତି, କିନ୍ତୁ ସେମାନଙ୍କୁ କେବଳ ସ୍ୱେଚ୍ଛାସେବୀ ଭାବେ ହିଁ ବର୍ଗୀକୃତ କରି ନିୟମିତ କର୍ମଚାରୀଙ୍କ ପରି ସୁବିଧାରରୁ ଏପରିକି ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀରୁ ବି ବଂଚିତ କରାଯାଉଛି। ପୁରୁଷବାଦୀ ସାଂସ୍କୃତିକ ପ୍ରଥାଗୁଡ଼ିକୁ ପୁନର୍ଜୀବିତ କରାଯାଉଛି ଏବଂ ମହିଳାମାନଙ୍କୁ ଗୀତ ମାଧ୍ୟମରେ ଏବଂ ହାସ୍ୟ ନାମରେ ଅପମାନିତ ଏବଂ ବସ୍ତୁରୂପିତ କରାଯାଉଛି ।

ଗୋଟିଏ ପଟେ ମହିଳାମାନଙ୍କର ଆଇନଗତ ମଜୁରୀରୁ ବଂଚିତ କରାଯାଉଛି ଏବଂ ଅନ୍ୟପଟେ ସେମାନଙ୍କୁ ‘ଲାଡଲି ବେହେନା’, ‘ଲଡକି ବେହେନ’, ‘ସୁଭଦ୍ରା’, ‘ମୈୟା’ ଆଦି ନାଁରେ ମାସିକ ମାତ୍ର ୮୩୩ ରୁ ୨୫୦୦ ଟଙ୍କା ଯାଏଁ ନାମକୁ ମାତ୍ର ଆର୍ଥିକ ସହାୟତା ଦିଆଯାଉଛି । ଏଥିରୁ ଦେଶର ଅଧିକାଂଶ ପରିବାରର ବିଶେଷ କରି ମହିଳାମାନଙ୍କ କଠିନ ଆର୍ଥିକ ସ୍ଥିତିଟି ପ୍ରମାଣିତ ହେଉଛି । ଦେଶର ଗ୍ରାମାଂଚଳରେ କୃଷି ଶ୍ରମିକମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ଲାଗୁ କରାଯାଏ ନାହିଁ ଏବଂ ସେଥିରେ ଲିଙ୍ଗଗତ ଅସମାନତାଟି ସ୍ପଷ୍ଟ ରହିଥାଏ । ମହିଳାମାନଙ୍କ ନିଯୁକ୍ତି ତାଲିକାରେ, ନିୟମିତ ନିଯୁକ୍ତି ନୁହେଁ ବରଂ ଆତ୍ମନିଯୁକ୍ତିରେ କରୁଥିବା ମହିଳାମାନେ ଶୀର୍ଷରେ ଅଛନ୍ତି । କାରଣ ପନିପରିବା ବିକ୍ରେତା ଓ ଅନ୍ୟ ଫୁଟ୍‌ପାଥ୍‌ ବ୍ୟବସାୟରେ ଥିବା ମହିଳାମାନେ ଏହି ବର୍ଗରେ ଆସିଥା’ନ୍ତି ! ବରଂ ସଶକ୍ତିକରଣ ନାମରେ ମହିଳାମାନେ ସ୍ୱୟଂ ସହାୟକ ଏବଂ ମାଇକ୍ରୋ ଫାଇନାନ୍ସ ଯୋଜନା ଜରିଆରେ ସେମାନଙ୍କ ଦ୍ୱାରା ଲୁଟ୍‌ ପାଇଁ ଫସାଇ ଦିଆଯାଉଛି ।

ଦୈନିକ କାର୍ଯ୍ୟ ସମୟ ଉପରେ ଆଇନ ଲାଗୁ ହେଉ ନଥିଲେ ମଧ୍ୟ ବଡ଼ ପୁଞ୍ଜିପତିମାନେ ସପ୍ତାହକୁ ୯୦ ଘଣ୍ଟା କାମର ଦିବସ ପାଇଁ ନିରନ୍ତର ଚାପ ପକାଉଛନ୍ତି । କେନ୍ଦ୍ର ସରକାରଙ୍କ ଶ୍ରମ ସଂହିତା ସେମାନଙ୍କ ପାଇଁ ଏହି ସମ୍ଭାବନାର ଦ୍ୱାରକୁ ଖୋଲିବାକୁ ଯାଉଛି । ଏହାଫଳରେ କର୍ମଜୀବୀ ମହିଳାମାନଙ୍କ ଉପରେ ଶ୍ରମର ବୋଝ ବଢ଼ିବ, ସେମାନଙ୍କ ସ୍ୱାସ୍ଥ୍ୟକୁ ଆହୁରି ଖରାପ କରିବ ଏବଂ ନିଶ୍ଚିତ ଭାବରେ ସେମାନଙ୍କୁ ଆନୁଷ୍ଠାନିକ ଚାକିରିରୁ ସମ୍ପୂର୍ଣ୍ଣ ବାହାର କରିଦେବ । ଅଧିକାଂଶ ମହିଳାଙ୍କ ସପ୍ତାହରେ ସାତ ଦିନର ନିରନ୍ତର ଘରୋଇ କାମ ରହିଥାଏ । ବାସ୍ତବତା ହେଉଛି ପ୍ରତିଦିନ ୧୨ ଘଂଟାର ଆନୁଷ୍ଠାନିକ କାମ ସହିତ ଘରୁ କାର୍ଯ୍ୟସ୍ଥଳକୁ ଯିବା ଆସିବା ଏବଂ ଘରର କାମ ମିଶି କର୍ମଜୀବୀ ମହିଳାଙ୍କ ଜୀବନକୁ ଦୁର୍ବିସହ କରିଦେବ।

ଦେଶରେ ନାଗରିକମାନଙ୍କ ପସନ୍ଦର ସ୍ୱାଧୀନତା ଉପରେ ଆକ୍ରମଣ ଜାରି ରହିଛି । ମହିଳାଙ୍କ ପାଇଁ କ୍ଷତିକାରକ ପ୍ରଥାର ପରିବର୍ତ୍ତନ କରିବା ନାମରେ ଉତ୍ତରାଖଣ୍ଡରେ ଏକ ସମାନ ନାଗରିକ ସଂହିତା ଲାଗୁ କରାଯାଇଛି । ବର୍ତମାନ ଏହା କେବଳ ସମସ୍ତ ଲିଭ୍ ଇନ୍ ସମ୍ପର୍କର ପଞ୍ଜୀକରଣ କରିବାରେ ସୀମିତ ରହିଛି । ଏହି ପଞ୍ଜୀକରଣ ତାଲିକାଟି ନିଶ୍ଚିତ ଭାବରେ ନୈତିକ ପୋଲିସିଂ ପାଇଁ ଏବଂ ମହିଳା ଏବଂ ସେମାନଙ୍କ ସାଥୀମାନଙ୍କୁ ଟାର୍ଗେଟ କରିବା ପାଇଁ ବ୍ୟବହାର କରାଯିବ । ‘ଲଭ୍ ଜିହାଦ' ବିରୋଧରେ ଲଢ଼ିବା ନାମରେ, ୧୨ଟି ବିଜେପି ଶାସିତ ରାଜ୍ୟ ସମାନ ଉଦେ୍ଦଶ୍ୟ ପାଇଁ ଆଇନ ତିଆରି କରିବାକୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ଭରଣପୋଷଣ ପାଇଁ ଆଇନ, ବିବାଦ ପରେ ଛାଡ଼ପତ୍ର ହେବା ପର୍ଯ୍ୟନ୍ତ ସ୍ୱାମୀର ଘରେ ରହିବାର ଅଧିକାର ପାଇଁ ଆଇନ, ଘରୋଇ ହିଂସା ବିରୁଦ୍ଧରେ ଆଇନ ଆଦିକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ତରିକତା ନାହିଁ । ସ୍ୱତନ୍ତ୍ର ବିବାହ ଆଇନ ଅଧୀନରେ ଆନ୍ତଃଧର୍ମ ଏବଂ ଆନ୍ତଃଜାତି ଦମ୍ପତିଙ୍କ ଆବେଦନ ସେମାନଙ୍କୁ ଚିହ୍ନଟ କରି, ପ୍ରତାଡ଼ିତ କରିବା ଏବଂ ସ୍ଥଳ ବିଶେଷରେ ହତ୍ୟା କରିବାର ଏକ ପଦ୍ଧତି ହୋଇଯାଇ ଥିବା ବେଳେ ସରକାର ଏବଂ ପୋଲିସ ନୀରବ ଦର୍ଶକ ଭୂମିକା ନେବା ଦେଖାଯାଉଛି ।

ଦେଶରେ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ଉପରେ କଟକଣା ଲଗାଯାଉଛି । ଗତବର୍ଷ ରାଜଧାନୀରେ ୮ ମାର୍ଚ୍ଚ ମହିଳା ଦିବସରେ ମହିଳା ସଂଗଠନମାନଙ୍କ ମିଳିତ ବୈଠକକୁ ଅନୁମତି ଦେବାକୁ ପୋଲିସ ମନା କରିଦେଇଥିଲା ଏବଂ ଅଂଶଗ୍ରହଣ କରିବାକୁ ଆସିଥିବା ସମସ୍ତ ମହିଳାଙ୍କୁ ଗିରଫ କରିଥିଲା । ଯୌନ ହିଂସା ବିରୁଦ୍ଧରେ ପ୍ରଦର୍ଶନ କରୁଥିବା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ମହିଳା ମୁଷ୍ଟିଯୋଦ୍ଧାମାନଙ୍କୁ ମାଡ଼ ଦିଆଯିବା ସହ ଅଗଣତାନ୍ତ୍ରିକ ଭାବେ ଗିରଫ କରାଯାଇଥିଲା । ବିବାଦୀୟ ନାଗରିକତା ଆଇନ (ସିଏଏ) ବିରୋଧରେ ପ୍ରତିବାଦ ପାଇଁ ଦିଲ୍ଲୀରେ ମହିଳା ଏବଂ ଛାତ୍ରମାନଙ୍କୁ ଆତଙ୍କବାଦ ବିରୋଧୀ ଆଇନ ବା ୟୁଏପିଏରେ ମାମଲା ଦାୟର କରାଯିବା ସହ ଏଯାଏଁ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇ ନାହିଁ । ନିଜର ଭିଟାମାଟିର ସୁରକ୍ଷା ପାଇଁ ବିସ୍ଥାପନକୁ ବିରୋଧ କରିବା କାରଣରୁ ଅନେକ ଆଦିବାସୀ ମହିଳାଙ୍କୁ ମଧ୍ୟ ୟୁଏପିଏ ଅଧୀନରେ ଜେଲରେ ବନ୍ଦୀ କରାଯାଇଛି । ମହିଳା ଶ୍ରମିକମାନେ ମଜୁରୀ ଏବଂ ଚାକିରି ପାଇଁ ସଂଘର୍ଷରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ଦମନର ସମ୍ମୁଖୀନ ହୋଇଛନ୍ତି ।

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ବଡ଼ ବଡ଼ କର୍ପୋରେଟଙ୍କ ସ୍ୱାର୍ଥରେ ଦେଶରେ ଜନବିରୋଧୀ ନୀତି କାର୍ଯ୍ୟକାରୀ କରୁଛନ୍ତି ଏବଂ ଭାରତର ବିସ୍ତୃତ କୃଷି ଓ ଜଙ୍ଗଲ ଜମିକୁ ବଡ଼ ବଡ଼ କମ୍ପାନୀଗୁଡ଼ିକୁ, ମୁଖ୍ୟତଃ ବିଦେଶୀ କମ୍ପାନୀମାନଙ୍କୁ ହସ୍ତାନ୍ତର କରିବାରେ ଲାଗିଛନ୍ତି । ଆଦିବାସୀମାନଙ୍କୁ ଜଙ୍ଗଲରୁ ବଳପୂର୍ବକ ବିତାଡ଼ିତ କରାଯାଉଛି ଏବଂ ଛତିଶଗଡ଼ରେ ହଜାର ହଜାର ମହିଳା ବିସ୍ଥାପନର ଶୀକାର ହୋଇଛନ୍ତି । କୃଷି ଜମି ହସ୍ତାନ୍ତର କରିବାକୁ ଚେଷ୍ଟା କରାଯାଉଛି । କିନ୍ତୁ କମ୍ପାନୀମାନଙ୍କୁ ଏହିଭଳି ବିପୁଳ ପରିମାଣରେ ଜମି ହସ୍ତାନ୍ତର କରାଯାଉଥିବା ବେଳେ, ଦେଶର ବହୁ ସଂଖ୍ୟକ ଭୂମିହୀନ ମହିଳାଙ୍କୁ ସରକାର ଜମି ପ୍ରଦାନ କରିବାରୁ ବଂଚିତ କରାଯାଉଛି ।

ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଏପରି ଏକ ସମୟରେ ପାଳିତ ହେଉଛି ଯେତେବେଳେ ଦେଶର ମହିଳାମାନଙ୍କ ଉପରେ ଭେଦଭାବ, ହିଂସା ଓ ଆର୍ଥିକ ସଙ୍କଟ ବଢ଼ିଚାଲିଛି । ଲିଙ୍ଗଗତ ଭେଦଭାବ ରହିତ ଏକ ସମାଜ ନିର୍ମାଣର ଲକ୍ଷ୍ୟରେ ପରିକଳ୍ପନା କରାଯାଇଥିବା ଏହି ମହିଳା ଦିବସରେ ସବୁ ମହିଳା ନିଜ ଉପରେ ଏବଂ ସମାଜରେ ଘଟୁଥିବା ଲିଙ୍ଗଗତ ଭେଦଭାବ, ହିଂସା ଏବଂ ସରକାରଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଏକତାବଦ୍ଧ ଲଢ଼େଇ କରିବା ଜରୁରୀ ।

ଇମେଲ: bhalachandra.odisha@gmail.com

ଫୋନ୍ ନମ୍ବର: 9437166391 

International Women's Day
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe