ପଞ୍ଚାନନ କାନୁନ୍ଗୋ
ସଂପ୍ରତି ରାଜ୍ୟସଭାରେ ୱାକଫ୍ ସଂଶୋଧିତ ବିଲ୍ର ପାରିତ ହେବା ଅବସରରେ ଓଡ଼ିଶାର ବିଜୁ ଜନତା ଦଳ ବିଭାଜିତ ହୋଇଯାଇଥିବା ସ୍ପଷ୍ଟ ଭାବରେ ସାଧାରଣରେ ଚର୍ଚ୍ଚାକୁ ଆସିଛି। ଏହା ଏପରି ସ୍ତରକୁ ବ୍ୟାପିଛି ଯେ ପ୍ରତିଦିନ ବିଜେଡିର ବରିଷ୍ଠ ନେତାମାନେ ଏହାର ସପକ୍ଷରେ ଓ ବିପକ୍ଷରେ ସ୍ୱର ଉତ୍ତୋଳନ କରିବା ସମୟରେ ଦଳର ନେତୃତ୍ୱ ପ୍ରତି ଆହ୍ୱାନ ସୃଷ୍ଟି କରୁଛନ୍ତି। ପ୍ରଥମ ଥର ପାଇଁ ଦେଖାଗଲା ଯେ ନବୀନବାବୁଙ୍କୁ ପ୍ରତ୍ୟକ୍ଷ ଭାବେ ଅସ୍ୱୀକାର କରି ବା ତାଙ୍କ ବକ୍ତବ୍ୟକୁ ଗ୍ରହଣ ନକରି ଅନେକ ବରିଷ୍ଠ ନେତା ନିଜ ନିଜର ମତ ବ୍ୟକ୍ତ କରିଛନ୍ତି।
ପୂର୍ବରୁ ଯେ ବିଜେଡି ଭିତରେ ବିଭେଦ ସୃଷ୍ଟି ହୋଇନଥିଲା ତା ନୁହେଁ। ଅନେକବାର କିଛି ପ୍ରମୁଖ ସଦସ୍ୟ ଦଳରୁ ନିଲମ୍ବିତ ହୋଇଛନ୍ତି ଓ ପରବର୍ତ୍ତୀ କାଳରେ ବୁଝାମଣା ମାଧ୍ୟମରେ ଦଳକୁ ଆସିଛନ୍ତି। ଏକଦା ଲୋକସଭାରେ ମଧ୍ୟ ବିଜେଡିର ୫ ଜଣ ପ୍ରମୁଖ ସାଂସଦ ଏକତ୍ରିତ ହୋଇ ଏକ ବିକଳ୍ପ ବା ସ୍ୱତନ୍ତ୍ର ଗୋଷ୍ଠୀ ସୃଷ୍ଟି କରିବାର ଉଦ୍ୟମ କରିଥିଲେ। ତାହା ମଧ୍ୟ କିଛିଦିନ ପରେ ପ୍ରଶମିତ ହୋଇଥିଲା ଏବଂ ସେମାନେ ସମସ୍ତେ ମୁଖ୍ୟଧାରାକୁ ଫେରି ନବୀନଙ୍କ ନେତୃତ୍ୱକୁ ସ୍ୱୀକାର କରିନେଇଥିଲେ। ସେଥିମଧ୍ୟରେ ମୁଖ୍ୟତଃ ପ୍ରସନ୍ନ ଆଚାର୍ଯ୍ୟ, ଭର୍ତ୍ତୃହରି ମହତାବ, ପ୍ରସନ୍ନ ପାଟ୍ଟଶାଣୀ ପ୍ରମୁଖ ସଦସ୍ୟମାନେ ଥିଲେ। ନବୀନବାବୁଙ୍କ ଗୋଟିଚାଳନା ତଥା ରାଜନୈତିକ ନିଷ୍ପତ୍ତି ଫଳରେ ସମସ୍ତ ଦଳ ଏକ ଶୃଙ୍ଖଳିତ ଦଳ ଭାବେ ଆଗକୁ ଆଗେଇଥିଲା ଓ କିଛି ସଦସ୍ୟ ମୁଖ୍ୟ ଦଳରୁ ବିଦା ହୋଇଯିବା ଫଳରେ ଦଳ ଭିତରେ ନେତୃତ୍ୱ ପ୍ରତି ଏକ ପ୍ରକାର ଭୟ ଜାତ ହୋଇଥିଲା।
କିନ୍ତୁ ଏଥର ପରିସ୍ଥିତି ଦେଖିଲେ ଜଣାପଡୁଛି ଯେ ଏହି ଯେଉଁ ବିଭାଜିତ ମତ ପ୍ରକାଶ ପାଇଛି ତାହା ସହଜରେ ପ୍ରଶମିତ ହେବନାହିଁ। ଏହା ଏକ ଆଦର୍ଶଗତ କାରଣ ଯୋଗୁ ସୃଷ୍ଟି ହୋଇଛି। ବିଜେଡିର ସମ୍ବିଧାନକୁ ନିରୀକ୍ଷଣ କଲେ ଦେଖାଯାଏ ଯେ ଏହା ମୁଖ୍ୟତଃ ରାଜ୍ୟକୁ ଏକ ସମୃଦ୍ଧ ଓ ସ୍ୱାଭିମାନୀ ରାଜ୍ୟରେ ପରିଣତ କରିବା ଓ ଏଥିସହିତ ଦଳକୁ ଏକ ଧର୍ମନିରପେକ୍ଷ ଦଳ ଭାବରେ ପ୍ରତିଷ୍ଠିତ କରିବା ଉଦ୍ଦେଶ୍ୟ ଥିଲା। ଏଥର ଯେଉଁ ସମସ୍ୟା ଉପୁଜିଛି ତାହା ଦଳର ଆଦର୍ଶ ବିଚ୍ୟୁତି ପାଇଁ। ସେହିକଥାଟି ହେଲା ଦଳର ଅନେକ ସଦସ୍ୟ ବିଚାରୁଛନ୍ତି ଯେ ବିଜେଡି ଧର୍ମନିରପେକ୍ଷତା ଠାରୁ ଦୂରେଇ ଯାଇଛି। ଅନେକ ପୁରୁଖା ସଦସ୍ୟ ପ୍ରଫୁଲ୍ଲ ସାମଲ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଭାତ ତ୍ରିପାଠୀ, ନୃସିଂହ ସାହୁଙ୍କ ମତ ଏ ଦିଗରେ ଅତ୍ୟନ୍ତ ସ୍ପଷ୍ଟ। ଏପରିକି ସଦସ୍ୟମାନେ ନବୀନବାବୁଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିଲାପରି ଜଣାପଡୁଛି।
ଆସନ୍ତା ୧୫ ତାରିଖ ଦିନ ଯାଜପୁର ଠାରେ ‘ଆସ ଆମେ ବିକାଶ ପାଇଁ ଏକାଠି ହେବା’ ଶିରୋନାମାରେ ଗୋଟିଏ ସମ୍ମିଳନୀ ଡକାଯାଇଛି। ଏହାର ମୁଖ୍ୟ ପୁରୋଧା ଅଛନ୍ତି ବିଜେଡିରୁ ଦୂରେଇ ଯାଇଥିବା ପ୍ରମୁଖ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ। ଏହି ସଭାରେ ମୁଖ୍ୟ ଧାରାରୁ ଦୂରେଇ ଯାଇଥିବା ପ୍ରଫୁଲ୍ଲ ଘଡ଼ାଇ ଓ ଅମର ଶତପଥୀ ପ୍ରମୁଖ ସଦସ୍ୟମାନେ ଯୋଗ ଦେଉଛନ୍ତି। ସୂଚନା ମିଳୁଛି କି ଅସନ୍ତୁଷ୍ଟମାନେ ଏକ ଖସଡ଼ା ପ୍ରସ୍ତୁତ କରିବା ପୂର୍ବରୁ ଏହି ପ୍ରକାର ଏକ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି।
ଏବେ ଦଳର ଅନେକ ନେତା ନବୀନବାବୁଙ୍କୁ ସିଧାସଳଖ ସମାଲୋଚନା ନକରି ଦଳର ଅନ୍ୟତମ ସଦସ୍ୟ ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନ୍ଙ୍କୁ ଦାୟୀ କରି ମନ୍ତବ୍ୟମାନ ଦେଉଛନ୍ତି। ଗତ ୨୦୨୪ ନିର୍ବାଚନ ପୂର୍ବରୁ ପାଣ୍ଡିଆନ୍ ନିଜ ପଦବୀରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ଏବଂ ସିଧାସଳଖ ଭାବେ ନିର୍ବାଚନ ପରିଚାଳନାରେ ଅଂଶଗ୍ରହଣ କଲେ। ସେହି ସମୟରେ ନବୀନ ପଟ୍ଟନାୟକ କୌଣସି କାରଣରୁ ନିର୍ବାଚନ ପରିଚାଳନାରୁ ଦୂରରେ ରହିଥିବାର ଦେଖାଗଲା। ଯଦିଓ ଗୋଟିଏ ସମୟରେ ଶ୍ରୀ ପାଣ୍ଡିଆନ୍ ନବୀନଙ୍କ ଏକ ଭିଡିଓ ସ୍ୱୀକୃତି ସାଧାରଣରେ ଲୋକଙ୍କୁ ଦେଖାଇଥିଲେ ଯେଉଁଥିରେ ନବୀନବାବୁ ତାଙ୍କୁ ସମସ୍ତ ନିର୍ଦ୍ଦେଶ ଦେଇଥିବା କଥା ସେ କର୍ମୀ ଓ ଲୋକମାନଙ୍କୁ ଶୁଣାଇଥିଲେ। ତା’ ପରେ ସବୁ ସ୍ଥିର ହୋଇଯାଇଥିଲା ଏବଂ ବସ୍ତୁତଃ ସମସ୍ତେ ଯେପରି ପାଣ୍ଡିଆନ୍ଙ୍କୁ ଦଳର ଅନ୍ୟତମ ନେତା ଭାବେ ଗ୍ରହଣ କରିଯାଇଥିଲେ ବୋଲି ଜଣାପଡ଼ୁଥିଲା। ବର୍ତ୍ତମାନ ପ୍ରଶ୍ନ ଉଠାଉଥିବା ନେତାମାନଙ୍କ ମଧ୍ୟରୁ ନିର୍ବାଚନ ପୂର୍ବରୁ ବା ପାଣ୍ଡିଆନ୍ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇ ନିର୍ବାଚନ ପରିଚାଳନା କରିବା ସମୟରେ କେହି କେବେ ପ୍ରଶ୍ନ ଉଠାଇନଥିଲେ।
ଏବେ ଦଳର ପରାଜୟ ପରେ ଦଳ ଭତରେ ଏକ ଅସ୍ଥିରତା ଦେଖାଦେଇଛି। ନେତାମାନେ ବିଭିନ୍ନ ଜାଗାରେ ଏକାଠି ହୋଇ ନିଜ ନିଜର ଗୋଷ୍ଠୀ ମାଧ୍ୟମରେ ମତବ୍ୟକ୍ତ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ପାଣ୍ଡିଆନ୍ଙ୍କୁ ଦଳର ଏକ ହିତକାରୀ ସଦସ୍ୟ ଭାବେ ଗ୍ରହଣ କରି ନବୀନବାବୁଙ୍କ ମତ ଅସନ୍ତୁଷ୍ଟମାନଙ୍କୁ ବିଚଳିତ କରିଛି। ହୁଏତ ଅସନ୍ତୁଷ୍ଟମାନେ ଏହାକୁ ଭୟରେ ଗ୍ରହଣ କରିଯାଇ ଚୁପ୍ ରହିପାରନ୍ତି ଓ ପୂର୍ବପରି ନବୀନବାବୁଙ୍କୁ ମାନି ନେଇ ଦଳରେ କାର୍ଯ୍ୟ କରିପାରନ୍ତି ବା ଦଳରୁ ଅଲଗା ହୋଇ ଆଉ ଏକ ନୂତନ ଦଳ ଗଠନ କରିବାର ସମ୍ଭାବନାକୁ ମଧ୍ୟ ଏଡ଼ାଯାଇ ନପାରେ।
ସଂପ୍ରତି ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବୃଦ୍ଧି ପାଇବାର ଲକ୍ଷ୍ୟ କରାଯାଇଛି। କେନ୍ଦ୍ରରେ ଥିବା ଦୁଇ ପ୍ରଭାବଶାଳୀ ଦଳ ବିଜେପି ଓ କଂଗ୍ରେସ ଏହି ଆଞ୍ଚଳିକ ଦଳମାନଙ୍କ ସହିତ ଗଠବନ୍ଧନ କରି ରାଜନୈତିକ ପରିଚାଳନା କରିବାର ପ୍ରୟାସରେ ଅଛନ୍ତି। ଅର୍ଥାତ୍ ଆଞ୍ଚଳିକ ଦଳକୁ ଛାଡ଼ି କୌଣସି ପ୍ରମୁଖ ଦଳ ଦେଶରେ ଏକାକୀ ଶାସନ କରିବାର ସମ୍ଭାବନା ବର୍ତ୍ତମାନ ସ୍ଥିତିରେ ନାହିଁ। ସେହି ସମୟରେ ଓଡ଼ିଶାରେ ଥିବା ଆଞ୍ଚଳିକ ଦଳ ବିଜେଡି ବିଜେପି ସହିତ ପ୍ରକାରାନ୍ତରେ ମିଶିଯିବାର ପ୍ରକ୍ରିୟା ଉପରେ ଦଳୀୟ କର୍ମୀମାନେ ଚର୍ଚ୍ଚା ଆରମ୍ଭ କରିଦେଇଛନ୍ତି। ଯାହାଫଳରେ ବିଜେଡି ପ୍ରତିଷ୍ଠା ହେବା ସମୟରେ ଯେଉଁ ଆଞ୍ଚଳିକ ବାଦର ସ୍ଲୋଗାନ୍ ଆରମ୍ଭ କରିଥିଲା ତାହା ରୁଗ୍ଣ ଓ ନିଶେଷ ହୋଇଯିବା ପରି ମନେ ହେଉଛି। ଅଧିକନ୍ତୁ କିଛି ଅସନ୍ତୁଷ୍ଟ ନେତାଙ୍କର ମନ୍ତବ୍ୟରୁ ସ୍ପଷ୍ଟ ବାରି ହେଉଛି ଯେ ଆଉ ଏକ ଆଞ୍ଚଳିକ ଦଳ ଗଠନ ହେବାର ପ୍ରକ୍ରିୟାରେ ସେମାନେ ଅଛନ୍ତି।
ବିଜେଡି ବିଭାଜିତ ହେଲେ ଗୋଟିଏ ଗୋଷ୍ଠୀ ନିଶ୍ଚିତ ଭାବେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କର ନେତୃତ୍ୱ ପଛରେ ରହିବେ। ଅନ୍ୟ ଏକ ଗୋଷ୍ଠୀ ଏହାଠାରୁ ଦୂରେଇ ଯାଇ ଏକ ଆଞ୍ଚଳିକ ଦଳ ସୃଷ୍ଟି କରିପାରନ୍ତି। ତାଙ୍କ ପାଇଁ ଅନ୍ୟ ଏକ ଗଠବନ୍ଧନର ସୁଯୋଗ ମଧ୍ୟ ରହିଛି। କଂଗ୍ରେସ ଦଳ ଏବେ ବି ଅନେକ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କ ସହିତ ଏକାଠି ହୋଇ କାର୍ଯ୍ୟ କରୁଥିବା ଦେଖାଦେଇଛି। ସେମାନେ ଓଡ଼ିଶାରେ ମଧ୍ୟ ଏପରି ପ୍ରକ୍ରିୟାକୁ ହାତଛଡ଼ା କରିବେ ନାହିଁ। ଯାଜପୁର ଠାରେ ୧୫ ତାରିଖରେ ବସୁଥିବା ‘ଆସ ଆମେ ବିକାଶ ପାଇଁ ଏକାଠି ହେବା’ ଶିରୋନାମାନରେ ଯେଉଁ ସଭା ଆହୂତ ହୋଇଛି ସେଠାରେ ସମସ୍ତେ ବିଚାର କରିପାରନ୍ତି ଯେ ବିଜେପି ଓ ନବୀନ-ପାଣ୍ଡିଆନଙ୍କ ଗଠବନ୍ଧନ ଠାରୁ ଭିନ୍ନ ଏକ ଗଠବନ୍ଧନରେ ଯୋଗ ଦେଇ ବର୍ତ୍ତମାନର ଓଡ଼ିଶା ବିରୋଧୀ ରାଜନୈତିକ ପ୍ରକ୍ରିୟାକୁ ପ୍ରତିହତ କରିବେ ଓ ଲୋକଙ୍କର ସମର୍ଥନ ଲୋଡ଼ିବେ।
ଅନେକ ସାଧାରଣ ବ୍ୟକ୍ତି ଓ ବୁଦ୍ଧିଜୀବୀ ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ଉପରେ ସନ୍ତୁଷ୍ଟ ନୁହନ୍ତି। ଏମାନେ କେବଳ ଗୁଡ଼ିଏ କଥା କହୁଛନ୍ତି, କିନ୍ତୁ ରାଜ୍ୟର ସ୍ୱାର୍ଥ ସାଧନ କଲା ଭଳି କୌଣସି ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଏ ସରକାରର ନାହିଁ। ଯେପରି ଏବେ ୧୧ ତାରିଖରେ ଗୃହୀତ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାଟି ଓଡ଼ିଶା ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଯେତେ ଶୁଭଙ୍କର ନୁହେଁ, ଦଳ ଓ ସରକାରଙ୍କ ପାଇଁ ତା’ଠାରୁ ଅଧିକ ଲାଭଜନକ ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ଯୋଜନାରେ ଯେଉଁ ବ୍ୟବସ୍ଥା ରହିଛି ସେଥିରେ କର୍ପୋରେଟ୍ ଡାକ୍ତରଖାନାମାନେ ଲାଭବାନ ହେବେ। ଯେଉଁ ରୋଗୀମାନେ ଏସବୁ ଡାକ୍ତରଖାନାକୁ ଯିବେ ସେମାନଙ୍କ ସମସ୍ତ ଅର୍ଥ କର୍ପୋରେଟ୍ ଡାକ୍ତରଖାନାମାନେ ଶୋଷି ନେବେ। ଅଥଚ ଗ୍ରାମାଞ୍ଚଳରେ ବା ତଳ ସ୍ତରରେ ଥିବା ଚିକିତ୍ସା ବ୍ୟବସ୍ଥା ଦୁର୍ବଳ ହେବ ଓ ସମସ୍ତେ ଏହିସବୁ ଡାକ୍ତରଖାନାକୁ ରେଫେରାଲ୍ ଡାକ୍ତରଖାନା ଭାବେ ବ୍ୟବହାର କରି ଚିକିତ୍ସିତ ବ୍ୟକ୍ତିମାନଙ୍କୁ ସେଠାକୁ ପଠାଇଦେବେ। ଏହି ଡାକ୍ତରଖାନାଗୁଡ଼ିକ ତାଙ୍କର ରୋଗର ପରୀକ୍ଷା ନିରୀକ୍ଷା ଓ ଚିକିତ୍ସା ପାଇଁ ପ୍ରଦର୍ଶିତ ଅର୍ଥ ନେଇଯିବା ପରେ ଆବଶ୍ୟକ ପଡୁଥିବା ଅଧିକ ଅର୍ଥ ରୋଗୀଙ୍କ ପକେଟ୍ରୁ ଟାଣିହୋଇଯିବ। କେବଳ ଚିକିତ୍ସା କ୍ଷେତ୍ରରେ ନୁହେଁ, ଶିକ୍ଷା କ୍ଷେତ୍ରରେ ମଧ୍ୟ ଚରମ ଅବହେଳା ତଳ ସ୍ତରରେ ଲାଗୁ ହୋଇଥିବା ଜଣାଯାଇଛି।
ରାଜ୍ୟର ଅମୂଲ୍ୟ ଖଣିଜ ସଂପଦ ରାଜ୍ୟରୁ ଛଡ଼ାଇ ନେବାର କାର୍ଯ୍ୟକ୍ରମ ବେଳେ ମାନ୍ୟବର ସୁପ୍ରିମକୋର୍ଟର ସଦ୍ୟ ପ୍ରକାଶିତ ରାୟ ରାଜ୍ୟମାନଙ୍କର ଏ ଦିଗରେ ନିଜର ସ୍ୱତନ୍ତ୍ର କ୍ଷମତା ଥିବା ଦର୍ଶାଇଥିଲେ ମଧ୍ୟ ରାଜ୍ୟ ସରକାର କେନ୍ଦ୍ରର ଏକ ଅଂଶବିଶେଷ ହୋଉଥିବା ହେତୁ ଏହି ରାୟ ଅନୁସାରେ ନିଜର ଅଧିକାର ସାବ୍ୟସ୍ତ କରୁନାହାନ୍ତି। କିମ୍ବା କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ରାଜଭାଗ (ରୟାଲିଟି) ଦାବି କରୁ ନାହାନ୍ତି। ପେଟ୍ରୋଲ୍ ଡିଜେଲ ଦର ଆନ୍ତର୍ଜାତିକ ସ୍ତରରେ କମିଯାଇ ବ୍ୟାରଲ୍ ପିଛା ୬୬ ଡଲାରରେ ପହଂଚିଥିଲେ ମଧ୍ୟ ରାଜ୍ୟର ପେଟ୍ରୋଲ ଓ ଡିଜେଲ୍ ଦର କମିବା ଦେଖାଗଲା ନାହିଁ।
ଏହି ସମସ୍ତ ଶୋଷଣର ଲୋକେ ପ୍ରତିଦିନ ସାମ୍ନା କରୁଛନ୍ତି। ଅନେକ ପ୍ରକାରର ସେସ୍ (ବିଶେଷ ଭାବରେ କୋଇଲା ଟନ୍ ପିଛା ୪୦୦ ଟଙ୍କା) ରାଜ୍ୟରୁ ଉତ୍ପାଦିତ ସଂପଦ ଉପରେ ବସିଚାଲିଛି ଓ ବର୍ଷକୁ ଅନ୍ତତଃପକ୍ଷେ ୧୮ରୁ ୨୦ ଲକ୍ଷ କୋଟି ଟଙ୍କା ଏ ବାବଦରେ କେନ୍ଦ୍ର ଆଦାୟ କରୁଛି। ଏଥିରେ ମଧ୍ୟ ରାଜ୍ୟ ସରକାରଙ୍କ କୌଣସି ପ୍ରତିବାଦ ନାହିଁ। ବର୍ତ୍ତମାନ ଏସବୁର ପ୍ରତିବାଦ ପାଇଁ ସ୍ୱର ଉଠିଲାଣି। ଯଦି ଡବଲ ଇଞ୍ଜିନ ବିରୋଧୀ କୌଣସି ରାଜନୈତିକ ଦଳ ଏହି ସ୍ୱରକୁ ତୀବ୍ର କରନ୍ତି ଓ କେନ୍ଦ୍ରର ସମ୍ବିଧାନ କୃତ ଧର୍ମ ନିରପେକ୍ଷତା ଉପରେ ଆସୁଥିବା ଆଞ୍ଚକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୁଅନ୍ତି ତେବେ ସେହି ଦଳ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ସମର୍ଥନ ଲାଭ କରିବ। ଏହା ଆଞ୍ଚଳିକ ଦଳ ହେଉ ବା ଜାତୀୟ ସ୍ତରର ଦଳ ହେଉ। ଉଭୟ ଆଞ୍ଚଳିକ ଦଳ ଓ ଜାତୀୟ ଦଳ ଏହିସବୁ ପ୍ରସଂଗକୁ ନେଇ ଏକାଠି ହେଲେ ସେମାନେ ଜନସମର୍ଥନ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏବେଠାରୁ ଦେଖାଦେଇଥିବା ରାଜନୈତିକ ଉଷ୍ମତା ବାତାବରଣକୁ ଅଧିକ ବ୍ୟାପକ ଗରମ କରିବାର ଆଶଙ୍କା ରହିଛି ଏବଂ ଏ ପ୍ରକାର ଏକ ଗୋଷ୍ଠୀ ରାଜନୈତିକ ବ୍ୟବସ୍ଥାରେ ଲୋକଙ୍କର ଓ ରାଜ୍ୟର ସ୍ୱାର୍ଥ ସାଧନ ପାଇଁ କାର୍ଯ୍ୟ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ଅନେକ ଆଶା କରନ୍ତି।
ମୋ- ୯୪୩୮୩୬୦୮୪୯
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।