ବହୁ ସନ୍ତାନ ଆହ୍ୱାନର ବାସ୍ତବତା

ସେ ଏଭଳି ଏକ ସମୟରେ ନିଜର ମତ ପ୍ରଦାନ କରିଛନ୍ତି, ଯେତେବେଳେ କି ଅଧିକ ସନ୍ତାନ ଜନ୍ମ କରିବାକୁ ନିଜ ରାଜ୍ୟବାସୀଙ୍କୁ ନିବେଦନ କରି ଚର୍ଚ୍ଚାରେ ଥିଲେ ଦକ୍ଷିଣ ଭାରତର ଦୁଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଏମକେ ଷ୍ଟାଲିନ। ଆନ୍ଧ୍ର ପ୍ରଦେଶରେ ବୟସ୍କଙ୍କ ସଂଖ୍ୟା ବଢୁଥିବା ବେଳେ ଜାତୀୟ ହାରଠାରୁ ଆନ୍ଧ୍ରରେ ପ୍ରଜନନ ହାର କମ୍ ରହିଥିବା କଥା ସେ ଦର୍ଶାଇଥିଲେ।

Children

  • Published: Monday, 09 December 2024
  • , Updated: 09 December 2024, 11:53 AM IST

ଜାନକୀଶ ବଡ଼ପଣ୍ଡା

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସରସଂଘ ଚାଳକ ଡାକ୍ତର ମୋହନ ଭାଗବତ ଚଳିତ ମାସ ଏକ ତାରିଖରେ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଛି। ସେ ଏଭଳି ଏକ ସମୟରେ ନିଜର ମତ ପ୍ରଦାନ କରିଛନ୍ତି, ଯେତେବେଳେ କି ଅଧିକ ସନ୍ତାନ ଜନ୍ମ କରିବାକୁ ନିଜ ରାଜ୍ୟବାସୀଙ୍କୁ ନିବେଦନ କରି ଚର୍ଚ୍ଚାରେ ଥିଲେ ଦକ୍ଷିଣ ଭାରତର ଦୁଇ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଏମକେ ଷ୍ଟାଲିନ। ଆନ୍ଧ୍ର ପ୍ରଦେଶରେ ବୟସ୍କଙ୍କ ସଂଖ୍ୟା ବଢୁଥିବା ବେଳେ ଜାତୀୟ ହାରଠାରୁ ଆନ୍ଧ୍ରରେ ପ୍ରଜନନ ହାର କମ୍ ରହିଥିବା କଥା ସେ ଦର୍ଶାଇଥିଲେ। ଆନ୍ଧ୍ର ପ୍ରଦେଶରେ ୨୦୪୭ ସୁଦ୍ଧା ବୟସ୍କଙ୍କ ସଂଖ୍ୟା ବହୁତ ଅଧିକ ହୋଇ ଯାଇଥିବ, ଶିଶୁ, କିଶୋର ଓ ଯୁବାଙ୍କ ସଂଖ୍ୟା କମିଯାଇଥିବାର ଆଶଙ୍କା କରିଥିଲେ ନାଇଡୁ। ତେଣୁ ଯେଉଁମାନେ ଦୁଇରୁ ଅଧିକ ସନ୍ତାନ ଜନ୍ମ ଦେଇଥିବେ, ସେଇମାନେ ହିଁ କେବଳ ନିର୍ବାଚନ ଲଢ଼ିପାରିବା ଭଳି ନିୟମ ସରକାର ଖୁବ୍ ଶୀଘ୍ର ଆଣିବେ ବୋଲି ସେ କହିଥିଲେ। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଆଉ ଦୁଇ ପାଦ ଆଗକୁ ଯାଇଥିଲେ। ନବ ବିବାହିତଙ୍କୁ ୧୬ଟି ସନ୍ତାନ ଜନ୍ମ କରିବାକୁ ସେ ଅପିଲ୍ କରିଥିଲେ। ତାଙ୍କର ରାଜ୍ୟରେ ଜନସଂଖ୍ୟା କମୁଛି, ଯାହାର ପ୍ରଭାବ ଲୋକସଭା ଆସନ ଉପରେ ପଡ଼ିବ। ଆଗାମୀ ଦିନରେ ତାମିଲନାଡୁରୁ ସଂସଦୀୟ ପ୍ରତିନିଧିଙ୍କ ସଂଖ୍ୟା ହ୍ରାସ ଆଶଙ୍କା କରି ୧୬ଟି ଲେଖାଏଁ ସନ୍ତାନ ଜନ୍ମ କରିବାକୁ କହିଥିଲେ ଷ୍ଟାଲିନ।

ଏକଛତ୍ରବାଦୀ କମ୍ୟୁନିଷ୍ଟ ଶାସନାଧୀନ ଚୀନରେ କଠୋର ସରକାରୀ ନିର୍ଦ୍ଦେଶ ବଳରେ ୧୯୭୯ରୁ ୨୦୧୫ ପର୍ଯ୍ୟନ୍ତ ଦମ୍ପତିମାନେ କେବଳ ଗୋଟିଏ ସନ୍ତାନ ଜନ୍ମଦେବାକୁ ଅନୁମତି ପାଉଥିଲେ। ଫଳରେ ସେଠାକାର ସନ୍ତାନ ଉତ୍ପାଦନକ୍ଷମ ମହିଳାଙ୍କର ମୁଣ୍ଡପିଛା ସନ୍ତାନ ଜନ୍ମ ହାର ବା ‘ଟୋଟାଲ୍ ଫର୍ଟିଲିଟି ରେଟ୍’ (ଟିଏଫ୍ଆର୍) ଲଗାତାର ଭାବେ କମି ଚାଲିଛି। ଏହା ଏବେ ଉଦବେଗଜନକ ୧.୭ରେ ପହଞ୍ଚି ଗଲାଣି। ଅନ୍ୟ ପକ୍ଷରେ ଭାରତ ଏକ ଉଦାର ଗାଣତାନ୍ତ୍ରିକ ଦେଶ ହୋଇଥିବାରୁ ଏଠାରେ ସନ୍ତାନ ଜନ୍ମ ଦେବା ପ୍ରସଙ୍ଗରେ କଠୋର ସରକାରୀ ନିର୍ଦ୍ଦେଶ ଦିଆଯାଏ ନାହିଁ। କେବଳ ସଚେତନତାର ବାର୍ତ୍ତା ଏବଂ ବ୍ୟବସ୍ଥା ଉପଲବ୍ଧ କରାଯାଇ ୧୯୫୦ ଦଶକରେ ଥିବା ଟିଏଫ୍ଆରକୁ ୬.୨ରୁ କ୍ରମଶଃ କମାଇ ୧୯୬୫ରେ ୫.୦, ୨୦୨୨ରେ ୨.୦୧କୁ ଅଣାଯାଇ ପାରିଛି। ଆମ ଦେଶର ଜନଗଣନା ତଥ୍ୟ ଓ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ ଯଦି ଏପରି ଧାରା ଜାରି ରହେ ତେବେ ୨୦୫୦ ସୁଦ୍ଧା ଭାରତରେ ପ୍ରଜନନ ହାର ୧.୩ ହୋଇଯିବାର ଆଶଙ୍କା କରାଯାଉଛି। ଜନସଂଖ୍ୟା ଗଣିତ ଅନୁସାରେ ଏହାକୁ ସ୍ଥିର ରଖିବାକୁ ହେଲେ, ଟିଏଫ୍ଆର୍ ୨.୧ ରହିବା ଆବଶ୍ୟକ। ଏହା କମିଯାଇଥିବା କାରଣରୁ ଉଭୟ ଦେଶ ଭାରତ ଓ ଚୀନ୍ ଦୁଇ ପ୍ରକାର ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି - ଜନସଂଖ୍ୟା ହ୍ରାସ ଏବଂ ତୁଳନାତ୍ମକ ଭାବେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି।

ଜନସଂଖ୍ୟାକୁ ନେଇ ମୋହନ ଭାଗବତଙ୍କ ମନ୍ତ୍ର ହେଲା ଯେ, ଏବେ ଆଉ ‘ଆମେ ଦୁଇ ଆମର ଦୁଇ’ ନୁହେଁ; ଏଥର ହେଉ ‘ଆମେ ଦୁଇ, ଆମର ତିନି’! ନାଗପୁରରେ ଏକ କାର୍ଯ୍ୟକ୍ରମରେ ଦେଶର ଜନସଂଖ୍ୟା ସ୍ଥିତିକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଭାଗବତ। କୌଣସି ସମାଜରେ ପ୍ରଜନନ ହାର ୨.୧ ରହିବା ଉଚିତ। ଏହା ତଳକୁ ଖସିଲେ ସମାଜ ପୃଥିବୀରୁ ନିଶ୍ଚିହ୍ନ ହୋଇଯିବ ବୋଲି ସଂଘ ମୁଖ୍ୟ କହିଥିଲେ। ମୋହନ ଭାଗବତଙ୍କ ମତରେ ଭାରତର ଜନସଂଖ୍ୟା କମିଚାଲିଛି। ଏଣୁ ସମାଜ ଓ ସଭ୍ୟତା ନିଶ୍ଟିହ୍ନ ହେବାକୁ ବସିଲାଣି। ଏହାର ପ୍ରତିକାର ପାଇଁ ପ୍ରତ୍ୟେକ ଦମ୍ପତି ଅତିକମରେ ୩ଟି ସନ୍ତାନ ଜନ୍ମ କରିବାକୁ ସେ ଆଦେଦନ କରିଛନ୍ତି। ଦେଶର ଜନସଂଖ୍ୟା ନୀତି ‘ଆମେ ଦୁଇ ଆମର ଦୁଇ’ ଅନେକ ପୂର୍ବରୁ ସ୍ଥିର କରାଯାଇଥିଲା। ଏବେ ସ୍ଥିତି ବଦଳିଛି। ତେଣୁ ସମାଜ ତିଷ୍ଠି ରହିବାକୁ ହେଲେ ଦୁଇରୁ ଅଧିକ ଓ ଅତିକମରେ ତିନି ସନ୍ତାନ ଜନ୍ମ କରିବାକୁ ହେବ ବୋଲି ମୋହନ ଭାଗବତ କହିଛନ୍ତି। ସେ ପୂର୍ବରୁ ମଧ୍ୟ ଜନସଂଖ୍ୟା ନୀତିକୁ ନେଇ ଅନେକ ଥର ମନ୍ତବ୍ୟ ଦେଇଆସିଛନ୍ତି। ୨୦୨୧ରେ ଜନସଂଖ୍ୟା ଅସନ୍ତୁଳନକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲା ବେଳେ ୨୦୨୨ରେ ପ୍ରଜନନ ହାର ୨.୧ ପ୍ରତିଶତ ତଳକୁ ଖସିଆସିବାକୁ ବିପଜ୍ଜନକ କହିଥିଲେ।

ଭାରତରେ ଶିଶୁ ଜନ୍ମହାର କମିବାର ବହୁବିଧ କାରଣ ମଧ୍ୟରେ କ୍ରମବର୍ଦ୍ଧିଷ୍ଣୁ ସହରୀ ଜୀବନ, ଉପଲବ୍ଧ ବିକଶିତ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା, ବିଳମ୍ବିତ ବିବାହ, ସନ୍ତାନ ସୃଷ୍ଟିରେ ଅସାମର୍ଥ୍ୟତା ବୃଦ୍ଧି, ସମାଜିକ ବିଚାରଧାରାରେ ପରିବର୍ତ୍ତନ, ସଂକୁଚିତ ନିଯୁକ୍ତି ସୁଯୋଗ, ଜୀବିକାକୁ ନେଇ ମହିଳାଙ୍କ ମଧ୍ୟରେ ବଢୁଥିବା ଆକାଂକ୍ଷା, ସନ୍ତାନ ଜନ୍ମ ନହେବା ପାଇଁ ବିଭିନ୍ନ ସାଧନର ବ୍ୟବହାର, ପିଲାଙ୍କ ପାଇଁ ବଢୁଥିବା ଖର୍ଚ୍ଚ ସହିତ ଛୋଟ ପରିବାରର ସୁବିଧା ସମ୍ପର୍କରେ ସଚେତନତା ମୁଖ୍ୟତଃ ଦାୟୀI ଜନସଂଖ୍ୟାରେ ଭାରତ ଚୀନକୁ ପଛରେ ପକାଇ ବିଶ୍ୱରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଥିବା ତଥ୍ୟ ଗତବର୍ଷ ଏପ୍ରିଲରେ ଜାତିସଂଘ ନିଜ ରିପୋର୍ଟରେ ଦେଇଥିଲେ। ସେତେବେଳେ ଚୀନର ଜନସଂଖ୍ୟା ୧୪୨ କୋଟି ୫୭ ଲକ୍ଷ ଥିଲା ବେଳେ ଭାରତର ଲୋକସଂଖ୍ୟା ଥିଲା ୧୪୨ କୋଟି ୮୬ ଲକ୍ଷ। ଦେଶରେ ୨୦୧୧ ପରଠାରୁ ଜନଗଣନା ହୋଇନଥିବା ବେଳେ ମୋହନ ଭାଗବତଙ୍କ ବୟାନକୁ ନେଇ ଚର୍ଚ୍ଚା ବଢ଼ିବା ସ୍ୱାଭାବିକ। ବାସ୍ତବରେ, ତାଙ୍କର ଆବେଦନ ଅନୁସାରେ ଯେ ଭାରତୀୟ ଦମ୍ପତି ତିନିରୁ ଅଧିକ ସନ୍ତାନ ଜନ୍ମ ଦେବାକୁ ଆଗଭର ହେବେ, ତାହା ସନ୍ଦେହରେ।

ବିଶ୍ୱର ୮୩ଟି ଦେଶରେ ଏବେ ଟିଏଫଆର ୨.୧ଠାରୁ ତଳେ ଥିବାରୁ ୨୦୫୦ ମସିହା ସୁଦ୍ଧା ସେହି ଦେଶଗୁଡିକରେ ବୟସ୍କ ଲୋକଙ୍କ ସଂଖ୍ୟା ଆନୁପାତିକ ଭାବେ ବଢ଼ିଯିବାର ଆଶଙ୍କା ଦେଖା ଦେଇଛି। ଆଫ୍ରିକାର କେତେକ ଦେଶରେ ବର୍ତ୍ତମାନ ଏହି ହାର ୩.୦ରୁ ଅଧିକ ହୋଇଥିବା ବେଳେ ତାଇୱାନରେ ଏହା ସର୍ବନିମ୍ନ ୧.୦୭ ଓ ଦକ୍ଷିଣ କୋରିଆ, ସିଙ୍ଗାପୁର, ଜାପାନ, ଜର୍ମାନୀ ଭଳି ଅନେକ ଉନ୍ନତ ଦେଶରେ ୧.୫୦ରୁ କମ। ଆମ ଦେଶର ଉତ୍ତର ପ୍ରଦେଶ ଓ ବିହାର ରାଜ୍ୟର ଟିଏଫଆର ଯଥାକ୍ରମେ ୨.୯୦ ଓ ୩.୨୦। ଟିଏଫଆର ହ୍ରାସ ସହିତ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଜନସଂଖ୍ୟାରେ ଭାରସାମ୍ୟ ରକ୍ଷା ପାଇଁ ପ୍ରାୟ ଦେଢ଼ ବର୍ଷ ତଳେ ଆସାମ ଓ ଉତ୍ତର ପ୍ରଦେଶ ସରକାର ନୂତନ ଜନସଂଖ୍ୟା ନୀତି ପ୍ରଣୟନ କରିବା ପାଇଁ ଘୋଷଣା କରିଛନ୍ତି। ଏଥିପାଇଁ ଚିଠା ବିଧେୟକ ମଧ୍ୟ ପ୍ରସ୍ତୁତ ହୋଇସାରିଛିI ଏହା ଆଇନରେ ପରିଣତ ହୋଇଗଲା ପରେ ଯେଉଁ ନାଗରିକମାନେ ଦୁଇ-ସନ୍ତାନ ନୀତିର ଉଲ୍ଲଙ୍ଘନ କରିବେ, ସେମାନଙ୍କ ପ୍ରତି କଡ଼ା ଅନୁଶାସନ ଲାଗୁ କରାଯିବାକୁ ବିଧେୟକରେ ପ୍ରାବଧାନ ରହିଛି।

ଦେଶରେ ପ୍ରଜନନ ହାର ବୃଦ୍ଧି ଘଟିଲେ ଲିଙ୍ଗଗତ ଅସମାନତା ଓ ବାଛବିଚାର, ଅସୁରକ୍ଷିତ ଗର୍ଭପାତ ଏବଂ ପୁଅ-ଝିଅଙ୍କ ଅନୁପାତରେ ବିଷମ ସ୍ଥିତି ରହିବ ନାହିଁ। ଆମ ଦେଶରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ସ୍ୱେଚ୍ଛାକୃତ। କୌଣସି ଦମ୍ପତ୍ତିଙ୍କୁ ପରିବାର କଲ୍ୟାଣ ଯୋଜନା ଅନୁସାରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ସନ୍ତାନ ଜନ୍ମ ଦେବାପାଇଁ ବାଧ୍ୟ କରାଗଲେ ସେମାନେ ପ୍ରତିକ୍ରିୟାଶୀଳ ହୋଇଥାନ୍ତି ଏବଂ ଏହା ଜନସଂଖ୍ୟାଗତ ବିକୃତିକୁ ଜନ୍ମ ଦେଇଥାଏ।

ପଚିଶଟି ଭାରତୀୟ ରାଜ୍ୟରେ ମହିଳାଙ୍କ ହାରାହାରି ପ୍ରଜନନ ହାର ୨.୧ରେ ସୀମିତ ରହିଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଭାରତର ମୋଟ ପ୍ରଜନନ ହାର ୨୦୨୫ ସୁଦ୍ଧା ୧.୯୪ ଏବଂ ୨୦୩୦ ସୁଦ୍ଧା ୧.୭୩କୁ ହ୍ରାସ ପାଇପାରେ। ପ୍ରତି ରାଜ୍ୟର ପ୍ରଜନନ ହାର ଭିନ୍ନ। ଉଦାହରଣ ସ୍ୱରୂପ, ୨୦୧୯-୨୦ ମସିହାରେ, ବିହାରରେ ଏହା ୩.୦ ଥିଲାବେଳେ ସିକ୍କିମରେ ଥିଲା ୧.୧। ପରିବାରର ରୋଜଗାର ବୃଦ୍ଧି ଏବଂ ଅଧିକରୁ ଅଧିକ ମହିଳା ଶିକ୍ଷିତ ହେଉଥିବାରୁ ଭାରତରେ ପ୍ରଜନନ ହାର ସ୍ୱତଃ ହ୍ରାସ ପାଇ ଚାଲିଛି।

ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ଚୀନ ୧୯୭୯ରେ ଜନସଂଖ୍ୟା ହ୍ରାସ କରିବା ପାଇଁ କ୍ରାନ୍ତିକାରୀ ପଦକ୍ଷେପ ଗ୍ରହଣ କରି ‘ଏକ-ସନ୍ତାନ ନୀତି’ ଘୋଷଣା କରିଥିଲା। ତେବେ ଜନସଂଖ୍ୟା ଅତ୍ୟଧିକ ହ୍ରାସ ପାଇବାରୁ ସେଠାରେ ୨୦୧୬ରେ ‘ଦୁଇ-ସନ୍ତାନ ନୀତି’ ପ୍ରଣୟନ କରାଗଲା। ତଥାପି ସେଠାରେ ଆଖିଦୃଶିଆ ଜନସଂଖ୍ୟା ବୃଦ୍ଧି ନହେବାରୁ ଗତ ୩୧ ମେ ୨୦୨୧ରେ ସରକାରଙ୍କ ଦ୍ୱାରା ଜନସଂଖ୍ୟା ବୃଦ୍ଧି ଉଦ୍ଦେଶ୍ୟରେ ‘ତିନି-ସନ୍ତାନ ନୀତି’ ଘୋଷଣା କରାଗଲା। ଅକ୍ଟୋବର ୨୦୨୦ରେ ପ୍ରକାଶିତ ଜନଗଣନା ତଥ୍ୟ ଅନୁଯାୟୀ ଚୀନରେ ଟିଏଫଆର ୧.୩କୁ ଖସିଯାଇଛି। ଏବେ ଦମ୍ପତିମାନଙ୍କୁ ନୂଆ ନୀତି ଆପଣାଇ ଅଧିକ ସନ୍ତାନ ଜନ୍ମ କରିବା ଲାଗି ନାନା ପ୍ରକାର ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ଏହି ଦୃତ ଜନସଂଖ୍ୟା ହ୍ରାସ କାରଣରୁ ଭବିଷ୍ୟତରେ କର୍ମଜୀବୀଙ୍କ ସଂଖ୍ୟା ଯଥେଷ୍ଟ କମିଯାଇ ଦେଶର ଜିଡିପି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା କରାଯାଉଛି। ସେଠାରେ ବିଗତ କିଛି ଦଶନ୍ଧି ଧରି ‘ଏକ-ସନ୍ତାନ ନୀତି’ର ଫଳ ସ୍ୱରୂପ ସେଠାରେ ଗର୍ଭପାତ ବୃଦ୍ଧି ଘଟୁଥିଲା ଏବଂ ଦୃତଗତିରେ କର୍ମଜୀବୀ ମାନବ ସମ୍ବଳରେ ହ୍ରାସ ସହିତ ବୟସ୍କ ନାଗରିକ ମାନଙ୍କ ସଂଖ୍ୟା ବୃଦ୍ଧି ଘଟିବାକୁ ଲାଗିଥିଲା। ସେଠାରେ ମହିଳାମାନଙ୍କୁ ଯୌନକର୍ମୀ ଭାବେ ବ୍ୟବହାର କରାଯାଉଥିଲା ଏବଂ ମହିଳାମାନେ ଗଣଦୁଷ୍କର୍ମର ଶିକାର ହେଉଥିଲେ ବୋଲି ଅଭିଯୋଗ ଆସୁଥିଲା।

ବିଶେଷଜ୍ଞମାନେ ମତ ଦିଅନ୍ତି ଯେ, ଦାରିଦ୍ର୍ୟ, ନିରକ୍ଷରତା, ଶିକ୍ଷା ତଥା ସାମାଜିକ ସଚେତନତାର ଅଭାବ ହିଁ ପରୋକ୍ଷରେ ସନ୍ତାନ-ଉତ୍ପାଦିକା ହାର ବୃଦ୍ଧିର କାରଣ। ମୁସଲମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଉଚ୍ଚଜନ୍ମ ହାରକୁ ଦେଶର ‘ଧାର୍ମିକ ପ୍ରାଧାନ୍ୟ ପରିବର୍ତ୍ତନ କରିବା ନିମନ୍ତେ ଏକ ଷଡ଼ଯନ୍ତ୍ର’ ବୋଲି ଦର୍ଶାଇ ହିନ୍ଦୁଙ୍କ ମଧ୍ୟରେ ଭୀତି ସଞ୍ଚାର ପାଇଁ ଉଦ୍ୟମ ହୋଇ ଆସିଛି। ଯେଉଁମାନଙ୍କର ଦୁଇରୁ ଅଧିକ ସନ୍ତାନ ଅଛନ୍ତି, ସେମାନଙ୍କଠାରୁ ଖାଦ୍ୟ ନିରାପତ୍ତା ଆଇନ ବଳରେ ଶସ୍ତାରେ ମିଳୁଥିବା ଚାଉଳ ଓ ଗହମ ଯୋଗାଣ ପ୍ରତ୍ୟାହାର କରିବାଠୁ ଆରମ୍ଭ କରି ରିହାତି ହାରରେ ବ୍ୟାଙ୍କ ଓ ସମବାୟ ସମିତିରୁ ଋଣ ମିଳିବା ସୁବିଧା ପ୍ରତ୍ୟାହାର କରାଯିବାକୁ ଦାବି ହୋଇ ଆସୁଛି। ଏପରି କରାଗଲେ ଆମ ଦେଶ ନିରନ୍ତର ବିକାଶ ଲକ୍ଷ ହାସଲ କରି ପାରିବନାହିଁ। ସେମାନେ କ୍ଷୁଧା ଓ ଅପପୁଷ୍ଟିର ଶିକାର ହେବେ। ଦୁଇରୁ ଅଧିକ ସନ୍ତାନଥିବା ସରକାରୀ କର୍ମଚାରୀଙ୍କୁ ଯଦି ଚାକିରୀରୁ ବହିଷ୍କାର କରାଯିବ କିମ୍ବା ଲୋକପ୍ରତିନିଧିଙ୍କ ପଦବୀ ଉଚ୍ଛେଦ ହୋଇଯିବ, ଦେଶରେ ସାମାଜିକ ଓ ଆଇନ ଶୃଙ୍ଖଳାରେ ଅବନତି ହେବା ସହ ଦାରିଦ୍ର୍ୟ ବଢ଼ିବ ସିନା କମିବ ନାହିଁ। ଏଣୁ, ଏବେଠୁ ଆଉ ଜନ୍ମହାର କମାଇବାର ବିଭିନ୍ନ ଆଇନଗତ ଉଦ୍ୟମ ଅନାବଶ୍ୟକ ମନେହୁଏ।

ଅନ୍ୟ ପକ୍ଷରେ, ଭାରତରେ ଦମ୍ପତିମାନେ କେବଳ ଗୋଟିଏ କିମ୍ବା ଦୁଇଟି ସନ୍ତାନ ଜନ୍ମ ଦେଲେ ବି ଜନସଂଖ୍ୟା ୨୦୫୧ ପର୍ଯ୍ୟନ୍ତ ବୃଦ୍ଧି ପାଇଚାଲିବ। କାରଣ ଏବେ ୩୫ ବର୍ଷରୁ କମ୍ ଯୁବକଙ୍କ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ। ଉପଯୁକ୍ତ କାର୍ଯ୍ୟକ୍ରମ ଏବଂ ନୀତି ପ୍ରଣୟନ କରାଗଲେ ଜନସଂଖ୍ୟା ଅର୍ଥନୈତିକ ଅଭିବୃଦ୍ଧିରେ ବାଧା ସୃଷ୍ଟି କରେନାହିଁ। ଏଣୁ ଭାରତ ଏହାର ବର୍ଦ୍ଧିତ ତରୁଣ-ଜନସଂଖ୍ୟାକୁ ସଠିକ କାର୍ଯ୍ୟକ୍ରମ ଓ ନୀତି ପ୍ରଣୟନ କରି ଦ୍ରୁତ-ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟବହାର କରିପାରିବ। ଦେଖିବାକୁ ଗଲେ ଭାରତ ପରି ବିକାଶଶୀଳ ଦେଶ ପାଇଁ ବର୍ଦ୍ଧିତ ଜନସଂଖ୍ୟା ଲାଭଜନକ ସାବ୍ୟସ୍ତ ହୋଇପାରେ। ମୋହନ ଭାଗବତଙ୍କ ମନ୍ତବ୍ୟ ଏହି ମତକୁ ସମର୍ଥନ କରୁଛି।

କିନ୍ତୁ ସମଗ୍ର ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା ଓ ଡିଜିଟାଲ ପ୍ରକ୍ରିୟା ଯେଉଁ ହାରରେ ବୃଦ୍ଧି ପାଉଛି, ତାହା ଫଳରେ ଭବିଷ୍ୟତରେ ବର୍ଦ୍ଧିତ ତରୁଣ ଜନସଂଖ୍ୟା ହୁଏତ ନିଯୁକ୍ତି ସୁଯୋଗରୁ ବଞ୍ଚିତ ରହିଯାଇ ପାରନ୍ତି। ଦ୍ଵିତୀୟରେ ପରିବେଶ ଦୃଷ୍ଟିରୁ ଦେଖିଲେ, ପୃଥିବୀରେ ଯାହା କିଛି ପ୍ରାକୃତିକ ସମ୍ୱଳ ରହିଛି ସେଥିରେ ପରିବେଶ ପ୍ରତି ବିପଦ ସୃଷ୍ଟି ନ କରି ସର୍ବାଧିକ ୧୯୦ କୋଟି ଲୋକ ସ୍ଵଚ୍ଛନ୍ଦରେ ଚଳି ପାରିବେ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ପୃଥିବୀର ଜନସଂଖ୍ୟା ପ୍ରାୟ ୭୫୦ କୋଟି। ଏଣୁ ଆଗାମୀ ଦିନରେ ଏକ ବୃହତ ଶ୍ରମଶକ୍ତି ଅପେକ୍ଷା ଏକ କ୍ଷୁଦ୍ର ଅଥଚ ଅତ୍ୟଧିକ ଜ୍ଞାନସମ୍ପନ୍ନ କୁଶଳୀ ଶ୍ରମଶକ୍ତି ଅଧିକ ଲାଭଜନକ ସାବ୍ୟସ୍ତ ହୋଇପାରେ। ବିଶ୍ୱର ୧୦ ପ୍ରତିଶତ ଦମ୍ପତିଙ୍କ ମଧ୍ୟରୁ ସ୍ୱାମୀ କିମ୍ବା ସ୍ତ୍ରୀ କିମ୍ବା ଉଭୟେ ସନ୍ତାନ ସୃଷ୍ଟି କରିବାକୁ ଅକ୍ଷମ। ବେଳେବେଳେ ଗୋଟିଏ ସନ୍ତାନ ଜନ୍ମ ଦେବାପରେ ସାମୟିକ ବନ୍ଧ୍ୟାତ୍ୱ ଦେଖାଯାଇଥାଏ। ବିଳମ୍ବରେ ବିବାହ କଲେ ଗର୍ଭଧାରଣ ସାମର୍ଥ୍ୟ କାଳ ସ୍ୱଳ୍ପ ରହେ। ପିଲାଟିଏ ଜନ୍ମ ଦେଇ ତାହାର ଲାଳନ ପାଳନ କରିବାର ଝିଞ୍ଝଟ ଓ ଆର୍ଥିକ ଚାପ ସହିବାକୁ ଯୌଥ ପାରିବାରିକ ବ୍ୟବସ୍ଥା ଆମ ଦେଶରେ ଆଉ ନାହିଁ। ମାନସିକ ଚାପ, ଅନିଶ୍ଚିତ ଜୀବିକାର ଭୟ ଦମ୍ପତିମାନଙ୍କୁ ସନ୍ତାନ ଜନ୍ମ ଦେବାରୁ ବିମୁଖ କରୁଛି।

ସେହି ଦୃଷ୍ଟିକୋଣରୁ ଭାରତର ଜନସଂଖ୍ୟା ଅଭିବୃଦ୍ଧି ହାର କିପରି ୨.୧ରୁ ଅଧିକ କରାଯାଇ ପାରିବ, ତାହା ଅସମ୍ଭବ ମନେହୁଏ। ଗୋଟିଏ ପଟେ ପାଶ୍ଚାତ୍ୟ ସଭ୍ୟତା ଅନୁକରଣରେ ‘ଲିଭ୍ ଇନ୍ ସମ୍ପର୍କ’ ଯୌନ ଜୀବନକୁ ନ୍ୟାୟିକ ସ୍ୱୀକୃତି ଏବଂ ସାବାଳକ ସ୍ତ୍ରୀ ଓ ପୁରୁଷଙ୍କ ସ୍ୱଇଚ୍ଛାରେ ମିଳନକୁ ଅପରାଧ ମନେ ନକରାଯିବା ଓ ଅନ୍ୟ ପକ୍ଷରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡାକ୍ତର ମୋହନ ଭାଗବତଙ୍କ ବହୁ ସନ୍ତାନ ନୀତି - ପରସ୍ପରର ବିରୋଧାଚରଣ କରୁ ନାହିଁକି? ସତରେ, ଭାରତ ଏକ ବିବିଧତା ଭରା ଗଣତନ୍ତ୍ର!

ଫୋ- ୯୪୩୮୨୯୯୦୩୭

Related story