ରାଜନୈତିକ ଗୋଟି ନହେଉ ମେଟ୍ରୋ ରେଳ

ଏଣୁ ଓଡ଼ିଶାକୁ ଦୀର୍ଘ ୨୩ ବର୍ଷ ଧରି ଶାସନ କରି ଆସିଥିବା ସରକାରୀ ଦଳ ଗତାନୁଗତିକ ଧାରାରୁ ଅଲଗା କିଛି ନୂଆ ସ୍ୱପ୍ନ ଦେଖାଇବା ପ୍ରୟାସ ଅସ୍ୱାଭାବିକ ନୁହେଁ। ପୂର୍ବରୁ ଦେଖେଇଥିବା ଅନେକ ସ୍ୱପ୍ନକୁ ରୂପାୟନ କରିବାରେ ସରକାର ସଫଳ ହୋଇଥିଲା ବେଳେ ଆଉ କିଛି ସ୍ୱପ୍ନ ଆଜି ବି ଦିବାସ୍ୱପ୍ନ ହୋଇ ରହିଯାଇଛି। ତେଣୁ, ସ୍ୱାଭାବିକ ଭାବେ ରାଜ୍ୟବାସୀ ଆଶଙ୍କାରେ ଅଛନ୍ତି ଯେ, ମେଟ୍ରୋ ରେଳ ସ୍ୱପ୍ନ ସାକାର ହୋଇପାରିବ ତ?

Cuttack-Bhubaneswar Metro Rail Project

  • Published: Friday, 07 April 2023
  • , Updated: 07 April 2023, 03:58 PM IST

News highlights

  • ୨୦୧୩ ମସିହାରେ ରାଜ୍ୟ ସରକାର କଟକ-ଭୁବନେଶ୍ୱର ଯମଜ ମହାନଗରୀରେ ମନୋ ରେଳ ଟ୍ରାଞ୍ଜିଟ ସିଷ୍ଟମ ପ୍ରବର୍ତ୍ତନ କରିବାକୁ ଘୋଷଣା କରିଥିଲେ।
  • ୨୦୧୪ ମସିହାରେ ହାଇଦରାବାଦର ବାଲାଜୀ ରେଳ ରୋଡ ସିଷ୍ଟମ ଲିମିଟେଡ଼କୁ ରାଜ୍ୟ ସରକାର 'ମାସ୍‌ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ' ପ୍ରବର୍ତ୍ତନ କରିବାକୁ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଦାୟିତ୍ୱ ଦେଇଥିଲେ।
  • ଏବେ ପୁଣି କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କଥା କୁହାଯାଉଛି।

୧୯୮୪ ମସିହାରେ ଆମ ଦେଶର ପ୍ରଥମ ମେଟ୍ରୋ ରେଳ ଗଡ଼ିଥିଲା କଲିକତା ମହାନଗରୀରେ। କିନ୍ତୁ, ଏଥିପାଇଁ ୧୦୩ ବର୍ଷ ତଳୁ ବିଚାର ଆଲୋଚନା ଆରମ୍ଭ ହୋଇଥିଲା। ଏକ କମିଟି କଲିକତା ମହାନଗରୀରେ ଭୂତଳ ମେଟ୍ରୋ ରେଳ ବା ଟିୟୁବ ଟ୍ରେନ ଚଳାଇବା ସପକ୍ଷରେ ରିପୋର୍ଟ ଦେଲାପରେ ବି ଭାରତ ସ୍ୱାଧୀନତା ପାଇବା ଯାଏଁ କିଛି ବି କରାଯାଇ ନଥିଲା। ୧୯୪୯-୫୦ ବର୍ଷରେ ପଶ୍ଚିମ ବଙ୍ଗ ସରକାର ପ୍ରସ୍ତାବକୁ ଅଗ୍ରାଧିକାର ଦେଇ ଏକ ଫରାସୀ କମ୍ପାନୀକୁ ସର୍ଭେ କରିବାକୁ ଦାୟିତ୍ୱ ଦେଇଥିଲେ। ଏହାର ୨୩ ବର୍ଷ ଯାଏଁ ଶୀତଳ ଭଣ୍ଡାରରେ ପ୍ରସ୍ତାବ ରହିବା ପରେ ବହୁ ପ୍ରତୀକ୍ଷିତ ମହତ୍ୱାକାଂକ୍ଷୀ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ ହେଲା ୧୯୭୨ ମସିହାରେ ଓ ଭୂତଳ ମେଟ୍ରୋ ରେଳଗାଡ଼ି ୧୯୮୪ ଅକ୍ଟୋବର ୨୪ ତାରିଖରେ ଗଡ଼ିଥିଲା। ରାଜଧାନୀ ଦିଲ୍ଲୀରେ ୧୯୯୮ ମସିହାରେ ମେଟ୍ରୋ ରେଳ ପାଇଁ କାମ ଆରମ୍ଭ ହୋଇ ୨୦୦୨ରେ ନିର୍ମାଣ ସାରି ରେଳଗାଡ଼ି ଗଡ଼ିଥିଲା। ଏହା ୩୪୮.୧୨ କିମି ଲମ୍ବର ଦୀର୍ଘତମ ତଥା ବହୁଳ ବ୍ୟବହୃତ ମେଟ୍ରୋ ପ୍ରକଳ୍ପ; ଯାହା ଦେଶର ଅନ୍ୟାନ୍ୟ ବ୍ୟସ୍ତତମ ସହରରେ ମେଟ୍ରୋ ରେଳ ଚଳାଚଳ କରିବା ପାଇଁ ଆଦର୍ଶ ସୃଷ୍ଟି କରିଛି।

ଏବେ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମେଟ୍ରୋ ରେଳ ଚଳାଚଳର ସ୍ୱପ୍ନ ଦେଖାଇଛନ୍ତି। ଓଡ଼ିଶା ବାସୀଙ୍କର ବହୁ ପ୍ରତୀକ୍ଷିତ ଏହି ସ୍ୱପ୍ନ ଖୁବ ଶୀଘ୍ର ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ହୁଏତ ବହୁଲୋକଙ୍କ ଖୁସୀ କରିଥିବ। ଆଗକୁ ୨୦୨୪ରେ ସାଧାରଣ ନିର୍ବାଚନ। ଲୋକଙ୍କ ମନକୁ ଛୁଇଁଲା ଭଳି ବିଭିନ୍ନ ଦଳ ଅନେକ ସ୍ୱପ୍ନ ଦେଖେଇବା ନିଶ୍ଚିତ। ଏଣୁ ଓଡ଼ିଶାକୁ ଦୀର୍ଘ ୨୩ ବର୍ଷ ଧରି ଶାସନ କରି ଆସିଥିବା ସରକାରୀ ଦଳ ଗତାନୁଗତିକ ଧାରାରୁ ଅଲଗା କିଛି ନୂଆ ସ୍ୱପ୍ନ ଦେଖାଇବା ପ୍ରୟାସ ଅସ୍ୱାଭାବିକ ନୁହେଁ। ପୂର୍ବରୁ ଦେଖେଇଥିବା ଅନେକ ସ୍ୱପ୍ନକୁ ରୂପାୟନ କରିବାରେ ସରକାର ସଫଳ ହୋଇଥିଲା ବେଳେ ଆଉ କିଛି ସ୍ୱପ୍ନ ଆଜି ବି ଦିବାସ୍ୱପ୍ନ ହୋଇ ରହିଯାଇଛି। ତେଣୁ, ସ୍ୱାଭାବିକ ଭାବେ ରାଜ୍ୟବାସୀ ଆଶଙ୍କାରେ ଅଛନ୍ତି ଯେ, ମେଟ୍ରୋ ରେଳ ସ୍ୱପ୍ନ ସାକାର ହୋଇପାରିବ ତ?

ଘୋଷଣା ଅନୁସାରେ, କଟକ ସହର ସନ୍ନିକଟ ତ୍ରିଶୁଳିଆଠାରୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏଁ ପ୍ରଥମେ ମେଟ୍ରୋ ରେଳ ଚଳାଚଳ କରିବ। ପରେ କ୍ରମଶଃ ପୁରୀର ପ୍ରସ୍ତାବିତ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର ଯାଏଁ ପରିବ୍ୟାପ୍ତ ହେବ। ବଡ଼କଥା ଯେ, ଏହି ପ୍ରକଳ୍ପ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ କରିବେ। ପ୍ରାଥମିକ ଅଟକଳ ଅନୁସାରେ ଏ ବାବଦରେ ପ୍ରାୟ ୧୫ ହଜାର କୋଟି ଟଙ୍କା ବ୍ୟୟ ହେବ। ସରକାର ଅବଶ୍ୟ ଏଯାଏଁ ଏହି ଅର୍ଥ କେଉଁ ସୂତ୍ରରୁ ଅଣାଯିବ ତାହା କହି ନାହାନ୍ତି।

ପୂର୍ବରୁ ୨୦୧୩ ମସିହାରେ ରାଜ୍ୟ ସରକାର କଟକ-ଭୁବନେଶ୍ୱର ଯମଜ ମହାନଗରୀରେ ମନୋ ରେଳ ଟ୍ରାଞ୍ଜିଟ ସିଷ୍ଟମ ପ୍ରବର୍ତ୍ତନ କରିବାକୁ କେବଳ ମନ ବଳେଇ ନଥିଲେ, ବରଂ ଘୋଷଣା ବି କରିଦେଇଥିଲେ। ମୁମ୍ବାଇର ଇଞ୍ଜିନିୟରିଂ ପ୍ରଜେକ୍ଟସ ଇଣ୍ଡିଆ ବା 'ଇପିଆଇ'କୁ ପ୍ରକଳ୍ପ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଦାୟିତ୍ୱ ଦିଆଯାଇଥିଲା। ଏଥିପାଇଁ 'ଇପିଆଇ'ର ବିଶେଷଜ୍ଞମାନେ ପ୍ରକଳ୍ପ ଅନୁଧ୍ୟାନ ସହ ସରକାରଙ୍କ ସହ ଆଲୋଚନା କରିଥିଲେ ଓ ୧୫୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କିନ୍ତୁ, ମନୋ ରେଳ ପ୍ରକଳ୍ପ କେଉଁ ଅଜଣା କାରଣରୁ ମନମାରି କେଉଁଠି ଲୁଚିଗଲା ତାହା କେହି ଜାଣି ପାରିଲେନି। ପରବର୍ଷ ୨୦୧୪ ମସିହାରେ ହାଇଦରାବାଦର ବାଲାଜୀ ରେଳ ରୋଡ ସିଷ୍ଟମ ଲିମିଟେଡ଼କୁ ରାଜ୍ୟ ସରକାର 'ମାସ୍‌ ରାପିଡ଼ ଟ୍ରାଞ୍ଜିଟ ସିଷ୍ଟମ' ପ୍ରବର୍ତ୍ତନ କରିବାକୁ ମନସ୍ଥ କରି ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଦାୟିତ୍ୱ ଦେଇଥିଲେ। ତେବେ, ଅନୁଧ୍ୟାନ ପରେ ଏହି ବ୍ୟବସ୍ଥା କଟକ-ଭୁବନେଶ୍ୱରରେ ସମ୍ଭବ ହେବ ନାହିଁ ବୋଲି ମତାମତ ଦେଇଥିଲେ। ଏଥିପାଇଁ ଯମଜ ନଗରୀର ସ୍ୱଳ୍ପ ଜନସଂଖ୍ୟା ଓ ଅଧିକ ବ୍ୟୟ ଅଟକଳ କାରଣରୁ ଆର୍ଥିକ ଦୃଷ୍ଟିରୁ ଲାଭଜନକ ହେବନାହିଁ ବୋଲି ମତଦେବାରେ ପ୍ରସ୍ତାବଟିର ଗଜାମରୁଡ଼ି ହୋଇଗଲା।

୨୦୨୧ରେ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭା ଗୃହରେ ପ୍ରକାଶ କରିଥିଲେ ଯେ, ୨୦୪୧ ସୁଦ୍ଧା ଓଡ଼ିଶାରେ ମେଟ୍ରୋ ରେଳ ଚଳାଚଳ ସମ୍ଭବ ନୁହେଁ। କିଛିଦିନ ତଳେ, ୨୦୨୩ ମାର୍ଚ୍ଚ ମାସ ୨୭ ତାରିଖରେ କେନ୍ଦ୍ର ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ରାଜ୍ୟସଭାରେ ସ୍ପଷ୍ଟ କରିଥିଲେ ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ମେଟ୍ରୋ ରେଳ ସେବା ସମ୍ପର୍କିତ କୌଣସି ପ୍ରସ୍ତାବ ଆସିନାହିଁ। ଆସିଲେ କେନ୍ଦ୍ର ସରକାର ସହାୟତା ଦେବା ବିଷୟରେ ବିଚାର କରିବେ। ମେଟ୍ରୋ ରେଳ ସେବା ନଗର ଉନ୍ନୟନ ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ର ରେଳ ମନ୍ତ୍ରୀ ଏହି ପ୍ରସଙ୍ଗରେ କିଛି କହିନାହାନ୍ତି। କେନ୍ଦ୍ର ସ୍ତରରେ ନଗର ଉନ୍ନୟନ ମନ୍ତ୍ରଣାଳୟର 'ନଗର ପରିବହନ' ବିଭାଗକୁ ମେଟ୍ରୋ ରେଳ ସମ୍ବନ୍ଧିତ ଯୋଜନା ସହ ସମନ୍ୱୟ ରକ୍ଷା କରି ସମ୍ଭାବନା ପରଖି ଅନୁମତି ଦେବା ପାଇଁ ଦାୟିତ୍ୱ ଦିଆଯାଇଛି। ଜାତୀୟ ସହରାଞ୍ଚଳ ପରିବହନ ନୀତି-୨୦୦୬ ଅନୁଯାୟୀ ଏହା କରାଯାଇଛି।

୨୦୦୬ ମସିହାରେ ଜାତୀୟ ନଗରାଞ୍ଚଳ ପରିବହନ ନୀତିରେ ପ୍ରସ୍ତାବ ଦିଆ ଯାଇଛି ଯେ, ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସମସ୍ତ ଭାରତୀୟ ନଗରୀରେ ମେଟ୍ରୋ ରେଳ ସେବା ବ୍ୟବସ୍ଥା ନିର୍ମାଣ କରାଯିବ। ଏବେ ଭୁବନେଶ୍ୱରର ଜନସଂଖ୍ୟା ମାତ୍ର ୧୨ ଲକ୍ଷ ଓ କଟକ ଓ ଖୋର୍ଦ୍ଧାକୁ ମିଶାଇଲେ ଜନସଂଖ୍ୟା ୩୦ ଲକ୍ଷ ଟପିଯିବ। ମେଟ୍ରୋ ରେଳ ନିର୍ମାଣ ପୁରୀଠାରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଯାଏଁ କାର୍ଯ୍ୟକାରୀ ହେବାବେଳକୁ ଏହି ସଂଖ୍ୟା ପ୍ରାୟ ୪୦ ଲକ୍ଷ ଛୁଇଁବା ସହ କେବଳ ଦେଶ ଓ ବିଦେଶରୁ ପୁରୀ ଆସୁଥିବା ମେଟ୍ରୋ ବ୍ୟବହାରକାରୀଙ୍କ ସଂଖ୍ୟା ଆଶାତୀତ ବଢ଼ିଯାଇଥିବ। ଏଣୁ, ଏହି ଯାତ୍ରୀସଂଖ୍ୟା ମେଟ୍ରୋ ବ୍ୟବସ୍ଥାକୁ ନିଶ୍ଚୟ ସଫଳ କରିପାରିବ ବୋଲି ଆଶା ସୃଷ୍ଟି କରିଛି।

ଆମେ ଭୁବନେଶ୍ୱର ଓ କଟକ ସହର ଦୁଇଟିକୁ ଯମଜ ନଗରୀ କହି ଆସୁଥିଲେ ବି ଆଜିଯାଏଁ ସେଭଳି ଅନୁଭବ ହେଉନାହିଁ। ପୁରୀଠାରେ ଗ୍ରୀନଫିଲଡ ବିମାନବନ୍ଦର କାର୍ଯ୍ୟକାରୀ ହେଲାପରେ ଭୁବନେଶ୍ୱରସ୍ଥିତ କ୍ଷୁଦ୍ର ବିମାନବନ୍ଦରରୁ ନିୟମିତ ବିମାନ ଚଳାଚଳ ବନ୍ଦକରି ଦିଆଯିବାର ଆଶଙ୍କା ରହିଛି। ଏଠାରୁ ବିଦେଶକୁ ନିୟମିତ ବିମାନ ଉଡ଼ାଣ ପାଇଁ ଆଜି ବି ସଂଘର୍ଷ କରିବାକୁ ପଡୁଛି। ଅନେକ ଦାବି ସତ୍ତ୍ୱେ ଯାଜପୁରର ଶିଳ୍ପାଞ୍ଚଳ କଳିଙ୍ଗନଗରରେ ଗ୍ରୀନଫିଲଡ ଓ ଅନୁଗୁଳ ନିକଟସ୍ଥ ଜେଏସପିଏଲଙ୍କ ବ୍ରାଉନ ଫିଲଡ ବିମାନବନ୍ଦର ଦ୍ୱୟକୁ ନିର୍ମାଣ ନକରି ମାଲକାନଗିରି ଓ ରଙ୍ଗେଈଲୁଣ୍ଡା ବିମାନବନ୍ଦର ବିଷୟରେ ପଦକ୍ଷେପ ନେଉଥିବା ରାଜ୍ୟ ସରକାରଙ୍କ ପାଖରେ ଯେ ବାସ୍ତବ ଦୃଷ୍ଟିଭଙ୍ଗୀ ଓ ବିଚାରର ଅଭାବ ରହିଛି ତାହା ସ୍ପଷ୍ଟ। କଳିଙ୍ଗନଗରରେ ଗ୍ରୀନଫିଲଡ ବିମାନବନ୍ଦର ନିର୍ମିତ ହେଲେ ଉଭୟ ପାରାଦ୍ୱୀପ ଓ ଧାମରା ସାମୁଦ୍ରିକ ବନ୍ଦର ଓ ବୁଦ୍ଧ-ସର୍କିଟ ପର୍ଯ୍ୟଟନ ବିକାଶ ଲାଭ କରିବ। ଏ ସମ୍ପର୍କରେ ନୀରବ ରହୁଥିବା ରାଜ୍ୟ ସରକାର, ଏବେ ନିଜ ଖର୍ଚ୍ଚରେ ଭୁବନେଶ୍ୱର-କଟକ ମେଟ୍ରୋ ରେଲ ଚଳାଚଳ କରାଇବାକୁ କହିଲେ ମନରେ ସନ୍ଦେହ ଆସିବା ସ୍ୱାଭାବିକ।

ଯମଜ ନଗରୀରେ ସଡ଼କ ପରିବହନ ବ୍ୟବସ୍ଥା ଆଜି ବି ଜଟିଳ ଓ ଅବ୍ୟବସ୍ଥିତ। ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳଷ୍ଟେସନ କାର୍ଯ୍ୟ ଆରମ୍ଭ ନହେଉଣୁ କଟକ ରେଳଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବାର ଘୋଷଣା କରି ଦିଆଗଲା। ରାଜ୍ୟ-କେନ୍ଦ୍ର ମଧ୍ୟରେ ସହଯୋଗ ଓ ତାଳ ମେଳ ରହୁନଥିବାରୁ ଅଧିକାଂଶ ଯୋଜନା ଅଧାପନ୍ତରିଆ ପଡ଼ିରହିଛି। କଟକ ମହାନଗରରେ ଜାଇକା ମାଧ୍ୟମରେ ସ୍ୱେରେଜ ହେଉ କି ଭୁବନେଶ୍ୱର ରେଳଷ୍ଟେସନ ଓ ବରମୁଣ୍ଡା ଆନ୍ତଃରାଜ୍ୟ ବସଷ୍ଟାଣ୍ଡ; ଏପରିକି ସ୍ମାର୍ଟ ସିଟି ବିଳମ୍ବିତ ହୋଇ ଚାଲିଛି। ଏପରି ବିଳମ୍ବିତ ନିର୍ମାଣ ପଛରେ ନିର୍ବାଚନ ରାଜନୀତି ଓ ବଟି ଆଦାୟ ଦାୟୀ ବୋଲି ଲୋକ ଭାବି ନେଲେଣି। ସବୁ କଥାକୁ ବିଶ୍ୱସ୍ତରୀୟ କହିଦେଲେ ହୁଏନା। ଉତ୍ତମ ମାନର ନିର୍ମାଣ ସ୍ୱଳ୍ପ ତଥା ରେକର୍ଡ ସମୟସୀମା ମଧ୍ୟରେ ସାରି ଲୋକଙ୍କ ବ୍ୟବହାରରେ ଆସିପାରିଲେ ତାହାକୁ ସମଗ୍ର ବିଶ୍ୱ ସ୍ୱୀକାର କରେ। ରାଉରକେଲାରେ ନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିଅମ ଗିନିସ ବୁକରେ ସ୍ଥାନିତ ହୋଇ ବିଶ୍ୱ ସ୍ତରୀୟ ବୋଲାଇବାର ଏହା ହିଁ କାରଣ। ଅନେକ ସମୟରେ ରାଜନୈତିକ କାରଣରୁ ଆମ ଦେଶରେ ଅନେକ ଯୋଜନା ଘୋଷଣା କରାଯାଏ। ଭିତ୍ତି ପ୍ରସ୍ତର ସ୍ଥାପନ, ଭୂମିପୂଜନଠାରୁ ଆରମ୍ଭ କରି ବର୍ଷ ବର୍ଷ ଧରି ନିର୍ମାଣ କାମ ଚାଲେ; ହେଲେ ସରେନା। ରାତି ପରେ ରାତି ପାହିଯାଏ। ହେଲେ, ସପନ ସରେନା। ଭୁବନେଶ୍ୱର-କଟକ କ୍ରମଶଃ ଯୋଡ଼ିହୋଇ ଚାଲିଛନ୍ତି। କଟକରେ ଅଛି ହାଇକୋର୍ଟ, ବଡ଼ ଡାକ୍ତରଖାନା, କାଠଯୋଡ଼ି-ମହାନଦୀ, ରେଭେନ୍ସା, ବାରବାଟୀ, ଚଣ୍ଡୀ ମନ୍ଦିର ଓ ଭୁବନେଶ୍ୱରରେ ଅଛି ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ପର୍ଯ୍ୟଟନ ବିଭବ ସହିତ ଲିଙ୍ଗରାଜ ମନ୍ଦିର। ପୁରୀ-କୋଣାର୍କ-ଭୁବନେଶ୍ୱର ସୁବର୍ଣ୍ଣ ତ୍ରିଭୁଜର ପ୍ରବେଶପଥ ହେଲା ଭୁବନେଶ୍ୱର। ଏଠାରେ ମେଟ୍ରୋ ରେଳ ବ୍ୟବସ୍ଥା ଆରମ୍ଭ ହେଲେ ଭୁବନେଶ୍ୱରର ସ୍ଥାନ ବିଶ୍ୱମାନଚିତ୍ରରେ ଅଧିକ ଜାଜ୍ଜ୍ୱଲ୍ୟମାନ ହେବ, ଏହା ନିଃସନ୍ଦେହରେ କୁହାଯାଇପାରେ।

୨୦୩୬ ମସିହାରେ ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେବ। ସେତେବେଳକୁ ନୂଆ ଓଡ଼ିଶା ଗଠନ କରିବାକୁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ ବୋଲି ବାରମ୍ବାର କହୁଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ଆଧୁନିକ ଗମନାଗମନକୁ ସହଜ, ସୁଗମ ଓ ଜୀବନ ଧରଣର ମାନକୁ ଉନ୍ନତ କରିବା ସହ ଏଠାରେ ବାଣିଜ୍ୟ ବ୍ୟବସାୟ କରିବାକୁ ବହୁଦେଶୀୟ-ବ୍ୟବସାୟୀ ଓ ଶିଳ୍ପପତି ଆସିବାକୁ ଆକର୍ଷିତ କରିବ। ସାମୁଦ୍ରିକ ଉପକୂଳ ଅଞ୍ଚଳରେ ପର୍ଯ୍ୟଟନ ବଢ଼ିବ। କୃଷି ଆଧାରିତ ରାଜ୍ୟ ରୂପାନ୍ତରିତ ହେବାର ସଫଳ ଉପକ୍ରମ ସମ୍ଭବ ହୋଇପାରିବ, ଯଦି ଓଡ଼ିଶା ପ୍ରଦେଶ ଶିଳ୍ପ, ସେବା ଓ ବ୍ୟବସାୟ କ୍ଷେତ୍ରକୁ ଆଧାର କରି ପ୍ରଗତି ପଥରେ ଆଗେଇ ଚାଲିବ।

କଲିକତାର ମେଟ୍ରୋ ସେବା ରେଳ ମନ୍ତ୍ରଣାଳୟ ଅଧୀନସ୍ଥ ଗୋଟିଏ ରେଳଜୋନ ଭାବେ ପରିଗଣିତ ହେଉଥିଲାବେଳେ ଦେଶର ଅନ୍ୟାନ୍ୟ ସହରର ମେଟ୍ରୋସେବା ନଗର ଉନ୍ନୟନ ମନ୍ତ୍ରଣାଳୟ-ରାଜ୍ୟ ସରକାର-ଘରୋଇ କମ୍ପାନୀ ସହଭାଗିତାର ଅଂଶ ବିଶେଷ। କେବଳ ଗୁରୁଗାଓଁରେ କରାଯାଇଥିବା ମେଟ୍ରୋ ବ୍ୟବସ୍ଥା ସମ୍ପୂର୍ଣ୍ଣ ଘରୋଇ ଉଦ୍ୟୋଗ ହୋଇଥିଲା ବେଳେ ରାଜସ୍ଥାନର ଜୟପୁର ସହରରେ ଥିବା ମେଟ୍ରୋ ରେଳ ରାଜ୍ୟ ସରକାରଙ୍କ ଅର୍ଥରେ ନିର୍ମିତ। ଏଣୁ, ଓଡ଼ିଶା ସରକାରଙ୍କ ପକ୍ଷରୁ ଘୋଷିତ ମେଟ୍ରୋ ରେଳ ପ୍ରକଳ୍ପକୁ ବାସ୍ତବ ରୂପ ଦେବାରେ କିଛି ହିଁ ଅସୁବିଧା ନାହିଁ। ତଥାପି, କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟ ସହଯୋଗରେ ମୋ ବସ ଚଳାଉଥିବା ଓଡ଼ିଶା ରାଜ୍ୟ ସରକାର ମେଟ୍ରୋ ରେଳ ପାଇଁ କେନ୍ଦ୍ରରୁ ଆର୍ଥିକ ସହଯୋଗ ନ ମାଗି ନିଜସ୍ୱ ଖର୍ଚରେ ମେଟ୍ରୋ ଚଳାଇବା ମାନସିକତା ଯେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ତାହା ରାଜ୍ୟବାସୀ ସନ୍ଦେହ କରିବା ଅମୂଳକ ନୁହେଁ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

Related story