Advertisment

ଓଡ଼ିଆ ସାହିତ୍ୟର ଉତ୍ତରଣ?

ସାହିତ୍ୟରେ ଅଶ୍ଳୀଳତା, ପୁରସ୍କାରର ଫିକ୍ସିଂ, ଦଳବାଦ, ଅପସଂସ୍କୃତିର ଝଲକ ଏବଂ ନୈତିକ ଅବକ୍ଷୟ ଓଡ଼ିଆ ସାହିତ୍ୟକୁ କେଉଁଠିକୁ ନେଉଛି?

 Akshyara Bhumi

Akshyara Bhumi

Advertisment

ଡ. ରୀନା ରାଉତରାୟ

ସାହିତ୍ୟ ମାନବ ଜାତିର ଐତିହ୍ୟ, ସଂସ୍କୃତି, ପରମ୍ପରା, ନୈତିକ ମୂଲ୍ୟବୋଧ ତଥା ଭବିଷ୍ୟୋନ୍ମୁଖୀ ଏକ ଗୌରବମୟ ଯାତ୍ରା। ପ୍ରତି ଭାଷା ସାହିତ୍ୟରେ ରଚିତ ଉପନ୍ୟାସ, କବିତା, ଗଳ୍ପ, ନାଟକ, ପ୍ରବନ୍ଧ, ଆତ୍ମକଥା ଓ ସାରସ୍ୱତ ସମୀକ୍ଷାରେ ଜନମାନସର ଅନ୍ତର୍ଜୀବନକୁ ନିଖୁଣ ଭାବେ ଚିତ୍ରଣ କରାଯାଇଛି। କେବଳ ସେତିକି ନୁହେଁ ଅନେକ ସାମାଜିକ ଅର୍ଥନୈତିକ ବୌଦ୍ଧିକ ବୈପ୍ଲବିକ ପରିବର୍ତ୍ତନର ସୂତ୍ରଧର ଆମ ପୂର୍ବ ସୂରୀମାନଙ୍କ ଶାଣିତ ଲେଖନୀର ଅନ୍ତଃସ୍ୱର।

Advertisment

ସାହିତ୍ୟ ସଦା ସର୍ବଦା ସଂଭ୍ରମ ଓ ମର୍ଯ୍ୟାଦାପୂର୍ଣ୍ଣ। କିନ୍ତୁ ସଂପ୍ରତି ସାହିତ୍ୟ ଜଗତରେ ଗତ କିଛି ବର୍ଷ ଧରି ବିଶେଷ କରି କିଛି ମାସ ଧରି ଯେପରି ମତଭେଦ, ବାଦବିବାଦ, ଅଭିଯୋଗ, ପ୍ରତି ଅଭିଯୋଗ, ଅନୈତିକ ଚର୍ଚ୍ଚା ଓ ଅଯଥା ବିବାଦ ଶିରୋନାମା ହେଉଛି, ତାହା ଉପରେ ଚିନ୍ତା ଅନିବାର୍ଯ୍ୟ।

ସାହିତ୍ୟରେ ଅଶ୍ଳୀଳତା, ପୁରସ୍କାରର ଫିକ୍ସିଂ, ଦଳବାଦ, ଅପସଂସ୍କୃତିର ଝଲକ ଏବଂ ନୈତିକ ଅବକ୍ଷୟ ଓଡ଼ିଆ ସାହିତ୍ୟକୁ କେଉଁଠିକୁ ନେଉଛି?

Advertisment

ସାହିତ୍ୟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଣିଷର ଜୀବନ ଓ ଜଗତକୁ ଏକ ନୂତନ ଭାବେ ବୁଝିବା, ଅନୁଭବ କରିବା, କିନ୍ତୁ ଏହି ନୂତନତା ଓ ବିକଳ୍ପ ଦୃଷ୍ଟିକୋଣର ନାଁରେ ଅନେକ ଲେଖକ ବର୍ତ୍ତମାନ ଅଶ୍ଳୀଳ ଭାଷା, ଅଭଦ୍ର ଦୃଶ୍ୟ ଏବଂ ଯୌନ ଅଭିବ୍ୟକ୍ତିକୁ ଏମିତି ଭାବେ ପ୍ରସ୍ତୁତ କରୁଛନ୍ତି ଯାହା ବିଚାର ଓ ସୂକ୍ଷ୍ମତାକୁ ଅଣଦେଖା କରି ସାଧାରଣ ମନୁଷ୍ୟର ଭାବାବେଗକୁ ଆଘାତ ଦେଉଛି।

ସାହିତ୍ୟରେ ଅଶ୍ଲୀଳତା ସୃଜନଶୀଳତାର ବଜାରୀକରଣ କି?

ଅନେକ ସମକାଳୀନ ରଚନାରେ ଏମିତି ଶବ୍ଦ, ଦୃଶ୍ୟ ବା ପ୍ରସଙ୍ଗ ବାବଦରେ ଉଲ୍ଲେଖ ହେଉଛି, ଯାହା ସମାଜକୁ ସୂଚନା ବା ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ ନୁହେଁ, ବରଂ ଚଞ୍ଚକତା ସୃଷ୍ଟି କରି ପ୍ରଚାର ଓ ପ୍ରସିଦ୍ଧି ଲାଭ କରିବା ପାଇଁ ଉଦ୍ଧିଷ୍ଟ। ସୃଜନ ଓ ଅଶ୍ଳୀଳତାର ସୀମା ଅସ୍ପଷ୍ଟ ହୋଇଯାଉଛି। ଏହା ଦ୍ୱାରା ତରୁଣ ପିଢ଼ି ମଧ୍ୟରେ ସାହିତ୍ୟ ପ୍ରତି ସକାରାତ୍ମକ ଦୃଷ୍ଟିକୋଣ ବିକାଶ ପାଉନାହିଁ, ବରଂ ଏହାକୁ ମନୋରଞ୍ଜନ ଓ ରଚନାତ୍ମକ ବିପର୍ଯ୍ୟସ୍ତତାର ମାଧ୍ୟମ ଭାବେ ଦେଖାଯାଉଛି।

ସ୍ୱାଧୀନ ଭାବେ ମତ ପ୍ରକାଶ କରିବା ଏକ ଲେଖକର ଅଧିକାର, କିନ୍ତୁ ଯଦି ସେହି ଅଧିକାର ଯଦି ପାଠକର ସଂସ୍କୃତି ଓ ମୂଲ୍ୟବୋଧ ପାଇଁ ହାନିକାରକ ହୁଏ ତେବେ ସେଥିରେ ସଂଯମତା ପୂର୍ବକ ରୋକ ଆବଶ୍ୟକ।

ଏକ ଅନ୍ୟତମ ଚିନ୍ତାଜନକ ଦିଗ ହେଉଛି ଓଡ଼ିଆ ସାହିତ୍ୟ ପୁରସ୍କାର ପ୍ରଦାନ ପ୍ରଣାଳୀ। ଅନେକ ଅଭିଯୋଗ ଆସୁଛି ଯେ ଏହି ପୁରସ୍କାର ପ୍ରତିଷ୍ଠାନ ନିଜ ଲୋକଙ୍କୁ ପୁରସ୍କାର ଦେଉଛନ୍ତି, ମାନ୍ୟତା ପାଇଁ ଆଗକୁ ବଢ଼ିଥିବା ନିଜସ୍ୱ ପ୍ରତିଷ୍ଠାନରେ ଲୋକଙ୍କୁ ଲେଖା ପ୍ରସ୍ତୁତ କରିବାର ନିମନ୍ତ୍ରଣ ଦିଆଯାଉଛି, ଅନ୍ୟମାନଙ୍କୁ ମୁଖ୍ୟଧାରାରେ ସ୍ଥାନ ମିଳୁନି।

ଏହା ସାହିତ୍ୟର ସ୍ୱାଧୀନତା ନୁହେଁ, ବ୍ୟବସାୟ ଓ ରାଜନୀତିକ ଶକ୍ତିର ଖେଳ ଭଳି ମନେ ହୁଏ। ସାହିତ୍ୟ କଣ ଦଳୀୟ ପ୍ରତିନିଧିତ୍ୱ କରେ କି?

ଅନେକ ସାହିତ୍ୟ ଅନୁଷ୍ଠାନରେ ବର୍ତ୍ତମାନ ଦଳବାଦ ଚାଲିଛି। ଯେଉଁଠି ନିଜ ଗୋଷ୍ଠୀର ଲୋକଙ୍କୁ ମିଳିଥାଏ ମଞ୍ଚ, ସମ୍ମାନ, ପୁରସ୍କାର, ଆମନ୍ତ୍ରଣ। ଅନ୍ୟମାନେ ହୀନମନ୍ୟତାର ସମ୍ମୁଖୀନ ହେଉଛନ୍ତି। ଏହା ମୂଲ୍ୟବୋଧ ଓ ଗୁଣତତ୍ତ୍ୱ ଉପରେ ନୁହେଁ, ବ୍ୟକ୍ତିବିଶେଷ ଓ ତାଙ୍କର ସମ୍ପର୍କ ଉପରେ ନିର୍ଭର କରୁଛି। ଉଦାହରଣସ୍ୱରୂପ, ବହୁତ ଲୋକ ଅଭିଯୋଗ କରୁଛନ୍ତି ଯେ କେତେକ ସଂସ୍ଥା ଓ ତଥାକଥିତ ଚୟନ କମିଟି ଗୋଷ୍ଠୀବଦ୍ଧ ଭାବେ କାର୍ଯ୍ୟ କରୁଛନ୍ତି, ଯାହା ସାହିତ୍ୟ ଜଗତକୁ ଅନ୍ଧକାରରେ ଠେଲିଦେଉଛି।

ଏହି ଦଳବାଦ ହିଁ ସାହିତ୍ୟ ପାଇଁ ଘାତକ ଅଟେ।

ସାହିତ୍ୟ ଏକ ମନ ଓ ଆତ୍ମାର ଅଭିବ୍ୟକ୍ତି କିନ୍ତୁ ଏହାକୁ ଦଳର ଭିତରେ ଭାଗ କରାଯାଉଛି, ଦେଶପ୍ରେମ ବିରୋଧୀ, ପ୍ରଗତିଶୀଳ ବିରୋଧୀ, ଗୋଷ୍ଠୀ ରାଜନୀତି ଇତ୍ୟାଦି। ଏହି ଗୋଷ୍ଠୀକରଣ ଲୋକଙ୍କ ମଧ୍ୟରେ ଅସହିଷ୍ଣୁତା ବଢ଼ାଇ ଦେଉଛି ଏବଂ ନିଜ ପ୍ରଶଂସାରେ ଲିପ୍ତ ଗୋଷ୍ଠୀମାନେ ଅନ୍ୟମାନଙ୍କ ସୃଜନକୁ ଉପେକ୍ଷା କରୁଛନ୍ତି।

ସମ୍ପ୍ରତି ଓଡ଼ିଆ ସାହିତ୍ୟ ମଞ୍ଚରେ ଫେସବୁକ, ଏକ୍ସ (Twitter), ୟୁଟ୍ୟୁବ ଭିଡିଓ ମାଧ୍ୟମରେ ଅନେକ ଗଭୀର ବ୍ୟକ୍ତିଗତ ଆକ୍ରମଣ, ଉପହାସ, ଏବଂ ଅସୂୟା ପ୍ରକାଶ ଦେଖାଯାଉଛି। ଏହି ପ୍ରକାର ଆଚରଣ ଏକ ସୁସ୍ଥ ଆଲୋଚନା ଓ ସଂସ୍କୃତିକୁ ନଷ୍ଟ କରି ଦେଉଛି।

ଏହି ସବୁ ଚର୍ଚ୍ଚା ଏକ ପ୍ରଶ୍ନ ଉଠାଏ, ଓଡ଼ିଆ ସାହିତ୍ୟ ଯେଉଁ ରାସ୍ତା ଦେଇ ଯାଉଛି, ସେ ପଥର ନିର୍ଦ୍ଦେଶକ କିଏ?

ସାହିତ୍ୟ ତ ଏକ ଶିଳ୍ପ ନୁହେଁ କିମ୍ବା କୌଣସି ଦଳ, ନିଜସ୍ୱ ଲାଭ ଓ ଲୋଭ ଦ୍ୱାରା ଚାଲିବା ଯନ୍ତ୍ର ନୁହେଁ। ଏହା ଦେଶ ଓ ସମାଜର ଆତ୍ମା। ଏହି ଶାସ୍ତ୍ରୀୟ ଭାଷା ସାହିତ୍ୟକୁ ଶୁଦ୍ଧ, ପବିତ୍ର, ଅନ୍ତଃଶୁଦ୍ଧ ଓ ମୂଲ୍ୟନିଷ୍ଠ କରିବା ପ୍ରତିଟି ଲେଖକ, ସମ୍ପାଦକ, ଆୟୋଜକ, ପ୍ରକାଶକ ଓ ପାଠକଙ୍କ ଦାୟିତ୍ୱ।

ଏହି ଅବସ୍ଥାରେ ଓଡ଼ିଆ ସାହିତ୍ୟ ଜଗତକୁ ନିଜ ଅନ୍ତର୍ନିହିତ ତ୍ରୁଟିକୁ ଅନ୍ତର୍ଦୃଷ୍ଟି ସହିତ ଦେଖିବା ଆବଶ୍ୟକ।

ଏହାର ସମାଧାନ ଦିଗରେ କେତୋଟି ସମ୍ଭାବିତ ସୂତ୍ର :-

ସ୍ଵାଧୀନ ଓ ଅଭିଜ୍ଞ ଚୟନ ପ୍ରକ୍ରିୟା ଉପରେ ଭରସା।

ଗୋଷ୍ଠୀ ନୁହେଁ ଗୁଣବତ୍ତା ଅନୁଯାୟୀ ମୂଲ୍ୟାୟନ।

ସାହିତ୍ୟ ଆଲୋଚନାକୁ ବ୍ୟକ୍ତିଗତ ଅଭିମତରୁ ବାହାରେ ରଖିବା।

ସମାଲୋଚନାକୁ ସ୍ଵୀକାର କରି ନିଜ ସୃଜନାକୁ ଅଧିକ ସୁଦୃଢ଼ କରିବା।

ଯେତେବେଳେ ମତଭେଦ, ଅଭିଯୋଗ ଓ ଚର୍ଚ୍ଚା ଯଦି ଏକ ସୁସ୍ଥ ସମାଲୋଚନାର ଅଂଶ ହୁଏ, ତାହା ସ୍ୱାଗତଯୋଗ୍ୟ। କିନ୍ତୁ ଯଦି ଏହିଠାରେ ବ୍ୟକ୍ତିଗତ ମନୋଭାବ ଓ ଫାଇଦା ପାଇଁ ଅନ୍ୟଙ୍କୁ ଦମନ କରାଯାଏ, ତେବେ ସେଠି ସାହିତ୍ୟର ଉନ୍ନତି ନ ହୋଇ ବିନାଶ ହୁଏ। ଓଡ଼ିଆ ସାହିତ୍ୟର ଦୀର୍ଘ ଯାତ୍ରାରେ ଏପରି ସଂକଟ ବହୁବାର ଆସିଛି। କିନ୍ତୁ ପ୍ରକୃତ ଲେଖକ, ସମାଲୋଚକ ଓ ସଚେତନ ପାଠକ ତାକୁ ପୁଣି ସଠିକ ରାସ୍ତାକୁ ଆଣିଛନ୍ତି। ଆସୁନ୍ତୁ, ଆମେ ମଧ୍ୟ ଏହି ପ୍ରୟାସରେ ଅଂଶୀଦାର ହେବା।

ଓଡ଼ିଆ ସାହିତ୍ୟ, ଭାରତୀୟ ସାହିତ୍ୟରେ ଏକ ବିଶେଷ ଅବଦାନ ରଖିଥିବା ଗଵେଷଣା ଓ ସୃଜନଶୀଳତାର କ୍ଷେତ୍ର।

ଓଡ଼ିଆ ସାହିତ୍ୟ ଆମ ଆତ୍ମାର ଆବିର୍ଭାବ, ଏହାର ମୂଲ୍ୟବୋଧ ବଞ୍ଚି ରହିବା ଆବଶ୍ୟକ।

ସୃଜନା ମୁକ୍ତ ହେଉ କିନ୍ତୁ ଦାୟିତ୍ଵସମ୍ପନ୍ନ ହେବା ଉଚିତ। ସମ୍ବେଦନା ଓ ସୃଜନାର ସନ୍ଧିରେ ଥିବା ଏହି ସାହିତ୍ୟ କେବଳ ବିରୋଧ କିମ୍ବା ବିତର୍କ ନୁହେଁ, ବିକାଶ ଓ ପରିବର୍ତ୍ତନର ଏକ ଦୃଢ଼ ସୂତ୍ର ହେବା ଉଚିତ।

ଆଜି ଓଡ଼ିଆ ସାହିତ୍ୟ ଏକ ବଡ଼ ବିନ୍ଦୁରେ ଆସି ଠିଆ ହୋଇଛି। ଯେଉଁଠାରେ ପାଠକ, ଲେଖକ, ସମାଲୋଚକ, ପ୍ରକାଶକ ପୁରସ୍କାରଦାତା ଏବଂ ସଂସ୍ଥାମାନେ ଏକ ନୂତନ ଦୃଷ୍ଟି ନେଇ ଚିନ୍ତା କରିବା ଆବଶ୍ୟକ। ଅନ୍ତଃପରିଶୋଧନା ଓ ଭାଷା ସାହିତ୍ୟ ସଂସ୍କୃତିର ମୂଲ୍ୟବୋଧ ପ୍ରତି ଅଙ୍ଗୀକାରବଦ୍ଧ ହେବା ଆବଶ୍ୟକ।

ଅନ୍ଧାରର ସୁଡ଼ଙ୍ଗ ମଧ୍ୟରେ ଚେତନାର ଆଲୋକ ଖୋଜିବା ଆମ ସମସ୍ତଙ୍କ ଦାୟିତ୍ୱ।

ଫୋ- ୯୪୩୮୨୭୨୧୫୨

Odisha Odia Language Literature
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe