ରବି ଦାସ
କିଟ୍ ଘଟଣା ଉଭୟ କିଟ୍ ବିଶ୍ୱ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ସହିତ ରାଜ୍ୟ ସରକାରଙ୍କର ଅପରାଗତକୁ ନେଇ କେତେଗୁଡ଼ିଏ ପ୍ରଶ୍ନ ଛିଡ଼ା କରିଛି। କିଟ୍ ବିଶ୍ୱବିଦ୍ୟାଳୟ ୟୁଜିସି ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏକ ବିଶ୍ୱବିଦ୍ୟାଳୟ। ସାଧାରଣତଃ ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟ ଛଡ଼ା ଯେଉଁ ଘରୋଇ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି ସେଗୁଡ଼ିକ ପାଇଁ ରାଜ୍ୟ ବିଧାନସଭାରେ ଆଇନ ପାରିତ ହୋଇଛି। କିନ୍ତୁ ୟୁଜିସି ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଅନ୍ୟ ଯେକୌଣସି ବିଶ୍ୱବିଦ୍ୟାଳୟ ପରି ହେଲେ ମଧ୍ୟ ସେଥିରେ ରାଜ୍ୟ ସରକାରଙ୍କର ନିୟନ୍ତ୍ରଣ ନଥାଏ। କିନ୍ତୁ ଏହାକୁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ଅନୁମୋଦନ କଲା ପରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନର ଆଇନ ବଳରେ ଏହା ବିଶ୍ୱବିଦ୍ୟାଳୟ ମର୍ଯ୍ୟାଦା ହାସଲ କରୁଛି। ଅର୍ଥାତ୍ ଏହି ବିଶ୍ୱବିଦ୍ୟାଳୟରେ ସମସ୍ତ କାର୍ଯ୍ୟକଳାପ ଶିକ୍ଷାର ମାନ ସହିତ ବିଶ୍ୱବିଦ୍ୟାଳୟ ମର୍ଯ୍ୟାଦା ପାଇଁ ଏହା ଠିକ୍ ଭାବରେ କାମ କରୁଛି ନା ନାହିଁ ତାହା ୟୁଜିସି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦେଖିବା କଥା। କିନ୍ତୁ ରାଜ୍ୟ ଭିତରେ ଏହି ବିଶ୍ୱବିଦ୍ୟାଳୟ ଥିବାରୁ ଏହାର ଶୃଙ୍ଖଳା ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ରାଜ୍ୟ ସରକାରଙ୍କର ଏକ ନିୟନ୍ତ୍ରଣ ରହିବା କଥା।
ଜଣେ ନେପାଳୀ ଛାତ୍ରୀଙ୍କର ମୃତ୍ୟୁ ଯାହାକୁ ଆତ୍ମହତ୍ୟା କୁହାଯାଉଛି ସେହି ଘଟଣାରେ ରାଜ୍ୟ ସରକାରୀ କର୍ତ୍ତୃପକ୍ଷଙ୍କୁ ବା ପୋଲିସକୁ ନଜଣାଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଦେଇପାରିବେ ନାହିଁ। ଏହି ଘଟଣାରେ ସେହି ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ନେପାଳ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ନ୍ୟାୟ ଦାବି କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବା ତାହାର ରୁମକୁ ଖୋଲିବା ପାଇଁ କାଚ ଭାଙ୍ଗି ପଶିବା ପୂର୍ବରୁ କର୍ତ୍ତୃପକ୍ଷଙ୍କର ପ୍ରଥମେ ପୋଲିସକୁ ଜଣାଇବା କଥା। କିନ୍ତୁ ଏହି ଘଟଣାରେ ତାହା ହେଲା ନାହିଁ। ସଂପୃକ୍ତ ଛାତ୍ରୀଙ୍କ ପ୍ରତି ଜଣେ ନିର୍ଦ୍ଦିଷ୍ଟ ଛାତ୍ର ଅନେକ ମାସ ହେଲା ବିଭିନ୍ନ ଭାବରେ ଯୌନ ନିର୍ଯ୍ୟାତନା ଦେଇ ଆସୁଥିବାର ଅଭିଯୋଗ ହୋଇଛି। ସାଧାରଣତଃ ବିଶ୍ୱବିଦ୍ୟାଳୟ ପରି ଏକ ଅନୁଷ୍ଠାନରେ ଯେଉଁଠାରେ ଛାତ୍ରୀମାନେ ଓ ଅଧ୍ୟାପିକାମାନେ ଅଛନ୍ତି ସେଠାରେ ଯୌନ ନିର୍ଯ୍ୟାତନା ସଂକ୍ରାନ୍ତୀୟ ଅଭିଯୋଗର ବିଚାର ପାଇଁ ଆଇନ ଅନୁସାରେ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏକ ଯୌନ ନିର୍ଯ୍ୟାତନା କମିଟି ରହିବା କଥା। ସଂପୃକ୍ତ ଛାତ୍ରୀଙ୍କର ଅଭିଯୋଗକୁ ଏହି କମିଟି ବିଚାର କରି ଯଦି ଠିକଣା ପଦକ୍ଷେପ ନେଇଥାନ୍ତା ହୁଏତ ସପୃକ୍ତ ଛାତ୍ରୀ ଆତ୍ମହତ୍ୟା କରିନଥାନ୍ତେ। ସେହି ଛାତ୍ର ଜଣକ ଅତ୍ୟନ୍ତ ଅଶୋଭନୀୟ ଆଚରଣ ଓ ଶବ୍ଦ ପ୍ରୟୋଗ କରି ଛାତ୍ରୀ ଜଣକୁ ବାରମ୍ବାର ହଇରାଣ ହରକତ କରୁଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟର ଏହି ସଂକ୍ରାନ୍ତୀୟ କମିଟି କୌଣସି କାର୍ଯ୍ୟାନୁଷ୍ଠାନ ନକରି ନିରବ ରହିବା ଓ ଏ ସଂପର୍କରେ ପୋଲିସକୁ ନଜଣାଇବା ଏକ ଗୁରୁତର ଅପରାଧ।
ଏହି ଘଟଣା ପରେ ପରିସ୍ଥିତିକୁ ଚପାଇ ଦେବା ପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିବାଦ କରୁଥିବା ନେପାଳ ଛାତ୍ରମାନଙ୍କୁ ହଷ୍ଟେଲ ଓ କଲେଜର ନିରାପତ୍ତାରକ୍ଷୀଙ୍କ ସହିତ ମିଶି ଗୁଣ୍ଡାମାନଙ୍କ ଦ୍ୱାରା ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଭୟଭୀତ ହୋଇଥିବା ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟରୁ ଓ ହଷ୍ଟେଲରୁ ନେପାଳୀ ଛାତ୍ରମାନଙ୍କୁ ବାହାର କରିବା ପାଇଁ ସେମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ସାଇନ ଡାଏ ହେଲା ବୋଲି କହି ବସରେ ଜବରଦସ୍ତ ସେମାନଙ୍କୁ ନେଇ ବିଭିନ୍ନ ରେଳ ଷ୍ଟେସନରେ ଛାଡ଼ି ଦେଇଥିଲେ। ଏହିସବୁ ଘଟଣା ଦିନବ୍ୟାପୀ ଚାଲିଥିବା ସମୟରେ ସୋସିଆଲ୍ ମିଡ଼ିଆ ଓ ଭିଡ଼ିଓ ଜରିଆରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସତ୍ତ୍ୱେ ରାଜ୍ୟ ସରକାର ପ୍ରଥମରୁ ନୀରବତା ଅବଲମ୍ବନ କରିବା ଓ ପୋଲିସ୍ ସଙ୍ଗେ ସଙ୍ଗେ ସମୁଦାୟ ଘଟଣାକୁ ନିଜ ନିୟନ୍ତ୍ରଣକୁ ନଆଣି ବିଶ୍ୱବିଦ୍ୟାଳୟ କର୍ତ୍ତପକ୍ଷଙ୍କ ଉପରେ ସବୁକିଛି ଛାଡ଼ିଦେବା ଅତ୍ୟନ୍ତ ଲଜ୍ୟାଜନକ। ତା’ ଛଡ଼ା ନେପାଳ ଭାରତର ଏକ ପଡ଼ୋଶୀ ବନ୍ଧୁତ୍ୱ ଥିବା ରାଷ୍ଟ୍ର। ସେମାନଙ୍କ ଛଡ଼ା ବିଶ୍ୱବିଦ୍ୟାଳୟରେ ଅନ୍ୟାନ୍ୟ ଦେଶର ମଧ୍ୟ ଛାତ୍ରଛାତ୍ରୀ ଅଛନ୍ତି। ତେଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସ୍ ଓ ରାଜ୍ୟ ପ୍ରଶାସନ ଯେଉଁ ଭୂମିକାରେ ନେବା କଥା ତାହା ନେଇନାହାନ୍ତି।
ଏହି ଘଟଣା ନେପାଳରେ ପହଂଚିବା ପରେ ସେଠାର ପ୍ରଧାନମନ୍ତ୍ରୀ ଓ ସରକାର ଉଦବେଗ ପ୍ରକାଶ କରି ଛାତ୍ରୀଙ୍କ ପ୍ରତି ନ୍ୟାୟ ସମେତ ସମସ୍ତ ନେପାଳ ଛାତ୍ରଛାତ୍ରୀଙ୍କର ସୁରକ୍ଷା ପାଇଁ ଦାବି ଉଠାଇବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସକ୍ରିୟ ହୋଇଛନ୍ତି। କିନ୍ତୁ ପ୍ରଥମରୁ ଏହି ଘଟଣାରେ ପୋଲିସର ଆଭିମୁଖ୍ୟ ଯୋଗୁ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ନିରାପତ୍ତାରକ୍ଷୀଙ୍କ ସମେତ ଯେଉଁ ୫ ଜଣଙ୍କୁ ପୋଲିସ୍ ଗିରଫ କରିଥିଲା ସେମାନେ ମାତ୍ର ଗୋଟିଏ ଘଂଟା ଭିତରେ ଜାମିନ୍ ପାଇଗଲେ। ରାଜ୍ୟ ସରକାରଙ୍କ ଓକିଲ ଏହି ଘଟଣାରେ ଅଦାଲତରେ କି ଆଭିମୁଖ୍ୟ ନେଇଥିଲେ ତାହା ଜଣାନାହିଁ।
ଏଠାରେ ପ୍ରଶ୍ନ ଉଠୁଛି, ବିଶ୍ୱବିଦ୍ୟାଳୟ ନିଜକୁ ଡିମ୍ଡ ବିଶ୍ୱବିଦ୍ୟାଳୟ କହିଲେ ମଧ୍ୟ କେବଳ ନେପାଳ ଛାତ୍ରମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ସାଇନ ଡାଏ ହେଇଗଲା ବୋଲି ରାଜ୍ୟ ସରକାରଙ୍କୁ ନଜଣାଇ ନିଷ୍ପତି ନେବାକୁ କିପରି ସାହସ କଲେ? ଯଦି ଠିକ୍ ଭାବରେ ଅନୁଧ୍ୟାନ କରାଯାଏ କିଟ୍ ସଂକଟ ପାଇଁ ବିଶ୍ୱବିଦ୍ୟାଳୟ ସର୍ବୋଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ପୋଲିସ୍ ଓ ରାଜ୍ୟ ସରକାର ସମପରିମାଣରେ ଦାୟୀ। ରାଜ୍ୟ ସରକାର ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି ଓ ନେପାଳୀ ଛାତ୍ରମାନଙ୍କୁ ହଷ୍ଟେଲକୁ ଫେରାଇ ଆଣିବା ପାଇଁ ଜୋରଦାର୍ ଉଦ୍ୟମ ମଧ୍ୟ କରୁଛନ୍ତି। କିନ୍ତୁ ମାଡ଼ ଖାଇଥିବା ଛାତ୍ରମାନେ ଭୟ କରିବା ସ୍ୱାଭାବିକ। ବିଶ୍ୱବିଦ୍ୟାଳୟର ଜଣେ ଷ୍ଟାଫ ସିଧାସଳଖ ଛାତ୍ରମାନଙ୍କୁ କହିଲେ ଯେ, ସେମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ଯେତିକି ଖର୍ଚ୍ଚ କରୁଛି ତାହା ନେପାଳର ବଜେଟ୍ ଠାରୁ ଅଧିକ। ଯଦିଓ ଏହା ସମସ୍ତେ ଜାଣନ୍ତି ଯେ, ଏହି ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ଅତିକମରେ ୧୨ରୁ ୧୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟକୁ ପ୍ରଦାନ କରିଛନ୍ତି। ବାସ୍ତବିକ ଭାରତରେ ଅନ୍ୟ ଇଂଜିନିଅରିଂ କଲେଜଗୁଡ଼ିକ ଦୁର୍ଦ୍ଦଶା ଭିତରେ ଥିଲା ବେଳେ କିଟ୍ ବିଶ୍ୱବିଦ୍ୟାଳୟ ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିପୁଳ ପରିମାଣର ଲାଭ ପାଉଛି।
କିଟ୍ ବିଶ୍ୱବିଦ୍ୟାଳୟର ଆଚରଣକୁ ଦେଖିଲେ ଯେ କେହି କହିପାରିବ ଯେ, ଏହି ବିଶ୍ୱ ବିଦ୍ୟାଳୟ ସମସ୍ତ ଆଇନରୁ ଉର୍ଦ୍ଧ୍ୱରେ। ଆଶ୍ଚର୍ଯ୍ୟର କଥା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପାର୍ଲାମେଂଟର ସଦସ୍ୟ ହୋଇଛନ୍ତି। ରାଜ୍ୟ ଓ ବିଶ୍ୱ ବ୍ୟାପୀ ବହୁ ସମ୍ମାନ ଓ ଉପାଧି ମଧ୍ୟ ପାଇଛନ୍ତି। କିନ୍ତୁ ଏତେ ବଡ଼ ସଂକଟରେ ସଂପୃକ୍ତ ପ୍ରତିଷ୍ଠାତା କୌଣସି ଠାରେ ଆସି ସାଧାରଣରେ କ୍ଷମା ମାଗିନାହାନ୍ତି। ଏହି ଅନୁଷ୍ଠାନ ଗଢ଼ି ଉଠିଥିବା ଅଂଚଳରେ ସମସ୍ତ ପ୍ରକାର ଜମିକୁ କିପରି ଅନୁଷ୍ଠାନ ନିଜ ଦଖଲକୁ ନେବ ସେଥିପାଇଁ ବରାବର ବିଭିନ୍ନ ପ୍ରକାର ଉଦ୍ୟମ କରିଛି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏହି ସଂସ୍ଥା ପକ୍ଷରୁ ବିଭିନ୍ନ ପ୍ରକାର ଲାଂଚ ପ୍ରଣାଳୀର ଆଶ୍ରୟ ନିଆଯାଇଛି। ଯେପରିକି ରାଜ୍ୟର ପ୍ରଶାସନିକ ଓ ପୋଲିସ୍ ଅଧିକାରୀମାନଙ୍କର ସମ୍ପର୍କୀୟମାନଙ୍କୁ ବିଶ୍ୱବିଦ୍ୟାଳୟରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପ୍ରଦାନ କରିବା ବା ଅନ୍ୟ କୌଣସି ଲୋଭରେ ବଶବର୍ତ୍ତୀ କରିବା। ଏପରିକି ସେହି ଅଂଚଳରେ ଥିବା ଜଙ୍ଗଲ ଜମିକୁ ବେଆଇନ ଭାବରେ ଦଖଲ କରିବା ଓ ସାଧାରଣ ଲୋକମାନଙ୍କୁ ଗୁଣ୍ଡା ଲଗାଇ ଡରାଇ ସେମାନଙ୍କ ଜମି ହାତକୁ ନେବା କାର୍ଯ୍ୟ ଚାଲିଛି।
ଆଇନ ଅନୁସାରେ ଏହି ସଂସ୍ଥା ପରିଚାଳିତ ହେବା ପାଇଁ କୌଣସି ବ୍ୟବସ୍ଥା ନଥିବା ଜଣାପଡୁଛି। ଯେଉଁ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିଶନ୍ ଏବେ ସରକାରୀ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ଠାରୁ ଆରମ୍ଭ କରି ଅଧ୍ୟାପକ ଓ ଅନ୍ୟ ଅଧିକାରୀମାନଙ୍କ ନିଯୁକ୍ତି ପାଇଁ ଚିଠା ପ୍ରସ୍ତାବ ଜାରି କରି ସାରାଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଛନ୍ତି, ସେହି ସଂସ୍ଥା ଏହାଦ୍ୱାରା ପରିଚାଳିତ ଏକ ଡିମ୍ଡ ବିଶ୍ୱବିଦ୍ୟାଳୟ ବିଷୟରେ କି ପଦକ୍ଷେପ ନେଉଛନ୍ତି? କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏହି ବିଶ୍ୱବିଦ୍ୟାଳୟକୁ ଅନୁମୋଦନ କରିଥିବାରୁ ନେପାଳ ଛାତ୍ରମାନଙ୍କୁ ନେଇ ସୃଷ୍ଟି ହୋଇଥିବା ସଂକଟଜନକ ପରିସ୍ଥିତିରେ ଏହାର ପରିଚାଳନା ନେଇ ହସ୍ତକ୍ଷେପ କରିବା ନିହାତି ଜରୁରୀ। ବିଶ୍ୱବିଦ୍ୟାଳୟ ନାମଲେଖାରେ ଓ କୋର୍ସ ପ୍ରଣୟନରେ ନିଜର ସ୍ୱତନ୍ତ୍ରତା ରଖିଲେ ମଧ୍ୟ ଏହି ଫିସ୍ ଛାତ୍ରଛାତ୍ରୀମାନେ ହାସଲ କରୁଥିବା ଶିକ୍ଷା ଅନୁସାରେ ଯଥାର୍ଥ କି ନାହିଁ ତାହାକୁ କିଏ ଅନୁସନ୍ଧାନ କରିବ? ଆଶା କରାଯାଉଛି ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ସୃଷ୍ଟି ହୋଇଥିବା ସଂକଟ ଉପରେ ଅନୁସନ୍ଧାନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟି ସେହି ଅନୁଷ୍ଠାନ ସହିତ ପୋଲିସ୍ ଓ ସେଠାରେ ଚାଲିଥିବା ନିୟମକାନୁନ ବିଷୟରେ ନିଶ୍ଚିନ୍ତ ଅନୁସନ୍ଧାନ କରି ଏହି ସଂସ୍ଥାକୁ ଆଇନର ନିୟନ୍ତ୍ରଣକୁ ଆଣିବା ପାଇଁ ଉପଯୁକ୍ତ ସୁପାରିଶ କରିବେ।
ମୋ- ୮୦୧୮୦୯୪୪୫୫