/odisha-reporter/media/post_attachments/uploads/2020/08/biswo.jpg)
biswo
ବିଶ୍ୱବନ୍ଦିତା ସ୍ୱାଇଁ
ସାମ୍ବାଦିକତା କ'ଣ ବୋଲି ପ୍ରଶ୍ନ କରିବାରୁ ଥରେ ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ, ‘ସାମ୍ବାଦିକତା ହେଉଛି ଗୋଟେ ସେବା’।
ସେ ତାଙ୍କ ଜୀବନୀରେ ଉଲ୍ଲେଖ କରିଥିଲେ, ‘ସାମ୍ବାଦିକତାର ମୁଖ୍ୟ ଉଦ୍ଦେଶ୍ୟ ହେବାକଥା ଲୋକଙ୍କ ସେବା। ଖବର କାଗଜରେ ଗୋଟେ ମହାନ ଶକ୍ତି ରହିଛି। କିନ୍ତୁ ଯେମିତି ଏକ ଅତ୍ୟଧିକ ଜଳରାଶି ସମଗ୍ର ଅଞ୍ଚଳକୁ ବୁଡ଼ାଇ ଫସଲକୁ ନଷ୍ଟ କରିଦିଏ, ସେମିତି ଅନିୟନ୍ତ୍ରିତ କଲମ ମଧ୍ୟ ସେବା ଯୋଗାଏ, କିନ୍ତୁ ସବୁ ନଷ୍ଟ କରିବା ପାଇଁ। ନିୟନ୍ତ୍ରଣର ଅଭାବ ବେଳେବେଳେ ବିଷାକ୍ତ ପ୍ରମାଣିତ ହୋଇଯାଏ। ସେବା ସେତେବେଳେ ଲାଭଦାୟକ ରହିବ ଯେତେବେଳେ ତୁମେ ନିୟନ୍ତ୍ରଣର ଅଭ୍ୟାସ ରଖିବ’।
କିନ୍ତୁ ସାମ୍ପ୍ରତିକ ସମୟ ଦେଖିଲେ ସାମ୍ବାଦିକତା ଏକ ସେବା ନୁହେଁ ‘ଭ୍ରମ’ ପରି ଲାଗେ। ଗୋଟେ ଭ୍ରମ ଯେ ବଜାରୀକରଣ ପାଇଁ ଲୋକଙ୍କ ବିଶ୍ୱାସ ସହ ଖେଳୁଛି। ନିକଟରେ ମୋର ଜଣେ ଗୁରୁଙ୍କ ସହ କଥା ହେବା ସମୟରେ ସେ କହିଲେ, ସାମ୍ବାଦିକ ମାନେ ପ୍ରତିଦ୍ୱନ୍ଦିତା ଆଳରେ ନିଜର ମୂଲ୍ୟବୋଧ ହରାଉଛନ୍ତି। ମୁଁ ଥରେ ଚିନ୍ତା କଲି। ବିଗତ ଦିନରେ ଘଟିଥିବା କିଛି ଘଟଣା ମନକୁ ଆସିଲା। ଗତ ୨୭ତାରିଖ ଦିନ ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଲା। ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ସୋଶାଲ୍ ମିଡିଆ ସାଇଟ୍ରେ କୁମ୍ଭୀରଟି ରାସ୍ତାରେ ଜମିଥିବା ପାଣିରେ ଛଟପଟ ହେଉଥିବା ଦେଖିବାକୁ ମିଳିଲା। ଭିଡିଓରେ ଲୋକମାନେ ବେଶ୍ ଭୟଭୀତ ମଧ୍ୟ ଥିଲେ। ଏବେ ରାଜ୍ୟାରେ ବନ୍ୟା ପରିସ୍ଥିତି ଦେଖା ଦେଇଛି ତେଣୁ କମ୍ଭୀରଟି ନଦୀରୁ ଆସି ଗାଁ ଦାଣ୍ଡରେ ପହଞ୍ଚିଛି ବୋଲି ଖବର ପ୍ରକାଶ ପାଇଲା। କିନ୍ତୁ କିଛି ସମୟର ପରେ ଜଣା ପଡିଲା। ଉକ୍ତ ଭିଡିଓଟି ଯାଜପୁରର ନୁହେଁ। ଭିଡିଓଟି ୨୦୧୯ ମସିହା ଅଗଷ୍ଟ ୯ ତାରିଖରେ ୟୁଟ୍ୟୁବ୍ରେ ଅପ୍ଲୋଡ୍ କରାଯାଇଥିଲା। ପର ମୁହୁର୍ତ୍ତରେ ବନ ବିଭାଗ ଆସି ଭିଡିଓଟି ମିଛ ବୋଲି କହିଥିଲେ। ଭିଡିଓଟି ଅନ୍ୟ ରାଜ୍ୟର ବୋଲି ଯାଜପୁର ରୋଡ୍ ରେଞ୍ଜର ଦେବେନ୍ଦ୍ର ପଟ୍ଟନାୟକ ସ୍ପଷ୍ଟ କଲେ।
କିନ୍ତୁ ସବୁଠୁ ବଡ଼ କଥା ହେଉଛି କିଛି ଲୋକପ୍ରିୟ ଗଣମାଧ୍ୟମରେ ଏହି ଭିଡିଓଟିକୁ ଏକ୍ସକ୍ଲୁସିଭ୍ ଅଥବା ଫାର୍ଷ୍ଟ ଭିଡିଓ ୱାଟର୍ମାର୍କ ସହିତ ଚଲାଗଲା। ଗୋଟେ ଖବରର ତଥ୍ୟ ଯାଞ୍ଜ ନକରି ସମସ୍ତେ ତାକୁ ନିଜସ୍ୱ ହସ୍ତଗତ ପ୍ରଥମ ଖବର ବୋଲି ଦାବି କଲେ। ଭୁଲ୍ ଖବର ଲୋକଙ୍କ ସାମ୍ନାରେ ପରିବେଷଣ କରାଗଲା।
ଅନ୍ୟପଟେ 'ଆଜ୍ ତକ୍' ଚ୍ୟାନେଲ୍ରେ ରିଆ ଚକ୍ରବର୍ତ୍ତୀଙ୍କ ସାକ୍ଷାତକାର ପରର ଘଟଣା ଦେଖିବା। ରାଜଦୀପ ସରଦେଶାଇଙ୍କ ସାକ୍ଷାତକାର ପରେ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ଉକ୍ତ ଚ୍ୟାନେଲ୍ ଲୋକଙ୍କ ସହ ଧୋକା କରିଛି ବୋଲି କହିଥିଲେ। ଯେତେବେଳେ ସାରା ଭାରତ ରିଆଙ୍କୁ ଗିରଫ କରିବା ପାଇଁ ଦାବି କରୁଛି ସେତେବେଳେ ଗୋଟେ ସାକ୍ଷାତକାର ମାଧ୍ୟମରେ ଆଜ୍ତକ୍ ରିଆଙ୍କୁ ମହାନ୍ ହେବାର ମଞ୍ଚ ଦେଇଛି ଯେଉଁଥିପାଇଁ ଲୋକମାନେ ଏହି ଚ୍ୟାନେଲ୍କୁ କେବେ କ୍ଷମା କରିବେନି ବୋଲି କହିଥିଲେ।
ତେବେ ଏହି ଦୁଇଟି ଘଟଣା ପଛରେ ଦୁଇଟି କାରଣ ସାମ୍ନାକୁ ଆସେ। ସେଇଟା ହେଉଛି ପ୍ରତିଦ୍ୱନ୍ଦିତା ଏବଂ ଅସହିଷ୍ଣୁତା। ପ୍ରତିଦ୍ୱନ୍ଦିତା ଲାଭ ପାଇଁ। ଆଉ ଅସହିଷ୍ଣୁତା ସେହି ପ୍ରତିଦ୍ୱନ୍ଦିତାରେ ଆଗରେ ରହିବା ପାଇଁ।
ମିଡିଆ ଏବେ ସେବାର ମାଧ୍ୟମ ନୁହେଁ, ଏକ ଶିଳ୍ପ ପାଲଟିଗଲାଣି। ଯେଉଁଠି ତିଷ୍ଠି ରହିବା ପାଇଁ ସାମ୍ବାଦିକଙ୍କ ମନରେ ବଜାରମୁଖୀ ମନୋଭାବ ଗଢିଉଠିଲାଣି। ଏବେ ପ୍ରାୟତଃ ଖବର ନୁହେଁ, ଆଗ ବିକ୍ରି କରିବାର ମାନସିକତା ଜନ୍ମ ନେଇଛି। ଥରେ ଆମେରିକୀୟ ସାମ୍ୱାଦିକା ଏଲେନ୍ ଗୁଡ୍ମାନ୍ କହିଥିଲେ, 'In journalism, there has always been a tension between getting it first and getting it right'। ଅର୍ଥାତ୍, 'ସାମ୍ବାଦିକତାରେ ସବୁବେଳେ ପ୍ରଥମେ ପାଇବା ଏବଂ ସଠିକ୍ ପାଇବା ମଧ୍ୟରେ ଏକ ଚିନ୍ତା ଲାଗିରହେ'।
ଆଉ ସେହି ଚିନ୍ତାକୁ ମାତ୍ଦେଇ ଆମକୁ ସଠିକ୍କୁ ପ୍ରଥମେ ଆପଣେଇବାକୁ ପଡ଼ିବ। କିନ୍ତୁ ବିଗତ ଦିନ ମାନଙ୍କର ଏହାର ବିପରୀତ ଧାରା ଦେଖିବାକୁ ମିଳିଛି। ଗଣମାଧ୍ୟମ ଦ୍ୱାରା କିଛି ତଥ୍ୟ ସାଧାରଣ ଲୋକଙ୍କୁ ବିପଧଗାମୀ କରିବାକୁ ବାଧ୍ୟ କରୁଛି। ଏହା ଦ୍ୱାରା କ୍ଷତି କ'ଣ ହେଉଛି ଜାଣନ୍ତି?
ସବୁଠୁ ବଡ଼ କ୍ଷତି ପାଲଟିଛି, ‘ହରେଇଦେଉଥିବା ବିଶ୍ୱାସ’। କାରଣ ଗୋଟେ ଗଣ ମାଧ୍ୟମ ପାଇଁ ସବୁଠୁ ବଡ ଦଣ୍ଡ ବା ଅଭିଶାପ ହେଇଛି। ଲୋକମାନଙ୍କ ପାଖରୁ ହରେଇଦେଉଥିବା ଆସ୍ଥା ଏବଂ ବିଶ୍ୱାସ। ଆଉ ଲୋକଙ୍କ ବିଶ୍ୱାସ ବିନା କେଉଁଠି ନା କେଉଁଠି ଗଣମାଧ୍ୟମ ମଧ୍ୟ ଗୁରୁତ୍ୱ ହରାଇବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
