Advertisment

ଜଗତସିଂହପୁର କ’ଣ ଅଜାତ କନ୍ୟାଙ୍କ ସମାଧିସ୍ଥଳ?

ଆମେ ଛୋଟ ସମୟରୁ ମହିଳାମାନଙ୍କ ଅଧିକାରକୁ ନେଇ ସଦା ସର୍ବଦା ସ୍ଵର ଉତ୍ତୋଳନ କରିଆସୁଥିବା ମହୀୟସୀ ମହିଳା ସରଳା ଦେବୀ, ରମା ଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ଚୌଧୁରୀ, ପ୍ରତିଭା ରାୟ, ଜ୍ୟୋତିର୍ମୟୀ ଦାଶଙ୍କ ନାମ ସହ ବଡ଼ ହୋଇଛୁ।

foeticide

Foeticide Photograph: (Internet)

Advertisment

ଶୁଭଶ୍ରୀ ପରିଡ଼ା 

ଓଡ଼ିଶାର ଶିକ୍ଷା ସମୃଦ୍ଧ ଜିଲ୍ଲା ଜଗତସିଂହପୁର। ପ୍ରାଚୀନ ଓଡ଼ିଆ ସଭ୍ୟତାର ଏନ୍ତୁଡ଼ିଶାଳ ଭାବେ ଜଣାଯାଉଥିବା ଜଗତସିଂହପୁରରେ ଜନ୍ମିତ ଅନେକ ବ୍ୟକ୍ତି ନିଜର କଳା କାରିଗରୀ ଦ୍ଵାରା ନିଜ ମାଟି ପାଇଁ ଗୌରବ ଆଣିଛନ୍ତି। କିଏ ନିଜ ସାହସିକତାର ପ୍ରମାଣ ଦେଇଛନ୍ତି ତ କିଏ ସାହିତ୍ୟ କ୍ଷେତ୍ରରେ ଆଣିପାରିଛନ୍ତି ଯୁଗାନ୍ତକାରୀ ପରିବର୍ତ୍ତନ। ପାରାଦୀପ ବନ୍ଦରର ଗର୍ଜନରୁ ଆରମ୍ଭ କରି ସାରଳା ପୀଠର ଦେବୀମୟ ଶାନ୍ତ ପରିବେଶ ପର୍ଯ୍ୟନ୍ତ, ଜଗତସିଂହପୁର ପାଲଟିଛି ପ୍ରକୃତି, ସଂସ୍କୃତି ଓ ଶିଳ୍ପର ଅଦ୍ଭୁତ ସମନ୍ୱୟ। ଯେଉଁଠି ପ୍ରକୃତି କଥା କହେ, ସାହିତ୍ୟ ଗୀତ ଗାଏ ଆଉ ରଥୀ ମହାରଥୀଙ୍କ ଲିଖନୀ ମୁନରେ ବିପ୍ଲବର ଧାର ଶୋଭାପାଏ। 

Advertisment

ଆମେ ଛୋଟ ସମୟରୁ ମହିଳାମାନଙ୍କ ଅଧିକାରକୁ ନେଇ ସଦା ସର୍ବଦା ସ୍ଵର ଉତ୍ତୋଳନ କରିଆସୁଥିବା ମହୀୟସୀ ମହିଳା ସରଳା ଦେବୀ, ରମା ଦେବୀ, ମାଳତୀ ଚୌଧୁରୀ, ଅନ୍ନପୂର୍ଣ୍ଣା ଚୌଧୁରୀ, ପ୍ରତିଭା ରାୟ, ଜ୍ୟୋତିର୍ମୟୀ ଦାଶଙ୍କ ନାମ ସହ ବଡ଼ ହୋଇଛୁ। ସେମାନଙ୍କର ସାହସିକତା ଆମ ଜନ୍ମଭୂମି, କର୍ମଭୂମି ଏବଂ ଇତିହାସର ପ୍ରତିଟି ପୃଷ୍ଠାରୁ ବାରି ହୋଇପଡ଼େ। 

କିନ୍ତୁ, ଗତ କିଛି ଦିନ ତଳେ ଖବର କାଗଜର ଜଗତସିଂହପୁର ପୃଷ୍ଠାରେ ଆସିଥିବା ମହିଳାମାନଙ୍କୁ ନେଇ ଏକ ଖବର ମତେ ଖୁବ୍ ବିଚଳିତ କରିଥିଲା। ଜଗତସିଂପୁରକୁ ନେଇ ମନରେ ଥିବା ଗର୍ବ ସତେ ଯେପରି ପାଣି ଫାଟିଗଲା ପରି ଲାଗିଲା। ଯେଉଁଠାରୁ ଦିନେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ବେଶ୍ ସଫଳତା ହାସଲ କରୁଥିଲେ, ଆଜି ସେଠି ସେ ସଫଳତାର ସ୍ତର ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। ପ୍ରକାଶିତ ଖବର ଅନୁଯାୟୀ ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ଅନୁପାତ ହ୍ରାସ ପାଇ ୮୬୨ରେ ପହଁଚିଛି। ଯାହା ଜାତୀୟ ଏବଂ ରାଜ୍ୟ ହାର ଠାରୁ ମଧ୍ୟ କମ୍ ରହିଥିବାର ଜଣାପଡ଼ିଛି। ଶିକ୍ଷା ଦିଗରେ ଅଗ୍ରସର ଜିଲ୍ଲା ଜଗତସିଂପୁରରେ ଶିକ୍ଷା ହାର ବୃଦ୍ଧି ପାଉଥିବା ବେଳେ ଲିଙ୍ଗ ଅନୁପାତରେ ଅସମାନତା ଖବର ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଦେଶରେ ଏକ ହଜାର ପୁରୁଷଙ୍କ ଅନୁପାତରେ ୯୨୯ କନ୍ୟା ଜନ୍ମ ହେଉଥିବା ବେଳେ ରାଜ୍ୟରେ ଏହି ଅନୁପାତ ୮୯୪ ରହିଛି। କିନ୍ତୁ ଜଗତସିଂପୁରର କନ୍ୟା ସନ୍ତାନ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଯାହା ଏକ ବଡ଼ ଚିନ୍ତାର ବିଷୟ କହିବା ଭୁଲ ହେବ ନାହିଁ। 

Advertisment

ପିସିପିଏନଡ଼ିଟି ଆଇନ ଅନୁଯାୟୀ ଗର୍ଭବତୀ ସମୟରେ ଲିଙ୍ଗ ନିରୂପଣ କରିବା ସମ୍ପୂର୍ଣ୍ଣ ବେଆଇନ ଥିବା ସତ୍ତ୍ୱେ ଏପରି ଘଟଣା ଏକ ଚିନ୍ତାର ବିଷୟ ପାଲଟିଛି। ତଥ୍ୟ ଅନୁଯାୟୀ ପ୍ରାୟ ବର୍ଷକ ତଳେ ଜିଲ୍ଲା ସମୀକ୍ଷା ବୈଠକରେ ଲିଙ୍ଗ ଅନୁପାତକୁ ନେଇ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିବା ସହ ବେଆଇନ ଭାବେ ଚାଲିଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକରେ ତାଲା ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ନେଇ କୌଣସି ଦୃଢ଼ ପଦକ୍ଷେପ ନିଆଯିବାର ପରିଲକ୍ଷିତ ହେଉନାହିଁ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ସ୍ଵାସ୍ଥ୍ୟ ବିଭାଗ ହାଲୁକାରେ ନେଇଥିବାର ମନେହେଉଛି। ତେଣୁ ବର୍ତ୍ତମାନ କନ୍ୟା ସନ୍ତାନଙ୍କ ସୁରକ୍ଷା ଦିଗରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏବେ ଏହି ସମସ୍ୟାର ସମାଧାନ ନେଇ ପ୍ରଶ୍ନ ଉଠୁଛି। ଓଡ଼ିଶାର ଶିକ୍ଷିତ ଜିଲ୍ଲା ଭାବେ ବିବେଚିତ ହେଉଥିବା ଜଗତସିଂପୁର ଜିଲ୍ଲାରେ ଏପରି ଏକ ସ୍ଥିତି ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ପାଠ ପଢ଼ା କ୍ଷେତ୍ରରେ ଅଗ୍ରଣୀ ଜିଲ୍ଲା ଭାବେ ମହିଳାଙ୍କୁ ପ୍ରୋତ୍ସାହନ ଦେଉଥିବା ଜଗତସିଂହପୁର ଆଜି ଲିଙ୍ଗଗତ ଅସମାନତା ଯୋଗୁଁ ଖବର ପାଲଟିଛି। ମହିଳାଙ୍କ ସଫଳତା ପୃଷ୍ଠାକୁ ଭେଦି ଆଜି କନ୍ୟା ସନ୍ତାନ ମୃତ୍ୟୁ, ଲିଙ୍ଗଗତ ଅସମାନତା ଆଦି ଖବର ପ୍ରକାଶ ପାଉଛି। 

ପୂର୍ବରୁ ଘରର ଚାରି କାନ୍ଥ ମଧ୍ୟରେ ରହୁଥିବା ମହିଳା ସମାୟାନୁକ୍ରମେ ଖୋଲା ଆକାଶରେ ଉଡ଼ିବାଠାରୁ ପାଣିରେ ବୁଡ଼ିବା ପର୍ଯ୍ୟନ୍ତ ସବୁଥିରେ ନିଜର ପାରଦର୍ଶିତା ପ୍ରତିପାଦନ କରି ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପୁରୁଷକୈନ୍ଦ୍ରିକ ସମାଜରେ ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଆଗକୁ ବଢିଚାଲିଛନ୍ତି। ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବା ସହ ଅନେକଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ। କେତେବେଳେ କିଟିମିଟି ଅନ୍ଧାର ଭରା ଜଙ୍ଗଲୀ ଗାଁରୁ ସଫଳତାର ଝଲକ୍ ଦେଖିବାକୁ ମିଳୁଛି ତ ପୁଣି କେତେବେଳେ ଦେଶର କୋଣ ଅନୁକୋଣରୁ ଛୁଟୁଛି ପ୍ରଶଂସାର ସୁଅ। ଶିକ୍ଷା, ବାଣିଜ୍ୟ-ବ୍ୟବସାୟ, କଳା ସାହିତ୍ୟ ଆଦି ପ୍ରତିଟି କ୍ଷେତ୍ରରେ ସ୍ଵତନ୍ତ୍ରତା ପ୍ରତିପାଦନ କରିପାରୁଛନ୍ତି। କଥାରେ ଅଛି ‘ମହିଳାଙ୍କ କ୍ଷେତ୍ରରେ ପରିବର୍ତ୍ତନ, ପ୍ରଗତିର ପଥେ ନୂଆ ଉଡ଼ାଣ’। ଆଧୁନିକତାର ତାଳେ ତାଳେ ମହିଳାଙ୍କ କ୍ଷେତ୍ରରେ ପରିବର୍ତ୍ତନ ଆସିଛି ସତ, କିନ୍ତୁ ପୂର୍ବପରି କେଉଁଠି ନା କେଉଁଠି ଆଜି ବି ସେହି ଚିନ୍ତାଧାରା ଜୀବନ୍ତ ରହିଛି। କନ୍ୟା ସନ୍ତାନକୁ ଆପଣେଇବା  ପୂର୍ବରୁ ସେମାନଙ୍କ ଆଖି ବୁଜିଦିଆଯାଉଛି। ତେବେ ଏହା କି ପ୍ରକାର ପରିବର୍ତ୍ତନ? କୁହାଯାଏ ଯେ ଶିକ୍ଷା ହିଁ ପ୍ରଗତିର ଚାବିକାଠି। ଜଣେ ଶିକ୍ଷିତ କଦାପି ଭୁଲ କରିପାରିବ ନାହିଁ। ଯେଉଁ ଜିଲ୍ଲା କିମ୍ବା ରାଜ୍ୟ ଯେତେ ଶିକ୍ଷା କ୍ଷେତ୍ରରେ ଅଗ୍ରଣୀ ସେଠାରେ ଅଘଟଣର ହାର ଖୁବ୍ କମ୍। କିନ୍ତୁ ଓଡ଼ିଶାର ଶିକ୍ଷିତ ରାଜ୍ୟଭାବେ ପ୍ରଥମ ସ୍ଥାନରେ ପରିଗଣିତ ହେଉଥିବା ଜଗତସିଂପୁରଠାରେ ଏଭଳି ସ୍ଥିତି କାହିଁକି? ଏଠାରେ ଶିକ୍ଷାର ଅଭାବ ନା ସୁସ୍ଥ ମାନସିକତାର?  

ଆଜି କେଉଁଠି ନା କେଉଁଠି ସମାଜ ଆମକୁ ଏକ ଭ୍ରମ ମଧ୍ୟରେ ରଖିଛି ଯେ ପୁଅଟିଏ ହେଉଛି ‘ସମ୍ପତି’ ଆଉ ଝିଅଟିଏ ହେଉଛି ‘ଦାୟିତ୍ଵ’। ଏହି ଧାରଣା ସ୍ଵାଧୀନତା ସଂଗ୍ରାମ ସମୟରେ ଦେଖାଦେଇଥିଲା, ଆଧୁନିକତାରେ ମଧ୍ୟ ଦେଖାଦେଉଛି ଏବଂ ସାରଳା ଦେବୀ ଏବଂ ପ୍ରତିଭା ରାୟଙ୍କ ଲିଖନୀରେ ମଧ୍ୟ ସ୍ଥାନ ପାଇଥିଲା। ସେହିପରି ଆଜି ଜଗତସିଂହପୁର ପୃଷ୍ଠାରେ ମଧ୍ୟ ଏହି ଲୋକକଥା ବାରି ହୋଇପଡୁଛି। ଆଜି ବିଶ୍ଵସ୍ତରୀୟ ଅନେକ ଫୋରମରେ ଲିଙ୍ଗଗତ ସମାନତାକୁ ନେଇ ତର୍କ ବିତର୍କ ଏବଂ ସଚେତନତାମୂଳକ  କାର୍ଯ୍ୟକ୍ରମ ଚାଲିଥିବା ସତ୍ତ୍ୱେ ଲୋକମାନେ କନ୍ୟା ସନ୍ତାନକୁ ଆପଣେଇବା ପାଇଁ ଆଜି ବି କୁଣ୍ଠାବୋଧ ପ୍ରକାଶ କରୁଛନ୍ତି। ଅନେକ ପ୍ରଥମେ ପୁଅଟିଏ ଆଶାରେ ପରିବାର ନିୟନ୍ତ୍ରଣ ଯୋଜନା କରିବାକୁ ଭୁଲି ଯାଉଛନ୍ତି। ପୁଅ ପରେ ଝିଅ ହେଲେ ତାହା ଗ୍ରହଣୀୟ, କିନ୍ତୁ ପ୍ରଥମେ ଝିଅକୁ ସ୍ଵୀକାର କରିବା ପୂର୍ବରୁ ତାକୁ ନଷ୍ଟ କରିଦିଆଯାଉଛି। ଆଉ ସବୁଠାରୁ ମୁଖ୍ୟ କଥା ହେଉଛି ଯେ ଆମେ ଅନେକ ଦେବୀଙ୍କୁ ପୂଜା ଅର୍ଚ୍ଚନା କରୁଛେ, କିନ୍ତୁ ଝିଅଙ୍କୁ ଦୁନିଆକୁ ଆଣିବାକୁ ଭୟ କରୁଛେ, ଆଉ ଦେବୀଙ୍କୁ ପ୍ରଥମେ ପୁଅ ହେବା ନେଇ ପ୍ରାର୍ଥନା ସହ ଓଷା ବାର ବ୍ରତ କରୁଛେ। ଏହି ପ୍ରକାର ରୀତିନୀତିକୁ ବୁଝିବା ଖୁବ୍ କଷ୍ଟ କିନ୍ତୁ ଏହାହିଁ ସତ୍ୟ ଏବଂ ଚିରାଚରିତ। 

ଗୋଟିଏ ଜିଲ୍ଲାରେ ପ୍ରଗତି ପଥରେ ଏଭଳି ପ୍ରତିବନ୍ଧକ ସୃଷ୍ଟି ହୋଇଛି କାହିଁକି? ଜଗତସିଂହପୁର ଦ୍ରୁତ ସାମାଜିକ ପରିବର୍ତ୍ତନ, ବନ୍ଦର ନଗରୀ ପାରାଦୀପର ଦ୍ରୁତ ବିକାଶ, ଶିଳ୍ପନୁଷ୍ଠାନ ବୃଦ୍ଧି, ନୂତନ ଆୟ, ନୂଆ ଅଭିଳାଷର ଏକ ଗନ୍ତାଘର ପାଲଟିଛି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ଏତେ କୁଚିନ୍ତାଧାରା କେଉଁଥି ପାଇଁ? ଆମ କହିବା ଅନୁଯାୟୀ  ଆମକୁ ପରିବର୍ତ୍ତନ ଦରକାର, ଆଧୁନିକ ସହ ତାଳ ମିଳାଇ ଆଗକୁ ବଢିବା ଜରୁରୀ, କିନ୍ତୁ ସେ ଚିନ୍ତାଧାରାର କ’ଣ? ଯାହା ଆଜି ବି ପରିବର୍ତ୍ତନର ଧାରାରେ ଆଗକୁ ବଢିପାରୁନାହିଁ, ବର୍ଷ ପରେ ବର୍ଷ ବିତି ଚାଲିଲେ ମଧ୍ୟ ସେ ଚିନ୍ତାଧାରା ଆଧୁନିକତାର ବାସ୍ତବତାକୁ ଜାଣିପାରୁନାହିଁ। ସମାଜରେ ଝିଅମାନଙ୍କ ପ୍ରତି ହେଉଥିବା ଅପରାଧର ଭାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସେଥିରେ ମଧ୍ୟ କେତେକ ସ୍ଥାନରେ ନାରୀମାନଙ୍କ ଉପରକୁ ଆଙ୍ଗୁଠି ଉଠାଇ ‘ଝିଅ ଜନ୍ମ ହେବା ପାପ’ ବୋଲି କୁହାଯାଉଛି। ଝିଅକୁ ପଢ଼ାଇବାଠାରୁ ଆରମ୍ଭ କରି ସେମାନଙ୍କ ବିବାହରେ ହେଉଥିବା ଖର୍ଚ୍ଚ ପାଇଁ ମଧ୍ୟ ସେମାନଙ୍କ ଉପରେ ଦୋଷର ଭାର ଲଦି ଦିଆଯାଉଛି। ବିବାହ ପାଇଁ ଝିଅଟିଏ ଦରକାର, କିନ୍ତୁ ଝିଅ ଜନ୍ମ କରିବାରେ ଅନିଛାବୋଧ ପ୍ରକାଶ ହେଉଛି।

ଯଦି ସାକ୍ଷରତା ଯଥେଷ୍ଟ ଥାଆନ୍ତା, ତେବେ ଦଶନ୍ଧି ପୂର୍ବରୁ ପଞ୍ଜାବ ଏବଂ ହରିୟାଣାରେ ଲିଙ୍ଗଗତ ସମାନତା ପରିଲକ୍ଷିତ ହୋଇଥାନ୍ତା। ସେମାନଙ୍କ ପାଖରେ ଅର୍ଥ ଓ ଶିକ୍ଷା ଉଭୟ ଥିଲା, କିନ୍ତୁ ସେମାନଙ୍କର ଲିଙ୍ଗ ଅନୁପାତ ଏକଦା ଦେଶରେ ସବୁଠାରୁ ଖରାପ ସ୍ଥିତିରେ ଥିଲା। କାହିଁକି? କାରଣ ଥିଲା ସେମାନଙ୍କର  ମାନସିକତା। ବର୍ତ୍ତମାନ ଜଗତସିଂହପୁର ମଧ୍ୟ ସମାନ ସ୍ଥିତି ଦେଇ ଗତି କରୁଛି କହିଲେ ତାହା ଭୁଲ ହେବ ନାହିଁ। କିନ୍ତୁ କଥାରେ ଅଛି ‘ଆଗୁଆ ସତର୍କତା ହିଁ ଆମକୁ ବିପଦରୁ ରକ୍ଷା କରିପାରିବ’। ସେହିପରି ଯଦି ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆନଯାଏ ତେବେ ଭବିଷ୍ୟତରେ ହୁଏତ କେବଳ ବାଳକ ବିଦ୍ୟାଳୟ ଖୋଲାଯିବ, ବିବାହ ପ୍ରଥାରେ ସମସ୍ୟା ଉପୁଜିବ, ସମାଜ ଅଧିକ ଆକ୍ରମଣାତ୍ମକ ହେବ। ଆଜି କେବଳ ଜଗତସିଂହପୁର ନୁହେଁ ବରଂ ଭାରତର ଅନେକ ଅଞ୍ଚଳ ଏହି ସଙ୍କଟ ଦେଇ ଗତି କରୁଛି, କିନ୍ତୁ ଖବର ପ୍ରକାଶିତ ହେବା ମାତ୍ରେ ତାହା ଲୋକଲୋଚନକୁ ଆସିପାରୁଛି। 

ତେଣୁ ଆମେ ଜଗତସିଂହପୁରକୁ କେଉଁ ଜିଲ୍ଲା ଭାବେ ମନେ ରଖିବାକୁ ଚାହୁଁଛେ ତାହା ସମ୍ପୂର୍ଣ୍ଣ ଭାବେ ଆମ ଉପରେ ନିର୍ଭର କରୁଛି। ଆମ ମହୀୟସୀ ମହିଳାଙ୍କ ଜନ୍ମସ୍ଥାନ? ନା ଅଜାତ ଶିଶୁ କନ୍ୟାମାନଙ୍କର ସମାଧିସ୍ଥଳ? ମହିଳାଙ୍କ ଅଧିକାର ପାଇଁ ବିଭିନ୍ନ ସ୍ତରରେ ଆନ୍ଦୋଳନ ଚାଲିଥିବା ବେଳେ ସେମାନଙ୍କୁ ବଞ୍ଚିବାର ଅଧିକାର ନ ମିଳିବା ତାହା କେତେ ଦୂର ଠିକ୍? ପ୍ରକୃତ ପରିବର୍ତ୍ତନ ସେତେବେଳେ ହେବେ ଯେତେବେଳେ ପ୍ରତିଟି ସରକାରୀ କାର୍ୟ୍ୟାଳୟରେ ଝିଅମାନଙ୍କ ସୁରକ୍ଷା ଏବଂ ସେମାନଙ୍କ ଅଧିକାରକୁ ନେଇ ଆଲୋଚନା ହେବ, ଯେତେବେଳେ ଜଣେ ଭଗବାନ ରୂପୀ ଡାକ୍ତର ଲିଙ୍ଗ ସମ୍ପର୍କିତ ବିବରଣୀ ସମ୍ପର୍କରେ ସଚେତନ କରାଇବେ, ଯେତେବେଳେ ଜଣେ ବାପା ତାଙ୍କ ଝିଅକୁ ଉତ୍ତରାଧିକାରୀ ଭାବେ ଦେଖିବେ। ତେଣୁ ମାନସିକତାର ପରିବର୍ତ୍ତନ ହିଁ ଏ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ। 

ଜଗତସିଂହପୁର

Odisha Jagatsinghpur Jagatsinghpur News Jagatsinghpur district administration
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe