ନୂପୁର ଦେଶ ପାଇଁ ସରମ କି?

ଜାନକୀଶ  ବଡ଼ପଣ୍ଡା

ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧରେ ଦିଲ୍ଲୀ ପୁଲିସ ପକ୍ଷରୁ ଧାରା ୪୧(ଏ) ସିଆରପିସି ଅଧୀନରେ ତଦନ୍ତ ଜାରି ରହିଥଲେ ବି ସୁପ୍ରିମକୋର୍ଟ କଡ଼ା ଭର୍ତ୍ସନା କରିବା ପରେ ସାମାଜିକ ଗଣମାଧ୍ୟମରେ ଅନେକ ଢଙ୍ଗରେ ଆଲୋଚନା ଦେଖିବାକୁ ମିଳୁଛି। ନୂପୁର ଶର୍ମାଙ୍କ ବିରୋଧରେ ଦେଶ ବ୍ୟାପି ବିଭିନ୍ନ ସ୍ଥାନରେ ଏତଲା ରୁଜୁ ହୋଇଥିବାରୁ ସେ ସବୁକୁ ଏକତ୍ର ଦିଲ୍ଲୀରେ ଶୁଣାଣି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେବାକୁ ସେ ପ୍ରାର୍ଥନା କରିଥିଲେ। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଏପରି କରିଥିଲେ। କିନ୍ତୁ, ତାଙ୍କ ଉପରେ ପ୍ରବଳ ବର୍ଷିଥିଲେ ସୁପ୍ରିମ କୋର୍ଟ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜେବି ପରଦିୱାଲାଙ୍କ ଖଣ୍ଡପୀଠI କହିଥିଲେ ଯେ, ନୂପୁରଙ୍କ ବୟାନ ସମଗ୍ର ଦେଶରେ ନିଆଁ ଲଗାଇଦେଇଛି। ସେ ଟିଭିରେ ଦେଇଥିବା ଦାୟିତ୍ୱହୀନ ମନ୍ତବ୍ୟ ଓ ଟିପ୍ପଣୀ ପାଇଁ ସମଗ୍ର ଦେଶରେ ଉତ୍ତେଜନା ଲାଗିରହିଛି, ଉଦୟପୁର ହତ୍ୟା ହୋଇଛି; ଯେଉଁଥିପାଇଁ କେବଳ ନୂପୁର ହିଁ ଦାୟୀ। ସେଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିବା ଉଚିତ୍‌।

ଏକ ଟେଲିଭିଜନ ଆଲୋଚନା କାଳରେ ଜନ୍ମ ନେଇଥିଲା ନୂପୁର ଶର୍ମାଙ୍କ ଏହି  ବିବାଦୀୟ ମତ ଓ ମନ୍ତବ୍ୟ। ସେ ସେତେବେଳେ ବିଜେପିର ଜାତୀୟ ପ୍ରବକ୍ତା ଥିବାରୁ ତାଙ୍କ ମୁଖନିଃସୃତ ପ୍ରତିଟି ଶବ୍ଦ ଗୁରୁତ୍ୱ ବହନ କରୁଥିଲେ ହେଁ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଶ ଭିତରେ ଓ ବିଦେଶରେ ଅସ୍ଥିରତା ଓ ଉଦବେଗର କାରଣ ପାଲଟି ଗଲା। ଭାରତ ସରକାର ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେଲେ ଓ ନୂପୁରଙ୍କ ମତ ସରକାରୀ ଆଭିମୁଖ୍ୟ ନୁହେଁ ବୋଲି ଯେତେ କହିଲେ ବି ଭାରତ ସରକାରଙ୍କ ଭାବମୂର୍ତ୍ତୀ ଅନେକ ମାତ୍ରାରେ କ୍ଷୁର୍ଣ୍ଣ ହେଲା। ନୂପୁରଙ୍କ ମତ ସହ କୌଣସି ସମ୍ପର୍କ ନାହିଁ ବୋଲି ସରକାରଙ୍କୁ କହିବାକୁ ପଡ଼ିଲା। ବିଜେପି ତୁରନ୍ତ ଦଳୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ୱିତ କରିବା ସହ ପ୍ରଫେଟଙ୍କ ସମ୍ପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଦିଲ୍ଲୀ ମିଡିଆ ସେଲର ମୁଖ୍ୟ ନବୀନ ଜିନ୍ଦଲଙ୍କୁ ମଧ୍ୟ ଦଳରୁ ନିଷ୍କାସିତ କରିଦେଲା। ସରକାର ଓ ବିଜେପି ପକ୍ଷରୁ ଏପରି ତତକ୍ଷଣାତ କାର୍ୟ୍ୟାନୁଷ୍ଠାନ ଅନେକ ହିନ୍ଦୁଙ୍କୁ ବିକ୍ଷୁବ୍ଧ କରିଥିଲେ ବି ଦେଶର ସ୍ୱାର୍ଥ ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇ ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ନବଢ଼ିବାକୁ ପ୍ରଯତ୍ନ କରାଯିବା ସହ ବିଶ୍ଵର ଇସଲାମୀୟ ରାଷ୍ଟ୍ରଙ୍କୁ ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ ନକରିବାକୁ ବାର୍ତ୍ତା ଦିଆଯାଇଛି।

ଅନେକ ସମୟରେ ଗଣମାଧ୍ୟମ ଆଗରେ ବିଭିନ୍ନ ଦଳର ପ୍ରବକ୍ତାଙ୍କୁ ମତ ରଖିବାକୁ ପଡ଼େ। ଯଦି ସେମାନଙ୍କ ମତ ଓ ମନ୍ତବ୍ୟ ଦଳର ସ୍ୱାର୍ଥ ପରିପନ୍ଥୀ ହେଉଥିବାର ଲକ୍ଷ୍ୟ କରାଯାଏ, କୁହାଯାଏ ଯେ ଏହା ପ୍ରବକ୍ତାଙ୍କର ବ୍ୟକ୍ତିଗତ ମନ୍ତବ୍ୟ, ଦଳର ନୁହେଁ। କିନ୍ତୁ ନୂପୁରଙ୍କ ପରି କୌଣସି ଶାସକ ଦଳର ରାଷ୍ଟ୍ରୀୟ ପ୍ରବକ୍ତାଙ୍କ ଏକ ସ୍ପର୍ଶକାତର ମନ୍ତବ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରିବା କିଛି ଛୋଟ ଘଟଣା ନୁହେଁ। ଗତ ମେ ମାସ ୨୭ ତାରିଖ ସନ୍ଧ୍ୟାରେ ଏକ ଟେଲିଭିଜନ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ନୂପୁର ଶର୍ମାଙ୍କ ଟିପ୍ପଣୀକୁ କିଛିଲୋକ ଆପତ୍ତିଜନକ ମନେକଲା ପରେ ତାଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଲାଗି ଦେଶ ଭିତରେ ଦାବି ଉଠିଥିଲା। କିନ୍ତୁ ଉପସାଗରୀୟ ଅଞ୍ଚଳର ଇସଲାମୀୟ ଦେଶମାନଙ୍କରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଲା। ଏହା ଏତେ ତୀବ୍ର ହେଲା ଯେ କାତାର ଗସ୍ତରେ ଯାଇଥିବା ଭାରତୀୟ ଉପରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆୟୋଜିତ ଭୋଜି ଓ ଗଣମାଧ୍ୟମ ସହ ସାକ୍ଷାତକାରକୁ  ଭାରତ ସରକାର ନିଜଆଡୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ସେଠାକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ କାତାର ବିଦେଶ ମନ୍ତ୍ରଣାଳୟ ସମନ କଲେ। ଏଥି ସହିତ କୁଏତ୍, ଇରାନ ଓ ପାକିସ୍ତାନରେ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ସେସବୁ ଦେଶର ସରକାର ମଧ୍ୟ ସମନ କଲେ। ମଧ୍ୟପ୍ରାଚ୍ୟରେ ଭାରତୀୟ ଦ୍ରବ୍ୟକୁ ବହିଷ୍କାର କରିବାକୁ ଓମାନର ମୁଖ୍ୟ ମୁଫତି ଡାକରା ଦେଲେ। ଫଳସ୍ୱରୂପ ସାଉଦି ଆରବ, ଓମାନ, କାତାର, କୁଏତ୍, ବାହାରିନ ଆଦି ଦେଶର ଦୋକାନଗୁଡିକରୁ ଭାରତୀୟ ଦ୍ରବ୍ୟଗୁଡ଼ିକ ଅପସାରିତ ହୋଇଗଲା। ପରିସ୍ଥିତିର ଗମ୍ଭୀରତାକୁ ଆକଳନ କରି ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ଭାରତ ସରକାର ଓ ବିଜେପି ଦଳ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ। ଏପରି ହେଲା ଯେ, ପରେ ପରେ ୫୭ ସଦସ୍ୟ ବିଶିଷ୍ଟ ‘ଇସଲାମୀୟ ରାଷ୍ଟ୍ର ସଙ୍ଗଠନ’ ତରଫରୁ ଭାରତ ବିରୁଦ୍ଧରେ ନିନ୍ଦା ପ୍ରସ୍ତାବ ଆସିଲା ଏବଂ ଭାରତକୁ ତାହାର ବିରୋଧ କରିବାକୁ ପଡ଼ିଲା। ଏହି ଦେଶଗୁଡ଼ିକ ସହ ସୁସମ୍ପର୍କ ବଜାୟ ରଖିବା ଭାରତ ପାଇଁ ଏକ ପ୍ରକାର ବାଧ୍ୟବାଧକତା ଥିବାରୁ ଭାରତକୁ ନିଜର କୂଟନୈତିକ କଳା କୌଶଳ ପ୍ରୟୋଗ କରି ଆତ୍ମରକ୍ଷା କରିବାକୁ ପଡ଼ିଲା।

ଉଭୟ ଅର୍ଥନୈତିକ ଓ କୂଟନୈତିକ କାରଣରୁ ଭାରତ ପାଇଁ ସାଉଦି ଆରବ, ୟୁଏଇ, କାତାର, ଓମାନ, କୁଏତ୍ ଓ ବାହାରିନ ଭଳି ମଧ୍ୟପ୍ରାଚ୍ୟର ୬ଟି ଇସଲାମୀୟ ଦେଶଙ୍କୁ ନେଇ ଗଠିତ ଉପସାଗରୀୟ ସହଯୋଗ ସମିତି (ଜିସିସି) ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ଗତ କିଛି ଦଶକ ଧରି ଏହି ମଧ୍ୟପ୍ରାଚ୍ୟ ଅଞ୍ଚଳର ରାଷ୍ଟ୍ରମାନଙ୍କ ସହ ଭାରତର ସୁସମ୍ପର୍କ ରହି ଆସିଛି ଓ ତଦ୍ଦ୍ୱାରା ଭାରତକୁ ମଧ୍ୟ ସୁଫଳ ମିଳିଆସୁଛି। ସମଗ୍ର ବିଶ୍ୱର ଇସଲାମ ଜନସଂଖ୍ୟାର ୨୦ ପ୍ରତିଶତ ଏହି ଦେଶମାନଙ୍କରେ ବସବାସ କରନ୍ତି। ଜିସିସି ଦେଶ ସମୂହ ସହ ଭାରତର ଉଲ୍ଲେଖନୀୟ ବାଣିଜ୍ୟିକ ସମ୍ପର୍କ ରହିଛି ଓ ଏହା ଲଗାତାର ଭାବେ ବୃଦ୍ଧି ପାଇ ଚାଲିଛି। ଭାରତୀୟମାନେ ସେ ସବୁ ଦେଶର କର୍ମ ସଂସ୍ଥାନ ପାଇଛନ୍ତି ଓ ନିଜ ଦେଶକୁ ଅର୍ଥ ପ୍ରେରଣ କରିକରି ଆମର ବିଦେଶୀ ମୁଦ୍ରା ଭଣ୍ଡାରକୁ ସମୃଦ୍ଧ କରୁଛନ୍ତି। ଭାରତ ସେହି ଦେଶମାନଙ୍କରୁ ମୁଖ୍ୟତଃ ଅଶୋଧିତ ତେଲ ଓ ପ୍ରାକୃତିକ ଗ୍ୟାସ ଆମଦାନୀ କରୁଥିବା ବେଳେ ସେଠାକୁ ଗହଣା, ମୁକ୍ତା, ମୂଲ୍ୟବାନ ପଥର, ଧାତବ ସାମଗ୍ରୀ, ବୈଦ୍ୟୁତିକ ଯନ୍ତ୍ରପାତି, ସୁବାସିତ ଅର୍କ, ରସାୟନ ଓ ଖାଦ୍ୟ ପଦାର୍ଥ ଆଦି ରପ୍ତାନୀ କରିଥାଏ।

ବାଣିଜ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ଜିସିସି ଦେଶଙ୍କ ସହ ଭାରତର ରପ୍ତାନୀ ପ୍ରାୟ ୨୭୮୦ କୋଟି ଡଲାର ଥିଲା ବେଳେ ୨୦୨୧-୨୨ରେ ତାହା ୪୪୦୦ କୋଟି ଡଲାର ବା ପ୍ରାୟ ୫୮ ପ୍ରତିଶତ ବୃଦ୍ଧି ପାଇଛି। ଏହା ଭାରତର ସମୁଦାୟ ରପ୍ତାନୀର ପ୍ରାୟ ୧୦ ପ୍ରତିଶତ ।  ସେହିପରି ଏହି ସମୟ ମଧ୍ୟରେ ସେହି ଅଞ୍ଚଳରୁ ଆମଦାନୀ ୮୫ ପ୍ରତିଶତ ବୃଦ୍ଧି ପାଇ ପ୍ରାୟ ୧୧୦୭୩ କୋଟି ଡଲାରରେ ପହଞ୍ଚିଛି, ଯାହା ଭାରତର ସମୁଦାୟ ଆମଦାନୀର ୧୮ ପ୍ରତିଶତ। ବସ୍ତୁତଃ, ବାଣିଜ୍ୟ ବୃଦ୍ଧି ପାଇଁ ଭାରତ ଏହି ଦେଶଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ଅଞ୍ଚଳ ଚୁକ୍ତିରେ ଅନୁବନ୍ଧିତ ହେବାକୁ ଆଗ୍ରହୀ। ଭାରତ ତାର ସମଗ୍ର ଅଶୋଧିତ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ଆମଦାନୀ ଉପରେ ନିର୍ଭର କରୁଥିବା ବେଳେ ଏହାର ସିଂହଭାଗ ଜିସିସି ରାଷ୍ଟ୍ର ସମୂହ ଓ ଇରାକରୁ ହିଁ କରିଥାଏ। ସମୁଦାୟ ଆମଦାନୀର ୨୨ ପ୍ରତିଶତ ଇରାକରୁ ଆସୁଥିବା ବେଳେ ତା ପଛକୁ ଥିବା ଦେଶଗୁଡ଼ିକ ହେଲେ ସାଉଦି ଆରବ, ୟୁଏଇ ଓ କୁଏତ୍।। ନିକଟରେ ରୁଷିଆରୁ ଶସ୍ତା ତେଲ ଉପଲବ୍ଧ ହେଉଥିବା ସତ୍ତ୍ୱେ ପ୍ରତିଶତ ଦୃଷ୍ଟିରୁ ତାର ପରିମାଣ ଏତେ ନଗଣ୍ୟ ଯେ ଭାରତକୁ ତାର ତୈଳ ଆବଶ୍ୟକତା ଲାଗି ଜିସିସି ଓ ଇରାନରୁ ଆମଦାନୀ ଉପରେ ନିର୍ଭର ରହିବାକୁ ହେବ।

ସେହିପରି ଭାରତ ଆମଦାନୀ କରୁଥିବା ପ୍ରାକୃତିକ ଗ୍ୟାସର ୫୦ ପ୍ରତିଶତ କେବଳ କାତାରରୁ ଆସିଥାଏ। ବିଦେଶରେ ଥିବା ପ୍ରାୟ ୧.୩୫ କୋଟି ପ୍ରବାସୀ ଭାରତୀୟଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଏହି ଦେଶଗୁଡ଼ିକରେ ରହି ଜୀବିକାର୍ଜନ କରୁଛନ୍ତି। ବିଶ୍ୱ ବ୍ୟାଙ୍କର ତଥ୍ୟ ଅନୁଯାୟୀ ବିଦେଶରେ ରହୁଥିବା ଭାରତୀୟମାନେ ୨୦୨୦ରେ ପ୍ରାୟ ୮୩୧୫ କୋଟି ଡଲାର ରାଶି ସ୍ୱଦେଶକୁ ପ୍ରେରଣ କରିଥିଲେ। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଏଥିରୁ ପ୍ରାୟ ୫୦ ପ୍ରତିଶତରୁ ଅଧିକ ରାଶି ଜିସିସି ଦେଶମାନଙ୍କରୁ ଆସିଥାଏ। ଏତଦଭିନ୍ନ ଭାରତର ଶହ ଶହ କମ୍ପାନୀ ସେହି ଦେଶଗୁଡ଼ିକରେ କାର୍ଯ୍ୟରତ  ଥିଲା ବେଳେ ସେହି ଦେଶଗୁଡ଼ିକରୁ ଭାରତରେ ବିପୁଳ ପରିମାଣର ଅର୍ଥ ବିଭିନ୍ନ ଭାରତୀୟ କମ୍ପାନୀଗୁଡ଼ିକ ମାଧ୍ୟମରେ ବିନିଯୋଗ ହୋଇଛି। ଏହି ସମସ୍ତ କାରଣରୁ ସେହି ଦେଶମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଭାରତର ସ୍ୱାର୍ଥ ଅନୁକୂଳ। ତାହାଛଡ଼ା, ଧର୍ମ ନିରପେକ୍ଷ ଭାରତ କ୍ରମେ ହିନ୍ଦୁ ରାଷ୍ଟ୍ର ହେବା ଦିଗରେ ଗତିଶୀଳ ହେଉଥିବାର ଅଭିଯୋଗ କରାଯାଉଥିବାରୁ ଏଠାରେ ବାସ କରୁଥିବା ପ୍ରାୟ ୨୦.୪ କୋଟି ଇସଲାମ ଧର୍ମାବଲମ୍ବୀଙ୍କ ଉପରେ ସମଗ୍ର ବିଶ୍ଵର, ବିଶେଷ ଭାବେ ଏହି ସମସ୍ତ ରାଷ୍ଟ୍ରମାନଙ୍କର ସତର୍କ ନଜର ରହିଥିବାର ଲକ୍ଷ କରାଯାଉଛି।

ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ ଉପରେ ବିରୋଧକୁ ଦେଖି ବିଜେପି ତରଫରୁ ଏହାର ପ୍ରବକ୍ତାମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇ ସାରିଛି। ସେମାନେ ଟିଭି ଆଲୋଚନାରେ କୌଣସି ଧର୍ମ, ତାହାର ଚିହ୍ନ ବା ଧର୍ମୀୟ ବ୍ୟକ୍ତି ବିଶେଷଙ୍କର ସମାଲୋଚନା ନକରିବାକୁ କୁହାଯାଇଛି। ଗଣମାଧ୍ୟମରେ ଆଲୋଚନା ସମୟରେ ଉତ୍ତେଜନାର ବଶବର୍ତ୍ତୀ ହୋଇ ସେମାନେ ନିଜର ସୀମା ଉଲ୍ଲଂଘନ କରିବେ ନାହିଁ ତଥା ସେମାନଙ୍କ ଭାଷାକୁ ନିୟନ୍ତ୍ରିତ ରଖିବାକୁ ମାର୍ଗଦର୍ଶନ ଦିଆଯାଇଛି, ଯାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। କୌଣସି ପ୍ରସଙ୍ଗରେ ଦଳର ମତ କଣ ତାହା ସୁନିଶ୍ଚିତ କରି ପ୍ରବକ୍ତାମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆଲୋଚନାରେ ଭାଗ ନେବାକୁ ଏବଂ ଆଲୋଚନାର ବିଷୟବସ୍ତୁ ଉପରେ ହିଁ ବକ୍ତବ୍ୟକୁ କେନ୍ଦ୍ରିତ କରିବା ସହ ସେଥିରୁ ବିଚ୍ୟୁତ ନ ହେବା ପାଇଁ ଏଥିରେ କୁହାଯାଇଛି। ଏପରି ମାର୍ଗଦର୍ଶିକା ଜାରି କରାଯିବା ଏକ ଶୃଙ୍ଖଳିତ ତଥା ରାଷ୍ଟ୍ରହିତୈଷୀ ରାଜନୈତିକ ଦଳ ପକ୍ଷରୁ ଆଶା କରାଯାଏ। କେବଳ ବିଜେପି କାହିଁକି, ସମସ୍ତ ରାଜନୈତିକ ଦଳର ପ୍ରବକ୍ତାମାନଙ୍କ ପାଇଁ ଏହିପରି ମାର୍ଗଦର୍ଶିକା ଜାରି କରାଯିବା ଦରକାର। ଫଳରେ, ଅନ୍ତତଃ ଟେଲିଭିଜନ ବିତର୍କଗୁଡ଼ିକ ତଥ୍ୟ ସମ୍ବଳିତ, ରୋଚକ ଓ ଜନାଦୃତ ହେବ। ଆଜିକାଲି, ଟେଲିଭିଜନ ଖୋଲିଲେ, ଦଳୀୟ ପ୍ରବକ୍ତାମାନେ ଉଚ୍ଚ ସ୍ୱରରେ, ଚିତ୍କାର କରି ନିଜର ବିଦ୍ଵେଷ ମୂଳକ ବକ୍ତବ୍ୟ ଏପରି ଭାବେ ରଖୁଛନ୍ତି ଯେ, ହିନ୍ଦୁ-ମୁସଲମାନ, ମନ୍ଦିର-ମସଜିଦ, ଭାରତ-ପାକିସ୍ତାନ ଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ଯୋଜନା ଉପରେ ଅତଥ୍ୟ ଆଧାରିତ ଦ୍ୱେଷପୂର୍ଣ୍ଣ ଉତ୍ତେଜନା ସୃଷ୍ଟିକାରୀ  ବକ୍ତବ୍ୟ ଶୁଣିବାକୁ ମିଳୁଛି। ସମସ୍ତେ କହୁଛନ୍ତି, କେବଳ ସେମାନେ ହିଁ ଠିକ। ବିଧାନସଭା ଓ ସଂସଦରେ ତାତ୍ତ୍ଵିକ ବିତର୍କ ଆଉ ପ୍ରାୟ ହେଉନଥିବାରୁ ସମସ୍ତେ ଟେଲିଭିଜନ ପରଦାରେ ଦଳୀୟ ପ୍ରଵକ୍ତାଙ୍କ ମୁହଁରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ତାଙ୍କ ଦଳର ଆଭିମୁଖ୍ୟ ଶୁଣିବାକୁ ଚାହାନ୍ତି। ଟେଲିଭିଜନ ବିତର୍କକୁ ପରିଚାଳନା କରୁଥିବା ସାମ୍ବାଦିକଙ୍କ ଶତଚେଷ୍ଟା ସତ୍ତ୍ୱେ ପ୍ରବକ୍ତାମାନେ ଅଧିକାଂଶ ସମୟରେ ଦଳୀୟ ଆଭିମୁଖ୍ୟ ଭୁଲି ନିଜ ବକ୍ତବ୍ୟକୁ ଅଧିକ ଗ୍ରହଣୀୟ କରିବାକୁ ପ୍ରତିପକ୍ଷଙ୍କୁ ଏପରି ଶବ୍ଦାକ୍ରମଣ କରନ୍ତି, ଯାହା ନିମ୍ନ ଋଚିର ହୋଇଥାଏ। ରାଜ୍ୟ ଓ ଦେଶର ବିଭିନ୍ନ ସମସ୍ୟା – ଯଥା ପ୍ରତିରକ୍ଷା, ଅର୍ଥନୀତି, ଦରବୃଦ୍ଧି, ବେକାରୀ ସମସ୍ୟା ଭଳି ପ୍ରସଙ୍ଗରେ କିଛି ଅର୍ଥପୂର୍ଣ୍ଣ ଆଲୋଚନା ପର୍ଯ୍ୟାଲୋଚନା ଶୁଣିବାର ସୁଯୋଗ ପାଇବା ପାଇଁ, ବିଜେପି ଭଳି ସମସ୍ତ ରାଜନୈତିକ ଦଳ ମାର୍ଗଦର୍ଶିକା ଜାରି କରିବା ଅତ୍ୟାବଶ୍ୟକ ମନେହୁଏ।

ନୂପୁର ଶର୍ମାଙ୍କ ପୁରୁଣା ଟେଲିଭିଜନ ବକ୍ତବ୍ୟ ପାଇଁ ତାଙ୍କୁ ଆଜି ବି ଦୁଷ୍କର୍ମ ଓ ହତ୍ୟାର ଧମକ ଦିଆଯାଉଛି। ଏପରିକି ତାଙ୍କର ବକ୍ତବ୍ୟକୁ ସମର୍ଥନ କରି ସାମାଜିକ ଗଣମାଧ୍ୟମରେ ଲେଖିଥିବା ଅନେକ ବ୍ୟକ୍ତିଙ୍କୁ – ଏପରିକି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ହତ୍ୟା ଧମକ ମିଳିଛି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏହି ଧମକ ଦେଉଥିବା ବ୍ୟକ୍ତିମାନଙ୍କୁ କେହି ଆକଟ କରୁଥିବାର ଦେଖା ଯାଉନାହିଁ। ବରଂ, ନୂପୁର ଓ ତାଙ୍କର ସମର୍ଥକଙ୍କୁ ଅନେକ ଆକଟ, ଅନେକ ନିନ୍ଦା। ପ୍ରଶ୍ନ ଉଠିପାରେ ଯେ, ଏହିପରି ସ୍ଥିତି ଦେଶରେ ଦେଖାଦେଉଛି କାହିଁକି? ଅନେକ କ୍ଷେତ୍ରରେ ଦଳୀୟ ଚାଣକ୍ୟ ବୋଲାଉଥିବା ନେତାମାନେ ନିଜର ହୀନ ଇଚ୍ଛାର ପୂରଣ  ପାଇଁ ନିଜେ ଚିହ୍ନା ନପଡ଼ି କିଛି ଧର୍ମଖୋର ଅର୍ଦ୍ଧଶିକ୍ଷିତ/ମୂର୍ଖଙ୍କ ଜରିଆରେ ଦେଶରେ ଧର୍ମକୁ ନେଇ ରାଜନୈତିକ ଧୃବୀକରଣ କାର୍ଯ୍ୟକାରୀ କରାଉଛନ୍ତି। ନୂପୁରଙ୍କ ବକ୍ତବ୍ୟ ତାହାର ଯେ ଏକ ଉଦ୍ଦେଶ୍ୟମୂଳକ ଅଂଶ ହୋଇନଥିବ, ତାହା କୁହାଯାଇ ନପାରେ। ଆଉ କିଛି କ୍ଷେତ୍ରରେ, ନିଜକୁ ବଡ଼ ଭାବୁଥିବା କିଛି ଲୋକ ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରିବାକୁ ଅନାବଶ୍ୟକ ତର୍କ ଏପରିକି ଦଙ୍ଗା ଭିଆଇ ଥାଆନ୍ତି। ସେହି ଦଙ୍ଗାକାରୀଙ୍କୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷରେ ପୁରସ୍କୃତ ବା ସମ୍ବର୍ଦ୍ଧିତ କରାଗଲେ ଏହି ଶ୍ରେଣୀର ଲୋକମାନେ ସେହିଭଳି ଆଚରଣ କରିବାକୁ ପ୍ରୋତ୍ସାହିତ ହୋଇଥାଆନ୍ତି। ବିଭାଜନକାରୀ ସ୍ଳୋଗାନ ଦେଉଥିବା ବ୍ୟକ୍ତି ବିଶେଷ ଦଣ୍ଡ ପାଇବା ବଦଳରେ ଉଚ୍ଚ ପଦ ପଦବୀ ମଣ୍ଡନ କରିବା ସହଜ ହେଉଥିବାରୁ ସେମାନେ ବେଲଗାମ ଆଚରଣ ପ୍ରଦର୍ଶନ କରିବା ଲାଗି ପ୍ରତିଯୋଗିତା କରୁଥିବାର ଦେଖାଯାଉଛି। ସାମାଜିକ ଗଣ ମାଧ୍ୟମ, ବିଶେଷକରି ହ୍ୱାଟ୍ସଆପ ଗୋଷ୍ଠୀ ମାଧ୍ୟମରେ ସତ ମନେହେଲା ଭଳି ଫଟୋସପରେ ତିଆରି ଚିତ୍ର, ଦୃଶ୍ୟ, ବିଭ୍ରାନ୍ତିକର ସତ-ମିଛର ଖେଚୁଡ଼ି ପ୍ରାୟ ଉତ୍ତେଜନାମୂଳକ ବାର୍ତ୍ତା ସେମାନେ ତିଆରି କରି ବ୍ୟକ୍ତିଗତ ଭାବମୂର୍ତ୍ତୀ ପ୍ରତିଷ୍ଠା କରୁଛନ୍ତି ଓ କୁତ୍ସା ରଟନା କରି ଶତ୍ରୁପକ୍ଷକୁ ଲୋକଚକ୍ଷୁରେ ନିନ୍ଦିତ କରୁଛନ୍ତି। ଏକ ପ୍ରତ୍ୟୟ ସୃଷ୍ଟି କରାଯାଉଛି ଯେ ସେମାନେ ହିଁ ଭାଷା, ସଂସ୍କୃତି, ଧର୍ମ ଓ ରାଷ୍ଟ୍ରର ରକ୍ଷକ। ସେମାନଙ୍କ ଅବଦାନ କାରଣରୁ ଭବିଷ୍ୟତରେ ପ୍ରମୁଖ ନେତା ହେବାକୁ ସେଇମାନେ ହିଁ ସମର୍ଥ। ତେବେ ସେମାନଙ୍କ ଆଚରଣ ଓ ଉଚ୍ଚାରଣ ସମାଜରେ ବିଦ୍ୱେଷ ସୃଷ୍ଟି କରିବା ସହ ଦେଶର ପ୍ରଭୁତ କ୍ଷତିସାଧନ କରୁଥିବା ବିଷୟରେ ସେମାନେ ଜାଣି ବି ଅଜଣା।

ଆଜିକାଲି ସମଗ୍ର ବିଶ୍ଵ ଗୋଟିଏ ଗାଁ ହୋଇଯାଉଥିବାରୁ, ଟେଲିଭିଜନ ବିତର୍କ ମାଧ୍ୟମରେ ଉଚ୍ଚାରଣ ମଧ୍ୟ ଦେଶର ଆଭ୍ୟନ୍ତରୀଣ ବ୍ୟାପାର ହୋଇ ନ ରହି ସୀମା ସରହଦ ଡେଇଁ ବିଦେଶରେ ଯେ ଏପରି ପ୍ରତିକ୍ରିୟା ସୃଷ୍ଟି କରିପାରେ, ତାହା ନୂପୁରଙ୍କ ମନ୍ତବ୍ୟ ଘଟଣାରୁ ପ୍ରମାଣିତ ହେଲା। ଯେଉଁ ଦେଶଗୁଡିକ ବିଶ୍ଵଗୁରୁ ହେବାକୁ ଉଦ୍ୟମରତ ଭାରତ ଆଡକୁ ଅନାଇ ରହୁଥିଲେ, ସେମାନେ ଭାରତକୁ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ସୁଯୋଗ ପାଇଗଲେ। କାତାର ଭଳି କ୍ଷୁଦ୍ର ଦେଶର ସରକାର ଭାରତ ଭଳି ବୃହତ ତଥା ଶକ୍ତିଶାଳୀ ଦେଶର ରାଷ୍ଟ୍ରଦୂତମାନଙ୍କୁ ସମନ  କରିବା ଏକ ଅପମାନଜନକ  ଘଟଣା। କେହି ବି ଜଣେ ରାଜନୈତିକ ବ୍ୟକ୍ତି, ବିଶେଷ କରି ଗଣମାଧ୍ୟମରେ ସରକାରୀ ଦଳର ପ୍ରବକ୍ତାଙ୍କ ଆଚରଣ ଓ ଉଚ୍ଚାରଣ ଦେଶର ସ୍ୱାର୍ଥ ଓ ସମ୍ମାନହାନିର କାରଣ ପାଲଟିବା ନିଶ୍ଚୟ ଚିନ୍ତାଜନକ।

ଏକଥା କହିଲାବେଳେ, ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ହେବ ଯେ, ନୂପୁର ଶର୍ମା ଯାହା କହିଥିଲେ, ତାହା କ’ଣ ମିଥ୍ୟା କି? ନୂପୁର ଏପରି କହିବା ପୂର୍ବରୁ ଦେଶରେ ସମ୍ପ୍ରଦାୟିକ ଅଶାନ୍ତି କେବେ ହୋଇନଥିଲା କି? ସେ ଟେଲିଭିଜନରେ ଦେଶବାସୀଙ୍କୁ କ୍ଷମା ମାଗିଲେ ଓ ତାଙ୍କୁ ଦଣ୍ଡିତ କରାଗଲେ ଦେଶରେ ଆଉ ଉଦୟପୁର ଦରଜୀ, ଅମରାବତୀର ଔଷଧ ଦୋକାନୀମାନଙ୍କୁ ହତ୍ୟାର ଶିକାର ହେବାକୁ ପଡ଼ିବନି ତ? ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ କେତେଦୂର ସମ୍ବିଧାନ ସମ୍ମତ ଓ ନ୍ୟାୟପୂର୍ଣ?

ଏସବୁ ପ୍ରଶ୍ନର ନିଶ୍ଚିତ ଉତ୍ତର ହୁଏତ କାହା ପାଖରେ ନଥାଇପାରେ, କିନ୍ତୁ ଆମେ ଗୋଟିଏ କଥାରେ ସହମତ ହେବା ଯେ, ଆମେ କେହି ବି ନିଜ ଉଚ୍ଚାରଣ ଓ ଆଚରଣରେ ଏପରି କିଛି କରିବା ନାହିଁ, ଯାହା ସମ୍ପ୍ରଦାୟିକ ସଂପ୍ରୀତି ନଷ୍ଟ କରିଦେବାକୁ କାହାକୁ ନ କାହାକୁ ବାହାନା ଯୋଗାଇଦେବ। ତାହା ସହିତ ଭାରତବାସୀଙ୍କୁ ମନେରଖିବାକୁ ହେବ ଯେ, କିଏ କଣ କହିଦେଲେ ଓ କରିଦେଲେ, ତାହାର ପ୍ରତିକ୍ରିୟା ସ୍ୱରୂପ ମୃତ୍ୟୁଦଣ୍ଡ ଦେବା ଓ ହିଂସାତ୍ମକ କାର୍ଯ୍ୟ କରିବା ସଭ୍ୟ ସମାଜରେ ଚଳେନା। ଏପରି ମାନସିକତା ଯେ କୌଣସି ଧର୍ମ, ଜାତି ଓ ସଂସ୍କୃତିର ବିଲକ୍ଷଣ ମାତ୍ର।

ଫୋ-୯୪୩୮୨୯୯୦୩୭

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।