ରବି ଦାସ
ଜାତୀୟ ସ୍ତରରେ ଆରମ୍ଭ କରାଯାଇଥିବା ୨୦୨୦ ନୂଆ ଶିକ୍ଷାନୀତି ଓଡ଼ିଶାରେ ବସ୍ତୁତଃ ଚଳିତ ବର୍ଷ ଠାରୁ ଶୁଭାରମ୍ଭ ହେବ। ପୂର୍ବରୁ ରାଜ୍ୟରେ ଥିବା ବିଜେଡ଼ି ସରକାର ୨୦୨୦ ଶିକ୍ଷାନୀତିର ବିରୋଧ କରି ନଥିଲେ ମଧ୍ୟ ଓଡ଼ିଶାର ସ୍କୁଲ୍ ଶିକ୍ଷାରେ ଏହି ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରି ନଥିଲେ। କିନ୍ତୁ ରାଜ୍ୟରେ ଗତ ନିର୍ବାଚନରେ ବିଜେପି କ୍ଷମାତାସୀନ ହେବା ପରେ ଚଳିତ ଶିକ୍ଷାବର୍ଷ ଠାରୁ ନୂଆ ଶିକ୍ଷାନୀତି ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ପୂରା ମାତ୍ରାରେ ଆରମ୍ଭ କରିବା ପାଇଁ ଘୋଷଣା କରାଯାଇଛି। ସେହି ଅନୁସାରେ ପ୍ରଥମ ଶ୍ରେଣୀରେ ଅଧ୍ୟୟନ ପାଇଁ ସର୍ବନିମ୍ନ ବୟସ ୬ ରଖାଯାଇଛି। ପୂର୍ବରୁ ଥିବା ବ୍ୟବସ୍ଥାରେ ୫ ବର୍ଷରେ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରୁଥିଲେ। କିନ୍ତୁ ଚଳିତ ବର୍ଷଠାରୁ ତାହା ହେବନାହିଁ। ଯେଉଁମାନେ ପ୍ରାକ୍ ପ୍ରାଇମେରୀ ବା ନର୍ସରୀ ପଢ଼ିସାରି ପ୍ରଥମ ଶ୍ରେଣୀରେ ନାମ ଲେଖାଉଥିଲେ ତାହା ଏବର୍ଷ ନହୋଇ ସେହି ପିଲାମାନେ ବିଦ୍ୟାଳୟରେ ଶିଶୁବାଟିକା ନାମରେ ଏକ ଶ୍ରେଣୀରେ ନାମ ଲେଖାଇ ୬ ବର୍ଷରେ ପ୍ରଥମ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବେ।
ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଏଥିପାଇଁ କି ପ୍ରସ୍ତୁତି ହୋଇଛି ଓ ଏଥିପାଇଁ ଶିକ୍ଷକମାନଙ୍କୁ ଟ୍ରେନିଂ ଦିଆଯାଇଛି ନା ନାହିଁ ତାହା କହିବା ମୁସ୍କିଲ୍। କିନ୍ତୁ ଯେଉଁ ରାଜ୍ୟ ମାନଙ୍କରେ ଏହି ନୂଆ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହୋଇଗଲାଣି, ସେଠାରେ ମୌଳିକ ସାକ୍ଷରତା ଓ ନମ୍ବର ସଂକ୍ରାନ୍ତରେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସହିତ ପିଲାମାନଙ୍କୁ ଶିକ୍ଷା ଦିଆଯିବା ପାଇଁ ପ୍ରଚେଷ୍ଟା ହେଉଛି। ଏହି ଲକ୍ଷ୍ୟ ହାସଲ ନିମନ୍ତେ ଶିକ୍ଷକମାନଙ୍କର ଟ୍ରେନିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପାଠପଢ଼ା ଭିତରେ ପ୍ରଥମ ଅବସ୍ଥାରୁ ମାତୃଭାଷା ସହିତ ଆଉ ଦୁଇଟି ଭାଷା ଯେଉଁଥିରେ ଇଂରାଜୀ ରହିବ ଓ ଅନ୍ୟ ଏକ ଜାତୀୟ ସ୍ୱୀକୃତ ଭାଷା ପଢ଼ାଯିବ। ଏଥିପାଇଁ କେତେ ଶିକ୍ଷକ ଆବଶ୍ୟକ କରିବେ ଓ ସେଥିପାଇଁ ଶିକ୍ଷକ ଅଛନ୍ତି ନା ନାହିଁ ତାହା ଏକ ମୂଳ ପ୍ରଶ୍ନ।
ଏହି ନୂତନ ଶିକ୍ଷାନୀତି ନେଇ ଜାତୀୟ ସ୍ତରରେ ବିତର୍କ ଏବେ ବି ଚାଲିଛି। ଏହି ଶିକ୍ଷାନୀତି ଭିତରେ ହାଇସ୍କୁଲ୍ ଓ ଡିଗ୍ରୀ କଲେଜ ସହିତ ବିଶ୍ୱବିଦ୍ୟାଳୟର ରୂପରେଖ ଓ ପାଠ୍ୟକ୍ରମକୁ ନେଇ ଏବେ ବି ବିବାଦ ରହିଛି। ତାମିଲନାଡୁ ପରି କେତେକ ରାଜ୍ୟ ନୂଆ ଶିକ୍ଷାନୀତିକୁ ପୂରାପୂରି ଗ୍ରହଣ କରିନାହାନ୍ତି। ଏପରିକି ତିନିଭାଷା ସୂତ୍ରକୁ ଗ୍ରହଣ କରୁନାହାନ୍ତି। ହାଇସ୍କୁଲ୍ ଓ ଡିଗ୍ରୀ କଲେଜଗୁଡ଼ିକରେ ପାଠ୍ୟକ୍ରମ ଉପରେ ମଧ୍ୟ ରାଜନୈତିକ ବିଚାରରେ ବିବାଦ ରହିଛି। ଏପରିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କୁଳପତି ନିଯୁକ୍ତିରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ ଯେଉଁ ନିୟମ ପ୍ରଣୟନ କରିଛନ୍ତି ସେଥିରେ ରାଜ୍ୟପାଳଙ୍କୁ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ କୁଳପତି ମନୋନୟନ ପାଇଁ ବସ୍ତୁତଃ କ୍ଷମତା ପ୍ରଦାନ ହୋଇଯାଇଥିବାରୁ ଅଣବିଜେପି ଶାସିତ ରାଜ୍ୟମାନେ ଏଥିସହିତ ଏକମତ ହେଉନାହାନ୍ତି। ଏହି ସମସ୍ତ ଘଟଣାକୁ ନେଇ କଂଗ୍ରେସ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଦେଶର ନୂଆ ଶିକ୍ଷାନୀତି ଜରିଆରେ କେନ୍ଦ୍ର ସରକାର ଶିକ୍ଷା କ୍ଷେତ୍ରରେ ସମସ୍ତ କ୍ଷମତା ନିଜ ହାତକୁ ନେଇଥିବା, ଶିକ୍ଷା କ୍ଷେତ୍ରରେ ବ୍ୟବସ୍ଥାକୁ ବ୍ୟବସାୟୀକରଣ ଓ ଶିକ୍ଷା ପାଠ୍ୟକ୍ରମରେ ସାମ୍ପ୍ରଦାୟିକ ବିଚାରକୁ ଗୁରୁତ୍ୱ ଦିଆଯିବା ପରି କେତେଗୁଡ଼ିଏ ବ୍ୟବସ୍ଥା ହୋଇଛି କହି ତାହାର ସମାଲୋଚନା କରିଛନ୍ତି।
ପୂର୍ବରୁ ଶିକ୍ଷା ଯାହା ପୂର୍ବରୁ ରାଜ୍ୟ ସରକାରଙ୍କର ଏକ ବିଷୟ ଭାବରେ ରହିଥିଲା ତାହାକୁ ଯୁଗ୍ମ ତାଲିକା କରିବା ପରେ ଶିକ୍ଷା ସମ୍ପର୍କୀୟ ନୀତି କାର୍ଯ୍ୟକାରୀ କରିବା ପାଇଁ ରହିଥିବା କେନ୍ଦ୍ରୀୟ ଶିକ୍ଷା ପରାମର୍ଶଦାତା ବୋର୍ଡ ରହିଥିଲା। ଏହି ବୋର୍ଡରେ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀଙ୍କ ସହିତ ରାଜ୍ୟ ଶିକ୍ଷାମନ୍ତ୍ରୀମାନେ ସଦସ୍ୟ ରହୁଥିଲେ। କିନ୍ତୁ ୨୦୧୯ ପରେ ଏହି ବୋର୍ଡର ଆଦୌ ବୈଠକ ଡକାଯାଇନାହିଁ। ଏପରିକି ୨୦୨୦ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପୂର୍ବରୁ ଏହି ବୋର୍ଡ ବୈଠକରେ ତାହା ଥରୁଟିଏ ବି ଆଲୋଚିତ ହୋଇନାହିଁ। ପୂର୍ବରୁ ୨୦୧୦ରେ ଶିକ୍ଷା ଅଧିକାର ଆଇନ୍ କାର୍ଯ୍ୟକାରୀ ହେଲାପରେ ସମଗ୍ର ଶିକ୍ଷା ଅଭିଯାନରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଯେଉଁ ଅର୍ଥ ଦେଉଥିଲେ ତାହାକୁ ନୂଆ ଶିକ୍ଷାନୀତି ଅନୁସାରେ ପିଏମ୍ଶ୍ରୀ ଯୋଜନା କାର୍ଯ୍ୟକାରୀ କରିନଥିବା ରାଜ୍ୟକୁ ପ୍ରଦାନ କରାଯାଉନାହିଁ। ଅର୍ଥାତ୍ କେନ୍ଦ୍ର ସରକାର ଏହା ମାଧ୍ୟମରେ ଦେଶର ପ୍ରତ୍ୟେକଟି ରାଜ୍ୟକୁ ୨୦୨୦ ନୂଆ ଶିକ୍ଷାନୀତି ଗ୍ରହଣ କରିବା ପାଇଁ ବାଧ୍ୟ କରିଦେଇଛନ୍ତି। କିନ୍ତୁ ଓଡ଼ିଶା କ୍ଷେତ୍ରରେ ଏହି ଅସୁବିଧା ଏବେ ଆଦୌ ନାହିଁ। ରାଜ୍ୟରେ ବିଜେପି ସରକାର ହେଲା ପରେ ୨୦୨୦ ଶିକ୍ଷାନୀତି ପୂରାପୂରି ରାଜ୍ୟରେ କାର୍ଯ୍ୟକାରୀ ହେବା ପାଇଁ ଆଉ କୌଣସି ଅସୁବିଧା ନାହିଁ। ଏପରିକି ଗତ ସରକାର ସମୟରେ ଚାଲିଥିବା ୫ଟି ବିଦ୍ୟାଳୟ କାର୍ଯ୍ୟକ୍ରମଗୁଡ଼ିକ ବୋଧହୁଏ ପିଏମ୍ଶ୍ରୀ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଯିବ।
ଓଡ଼ିଶାରେ ନୂତନ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ନେଇ ଏବେ କୌଣସି ଦ୍ୱନ୍ଦ ନାହିଁ। ସେହି ଦୃଷ୍ଟିରୁ ଏହି ଶିକ୍ଷାନୀତି ବଳରେ ରାଜ୍ୟର ସବୁ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କର କିପରି ଶିକ୍ଷା ବିକଶିତ ହେବ ଓ ସବୁ ଶ୍ରେଣୀର ଲୋକ ଗୁଣାତ୍ମକ ଶିକ୍ଷା ସବୁ ସ୍ତରରେ ପାଇବେ ସେନେଇ ଶିକ୍ଷାବିତ୍ ଓ ଶିକ୍ଷକମାନଙ୍କ ପକ୍ଷରୁ ଯେପରି ଆଲୋଚନା ହେବା କଥା ତାହା ଏପର୍ଯ୍ୟନ୍ତ ହୋଇନାହିଁ। ତେବେ ରାଜ୍ୟ ସରକାର ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ଏକ ଟାକ୍ସ ଫୋର୍ସ ଗଠନ କରିଛନ୍ତି। ଆର୍ଟିଇ ବା ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଶିଶୁଙ୍କୁ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ କରିବା ପାଇଁ ୧ମରୁ ୫ମ ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୧ କିଲୋମିଟର ଭିତରେ ନିମ୍ନ ପ୍ରାଥମିକ ଶ୍ରେଣୀ ଓ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ଶ୍ରେଣୀ ପାଇଁ ୩ କିଲୋମିଟର ଭିତରେ ବିଦ୍ୟାଳୟର ବ୍ୟବସ୍ଥା କରାଯିବା ପାଇଁ କୁହାଯାଇଥିଲା। କିନ୍ତୁ ନୂଆ ଶିକ୍ଷାନୀତିରେ ଏଥିପ୍ରତି ଗୁରୁତ୍ୱ ଦିଆ ନଯାଇ ଆଦର୍ଶ ବିଦ୍ୟାଳୟ କଂପ୍ଲେକ୍ସ ଉପରେ ପ୍ରାଧାନ୍ୟ ଦିଆଯାଇଛି।
ସେ ଅନୁସାରେ ଓଡ଼ିଶାରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତ୍ୟେକ ପଂଚାୟତରେ କରାଯିବା ପାଇଁ ଘୋଷଣା କରାଯାଇଛି। କିନ୍ତୁ ପୂର୍ବରୁ ଥିବା ନୀତି ବଦଳାଇ ଦିଆଯିବା ଫଳରେ ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ ପିଲା ହେଉନଥିବା କହି ବନ୍ଦ କରିଦିଆଯାଇଛି। ସାରା ଦେଶରେ ପ୍ରାୟ ୮୯,୪୪୧ ସରକାରୀ ପ୍ରାଥମିକ ସ୍କୁଲ୍ ବନ୍ଦ ହୋଇଯାଇଥିବା ସମୟରେ ଗ୍ରାମାଂଚଳରେ ମଧ୍ୟ ୪୨ ହଜାରରୁ ଉର୍ଦ୍ଧ୍ୱ ଘରୋଇ ବିଦ୍ୟାଳୟ ହୋଇଯାଇଛି। ଓଡ଼ିଶାରେ ଏପରି ଅନେକ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଯାଇଛି ବା ପାଖ ସ୍କୁଲ୍ ସହିତ ମିଶାଇ ଦିଆଯାଇଛି। ନୂଆ ଶିକ୍ଷାନୀତିରେ ଯଦି ସମସ୍ତଙ୍କୁ ସାକ୍ଷର ଓ ଶିକ୍ଷିତ କରିବା ଲକ୍ଷ୍ୟ ହୁଏ ଓ ଖୋଦ୍ ସରକାର ଏହି ଲକ୍ଷ୍ୟ ପୂରଣ କରିବା ଚାହାନ୍ତି ତେବେ ବନ୍ଦ ହୋଇଯାଇଥିବା ବିଦ୍ୟାଳୟଗୁଡ଼ିକ ବିଷୟରେ ପୁନର୍ବାର ଚିନ୍ତା କରିବାକୁ ପଡ଼ିବ। ନିଜ ଗାଁ ଠାରୁ ଅଧିକ ଦୂରକୁ ପିଲାଙ୍କୁ ପାଠପଢ଼ିବା ପାଇଁ ପଠାଇବାକୁ ଅନେକ ବାପାମା’ ସହଜରେ ରାଜି ହେବେନାହିଁ। ଅବଶ୍ୟ ଯେଉଁମାନେ ସ୍ୱଚ୍ଛଳ ବା ସଚେତନ ସେମାନଙ୍କ କଥା ଭିନ୍ନ।
ପ୍ରାଥମିକ ସ୍ତରରେ ସାକ୍ଷରତା ଓ ନମ୍ବର ବିଷୟରେ ମୌଳିକ ଜ୍ଞାନ ଅର୍ଜନ କରିବା ଯଦି ନୂଆ ଶିକ୍ଷାନୀତିର ପ୍ରକୃତ ଲକ୍ଷ୍ୟ ତେବେ ସାଧାରଣ ପରିବାରର ପିଲାଙ୍କୁ ପ୍ରଥମ ଅବସ୍ଥାରେ ତିନୋଟି ଭାଷା ଅପେକ୍ଷା ମାତୃଭାଷା ଓଡ଼ିଆରେ ଶିକ୍ଷାଦାନକୁ ଗୁରୁତ୍ୱ ଦେଇ ଅନ୍ୟ ଦୁଇଟି ଭାଷା ଭିତରୁ ଗୋଟିଏ ଇଂରାଜୀ ଓ ଅନ୍ୟଟି କେଉଁ ଭାଷା ଶିକ୍ଷିବେ ତାହା ସେହି ବିଦ୍ୟାଳୟ ହୋଇଥିବା ସ୍ଥାନ ଉପରେ ନିର୍ଭର କରିବା ଉଚିତ୍। ଏପରିକି ଅନେକ ଆଦିବାସୀ ପିଲାମାନଙ୍କୁ ସେମାନଙ୍କ ନିଜ ଭାଷାରେ ପ୍ରାଥମିକ ସ୍ତରରେ ପଢ଼ାଇବା ପାଇଁ ବ୍ୟବସ୍ଥା ହେବା ସେମାନଙ୍କର ବିକାଶ ପାଇଁ ଅପରିହାର୍ଯ୍ୟ। ଏକାସାଙ୍ଗେ ତିନୋଟି ଭାଷା ପଢ଼ିବା ପାଇଁ କାହାରିକୁ ବାଧ୍ୟ କରିବା ଠିକ୍ ନୁହେଁ। ଓଡ଼ିଶାରେ ସବୁ ବିଦ୍ୟାଳୟରେ ସେ ସରକାରୀ ହେଉ ବା ବେସରକାରୀ ହେଉ ସେ ରାଜ୍ୟ ବୋର୍ଡ ଅଧୀନରେ ଥାଉ ବା କେନ୍ଦ୍ରୀୟ ବୋର୍ଡ ଅଧୀନରେ ଥାଉ ସେଠାରେ ଓଡ଼ିଆ ଭାଷା ପଢ଼ାଇବା ବାଧ୍ୟତାମୂଳକ ହେବା ଉଚିତ୍। ସେଥିପାଇଁ ପ୍ରତ୍ୟେକ ବିଦ୍ୟାଳୟରେ ଭାଷା ଶିକ୍ଷକ ରହିବା ଦରକାର। ସେହି ଶିକ୍ଷକମାନଙ୍କ ଭିତରୁ ଅନ୍ୟ ଭାଷା ପଢ଼ାଇବା ପାଇଁ ମଧ୍ୟ ଟ୍ରେନିଂ ଦିଆଯାଇପାରିବ। ଯେଉଁ ବିଦ୍ୟାଳୟଗୁଡ଼ିକ ଇଂରାଜୀ ମାଧ୍ୟମରେ ପଢ଼ାଯାଉଛି, ସେହି ବିଦ୍ୟାଳୟ ମାନଙ୍କରେ ଦ୍ୱିତୀୟ ଭାଷା ରୂପେ ଓଡ଼ିଆ ଯେପରି ଛାତ୍ରଛାତ୍ରୀ ନେବାକୁ ପଡ଼ିବ ସେଥିପାଇଁ ବ୍ୟବସ୍ଥା ହେଲା ପରେ ତୃତୀୟ ଭାଷା ରୂପେ ସେମାନେ ହିନ୍ଦୀ, ସଂସ୍କୃତ, ବଙ୍ଗଳା ବା ତେଲୁଗୁ ପ୍ରଭୃତି ଭାଷା ପଢ଼ିବାର ବ୍ୟବସ୍ଥା କରାଯିବା ଜରୁରୀ।
ଯେହେତୁ ରାଜ୍ୟରେ ନୂଆ ଶିକ୍ଷାନୀତି ଏପ୍ରିଲ୍ ମାସରୁ କାର୍ଯ୍ୟକାରୀ ହେଉଛି ସେହେତୁ ଶିକ୍ଷା ସମ୍ପର୍କୀୟ ପ୍ରତ୍ୟେକଟି ବିଷୟ ଜନସାଧାରଣଙ୍କୁ ଉପଲବ୍ଧ କରାଯିବା ଉଚିତ୍ ହେବ। ବିଦ୍ୟାଳୟ ସ୍ତରରେ ଗ୍ରାମସଭା ବା ପଂଚାୟତଗୁଡ଼ିକ ସହିତ ବିଦ୍ୟାଳୟକୁ ଏପରି ଯୋଡ଼ାଯିବା ଉଚିତ୍ ଯେ, ଯେଉଁଠାରେ ପ୍ରତ୍ୟେକ ପରିବାର ଶିକ୍ଷା ସହିତ ନିଜକୁ ସଂପୃକ୍ତ କରି ରଖିପାରିବ। କାରଣ ଯେତେ ଯାହା ହେଲେ ମଧ୍ୟ ସରକାର ସମସ୍ତ ବିଦ୍ୟାଳୟକୁ ଏକାକୀ ନିୟନ୍ତ୍ରିତ କରି ରଖିପାରିବେ ନାହିଁ। ବିଦ୍ୟାଳୟ ସହିତ ସ୍ଥାନୀୟ ଲୋକମାନଙ୍କୁ ଅଂଶୀଦାର କରିବା ପାଇଁ ନୂଆ ଶିକ୍ଷାନୀତିର ପରିଚାଳନାରେ ବ୍ୟବସ୍ଥା କରିବାକୁ ପଡ଼ିବ। ବାସ୍ତବରେ ଏହି ଶିକ୍ଷାନୀତିରେ ଯେଉଁ ମୂଳଲକ୍ଷ୍ୟ ରଖାଯାଇଛି ତାହା ଯଦି ପ୍ରାଥମିକ ସ୍ତରରେ ହାସଲ ହୁଏ, ତେବେ ଘରୋଇ ବିଦ୍ୟାଳୟଗୁଡ଼ିକ ପ୍ରତି ଆକର୍ଷଣ କମିଯିବ।
ମୋ- ୮୦୧୮୦୯୪୪୫୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।