Advertisment

ଦାରିଦ୍ର୍ୟ ଦୂରୀକରଣ କ’ଣ ଏକ ଅସରନ୍ତି ଯୋଜନା?

ଓଡ଼ିଶାରେ କ୍ଷମତାସୀନ ନୂତନ ‘ଲୋକଙ୍କ ସରକାର’ ପୂର୍ବରୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଆସିଥିବା ନବୀନ ସରକାରଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବେ ନା କେରଳ ମଡେଲ୍ ଗ୍ରହଣ କରି ଅତି ଗରିବଙ୍କ ତ୍ରାଣକର୍ତ୍ତା ହେବେ ତାହା ସମୟ କହିବ।

author-image
Janakish Badapanda
poverty

Extreme Poverty Photograph: (Internet)

ଜାନକୀଶ ବଡ଼ପଣ୍ଡା 

କେରଳ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ଅତି-ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (ଇପିଇପି ବା ଏକଷ୍ଟ୍ରିମ୍ ପଭର୍ଟି ଇରାଡିକେସନ୍ ପ୍ରୋଗ୍ରାମ) ଆରମ୍ଭ କରାଗଲା ବେଳେ ଲକ୍ଷ୍ୟ ରଖାଯାଇଥିଲା କିଭଳି ରାଜ୍ୟରୁ ଦାରିଦ୍ର୍ୟ ସମ୍ପୂର୍ଣ୍ଣ ଦୂରୀକରଣ କରାଯାଇପାରିବ। ଲକ୍ଷ୍ୟ ହାସଲ ହେବା ପରେ ଏବେ ଏହି କାର୍ଯ୍ୟକ୍ରମ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ହୋଇ ଯାଇଛି। ଏବେ ତୃତୀୟ ବିଶ୍ୱର ଦେଶମାନଙ୍କରେ ଦାବି ହେଉଛି ଯେ କେରଳ ମଡେଲରେ ଦାରିଦ୍ର୍ୟ ଦୂରୀକରଣ କର। ଏହି ମଡେଲର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଯେ, ଏହା ଯାହା ସବୁ ଅଭାବ ରହିଛି, ସେସବୁକୁ ଚିହ୍ନଟ କରେ ଏବଂ ଏକ ନୂତନ ପଦ୍ଧତି ମାଧ୍ୟମରେ ସମାଧାନ କରିବାକୁ ଆଲୋକ ଦେଖାଏ। ପ୍ରଥମ ଏବଂ ଦ୍ୱିତୀୟ ସମାବେଶୀ ବିକାଶ ଲକ୍ଷ୍ୟ (ସଷ୍ଟନେବଲ ଡେଭଲପମେଣ୍ଟ ଗୋଲ୍) ପ୍ରାୟ ହାସଲ କରିବା ବ୍ୟତୀତ, ସ୍ଥାନୀୟ ଶାସନ, ବିଭିନ୍ନ ଗୋଷ୍ଠୀ ଏବଂ ବିକାଶ ପ୍ରକ୍ରିୟାରେ ନିୟୋଜିତ ସଂସ୍ଥାଗୁଡ଼ିକୁ ସାମିଲ କରି ଲଗାତାର ଭାବେ ଅଂଶଗ୍ରହଣ କରିବାକୁ ଏହି ମଡେଲ୍ ଉତ୍ସାହିତ କରେ ଏବଂ କିପରି ଦାରିଦ୍ର୍ୟ ଦୂର କରାଯାଇପାରିବ ତାହାର ଉପାୟ ଗୁଡ଼ିକୁ ନିର୍ଣ୍ଣୟ କରି କାର୍ଯ୍ୟକାରୀ କରେ।

Advertisment

ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅସରନ୍ତି କାର୍ଯ୍ୟ ଭାବରେ ଦେଖାଯିବା ଉଚିତ। ଇପ୍ସିତ ଲକ୍ଷ୍ୟ ସାଧିତ ହେବା ପରେ କାମ ସରିଗଲା ମନେକରି ଦାରିଦ୍ର୍ୟ ଦୂରୀକରଣ ଯୋଜନା ଗୁଡ଼ିକୁ ପ୍ରତ୍ୟାହାର କରିନେଲେ କିମ୍ବା ସାମାନ୍ୟତମ ଅବହେଳା ପ୍ରଦର୍ଶନ କଲେ, ଦାରିଦ୍ର୍ୟର କଳା ବାଦଲ ଘୋଟି ଆସିବା ବିଚିତ୍ର ନୁହେଁ।

୨୦୨୧ ମସିହା ମଇ ମାସରେ ପିନାରାଇ ବିଜୟନଙ୍କ ନେତୃତ୍ୱରେ ଏଲଡିଏଫ୍  ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ସେଦିନ ଅତି-ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (ଇପିଇପି) ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା। ନୀତି ଆୟୋଗ ପକ୍ଷରୁ ୨୦୨୩ ମସିହା ପାଇଁ ପ୍ରକାଶିତ ଜାତୀୟ ଦାରିଦ୍ର୍ୟ ସୂଚକାଙ୍କ ଅନୁଯାୟୀ ମୁଣ୍ଡ ଗଣନା ଅନୁପାତ ଆଧାରରେ କେରଳ ଥିଲା ସବୁଠାରୁ କମ୍ ଦାରିଦ୍ର୍ୟଗ୍ରସ୍ତ ରାଜ୍ୟ। କେରଳରେ ରାଜ୍ୟ  ଜନସଂଖ୍ୟାର ମାତ୍ର ୦.୫୫ ପ୍ରତିଶତ ଗରିବ ଥିଲାବେଳେ ଜାତୀୟ ହାର ଥିଲା ୧୪.୯୬ ପ୍ରତିଶତ। କେରଳ ସରକାର ଏକ ଦୃଢ଼ ସ୍ଥାନୀୟ ଶାସନ ସଂସ୍ଥା ବ୍ୟବସ୍ଥା ଏବଂ କୁଡୁମ୍ବାଶ୍ରୀ କର୍ମୀଙ୍କ ଦ୍ୱାରା ପ୍ରାୟ ୪ ଲକ୍ଷ୍ୟ ତାଲିମପ୍ରାପ୍ତ ଗଣନାକାରୀଙ୍କୁ ନିଯୁକ୍ତ କରି ଅତି-ଗରିବ ଲୋକଙ୍କୁ ଚିହ୍ନଟ କରିଥିଲେ। ସେଠାରେ ଅତି-ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମକୁ ଯେଭଳି ଭାବେ କ୍ରିୟାନ୍ୱୟନ କରାଗଲା ତାହାକୁ ଏବେ କୁହାଯାଉଛି କେରଳ ମଡେଲ୍।

Advertisment

ଦାରିଦ୍ର୍ୟ ବିରୋଧରେ ଲଢ଼ିବା ଏକ କେବେ ଶେଷ ନହେବା କାର୍ଯ୍ୟ। ଅତି-ଦାରିଦ୍ର୍ୟ ଦୂର କରିବା ସହିତ କୌଣସି ନୂତନ ପରିବାର ଯେପରି ଅତି-ଦାରିଦ୍ର୍ୟ ମଧ୍ୟକୁ ନଆସିବେ ତାହା ନିଶ୍ଚିତ କରିବା ପାଇଁ ଇପିଇପି-୨.୦ ମଧ୍ୟ ଆରମ୍ଭ କରିଛନ୍ତି। 

ମିଶନ ଭାବରେ ସମସ୍ତ ପ୍ରକାରର ଦାରିଦ୍ର୍ୟକୁ ମୁକାବିଲା କରିବାକୁ ବିଜୟନଙ୍କ ଏଲଡିଏଫ ସରକାର ପ୍ରତିଶୃତି ଦେଇଆସିଛନ୍ତି। 'କେରଳ ମଡେଲ୍'ର ଯେ ସମାଲୋଚକ ନାହାନ୍ତି; ତାହା ନୁହେଁ। ସେମାନଙ୍କ ଅଭିଯୋଗ ଯେ, ରାଜ୍ୟର ଅଭିବୃଦ୍ଧି ନାହିଁ କହିଲେ ଚଳେ। ଅଭିବୃଦ୍ଧି ପ୍ରାୟତଃ ସ୍ଥିର ହୋଇ ଯାଇଛି ଏବଂ ବେକାରୀ ବଢିଛି I ଏହି ଦୁଇଟି ହିଁ ପ୍ରମାଣ କରେ ଯେ, ଅତି-ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ (ଇପିଇପି) ବିଫଳ ହୋଇଛି। ଯଦିଓ କେରଳ ରାଜ୍ୟ ସରକାର ଏହି କ୍ଷେତ୍ରଗୁଡ଼ିକରେ ନିଅଣ୍ଟ ପୂରଣ କରିବା ପାଇଁ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଏବଂ ଉଚ୍ଚ-ପ୍ରଯୁକ୍ତି ସବୁଜ ଶିଳ୍ପକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ବେକାରୀ ଦୂର କରିବା ପାଇଁ ଶିକ୍ଷିତ ଯୁବାବର୍ଗଙ୍କୁ ମଧ୍ୟ ଦକ୍ଷତା ତାଲିମ ପ୍ରଦାନ କରୁଛନ୍ତି, ତଥାପି ତାହା ବିରୋଧୀଙ୍କୁ ସନ୍ତୁଷ୍ଟ କରି ପାରିନି। 

ଇପିଇପି ପ୍ରମାଣିତ କରିଛି ଯେ ଏକ ପ୍ରଗତିଶୀଳ ଶାସନ ବ୍ୟବସ୍ଥା ସାମାଜିକ ସୁରକ୍ଷା କିମ୍ବା ସ୍ଥାୟୀତ୍ୱ ସହିତ ବିନା ବିରୋଧାଭାଷରେ ଏକକାଳୀନ କଲ୍ୟାଣ ଏବଂ ଅଭିବୃଦ୍ଧିର ମୂଳ କାରଣ ହୋଇପାରିବ। ବହୁଳ ଭାବରେ ବ୍ୟବହୃତ ଗୋଷ୍ଠୀ-ଚାଳିତ ମଡେଲ୍ ତ୍ରୁଟିହୀନ ନ ହୋଇପାରେ, କିନ୍ତୁ ଏହା ସ୍ୱୟଂ-ବିକଶିତ ଏବଂ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରେ। ଏହା ଜନ-ବିକାଶର ବିକଳ୍ପ ଉଦାହରଣ ଭାବେ ନିଜକୁ ଉପସ୍ଥାପିତ କରି ସାରିଛି ଏବଂ ନୀତି ଆୟୋଗଙ୍କ ପ୍ରଶଂସା ପାଇଛି। କେରଳର ଏହି ସଫଳତାର କାହାଣୀ ଓଡ଼ିଶା ଭଳି ରାଜ୍ୟ ପାଇଁ ନିଶ୍ଚିତ ଭାବେ ଆଦର୍ଶ। ୨୦୩୬ ମସିହା ବେଳକୁ ଆମେ ଅତି-ଗରୀବ ଏବଂ ଗରୀବ ଲୋକଙ୍କ ସହିତ ବିକଶିତ ଓଡ଼ିଶା ଗଢ଼ି ପାରିବା ନାହିଁ।

ଆମ ଦେଶରେ ବିଭିନ୍ନ ସମୟରେ ପ୍ରଚଳିତ ପାରମ୍ପରିକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଠାରୁ କେରଳର ଦାରିଦ୍ର୍ୟ ହ୍ରାସ ଆଭିମୁଖ୍ୟ ଭିନ୍ନ ଥିବାର ନିଶ୍ଚୟ ଆମ ନଜରକୁ ଆସିବ। ସେଠାରେ ଦୀର୍ଘଦିନ ଧରି ଚାଲିଥିବା ଭୂସଂସ୍କାର, ସାର୍ବଜନୀନ ପ୍ରାଥମିକ ଶିକ୍ଷା ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ବନ୍ଧିତ ନୀତିଗୁଡ଼ିକ କେରଳବାସୀଙ୍କ ଜୀବନ ଧାରଣର ମାନ ଏବଂ ଜୀବିକାର ସୁରକ୍ଷା ଉପରେ ସ୍ଥାୟୀ ପ୍ରଭାବ ପକାଇ ପାରିଛି। ଏହା ବ୍ୟତୀତ, ଗଣତାନ୍ତ୍ରିକ ଶାସନକୁ ବିକେନ୍ଦ୍ରୀକରଣ କରାଯିବା ଫଳରେ ‘ସ୍ଥାନୀୟ ଶାସନତନ୍ତ୍ର’ ନିଜର ଆବଶ୍ୟକୀୟ ପ୍ରକଳ୍ପଗୁଡିକୁ କାର୍ଯ୍ୟକାରୀ କରିବାକୁ କ୍ଷମତା ପ୍ରାପ୍ତ  ହୋଇପାରିଛନ୍ତି। ଏହା ସହିତ, ଦେଶର ବିଭିନ୍ନ ପ୍ରଦେଶରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ଭଳି କେରଳରେ ଥିବା ଗୋଷ୍ଠୀସମୂହ ‘କୁଡୁମ୍ବାଶ୍ରୀ’ ନାମରେ ଏକ ଅଗ୍ରଣୀ ମଡେଲ ଭାବରେ ଉଭା ହୋଇପାରିଛି। ଦାରିଦ୍ର୍ୟ ଦୂରୀକରଣ ଏବଂ ମହିଳା ସଶକ୍ତିକରଣ ପାଇଁ ‘କୁଡୁମ୍ବାଶ୍ରୀ’ର ଆଭିମୁଖ୍ୟ ଯେତିକି ପ୍ରଶଂସନୀୟ ସେତିକି ବ୍ୟାପକ।  

୧୯୭୩-୭୪ ମସିହାରେ କେରଳ ରାଜ୍ୟରେ ଦାରିଦ୍ର୍ୟ କଷାଘାତରେ ଜର୍ଜରିତ ଲୋକ ସଂଖ୍ୟା ରାଜ୍ୟ ଜନସଂଖ୍ୟାର ୫୯.୭୪ ପ୍ରତିଶତ ରହିଥିଲା, ଯାହା ୨୦୧୧-୧୨ ମସିହା ବେଳକୁ  ହ୍ରାସ ପାଇ ପହଞ୍ଚି ପାରିଥିଲା ୧୧.୩ ପ୍ରତିଶତରେ। ନୀତି ଆୟୋଗ ଅନୁଯାୟୀ, କେରଳ ଏବେ ଭାରତର ସବୁଠାରୁ କମ୍ ଦାରିଦ୍ର୍ୟଗ୍ରସ୍ତ ରାଜ୍ୟ। ୨୦୧୫-୧୬ ମସିହାରେ ବହୁମୂଖୀ ଦାରିଦ୍ର୍ୟ ସୂଚକାଙ୍କ (ଏମପିଆଇ)୦.୭୦ ପ୍ରତିଶତ ଥିଲା ବେଳେ, ଏହା ୨୦୧୯-୨୧ ମସିହା ବେଳକୁ ୦.୫୫ ପ୍ରତିଶତକୁ ଖସି ଆସିଥିଲା। ଏଭଳି ଆକର୍ଷଣୀୟ ସଫଳତା ସତ୍ତ୍ୱେ, ରାଜ୍ୟରେ ଏବେ ବି ଅତି-ଦାରିଦ୍ର୍ୟ ଅବସ୍ଥାରେ କିଛି ଲୋକ ଅଳ୍ପ କିଛି ଅଞ୍ଚଳରେ ରହି ଯାଇଥିବାର ଦେଖିବାକୁ ମିଳୁଛି। ଏହାର କାରଣଗୁଡ଼ିକୁ ଅନୁଧ୍ୟାନ କରି ଯେଭଳି ସହାୟତା ଆବଶ୍ୟକ ଥିଲା, ତାହା ହୁଏତ ଦିଆଯାଇ ନଥିବାରୁ ସେମାନେ ଆଜି ବି ଗରିବ ହୋଇ ରହି ଯାଇଛନ୍ତି।

ଏମପିଆଇ ଢାଞ୍ଚା ଅନୁସରଣ କରି ଏକ ପ୍ରକ୍ରିୟା ମାଧ୍ୟମରେ ଅତିଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିବା ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରି ସେମାନଙ୍କ ଦୁରବସ୍ଥାର କାରଣଗୁଡ଼ିକୁ ଚିହ୍ନଟ କରାଯାଇଥିଲା। କିଛି ଲୋକଙ୍କ ଖରାପ ସ୍ୱାସ୍ଥ୍ୟ ଅବସ୍ଥା, ଶାରୀରିକ ଅକ୍ଷମତା, ବାର୍ଦ୍ଧକ୍ୟ, ନିଜର ଅଧିକାର ସାବ୍ୟସ୍ତ କରିବାରେ ଅସାମର୍ଥ୍ୟ ସମେତ  ଖାଦ୍ୟ, ଜମି, ଆଶ୍ରୟସ୍ଥଳ, ନିଯୁକ୍ତି, ଆନୁସଙ୍ଗିକ ସୁବିଧା ସୁଯୋଗ ଏବଂ ଶିଶୁଙ୍କ ମଧ୍ୟରେ ଗୁରୁତର କୁପୋଷଣକୁ ସଙ୍କଟର କାରଣ ଭାବରେ ବିବେଚନା କରାଯାଇଥିଲା। ଅତୀତ କାଳରୁ ମତ୍ସ୍ୟଜୀବୀଙ୍କ ସମେତ ସମାଜର ତଳସ୍ତରରେ ରହିଆସିଥିବା ସାମାଜିକ ଦୃଷ୍ଟିରୁ ଅବହେଳିତ ଆଦିବାସୀ ଓ ଅନୁସୂଚିତ ଜାତି ଏବଂ ଏଡ୍ସ ପ୍ରଭାବିତ ବ୍ୟକ୍ତି, ଅନାଥ, ସହରାଞ୍ଚଳ ଗରିବ ଲୋକଙ୍କ ବାସ୍ତବତାକୁ ମଧ୍ୟ ଚିହ୍ନଟ କରାଯାଇଥିଲା। ଏଭଳି ଚିହ୍ନଟ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପନ୍ନ କରିଥିଲେ ସ୍ଥାନୀୟ ନିର୍ବାଚିତ ଶାସକଙ୍କ ନେତୃତ୍ୱରେ କୁଡୁମ୍ବଶ୍ରୀର ସ୍ୱେଚ୍ଛାସେବକ, ଜନପ୍ରତିନିଧି, ଅଧିକାରୀ ଏବଂ ବାସିନ୍ଦାଙ୍କ ଏକ ଦଳ। ସେମାନେ ଘର ଘର ଯାଇ ସର୍ଭେ କରିଥିଲେ ଏବଂ ସେମାନଙ୍କ ତଥ୍ୟ ଆଧାରରେ ଗରିବ ପରିବାରଗୁଡ଼ିକୁ ଚୟନ କରାଯାଇଥିଲା।

ଚୟନ ପ୍ରକ୍ରିୟା ମାଧ୍ୟମରେ ୧,୧୮,୩୦୯ ଗରିବ ପରିବାରକୁ ଯାଞ୍ଚ କରାଯାଇଥିଲା। ସେଥିମଧ୍ୟରୁ ସ୍ଥାନୀୟ ପ୍ରଶାସନ ସୁପାରିଶ କରିଥିବା ତାଲିକା ଅନୁସାରେ ୮୭,୧୫୮ ପରିବାରକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ପରବର୍ତ୍ତୀ ସମୟରେ, ଏକ ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ସେମାନଙ୍କର ସାକ୍ଷାତକାର ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ ଯେଉଁ ପ୍ରାଥମିକ ତାଲିକା ପ୍ରସ୍ତୁତ କରାଯାଇଥିଲା, ସେଥିରେ ରହିଥିଲେ ମାତ୍ର ୭୩,୭୪୭ ପରିବାର। ଅଯୋଗ୍ୟ ପରିବାରକୁ ବାଦ ଦେବା ପୂର୍ବରୁ ଗ୍ରାମସଭାଗୁଡ଼ିକ ଏହି ପ୍ରାଥମିକତା ତାଲିକାକୁ ଆହୁରି ଯାଞ୍ଚ କରିଥିଲେ, ଯାହାର ପରିଣାମ ସ୍ୱରୂପ ୬୪,୦୦୬ ଅତି-ଗରିବ ପରିବାରର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଥିଲା। 

ଇପିଇପି ବା ଅତି-ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସବୁଠାରୁ ଅଭିନବ ବୈଶିଷ୍ଟ୍ୟ ଥିଲା ଯେ, ପ୍ରତ୍ୟେକ ଚିହ୍ନଟ ପରିବାର ପାଇଁ ସ୍ୱତନ୍ତ୍ରଭାବେ ତୃଣମୂଳ ସ୍ତରୀୟ କ୍ଷୁଦ୍ର ରଣନୀତି (ମାଇକ୍ରୋ-ପ୍ଲାନ୍) ସୃଷ୍ଟି କରାଯାଇଥିଲା। ଆମେ ଯେଭଳି ଗୋଟିଏ ପ୍ରକାର ଯୋଜନା କରି ‘ବୋପା ରାଣ ଡିଙ୍କି ଗିଳ’ ନ୍ୟାୟରେ ସମସ୍ତଙ୍କ କଲ୍ୟାଣ ପାଇଁ ଗୋଟିଏ ଯୋଜନା ମଡେଲ କରୁ, ସେଥିରୁ ସେମାନେ ଦୂରେଇ ରହିଥିଲେ। ଏହି କାର୍ଯ୍ୟକ୍ରମର ତିନୋଟି ଭିନ୍ନ ପର୍ଯ୍ୟାୟ ଥିଲା: ତୁରନ୍ତ ଯତ୍ନ ଯୋଜନା, ମଧ୍ୟବର୍ତ୍ତୀ ଯୋଜନା ଏବଂ ଦୀର୍ଘକାଳୀନ ଯୋଜନା।

ତୁରନ୍ତ ଯତ୍ନ ଯୋଜନା ମାଧ୍ୟମରେ ଖାଦ୍ୟ, ଚିକିତ୍ସା ଯତ୍ନ ଏବଂ ସାମାଜିକ ସୁରକ୍ଷା ଅଧିକାର ଭଳି ଜରୁରୀ ଆବଶ୍ୟକତା ଥିଲାବେଳେ ମଧ୍ୟବର୍ତ୍ତୀ ଯୋଜନା ମାଧ୍ୟମରେ ଜୀବନଧାରଣର ସ୍ଥିତି ଉନ୍ନତ କରିବା ଏବଂ ଅସ୍ଥାୟୀ ବାସସ୍ଥାନ ଭଳି ଆତ୍ମନିର୍ଭରଶୀଳତା ସୁନିଶ୍ଚିତ କରିବା ପାଇଁ ପରିବର୍ତ୍ତନଶୀଳ ସହାୟତା ପ୍ରଦାନ କରିବା ଉପରେ ଧ୍ୟାନ ଦେଇଥିଲା। ଦୀର୍ଘକାଳୀନ ଯୋଜନାଗୁଡ଼ିକ ଜୀବିକା ପ୍ରତିଷ୍ଠା କରିବା କିମ୍ବା ସ୍ଥାୟୀ ଆଶ୍ରୟ ସୁରକ୍ଷିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। ଉପଯୁକ୍ତ ସମୟରେ ଲୋକଙ୍କ ପାଖରେ ସେବା ପହଞ୍ଚିବା ଏବଂ ସେବା ପ୍ରଦାନକାରୀଙ୍କ ଦାୟିତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ପରିଚାଳନା ସୂଚନା ବ୍ୟବସ୍ଥା ମାଧ୍ୟମରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ନିୟମିତ ତଦାରଖ କରାଯାଇଥିଲା। ବିକେନ୍ଦ୍ରୀକରଣ ଶାସନକୁ ଉପଯୋଗ କରି ଅତି-ଦାରିଦ୍ର୍ୟ ଦୂର କରିବା ପାଇଁ କେରଳ ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ ପ୍ରଭାବଶାଳୀ ପଥ ପ୍ରଦର୍ଶନ କରିସାରିଛି, ଯାହାକୁ କୁହା ଯାଉଛି କେରଳ ମଡେଲ୍।     

କେରଳ ମଡେଲ୍ ପ୍ରୟାସର ସଫଳତାକୁ ବଜାୟ ରଖିବା ପାଇଁ ନିରନ୍ତର ତଦାରଖ ଆବଶ୍ୟକ। ଏହା ନିଶ୍ଚିତ କରିବ ଯେ ଦରିଦ୍ର ପରିବାରଗୁଡ଼ିକ ପୁଣିଥରେ ଅତି-ଦାରିଦ୍ର୍ୟକୁ ଫେରିବେ ନାହିଁ। ଆନ୍ତଃବିଭାଗୀୟ ସମନ୍ୱୟ ବ୍ୟବସ୍ଥା ଦୁର୍ବଳ ହୋଇଗଲେ ଏଭଳି ପରିବାରଗୁଡ଼ିକ ସୁଫଳରୁ ବଞ୍ଚିତ ହେବାର ଆଶଙ୍କା ରହିଛି। କେରଳ ମଡେଲ୍ ପ୍ରୟାସର ସଫଳତାକୁ ବଜାୟ ରଖିବା ଏବଂ ଏହି ମଡେଲକୁ ଏକ ସ୍ଥାୟୀ ସମାଧାନ ଭାବେ କୀର୍ତ୍ତିମାନ ସ୍ଥାପନ ପାଇଁ ଉତ୍ସର୍ଗୀକୃତ ସଂସ୍ଥାଗତ ବ୍ୟବସ୍ଥାର ଆବଶ୍ୟକତା ରହିଛି। କେରଳ ସରକାର ସେହି ଦିଗରେ ସତର୍କତାର ସହିତ କାମ କରୁଛନ୍ତି।

ଓଡ଼ିଶାରେ କ୍ଷମତାସୀନ ନୂତନ ‘ଲୋକଙ୍କ ସରକାର’ ପୂର୍ବରୁ ଦୀର୍ଘ ୨୪ ବର୍ଷ ଧରି ଶାସନ କରିଆସିଥିବା ନବୀନ ସରକାରଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବେ ନା କେରଳ ମଡେଲ୍ ଗ୍ରହଣ କରି ଅତି ଗରିବଙ୍କ ତ୍ରାଣକର୍ତ୍ତା ହେବେ ତାହା ସମୟ କହିବ।

ଫୋ- ୯୪୩୮୨୯୯୦୩୭ 

Odisha Odisha Poverty Odisha Politcs