ଜନଶୃତି କ’ଣ ଇତିହାସ ?

ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି।

Puri Jagannath Temple

ପୁରୀ ଶ୍ରୀମନ୍ଦିର

Ordigital Desk
  • Published: Saturday, 29 March 2025
  • , Updated: 29 March 2025, 03:08 PM IST
  • ଦେବ ରଞ୍ଜନ

ଆମ ଚାରିପାଖର ପ୍ରତ୍ଯେକ ବିଷୟର ଇତିହାସ ରହିଛି। ଏହା ସହିତ ଆମ ଅଞ୍ଚଳ, ସମାଜ, ପରମ୍ପରା, ବିଶ୍ଵାସ ଓ ପ୍ରଥା ଇତ୍ୟାଦିକୁ ନେଇ ଅନେକ ପୌରାଣିକ କଥାବସ୍ତୁ, କିମ୍ବଦନ୍ତୀ, ଜନଶୃତି ଓ ଲୋକକଥା ମଧ୍ୟ ରହିଛି। ବହୁ ସମୟରେ ଆମ ଚାରିପାଖରେ ଶୁଣାଯାଉଥିବା ଜନଶୃତି ଓ ପୌରାଣିକ କଥାବସ୍ତୁ ଇତ୍ୟାଦିକୁ ଇତିହାସ ବୋଲି ଅନେକ ଲୋକ ମନେକରିଥାନ୍ତି। ଜନଶୃତି ଯେ ଇତିହାସ ନୁହେଁ ତାହାକୁ କମ ଲୋକ ବିଶ୍ଵାସ କରନ୍ତି। 

ଜନଶୃତି ଓ ପୌରାଣିକ କଥାବସ୍ତୁ ତଥା ଇତିହାସ ମଧ୍ୟରେ ପାର୍ଥକ୍ଯ ରହିଛି। ଜନଶୃତି ଅନେକ କାଳ୍ପନିକ। ପୌରଣିକ କଥାବସ୍ତୁରେ ଭାବାବେଗ ରହିଛି। ଏହା କାହାଣୀ ପର୍ଯ୍ୟାୟଭୁକ୍ତ। କିମ୍ବଦନ୍ତୀ ମଧ୍ୟରେ ଇତିହାସ ରହିଛି କିନ୍ତୁ ଅନେକ କାଳ୍ପନିକ ଓ ଉଦ୍ଭଟ କଥା ମଧ୍ୟ ରହିଛି। ଇତିହାସରେ ପ୍ରମାଣ ହୋଇଥିବା ତଥ୍ୟ ରହିଛି। ତଥ୍ୟ ସର୍ବଦା ଯୁକ୍ତିଯୁକ୍ତ ଓ ବିଚାରବନ୍ତ ହୁଏ। ଏହା ଭାବନାତ୍ମକ ଚିନ୍ତାଧାରା ଠାରୁ ଭିନ୍ନ। 

ବହୁ ସମୟରେ ଜନଶୃତିମାନଙ୍କୁ ଇତିହାସ ବୋଲି ଆମ ସମାଜରେ ଧରିନିଆଯାଇଛି। ଏହା ଦ୍ଵାରା ଜିଜ୍ଞାସା ବଦଳରେ ଔଲକିକତାକୁ ପୀଢି ପୀଢି ଧରି ପ୍ରକୃତ ଜ୍ଞାନ ବୋଲି ଆମର ସମାଜ ଜାଣୁଛି। ଫଳରେ, ପୁରାଣକୁ ଇତିହାସ ମନେକରି ଅନେକ ମଣିଷ ଯୁକ୍ତି କରିବା ମଧ୍ୟ ମୁଁ ଶୁଣିଛି। 

ସ୍କନ୍ଧ ପୁରାଣର ବର୍ଣ୍ଣନା ଅନୁସାରେ, ମହାକୋଶଳ ଅନ୍ତର୍ଗତ ମାଳବ ରାଜ୍ୟର ରାଜା ଇନ୍ଦ୍ରଦ୍ଯୁମ୍ନ ନିଳଗିରି ପାହାଡ଼ରେ ପ୍ରଥମ ଜଗନ୍ନାଥ ମନ୍ଦିର ତିଆରି କରିଥିଲେ। ଏହି ପୁରାଣ ଅନୁସାରେ ଦୁଇଟି ମନ୍ଦିର ସେ ସମୟରେ ଦ୍ରୁଶ୍ଯ ହେଉଥିଲା। ପ୍ରଥମଟି ଆଜିର କଣ୍ଟିଲୋ ସ୍ଥିତ ନୀଳମାଧମ ମନ୍ଦିର ଓ ଦ୍ଵିତୀୟଟି ନିଳଗିରି ସ୍ଥିତ ନୃଶିଙ୍ଘ ମନ୍ଦିର। ଏହା ଜଗନ୍ନାଥ ମନ୍ଦିର ନୁହେଁ।  

ସେହି ସ୍କନ୍ଧ ପୁରାଣ ଅନୁସାରେ, ଇନ୍ଦ୍ରଦ୍ଯୁମ୍ନ ରାଜା ସମୁଦ୍ରରୁ ତିନୋଟି ନିମ କାଠ ପାଇଥିଲେ ଓ ଅନ୍ଧାର ଘର ମଧ୍ୟରେ ବିଶ୍ଵକର୍ମାଙ୍କ ସହାୟତାରେ ଜଗନ୍ନାଥଙ୍କ ବିଗ୍ରହ ତିଆରି କରିଥିଲେ। ସେହିଠାରୁ ଜଗନ୍ନାଥ ମନ୍ଦିର ତିଆରି ହେଲା। ପରେ ଗାଲମାଧବ ଏହାକୁ ନିଜେ ତିଆରି କରିଥିବାର ଦାବି କରିବା କିନ୍ତୁ ଭୂଷଣ୍ଡ କାକ ତ ପୁଣି କେଉଁଠି ଇନ୍ଦ୍ରଦ୍ଯୁମ୍ନ ପୋଖରୀର କଇଁଛ ଗାଲମାଧବକୁ ଅସତ୍ୟ ପ୍ରମାଣିତ କରି ଇନ୍ଦ୍ରଦ୍ଯୁମ୍ନଙ୍କୁ ଶ୍ରେୟ ଦେଇଥିବା କଥା ଉଲ୍ଲେଖ ରହିଛି। 

ସ୍କନ୍ଧ ପୁରାଣର ସମୟ ହେଲା ପଞ୍ଚମ ଶତାବ୍ଦୀ। ଏହା ସମୁଦ୍ର ଗୁପ୍ତଙ୍କ ପରବର୍ତ୍ତୀ ସମୟରେ ପ୍ରାୟତଃ ଲିଖିତ ହୋଇଛି। ସମସ୍ତ ଅଠରଟି ପୁରାଣ ମଧ୍ୟରୁ ଏହା ବୃହତ୍ତମ। ସ୍କନ୍ଧ ପୂରଣକୁ ଯଦି ଆମେ ସତ ମାନୁଛୁ ତେବେ ଆଦି ଶଙ୍କାରାଚାର୍ଯ୍ୟ ଅଷ୍ଟମ ଶତାବ୍ଦୀରେ ପୁରୀ ଆସିବା ସମୟରେ ଏହାର ସ୍ୱରୂପ କଣ ଥିଲା? ଏହା ତ ନିଶ୍ଚିତ ଯେ ତାହା ଜଗନ୍ନାଥ ମନ୍ଦିର ନଥିଲା। 

ଆଦିଗୁରୁ ଶଙ୍କରାଚାର୍ଯ୍ୟ ପୁରୀକୁ ଆସିଥିବା କଥା ସମସ୍ତେ ଜାଣନ୍ତି। ସମୁଦ୍ର କୁଳ ନିକଟରେ ତିଆରି ଶଙ୍କରାଚାର୍ଯ୍ୟ ମଠକୁ ଦେଖି ଏହି ଅବଧାରଣା ଅଧିକ ଦୃଢୀଭୂତ ହୁଏ। ହେଲେ ଶଙ୍କରଙ୍କ ସମୟ ହେଲା ଅଷ୍ଟମ ଶତାବ୍ଦୀ। ଦକ୍ଷିଣରୁ ଚୋଡଗଙ୍ଗ ଦେବ ଦଶମ ଶତାବ୍ଦୀରେ ଉତ୍କଳ ଆସି ପୁରୀ ଠାରେ ମନ୍ଦିର ନିର୍ମାଣ କରିଥିଲେ। ତେଣୁ ଶଙ୍କରାଚାର୍ଯ୍ୟ ଯଦି ପୁରୀ ଆସିଛନ୍ତି ତେବେ ସେ କଦାପି ଏହି ଜଗନ୍ନାଥ ମନ୍ଦିରକୁ ଆସିନାହାନ୍ତି ଯାହାକୁ ସମସ୍ତେ ଦେଖୁଛନ୍ତି। ତେଣୁ ସ୍ଵାଭାବିକ ପ୍ରଶ୍ନ ଯେ ସେ ଆସିବା ସମୟରେ ଆଜିର ଜଗନ୍ନାଥ ମନ୍ଦିରର ସ୍ୱରୂପ କ’ଣ ଥିଲା? ସେ ସମୟରେ କଣ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ପୂଜା ପାଉଥିଲେ? 

ସ୍କନ୍ଧ ପୂରଣ ଅନୁସାରେ ନୃସିଙ୍ଘ ମନ୍ଦିରର ରୂପ ଚିତ୍ର ଓ ପୂଜା ପାଉଥିବା ଠାକୁରଙ୍କ ସମ୍ପର୍କରେ ଇତିହାସରେ କେଉଁଠାରେ ଉଲ୍ଲେଖ ନାହିଁ। ଚୋଡଗଙ୍ଗ ଦେବ ମନ୍ଦିର ତିଆରି କରିବା ପୂର୍ବରୁ ଯେ ଜଗନ୍ନାଥ ମନ୍ଦିରର ପ୍ରକୃତ ସ୍ଥିତି କଣ ଥିଲା ସେ ସମ୍ପର୍କରେ ଐତିହାସିକ ତଥ୍ୟ କିଛି ସ୍ପଷ୍ଟ ନୁହେଁ। ତେଣୁ ସ୍କନ୍ଧ ପୁରାଣର ତଥ୍ୟକୁ ଆମେ ସତ ମାନିନେଉଛୁ ଓ ସେ ତଥ୍ୟର ଇତିହାସର ତଥ୍ୟ ସହିତ କୌଣସି ତାଳମେଳ ରହୁନାହିଁ। ଏ ଦିଗରେ ଅନୁସନ୍ଧାନ ନରହିବା କାରଣରୁ ସମ୍ଭବତଃ ଗବେଷଣା ଆଗକୁ ଯାଇପାରିନାହିଁ ଅଥବା ଯଦି ବି କାର୍ଯ୍ୟ ହୋଇଛି ତାହା କିନ୍ତୁ ଲୋକଲୋଚନକୁ ଆସିପାରିନାହିଁ। ଫଳରେ, ପୌରାଣିକ କଥାବସ୍ତୁ ଓ ଜନଶୃତି (ଇନ୍ଦ୍ରଦ୍ଯୁମ୍ନ ଓ ଗାଲମାଧବର କଥା) ଅଧିକ ପ୍ରଭାବ ବିସ୍ତାର କରିଛି। 

ଜନଶୃତିମାନଙ୍କର ମଧ୍ୟ ଇତିହାସ ରହିଛି। ଏହା ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ତିଆରି ହୋଇଥାଏ। ଏହାକୁ କାଳ୍ପନିକ କରିଦିଆଯାଇଥାଏ ଓ ଏଥିରେ ଔଲକିକ କଥାବସ୍ତୁକୁ ଯୋଡିଦିଆଯାଏ। କିନ୍ତୁ ଏହାର ସ୍ରଷ୍ଟା ନିର୍ଦ୍ଦିଷ୍ଟ ଭାବରେ କେହି ମଣିଷ ହିଁ ହୋଇଥାଏ। ଦେଶର ବିଭିନ୍ନ ଭାବରେ ପ୍ରଚଳିତ ଅନେକ ଜନଶୃତିର ସ୍ରଷ୍ଟା ହେଲେ ସମାଜରେ ପ୍ରଭାବଶାଳୀ ବର୍ଗ। ସେମାନେ ରାଜା ହୋଇପାରନ୍ତି ଅଥବା ଦେବାଦେବୀଙ୍କୁ ପୂଜା କରୁଥିବା ବ୍ରାହ୍ମଣ ମଧ୍ୟ ହୋଇପାରନ୍ତି। ସେମାନେ ରାଜା ପୁରନା ତିଆରି କରିଛନ୍ତି। ନିଜର ବଂଶାବଳୀ ତିଆରି କରିଛନ୍ତି। ଏତଦବ୍ୟତୀତ, ଅନେକ ଲେଖକ ଚାଟୋକ୍ତି ଲାଗି କାଳ୍ପନିକ କାହାଣୀ ରାଜାଙ୍କ ପାଇଁ ସୃଷ୍ଟି କରିଥିବାର ମଧ୍ୟ ଅନେକ ଉଦାହରଣ ରହିଛି। 

ଆମ ସମାଜରେ ଏକ ଅବଧାରଣା ରହିଆସିଛି ଯେ କୌଣସି ପୌରଣିକ କାହାଣୀ ବା କିମ୍ବଦନ୍ତୀ ଯେବେ ପୁସ୍ତକ ଆକାରରେ ଛପା ହୋଇଯିବା ଅର୍ଥ ତାହା ନିଶ୍ଚିତ ସତ୍ୟ ହୋଇଥିବ। ପୁରାଣ କଥା ଅଥବା ଜନଶୃତିର ସୃଷ୍ଟିକର୍ତ୍ତା କେବେ ସାଧାରଣ ଦଳିତ କି ଚାଷୀ ବା ଆଦିବାସୀ ମଣିଷ ହୋଇନଥାଏ। ଆଦିବାସୀଙ୍କର ବିଭିନ୍ନ ଗୋତ୍ର ମଧ୍ୟ ରହିଛି ଓ ସେମାନଙ୍କ ରହିଥିବା କାଳ୍ପନିକ କଥା ସମ୍ପର୍କରେ ଏଠାରେ ମୁଁ ବିଶ୍ଳେଷଣ କରୁନାହିଁ। 

ପୁରାଣର କଥାବସ୍ତୁ ଓ ଜନଶୃତିକୁ ନେଇ ଓଡିଶାର ପ୍ରଥମ ଇତିହାସ ବ୍ରିଟିଶ ଇତିହାସବିତ ଆନ୍ଦ୍ରିଉ ଷ୍ଟର୍ଲିଙ୍ଗ (୧୮୨୨) ଲେଖିଥିଲେ। ପରେ ହଣ୍ଟର ଓଡିଶାର ଇତିହାସ ଲେଖିଲେ। (୧୮୭୨) ଉଭୟ ଏହି ପୁରାଣ ଓ ଲୋକକଥାକୁ ଐତିହାସିକ ତଥ୍ୟ ମନେକରି ଏହି ପ୍ରଦେଶର ଇତିହାସ ଲେଖିଥିଲେ। ପରବର୍ତ୍ତୀ ସମୟରେ ସେମାନଙ୍କ ଜନଶୃତି ଆଧାରିତ ଇତିହାସକୁ ଅନେକ ପୀଢି ଗ୍ରହଣ କରିନେବା ଦ୍ଵାରା ପ୍ରକୃତ ଇତିହାସକୁ ଜାଣିବାର ଅନୁସନ୍ଦିତ୍ସା ଓ ତାହାକୁ ବିଶ୍ଳେଷଣ କରିବାର ପରମ୍ପରା ଆମ ପ୍ରଦେଶରେ ନଷ୍ଟ ହୋଇଗଲା। 

ଇତିହାସ କଦାପି କେବଳ ଘଟଣାମାନଙ୍କର ସମାହାର ନୁହେଁ। ରାଜା ମହାରାଜା, ତାଙ୍କ ପିତା ଓ ପିତାମହଙ୍କ ନାମ, ରାଜାଭିଷେକର ବର୍ଷ, ସେମାନଙ୍କ ସମୟର ଯୁଦ୍ଧ ଓ ତିରୋଧାନ ବର୍ଷକୁ ଘୋଷି ମନେରଖିବା ହେଲା ଇତିହାସ ବୋଲି ଅନେକ ଛାତ୍ରଛାତ୍ରୀଙ୍କ ମନର ବସାବନ୍ଧିଯାଇଛି। ସେମାନେ ବୟସ୍କ ହେବା ପରେ ମଧ୍ୟ ଏହି ଭାବନା ଯାଉନାହିଁ। ଏହା ଇତିହାସ ସମ୍ପର୍କରେ ଆମର ଅଜ୍ଞାନତା। ଆମ ସମୟରେ ଦେଖାଯାଉଥିବା ପ୍ରତ୍ଯେକ ପରମ୍ପରା, ବିଶ୍ଵାସ ଓ ମନ୍ଦିର ଇତ୍ୟାଦିର ଇତିହାସକୁ ଯଦି ଆମେ ଅନୁସନ୍ଧାନ ନକରିବା ତେବେ ଆମେ ଏହି ଧାରଣାକୁ ବିଶ୍ଵାସ କରିନେବା ଯେ ଭଗବାନ କେହି ଅଛନ୍ତି ଯିଏ ଆମକୁ ଏହି ସମସ୍ତ ବିଶ୍ଵାସ ଓ ପରମ୍ପରାକୁ ଆମ ଭିତରେ ଦେଇ ଏହି ପୃଥିବୀକୁ ପଠାଇଦେଲେ। ଏହି ବିଚାରକୁ ବଳିଷ୍ଠ କରିବା ଲାଗି ସ୍ଵର୍ଗ, ନର୍କ, ପାପ ଓ ପୂଣ୍ୟର ଅବଧାରଣା ତ ରହିଛି। ହେଲେ ଇତିହାସକୁ ଭୁଲିଯିବା ଦ୍ଵାରା ସମାଜରେ ଯେଉଁ ପରିବର୍ତ୍ତନ ଆସିବା କଥା ତାହା ଆସୁନାହିଁ। 

  ବାଲ୍ମୀକି ରାମାୟଣର କଥାବସ୍ତୁ ଅନୁସାରେ ରାବଣ ସୀତାଙ୍କୁ ଅପହରଣ କରିଥିଲା ଓ ପରେ ରାମଚନ୍ଦ୍ର ମାଙ୍କଡ ମାନଙ୍କ ସହାୟତାରେ ଯୁଦ୍ଧ କରି ସୀତାଙ୍କୁ ମୁକୁଳାଇଥିଲେ। ବ୍ଯାସ ମହାଭାରତର କଥାବସ୍ତୁ ଅନୁସାରେ କୌର ସଭାରେ ଦ୍ରୌପଦୀଙ୍କୁ ବିବସ୍ତ୍ର କରିବା ଲାଗି ଦୁଃଶାସନ ଉଦ୍ୟତ ହୋଇଥିଲା ଯାହାଙ୍କୁ ଶ୍ରୀକୃଷ୍ଣ ଯଥେଷ୍ଟ ବସ୍ତ୍ର ଦେଇ ଲଜ୍ଜାରୁ ଉଦ୍ଧାର କରିଥିଲେ। କିନ୍ତୁ ବିଡମ୍ବନା ଯେ ଉଭୟ କଥାବସ୍ତୁ ଅନୁସାରେ ମହିଳାଙ୍କୁ ଅପହରଣ କରିବା ଅଥବା ବିବସ୍ତ୍ର କରିବାର ଚିନ୍ତାଧାରା ଆସିଲା କେମିତି? ମହିଳାଙ୍କୁ ଅସଦାଚରଣ ଏକ ପାପ କାର୍ଯ୍ୟ ବୋଲି ଉଲ୍ଲେଖ ରହିଲା ଓ ଏଥିଲାଗି ରାବଣ ଓ ଦୁଃଶାସନକୁ ବଧ କରାଯିବା ଉଲ୍ଲେଖ ରହିଲା। ହେଲେ ସେହି ପୁରୁଷ ଖଳନାୟକ ମଧ୍ୟରେ ମହିଳା ବିରୋଧୀ ମାନସିକତା ଆସିବା ଆଶ୍ଚର୍ଯ୍ୟର ବିଷୟ ନୁହେଁ କି? ଏଭଳି ମାନସିକତାର ବିଶ୍ଳେଷଣ କୌଣସି ଜନଶୃତି ବା କୌଣସି ଧର୍ମଗ୍ରନ୍ଥରେ ଉଲ୍ଲେଖ ରହିଲା ନାହିଁ। 

ଭାରତ ସ୍ଵାଧୀନ ହେବା ପରେ ନୂତନ ସମ୍ବିଧାନ ପ୍ରଣୟନ ହେଲା। ସୁଖର କଥା ଯେ ନାରୀ ଓ ପୁରୁଷକୁ ସମାନ ଅଧିକାର ସମ୍ବିଧାନରେ ମିଳିଲା। ଉଭୟେ ମଣିଷ ଓ ଏହି ଦେଶ ଉପରେ ଉଭୟଙ୍କର ସମାନ ଅଧିକାର ରହିଛି ସେହିକଥା ସମ୍ବିଧାନରେ ଉଲ୍ଲେଖ ରହିଲା। ଫଳରେ, ମହିଳାଙ୍କୁ ବଳତ୍କାର, ଅପହରଣ ଓ ବେଜ୍ଜତିକୁ ଦଣ୍ଡବିଧୀ ଆଇନରେ ଅପରାଧ ଧରାଗଲା। ଏହା ହୋଇପାରିଲା କାରଣ ଭାରତର ସମ୍ବିଧାନରେ ଧର୍ମନିରପେକ୍ଷତାକୁ ମୂଳ ଘୋଷଣାନାମାରେ ଉଲ୍ଲେଖ କରାଗଲା। ମହିଳାଙ୍କୁ ଦୁର୍ବଳ ଭାବିବା, ମହିଳାଙ୍କୁ ପୁରୁଷର ସମ୍ପତ୍ତି ଭାବିବା, ଘରର ମହିଳାଙ୍କ ସୁରକ୍ଷାକୁ ପୁରୁଷ ନିଜର ସମ୍ମାନ ଭାବିବା (ନିଜେ ମହିଳା ନୁହେଁ) ଇତ୍ୟାଦି ଭାବନାକୁ ଭୁଲ ବୋଲି ଏହାଦ୍ବାରା ପ୍ରମାଣିତ କରାଗଲା। ନଚେତ ପୌରଣିକ କଥାବସ୍ତୁ ଅନୁସାରେ ଦେଶର ଆଇନ ଯଦି ତିଆରି ହୋଇଥାନ୍ତା ତେବେ ମହିଳାଙ୍କ ସ୍ଥିତି ଭିନ୍ନ ହୋଇଥାନ୍ତା। 

ଆମ ସମୟର ଜନଶୃତି ବା କିମ୍ପାଦନ୍ତୀ ଅଥବା ଲୋକକଥା କହିଲେ ଫିଲ୍ମର କଥାବସ୍ତୁ। ପ୍ରାୟ ଅନେଶତ ପ୍ରତିଶତ ଫିଲ୍ମର କଥାବସ୍ତୁ ହେଉଛି ହିରୋଙ୍କ ପ୍ରେମିକା ଓ ମା’ଙ୍କୁ ଖଳନାୟକ ଅପହରଣ କରିବା ଓ ହିରୋ ଏକୁଟିଆ ତାଙ୍କର ସହଚର ଓ ଶେଷରେ ଖଳନାୟକଙ୍କୁ ହତ୍ୟା କରି ନିଜର ପ୍ରେମିକା ଓ ମା’ଙ୍କୁ ଉଦ୍ଧାର କରି ପୁଣି ସୁଖୀ ଜୀବନ ଆରମ୍ଭ କରିବା। ଏ ଭିତରୁ ଅନେକ ଫିଲ୍ମ ବେଶ ହିଟ ମଧ୍ୟ ହେଉଛି। ଅର୍ଥାତ ଲୋକେ କଥାବସ୍ତୁକୁ ଗ୍ରହଣ କରିଛନ୍ତି ଓ ଏଥିରେ ଆମୋଦ ଅନୁଭବ କରିଛନ୍ତି। ଫିଲ୍ମର କଥାବସ୍ତୁକୁ ଆମେ ଅସ୍ବାଭାବିକ ମନେକରୁନାହୁଁ।

ପୌରାଣିକ କଥାବସ୍ତୁ, କିମ୍ବଦନ୍ତୀ, ଜନଶୃତି ଓ ଲୋକକଥା ଇତ୍ୟାଦିକୁ ଆଜି ବି ମୁଖ୍ୟଧାରା ମଧ୍ୟରେ ଅଥବା ଅଧିକ ସଂଖ୍ୟକ ଲୋକଙ୍କ ଦ୍ଵାରା ସତ ମଣିବା ହେତୁ ଇତିହାସ ପ୍ରତି ଲୋକଙ୍କ ଜ୍ଞାନର କୌଣସି ବୃଦ୍ଧି ହେଉନାହିଁ। ବରଂ ଇତିହାସ ପ୍ରତି ବିରୋଧାଭାଷ ବଢୁଛି ପଛେ କମୁନାହିଁ। ଇତିହାସକୁ ନଖୋଜିବା କାରଣରୁ ସମାଜରେ ପରିବର୍ତ୍ତନ ଆସୁନାହିଁ। 

ମୋବାଇଲ : ୯୪୩୭୭୬୨୨୭୨

Related story