ସୁପ୍ରିମକୋର୍ଟଙ୍କ ଏପ୍ରିଲ ୧୨, ୨୦୨୩ରେ ପ୍ରକାଶିତ ରାୟ ପରେ ‘ଅନୀଲ ଅଗ୍ରୱାଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟର ସ୍ଥାପନା ଉପରେ ଏବେ ଆପାତତଃ ପୂର୍ଣ୍ଣ ବିରାମ ଲାଗିଗଲା। ନିୟମଗିରି ପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି ଅଧିଗ୍ରହଣ ମାମଲାରେ ପରାଜୟ ସହ ଓଡ଼ିଶାରେ ଅନୀଲ ଅଗ୍ରୱାଲଙ୍କ ବେଦାନ୍ତକୁ ଦ୍ୱିତୀୟ ଥର ଲାଗି ଏକ ବଡ଼ ଧରଣର ଆଇନଗତ ଝଟକା ଲାଗିଲା ବୋଲି କହିବା ଭୁଲ ହେବନାହିଁ। କିନ୍ତୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାରେ ରାଜ୍ୟ ସରକାର ଯେପରି ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଶେଷରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପର୍ଯ୍ୟନ୍ତ ପ୍ରତିଟି ପଦକ୍ଷେପରେ ଏକ ଘରୋଇ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କଲେ ଓଡ଼ିଶାରେ ଅନ୍ତଃ ତା’ର ପଟାନ୍ତର ନାହିଁ।
ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ଅହେତୁକ ଅନୁକମ୍ପାକୁ ବୁଝିବାକୁ ହେଲେ ପ୍ରକଳ୍ପ ସଂକ୍ରାନ୍ତୀୟ ଘଟଣାକ୍ରମ ଓ ତତସଂଲଗ୍ନ ତାରିଖଗୁଡ଼ିକୁ ଗୁରୁତ୍ୱର ସହ ଅନୁଧ୍ୟାନ କରିବାକୁ ହେବ। ଓଡ଼ିଶାରେ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାର ପ୍ରସ୍ତାବ ନେଇ ବେଦାନ୍ତ ରିସୋର୍ସେସ ଲିମିଟେଡ ଦ୍ୱାରା ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ସମ୍ମୁଖରେ ଏପ୍ରିଲ ୨୦୦୬ରେ ଏକ ଉପସ୍ଥାପନା (ପ୍ରେଜେଣ୍ଟେସନ) ପ୍ରସ୍ତୁତ କରାଯାଇଥିଲା। ଜୁନ ୧୫, ୨୦୦୬ରେ କମ୍ପାନୀ ଦ୍ୱାରା ପୁରୀ ଜିଲ୍ଲାର ନୂଆନଈସ୍ଥିତ ଭୁବନେଶ୍ୱର-ପୁରୀ-କୋଣାର୍କ ରାସ୍ତା ସଂଲଗ୍ନ ୧୫,୦୦୦ ଏକର ଜମି ଚିହ୍ନଟ କରାଯାଇ ସେହି ଜମିକୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଉଦ୍ଦେଶ୍ୟରେ ଯୋଗାଇଦେବା ଲାଗି ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଅର୍ଥାତ୍ ସ୍ଥାନର ଉପାଦେୟତା ନିର୍ଦ୍ଧାରଣ କରି କମ୍ପାନୀ ଦ୍ୱାରା ଜମି ଚିହ୍ନଟ ହୋଇଥିଲା, ସରକାରଙ୍କ ଦ୍ୱାରା ନୁହେଁ।
ଏହା ପରେ ସରକାର ଓ ବେଦାନ୍ତ ଫାଉଣ୍ଡେସନଙ୍କ ମଧ୍ୟରେ ଜୁଲାଇ ୧୯, ୨୦୦୬ରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା। କହିବା ବାହୁଲ୍ୟ ଯେ ଏଥିପୂର୍ବରୁ ବେଦାନ୍ତ ଫାଉଣ୍ଡେସନର ଶିକ୍ଷା କ୍ଷେତ୍ରରେ କୌଣସି ପୂର୍ବ ଅଭିଜ୍ଞତା ନଥିଲା। ଏମଓୟୁ ଅନୁଯାୟୀ ବେଦାନ୍ତ ଫାଉଣ୍ଡେସନ ୧୫,୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ବିଶ୍ୱବିଦ୍ୟାଳୟ ସହ ଏକ ଆତ୍ମନିର୍ଭର ସହର ପ୍ରତିଷ୍ଠା କରିବାର ଥିଲା। ରାଜ୍ୟ ସରକାର ପ୍ରସ୍ତାବିତ ଅଞ୍ଚଳରେ ୮,୦୦୦ ଏକର ଜମିର ଉପଲବ୍ଧତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ୬,୯୧୭.୬୩ ଏକର ଜମିର ଅଧିଗ୍ରହଣ ସମ୍ପର୍କରେ ଅଧିସୂଚନା ଜାରି ହୋଇ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେଲା। ତେବେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ବିରୋଧ କରି କିଛି ପ୍ରଭାବିତ ବ୍ୟକ୍ତି ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସରକାରଙ୍କ ଅଧିଗ୍ରହଣ ସଂକ୍ରାନ୍ତୀୟ ଅଧିସୂଚନାଟିକୁ ‘କ୍ଷମତାର ଅବୈଧ ଓ ଦୁରାଗ୍ରହପୂର୍ଣ୍ଣ ଅପବ୍ୟବହାର’ ବୋଲି ଅଭିହିତ କରି ଓଡ଼ିଶା ହାଇକୋର୍ଟ ତାକୁ ୨୦୧୦ରେ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ରାୟ ବିରୋଧରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଓ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ଏମଓୟୁ ସ୍ୱାକ୍ଷର ସମୟରେ ‘ବେଦାନ୍ତ ଫାଉଣ୍ଡେସନ’ ଏକ ତିନିଜଣିଆ ନିର୍ଦ୍ଦେଶକ ବିଶିଷ୍ଟ ଘରୋଇ (ପ୍ରାଇଭେଟ) କମ୍ପାନୀ ଥିଲା। ଜମି ଅଧିଗ୍ରହଣ ଆଇନ, ୧୮୯୪ର ଧାରା ୪୪-ବି ଅନୁଯାୟୀ ସରକାର କୌଣସି ଘରୋଇ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଅବୈଧାନିକ ବୋଲି ଆଇନ ବିଭାଗ ଦ୍ୱାରା ଜଣାଇ ଦିଆଯିବା ପରେ ସଂସ୍ଥାର ସ୍ଥିତିକୁ ଏକ ‘ପ୍ରାଇଭେଟ’ କମ୍ପାନୀରୁ ୭ ଜଣିଆ ନିର୍ଦ୍ଦେଶକ ବିଶିଷ୍ଟ ଏକ ‘ପବ୍ଲିକ’ କମ୍ପାନୀରେ ପରିବର୍ତ୍ତିତ କରିବାର ଆବଶ୍ୟକତା ଉପୁଜିଲା। ତେଣୁ ‘ବେଦାନ୍ତ ଫାଉଣ୍ଡେସନ’ର ନାମ ପରିବର୍ତ୍ତନ କରି ଏହାକୁ ‘ଅନୀଲ ଅଗ୍ରୱାଲ ଫାଉଣ୍ଡେସନ’ କରାଯିବା ସହ ଏହାକୁ ଡିସେମ୍ୱର ୧୩, ୨୦୦୬ରେ ଏକ ‘ପବ୍ଲିକ୍’ କମ୍ପାନୀରେ ପରିବର୍ତ୍ତନ କରାଗଲା ବୋଲି କମ୍ପାନୀ ଚିଠି ଦେଲା। ଉଲ୍ଲେଖଯୋଗ୍ୟ ଯେ, ଏହା ଏକ ‘ପବ୍ଲିକ୍’ କମ୍ପାନୀରେ ପରିବର୍ତ୍ତିତ ହେବାର ଯଥେଷ୍ଟ ପୂର୍ବରୁ ସରକାର ଏଥିପାଇଁ ବେଆଇନ ଭାବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଦେଇଥିଲେ। ଏପରିକି ସେହି ତାରିଖ ସୁଦ୍ଧା ୟୁଜିସି ଆଇନ, ୧୯୫୬ ବା ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଅଧୀନରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ନାମକ କୌଣସି ବିଶ୍ୱବିଦ୍ୟାଳୟ ଅବସ୍ଥିତିରେ ବି ନଥିଲା। ରାଜ୍ୟ ବିଧାନସଭରେ ଏ ନେଇ ଏକ ବିଲ୍ ପାରିତ ହୋଇଥିଲେ ବି ତାହା ରାଜ୍ୟପାଳଙ୍କ ଅନୁମୋଦନ ପାଇ ନଥିବାରୁ ଆଇନରେ ପରିଣତ ହୋଇନଥିଲା।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ପ୍ରସ୍ତାବିତ ପ୍ରକଳ୍ପରେ ଥିବା ଭୂଖଣ୍ଡ ଦେଇ ‘ନୂଆଖାଇ’ ଓ ‘ନାଳା’ ନାମକ ଦୁଇଟି ନଦୀ ପ୍ରବାହିତ ହେଉଥିଲେ ବି ସରକାର ପରିବେଶ ସଂକ୍ରାନ୍ତୀୟ ଦିଗଗୁଡ଼ିକ ପ୍ରତି ଅଣଦେଖା କରିଥିଲେ ବୋଲି ଅଦାଲତ କ୍ଷୋଭ ପ୍ରକାଶ କରିଛନ୍ତି। ହସ୍ତାନ୍ତରିତ ହେବାକୁ ଥିବା ଜମି ଦେଇ ନଦୀ ଦୁଇଟି ମଧ୍ୟ କମ୍ପାନୀ ନିୟନ୍ତ୍ରଣକୁ ଚାଲିଯାଉଥିବାରୁ ଏହା ‘ଡକ୍ଟ୍ରିନ ଅଫ ପବ୍ଲିକ ଟ୍ରଷ୍ଟ’ର ବିରୋଧାଚରଣ କରୁଛି। ଏହି ସିଦ୍ଧାନ୍ତ ଅନୁଯାୟୀ ନଦୀ, ଝରଣା, ସମୁଦ୍ରକୂଳ, ବାୟୁ, ଜଙ୍ଗଲ ଆଦି କିଛି ପ୍ରାକୃତିକ ସମ୍ୱଳ ସର୍ବସାଧାରଣଙ୍କ ବ୍ୟବହାର ଉଦ୍ଦେଶ୍ୟରେ ସଂରକ୍ଷିତ ହୋଇ ରହିବା ଆବଶ୍ୟକ। ତାହା ସୁନିଶ୍ଚିତ କରିବା ପାଇଁ ରାଜ୍ୟ କେବଳ ଏକ ଟ୍ରଷ୍ଟି ରୂପେ କାର୍ଯ୍ୟ କରିବ ଯାହା। ଅର୍ଥାତ୍ ଏହି ସମ୍ୱଳଗୁଡ଼ିକୁ କୌଣସି କ୍ଷେତ୍ରରେ ଘରୋଇ ମାଲିକାନାକୁ ହସ୍ତାନ୍ତରିତ କରିହେବନାହିଁ। ସେହିପରି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟକୁ ଲାଗି ବାଲୁଖଣ୍ଡ ବଣ୍ୟଜନ୍ତୁ ଅଭୟାରଣ୍ୟ ଥିବାବେଳେ ଏହା ସମୁଦ୍ରକୂଳଠାରୁ ମାତ୍ର ୨ କିଲୋମିଟର ଦୂରରେ ଅବସ୍ଥିତ। ବିଶ୍ୱବିଦ୍ୟାଳୟ ପାଇଁ ଯେଉଁ ବଡ଼ ଧରଣର ନିର୍ମାଣ କାର୍ଯ୍ୟ କରାଯିବ ତଦ୍ଦ୍ୱାରା ପରିବେଶ କି ଭଳି ପ୍ରଭାବିତ ହେବ ସେ ନେଇ ରାଜ୍ୟ ସରକାର ଧ୍ୟାନ ଦେଇଥିବା ଭଳି ମନେ ହୁଏନାହିଁ। ସରକାର ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ଲାଗି ତତ୍ପରତା ପ୍ରଦର୍ଶନ କରୁଥିବା ବେଳେ ଯେପରି ସମ୍ପୂର୍ଣ୍ଣ ଭାବେ ଭୁଲିଯାଇଥିଲେ ଯେ ଏହି ଧରଣର ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଲାଗି ହୁଏତ ଅନ୍ୟ କୌଣସି ସଂସ୍ଥା ମଧ୍ୟ ଆଗ୍ରହ ପ୍ରଦର୍ଶନ କରିପାରନ୍ତି। ତା’ଛଡ଼ା ବିଶ୍ୱବିଦ୍ୟାଳୟ ପାଇଁ ପ୍ରକୃତରେ କେତେ ଜମିର ଆବଶ୍ୟକତା ରହିଛି ସେ ସଂକ୍ରାନ୍ତରେ ମଧ୍ୟ ଅନୁଶୀଳନ କରାଯାଇ ନଥିଲା। ସେଥିପାଇଁ ପ୍ରାରମ୍ଭିକ ଅବସ୍ଥାରେ କମ୍ପାନୀ ୧୫,୦୦୦ ଏକର ଚାହୁଁଥିବାବେଳେ ପରବର୍ତ୍ତୀ ସମୟରେ ତାକୁ ୮୦୦୦ ଏକରକୁ କମ କରିଦିଆଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ କେବଳ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ବିଶ୍ୱର ସର୍ବାଧିକ ୮,୧୦୦ ଏକର ସଂଲଗ୍ନ (କଣ୍ଟିଗୁଅସ୍) ଜମି ରହିଛି।
ଶେଷରେ ଫାଉଣ୍ଡେସନ ତରଫରୁ ଅଦାଲତଙ୍କୁ ସୂଚିତ କରାଯାଇଥିଲା ଯେ ଆଉ ଅଧିକ ଜମି ଅଧିଗ୍ରହଣ ନ କରି ଅଧିଗୃହୀତ ହୋଇଥିବା ୩,୮୩୭ ଏକର ଜମିରେ ସେମାନେ ସନ୍ତୁଷ୍ଟ ରହିବେ। ଅର୍ଥାତ୍ ସଂସ୍ଥା ତରଫରୁ ପ୍ରଥମେ ପ୍ରସ୍ତାବିତ ୧୫,୦୦୦ ଏକର ଜମି ଆବଶ୍ୟକତା ପଛରେ କୌଣସି ଯୌକ୍ତିକତା ସନ୍ନିହିତ ନଥିଲା। ବରଂ ଏହା ଏକ ଅତିରଞ୍ଜିତ ଚାହିଦା ଥିଲା ଯାହା ସଂସ୍ଥା ମନ୍ଦ ଉଦ୍ଦେଶ୍ୟଗ୍ରସ୍ତ ହୋଇ କରିଥିଲା ବୋଲି ଅଦାଲତ ଚିପ୍ପଣୀ ଦେଇଛନ୍ତି। ତେଣୁ ପ୍ରସ୍ତାବିତ ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ଅଧିଗୃହୀତ ହୋଇଥିଲେ ତାହା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଏପରିକି ମାଇନିଂ ପାଇଁ ମଧ୍ୟ ଅପବ୍ୟବହାର ହୋଇପାରିଥାନ୍ତା ବୋଲି ଅଦାଲତ ଟିପ୍ପଣୀ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହି ଚାଷଜମି ୬,୦୦୦ ଗରିବ ଚାଷୀ ପରିବାରଙ୍କ ପାଇଁ ରୋଜଗାରର ଏକମାତ୍ର ସାଧନ ହୋଇଥିବାରୁ ଏହାଦ୍ୱାରା ପ୍ରାୟ ୩୦,୦୦୦ ଲୋକ ବିସ୍ଥାପିତ ହେବାର ଆଶଙ୍କା ଦେଖାଦେବ। କୌଣସି ପ୍ରକାର କ୍ଷତିପୂରଣ ମାଧ୍ୟମରେ ତାହା ଭରଣା କରିହେବନାହିଁ।
ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ହୋଇଥିବା ଜମି ଅଧିଗ୍ରହଣ ପ୍ରକ୍ରିୟା ଜମି ଅଧିଗ୍ରହଣ ଆଇନ, ୧୮୯୪ର ଧାରା ୩୯, ୪୦, ୪୧ ତଥା ଜମି ଅଧିଗ୍ରହଣ ନିୟମ, ୧୯୬୩ର ନିୟମ ୩(୨) ଓ ୪ର ଉଲ୍ଲଙ୍ଘନ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ପ୍ରଦତ୍ତ ରାୟକୁ କାଏମ ରଖିବା ସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଓ ଓଡ଼ିଶା ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଏଥିସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ଜମା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି, ଯାହା ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କୁ ହସ୍ତାନ୍ତରିତ ହେବ। ତେବେ ୨୦୧୦ରେ ଓଡ଼ିଶା ହାଇକୋର୍ଟ ମାମଲାଟିକୁ ଖାରଜ କରିବା ପରେ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାର୍ଥର ପ୍ରତିକୂଳରେ ଯାଇ ଏକ ଘରୋଇ କମ୍ପାନୀର ସ୍ୱାର୍ଥରକ୍ଷା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ରାଜକୋଷରୁ କୋଟି କୋଟି ଟଙ୍କା ଅର୍ଥଶ୍ରାଦ୍ଧ କରିବା ବାସ୍ତବିକ କେତେ ଦୂର ସମୀଚୀନ?
ରାଜ୍ୟ ସରକାର ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପାଇଁ ଅନେକ ସୁବିଧା ଯୋଗାଇଦେବାର ପ୍ରତିଶ୍ରୁତି ସହ ବିଭିନ୍ନ ନୀତି ନିୟମକୁ କୋହଳ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ଯାହା ଅଦାଲତଙ୍କୁ ବିସ୍ମିତ କରିଛି। ଉଦାହରଣ ସ୍ୱରୂପ – (୧) ପ୍ରଶାସନ, ପ୍ରବେଶିକା, ଦରମା ଫି ନିର୍ଦ୍ଧାରଣ, ପାଠ୍ୟକ୍ରମ, ଫାକଲଟି ଚୟନରେ ବେଦାନ୍ତ ବିଶ୍ୱବିଦ୍ୟାଳୟକୁ ସମ୍ପୂର୍ଣ୍ଣ ସ୍ୱାୟତ୍ତତା ପ୍ରଦାନ, (୨) ରାଜ୍ୟ ସରକାରଙ୍କ ଆରକ୍ଷଣ ସମ୍ୱନ୍ଧୀୟ ଆଇନରୁ ରିହାତି, (୩) ୟୁଜିସି, ଏଆଇସିଟିଇ ଭଳି ନିୟନ୍ତ୍ରଣକାରୀ ସଂସ୍ଥାଙ୍କ ନିକଟରୁ ଅନୁମତି ପ୍ରାପ୍ତି ଲାଗି ସମସ୍ତ ପ୍ରକାର ସହଯୋଗ ପ୍ରଦାନ, (୪) ଭୁବନେଶ୍ୱରରୁ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଚାରି ଲେନ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ସରକାର ରାଜି ହେବା, (୫) ବିଶ୍ୱବିଦ୍ୟାଳୟ ସୀମାର ୫ କିଲୋମିଟର ବ୍ୟାସାର୍ଦ୍ଧ ପରିମିତ ଅଞ୍ଚଳ ମଧ୍ୟରେ ଜମିର ବ୍ୟବହାର ଓ ଜୋନିଂ ପ୍ଲାନ କରିବା ପୂର୍ବରୁ ବେଦାନ୍ତ ସହ ପରାମର୍ଶ କରିବାକୁ ଚୁକ୍ତିପତ୍ରରେ ରାଜି ହେବା, (୬) ଏମଓୟୁ ସ୍ୱାକ୍ଷର ହେବା ତାରିଖରୁ ଶିକ୍ଷଣ ସାମଗ୍ରୀ, ଗବେଷଣା ଓ ଅନୁସନ୍ଧାନ ସାମଗ୍ରୀ, ଲାବ୍ ସରଞ୍ଜାମ, ନିର୍ମାଣ ସାମଗ୍ରୀ ଇତ୍ୟାଦି ଉପରେ ଲାଗୁଥିବା ଭାଟ, ୱାର୍କ କଣ୍ଟ୍ରାକ୍ଟ ଟିକସ, ଷ୍ଟାମ୍ପ ଡ୍ୟୁଟି, ପ୍ରବେଶ କର ଭଳି ରାଜ୍ୟ ସରକାରଙ୍କ ସମସ୍ତ ପ୍ରକାର ଲେଭି, ଟିକସ, ଡ୍ୟୁଟିକୁ ଛାଡ଼ କରିବା ଲାଗି ପ୍ରତିଶ୍ରୁତି ପ୍ରଦାନ, (୭) ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରୁ ଏନଓସି ଏବଂ କେନ୍ଦ୍ର ସରକାରଙ୍କ ନିକଟରୁ ବିଭିନ୍ନ ଅନୁମତି ହାସଲରେ ସମସ୍ତ ପ୍ରକାର ସାହାଯ୍ୟର ପ୍ରତିଶ୍ରୁତି, (୮) ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ପରିବେଶ ସଂକ୍ରାନ୍ତୀୟ ଇଆଇଏ ଓ ଇଏମପି ହାସଲ କରିବା ପାଇଁ ସହଯୋଗର ପ୍ରତିଶ୍ରୁତି, (୯) ପର୍ଯ୍ୟାପ୍ତ ପରିମାଣରେ ଜଳ ଓ ବିଦ୍ୟୁତ ଶକ୍ତି ଯୋଗାଇଦେବା ଲାଗି ପ୍ରତିଶ୍ରୁତି।
ସୁପ୍ରିମକୋର୍ଟ ତାଙ୍କ ରାୟରେ କଡ଼ା ଟିପ୍ପଣୀ କରିଛନ୍ତି, “ଗୋଟିଏ ଟ୍ରଷ୍ଟ / କମ୍ପାନୀ ସପକ୍ଷରେ ସରକାର ଏପରି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିବା ଆଦୌ ପ୍ରଶଂସନୀୟ ନୁହେଁ। ଏହିପରି, ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା ଓ ସୁବିଧା ପ୍ରଦାନ, ଯାହା ସବୁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ହୋଇଥିଲା, ପକ୍ଷପାତ ଦ୍ୱାରା ଦୂଷିତ ହେବା ସହ ଭାରତୀୟ ସମ୍ୱିଧାନର ଧାରା ୧୪ (ସମାନତାର ଅଧିକାର)ର ବିରୋଧାଚରଣ କରୁଛି।” “…ସମଗ୍ର ଅଧିଗ୍ରହଣ ପ୍ରକ୍ରିୟା, ଯାହା ୧୮୯୪ର ଆଇନରେ ଥିବା ବୈଧାନିକ ସର୍ତ୍ତ ଓ ୧୯୬୩ର ନିୟମର ଅନୁପାଳନ ନ ହୋଇ ପ୍ରଦୂଷିତ ହୋଇଛି ଓ ଅନୈତିକତା ଏବଂ ପକ୍ଷପାତିତାରେ କଳୁଷିତ ହୋଇଛି, ତହିଁର ପ୍ରାସଙ୍ଗିକ ଦିଗଗୁଡ଼ିକ ପ୍ରତି ଧୀଶକ୍ତିର ପ୍ରୟୋଗ କରାଯାଇ ନଥିବାର ଏହା ହେଉଛି ଏକ ସ୍ପଷ୍ଟ ମାମଲା।”
ସମ୍ଭବତଃ ଓଡ଼ିଶା ସରକାର ଏଥି ପୂର୍ବରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଏତେ କଡ଼ା ଶବ୍ଦରେ କେବେ ହେଲେ ଭର୍ତ୍ସିତ ହୋଇନଥିଲେ। ସାଧାରଣତଃ ଜମି ଅଧିଗ୍ରହଣ ସମୟରେ ରାଜ୍ୟ ଓ କେନ୍ଦ୍ର ସରକାର ଜନହିତ ଓ ରାଜ୍ୟ ବା ଦେଶ ସ୍ୱାର୍ଥରେ ତାହା କରାଯାଉଛି ବୋଲି କହିଥାଆନ୍ତି। କିନ୍ତୁ ଜନହିତ ବା ରାଜ୍ୟସ୍ୱାର୍ଥରେ ନହୋଇ ବି କେବଳ ଗୋଟିଏ ଘରୋଇ ସଂସ୍ଥାର ସ୍ୱାର୍ଥସିଦ୍ଧି ଲାଗି ସରକାର ଜମି ଅଧିଗ୍ରହଣ କରିବାକୁ କେଉଁ ସ୍ତରକୁ ଯାଇପାରନ୍ତି ଉପରୋକ୍ତ ମାମଲାଟି ତହିଁର ଏକ ଜ୍ୱଳନ୍ତ ଉଦାହରଣ। ରାଜ୍ୟରେ ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଲାଗି ଶିଳ୍ପପ୍ରତିଷ୍ଠାକୁ ସୁଗମ କରିବା ଆଳରେ ପୁଞ୍ଜିପତି ଓ ଶିଳ୍ପପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରୟାସ ହେଉଛି ଓ ହେବା ଆବଶ୍ୟକ ମଧ୍ୟ। ତେବେ ବିତ୍ତଶାଳୀ ପୁ଼ଞ୍ଜିପତିଟିଏ ମିଳିଗଲେ ନିଜକୁ କୃତ୍ୟକୃତ୍ୟ ମନେ କରି ରାଜ୍ୟର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ସରକାରୀ ତନ୍ତ୍ର ସ୍ୱାଗତ ପାଇଁ ‘ନମସ୍କାର’ ବଦଳରେ ‘ଦଣ୍ଡବତ ମୁଦ୍ରାରେ ଭୂପତିତ ହେବା’ ଯୁକ୍ତିଯୁକ୍ତ କି?
ଅନେକ କ୍ଷେତ୍ରରେ ତ ଏହିପରି କିଛି ଶିଳ୍ପପତି ଆବଶ୍ୟକତାଠାରୁ ଅଧିକ ପରିମାଣର ଜମି ହାତେଇଥିବାର ଅଭିଯୋଗମାନ ଶୁଣିବାକୁ ମିଳିଥାଏ। ଆଶା କରାଯାଏ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଭବିଷ୍ୟତରେ ଅନ୍ତତଃ କୌଣସି କମ୍ପାନୀ ପାଇଁ ଜମି ଅଧିଗ୍ରହଣ ବେଳେ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ ନକରି ଯଥୋଚିତ ଅଧ୍ୟବସାୟ (ଡ୍ୟୁ ଡିଲିଜେନ୍ସ)ର ଅନୁପାଳନ ପ୍ରତି ଗୁରୁତ୍ୱ ଦେବେ। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ଲାଗି ଉପଲବ୍ଧ ସୀମିତ ପରିମାଣର ମୂଲ୍ୟବାନ ଜମି ଯେପରି ସରକାରଙ୍କ କତିପୟ ଅସାଧୁ ଅଧିକାରୀଙ୍କ ସହାୟତାରେ ଅଯଥାରେ ମୁଷ୍ଟିମେୟ ପୁଞ୍ଜିପତି ଓ ଶିଳ୍ପପତିଙ୍କ ଦଖଲକୁ ଚାଲି ନଯାଏ ସେଥିପ୍ରତି ନାଗରିକ ସମାଜ ମଧ୍ୟ ସତର୍କ ରହିବା ଆବଶ୍ୟକ। ଭବିଷ୍ୟତରେ କୌଣସି ପ୍ରକଳ୍ପ ଲାଗି ଘରୋଇ ସଂସ୍ଥା ବା କମ୍ପାନୀଙ୍କ ପାଇଁ ଜମି ଅଧିଗ୍ରହଣ ବା ଜମି ଆବଣ୍ଟନ କରାଯିବା ପୂର୍ବରୁ ନାଗରିକ ସମାଜର ସମ୍ପୃକ୍ତିରେ ‘ସାମାଜିକ ନିରୀକ୍ଷଣ’ (ସୋସିଆଲ ଅଡ଼ିଟ) ବ୍ୟବସ୍ଥାକୁ ଅନିବାର୍ଯ୍ୟ କରାଯିବା ଆବଶ୍ୟକ।
ଏବେ ପୁରୀ ଓ ଗୋପ ତହସିଲର ୨୨ଟି ମୌଜାର ୬,୦୦୦ ଚାଷୀଙ୍କ ନିକଟରୁ ଅଧିଗୃହୀତ ଜମି ତୁରନ୍ତ ସମ୍ପୃକ୍ତ ଜମିମାଲିକମାନଙ୍କୁ ଫେରସ୍ତ କରିବା ଲାଗି ପ୍ରାଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇବା ବିଧେୟ। ଏଥିସହ ଅନୀଲ ଅଗ୍ରୱାଲ ଫାଉଣ୍ଡେସନକୁ ହସ୍ତାନ୍ତରିତ ୪୯୫ ଏକର ସରକାରୀ ଜମି ମଧ୍ୟ ତୁରନ୍ତ ପ୍ରତ୍ୟାହୃତ ହେବା ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ଏହି ରାୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ପ୍ରତି ଆଞ୍ଚ ଆଣିବାର ଆଶଙ୍କା ଥିଲେ ବି ଓଡ଼ିଶାର ରାଜନୀତି ଏହାଦ୍ୱାରା କିପରି ପ୍ରଭାବିତ ହେବ ତାହା କହିବା ଏବେଠାରୁ କଷ୍ଟକର, କାରଣ ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଜମି ଅଧିଗ୍ରହଣ ମାମଲାରେ ତିନି ପ୍ରମୁଖ ଦଳର କିଛି ନେତା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ସଂଶ୍ଳୀଷ୍ଟ।
ସରଳ କୁମାର ଦାସ
ଭୁବନେଶ୍ଵର, ମୋ- ୯୪୩୭୦୩୮୦୧୫
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।