ସଭ୍ୟପଦ ଗଲା, ଅନୁକମ୍ପା ମିଳିଲା!

ଗୋଟିଏ ଭାଷଣ ଉପରେ ମାନହାନି ମକଦ୍ଦମା ଜରିଆରେ କୌଣସି ବ୍ୟକ୍ତିଙ୍କୁ ଦୁଇବର୍ଷର ସଜ୍ଜା ହୋଇଥିବାର କୌଣସି ତଥ୍ୟ କେହି ଉପସ୍ଥାପିତ କରିନାହାନ୍ତି। ତେଣୁ ରାହୁଳ ଗାନ୍ଧିଙ୍କ ସଦସ୍ୟ ପଦ ଚାଲିଯିବା ପାଇଁ ତାଙ୍କ ବିରୋଧରେ ଦୁଇବର୍ଷର ଜେଲ୍ ଦଣ୍ଡାଦେଶ କରାଯାଇଛି ଓ ସେହି ଅନୁସାରେ ସଦସ୍ୟ ପଦ ଯାଇଛି ବୋଲି ବିଶ୍ୱାସ ହେଉଥିବାରୁ ରାହୁଳଙ୍କ ପ୍ରତି ହଠାତ୍ ଏକ ଅନୁକମ୍ପା ବିଭିନ୍ନ ମହଲରେ ସୃଷ୍ଟି ହୋଇଛି।

Rahul Gandhi

Rahul Gandhi

Debendra Prusty
  • Published: Monday, 27 March 2023
  • Updated: 27 March 2023, 03:28 PM IST

News Highlights

  • ସାଂସଦ ପଦ ହରାଇଲା ପରେ ରାହୁଳ ଗାନ୍ଧିଙ୍କ ସପକ୍ଷରେ ସୃଷ୍ଟି ହୋଇଛି କି ଅନୁକମ୍ପା?
  • ମାନହାନି ମକଦ୍ଦମାରେ ପୂର୍ବରୁ କେବେ କାହାକୁ ୨ ବର୍ଷ ଜେଲ୍‌ଦଣ୍ଡ ହୋଇଛି କି?
  • ରାହୁଳ ଓ କଂଗ୍ରେସ ବିରୋଧୀମାନେ ବି ରାହୁଳଙ୍କ ପ୍ରତି ଅନୁକମ୍ପା ସମର୍ଥନ ଅଜାଡ଼ି ଦେବାର ଅର୍ଥ କ’ଣ?

Sports

Latest News

କ୍ରମାଗତ ଦୁଇଟି ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ଓ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ବିଜେପି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ କ୍ଷମତା ଦଖଲ ପରେ କେନ୍ଦ୍ରୀୟ କଂଗ୍ରେସ ନେତୃତ୍ୱର ଆଉ ଆକର୍ଷଣକାରୀ ଶକ୍ତି ନାହିଁ ବୋଲି ଧାରଣା ସୃଷ୍ଟି ହୋଇଥିଲା। ଉଭୟ ୨୦୧୪ ଓ ୨୦୧୯ ନିର୍ବାଚନରେ ରାହୁଳ ଗାନ୍ଧି ହିଁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଧରି ନିଆଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ରାହୁଳ ଗାନ୍ଧି କଂଗ୍ରେସ ଦଳର ଜାତୀୟ ଅଧ୍ୟକ୍ଷ ରହିଥିଲେ। କିନ୍ତୁ ତା’ ସତ୍ତ୍ୱେ କଂଗ୍ରେସ ଦଳ ୨୦୧୪ ପରି ୨୦୧୯ରେ ମଧ୍ୟ ଲୋକସଭାରେ ସ୍ୱୀକୃତିପ୍ରାପ୍ତ ବିରୋଧୀ ଦଳ ପାଇଁ ଆସନ ହାସଲ କରିପାରିଲା ନାହିଁ। ନିଜେ ରାହୁଲ ଗାନ୍ଧି ୨୦୧୯ରେ ପାରମ୍ପାରିକ ଆମେଥି ଆସନରେ ପରାଜିତ ହୋଇଥିଲେ। ଯଦିଓ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେରଳର ଅନ୍ୟ ଏକ ଆସନ ୱାଇନାଡ଼ରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ବିଜେପି ସହିତ ଯେଉଁ ସବୁ ରାଜ୍ୟମାନଙ୍କରେ କଂଗ୍ରେସର ସିଧାସଳଖ ପ୍ରତିଦ୍ୱନ୍ଦ୍ୱୀ ହୋଇଥିଲା ସେଥିମଧ୍ୟରୁ ପ୍ରାୟ ୮୫ ଭାଗ ଆସନରେ କଂଗ୍ରେସ ପ୍ରାର୍ଥୀ ପରାଜିତ ହୋଇଥିଲେ।

ଏହିସବୁ କାରଣରୁ ରାହୁଳ ଗାନ୍ଧିଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ପୂର୍ବରୁ ସେ ୨୦୧୯ ନିର୍ବାଚନ ପରାଜୟର ନୈତିକ ଦାୟିତ୍ୱ ବହନ କରି କଂଗ୍ରେସ ସଭାପତି ଆସନରୁ ବିଦାୟ ନେଇଥିଲେ। ସୋନିଆ ଗାନ୍ଧିଙ୍କ ବାର୍ଦ୍ଧକ୍ୟ ଅବସ୍ଥା ସହିତ ଅସୁସ୍ଥତା ଯୋଗୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱରେ ଏକ ସଂକଟ ଦେଖାଯାଇଥିଲା। ଏହି କାରଣରୁ ଦଳ ଭିତରେ ପ୍ରାୟ ୨୩ ଜଣ ବରିଷ୍ଠ କଂଗ୍ରେସ ନେତା ସାଂଗଠନିକ ଅବ୍ୟବସ୍ଥା ନେଇ ଦଳର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କୁ ପତ୍ର ଲେଖିଥିଲେ। ସେମାନଙ୍କ ପତ୍ରରେ ମୋଟାମୋଟି ଭାବରେ ରାହୁଳ ଗାନ୍ଧିଙ୍କ ନେତୃତ୍ୱ ଓ ଦଳ ପରିଚାଳନା ନେଇ ପ୍ରଶ୍ନ ଉତ୍ଥାପନ କରିଥିଲେ। ଏହି ସମୟରେ ଉତ୍ତର ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଆସାମ ଓ ଗୋଆ ପ୍ରଭୃତି ରାଜ୍ୟରେ ଯେଉଁ ନିର୍ବାଚନ ହେଲା ସେଥିରେ କଂଗ୍ରେସର ଦୁର୍ଦ୍ଦଶା ଅଧିକ ପ୍ରତିଫଳିତ ହେଲା। କଂଗ୍ରେସ ପଞ୍ଜାବରୁ କ୍ଷମତା ହରାଇଲା। ଏଥି ଯୋଗୁ ରାହୁଳ ଗାନ୍ଧିଙ୍କ ବିରୋଧରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି ପାଇଁ ଅବକାଶ ସୃଷ୍ଟି ହେଲା। ଯଦିଓ ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଜିଏସଟି, ବିମୁଦ୍ରାକରଣ, ଦରଦାମ ବୃଦ୍ଧି, ବେକାରୀ ପ୍ରସଂଗଗୁଡ଼ିକ ସହିତ ଚୀନ୍ ସୀମାନ୍ତରେ ବା ଲଦାଖରେ ଭାରତୀୟ ଅଞ୍ଚଳକୁ ଚୀନ୍ ସେନା ପ୍ରବେଶ କରିବା ନେଇ ସେ ବରାବର କେନ୍ଦ୍ର ସରକାରଙ୍କୁ ସମାଲୋଚନା କରୁଥିଲେ। ଜାତୀୟ ଗଣମାଧ୍ୟମ ତାଙ୍କୁ ବିଶେଷ ଗୁରୁତ୍ୱ ଦେଉନଥିଲେ ମଧ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ରାହୁଳ ଗାନ୍ଧି ବରାବର ମୋଦି ସରକାରଙ୍କ ଦୁର୍ବଳତାକୁ ଖୋଲାଖୋଲି ପ୍ରକାଶ କରୁଥିଲେ।

ଏହି ସମୟରେ କଂଗ୍ରେସ ଦଳ ପକ୍ଷରୁ ରାହୁଳଙ୍କ ନେତୃତ୍ୱରେ ଭାରତଯୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କନ୍ୟାକୁମାରୀଠାରୁ ଶ୍ରୀନଗର ପର୍ଯ୍ୟନ୍ତ ଦୀର୍ଘ ୩୬୦୦ କିଲୋମିଟରର ରାସ୍ତାକୁ ସେ ପାଦରେ ଚାଲି ଚାଲି ଓ ସବୁ ସ୍ଥାନରେ ହଜାର ହଜାର ଲୋକଙ୍କ ଗହଣରେ ୧୦୦ ଦିନରେ ଅତିକ୍ରମ କରିଥିଲେ। ଏହି ଭାରତଯୋଡ଼ ଯାତ୍ରାରେ ସେ କ୍ଷମତା ପାଇଁ ତାଙ୍କର ଏହା ପଦଯାତ୍ରା ନକହି ଭାରତୀୟ ସମାଜକୁ ଭାଗ ଭାଗ କରିଦେବା ପାଇଁ ଚାଲିଥିବା ଉଦ୍ୟମ ବିରୋଧରେ ସମସ୍ତଙ୍କୁ ଏକାଠି କରିବା ତାଙ୍କର ଲକ୍ଷ୍ୟ ବୋଲି କହୁଥିଲେ। ହିନ୍ଦୁ-ମୁସଲମାନ ବିଭାଜନ ପ୍ରସଂଗ ଜରିଆରେ ଲୋକମାନଙ୍କର ଦରବୃଦ୍ଧି ଓ ବେକାରୀ ପ୍ରଭୃତି ସମସ୍ୟା ସହିତ କୃଷକମାନଙ୍କର ସମସ୍ୟାକୁ ଏଡ଼ାଇ ଦିଆଯାଉଥିବା ପ୍ରସଂଗଗୁଡିକ ଯାତ୍ରା ସମୟରେ ଉତ୍ଥାପନ କରି କ୍ରୋନି ପୁଞ୍ଜିବାଦ ଜରିଆରେ ମୁଷ୍ଟିମେୟ ବଡ଼ କମ୍ପାନୀଗୁଡିକୁ କିପରି ଆଖିବୁଜା ସହାୟତା ଦିଆଯାଉଛି, ସେସବୁ ବିଷୟରେ ଉଲ୍ଲେଖ କରି ଆଦାନୀ-ଅମ୍ବାନୀ ପ୍ରସଂଗ ଉଠାଉଥିଲେ।

ଭାରତଯୋଡ଼ ଯାତ୍ରାର ସଫଳତା ପରେ ରାହୁଳ ଗାନ୍ଧିଙ୍କର ଏକ ନୂଆ ଭାବମୂର୍ତ୍ତୀ ହାସଲ ହୋଇଥିଲା। କାରଣ ଏହିଯାତ୍ରା ସମୟରେ ଭାରତର ଖ୍ୟାତାନାମା ଲେଖକ, କଳାକାର, ସାମାଜିକ କର୍ମୀ ଓ ଚଳଚ୍ଚିତ୍ର ଅଭିନେତା ଅଭିନେତ୍ରୀମାନେ ଭାରତଯୋଡ଼ ଯାତ୍ରାରେ ସାମିଲ ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହି ସମୟରେ ହୋଇଥିବା ନିର୍ବାଚନରେ ଗୁଜରାଟରେ କଂଗ୍ରେସର ବିପର୍ଯ୍ୟୟ ହୋଇଥିଲେ ମଧ୍ୟ ହିମାଚଳ ପ୍ରଦେଶରେ କଂଗ୍ରେସ କ୍ଷମତା ହାସଲ କରିଥିଲା। ଯଦିଓ ରାହୁଳଙ୍କ ଭାରତଯୋଡ଼ ଯାତ୍ରାର ଏହା ଉପରେ ବିଶେଷ ପ୍ରଭାବ ନଥିଲା ଓ ରାହୁଳଙ୍କୁ କେନ୍ଦ୍ର କରି କଂଗ୍ରେସର ସାଂଗଠନିକ ଶକ୍ତି ବୃଦ୍ଧି ହେଉଥିବାର ବିଶେଷ ସୂଚନା ମିଳିନଥିଲା। କିନ୍ତୁ ଭାରତଯୋଡ଼ ଯାତ୍ରା ସମୟରେ ରାହୁଳ ଗାନ୍ଧି ଯେଉଁସବୁ ପ୍ରସଂଗ ଉଠାଇଥିଲେ ତାହାକୁ ଆହୁରି ଶାଣିତ କରିବା ପାଇଁ ପାର୍ଲାମେଂଟର ବଜେଟ୍ ଅଧିବେଶନର ପ୍ରଥମ ଭାଗରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରାୟ ୫୦ ମିନିଟରୁ ଊର୍ଦ୍ଧ୍ୱ ସମୟ ଭାଷଣ ଦେଇ କିପରି ଭାବରେ ମୋଦିଙ୍କ ଶାସନ କାଳରେ ବିଶ୍ୱର ୬୦୯ ସ୍ଥାନରେ ଥିବା ଗୌତମ ଆଦାନୀଙ୍କର ସଂପତ୍ତି ବିଶ୍ୱ ଧନୀକ ତାଲିକାରେ ଦୁଇ ନମ୍ବର ସ୍ଥାନରେ ପହଂଚିଲା, ସେ ବିଷୟରେ ଶାଣିତ ଅଭିଯୋଗ କରିଥିଲେ। ସେତେବେଳକୁ ଆମେରିକାର ଏକ ଗବେଷଣା ସଂସ୍ଥା ହିଣ୍ଡେନବର୍ଗ ଆଦାନୀ କିପରି ଭାବରେ ଅଳ୍ପ ସମୟ ଭିତରେ ଏତେବଡ଼ ଧନୀ ବ୍ୟକ୍ତିରେ ପରିଣତ ହୋଇଛନ୍ତି, ସେ ସଂପର୍କରେ ୮୦ରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ କରିଥିଲା। ରାହୁଲ ଗାନ୍ଧି ପାର୍ଲାମେଂଟ ଭାଷଣରେ ଗୌତମ ଆଦାନୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସଂପର୍କ ନେଇ ବିମାନ ଫଟୋ ଦେଖାଇବା ସହିତ ବିମାନ ବନ୍ଦର, ସମୁଦ୍ର ବନ୍ଦର, ବିଦ୍ୟୁତ, କୋଇଲା, ଗ୍ରୀନ୍ ଏନର୍ଜି, ସିମେଂଟ ଓ ଦେଶରକ୍ଷା ସାମଗ୍ରୀ ପ୍ରସ୍ତୁତ ସହିତ ସବୁକ୍ଷେତ୍ରରେ ସରକାରୀ ସାହାଯ୍ୟ ଯୋଗୁ ପ୍ରବେଶ କରିଛନ୍ତି ତାହା ଉଲ୍ଲେଖ କରିଥିଲେ। ବାସ୍ତବରେ ରାହୁଳଙ୍କ ଭାଷଣର ଅନେକ ଭାଗକୁ ବାଚସ୍ପତି ବିବରଣୀରୁ ବାଦ୍ ଦେଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏସବୁ ବିଷୟରେ ପଦୁଟିଏ କହିନଥିଲେ।

ଏହି ସମୟରେ ରାହୁଳ ଗାନ୍ଧିଙ୍କ ବିରୋଧରେ ୨୦୧୯ ନିର୍ବାଚନରେ ସେ କର୍ଣ୍ଣାଟକରେ ଦେଇଥିବା ଏକ ଭାଷଣରେ ମୋଦି ସାଙ୍ଗିଆଧାରୀଙ୍କୁ ଚୋର ବୋଲି ଉଲ୍ଲେଖ କରି ଯେଉଁ ମନ୍ତବ୍ୟ ଦେଇଥିଲେ ତାହା ଉପରେ ଗୁଜରାଟର ସୁରଟରେ ବିଜେପି ବିଧାୟକ ଥିବା ଜଣେ ମୋଦି ମାନହାନି ମାମଲା କରିଥିଲେ। ସେହି ମାମଲାରେ ଗତ ୪ ବର୍ଷ ଧରି କୌଣସି ଅଗ୍ରଗତି ହୋଇନଥିଲେ ମଧ୍ୟ ଆଦାନୀଙ୍କ ବିରୋଧରେ ପାର୍ଲାମେଂଟରେ ରାହୁଲ ଗାନ୍ଧି ଫେବୃଆରୀ ୬ରେ ଭାଷଣ ପରେ ସେହି ମାମଲା ଫେବୃଆରୀ ୧୭ରୁ ତ୍ୱରାନ୍ୱିତ ହୋଇଥିଲା। ଗୋଟିଏ ମାସ ମଧ୍ୟରେ ମାମଲାର ଚୂଡ଼ାନ୍ତ ବିଚାର ଶେଷ କରିଦିଆଯାଇ ଗତ ସପ୍ତାହରେ ସୁରଟ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷର ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସାଧାରଣତଃ କୌଣସି ମାନହାନି ସଂପର୍କୀୟ ଅପରାଧମୂଳକ ମାମଲାରେ କେହି ଦୋଷୀ ସାବ୍ୟସ୍ତ ହେଲେ ମଧ୍ୟ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ପାଆନ୍ତି। ଅନେକ ଆସାମୀମାନଙ୍କୁ କେବଳ ଭର୍ତ୍ସନା କରାଯାଇ ଖଲାସ କରିଦିଆଯାଏ। କିନ୍ତୁ ରାହୁଳଙ୍କ କ୍ଷେତ୍ରରେ ପ୍ରଥମଥର ପାଇଁ ଏହି ଅପରାଧମୂଳକ ମାନହାନି ମାମଲାରେ ତାଙ୍କୁ ଆଇନରେ ଥିବା ବ୍ୟବସ୍ଥାରେ ସର୍ବୋଚ୍ଚ ଦଣ୍ଡାଦେଶ ଦୁଇବର୍ଷ ଜେଲ୍ ଦଣ୍ଡ ସହିତ ଜରିମାନା ପାଇଁ ଆଦେଶ ପ୍ରକାଶ ପାଇଲା। ଏହି ଅପରାଧୀ ମାମଲାର ଗୁରୁତ୍ୱକୁ ଦେଖିଲେ ଓ ଏହିସବୁ ମାମଲା ଯେପରି ପରିଚାଳିତ ହୁଏ ସେସବୁକୁ ଅନୁଧ୍ୟାନ କଲେ ସର୍ବାଧିକ ୨ ବର୍ଷର ଜେଲ୍ ଦଣ୍ଡାଦେଶକୁ ସହଜରେ କେହି ଗ୍ରହଣ କରିପାରୁ ନାହାନ୍ତି। କିନ୍ତୁ ଏହି ଆଦେଶ ପ୍ରକାଶ ପରେ ରାହୁଳଙ୍କୁ ଜାମିନ ପ୍ରଦାନ କରାଯାଇ ଏକ ମାସ ଭିତରେ ଅପିଲ୍ ପାଇଁ ସୁଯୋଗ ଦିଆଯାଇଥିବା ସତ୍ତ୍ୱେ ଆଦେଶର ୨୪ ଘଂଟା ନପୂରୁଣୁ ରାହୁଳଙ୍କୁ ପାର୍ଲାମେଂଟର ସଦସ୍ୟତା ପଦରୁ ବହିଷ୍କାର କରାଯାଇଛି।

ରାହୁଳ ଗାନ୍ଧିଙ୍କ ବିରୋଧରେ ନ୍ୟାୟିକ ପ୍ରକ୍ରିୟାରେ ଦଣ୍ଡାଦେଶ ହୋଇଥିବା ଓ ସେହି ଆଇନ୍ ବଳରେ ତାଙ୍କୁ ଲୋକସଭା ସଦସ୍ୟ ପଦରୁ ବହିଷ୍କାର କରାଯାଇଥିବା କୁହାଯାଉଥିଲେ ମଧ୍ୟ ସରକାର ବା ପାର୍ଲାମେଂଟ ତରବରିଆ ଭାବରେ ତାଙ୍କୁ ସଦସ୍ୟ ପଦରୁ ବହିଷ୍କାର କରିଥିବାର ଅଭିଯୋଗ ପାଇଁ ପ୍ରକୃଷ୍ଟ କ୍ଷେତ୍ର ରହିଛି। ନ୍ୟାୟିକ ପ୍ରକ୍ରିୟାରେ ସମସ୍ତ କାର୍ଯ୍ୟ ହୋଇଥିବା ଓ ରାହୁଳ ଗାନ୍ଧି ମୋଦି ସଂପ୍ରଦାୟକୁ ଚୋର କରିଥିବା ଯୋଗୁ ପଛୁଆ ବର୍ଗଙ୍କୁ ଅପମାନିତ କରିଥିବା ଅଭିଯୋଗକୁ ସହଜରେ ଅନେକ ଗ୍ରହଣ କରୁନାହାନ୍ତି। କାରଣ ୨୦୧୯ରେ ସେ ଦେଇଥିବା ବକ୍ତବ୍ୟ ଉପରେ ସେ ପଛୁଆ ବର୍ଗଙ୍କୁ ଆକ୍ରମଣ କରିଥିବା କଥା କେବେ ବି ପୂର୍ବରୁ କେହି କହିନାହାନ୍ତି। ଅପରପକ୍ଷରେ ରାହୁଲ ଗାନ୍ଧି ନେତା ଥିବା ସମୟରେ ଯେଉଁ ରାଜ୍ୟମାନଙ୍କରେ କଂଗ୍ରେସ ସରକାର ଗଠିତ ହୋଇଛି ସେଥିରୁ ରାଜସ୍ଥାନ, ଛତିଶଗଡ଼ ଓ କିଛି ସମୟ ପାଇଁ ମଧ୍ୟ ପ୍ରଦେଶରେ ପଛୁଆ ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଆଯାଇଛି। ଅପରପକ୍ଷରେ ଗୋଟିଏ ଭାଷଣ ଉପରେ ମାନହାନି ମକଦ୍ଦମା ଜରିଆରେ କୌଣସି ବ୍ୟକ୍ତିଙ୍କୁ ଦୁଇବର୍ଷର ସଜ୍ଜା ହୋଇଥିବାର କୌଣସି ତଥ୍ୟ କେହି ଉପସ୍ଥାପିତ କରିନାହାନ୍ତି। ତେଣୁ ରାହୁଳ ଗାନ୍ଧିଙ୍କ ସଦସ୍ୟ ପଦ ଚାଲିଯିବା ପାଇଁ ତାଙ୍କ ବିରୋଧରେ ଦୁଇବର୍ଷର ଜେଲ୍ ଦଣ୍ଡାଦେଶ କରାଯାଇଛି ଓ ସେହି ଅନୁସାରେ ସଦସ୍ୟ ପଦ ଯାଇଛି ବୋଲି ବିଶ୍ୱାସ ହେଉଥିବାରୁ ରାହୁଳଙ୍କ ପ୍ରତି ହଠାତ୍ ଏକ ଅନୁକମ୍ପା ବିଭିନ୍ନ ମହଲରେ ସୃଷ୍ଟି ହୋଇଛି।

ରାହୁଳ ଗାନ୍ଧି ଲଣ୍ଡନ ଗସ୍ତରେ ଯାଇ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ସମେତ ଭାରତୀୟ ସାମ୍ବାଦିକମାନଙ୍କ ଏକ ଆସୋସିଏସନ୍ ବୈଠକରେ ଭାରତର ଗଣତନ୍ତ୍ର ବିପଦରେ ଥିବା ବିଷୟରେ ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭାରତ ବିରୋଧୀ ବୋଲି ବିଜେପି ଅଭିଯୋଗ କରି ସେ କ୍ଷମା ମାଗିବାକୁ ଜିଦ୍ ଧରି ବସିଥିଲା। ରାହୁଳ ଗାନ୍ଧି ଏ ସଂକ୍ରାନ୍ତରେ ଏକ ବ୍ୟକ୍ତିଗତ ସ୍ପଷ୍ଟୀକରଣ ପାଇଁ ବାଚସ୍ପତିଙ୍କଠାରୁ ଅନୁମତି ଚାହିଁଥିଲେ। କିନ୍ତୁ ତାହା ସମ୍ଭବ ହୋଇନଥିଲା। ପାର୍ଲାମେଂଟର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଏହି ରାହୁଳ ଗାନ୍ଧି କ୍ଷମା ମାଗନ୍ତୁ ବୋଲି ଦାବି ଉପରେ କ୍ରମାଗତ ଭାବରେ ଦୁଇସପ୍ତାହ ଅଚଳ ହେବା ଭିତରେ ବିନା ଆଲୋଚନାରେ କେନ୍ଦ୍ରୀୟ ବଜେଟ୍ ଗୃହୀତ ହୋଇଛି। ଏହି ପରିପ୍ରେକ୍ଷୀରେ ରାହୁଳ ଗାନ୍ଧିଙ୍କ ବିରୋଧରେ ସୁରଟ ଅଦାଲତରେ ଦଣ୍ଡାଦେଶ ଓ ତାହାକୁ ଭିତ୍ତି କରି ତାଙ୍କୁ ସଦସ୍ୟ ପଦରୁ ହଟାଇ ଦିଆଯିବା ଘଟଣାରେ ସ୍ୱଭାବିକ ଭାବରେ ତାଙ୍କ ପ୍ରତି ଅନୁକମ୍ପା ସୃଷ୍ଟି ହୋଇଛି। ଯେଉଁ ବିରୋଧୀ ଦଳ ନେତାମାନେ କଂଗ୍ରେସ ଦଳକୁ ବା ରାହୁଳ ଗାନ୍ଧିଙ୍କୁ ସହ୍ୟ କରନ୍ତି ନାହିଁ, ସେହି ଦଳର ନେତାମାନେ ମଧ୍ୟ ରାହୁଳଙ୍କୁ ବହିଷ୍କାର କରାଯିବା ଗଣତନ୍ତ୍ର ଉପରେ ଏକ ପ୍ରଚଣ୍ଡ ଆକ୍ରମଣ ବୋଲି ଅଭିହିତ କରିଛନ୍ତି।

ମୋଟାମୋଟି ଭାବରେ ଆମ୍ ଆଦମୀ ପାର୍ଟିଠାରୁ ଆରମ୍ଭ କରି ସମାଜବାଦୀ ପାର୍ଟି, ମମତା ବାନାର୍ଜୀ, କେସିଆର୍, ଷ୍ଟାଲିନ୍, ଏନସିପି ଓ କମ୍ୟୁନିଷ୍ଟ ପାର୍ଟି ସମେତ ସବୁ ଅଣ-ବିଜେପି ଦଳ ରାହୁଳ ଗାନ୍ଧିଙ୍କ ବହିଷ୍କାର ଆଦେଶକୁ ନିନ୍ଦା କରିଛନ୍ତି। ଆଇନଗତ ଭାବରେ ଏହି ଲଢ଼େଇର ନିଷ୍ପତ୍ତି ଉଚ୍ଚ ଅଦାଲତରେ ହେବ। କିନ୍ତୁ ରାଜନୈତିକ ସ୍ତରରେ ସମୁଦାୟ ପରିବେଶଟି ରାହୁଳଙ୍କ ଅନୁକୂଳ ହୋଇଛି। ଫଳରେ ରାହୁଳ ଅନୁକମ୍ପା ପାଇବା ସହିତ ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ବିରୋଧୀ ଦଳମାନଙ୍କ ପ୍ରୟାସରେ ସେ ମୁଖ୍ୟ ସ୍ରୋତ ହେବାର ସମ୍ଭାବନା ସୃଷ୍ଟି ହୋଇଛି।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos