/odisha-reporter/media/post_attachments/uploadimage/library/16_9/16_9_0/IMAGE_1755331179.jpg)
Gaza Facing Starvation
ଦେବ ରଞ୍ଜନ
କୌଣସି ଏକ ଭୂଖଣ୍ଡକୁ ଅକ୍ତିଆର କରିବା ଲାଗି ଏହାର ମୂଳନିବାସୀଙ୍କୁ ଦେଶାନ୍ତର କରାଇବା କୌଣସି ସଭ୍ୟତାର ଲକ୍ଷଣ ନୁହେଁ। ଏହା ଆଦୌ ଗଣତନ୍ତ୍ରର ମଧ୍ୟ ଲକ୍ଷଣ ନୁହେଁ। ପାଲେଷ୍ଟାଇନ ଭୂଖଣ୍ଡରେ ଚାଲିଥିବା ଗଣହତ୍ୟା ଓ ଦମନଲୀଳା ପଛରେ ରହିଛି ଏହି ଭୂଖଣ୍ଡକୁ ଅକ୍ତିଆର କରିବାର ଉଦ୍ଦେଶ୍ୟ। ଇସ୍ରାଏଲ ଏହି ହୀନ ଉଦ୍ୟମ ପଛରେ ରହିଛି ଆମେରିକା ଓ ୟୁରୋପର ତଥାକଥିତ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ସମର୍ଥନ। ଗଣତନ୍ତ୍ର କ’ଣ କେବଳ ନିଜ ଦେଶ ମଧ୍ୟରେ ନିର୍ବାଚନ ଭିତରେ ସୀମିତ? ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ସାର୍ବଭୌମତ୍ଵକୁ ଧ୍ଵଂସ କରିବା କେଉଁ ଗଣତନ୍ତ୍ରର ଲକ୍ଷଣ ହୋଇପାରେ?
ଅକ୍ଟୋବର ୭, ୨୦୨୩ରେ ହମାସ ଦ୍ଵାରା ଇସ୍ରାଏଲ ଉପରେ ଆକ୍ରମଣ ଅତ୍ୟନ୍ତ ବର୍ବରତାପୂର୍ଣ୍ଣ ଥିଲା। ଏଥିରେ ୧୩୦୦ ଇସ୍ରାଏଲୀ ନିହତ ହୋଇଥିଲେ। କେତେକ ଇସ୍ରାଏଲୀଙ୍କୁ ପଣ୍ୟବନ୍ଦୀ କରିନିଆଯାଇଥିଲା। ସେ ମଧ୍ୟରୁ ବେଶ କେତେଜଣଙ୍କୁ ଛାଡ଼ି ଦିଆଗଲାଣି। ଏବେ ବି କେତେକ ଇସ୍ରାଏଲବାସୀ ପଣ୍ୟବନ୍ଦୀ ଭାବରେ ହମାସ ଅଧୀନରେ ରହିଛନ୍ତି।
ହମାସର ଏହିଭଳି ଆକ୍ରମଣ ଯଦି ଏକ ଉଗ୍ରବାଦୀ ସଂଗଠନର କାର୍ଯ୍ୟ ହୁଏ ତେବେ ଇସ୍ରାଏଲୀ ସରକାରଙ୍କ ସେନାବାହିନୀ ଦ୍ଵାରା ଯେଉଁ ଗଣହତ୍ୟା ଚାଲିଛି ତାହାକୁ ମଧ୍ୟ ଇସ୍ରାଏଲୀ ଉଗ୍ରବାଦ କୁହାଯିବ। ଗଲା ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନା ଦ୍ଵାରା ୬୨,୦୦୦ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଗଲାଣି। ସେମାନଙ୍କ ମଧ୍ୟରେ ୧୮,୪୩୦ ଜଣ ଶିଶୁ ଅଛନ୍ତି। ଏହି ସମୟ ମଧ୍ୟରେ ୧ ଲକ୍ଷ ୧୧ ହଜାର ଲୋକ ଆହତ ହୋଇଛନ୍ତି। ଏବେ ବି ୧୪,୨୦୦ ଲୋକ ନିରୁଦ୍ଦିଷ୍ଟ ଅଛନ୍ତି। ଏହା କେବଳ ଗଲା ଦୁଇ ବର୍ଷର ସଂଖ୍ୟା।
ଏହାକୁ ଯଦି ଇସ୍ରାଏଲର ପ୍ରତିଶୋଧ ପରାଣୟତା କୁହାଯିବ ଓ ଏଭଳି ଆଚରଣ ଯଥାର୍ଥ ବୋଲି ଯୁକ୍ତି କରାଯିବ ତେବେ ଇସ୍ରାଏଲୀ ଇହୁଦୀଙ୍କ ଉପରେ ଯେଉଁ ଆକ୍ରମଣ ଓ ଗଣହତ୍ୟା ଜର୍ମାନୀର ନାଜିଙ୍କ ଦ୍ଵାରା ହୋଇଥିଲା ତାହା ମଧ୍ୟ ଯଥାର୍ଥ ହେବ ନାହିଁ କି?
ଇହୁଦୀଙ୍କ ସ୍ଥାନାନ୍ତର
ଇସ୍ରାଏଲୀମାନେ ୟୁରୋପରେ ଜିଉ ଓ ଏସିଆରେ ବିଶେଷ କରି ହିନ୍ଦୀ, ଉର୍ଦ୍ଦୁ ଓ ଆରବିକ ଭାଷାରେ ଇହୁଦୀ ଭାବରେ ପରିଚିତ। ଆଜକୁ ଦୁଇ ହଜାର ବର୍ଷ ତଳେ ପାଲେଷ୍ଟାଇନ ଅଞ୍ଚଳରେ ଏହି ଇହୁଦୀଙ୍କ ସଂଖ୍ୟା ବେଶ ଅଧିକ ଥିଲା। ବାଇବେଲର ନିୟୁ ଟେଷ୍ଟାମେଣ୍ଟର କାହାଣୀ ଅନୁସାରେ ଯୀଶୁଙ୍କୁ ଶୂଳୀରେ ଚଢ଼ାଇବା ପଛରେ ଇହୁଦୀଙ୍କ ହାତ ଥିଲା ବୋଲି କାହାଣୀ ରହିଛି। ଏହାକୁ ମୌଳବାଦୀ ଖ୍ରୀଷ୍ଟିୟାନମାନେ ବିଶ୍ଵାସ କରୁଥିଲେ। ଆଜିକୁ ଦୁଇ ହଜାର ବର୍ଷ ତଳେ ଜେରୁଜେଲମ ଅଞ୍ଚଳରେ ଇହୁଦୀଙ୍କର ଗଣହତ୍ୟା ଏହି କାରଣରୁ ହୋଇଥିଲା। ଅନେକ ଇହୁଦୀ ସେହି ସମୟରେ ପୂର୍ବ ୟୁରୋପର ବିଭିନ୍ନ ଅଞ୍ଚଳକୁ ଚାଲିଯାଇଥିଲେ। ଏକ ବଡ଼ ସଂଖ୍ୟାରେ ଇହୁଦୀ ଆଜିର ରୁଷିଆ ଅଞ୍ଚଳକୁ ଯାଇଥିଲେ। ଏହା ଏକ ଶହରୁ ଦୁଇ ଶହ ଶତାବ୍ଦୀ ସମୟର କଥା।
ଇହୁଦୀମାନେ ଏହାପରେ ବିକ୍ଷିପ୍ତ ଭାବରେ ୟୁରୋପ ଓ ଏସିଆର ବିଭିନ୍ନ ଅଞ୍ଚଳରେ ରହୁଥିଲେ। ସେମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିନଥିଲେ କି ଇସଲାମ ଧର୍ମକୁ ମାନୁନଥିଲେ। ରୁଷିଆରେ ଦ୍ଵିତୀୟ ଜାରଙ୍କ ହତ୍ୟା (୧୮୮୧) ପରେ ଇହୁଦୀଙ୍କୁ ହତ୍ୟା କରିବା ପୁଣି ଥରେ ଆରମ୍ଭ ହୋଇଥିଲା। ଇହୁଦୀମାନେ ପୁଣି ରୁଷିଆ ଛାଡ଼ି ବିଶ୍ଵର ଅନ୍ୟ ପ୍ରାନ୍ତକୁ ଯିବାରେ ଲାଗିଲେ। ସେଥିରୁ କେତେକ ପାଲେଷ୍ଟାଇନ ଆସିଥିଲେ। ଏହିଠାରୁ ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନ ଇହୁଦୀଙ୍କୁ ଏକାଠି କରିବା ଆରମ୍ଭ କରିଥିଲା। ହିଟଲରଙ୍କ ଗଣହତ୍ୟା ଏହାକୁ ଆହୁରି ମଜଭୁତ କରିଥିଲା। ଦୁଇ ହଜାର ବର୍ଷ ତଳେ ଛାଡ଼ି ଯାଇଥିବା ଅଞ୍ଚଳକୁ ଇହୁଦୀମାନେ ପୁଣି ଥରେ ଅକ୍ତିଆର କରିବାର ସ୍ଵପ୍ନ ଏହିଭଳି ଦେଖିବା ଓ ପାଲେଷ୍ଟାଇନ ଅଞ୍ଚଳକୁ କବଜା କରିବା ଲାଗି ଯୁଦ୍ଧର ତାଣ୍ଡବଲୀଳା ସୃଷ୍ଟି କରିବା କେତେଦୂର ଯୁକ୍ତିଯୁକ୍ତ?
ନାଜୀ ଆକ୍ରମଣ ଓ ଇହୁଦୀ ଗଣହତ୍ୟା
ଜର୍ମାନୀରେ ୧୯୨୦ ଦଶକରେ ପ୍ରଥମ ବିଶ୍ଵଯୁଦ୍ଧ ପରେ ହିଟଲରଙ୍କ ନାଜି ପାର୍ଟିର ଗଠନ ହୋଇଥିଲା। ସେ ସମୟର ଅର୍ଥନୈତିକ ସଙ୍କଟ ବା ଗ୍ରେଟ ଡିପ୍ରେସନ ହେତୁ ସମଗ୍ର ୟୁରୋପରେ ବେରୋଜଗାରୀ ଚରମ ସୀମାରେ ପହଞ୍ଚିଥିଲା। ଏହି ସମୟରେ ହିଟଲର ପ୍ରଚାର କରିଥିଲେ ଯେ ନାଜୀମାନଙ୍କ ଅଧିକାରକୁ ଇହୁଦୀ ବା ଜୀଉମାନେ ଛଡ଼ାଇ ନେଉଛନ୍ତି। ଏହିଥିରୁ ଦେଶବ୍ୟାପୀ ଇହୁଦୀମାନଙ୍କର ବିରୁଦ୍ଧରେ ଘୃଣା ମାନସିକତା ତିଆରି ହୋଇଥିଲା। ଏହା ଦ୍ୱାରା ହିଟଲରଙ୍କ ନାଜି ପାର୍ଟିର ବିଜୟ ୧୯୩୩ ମସିହାରେ ସମ୍ଭବ ହୋଇପାରିଲା। ଭାରତରେ ଦକ୍ଷିଣପନ୍ଥୀ ଦଳମାନଙ୍କର ଆଦର୍ଶ ହେଉଛି ହିଟଲରଙ୍କ ନାଜି ପାର୍ଟି। ଧର୍ମ ନାମରେ ଘୃଣାର ପ୍ରଚାର ସେମାନେ ହିଟଲରଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ହିଟଲର ସେମାନଙ୍କ ଆଦର୍ଶ।
ସେ ଯାହାହେଉ, ଇହୁଦୀ ବିରୋଧୀ ଘୃଣା ମାନସିକତା ନାଜି ସମୟରେ ପୂର୍ବ ୟୁରୋପରେ ସମ୍ପ୍ରସାରିତ ହୋଇଥିଲା। ପାଖାପାଖି ୬୦ ଲକ୍ଷ ଇହୁଦୀଙ୍କୁ ନାଜି ପାର୍ଟି ଦ୍ଵାରା ହତ୍ୟା କରାଯାଇଥିଲା। ଏହାକୁ ଇତିହାସରେ ହୋଲୋକାଷ୍ଟ (ସଂପୂର୍ଣ୍ଣ ନିଶ୍ଚିହ୍ନ) କୁହାଯାଉଛି। ତାହା ଥିଲା ବିଶ୍ଵ ଇତିହାସର ସବୁଠାରୁ ଦୀର୍ଘ ଓ ସଂଖ୍ୟା ଦୃଷ୍ଟିରୁ ସର୍ବାଧିକ ଗଣହତ୍ୟା। ଏହି ଗଣହତ୍ୟା ଜର୍ମାନୀ, ପୋଲାଣ୍ଡ ଓ ରୁଷିଆରେ ଚାଲିଥିଲା। ବିଶ୍ଵବାସୀଙ୍କୁ ଏହା ସ୍ତମ୍ଭୀଭୂତ କରିଥିଲା।
ଇହୁଦୀମାନଙ୍କ ଗଣହତ୍ୟା ଚାଲିଥିବା ସମୟ ଥିଲା ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟ (୧୯୩୯-୧୯୪୫)। ଏହି ସମୟ ମଧ୍ୟ ଥିଲା ଏସୀୟ ମହାଦେଶରେ ଉପନିବେଶବାଦର ସମୟ। ପାଲେଷ୍ଟାଇନ ଅଞ୍ଚଳ ଇଂଲଣ୍ଡର ଉପନିବେଶ ଥିଲା ଓ ଏହାର ପଡ଼ୋଶୀ ଦେଶ ଲେବାନନ, ସିରିଆ ଇତ୍ୟାଦି ଫ୍ରାନ୍ସର ଉପନିବେଶ ଥିଲେ। ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଇଂଲଣ୍ଡ ସରକାର ଜାହାଜରେ ୟୁରୋପରୁ ଅନେକ ଇହୁଦୀଙ୍କୁ ଆଣି ପାଲେଷ୍ଟାଇନ ଅଞ୍ଚଳରେ ଛାଡ଼ିଥିଲା। ଧନୀ ଇହୁଦୀମାନେ କିନ୍ତୁ ଆମେରିକା ଚାଲିଯାଇଥିଲେ। ସେ ସମୟରେ ଇହୁଦୀ ରାଷ୍ଟ୍ର ଗଠନର ସ୍ଵପ୍ନକୁ ସାକାର କରିବା ଲାଗି ଇହୁଦୀମାନେ ତତ୍ପର ହୋଇଉଠିଥିଲେ। ହୁଏତ ନାଜୀ ହଲୋକାଷ୍ଟ ଇତିହାସରେ ହୋଇନଥିଲେ ପାଲେଷ୍ଟାଇନ ବିବାଦ ଉଠିନଥାନ୍ତା। ପ୍ରବାସୀ ଇହୁଦୀମାନେ ଏହାପରେ ପାଲେଷ୍ଟାଇନ ଭୂଖଣ୍ଡରେ ନିଜର ଆଧିପତ୍ୟ ଜାହିର କରିବା ଆରମ୍ଭ କରିଥିଲେ।
ପାଲେଷ୍ଟାଇନ ପ୍ରତି ଧୋକ୍କା
୧୯୩୦ ଦଶକରେ ପାଲେଷ୍ଟାଇନ ଭୂଖଣ୍ଡରେ ବସବାସ କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ମୁସଲମାନ ଥିଲେ। ସେମାନଙ୍କ ଭାଷା ଥିଲା ଆରବିକ ଓ ବୃତ୍ତି ଥିଲା କୃଷି ଓ ବ୍ୟବସାୟ। ସେହି ସମୟରେ ମାତ୍ର ଏକ ପ୍ରତିଶତ ଇହୁଦୀ ଥିଲେ। ସେମାନଙ୍କ ଧର୍ମ ଥିଲା ଜୁଦାଇଜିମ। ଭାଷା ଥିଲା ହିବୃ। ବାକି ଖ୍ରୀଷ୍ଟିୟାନ ଥିଲେ। ସେତେବେଳେ ଇସ୍ରାଏଲ ରାଷ୍ଟ୍ର ଗଠନ ହୋଇନଥିଲା। ପାଲେଷ୍ଟାଇନ କହିଲେ ତେଲ ଆଭିଭ, ଗାଜା, ୱେଷ୍ଟ ବ୍ୟାଙ୍କ, ଜେରୁଜେଲମ ଓ ରାମଲ୍ଲାଃ ଇତ୍ୟାଦି ଅଞ୍ଚଳକୁ ବୁଝାଉଥିଲା।
ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା। ୧୯୪୮ ବେଳକୁ ସମୁଦାୟ ଇହୁଦୀଙ୍କ ସଂଖ୍ୟା ୧ ପ୍ରତିଶତରୁ ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଯାଇଥିଲା। ପାଲେଷ୍ଟାଇନ ଅଞ୍ଚଳରେ ଇହୁଦୀଙ୍କ ପ୍ରବେଶକୁ ଆରବ ଦେଶମାନେ ପ୍ରତିବାଦ କରିଥିଲେ। କିନ୍ତୁ ନୂତନ ଗଠିତ ଜାତିସଂଘ ଏହାକୁ ଅସ୍ଵୀକାର କରିଥିଲା। ୧୯୪୮ ମସିହାରେ ଜାତିସଂଘ ତରଫରୁ ଅତି ତରବାରିଆ ଭାବରେ ନୁତନ ଇସ୍ରାଏଲ ରାଷ୍ଟ୍ରକୁ ସ୍ଵାଧୀନ ରାଷ୍ଟ୍ରର ମର୍ଯ୍ୟାଦା ଦିଆଯାଇଥିଲା। ସେହି ବର୍ଷ ଜାତିସଂଘ ତରଫରୁ ପାଲେଷ୍ଟାଇନ ବିଭାଜନ ମ୍ୟାପ ମଧ୍ୟ ପ୍ରସ୍ତୁତ କରିଦିଆଯାଇଥିଲା।
ଇହୁଦୀଙ୍କୁ ଯେପରି ଆନ୍ତର୍ଜାତିକ ସମର୍ଥନ ମିଳିପାରିବ ସେଥିଲାଗି ସମଗ୍ର ପାଲେଷ୍ଟାଇନକୁ ଦୁଇ ଭାଗରେ, ଇହୁଦୀ ରାଷ୍ଟ୍ର ଓ ଆରବିକ ରାଷ୍ଟ୍ର, ବିଭାଜନ କରି ନୂତନ ମ୍ୟାପ ୧୯୪୮ରେ ପ୍ରସ୍ତୁତ ହୋଇଥିଲା। ଅଥଚ ଆଜି ବି ମୂଳ ପାଲେଷ୍ଟାଇନକୁ ସଂପୂର୍ଣ୍ଣ ରାଷ୍ଟ୍ରର ମାନ୍ୟତା ଜାତିସଂଘ ତରଫରୁ ଦିଆଯାଉନାହିଁ।
୧୯୩୦ ଦଶକରେ ପାଲେଷ୍ଟାଇନର ସମୁଦାୟ ଭୂଭାଗ ଥିଲା ୨୭,୦୦୦ ବର୍ଗ କିଲୋମିଟର। ଏଥିରେ ସମୁଦାୟ ଇହୁଦୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତ ଥିଲା। କିନ୍ତୁ ୧୯୪୮ ମସିହାର ବିଭାଜନ ପରେ ପାଲେଷ୍ଟାଇନର ଭୂଭାଗ ୨୭,୦୦୦ ବର୍ଗ କିଲୋମିଟରରୁ ଖସି ଆସି ୧୫,୦୦୦ ବର୍ଗ କିଲୋମିଟରରେ ପହଞ୍ଚିଥିଲା। ବାକି ୧୨,୦୦୦ ବର୍ଗ କିଲୋମିଟରରେ ଇସ୍ରାଏଲ ରାଷ୍ଟ୍ର ତିଆରି ହୋଇଥିଲା। ୨୦୨୪ ମସିହା ବେଳକୁ ଇସ୍ରାଏଲ ପାଲେଷ୍ଟାଇନର ଅନେକ ଭାଗକୁ ଅକ୍ତିଆର କରିସାରିଲାଣି। ଏବେ ପାଲେଷ୍ଟାଇନ ଭାଗରେ ମାତ୍ର ୬,୦୦୦ ବର୍ଗ କିଲୋମିଟର ରହିଛି। ଇହୁଦୀଙ୍କ ଲାଗି ୨୧,୦୦୦ ବର୍ଗ କିଲୋମିଟର ରହିଛି। ଏବେ ଇସ୍ରାଏଲ ସେହି ୬,୦୦୦ ବର୍ଗ କିଲୋମିଟରକୁ ମଧ୍ୟ ଅକ୍ତିଆର କରିବା ଲାଗି ଉଦ୍ୟମ କରୁଛି।
ଇସ୍ରାଏଲ ଏବେ ଗାଜାକୁ ସଂପୂର୍ଣ୍ଣ ଅଧିକାର କରିବା ଜାରି ରଖିଛି। ପୂର୍ବରୁ ଜେରୁଜେଲମ ଅକ୍ତିଆର କରିସାରିଥିଲା। ଏବେ ୱେଷ୍ଟ ବ୍ୟାଙ୍କ ଅଞ୍ଚଳରେ ରହିଥିବା ପାଲେଷ୍ଟାଇନଙ୍କୁ ପଡ଼ୋଶୀ ଲେବାନନ ଓ ସିରିଆ ଅଞ୍ଚଳକୁ ଚାଲିଯିବା ଲାଗି ବାଧ୍ୟ କରାଯାଉଛି। ଇହୁଦୀଙ୍କ ପ୍ରତି ନାଜିଙ୍କର ବ୍ୟବହାର ଯାହା ରହିଥିଲା ତାହାର ପୁନରାବୃତ୍ତି ଇହୁଦୀଙ୍କ ଦ୍ଵାରା ପାଲେଷ୍ଟାଇନବାସୀଙ୍କ ଉପରେ କରାଯାଉଛି।
ପାଲେଷ୍ଟାଇନବାସୀଙ୍କ ବିରୋଧ
ଜାତିସଂଘର ବିଭାଜନ ମ୍ୟାପକୁ ପାଲେଷ୍ଟାଇନବାସୀ ସେ ସମୟରେ ବି ବିରୋଧ କରିଥିଲେ, ଆଜି ବି କରୁଛନ୍ତି। ଏହି ବିରୋଧ ମଧ୍ୟରୁ ଷାଠିଏ ଦଶକରେ ‘ପାଲେଷ୍ଟାଇନ ଲିବରେସନ ଅର୍ଗାନାଇଜେସନ’ ବା ପିଏଲଓ ସୃଷ୍ଟି ହୋଇଥିଲା। ପାଲେଷ୍ଟାଇନ ଭୂମିରୁ ଇସ୍ରାଏଲୀମାନଙ୍କୁ ସଂପୂର୍ଣ୍ଣ ବହିଷ୍କାର କରିବାର ସ୍ଲୋଗାନ ଷାଠିଏ ଦଶକରେ ପିଏଲଓ ଦ୍ଵାରା ଦିଆଯାଇଥିଲା। ୧୯୬୭ ମସିହା ପରଠାରୁ ପିଏଲଓର ପ୍ରତିବାଦ, ଯୁଦ୍ଧ ଓ ଆକ୍ରମଣ ତଥା ଇସ୍ରାଏଲ ସରକାରଙ୍କ ସେନାବାହିନୀ ଦ୍ଵାରା ଦମନ ଚାଲିଆସିଛି।
କିଛି ବର୍ଷ ଲାଗି ଆମେରିକା ରାଷ୍ଟ୍ରପତି କ୍ଲିଣ୍ଟନଙ୍କ ସମୟରେ (୧୯୯୩) ପିଏଲଓ ଓ ଇସ୍ରାଏଲ ଶାନ୍ତି ଚୁକ୍ତି କରାଯାଇଥିଲା। ଇସ୍ରାଏଲକୁ କିଛି ଭୂଖଣ୍ଡ ଦେବା ଲାଗି ପାଲେଷ୍ଟାଇନର ପିଏଲଓ କର୍ମକର୍ତ୍ତା ରାଜିହୋଇଥିଲେ। କିନ୍ତୁ ଏହା ସମସ୍ତ ପାଲେଷ୍ଟାଇନବାସୀଙ୍କୁ ଗ୍ରହଣ ହୋଇନଥିଲା। ପାଲେଷ୍ଟାଇନବାସୀଙ୍କୁ ପିଏଲଓ ଧୋକ୍କା ଦେଇଛି ବୋଲି ଅଭିଯୋଗ ଆଣି ନବେ ଦଶକରେ ହମାସ ପାର୍ଟି ପାଲେଷ୍ଟାଇନରେ ସକ୍ରିୟ ହେବାରେ ଲାଗିଲା। ସେମାନେ ଇସ୍ରାଏଲକୁ ଇଞ୍ଚେ ବି ଜମି ଦେବେ ନାହିଁ ବୋଲି ଆନ୍ଦୋଳନ ଆରମ୍ଭ କରିଥିଲେ। ଏଥିରେ କ୍ରମଶଃ ପିଏଲଓ ଦୁର୍ବଳ ହେବାରେ ଲାଗିଲା ଓ ହମାସର ଉତ୍ଥାନ ହେବାରେ ଲାଗିଥିଲା।
୨୦୦୬ ମସିହାରେ ପାଲେଷ୍ଟାଇନ ବିଧାନସଭା କାଉନସିଲ ନିର୍ବାଚନରେ ପିଏଲଓ ସମର୍ଥିତ ଫତାହ ପାର୍ଟିକୁ ପରାସ୍ତ କରି ହମାସ କ୍ଷମତାକୁ ଆସିଥିଲା। ଗାଜା ଅଞ୍ଚଳରୁ ହମାସ ଅଧିକ ସିଟ ଦଖଲ କରିଥିଲା। ହମାସ ନିଜର ଇସ୍ରାଏଲ ବିରୋଧୀ ଉଗ୍ରମତ ପାଇଁ ପ୍ରସିଦ୍ଧ। ହମାସ ଦ୍ଵାରା ନିର୍ବାଚନରେ ଜିତିବା ଇସ୍ରାଏଲ ସରକାରଙ୍କ ଲାଗି ଚିନ୍ତାର ବିଷୟ ଥିଲା। ସେହିଦିନ ଠାରୁ ଇସ୍ରାଏଲ ସରକାର ଗାଜାର ଆଭ୍ୟନ୍ତରୀଣ ବ୍ୟାପାରରେ ବାରମ୍ବାର ହସ୍ତକ୍ଷେପ କରୁଥିଲେ। ଆଦୌ ହମାସକୁ କାର୍ଯ୍ୟ କରିବାର ସୁଯୋଗ ଦେଲେ ନାହିଁ। ହମାସର ଅନେକ ନିଷ୍ପତ୍ତି (କୃଷି, ବ୍ୟବସାୟ ଓ ସୁରକ୍ଷା ସମ୍ବନ୍ଧିତ)କୁ ଇସ୍ରାଏଲ ବିରୋଧ କରିଆସିଛି।
ହମାସକୁ ଗାଜାରୁ ବହିଷ୍କାର କରିବା ଲାଗି ୨୦୧୪ରେ ଇସ୍ରାଏଲ ସରକାରଙ୍କ ନିର୍ଦ୍ଦେଶରେ ଏହାର ସେନା ସମଗ୍ର ଗାଜାକୁ ଘେରାଉ କରିରଖିଥିଲା। ଏହାର ବାସିନ୍ଦାଙ୍କୁ ୱେଷ୍ଟ ବ୍ୟାଙ୍କ ଓ ଜେରୁଜେଲମ ଯିବାକୁ ବାରଣ କରାଯାଉଥିଲା। ଏହି ଅଞ୍ଚଳକୁ ଦୀର୍ଘ ଦିନ ପାଣି, ଔଷଧ ଓ ଖାଦ୍ୟ ବନ୍ଦ କରିଦେଇଥିଲା। ଏହି ଅମାନବିକ ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ ଲାଗି ହମାସ ପାଲେଷ୍ଟାଇନ ଯୁବକମାନଙ୍କୁ ଏକାଠି କରିବାରେ ଲାଗିଥିଲା। ହମାସ ଭଳି ଏକ ରାଜନୈତିକ ଦଳ ପରେ ଏକ ଅସ୍ତ୍ରଧାରୀ ସଂଗଠନରେ ପରିଣତ ହୋଇଥିଲା। ଇସ୍ରାଏଲ ସରକାରଙ୍କ ଅମାନବୀୟ ଅବରୋଧ ଓ ପାଲେଷ୍ଟାଇନର ସାର୍ବଭୌମତ୍ଵ ଉପରେ ବାରମ୍ବାର ହସ୍ତକ୍ଷେପର ପ୍ରତିବାଦରେ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଅଞ୍ଚଳରେ ଅତର୍କିତ ଆକ୍ରମଣ ହମାସ ଦ୍ଵାରା ହୋଇଥିଲା।
ହୁଏତ ଦିନେ ଇହୁଦୀମାନେ ନାଜି ଦ୍ଵାରା ଦମନର ଶିକାର ହେଉଥିଲେ। ସେମାନଙ୍କ ପ୍ରତି ସମଗ୍ର ବିଶ୍ୱରେ ସହାନୁଭୁତି ପ୍ରକାଶ ପାଇଥିଲା। ମାତ୍ର ଚାଳିଶ କି ପଚାଶ ବର୍ଷ ମଧ୍ୟରେ ଇହୁଦୀମାନେ ସମ୍ପୂର୍ଣ ଭାବରେ ନିଜର ଇତିହାସକୁ ଭୁଲିଗଲେ। ଏବେ ସେମାନେ ପାଲେଷ୍ଟାଇନ ଉପରେ ସେହି ଦମନଲୀଳା ଚଳାଇଛନ୍ତି ଯାହା ସେମାନେ ନାଜୀ ଦ୍ଵାରା ଦିନେ ଭୋଗିଥିଲେ। ଇସ୍ରାଏଲର ଏହି ହୀନ ଉଦ୍ୟମ ପଛରେ ଆମେରିକା, ୟୁରୋପର କିଛି ଦେଶ ରହିଛନ୍ତି। ସେମାନେ ଇସଲାମକୁ ଘୃଣା କରନ୍ତି। ଇସ୍ରାଏଲ ପ୍ରତି ଭାରତ ସରକାରଙ୍କ ସମର୍ଥନର ଏହା ମଧ୍ୟ କାରଣ। ଏତଦ ବ୍ୟତୀତ, ଇସ୍ରାଏଲରେ ଆଦାନୀ କମ୍ପାନୀର ପୁଞ୍ଜିନିବେଶ ବିଶେଷକରି ହାଇଫା ବନ୍ଦରର ଟେଣ୍ଡର ଅକ୍ତିଆର କରିବା ପରେ ଏହାକୁ ସୁରକ୍ଷା ଦେବା ଅନ୍ୟତମ କାରଣ। ଇସ୍ରାଏଲର ହାଇଫା ବନ୍ଦରକୁ ଆଦାନୀ କମ୍ପାନୀ ୩୬ ପ୍ରତିଶତ ଅଧିକ ମୂଲ୍ୟରେ (ଇସ୍ରାଏଲ ସରକାର ଯେତିକି ଆଶା କରିଥିଲେ ତାହାଠାରୁ ଅଧିକ) ଟେଣ୍ଡର ନେବା ପଛରେ ହୁଏତ ବିରାଟ ବ୍ୟାବସାୟିକ ସ୍ଵାର୍ଥ ରହିଛି।
ପାଲେଷ୍ଟାଇନ ଉପରେ ଦମନଲୀଳା
ବିଗତ ଦୁଇ ବର୍ଷ ମଧ୍ୟରେ ଇସ୍ରାଏଲ ସେନାର ଡ୍ରୋନ ଓ ମିସାଇଲ ଆକ୍ରମଣ ହେତୁ ୭୦ ପ୍ରତିଶତ କୋଠାଘର ଭାଙ୍ଗି ଚୁରମାର ହୋଇଯାଇଛି। ଏବେ ଆକ୍ରମଣ ହସ୍ପିଟାଲ, ସ୍କୁଲ, ଆମ୍ବୁଲାନ୍ସ ଓ ଶରଣାର୍ଥୀ ଶିବିର ଉପରେ ହେଉଛି। ଗଲା କିଛି ଦିନ ତଳେ ଏକ ଡ୍ରୋନ ଆକ୍ରମଣରେ ପାଞ୍ଚ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଗଲା। ସେମାନଙ୍କ ଭୁଲ ଥିଲା ଯେ ସେମାନେ ଦୁନିଆକୁ ଇସ୍ରାଏଲୀ ସେନାର ନରସଂହାର ସମ୍ପର୍କରେ ଜଣାଉଥିଲେ। ସମଗ୍ର ପାଲେଷ୍ଟାଇନ ଭୂଖଣ୍ଡରୁ ପାଲେଷ୍ଟାଇନମାନଙ୍କୁ ବିତାଡ଼ିତ କରି ବିଦେଶ ରାଷ୍ଟ୍ରକୁ ପଠାଇଦେବା ଲାଗି ଇସ୍ରାଏଲ ଓ ଏହାର ମିତ୍ର ରାଷ୍ଟ୍ର ଉଦ୍ୟମ ଜାରି ରଖିଛନ୍ତି।
ଆଜିର ଦିନରେ ଗାଜାକୁ ଘେରାବନ୍ଦୀ କରିବା ହେତୁ ୫ ଲକ୍ଷ ଶିଶୁ ମୃତ୍ୟୁର ନିକଟବର୍ତ୍ତୀ, ୧୧ ଲକ୍ଷ ଲୋକ ଦିନକୁ ଥରେ ବି ଖାଦ୍ୟ ପାଉନାହାନ୍ତି। ଗାଜାକୁ ସଂଯୋଗ କରୁଥିବା ରାସ୍ତା ଓ ପାଣିକୁ ବନ୍ଦ କରିଦିଆଯାଇଛି। ଏବେ ବହୁ କଷ୍ଟରେ ଯେତିକି ଟ୍ରକ ପହଞ୍ଚିପାରୁଛି ସେଥିରୁ ଖାଦ୍ୟ ନେବା ଲାଗି ଦଳାଚକଟା ସୃଷ୍ଟି ହୋଇଯାଉଛି। ପିଲାମାନେ ଟ୍ରକର ଡାଲାକୁ ଚାଟି ନିଜର ଖାଦ୍ୟ ଅଭାବ ମେଣ୍ଟାଇବାର ଚେଷ୍ଟା କରୁଛନ୍ତି।
ଜଣେ ପ୍ରତ୍ୟକ୍ଷଦର୍ଶୀ ସ୍ଥିତିକୁ ବର୍ଣ୍ଣନା କରି ଲେଖିଛନ୍ତି, ‘ଟ୍ରକ ଗୋଟେ ଚାଲିଗଲା, ସେଟା ଖାଲି ଥିଲା। ଟ୍ରକ ଡାଲାରେ ପଡ଼ିଥିଲା ପତଳା ଅଟା ଗୁଣ୍ତର ଏକ ଆସ୍ତରଣ। ଖାଲି ଗୁଣ୍ତ। ସେମାନେ ଥିଲେ ପଞ୍ଝାଏ ପିଲା। ସେମାନେ ଧାଇଁଲେ ଓ ଟ୍ରକ ଉପରକୁ ଚଢ଼ିଗଲେ। ଟ୍ରକ ଡାଲାରେ ପିଲାମାନେ ଆଣ୍ଠେଇ ପଡ଼ିଲେ, ସତେ ଯେମିତି କେଉଁ ବଳିବେଦୀ ସାମନାରେ ଏବଂ ରାମ୍ପିବା ଆରମ୍ଭ କରିଦେଲେ। ଜଣକ ପାଖରେ ଥିଲା ଖଣ୍ତେ ଭଙ୍ଗା ଢାଙ୍କୁଣୀ ଆଉ ଜଣକ ପାଖରେ ଖଣ୍ତେ କାର୍ଡ଼ବୋର୍ଡ଼। କିନ୍ତୁ ବାକିତକ, ବାକିତକ ନିଜ ହାତରେ ରାମ୍ପିଲେ କିଏ ବା ଜିଭରେ ସେମାନେ ଚାଟି ଚାଲିଲେ।’ (‘ଗାଜାରେ ଶୁକ୍ରବାର’ କବିତା, କବି: ଡ. ଏଜ୍ଜିଦୀନ)
ପାଲେଷ୍ଟାଇନ ଉପରେ ଚାଲିଥିବା ଦମନଲୀଳା ପ୍ରତି ସମଗ୍ର ବିଶ୍ଵ ଚୁପ ରହିବା ଉଚିତ ନୁହେଁ। ଉଭୟ ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ସହାବାସ୍ଥାନ ଜରୁରୀ। ଏଥିଲାଗି ପାଲେଷ୍ଟାଇନର ସ୍ଵାଧୀନତା ମଧ୍ୟ ସେତିକି ଆବଶ୍ୟକ ଯେମିତି ଇସ୍ରାଏଲ ରାଷ୍ଟ୍ର ଗଠନ। ପାଲେଷ୍ଟାଇନବାସୀଙ୍କୁ ଆନ୍ତର୍ଜାତିକ ଶରଣାର୍ଥୀର ଜୀବନ କଟାଇବା ଲାଗି ବାଧ୍ୟ କରାନଯାଉ। ସେମାନଙ୍କର ଏକ ଦେଶ ଥିଲା ତାହାକୁ ସ୍ଵୀକାର କରାଯାଉ। ସମଗ୍ର ବିଶ୍ଵ ଇସ୍ରାଏଲ ସେନାର ଦମନକୁ ଦୃଢ଼ ଭାବରେ ନିନ୍ଦା କରୁ। ଏବେ ଚାଲିଥିବା ଗଣହତ୍ୟା ତୁରନ୍ତ ବନ୍ଦ ହେଉ। ପାଲେଷ୍ଟାଇନର ନିର୍ବାଚିତ ସରକାରକୁ ଇସ୍ରାଏଲ ସମ୍ମାନ ଦେଉ। ଅସ୍ତ୍ରବିରତି ଓ ଶାନ୍ତିଚୁକ୍ତି ପାଇଁ ଅନେକ ଦେଶ ଇସ୍ରାଏଲ ଉପରେ ଚାପ ସୃଷ୍ଟି କରିବା ଆବଶ୍ୟକ। ନଚେତ ବିଶ୍ଵ ପୁଣି ଏକ ହଲୋକାଷ୍ଟର ସାମ୍ନା କରିବ। ହୁଏତ ଏହାର ପ୍ରତିକ୍ରିୟା ଇତିହାସରେ ପୁଣି କେଉଁଠି ଦେଖାଯିବ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
