Advertisment

ଗଣତି ହୋଇପାରେ, ମଣତି ହୋଇନପାରେ

୨୦୨୪ ମସିହା ଜୁଲାଇ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ୨୦୨୪ ଅଗଷ୍ଟ ୨୩ ତାରିଖରେ ସ୍ଥାନାନ୍ତର କରା ଯାଇଥିଲା ଗୋଟିଏ ପରେ ଆଉ ଗୋଟିଏ ସିନ୍ଧୁକ । ପରେ ସେପ୍ଟେମ୍ବର ୨୪ ରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର (ଏଏସ୍ଆଇ) ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ରତ୍ନ ଭଣ୍ଡାର ଯାଞ୍ଚ କରିଥିଲେ ।

author-image
Janakish Badapanda
Puri

*ଜାନକୀଶ ବଡପଣ୍ଡା

୨୦୨୩ ମସିହାରେ ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିକଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା I ଏହି ତିନୋଟି ପ୍ରସଙ୍ଗ ଥିଲା: ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିସନ ରିପୋର୍ଟକୁ ସାର୍ବଜନୀନ କରାଯିବା, ଗଣତିମଣତି ସମ୍ପନ୍ନ କରାଯିବା ଏବଂ ରତ୍ନଭଣ୍ଡାର ମରାମତି । ଇତିମଧ୍ୟରେ ରତ୍ନଭଣ୍ଡାର ମରାମତି ହୋଇସାରିଥିବାରୁ ତୃତୀୟ ମାମଲାର ବିଚାର ଅନାବଶ୍ୟକ ହୋଇଯାଇଛି I ଆଶ୍ବାସନାର କଥା ଯେ, ଦିଲ୍ଲୀପ କୁମାର ବରାଳଙ୍କ ତରଫରୁ ଦାୟର ଏହି ଜନସ୍ବାର୍ଥ ମାମଲାର କିଛିଦିନ ତଳେ ବିଚାର କରି ଶ୍ରୀମନ୍ଦିର ରତ୍ନ ଅଳଙ୍କାରଗଣତିମଣତିକାର୍ଯ୍ୟ ୩ ମାସ ଭିତରେ ସାରିବାକୁ ମାନ୍ୟବର ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି I ସେହିପରି,କମିସନଙ୍କ ରିପୋର୍ଟକୁ ମଧ୍ୟ ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତି ଛାଟ ବାଜିଲାପରେ କମିସନଙ୍କ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ  ଗଣତିମଣତି ସାରିବାକୁ ଲୋକଙ୍କସରକାର କିଭଳି କାର୍ଯ୍ୟପନ୍ଥା ଗ୍ରହଣ କରୁଛନ୍ତି, ବର୍ତ୍ତମାନ ତାହା ଦେଖିବାକୁ ସଭିଏଁ ଅପେକ୍ଷା କରି ରହିଛନ୍ତି I

Advertisment

ଜଷ୍ଟିସ ରଘୁବର ଦାସ ତଦନ୍ତ କମିସନ

୨୦୧୮ମସିହାରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା ଏବଂ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲାI ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ତତ୍କାଳୀନ ରାଜ୍ୟ ସରକାର ଓଡିଶା ଉଚ୍ଚନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଏକ ତଦନ୍ତ କମିସନ ଗଠନ କରିଥିଲେ । ତଦନ୍ତ ପରେ କମିସନ ୨୦୧୮, ନଭେମ୍ବର ୨୯ରେ ସରକାରଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିଥିଲେ । ଏହି ରିପୋର୍ଟରେ ରତ୍ନ ଭଣ୍ଡାର ଚାବି ହଜିବାର ରହସ୍ୟ ରହିଥିବାର ଆଶା କରାଯାଏ । କିନ୍ତୁ କିଛି ଅଧିକ ରହସ୍ୟମୟ କାରଣରୁ ତତ୍କାଳୀନ ରାଜ୍ୟ ସରକାର ଏହି ରିପୋର୍ଟକୁ କ୍ଷମତାରେ ଥିବାଯାଏଁ  ବିଧାନସଭାରେ ଉପସ୍ଥାପନ କରି ନଥିଲେ I ୨୦୨୪ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ ପ୍ରସଙ୍ଗ ମଧ୍ୟରେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ମଧ୍ୟ ଅନ୍ୟତମ ଗମ୍ଭୀର ନିର୍ବାଚନୀ ପ୍ରସଙ୍ଗପାଲଟି ଥିଲା Iଲୋକମାନେ ସରକାର ବଦଳେଇ ଦେଇଥିଲେ । ଆଶା କରାଯାଉଥିଲା ଯେ, କମିସନ ଅଫ୍ ଇନକ୍ବାରି ଆଇନ ଅନୁସାରେ ନୂଆ ସରକାର ରତ୍ନ ଭଣ୍ଡାର ଚାବି ହଜିବା ଘଟଣାରେ ବିଚାରବିଭାଗୀୟ ତଦନ୍ତ କମିସନ ଦାଖଲ କରିଥିବା ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରିବେ I କିନ୍ତୁ ପ୍ରାୟ ଦୁଇବର୍ଷ କ୍ଷମତାରେ ରହିବା ସତ୍ତ୍ବେ, ନୂଆ ସରକାର ମଧ୍ୟ ରହସ୍ୟଜନକ ନୀରବତା ରକ୍ଷା କରିଚାଲିଛନ୍ତି Iସେଥିପାଇଁ ଉଚ୍ଚନ୍ୟାୟାଳୟ ଉଦ୍‌ବେଗ ପ୍ରକାଶ କରି ଜଷ୍ଟିସ ରଘୁବର ଦାସ କମିସନଙ୍କ ରିପୋର୍ଟକୁ ବିଧାନସଭାର ଚଳିତ ବଜେଟ୍ ଅଧିବେଶନରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗଣତିମଣତି

ନୂଆ ସରକାର ଆସିବାପରେ,ସମସ୍ତ ଉଦବେଗ ଓ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ୨୦୨୪ ମସିହା ଜୁଲାଇ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯାଇଥିଲା । ୨୦୨୪ ଅଗଷ୍ଟ ୨୩ ତାରିଖରେ ସ୍ଥାନାନ୍ତର କରା ଯାଇଥିଲା ଗୋଟିଏ ପରେ ଆଉ ଗୋଟିଏ ସିନ୍ଧୁକ । ପରେ ସେପ୍ଟେମ୍ବର ୨୪ ରେ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗର (ଏଏସ୍ଆଇ) ସ୍ୱତନ୍ତ୍ର ବିଶେଷଜ୍ଞ ଦଳ ରତ୍ନ ଭଣ୍ଡାର ଯାଞ୍ଚ କରିଥିଲେ । ସେମାନଙ୍କ ରିପୋର୍ଟ ଆଧାରରେ ଡିସେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା ଏହାର ମରାମତି କାର୍ଯ୍ୟ, ଯାହା ୨୮ ଏପ୍ରିଲ ୨୦୨୫ ଯାଏଁ ଜାରି ରହିଥିଲା । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବାକୁ ୯୫ ଦିନ ଲାଗିଥିଲା I ମରାମତି ପରେ ପରିଚାଳନା କମିଟିର ଅନୁମୋଦନକ୍ରମେ ଚାଙ୍ଗଡା ଘର ଓ ଖଟଶେଜ ଘରେ ଜଉମୁଦ ଦେଇ ସଯତ୍ନେ ସଇତାଯାଇଥିବା ରତ୍ନ ଅଳଙ୍କାର ଗୁଡିକୁ ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରାଯାଇ ପୂର୍ବଭଳି ରଖାଯାଇ ଥିଲା, ଯାହା ପ୍ରଶଂସାଯୋଗ୍ୟ ।

Advertisment

ଇତିମଧ୍ୟରେ ପରିଚାଳନା କମିଟି ପକ୍ଷରୁ ରତ୍ନ ଅଳଙ୍କାରଗୁଡିକର ଗଣତିମଣତି କଲାବେଳେ କେଉଁ ପ୍ରକ୍ରିୟା ଅନୁସରଣ କରାଯିବ, ସେ ସମ୍ପର୍କରେ ମାର୍ଗଦର୍ଶିକା (ଏସଓପି) ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ସାରିଥିବା ବେଳେ ସରକାରଙ୍କ ବିଧି ବିଭାଗ ଆଜିଯାଏଁ କାହିଁକି ଯେ ଅନୁମୋଦନ ନଦେଇ ବସି ରହିଛନ୍ତି, ତାହାର ଉତ୍ତର କାହା ପାଖରେ ନାହିଁ I  ସରକାରଙ୍କ ଅନୁମୋଦନ ଓ ନିର୍ଦ୍ଦେଶ ମିଳିବା ପରେ,ପରିଚାଳନା କମିଟି ବୈଠକ କରାଯାଇ ଶୁଭ ମୂହୁର୍ତ୍ତ, ଲଗ୍ନ ଓ ତାରିଖ ନିର୍ଣ୍ଣୟ କରାଯାଇ ଗଣତିମଣତି ଆରମ୍ଭ ହେବ ବୋଲି କୁହାଯାଉଛି । ଅଳଙ୍କାର ଗୁଡିକର ଗଣତି ଏବଂ ଓଜନ ନିଆଯାଇ ଫଟୋଗ୍ରାଫି ଓ ଡିଜିଟାଇଜେସନ କରାଯିବ । ‘ଗଣତିମଣତି’ ଯୁଗ୍ମ ଶବ୍ଦର ଅର୍ଥ ନଜାଣି ଅନେକେ ଶ୍ରୀମନ୍ଦିର ଶବ୍ଦକୋଷର ଭାଷା ଭାବିନେଇ  ‘ଗଣତି’ ସହିତ ‘ମଣତି’ ଶବ୍ଦକୁ ଯୋଡି ଦେଉଛନ୍ତି, ଯାହା ଠିକ ନୁହେଁ I‘ମଣତି’ ଶବ୍ଦର ଅର୍ଥ ଅତ୍ୟନ୍ତ ବ୍ୟାପକ I ରତ୍ନ ଅଳଙ୍କାରଗୁଡିକୁ ଓଜନ କରିବାପରେ, ତହିଁରେ ବ୍ୟବହୃତ ସୁନା, ରୂପା ଭଳି ମୂଲ୍ୟବାନ ଧାତୁ ଏବଂ ରତ୍ନ ଗୁଡିକର ସର୍ବମାନ୍ୟ ମୂଲ୍ୟାୟନ କରାଯାଇ ବିଶେଷଜ୍ଞ ଗଣକ ଏବଂ ମୂଲ୍ୟାୟନକାରୀମାନେ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ‘ମଣତି’ କୁହାଯାଏ I ଗଣତିମଣତି ସରିଯିବା ପରେ, ଆମେ ସଭିଏଁ ଏହି ତଥ୍ୟକୁ ସତ୍ୟ ମଣିଥାଉ Iଏହି ‘ସତ୍ୟ ମଣିବା’ ଏବଂ ‘ହସ୍ତାନ୍ତର କରିବା’କୁ ଶ୍ରୀମନ୍ଦିର ଶବ୍ଦକୋଷରେ ‘ମଣତି’ I

ଗଣତିମଣତି ଏକ ଜଟିଳ ଓ ସମ୍ବେଦନଶୀଳ ପ୍ରକ୍ରିୟା । ‘ମଣତି’ କରିବା ପାଇଁ ଉପଯୁକ୍ତ ତଥା ଅଭିଜ୍ଞ ଜହୁରୀଙ୍କ ଆବଶ୍ୟକତା ରହିଛି I ଏମାନେ ଆବଶ୍ୟକ କରୁଥିବା ପରିବେଶ ତଥା ଯନ୍ତ୍ରପାତି ଏବଂ ଫଟୋଗ୍ରାଫି ଓ ଡିଜିଟାଇଜେସନ କରିବାପାଇଁ  ମାନବ ସମ୍ବଳ ବ୍ୟବହାର କଲାବେଳେ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବା ନିଶ୍ଚିତ I ଗଣତି ସମୟରେ ବାହାର କାଠଯାଏଁ ଭକ୍ତଗଣଙ୍କୁ ଦର୍ଶନ ଅନୁମତି ଦିଆଗଲେ ବି ଠାକୁରଙ୍କ ଗୋପନୀୟ ନୀତିକାନ୍ତି ସମାପନ କାଳରେ ବିଶେଷଜ୍ଞମାନଙ୍କୁ ରତ୍ନଭଣ୍ଡାର ବାହାରକୁ ଆସିବାକୁ ପଡିବ I ସେମାନଙ୍କୁ ଏଭଳି ଭିତର ବାହାର ହେବା ପୂର୍ବରୁ ଓ ପରେ ଯେଉଁ ତନଖି ପ୍ରକ୍ରିୟା ଅନୁପାଳିତ ହେବ, ତାହା ସମୟ ସାପେକ୍ଷ I ସମ୍ଭବତଃ ସେଥିପାଇଁ ୧୯୭୮ ମସିହାରେ କେବଳ ଗଣତି ଓ ଓଜନ ନିଆଯାଇ ତାଲିକା ପ୍ରସ୍ତୁତି କରିବାକୁ ଦୀର୍ଘ ୭୨ ଦିନ ଲାଗିଥିଲା I କିନ୍ତୁ, ଏବେ ଉଭୟ ଗଣତି ଓ ମଣତି ପାଇଁ ଅଧିକ କାର୍ଯ୍ୟ ଦିବସ ଲାଗିପାରେ । ଏଥିପାଇଁ ୧୧ ପୃଷ୍ଠାର ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିବାବେଳେ ୩ ଟି ପର୍ଯ୍ୟାୟରେ ଗଣତି ମଣତି କରାଯିବ ବୋଲି କୁହାଯାଇଛି I

ପ୍ରଥମ ପର୍ଯ୍ୟାୟରେ ଚଳନ୍ତି ରତ୍ନ ଅଳଙ୍କାରଗୁଡିକର ଗଣତି କରାଯିବ । ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ହେବ। ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରର ଗଣତି କରାଯିବ । ତେବେ ୩ ମାସ ମଧ୍ୟରେ ଗଣତି ମଣତି ଶେଷ କରିବାକୁ ଓଡିଶା ଉଚ୍ଚନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିବାରୁ, ଆଦେଶର ଅନୁପାଳନ କିପରି ହେଉଛି, ତାହା ଦେଖିବାକୁ ରାଜ୍ୟବାସୀ ଆଗ୍ରହର ସହିତ ଅନାଇ ରହିଛନ୍ତି । ତେବେ, ସରକାରଙ୍କ ଅନୁମୋଦନ ମିଳିବା ପରେ ଗଣତି ମଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ କହିଛନ୍ତି। ତାଙ୍କର ସୂଚନା ଅନୁସାରେ ବର୍ତ୍ତମାନ କେବଳ ରତ୍ନ ଅଳଙ୍କାରର ଗଣତି କରାଯିବ । ୧୯୭୮ ମସିହାରେ ପ୍ରସ୍ତୁତ ହୋଇଥିବା ତାଲିକା ଆଧାରରେ ଏହି ଗଣତି ଓ ମେଳକ କରାଯିବ। ତେବେ ଏହାର ଆର୍ଥିକ ମୂଲ୍ୟାୟନ କରାଯିବ ନାହିଁ I ରିଜର୍ଭ ବ୍ୟାଙ୍କର ସ୍ଵତନ୍ତ୍ର ମେସିନ ଏବଂ ଓ ଅଭିଜ୍ଞ ଅଧିକାରୀଙ୍କ ସହଯୋଗ ନେବା ଲାଗି ଯୋଜନା କରାଯାଇଛି। ମହାପ୍ରଭୁଙ୍କ ନୀତିକାନ୍ତିରେ ଯେପରି ବାଧା ସୃଷ୍ଟି ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଜଷ୍ଟିସ ବିଶ୍ଵନାଥ ରଥ।

ରତ୍ନଭଣ୍ଡାର ଗଣତିମଣତି ନେଇ ୧୧ ପୃଷ୍ଠାର ଯେଉଁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି, ତାହାର ପ୍ରମୁଖ ବିନ୍ଦୁ ଗୁଡିକ ହେଲା:  ୩ଟି ପର୍ଯ୍ୟାୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି ହେବ, କ୍ରମାନ୍ବୟରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାର, ଏହାପରେ ବାହାର ରତ୍ନଭଣ୍ଡାର ଓ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ, ଗଣତିମଣତି ଦିନ ଠାକୁରଙ୍କର କୌଣସି ନୀତିକାନ୍ତିରେ ବ୍ୟାଘାତ ହେବ ନାହିଁ, ଶ୍ରଦ୍ଧାଳୁମାନେ ବାହାର କାଠ ପାଖରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ, ପାଳିଆ ଅଧିକୃତ ସେବକଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ, ଗଣତିମଣତି ବେଳେ କେଉଁମାନେ ଉପସ୍ଥିତ ରହିବେ ତାହାର ଚିଠା ତାଲିକା ପ୍ରସ୍ତୁତ ହୋଇଛି, ଅଧିକୃତ ବ୍ୟକ୍ତିମାନଙ୍କୁ କଡ଼ାକଡ଼ି ଯାଞ୍ଚ କରାଯିବ,  ଅଧିକୃତ ରିଜର୍ଭ ବ୍ୟାଙ୍କ ଅଧିକାରୀ ଉପସ୍ଥିତ ରହିବେ, ଗଣତିମଣତି ଚାଲିଥିବା ସମୟରେ ପ୍ରତିଦିନ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା କୋଷାଗାର (ଡିଷ୍ଟ୍ରିକ୍ଟ ଟ୍ରେଜେରି)ରେ ରଖାଯିବ, ସମଗ୍ର ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବ ଓ କ୍ୟାମେରା ଚିପ୍‌କୁ ସାଇତି ରଖାଯିବ, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗୁଡ଼ିକର ଡିଜିଟାଇଜେସନ କରାଯିବ ଏବଂ ୧୯୭୮ ମସିହା ରତ୍ନ ଅଳଙ୍କାର ତାଲିକା ସହ ମେଳକ କରାଯିବ I

ଏଠାରେ ଉଲ୍ଲେଖନୀୟ ଯେ ୧୯୭୮ ମସିହାରେ ନୀଳମଣି ରାଉତରାୟଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବିଶ୍ୱଭୂଷଣ ହରିଚନ୍ଦନ ଆଇନ୍‍ ମନ୍ତ୍ରୀ ଥିବାବେଳେ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ବିଭିନ୍ନ ସାମଗ୍ରୀର ଗଣତି କରାଯାଇଥିଲା । ଭିତର ଓ ବାହାର ରତ୍ନ ଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ୧୯୭୮ ମସିହା ମଇ ୧୩ ତାରିଖରୁ ଜୁଲାଇ ୨୩ ତାରିଖ ମଧ୍ୟରେ ପ୍ରସ୍ତୁତ କରାଯାଇଥିଲା । ଏହି ତଥ୍ୟ ଏବେ ବି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ଉକ୍ତ ତଥ୍ୟ ମୁତାବକ ୧୨,୮୩୧ ଭରି ୧ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସୁମାରି କରାଯାଇଥିବାବେଳେ ୨୨,୧୫୩ ଭରି ଓଜନର ମୂଲ୍ୟବାନ ପଥର ସହିତ ରୂପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ଗଣତି କରାଯାଇଥିଲା । ଗୋଟିଏ ଭରିର ଓଜନ ୧୧.୬୬ ଗ୍ରାମ ହୋଇଥିବାରୁ ସେତେବେଳେ ସୁମାରି ହୋଇଥିବା ମୂଲ୍ୟବାନ ହୀରା, ନୀଳା, ମଣି ଓ ମାଣିକ୍ୟ ଭଳି ରତ୍ନ ପଥର ସହିତ ସୁନା ତିଆରି ସ୍ବର୍ଣ ଅଳଙ୍କାର ସାମଗ୍ରୀର ଓଜନ ୧୪୯ କିଲୋ ୬୦୯ ଗ୍ରାମରୁ ଅଧିକ ଥିଲା । ସେହିପରି ମୂଲ୍ୟବାନ ପଥର ସହିତ ରୂପା ସାମଗ୍ରୀର ଓଜନ ୨୫୮ କିଲୋ ୩୦୩ ଗ୍ରାମରୁ ଅଧିକ ରହିଥିବା ଜଣାପଡିଥିଲା । ସରକାରୀ ତଥ୍ୟ ମୁତାବକ ଯେହେତୁ ସେତେବେଳେ ଆଉ ୧୪ଟି ସୁନା ଓ ରୂପା ତିଆରି ପଦାର୍ଥ ବିଭିନ୍ନ କାରଣରୁ ଓଜନ କରାଯାଇ ପାରିନଥିଲା, ତାହାର ପରିମାଣ ଉପରୋକ୍ତ ସୁନା ଓ ରୂପା ସାମଗ୍ରୀରେ ଅର୍ନ୍ତଭୁକ୍ତ ହୋଇପାରିନଥିବା ସ୍ବାଭାବିକ। 

ପୂର୍ବରୁ, ରତ୍ନଭଣ୍ଡାର ଚାବି ହଜିଥିବା ଏବଂ ଚୋରୀ ହୋଇଥିବା ଅଭିଯୋଗ କାରଣରୁ ସରକାର ଅଧିକ ଭାବିଚିନ୍ତି ପଦକ୍ଷେପ ନେବା ଦରକାର I ସରକାରଙ୍କୁ ଆମେ ଦୁଇଟି ବିକଳ୍ପ ପ୍ରସ୍ତାବ ଦେବାକୁ ଚାହିଁବୁ, ଯଦିଓ ସରକାରଙ୍କ ପାଖରେ ଚାରୋଟି ବିକଳ୍ପ ରହିଛିIପ୍ରଥମଟି ହେଲା: ଯଥାଶୀଘ୍ର ସମ୍ଭବ ଗଣତିମଣତି କାର୍ଯ୍ୟ ସାରିବା ପାଇଁ ଜିଲ୍ଲା କୋଷାଗାର (ଟ୍ରେଜେରୀ) କିମ୍ବା କୌଣସି ବ୍ୟାଙ୍କର ଷ୍ଟ୍ରଙ୍ଗରୁମକୁ ସମସ୍ତ ରତ୍ନବାକ୍ସ ସୁରକ୍ଷିତ ସ୍ଥାନାନ୍ତରଣ କରାଯାଇପାରେ ଓ ସେହିଠାରେ ଗଣତିମଣତି କାର୍ଯ୍ୟ ସମ୍ପନ୍ନ କରାଯାଇ ଫଟୋଉଠା, ଭିଡିଓଗ୍ରାଫି  ତଥା  ଇତିହାସ ଲିପିବଦ୍ଧ ହେଉ I ଏଥିରେ ଲାଭ ଏଇଆ ହେବ ଯେ, ଶ୍ରୀମନ୍ଦିର ମଧ୍ୟରେ ନୀତିକାନ୍ତି ଓ ଦର୍ଶନ ବାଧାପ୍ରାପ୍ତ ହେବ ନାହିଁ, ଅଲ୍ପଦିନରେ କାର୍ଯ୍ୟ ସମ୍ପନ୍ନ କରାଯାଇ ପାରିବ I ଦ୍ବିତୀୟ ବିକଳ୍ପ ପ୍ରସ୍ତାବ ଦେବୁ ଯେ,ଶ୍ରୀବିଗ୍ରହମାନଙ୍କୁ ରତ୍ନସିଂହାସନରୁ ସ୍ଥାନାନ୍ତର କରାଯାଇ ଅଣସର କାଳରେ ପଟିଦିଅଁଙ୍କୁ ପୂଜା କରାଯାଉଥିବା ସ୍ଥାନରେ କାଷ୍ଠସିଂହାସନ ଉପରେ ରଖାଯାଇ ପାରିବ Iଯାହା ଫଳରେ ଠାକୁରଙ୍କ ପାରମ୍ପରିକ ନୀତିକାନ୍ତି ସମ୍ପନ୍ନ ହେବା ସହିତ ଶ୍ରୀକ୍ଷେତ୍ର ନିବାସୀ ଭକ୍ତମାନେ ଦର୍ଶନ ପାଇ ପାରିବେ, ଅନ୍ୟ ମାନଙ୍କୁ ଦର୍ଶନ ବାରଣ କରିବାକୁ ପଡିବ I ଏପରି କିଛିଦିନ  କରିବାକୁ ପଡିଲେ ବି ଭକ୍ତ ଓ ସେବକ ସମାଜ ଅନିଛା ସତ୍ବେ ନିଶ୍ଚୟ ସହଯୋଗ କରିବେ I ତୃତୀୟ ବିକଳ୍ପଟି ହେଲା: ଶ୍ରୀମନ୍ଦିର ପରିଚାଳନା ସମିତି ଏଯାବତ୍ ପ୍ରକାଶ କରିଥିବା ପ୍ରକ୍ରିୟା;ଯାହା ସମୟ ସାପକ୍ଷ ଏବଂ ଅତ୍ୟନ୍ତ କଠିନ କାର୍ଯ୍ୟI ଚତୁର୍ଥ ବିକଳ୍ପ ହେଲା, କୌଣସି ମତେ ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରିଦେବା କିମ୍ବା ଗଣତିମଣତି ନାମରେ ବହୁ ବିଳମ୍ବକଲାପରେ, ଫଳାଫଳକୁ ବନ୍ଦ ଲଫାପାରେ ରଖି ଉଚ୍ଚନ୍ୟାୟାଳୟଙ୍କୁ ହସ୍ତାନ୍ତର କରିଦେବା I ଯଦି,ଗଣତି ପରେ ପୂର୍ବ ତାଲିକା ସହିତ ଅମେଳ ରହିବ,ରାଜନୈତିକ ଉଦ୍ଦେଶ୍ୟରେ ଏପରି କରାଯିବାର ଆଶଙ୍କା ରହିଛି I

ପ୍ରକାଶ ଥାଉ କି ଆଜି ସୁଦ୍ଧା ମହାପ୍ରଭୁ ସ୍ନାନ ଗୁଣ୍ଡିଚା ବାଦ୍ ବାଇଶି ଥର ରତ୍ନସିଂହାସନ ଛାଡିଛନ୍ତି ବୋଲି ଐତିହାସିକ ପ୍ରମାଣ ମିଳୁଛିI ବିଦେଶୀ, ଯବନ ଓ ସ୍ବଦେଶୀ-କୁଳାଙ୍ଗାରମାନଙ୍କ ଆକ୍ରମଣ ଯୋଗୁଁ କୋଡିଏ ଥର ଏବଂ ଗର୍ଭଗୃହ ମରାମତି ପାଇଁ ଦୁଇଥର ସିଂହାସନ ଛାଡିବାକୁ ପଡିଛି ଦିଅଁମାନଙ୍କୁ I ୧୯୯୨ ମସିହା ନଭେମ୍ବର ୨୯ ତାରିଖରେ ଗର୍ଭଗୃହ ମରାମତି ପାଇଁ ଅଣସର ପିଣ୍ଡି ନିକଟସ୍ଥ ଏକ ଅସ୍ଥାୟୀ କାଷ୍ଠ-ସିଂହାସନକୁ ସ୍ଥାନାନ୍ତରିତ କରା ଯାଇଥିଲା ଶ୍ରୀଜୀଉମାନଙ୍କୁ I

ଶ୍ରୀମନ୍ଦିର କେବଳ ଧାର୍ମିକ ଆସ୍ଥାର କେନ୍ଦ୍ର ନୁହେଁ, ଏହା ଜାତୀୟ ଐତିହ୍ୟ । ଏହିପରି ଐତିହ୍ୟ ସମ୍ପନ୍ନ ସ୍ଥାନରେ ଥିବା ଅମୂଲ୍ୟ ସମ୍ପତ୍ତିର ନିୟମିତ ଭାବେ ତାଲିକାକରଣ ଓ ଯାଞ୍ଚ କରାଯିବା ସଫଳ ପ୍ରଶାସନର କର୍ତ୍ତବ୍ୟ । ଏଥିରେ ଭକ୍ତି କମିଯାଏ ନାହିଁ, ବରଂ ବିଶ୍ୱାସ ବଢ଼େ । ଅଳଙ୍କାରଗୁଡିକ ଐତିହ୍ୟ ଓ କଳାର ଅମୂଲ୍ୟ ନିଧି। ସମୟସମୟରେ ଗଣତି ଓ ତଦାରଖ କଲେ ସେଗୁଡିକର  ସୁରକ୍ଷା ନିଶ୍ଚିତ ହୁଏ। “ଭଗବାନ ସବୁ ଦେଖୁଛନ୍ତି” ବୋଲି ଭାବିନେଇ ଆମେ ଆଖି ବନ୍ଦକରିଦେବାର ଯୁଗ ଆଉ ନାହିଁ I ସଠିକ୍ ଗଣତି ଓ ସେ ସବୁର ତାଲିକା ରଖିବା ଶ୍ରୀମନ୍ଦିର ପରିଚାଳନା କମିଟି ଓ ରାଜ୍ୟ ସରକାରଙ୍କ ଉତ୍ତରଦାୟିତ୍ବ I ଏହା ଭବିଷ୍ୟତରେ କୌଣସି ବିବାଦ କିମ୍ବା ଅଭିଯୋଗକୁ ରୋକିଥାଏ । ପ୍ରତିଷ୍ଠିତ ଐତିହ୍ୟ ବିଶେଷଜ୍ଞ, ଯାଞ୍ଚ କର୍ତ୍ତୃପକ୍ଷ ଓ ସୁରକ୍ଷା ପ୍ରଦାନକାରୀଙ୍କ ଉପସ୍ଥିତିରେ ଗଣତିମଣତି ପ୍ରକ୍ରିୟା ସମ୍ପନ୍ନ ହେଲେ ଏହା ଅଧିକ ବିଶ୍ୱସନୀୟ ହୋଇଥାଏ I ଭଗବାନଙ୍କ ଗୌରବ ଧନରତ୍ନରେ ନଥାଏ, ଥାଏ ଭକ୍ତି ଭାବନାରେ । କିନ୍ତୁ ଯେଉଁଠାରେ ଧନ ଅଛି, ସେଠାରେ ଦାୟିତ୍ୱ ମଧ୍ୟ ରହିଥାଏ। ଭକ୍ତିକୁ ଅକ୍ଷୁଣ୍ଣ ରଖି ପାରଦର୍ଶିତାକୁ ସ୍ଥାନ ଦେବା ହିଁ ସଠିକ୍ ପଥ।
୯୪୩୮୨୯୯୦୩୭