Advertisment

କଲିକତାରୁ ବାଲେଶ୍ୱର ଫେରିବାକୁ ଲାଗିଲା ୯ ବର୍ଷ ୧ ମାସ ୧୧ ଦିନ!

ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡ଼ିଶାର ମଧ୍ୟ ସ୍ଥିତି। ଏହା ସମଗ୍ର ଦେଶର ସ୍ଥିତି। ସାଧାରଣ ମଣିଷ ଲାଗି ସରକାର ଓ ସରକାରୀ ବ୍ୟବସ୍ଥାର ଉତ୍ତର ଦାୟିତ୍ଵବୋଧ ଶୂନ।

swadhar gruha

A Swadhar Gruha As Representative Image Photograph: (Internet)

Advertisment

ଦେବ ରଞ୍ଜନ

ସୁରୁ ବିନ୍ଧାଣିଙ୍କୁ ହାୱଡ଼ା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧ ମାସ ୧୧ ଦିନ। ଅଥଚ ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟର। ସୁରୁଙ୍କ ପରିବାରର ସଦସ୍ୟଙ୍କ ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ଭୂମିକା ସତ୍ତ୍ୱେ ଯଦି ଜଣେ ମହିଳାଙ୍କୁ ନିଜର ଘର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ୟୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁ ନଥିବା ଅନ୍ତେବାସୀଙ୍କ ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉ ନଥିବା! ହୁଏତ ସେ ପହଞ୍ଚୁ ନଥାଇ ପାରନ୍ତି ମଧ୍ୟ। 

Advertisment

ସୁରୁ ୨୦୧୬ ମସିହା ଜାନୁଆରୀ ମାସରେ ହାୱଡ଼ା ସହରରେ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ ସହିତ ପହଞ୍ଚିଥିଲେ। ସ୍ୱାମୀଙ୍କ ସହିତ କିଛି ମନାନ୍ତର ହେବା ହେତୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଯେ ଚାଲିଯାଇଥିଲେ ଆଉ ନିଜ ଜାଗାକୁ ଫେରିପାରିଲେ ନାହିଁ। ଭାଷା ମୁଖ୍ୟ ଅସୁବିଧା ଥିଲା। ସେ ସମୟରେ ତାଙ୍କର ବୟସ ଥିଲା ୨୫ ବର୍ଷ, ତିନୋଟି ଛୁଆର ମା’ ହୋଇସାରିଥିଲେ। 

ହାୱଡ଼ା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ-ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ ‘ସୁଧାର ଗୃହ’କୁ ପଠାଇଦେଇଥିଲେ। ମାଜିଷ୍ଟ୍ରେଟ ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା) ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା। 

Advertisment

ସୁରୁଙ୍କ ଲାଗି ସବୁ କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା ଓ ଆଦୌ ପାଠ ପଢ଼ିନଥିବା କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା କୌଣସି ମହିଳାଙ୍କ ଲାଗି ସେହି ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଏ ଯାହା ସୁରୁଙ୍କ ଲାଗି ହୋଇଯାଇଥିଲା। ସୁରୁଙ୍କୁ ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା ହିଁ ବ୍ୟବସ୍ଥା ଥିଲା। 

ସୁପ୍ରିମ କୋର୍ଟ ୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ସମ୍ବିଧାନର ଧାରା ୨୧କୁ ମନେପକାଇ ପ୍ରତ୍ୟେକ ରାଜ୍ୟ ସୁଧାର ଗୃହ ନିର୍ମାଣ ଲାଗି ନିର୍ଦ୍ଦେଶ ଦେଇଥିଲେ। ପ୍ରତ୍ୟେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ୟେକ ରାଜ୍ୟ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ବୋଲି କୋର୍ଟ ଦର୍ଶାଇଥିଲେ। କିନ୍ତୁ କୋର୍ଟ ଏହାର ଅନ୍ତେବାସୀଙ୍କୁ କେଉଁ ଭଳି ନିଜ ଘରକୁ ପଠାଇ ଦିଆଯିବ ତାହାର କୌଣସି ନିର୍ଦ୍ଦେଶାବଳି ତିଆରି କରିନଥିଲେ। ହୁଏତ କୋର୍ଟ ବା କାହିଁକି ଚିନ୍ତା କରିବେ ଯେ ତାହା ମଧ୍ୟ କିଛି ବ୍ୟକ୍ତିଙ୍କ ଲାଗି ଆୟର ମାଧ୍ୟମ ହୋଇଯିବ ଓ ସେମାନେ ଅନ୍ତେବାସୀଙ୍କ ଲାଗି ଅସ୍ଥାୟୀକୁ ସ୍ଥାୟୀ ଗୃହରେ ପରିଣତ କରିଦେବେ! 

ସୁଧାର ଗୃହର ସରକାରୀ ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ୟେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। କିନ୍ତୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଏଥିରେ ରହିଥାଏ ଠିକ ଜେଲ ଭଳି।  

୨୦୧୮ ମସିହାରେ ମୋର ଜଣେ କଲିକତା ନିବାସୀ ବନ୍ଧୁ ଫୋନ କରି ସୁରୁଙ୍କ ସମ୍ପର୍କରେ କହିଥିଲେ। ବନ୍ଧୁ ଜଣକ ଅସ୍ଥାୟୀ କର୍ମଚାରୀ ଭାବରେ ଉକ୍ତ ସୁଧାର ଗୃହରେ ନିଯୁକ୍ତ ହୋଇଥିଲେ। ସେ ସୁରୁଙ୍କ ସମ୍ପର୍କରେ ତାଙ୍କ ମାଲିକଙ୍କୁ ନପଚାରି ମାନବିକତା ଦର୍ଶାଇ ମୋତେ କହିଥିଲେ।

ସୁରୁ ଦେଇଥିବା ଠିକଣାରେ ଆମେ ଦୁଇ ଜଣ ବନ୍ଧୁ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର ପରିବାର ଭୂମିହୀନ ଶ୍ରମିକ। ଘର ଲୋକେ ବେଶ ଖୁସି ହୋଇଯାଇଥିଲେ। ଅଞ୍ଚଳର ସରପଞ୍ଚ ମଧ୍ୟ ଏକ ଚିଠି ଲେଖିଥିଲେ ଓ ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଫେରାଇ ଦିଆଯାଉ। 

ଆମର ରିପୋର୍ଟ, ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ ପଶ୍ଚିମ ବଙ୍ଗରୁ ଓଡ଼ିଶା ଆଣିବା ଯଥେଷ୍ଟ ହେଲା ନାହିଁ। କାରଣ ସେମାନଙ୍କ ଉଦ୍ଦେଶ୍ୟ ଭିନ୍ନ ଥିଲା। ଆଇନ ବି କୌଣସି ମାନବିକତା ରଖେ ନାହିଁ। ଏହା କେବଳ ଏକ ନିର୍ଦ୍ଦେଶ ଭାବରେ ଉଚ୍ଚ ଅଧିକାରୀଙ୍କ ନିକଟରୁ ନିମ୍ନ ଓ ତାଙ୍କ ଠାରୁ ଆହୁରି ନିମ୍ନକୁ ପାଣି ଭଳି ବୋହିଚାଲେ। ଏଥିରେ ଉତ୍ତର ଦାୟିତ୍ଵବୋଧ କହିଲେ କେବଳ ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ପ୍ରଶ୍ନ ବ୍ୟତୀତ (କାରଣ ସେ ସିସିଆର ଲେଖିବେ) ଆଉ କିଛି ନଥାଏ। ଯଦିଓ କୋର୍ଟଙ୍କର ସେହି କ୍ଷମତା ରହିଛି ଯେ ସେ ପ୍ରଶ୍ନ କରିପାରିବେ କିନ୍ତୁ ସମସ୍ତଙ୍କ ଲାଗି କୋର୍ଟକୁ ଯିବା ମଧ୍ୟ ସହଜ ହୁଏ ନାହିଁ। 

Majistrateorder
Magistrate Order Photograph: (Author)

ସରକାର ଆୟକର ସୀମା ଧାର୍ଯ୍ୟ କରିବା ଭଳି ପ୍ରଶାସନ ମଧ୍ୟ ବ୍ୟକ୍ତିମାନଙ୍କ ଆୟକୁ ନେଇ ସୀମା ତିଆରି କରିଛି ଯେ ସେ କେଉଁ ଆୟର ବ୍ୟକ୍ତିଙ୍କୁ କେତେ ପରିମାଣରେ ଗୁରୁତ୍ଵ ଦେବ, ତାହା ଠାରୁ ନିମ୍ନରେ ଥିବା ମଣିଷ ଯେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରଖୁଛି ତାହାକୁ ସେ ନିଜ ବ୍ୟବହାରରେ ସ୍ଵୀକାର କରିବ ନାହିଁ। 

ବଇଶିଙ୍ଗା ସରପଞ୍ଚଙ୍କ ଚିଠି ଓ ପରିଚୟ ପତ୍ର ଯଥେଷ୍ଟ ନହେବା ହେତୁ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ଯାଇ ମା’ଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡିଏମଙ୍କୁ ଭେଟିଥିଲେ (ସେହି ବନ୍ଧୁଙ୍କ ସହଯୋଗରେ) ଓ ମା’ଙ୍କୁ ନିଜେ ନେବା ଲାଗି ଆସିଥିବା କଥା ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ ‘ଅସୁସ୍ଥ’ କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଫେରାଇ ଦିଆଯାଉଥିଲା। 

ସୁଧାର ଗୃହର ମାଲିକ ମୋର ବନ୍ଧୁଙ୍କୁ ସୁରୁଙ୍କ ପ୍ରସଙ୍ଗରେ ଅଧିକ ଉତ୍ସାହ ଦେଖି ଚାକିରିରୁ ବହିଷ୍କାର କରିଦେଲେ। 

କଲିକତାରେ ଅବସ୍ଥିତ ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ସେମାନେ ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସେମାନଙ୍କୁ କୁହାଗଲା ଯେ ଓଡ଼ିଶାର ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚିବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ। 

ସୁରୁଙ୍କ ପୁଅ ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ‘ଗାସ’ର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ ବାଲେଶ୍ଵର ସହରରେ ଭେଟିଥିଲେ। ମାମଲା ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ଦୀର୍ଘ ବର୍ଷ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ ରହୁଛନ୍ତି।)

ଓଡ଼ିଆ ଖବରକାଗଜରେ ଏହି ଖବର ପ୍ରକାଶିତ ହେଲା ମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ। 

ଏହି ଲେଖକ ଏହାପରେ ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ। 

ଶେଷରେ, ଏହି ଲେଖକ ଜାତୀୟ ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲି।  ଏନଏଚଆରସି ମାମଲାକୁ ପଞ୍ଜୀକୃତ କରି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚିବଙ୍କୁ ନୋଟିସ କଲେ ଓ ତାଙ୍କ ଗାଁରେ ପହଞ୍ଚାଇବା ଲାଗି ଏକ ସମୟ ସୀମା ଦେଇଥିଲେ। 

କୌତୁକର ବିଷୟ ହେଲା ଯେ ଯେଉଁମାନେ ଏତେ ଦିନ ପର୍ଯ୍ୟନ୍ତ କୌଣସି ନା କୌଣସି ବାହାନାରେ ନୀରବ ରହିଥିଲେ ସେହିମାନେ ପୁଣି ସ୍ଵତନ୍ତ୍ର ଭାବରେ ସୁରୁଙ୍କୁ ତାଙ୍କ ଦେଇଥିବା ଠିକଣାରେ ପହଞ୍ଚାଇଥିଲେ।  ଫେବୃଆରୀ ୦୬, ୨୦୧୬ରୁ ହାୱଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ରେ ପହଞ୍ଚିଥିଲେ। ଉଭୟ ତାରିଖ ମଧ୍ୟରେ ବ୍ୟବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ।  

ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡ଼ିଶାର ମଧ୍ୟ ସ୍ଥିତି। ଏହା ସମଗ୍ର ଦେଶର ସ୍ଥିତି। ସାଧାରଣ ମଣିଷ ଲାଗି ସରକାର ଓ ସରକାରୀ ବ୍ୟବସ୍ଥାର ଉତ୍ତର ଦାୟିତ୍ଵବୋଧ ଶୂନ। ହର୍ଷ ମନ୍ଦରଙ୍କ ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦିତ ‘କେହି ଶୁଣିନାହାନ୍ତି’ ପୁସ୍ତକରେ ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ୟାକୁ ନେଇ ତାଙ୍କର ରହିଥିବା ପ୍ରତ୍ୟକ୍ଷ ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଛତିଶଗଡ଼ରେ ଆଦିବାସୀ ଯୁବକ ଜଗତ ଗଣ୍ଡର ଜମି ବାବୁଲାଲ ଯୋଶୀ ଅକ୍ତିଆର କରିବା ହେତୁ ତାହାର ଜମି ଫେରି ପାଇବାର ଲଢ଼େଇ ହେଉ ଅଥବା ରାଜସ୍ଥାନର ବନୱାରୀଙ୍କର ବାଳିକା ବିବାହକୁ ବିରୋଧ କରିବା ହେତୁ ଧର୍ଷଣର ଶିକାର ହେବା ପରେ ନ୍ୟାୟ ପାଇଁ ଲଢ଼େଇ ହେଉ ଅଥବା ଦିଲ୍ଲୀରେ ସବୀରର ଅନୁଭୂତି ହେଉ ସବୁ କିଛି ବର୍ଣ୍ଣନା କରୁଛି ପ୍ରଶାସନର ନିର୍ଦ୍ଦୟ ପଣକୁ। 

ସୁରୁ ତାଙ୍କ ଘରେ ପହଞ୍ଚିବାର ଖବର ମୁଁ ପୁଣି ଏନଏଚଆରସିଙ୍କୁ ମୋ ପଟରୁ ଦେବା ସହିତ ଅନୁରୋଧ କରିଛି ଯେ କମିଶନ ଏକ ନିର୍ଦ୍ଦେଶାବଳି ସ୍ଵତନ୍ତ୍ର ଭାବରେ ତିଆରି କରନ୍ତୁ। କୌଣସି ଗୋଟିଏ ରାଜ୍ୟରେ ଅନ୍ୟ ରାଜ୍ୟର ଅନ୍ତେବାସୀ ଯଦି ରହିଯାଇଥାନ୍ତି ଓ ପରିବାର ସଦସ୍ୟ ଯଦି ଆଗ୍ରହୀ ଅଛନ୍ତି ତେବେ ସେ କ୍ଷେତ୍ରରେ ଉକ୍ତ ‘ପ୍ରତ୍ୟର୍ପଣ’ ଯେଭଳି ସରଳ ହୋଇପାରିବ ତାହା ପ୍ରସ୍ତାବିତ ନିର୍ଦ୍ଦେଶାବଳିରେ ଉଲ୍ଲେଖ କରନ୍ତୁ। ଏହାର କୌଣସି ଉତ୍ତର କମିଶନଙ୍କ ଠାରୁ ଏ ପର୍ଯ୍ୟନ୍ତ ଆସିନାହିଁ।  

ମୋବାଇଲ-୯୪୩୭୭୬୨୨୭୨ 

Odisha Balasore Helpless Girls Woman Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe