Funeral Of Tribal People Killed In Kalinganagar Firing Photograph: (Internet)
ଦେବ ରଞ୍ଜନ
ଓଡ଼ିଶାର ପୂର୍ବ ନାମ କଳିଙ୍ଗ। କଳିଙ୍ଗ ଇତିହାସରେ ଦୁଇ ପ୍ରମୁଖ ଘଟଣା ଏହାର ହତ୍ୟାକାରୀକୁ ଇତିହାସ ଲେଖିବାର ସୁଯୋଗ ଦେଇଛି - କଳିଙ୍ଗ ଯୁଦ୍ଧ ଓ କଳିଙ୍ଗ ନଗର ଗୁଳିକାଣ୍ଡ।
ରାଜା ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ଲାଗି କଳିଙ୍ଗ ଆକ୍ରମଣ କରିଥିଲେ ଯାହା ଇତିହାସରେ କଳିଙ୍ଗ ଯୁଦ୍ଧ (ଖ୍ରୀଷ୍ଟପୂର୍ବ ୨୬୧) ନାମରେ ଖ୍ୟାତ। କଳିଙ୍ଗର ଆଦିବାସୀମାନଙ୍କ ଉପରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଲାଗି ଏହି ଯୁଦ୍ଧରେ ଅଶୋକ ପ୍ରାୟ ଏକ ଲକ୍ଷ ମଣିଷଙ୍କୁ ହତ୍ୟା କରିଥିଲେ ଓ ଦେଢ଼ ଲକ୍ଷ ମଣିଷଙ୍କୁ ଅର୍ଦ୍ଧମୃତ କରି ଛାଡ଼ି ଦେଇଥିଲେ। ପରବର୍ତ୍ତୀ ପିଢ଼ି ଅଶୋକଙ୍କୁ କାଳେ ଅତି ଘୃଣାର ଦୃଷ୍ଟିରେ ଦେଖିବ ସେଥିଲାଗି ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ ବୋଲି ନିଜର ବିଭିନ୍ନ ଶିଳାଲେଖାରେ ଉଲ୍ଲେଖ କରିଗଲେ। ଏହାକୁ ଆମେ ଇତିହାସ ଆକାରରେ ଆଜି ପଢୁଛୁ। ଏହା ଗଣହତ୍ୟାକାରୀ ନିଜେ ଯୁଦ୍ଧରେ ସଫଳ ହେବାର ଇତିହାସ।
ବୌଦ୍ଧ ଧର୍ମର ପ୍ରତିଷ୍ଠାତା ବୁଦ୍ଧ ଯଦି ରାଜ ପଦ ତ୍ୟାଗ କରିଥିଲେ ଅଶୋକ ଧର୍ମାଶୋକରେ ପରିଣତ ହେବା ପରେ ବି କାହିଁକି ମଗଧର ରାଜା ହୋଇ ରହିଲେ ଇତିହାସରେ କେବେ ସେ ପ୍ରଶ୍ନ କରାଯାଇନାହିଁ। କାରଣ ଇତିହାସ ତ ନିଜେ ଅଶୋକ ଲେଖିଛନ୍ତି।
ଆଧୁନିକ ଓଡ଼ିଶାରେ କଳିଙ୍ଗ ନଗର ଗୁଳିକାଣ୍ଡ (ଜାନୁଆରୀ ୦୨, ୨୦୦୬) ଲାଗି ତତ୍କାଳୀନ ବିଜୁ ଜନତା ଦଳ ସରକାର ଓ ଟାଟା କମ୍ପାନୀ ପ୍ରମୁଖ ଭାବରେ ଦାୟୀ। ସ୍ଵାଧୀନ ଭାରତର ଏହି ବୀଭତ୍ସ ଘଟଣା ଯେଉଁଠି ୧୩ ଜଣ ଆଦିବାସୀ ଜୀବନ ଦେଇଥିଲେ ତାହା କେବଳ ଟାଟା ଷ୍ଟିଲ କମ୍ପାନୀର ଜୋର ଜବରଦସ୍ତି ଜମି ଅଧିଗ୍ରହଣକୁ ବିରୋଧ କରିବା ହେତୁ ଘଟିଥିଲା। ନବେ ଦଶକରେ ଆର୍ଥିକ ସଂସ୍କାର ନାମରେ ପ୍ରାଇଭେଟ କମ୍ପାନୀମାନଙ୍କୁ ଦେଶର ସମ୍ପତ୍ତି ହସ୍ତାନ୍ତର କରି ଯେଉଁ ବିକାଶର ସ୍ଵପ୍ନ (ମାଛର ସୁରକ୍ଷା ଲାଗି ବିରାଡ଼ିଙ୍କ ନିଯୁକ୍ତି) ଦେଖାଇ ଦିଆଯାଇଥିଲା ତାହାର ଅଂଶ ଥିଲା ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଟାଟା କମ୍ପାନୀର ଷ୍ଟିଲ କାରଖାନା ସ୍ଥାପନ ପ୍ରସ୍ତାବ ଓ ଲୋକଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ଶୋଷଣର ଆରମ୍ଭ।
ଦୀର୍ଘ ଦଶ ବର୍ଷ (୧୯୯୫ରୁ ୨୦୦୫ ପର୍ଯ୍ୟନ୍ତ) ଯାଜପୁର ଜିଲ୍ଲାର କଳିଙ୍ଗ ନଗରବାସୀ ଜମି ଅଧିଗ୍ରହଣ ସମୟରେ ସରକାରୀ ପ୍ରଶାସନ ଦ୍ଵାରା ଯେଉଁଭଳି ମିଥ୍ୟା ଆଶ୍ଵାସନା, ସନ୍ଦେହାତ୍ମକ କାର୍ଯ୍ୟ, କ୍ଷତିପୂରଣ ରାଶିରେ ଚଞ୍ଚକତା, ବିନା ଅପରାଧରେ ଗିରଫ ଓ ଦମନର ଶିକାର ହୋଇଥିଲେ ତାହାର ପରିଣାମ ଥିଲା ଯେ ସେମାନେ ଟାଟା କମ୍ପାନୀକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଥିଲେ। କହିବାକୁ ଗଲେ ଓଡ଼ିଶା ସରକାର ଲୋକଙ୍କ ଧୈର୍ଯ୍ୟର ପରୀକ୍ଷା କରୁଥିଲେ। ଯେତେବେଳେ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ହେଲା ଓ ସେମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କମ୍ପାନୀର ଭୂମିପୂଜାକୁ ବିରୋଧ କରିବାକୁ ଆସିଲେ ସେତେବେଳେ ସରକାର ନିଜର ଆଧୁନିକ ଅସ୍ତ୍ରରେ ସଜ୍ଜିତ ସଶସ୍ତ୍ର ବାହିନୀ ଦ୍ଵାରା ଗୁଳିକାଣ୍ଡ ଭିଆଇ ଭୟର ପରିବେଶ ସୃଷ୍ଟି କରିଥିଲେ।
ଗଲା ଦଶ ବର୍ଷ ହେଲା ଲୋକଙ୍କୁ ଅବହେଳା କରିବା ଓ ଲୋକେ ବିରୋଧ କରିବାକୁ ଆସିବା ପରେ ପୋଲିସ ଦ୍ଵାରା ଆକ୍ରମଣ କରିବା ବିରାଟ ଷଡ଼ଯନ୍ତ୍ରର କେବଳ ଏକ ଏକ ଅଧ୍ୟାୟ ଥିଲା। ଏହାର ଅନ୍ତିମ ଅଧ୍ୟାୟ ଥଲା ନ୍ୟାୟିକ କମିଶନ ଯାହା ମଧ୍ୟ ସରକାର ଓ କମ୍ପାନୀର ସପକ୍ଷରେ ଯାଇଥିଲା।
ଅଶୋକଙ୍କ ସମୟର ହତ୍ୟାକାଣ୍ଡ କଳିଙ୍ଗର ଆଦିବାସୀଙ୍କ ଜମି ଉପରେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା ଲାଗି ଥିଲା। ମଣିଷ ମଣିଷ ମଧ୍ୟରେ ରହିଥିବା ସମାନ ସମ୍ପର୍କକୁ ଅସମାନ କରିବା, ମାନବିକତାର ହତ୍ୟା କରି ରାଜା-ପ୍ରଜାର ସମ୍ବନ୍ଧକୁ ସ୍ଥାପନ କରିବା, ଜଙ୍ଗଲକୁ କାଟି ପ୍ରାସାଦ ତିଆରି କରିବା, ମଣିଷ ମଧ୍ୟରେ ଭୟ ସ୍ଥାପନ ଲାଗି ସୈନ୍ୟ ବାହିନୀ ରଖିବାର କାର୍ଯ୍ୟ ଧର୍ମାଶୋକ କରିଥିଲେ। ଏହା ସତ୍ତ୍ୱେ ଇତିହାସ କଳିଙ୍ଗବାସୀଙ୍କୁ ଆଉ କେବେ ନିଜ ଇତିହାସ ଲେଖିବାର ସୁଯୋଗ ଦେଇନଥିଲା। ପୁଣି କଳିଙ୍ଗବାସୀ ଇଂରେଜଙ୍କ ଉପନିବେଶ ବିରୁଦ୍ଧରେ ସ୍ଵାଧୀନତା ଲାଗି ଦୀର୍ଘ ଲଢେଇ ଲଢିଥିଲେ। କଳିଙ୍ଗ ଯୁଦ୍ଧ ଠାରୁ ଉପନିବେଶ ବିରୋଧୀ ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ କଳିଙ୍ଗବାସୀ କେବେ ଏ ରାଜା ତ ପୁଣି ସେ ରାଜାର ସୈନ୍ୟ ଭାବରେ ଲଢିଛନ୍ତି। ଇତିହାସରେ କେବେ ପ୍ରମୁଖ ଚରିତ୍ର ହୋଇପାରିନଥିଲେ। ଋଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ବୀର୍ସା ମୁଣ୍ଡା ପ୍ରମୁଖଙ୍କ ଲଢ଼େଇ ଏହାର ଉଦାହରଣ।
ପୁଣି ଦେଶ ସ୍ଵାଧୀନ ତ ହେଲା କିନ୍ତୁ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ ନଥିଲା। କଳିଙ୍ଗ ନଗର ଠାରେ ପ୍ରାଇଭେଟ କମ୍ପାନୀ ଟାଟା ବିରୁଦ୍ଧରେ ଲୋକେ ଲଢ଼େଇ ଆରମ୍ଭ କରି ପୁଲିସ ଗୁଳିରେ ମୃତ୍ୟୁବରଣ କଲେ। ସେମାନେ ଭାବିଥିଲେ ସ୍ଵାଧୀନ ଦେଶରେ କୌଣସି ସରକାର ରହିବ ଯେ ତାଙ୍କ ଅଧିକାରର ସୁରକ୍ଷା କରିବ। ଅଥଚ ସେମାନେ ଜୀବନ ଦେଲେ। ଓଡ଼ିଶା ସରକାର ବିଚାର ବିଭାଗ କମିଶନ ସ୍ଥାପନ କଲେ। ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ଵ କାଳ ପିକେ ମହାନ୍ତି କମିଶନ କମିଶନ (ତିନି ଜଣ ବିଚାରପତି ଜଣକ ପରେ ଜଣେ ନିଯୁକ୍ତ ହୋଇଥିଲେ ଓ ଶେଷରେ ଜଷ୍ଟିସ ପିକେ ମହାନ୍ତି ରିପୋର୍ଟ ଉପସ୍ଥାପନ କରିଥିଲେ) ବିଭିନ୍ନ ଭାବରେ ତଥ୍ୟ ଅନୁସନ୍ଧାନ ଓ ବିଭିନ୍ନ ପକ୍ଷକୁ ଶୁଣିବା ପରେ ଦୀର୍ଘ ରିପୋର୍ଟ ସରକାରଙ୍କୁ ୨୦୧୭ ମସିହାରେ ପ୍ରଦାନ କରିଥିଲେ।
କମିଶନ କିନ୍ତୁ କଳିଙ୍ଗ ନଗରବାସୀଙ୍କୁ ସେମାନଙ୍କ ଜୀବନ ଜୀବିକାର ଲଢ଼େଇକୁ ‘ବେଆଇନ’ ଓ ‘ଅସମ୍ବିଧାନିକ’ ଅଥଚ ଗୁଳିକାଣ୍ଡ କରିଥିବା ପୋଲିସଙ୍କୁ ‘ଆତ୍ମରକ୍ଷା’ ଲାଗି ଜରୁରୀ ଥିଲା ବୋଲି ଦର୍ଶାଇଥିଲେ। ଗଣତନ୍ତ୍ରରେ ନିର୍ବାଚିତ ସରକାର କାହାରିକୁ ହତ୍ୟାକରିବା ନ୍ୟାୟଯୁକ୍ତ କି? ଏହି ପ୍ରସଙ୍ଗକୁ କମିଶନ ଆଡ଼େଇ ଗଲେ। ଗଲା ଦଶ ବର୍ଷର ସରକାରୀ ଅବହେଳା ଓ ଜମିର ଚଞ୍ଚକତାପୂର୍ଣ ଅଧିଗ୍ରହଣ ସମ୍ବନ୍ଧରେ କମିଶନ ଆଦୌ ଉଲ୍ଲେଖ ମଧ୍ୟ କଲେନାହିଁ। କହିବାକୁ ଗଲେ, ହତ୍ୟାକାଣ୍ଡ ବିକାଶ ଲାଗି ଥିଲା। ବିକାଶ କମ୍ପାନୀ ଲାଗି ଥିଲା। କମ୍ପାନୀ ସରକାରଙ୍କୁ ବଶୀଭୂତ କରିଥିଲା। ସରକାର ଯେଉଁ ବିଚାର ବିଭାଗ କମିଶନ ସ୍ଥାପନ କରିଥିଲେ ତାହା ପରୋକ୍ଷରେ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। ଏହା ସବୁ ପୂର୍ବ ନିର୍ଦ୍ଧାରିତ ଥିଲା।
ଟାଟା କମ୍ପାନୀ ସମେତ ଅନେକ କମ୍ପାନୀ ଓଡ଼ିଶାରେ ଜମି ଅଧିଗ୍ରହଣ କରିବା ଲାଗି ଓଡ଼ିଶା ସରକାରଙ୍କ ସହିତ ‘ମେକ ଇନ ଇଣ୍ଡିଆ’ (୨୦୧୬) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯଦି ଗୁଳିକାଣ୍ଡ ଲାଗି କମିଶନ ଟାଟା କମ୍ପାନୀ ଓ ଓଡ଼ିଶା ସରକାରଙ୍କୁ ଦାୟୀ କରିଥାନ୍ତେ ବା ସେମାନଙ୍କ ବିପକ୍ଷରେ ଯାଇଥାନ୍ତା ତେବେ କମ୍ପାନୀର ପୁଞ୍ଜିନିବେଶ କାର୍ଯ୍ୟ ହୋଇପାରିନଥାନ୍ତା। ତେବେ କମିଶନ ରିପୋର୍ଟ ଦେବା ପୂର୍ବରୁ କେଉଁଭଳି କମ୍ପାନୀ ସରକାରଙ୍କୁ ପୁଞ୍ଜି ନିବେଶର ଚୁକ୍ତି କରିପାରିଥିଲା, ଏହି ପ୍ରଶ୍ନ ଠିକ ସମ୍ରାଟ ଅଶୋକଙ୍କ ଶିଳାଲେଖା ସଦୃଶ। ଯେମିତି ଅଶୋକ ଜାଣିଥିଲେ ଯେ ଇତିହାସ କେବେ ଅଶୋକଙ୍କୁ ଦୋଷୀ କରି ଦଣ୍ଡବିଧାନ କରିବ ନାହିଁ ସେମିତି ଟାଟା କମ୍ପାନୀ ବି ଜାଣିଥିଲା ଯେ ସେ କେବେ ଏଥିଲାଗି ଦୋଷୀ ସାବ୍ୟସ୍ତ ହେବାର ନାହିଁ। ଅଶୋକଙ୍କ ସାମ୍ରାଜ୍ୟ ଭଳି ଟାଟାର ସାମ୍ରାଜ୍ୟ ବିକାଶ ଲାଗି ଉଦ୍ଦିଷ୍ଟ ବୋଲି ଉଭୟ ଏକ ବିଚାର ସଫଳତାର ସହିତ ସୃଷ୍ଟି କରିଥିଲେ। ଉଭୟ ଓଡ଼ିଆ ଅସ୍ମିତାକୁ ସଫଳତାର ସହିତ କବ୍ଜା କରିନେଇଥିଲେ।
କଳିଙ୍ଗ ନଗର ଗୁଳିକାଣ୍ଡ ଲାଗି ସ୍ଥାପିତ ବିଚାର ବିଭାଗ କମିଶନ ନିଜର ରିପୋର୍ଟ ଦେବାର ବହୁ ପୂର୍ବରୁ ଟାଟା କମ୍ପାନୀ ନିଜର ଜମି ଅଧିଗ୍ରହଣ କରି ପ୍ଳାଣ୍ଟ ନିର୍ମାଣ ଆରମ୍ଭ କରିଦେଇଥିଲା। ଏପରି କି କମିଶନ ରିପୋର୍ଟ ଦେବା ପୂର୍ବରୁ ଟାଟା କମ୍ପାନୀ ନିଜର ଉତ୍ପାଦନ ମଧ୍ୟ ଆରମ୍ଭ କରିଦେଇଥିଲା। ଏହାପରେ କମିଶନ ନିଜର ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲେ। ଏଥିରେ ଲୋକଙ୍କୁ ଦାୟୀ କରାଗଲା ଓ ପୁଲିସକୁ କ୍ଳିନ ଚିଟ ମିଳିଲା। ମରିଥିବା ଲୋକଙ୍କ ଲାଗି ‘ଅନୁକମ୍ପାମୂଳକ ସହଯୋଗ ରାଶି’ ସରକାରଙ୍କୁ ଦେବା ଲାଗି କମିଶନ ଘୋଷଣା କରିଥିଲେ। କମିଶନଙ୍କ ରିପୋର୍ଟରେ ହତ୍ୟାକୁ ଦୟାରେ ପରିଣତ କରାଗଲା। କମିଶନଙ୍କ ରିପୋର୍ଟରେ ଲୋକଙ୍କ ଅଧିକାରକୁ ଶୂଳିରେ ଚଢ଼ାଇ ଦିଆଗଲା।
କମିଶନର ତଦନ୍ତ ରିପୋର୍ଟ ଉପସ୍ଥାପନ ପରେ ପରେ ସରକାରଙ୍କ ମଧ୍ୟରେ ଶତ ସିଂହର ବଳ ଆସିଯାଇଛି। ସରକାର ଏହାପରେ ଦେଶର ସମସ୍ତ ଆଇନ କାନୁନକୁ ନିଜ ହାତକୁ ନେଇଛନ୍ତି। ସରକାରୀ ଭୟ ଓ କମ୍ପାନୀର ଲାଞ୍ଚ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆହୁରି ଆମାନବୀୟ, ଅଧିକ କ୍ରୁର ଓ ପକ୍ଷପାତପୂର୍ଣ୍ଣ ହୋଇଛି। କମିଶନ ରିପୋର୍ଟ ପରେ ରାଜ୍ୟ ସରକାର ପୁଲିସ ଉପରକୁ ଆକ୍ରମଣ କରିଥିବା ‘ଅପରାଧରେ’ ଅନେକ ଲୋକଙ୍କୁ ଗିରଫ କଲେ ଓ ଦଣ୍ଡ ମଧ୍ୟ ଘୋଷଣା କରିଛନ୍ତି। କିନ୍ତୁ ପୁଲିସ ଗୁଳିରେ ଲୋକେ ମରିଥିବା ସତ୍ତ୍ୱେ ପୁଲିସ ବିରୁଦ୍ଧରେ ହତ୍ୟା ମକଦ୍ଦମା ମଧ୍ୟ ରୁଜ୍ଜୁ ହୋଇନାହିଁ। ନ୍ୟାୟ ଅନ୍ୟାୟର ସଂଜ୍ଞା କମ୍ପାନୀ ଲେଖିଛି ଠିକ ବୌଦ୍ଧ ଧର୍ମର ସଜ୍ଞା ସମ୍ରାଟ ଅଶୋକ ଲେଖିବା ଭଳି।
କଳିଙ୍ଗ ନଗରବାସୀ ଏବେ ବି ନିଜ ଅଧିକାର ଲାଗି ଲଢ଼େଇ ଜାରି ରଖିଛନ୍ତି। ସେମାନେ ପୁଣି କେବେ ଇତିହାସର କେନ୍ଦ୍ରକୁ ଆସିବେ ତାହା ସମୟ ହୁଏତ କହିବ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/02/kalinganagar-firing-2026-01-02-17-01-45.jpg)