ସମୟର ଦୌଡ଼ରେ ଆମେ ଆଗକୁ ବଢ଼ୁଛୁ, କିନ୍ତୁ ସେହି ଦୌଡ଼ରେ କେତେ ଅମୂଲ୍ୟ ସାଂସ୍କୃତିକ ପରମ୍ପରାକୁ ପଛରେ ଛାଡ଼ି ଆସୁଛୁ, ତାହା ନେଇ ଆମେ କେବେ ଗଭୀର ଭାବେ ଚିନ୍ତା କରୁଛୁ କି?
ଅନେକ ଦିନ ପରେ ଭୁବନେଶ୍ଵର ପଥ ଉତ୍ସବରେ ଏହି କୁଣ୍ଢେଇ ନାଚ ଦେଖିବାକୁ ପାଇଲି। ଭାରି ଖୁସି ଲାଗିଲା।
ଲୋକକଳା ଓ ଲୋକନାଟ୍ୟ ପରମ୍ପରାର ଅତ୍ୟନ୍ତ ପୁରାତନ କଣ୍ଢେଇ ନାଚ ଏମିତି ଗୋଟିଏ ଲୋକକଳା, ଯାହା ଆଜି ଅବହେଳା, ଅନାଗ୍ରହ ଓ ନୀରବତାର ଅନ୍ଧକାରରେ ଧୀରେ ଧୀରେ ଅଦୃଶ୍ୟ ହେଉଛି।
କଣ୍ଢେଇ ନାଚ କେବଳ ଗୋଟିଏ ମନୋରଞ୍ଜନ ନୁହେଁ; ଏହା ହେଉଛି ଓଡ଼ିଆ ଲୋକମନସ୍କୁ ଛୁଇଁଥିବା ଏକ ଜୀବନ୍ତ ନାଟ୍ୟ ଭାଷା। ଓଡ଼ିଆ ଲୋକଜୀବନ, ସାମାଜିକ ସଚେତନତା ଓ ଆଧ୍ୟାତ୍ମିକ ଚିନ୍ତାଧାରାର ଏକ ଜୀବନ୍ତ ପ୍ରତିବିମ୍ବ।
କାଠରେ ତିଆରି ଏକ ନୀରବ କଣ୍ଢେଇ, ସୂତାରେ ଚାଳିତ ହୋଇ, ଯେତେବେଳେ ମଣିଷର ହସ, କାନ୍ଦ, କ୍ରୋଧ ଓ ପ୍ରେମକୁ ପ୍ରକାଶ କରେ, ସେଠାରେ କଳାର ଅଦ୍ଭୁତ ଶକ୍ତିକୁ ଅନୁଭବ କରି ହୁଏ।
ଅଳ୍ପ ସାଧନ, ଅଳ୍ପ ଆଲୋକ, ଅଳ୍ପ ଶବ୍ଦ, କିନ୍ତୁ ଗଭୀର ପ୍ରଭାବ।
କଣ୍ଢେଇ ନାଚର ଆବିର୍ଭାବ ଓଡିଶାର ଗ୍ରାମୀଣ ସମାଜରେ, ବିଶେଷକରି ମେଳା, ଯାତ୍ରା, ଧାର୍ମିକ ଉତ୍ସବ ଓ ଲୋକପର୍ବ ସମୟରେ ହୋଇଥିଲା। ପୂର୍ବକାଳରେ କଣ୍ଢେଇ ନାଚ ଗାଁର ମେଳା, ଯାତ୍ରା, ଧାର୍ମିକ ଉତ୍ସବର ଅବିଭାଜ୍ୟ ଅଂଶ ଥିଲା।
ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାର/ସୂତା ଦ୍ୱାରା ସଂଯୋଗ କରାଯାଇଥାଏ । ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଦ୍ୱାରା କଣ୍ଢେଇଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି। ସଖୀ କଣ୍ଢେଇ ନାଚ ଦଳରେ ଅତି କମ୍ ରେ ୭ ଜଣ କଳାକାର ଆବଶ୍ୟକ । ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି। ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି । ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ।
ଗାଁ ଗାଁ ବୁଲି ମଧ୍ୟ କଳାକାରମାନଙ୍କ ଦ୍ୱାରା କଣ୍ଢେଇ ନାଚ ପ୍ରଦର୍ଶିତ ହୋଇଥାଏ। କାଠରେ ତିଆରି କଣ୍ଢେଇ, ସୂତା ଓ ତାର ମାଧ୍ୟମରେ ଚାଳିତ ହୋଇ, ମାନବୀୟ ଭାବକୁ ଅଦ୍ଭୁତ ଭାବରେ ପ୍ରକାଶ କରେ। କଣ୍ଢେଇ ନାଚିଆ (ପୁତୁଳି କଳାକାର) ପଛରୁ ସଙ୍ଗୀତ, ସଂଳାପ ଓ ଗୀତ ମାଧ୍ୟମରେ ସମ୍ପୂର୍ଣ୍ଣ କଥାକୁ ଜୀବନ୍ତ କରନ୍ତି।
ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ। ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି । ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ
ଐତିହାସିକ ଓ ଲୋକସାହିତ୍ୟିକ ମତାନୁସାରେ, ଏହାର ମୂଳ ଭିତ୍ତି ବୈଷ୍ଣବ ଭକ୍ତି ଆନ୍ଦୋଳନ ସହିତ ଯୋଗାଯୋଗ ରଖେ। ରାଧାକୃଷ୍ଣ ଲୀଳା, ରାମାୟଣ ଓ ମହାଭାରତର କଥାବସ୍ତୁକୁ ଲୋକମାନଙ୍କ ମଧ୍ୟରେ ସହଜ ଭାବରେ ପହଞ୍ଚାଇବା ପାଇଁ କଣ୍ଢେଇ ନାଚ ଏକ ଶକ୍ତିଶାଳୀ ମାଧ୍ୟମ ଥିଲା। ଏହା ମାଧ୍ୟମରେ ପୌରାଣିକ କଥା, ନୀତିଶିକ୍ଷା, ସାମାଜିକ ବ୍ୟଙ୍ଗ ଓ ଜନଜୀବନର ସତ୍ୟକୁ ସହଜ ଭାଷାରେ ଲୋକଙ୍କ ପାଖକୁ ପହଞ୍ଚାଯାଉଥିଲା।
କେତେକ ଗବେଷକଙ୍କ ମତାନୁସାରେ, ଏହି କଳାର ମୂଳ ମଧ୍ୟ ଯୁଗୀୟ ଓଡିଶାରେ (ଆନୁମାନିକ ୧୫ଶ–୧୬ଶ ଶତାବ୍ଦୀ) ଗଢ଼ିଉଠିଥିଲା, ଯେଉଁ ସମୟରେ ଲୋକନାଟ୍ୟ ଓ ସଙ୍ଗୀତ ମାଧ୍ୟମରେ ଧର୍ମ ଓ ନୀତିବୋଧ ପ୍ରଚାର ହୋଇଥିଲା। ଇତିହାସ କହେ ଏହା ପ୍ରଥମେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲେ ମଧ୍ୟ
ଢେଙ୍କାନାଳର କଣ୍ଢେଇ ନାଚ ପରମ୍ପରା ବି ଅଦ୍ଧଶତାବ୍ଦୀ ପୁରୁଣା। ଏହି ଜିଲ୍ଲାର ୧୪ ଲୋକକଳା ବିଭବ ଭିତରେ ସାମିଲ ହୋଇଛି ଏହି ପାରମ୍ପରିକ ନାଚ। ଏତଦବ୍ୟତୀତ ବୌଦ୍ଧ, ଫୁଲବାଣୀ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ଛତିଶଗଡ଼ରେ ରାଇଡିହି କଣ୍ଢେଇ ନାଚ ମଧ୍ୟ ବେଶ ପ୍ରସିଦ୍ଧ।
କଣ୍ଢେଇ ନାଚ ୪ ଭାଗରେ ବିଭକ୍ତ। ହାତ କଣ୍ଢେଇ ବା ସଖୀ କଣ୍ଢେଇ, ସୂତା କଣ୍ଢେଇ, ବାଡି କଣ୍ଢେଇ, ଛାୟା କଣ୍ଢେଇ ବା ରାବଣ ଛାୟା। ହାତ କଣ୍ଢେଇକୁ ହାତରେ, ସୂତା କଣ୍ଢେଇକୁ ସୂତାରେ, ବାଡ଼ି କଣ୍ଢେଇକୁ ବାଡ଼ି ଏବଂ ଓ ସୂତା ଦ୍ବାରା ସମନ୍ବୟ ରକ୍ଷା କରି ପ୍ରଦର୍ଶନ କରାଯାଏ। କଣ୍ଢେଇଗୁଡ଼ିକ ହାଲୁକା କାଠରେ ନିର୍ମିତ। ଚରିତ୍ର ଅନୁଯାୟୀ ଏହାର ଉଚ୍ଚତା ୧ ଫୁଟରୁ ୨ ଫୁଟ ମଧ୍ୟରେ ହୋଇଥାଏ।
ଏହି ନାଚ କେବଳ ପୌରାଣିକ କଥାରେ ସୀମିତ ନଥିଲା; ସମାଜିକ ଅନ୍ୟାୟ, ନୀତିଶିକ୍ଷା, ଗ୍ରାମୀଣ ଜୀବନର ହାସ୍ୟ–ବ୍ୟଙ୍ଗ୍ୟ ମଧ୍ୟ ଏଥିରେ ସ୍ଥାନ ପାଇଥିଲା। ସେହିପରି, ଏହା ଲୋକଶିକ୍ଷାର ଏକ ମାଧ୍ୟମ ଭାବେ ଗୁରୁତ୍ୱ ରଖିଥିଲା। ସେହି ଅର୍ଥରେ କଣ୍ଢେଇ ନାଚ ଥିଲା ଲୋକଶିକ୍ଷାର ଏକ ସକ୍ରିୟ ମାଧ୍ୟମ।
କିନ୍ତୁ ଆଜି? ଆଧୁନିକ ମନୋରଞ୍ଜନ ମାଧ୍ୟମ, ସିନେମା, ଟେଲିଭିଜନ ଓ ଡିଜିଟାଲ ସଂସ୍କୃତିର ପ୍ରଭାବରେ କଣ୍ଢେଇ ନାଚ ଆଜି ଅବନତିର ସମ୍ମୁଖୀନ। ଡିଜିଟାଲ ମନୋରଞ୍ଜନର ଆକ୍ରମଣରେ ଏହି ଲୋକକଳା ପ୍ରାୟ ଅପ୍ରାସଙ୍ଗିକ ହୋଇପଡ଼ିଛି।
କଳାକାରଙ୍କ ଅଭାବ, ଅର୍ଥିକ ଅନିଶ୍ଚିତତା ଓ ଯୁବପିଢ଼ିର ଅନାଗ୍ରହ ଏହାକୁ ପ୍ରାୟ ଲୁପ୍ତ ପାର୍ଶ୍ୱକୁ ଠେଲି ଦେଇଛି। କଣ୍ଢେଇ ନାଚ କରୁଥିବା କଳାକାରଙ୍କ ପାଇଁ ନା ଅଛି ନିଶ୍ଚିତ ଆୟ, ନା ରହିଛି ସମ୍ମାନଜନକ ପରିଚୟ। ଯୁବପିଢ଼ି ଏହି ପରମ୍ପରାକୁ ଗ୍ରହଣ କରିବାକୁ ଆଗ୍ରହୀ ନୁହେଁ, କାରଣ ଏହାର ସହିତ ଜୀବିକାର ଭରସା ଜଡ଼ିତ ନାହିଁ।
ଦୁଃଖର କଥା, ଆମେ ଯେତେବେଳେ ଏହି କଳାକୁ ପୁରୁଣାକାଳିଆ ବୋଲି ଅବହେଳା କରୁଛୁ, ସେତେବେଳେ ଆମର ନିଜସ୍ୱ ସାଂସ୍କୃତିକ ପରିଚୟକୁ ମଧ୍ୟ ଦୁର୍ବଳ କରୁଛୁ। ସଂସ୍କୃତି କେବଳ ସଂଗ୍ରହାଳୟରେ ରଖିବା ପାଇଁ ନୁହେଁ; ସେ ଜୀବନ୍ତ ରହିବା ଦରକାର, ଜନ ଜୀବନରେ, ପିଢ଼ିରୁ ପିଢ଼ିକୁ।
ପଥ ଉତ୍ସବ, ଲୋକମହୋତ୍ସବ ପରି କିଛି ମଞ୍ଚରେ କଣ୍ଢେଇ ନାଚ ବେଳେ ବେଳେ ଦେଖିବାକୁ ମିଳୁଛି ଓ ଗବେଷଣାମୂଳକ ପ୍ରୟାସ ମାଧ୍ୟମରେ ଏହି କଳାକୁ ପୁନରୁଜ୍ଜୀବିତ କରିବାର ଚେଷ୍ଟା ଚାଲିଛି, ଏହା ଆଶାଜନକ। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ। ସରକାରୀ ପ୍ରୋତ୍ସାହନ, ନିୟମିତ ପ୍ରଦର୍ଶନୀ, ପ୍ରଶିକ୍ଷଣ କେନ୍ଦ୍ର ଓ ଶିକ୍ଷା ପାଠ୍ୟକ୍ରମରେ ଏହି ଲୋକକଳାକୁ ସାମିଲ କରିବା ଆବଶ୍ୟକ।
କଣ୍ଢେଇ ନାଚ ଓଡିଶାର କଳା ଇତିହାସର ଏକ ମୂଲ୍ୟବାନ ଅଧ୍ୟାୟ। ଏହା କେବଳ ଗତକାଲିର କଥା ନୁହେଁ, ଆଗାମୀ ପିଢ଼ି ପାଇଁ ରକ୍ଷଣ ଓ ପୁନର୍ଜୀବନର ଆହ୍ୱାନ। ଏହି ଲୋକକଳାକୁ ବଞ୍ଚାଇ ରଖିବା ମାନେ, ଓଡିଆ ଆତ୍ମାକୁ ବଞ୍ଚାଇ ରଖିବା।
ସୂତା ଯଦି ଛିଣ୍ଡିଯାଏ, କଣ୍ଢେଇ ନିଷ୍ପ୍ରାଣ ହୋଇପଡ଼େ; ସଂସ୍କୃତି ଯଦି ଅବହେଳିତ ହୁଏ, ଜାତିର ଆତ୍ମା ମଧ୍ୟ ନୀରବ ହୋଇଯାଏ।
ଡ ରୀନା ରାଉତରାୟ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/15/kandhei-dance-2026-02-15-12-32-01.jpg)