ରୁଦ୍ର ପ୍ରସନ୍ନ ରଥ
ଭାରତକୁ ମ୍ୟାଚ୍ ଜିତିବା ପାଇଁ ୫୦ ଓଭରରେ ୩୨୧ ରନ୍ ଦରକାର ଥିଲା। ତେବେ ଭାରତକୁ ଟୁର୍ଣ୍ଣାମେଂଟର ଫାଇନାଲରେ ପହଁଚିବା ପାଇଁ ୪୦ ଓଭରରେ ହିଁ ୩୨୧ କରିବାର ଥିଲା। ଏପରି କରିପାରିଲେ ଭାରତ ଯେ କେବଳ ମ୍ୟାଚ୍ ଜିତିବ ତାହା ନୁହେଁ ବରଂ ବହୁମୂଲ୍ୟ ଗୋଟିଏ ବୋନସ୍ ପଏଂଟ ପାଇବ। ଏହା ଫଳରେ ଭାରତ ଶ୍ରୀଲଙ୍କାକୁ ପଛରେ ପକାଇ ଅଷ୍ଟ୍ରେଲିଆ ସହିତ ଫାଇନାଲ ଖେଳିବାର ଆଶା ଉଜ୍ଜୀବିତ ରଖିପାରିବ।
୨୦୧୨ ମସିହାର ସିବି ସିରିଜ ଟୁର୍ଣ୍ଣାମେଂଟର କଥା ଇଏ। ୨୦୦୭-୦୮ରେ ଅଷ୍ଟ୍ରେଲିଆ ନିଜ ଦେଶରେ ଗୋଟିଏ ତ୍ରିପାକ୍ଷିକ ସିରିଜର ଆୟୋଜନ କରୁଥାଏ। ଏହି ସିରିଜରେ ଅଷ୍ଟ୍ରେଲିଆ ବ୍ୟତୀତ ଭାରତ ଏବଂ ଶ୍ରୀଲଙ୍କା ଯୋଗ ଦେଇଥାଆନ୍ତି। ଟୁର୍ଣ୍ଣାମେଂଟର ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ଦଳ ଅନ୍ୟ ଦଳ ସହିତ ୪ଟି ଲେଖାଏଁ ମ୍ୟାଚ୍ ଖେଳିବାର ଥିଲା। ଭାରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆଠାରୁ ହାରିଥିବାବେଳେ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇଥିଲା। ତୃତୀୟ ମ୍ୟାଚ୍ ଭାରତ ଅଷ୍ଟ୍ରେଲିଆକୁ ହରାଇଥିବାବେଳେ ଚତୁର୍ଥ ମ୍ୟାଚରେ ଭାରତ ଏବଂ ଶ୍ରୀଲଙ୍କା ସହିତ ମ୍ୟାଚ୍ ଟାଇ ହୋଇଥିଲା। ଭାରତ ପଂଚମ, ଷଷ୍ଠ ଏବଂ ସପ୍ତମ ମ୍ୟାଚ୍ରେ ପରାଜୟ ବରଣ କରିଥିଲା। ଭାରତ ନିଜର ଅଷ୍ଟମ ମ୍ୟାଚ୍ ଶ୍ରୀଲଙ୍କା ସହିତ ହୋବାର୍ଟରେ ଖେଳୁଥିଲା। ହୋବାର୍ଟର ଏହି ମ୍ୟାଚ୍ ଶ୍ରୀଲଙ୍କାର ସପ୍ତମ ମ୍ୟାଚ୍ ଥିଲା। ଭାରତ ବୋନସ୍ ପଏଂଟ ସହିତ ଏହି ମ୍ୟାଚ୍ ଜିତିଲେ ଏବଂ ଶ୍ରୀଲଙ୍କା ଶେଷ ମ୍ୟାଚ୍ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହେଲେ ଭାରତ ଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ ହେବ। ସେତେବେଳେ ଅଷ୍ଟ୍ରେଲିଆ ବିଶ୍ୱ କ୍ରିକେଟର ଏକ ଶକ୍ତିଶାଳୀ ଦଳ ହୋଇଥିବାରୁ ସହଜରେ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ହରାଇ ପାରିବ ବୋଲି ଆଶା କରାଯାଉଥିଲା। ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ତିନୋଟି ଏବଂ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ବିଜୟ ସହ ପାଂଚ ବୋନସ ପଏଂଟ ପାଇ ମୂଳରୁ ହିଁ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରି ନେଇଥିଲା। ଅଷ୍ଟ୍ରେଲିଆର ଶେଷ ମ୍ୟାଚ୍ ଶ୍ରୀଲଙ୍କା ସହିତ ଥିଲା ଏବଂ ଏହାର ଫଳାଫଳ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱହୀନ ଥିଲା। ଶ୍ରୀଲଙ୍କା ବି ଚାହୁଁଥିବା ଭାରତକୁ ହରାଇ ଫାଇନାଲର ଟିକଟ ପକ୍କା କରିବା ପାଇଁ।
ଶ୍ରୀଲଙ୍କାର ଆରମ୍ଭ ଦମଦାର ହୋଇଥିଲା। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ସତ, ହେଲେ ଭାରତର ବୋଲରମାନେ ବୋଲିଂ କରିବାର ଅଳ୍ପ ସମୟ ମଧ୍ୟରେ ବୁଝିଯାଇଥିଲେ ଯେ ଏହି ପିଚ୍ରେ ବୋଲରମାନଙ୍କ ପାଇଁ କିଛି ନାହିଁ। ଭାରତକୁ ପ୍ରଥମ ୱିକେଟ୍ ମିଳିଲା ୧୨ ଓଭରରେ। ମାହେଲା ଜୟବର୍ଦ୍ଧନେ ଜାଡେଜାଙ୍କ ବଲରେ ସେହବାଗ୍ଙ୍କ ହାତରେ ଆଉଟ୍ ହେଲେ ମାତ୍ର ୨୨ ରନ୍ କରି। ତେବେ ଏହି ଖୁସି କ୍ଷଣସ୍ଥାୟୀ ରହିଲା। ଦ୍ୱିତୀୟ ୱିକେଟ୍ ଯୋଡିରେ ତିଲକ୍ ରତ୍ନେ ଦିଲସାନ୍ ଏବଂ କୁମାର ସଙ୍ଗାକାର ଯୋଡ଼ିଲେ ୨୦୦ ରନ୍। ୧୬୫ ବଲରେ ୧୬୦ ରନ କରି ତିଲକରତ୍ନେ ଶେଷଯାଏ ଅପରାଜିତ ରହିଲେ। ୮୭ ବଲରେ ୧୦୫ କରି ସାଙ୍ଗାକାରା ଆଉଟ୍ ହେଲାବେଳକୁ ଦଳ ୨୪୯ ରନ୍ କରି ସାରିଲାଣି। ଶେଷ ୪୦ ବଲରେ ଶ୍ରୀଲଙ୍କା ଆହୁରି ୭୨ ରନ ଯୋଡ଼ିଲା। ଦଳ ମୋଟ୍ ଉପରେ ୩୨୧ ରନ୍ର ବିଶାଳ ସ୍କୋର ଠିଆ କଲା। ଭାରତକୁ ବୋନସ୍ ପଏଂଟ ପାଇବା ପାଇଁ ଆହୁରି କଷ୍ଟ କରିବାର ଥିଲା। କାରଣ ଏହି ରନ୍କୁ ୪୦ ଓଭର ଭିତରେ ହାସଲ କରିବାର ଥିଲା।
ଏହି ରନ୍ ହାସଲ କରିବାକୁ ଭାରତକୁ ଦ୍ରୁତ ଆରମ୍ଭ ଆବଶ୍ୟକ ଥିଲା ଆଉ ଜଣେ କେହି ଦିଲସାନ କିମ୍ବା ସାଙ୍ଗାକାରାଙ୍କ ପରି ବିସ୍ପୋରକ ଇନିଂସ୍ ଖେଳିବାର ଥିଲା।
ଭାରତକୁ ମୂଳରୁ ହିଁ ଓଭର ପିଛା ଆଠ ରନ୍ ସଂଗ୍ରହ କରିବାର ଥିଲା। ସେହ୍ୱାଗ ୧୬ ବଲରେ ୩୦ ଏବଂ ସଚିନ୍ ୩୦ ବଲରେ ୩୯ ରନ୍ କରି ଆଉଟ୍ ହେଲାବେଳକୁ ଦଳର ସ୍କୋର ଥିଲା ୯.୨ ବଲରେ ୮୬ ରନ। ସେତେବେଳକୁ ଯଦିଓ ଦଳରେ ରାଇନା ଏବଂ ଗୌତମ ଗାମ୍ଭୀରଙ୍କ ପରି ବ୍ୟାଟର ଥିଲେ ତଥାପି ପୂରା ଇନିଂସ୍ ଆକ୍ରାମଣାତ୍ମକ କ୍ରିକେଟ ଏମାନେ ଖେଳି ଭାରତକୁ ୪୦ ଓଭର ଭିତରେ ୩୨୧ ରନ୍ ବିଜୟ ଲକ୍ଷ୍ୟ ହାସଲ କରିପାରିବେ ତାହା ନେଇ ଅନେକଙ୍କର ସଂଶୟ ଥିଲା।
ସଚିନଙ୍କ ଆଉଟ୍ ହେବା ପରେ ପଡ଼ିଆକୁ ଓହ୍ଲାଇଲେ ବିରାଟ କୋହଲୀ। ସେତେବେଳେକୁ କୋହଲୀ ୮୦ଟି ପାଖାପାଖି ଏକଦିବସୀୟ ଖେଳି ସାରିଲେଣି। ଲିଟିଲ ମାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରେ ଭାରତୀୟ ଦଳର ସେ ଉପଯୁକ୍ତ ଦାୟାଦ ବୋଲି ନିଜକୁ ପ୍ରମାଣିତ କରିସାରିଲେଣି। ତାଙ୍କର ଆଉ କିଛି ପ୍ରମାଣ ଦେବାର ବାକି ହିଁ ନଥିଲା। ତଥାପି ସେଦିନ ସେ ନିଜ ପ୍ରତିଭାର ଯେଉଁ ଦସ୍ତଖତ ହଜାର ହଜାର କ୍ରୀଡ଼ା ପ୍ରେମୀଙ୍କ ଆଗରେ ଦେଲେ ତାହା ବେଶ୍ ଦେଖିବା ପରି ଥିଲା।
କୋହଲୀ ସେଦିନ ଖେଳିଲେ ଭାରତୀୟ ଏକଦିବସୀୟ କ୍ରିକେଟ୍ର ଅନ୍ୟତମ ଶ୍ରେଷ୍ଠ ଇନିଂସ୍। ସେଦିନ ସେ ସାମନା କରୁଥିଲେ ଲସିଥ୍ ମାଲିଙ୍ଗା, ଆଂଜେଲୋ ମାଥ୍ୟୁସ୍ଙ୍କ ପରି ଫାଷ୍ଟ ବୋଲରଙ୍କୁ। ପୁଣି ରଂଗନା ହେରାଥଙ୍କ ପରି ଅନୁଭବୀ ସ୍ପିନର। ଥିସାରା ପେରେରା ଏବଂ ନୁୱାନ କୂଳସେକରାଙ୍କ ପରି ବୋଲର ମଧ୍ୟ ଥିଲେ। କିନ୍ତୁ କେହି ବି କୋହଲୀଙ୍କୁ କାବୁ କରିପାରି ନଥିଲେ। ମାତ୍ର ୮୬ ବଲରୁ ୧୩୩ ରନ୍ର ଇନିଂସ୍ ଖେଳି ଭାରତକୁ ବିଜୟ ଆଡ଼କୁ ନେଇ ଯାଇଥିଲେ। ଏଥିରେ ସାମିଲ ଥିଲା ୧୬ଟି ଦର୍ଶନୀୟ ଚୌକା ଏବଂ ଦୁଇଟି ଛକ୍କା। ଷ୍ଟ୍ରାଇକ୍ ରେଟ୍ ପାଖାପାଖି ୧୫୫ ଥିଲା। ଅର୍ଥାତ କୋହଲୀ ଖେଳିଥିବା ପ୍ରତିବଲରୁ ପାଇଥିଲେ ୧.୫ ରନ୍।
ଏହି ମ୍ୟାଚ୍ରେ କୋହଲୀ ବନାମ ଲସିଥ ମାଲିଙ୍ଗା ଲଢ଼େଇ ବେଶ୍ ଦେଖିବାର ଥିଲା। ଲସିଥ ମାଲିଙ୍ଗା ମାତ୍ର ୭.୪ ଓଭର ବୋଲିଂ କରି ସେଦିନ ୯୬ ରନ ଦେଇଥିଲେ, ବଦଳରେ ପାଇଥିଲେ ମାତ୍ର ଗୋଟିଏ ୱିକେଟ୍। କୋହଲୀ ମାଲିଙ୍ଗାଙ୍କର ୧୫ ବଲ ଖେଳି ସଂଗ୍ରହ କରିଥିଲେ ୪୪ ରନ୍। ଏଥିରେ ସାମିଲ ଥିଲା ଗୋଟିଏ ଛକ୍କା ଏବଂ ୯ଟି ଚୌକା। ଏହା ଏକ ଦିବସୀୟ କ୍ରିକେଟ୍ରେ ମାଲିଙ୍ଗାଙ୍କ ଜୀବନର ସବୁଠାରୁ ଖରାପ ଇକୋନୋମୀ ବୋଲି ବେଶ୍ ସହଜରେ କୁହାଯାଇପାରିବ।
କୋହଲୀ ପ୍ରଥମେ ଗାମ୍ଭୀରଙ୍କ ସହ ମିଶି ଯୋଡ଼ିଲେ ୧୦୯ ବଲରୁ ୧୧୫ ରନ୍। ଗାମ୍ଭୀର ଆଉଟ୍ ହେଲେ ୬୪ ବଲରୁ ୬୩ ରନ୍ କରି। ସେତେବେଳକୁ ଭାରତକୁ ଜିତିବା ପାଇଁ ଆହୁରି ୭୫ ବଲରୁ ୧୨୦ ରନ୍ ଆବଶ୍ୟକ ହେଉଥାଏ। କୋହଲୀଙ୍କ ସହ ଯୋଗଦେଲେ ବାମହାତୀ ରାଇନା। ରାଇନା ୨୪ ବଲରୁ ୪୦ ରନ୍ର ଧୁଆଁଧାର ବ୍ୟାଟିଂ କରି କୋହଲୀଙ୍କ ଉପରୁ ଚାପ ହଟାଇବା ସହ ଭାରତକୁ ବିଜୟ ହାସଲ ପଥରେ ରଖିଥିଲେ। ତେବେ କୋହଲୀଙ୍କର ଏହି ହୋବାର୍ଟ ମାଷ୍ଟରକ୍ଲାସ୍ ବ୍ୟାଟିଂ ବଳରେ ଭାରତ ୩୬.୪ ଓଭରରେ ୮୨ ବଲ ବାକି ଥାଇ ୭ ୱିକେଟ୍ ବିନିମୟରେ ଶ୍ରୀଲଙ୍କାକୁ ହରାଇ ନିଜର ଫାଇନାଲ ଆଶା ଉଜ୍ଜିବୀତ ରଖିଲା।
ଯଦିଓ କୋହିଲୀଙ୍କର ଏହି ଆକର୍ଷକ ଇନିଂସ୍ର ଚର୍ଚ୍ଚା ଅନେକ ସମୟଯାଏ ହୁଏ ଏବଂ ଅନେକଙ୍କ ମତରେ ଏହା କୋହଲୀଙ୍କ ଜୀବନର ଅନ୍ୟତମ ଶ୍ରେଷ୍ଠ ଇନିଂସ୍, ତେବେ ଏହି ଇନିଂସ୍ ଯେଉଁ କାରଣ ପାଇଁ ଖେଳାଯାଇଥିଲା ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଶେଷ ଲିଗ୍ ମ୍ୟାଚ୍ରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆକୁ ହରାଇ ଦେବାରୁ ଭାରତ ଫାଇନାଲ ଖେଳିବାରୁ ବାଦ୍ ପଡ଼ିଯାଇଥିଲା। ପରେ ଏହି ଟୁର୍ଣ୍ଣାମେଂଟର ତିନି ଥାକିଆ ଫାଇନାଲରେ ଅଷ୍ଟ୍ରେଲିଆ ଶ୍ରୀଲଙ୍କାକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା। ତେବେ ଶେଷରେ ଏକଥା ଲେଖାଯାଇପାରେ ଯେ ସେଦିନ ହୋବାର୍ଟରେ କୋହଲୀଙ୍କ ଖେଳ ଯିଏ ଦେଖିଛି ସେ ତାଙ୍କ ବ୍ୟାଟିଂ ପ୍ରତିଭା ଦେଖି ବିମୋହିତ ହୋଇଛି। କୋହଲୀଙ୍କ କଟ୍, ପୁଲ, ଗ୍ଲାନ୍ସ, ଡ୍ରାଇଭ୍ ସବୁ ଦର୍ଶନୀୟ ଥିଲା। ଆଉ ଶେଷରେ ଯେତେବେଳେ କୋହଲୀ ବିଜୟ ସୂଚକ ରନ ସଂଗ୍ରହ କଲେ ସେତେବେଳେ ତାଙ୍କ ସେଲେବ୍ରେସନର ଜବାବ୍ ନଥିଲା। ଯେତେବେଳେ ବି କୋହଲୀଙ୍କର ବ୍ୟାଟିଂ କଥା ଉଠିବ ସେତେବେଳେ ହୋବାର୍ଟର ଏହି ମାଷ୍ଟର କ୍ଲାସ୍କୁ ଲୋକ ନିଶ୍ଚୟ ମନେ ପକାଇବେ।
ଫୋ- ୭୯୭୮୬୭୧୭୭୬