Advertisment

ଶାସନ କୌରବର ହେଉ କି ପାଣ୍ଡବର…

“ଶାସନ କୌରବ ହେଉ କି ପାଣ୍ଡବର / ଦ୍ରୌପଦୀ ଭଳି ଜନତା / କୌରବ ଶାସନରେ ହେବ ବସ୍ତ୍ରହରଣ / ଆଉ ପାଣ୍ଡବ ଶାସନରେ ପଶା ଖେଳରେ ଲାଗିବ ତାର ବାଜି।“ ମୂଳ ହିନ୍ଦୀ କବି ଡ. ସୁରେନ୍ଦ୍ର ଶର୍ମାଙ୍କ କବିତା ‘ଅପହରଣ’, ଅନୁବାଦ : ଅକ୍ଷୟ ସାମଲ।

author-image
Debendra Prusty
Protest Against Balasore Self Immolation Case

Protest Against Balasore Self Immolation Case

ଦେବ ରଞ୍ଜନ

“ଶାସନ କୌରବ ହେଉ କି ପାଣ୍ଡବର / ଦ୍ରୌପଦୀ ଭଳି ଜନତା / କୌରବ ଶାସନରେ ହେବ ବସ୍ତ୍ରହରଣ / ଆଉ ପାଣ୍ଡବ ଶାସନରେ ପଶା ଖେଳରେ ଲାଗିବ ତାର ବାଜି।“ ମୂଳ ହିନ୍ଦୀ କବି ଡ. ସୁରେନ୍ଦ୍ର ଶର୍ମାଙ୍କ କବିତା ‘ଅପହରଣ’, ଅନୁବାଦ : ଅକ୍ଷୟ ସାମଲ।

Advertisment

ପଚାଶ ଦଶକରେ ରାଜାରାଜୁଡ଼ା ଶାସନର ଅନ୍ତ ଘଟାଇ ଦେଶ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅପଣାଇଥିଲା। ସମ୍ବିଧାନରେ ଉଭୟ ପୁରୁଷ ଓ ମହିଳାଙ୍କର ସମାନ ଅଧିକାର ରହିଲା। ବିଶ୍ୱାସ ଥିଲା ଯେ ଏହାପରେ ସମାଜରେ ନାରୀର ସ୍ଥିତିରେ ଉନ୍ନତି ଆସିବ, ନାରୀ ମଣିଷ ଭଳି ଗଣାଯିବ ଯେମିତି ପୁରୁଷ। ସ୍ଵାଧୀନତା ପୂର୍ବ ସମାଜରେ ସାଧାରଣ ନାରୀକୁ କେବଳ ଯୌନ ସମ୍ବନ୍ଧ ଓ ପରିବାର ବୃଦ୍ଧି ପାଇଁ ବ୍ୟବହାର କରାଯାଉଥିଲା ସେହି ମାନସିକତାରୁ କ୍ରମଶଃ ମୁକ୍ତି ମିଳିବ ବୋଲି ଚିନ୍ତା କରାଯାଇଥିଲା।

ବିଡ଼ମ୍ବନା ହେଲା ଯେ ନିର୍ବାଚନ ପଦ୍ଧତିରେ ଯେଉଁମାନେ ଶାସନକୁ ଆସିଲେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଣତାନ୍ତ୍ରିକ ଅନୁଷ୍ଠାନକୁ ଉଭୟ ଧନ ଠୁଳ କରିବା ଓ ନାରୀକୁ ଉପଭୋଗ କରିବାର କ୍ଷେତ୍ର କରିଦେଲେ। ଏହାଦ୍ୱାରା ପୂର୍ବର ସାମନ୍ତବାଦୀ ବ୍ୟବସ୍ଥାରେ ଯାହା ଥିଲା ଆଧୁନିକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପାଖାପାଖି ତାହା ହିଁ ରହିଲା। ନାରୀ ପ୍ରତି କ୍ଷମତାଶାଳୀ ବ୍ୟକ୍ତିଙ୍କ ଦୃଷ୍ଟିଭଙ୍ଗିରେ ପରିବର୍ତ୍ତନ ଆସିଲା ନାହିଁ।

Advertisment

ନବେ ଦଶକର ଶେଷ ଭାଗର କଥା। ଓଡ଼ିଶାରେ କଂଗ୍ରେସ ସରକାର ଥାଏ। ମଧ୍ୟବିତ୍ତ ଶିକ୍ଷିତ ମହିଳା ଅଞ୍ଜନା ମିଶ୍ର ନିଜ ସ୍ଵାମୀଙ୍କ ଦ୍ଵାରା ନିର୍ଯାତିତ ହେଉଥିବାର ଅଭିଯୋଗ ଆଣିଥାନ୍ତି। ତାଙ୍କର ସ୍ଵାମୀ ସେ ସମୟରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗର ଉଚ୍ଚ ଅଧିକାରୀ। ମହିଳାଙ୍କ ପରିସ୍ଥିତିର ସୁଯୋଗ ନେଇ ତତ୍କାଳୀନ ହାଇକୋର୍ଟର ସରକାରୀ ଓକିଲ (ଆଡଭୋକେଟ ଜେନେରାଲ) ତାଙ୍କୁ ଅଦସାଚରଣ କଲେ। ପରେ ତିନି ଜଣ ଯୁବକ ତାଙ୍କୁ ଗଣବଳତ୍କାର କରିଥିଲେ। ଅଥଚ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ଵାଧୀନ କଂଗ୍ରେସ ସରକାର ଏହାର ଅନୁସନ୍ଧାନରେ ବିଳମ୍ବ କରିବା ହେତୁ ସମଗ୍ର ରାଜ୍ୟରେ କଂଗ୍ରେସ ବିରୋଧୀ ନିଆଁ ବ୍ୟାପିଯାଇଥିଲା। ଏଥିରେ ସରକାର ବଦଳିଗଲା ଓ ନୂଆ ଗଢ଼ାଯାଇଥିବା ବିଜୁ ଜନତା ଦଳ ଶାସନକୁ ଆସିଥିଲା। ସେହି କଳାଛାଇ ଏତେ ଗହୀର ଥିଲା ଯେ ଏହା ପରେ କଂଗ୍ରେସ ରାଜ୍ୟରେ ଏଯାଏ କ୍ଷମତାକୁ ଆସିପାରିଲା ନାହିଁ।

ପୂର୍ବ ସରକାରରୁ ଶିକ୍ଷାଲାଭ ନକରିବା

ନାରୀର ସମ୍ମାନ ପ୍ରସଙ୍ଗ ରାଜ୍ୟରେ କଂଗ୍ରେସ ବିରୋଧୀ ମାନସିକତାକୁ ବଳିଷ୍ଠ କରିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ବିଜୁ ଜନତା ଦଳ ଏହାକୁ ଠିକ ବୁଝିଥିଲେ। ନବୀନ ପଟ୍ଟନାୟକ ନିଜେ ବହୁତ ଚାଲାକ ମଣିଷ। ନିଜ ଦଳର କୌଣସି ମନ୍ତ୍ରୀ କିମ୍ବା କର୍ମକର୍ତ୍ତାଙ୍କ ବିରୁଦ୍ଧରେ କୌଣସି ମହିଳା ଅଭିଯୋଗ ଆଣିଲେ ବିରୋଧୀ ଦଳ ଏହାକୁ ବଡ଼ ପ୍ରସଙ୍ଗ କରିବାର ଯଥେଷ୍ଟ ପୂର୍ବରୁ ତୁରନ୍ତ ତାହାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଉଥିଲେ ଅଥବା ପାର୍ଟିରୁ ବହିଷ୍କାର କରୁଥିଲେ। ବେବିନା, ଇତିଶ୍ରୀ ଓ ମାଧବୀ ଇତ୍ୟାଦିଙ୍କ ଘଟଣାରେ ଏହି ବହିଷ୍କାର ନିଷ୍ପତ୍ତି ନବୀନ ପଟ୍ଟନାୟକଙ୍କୁ ପାର୍ଟି ମଧ୍ୟରେ ଅଦ୍ଵିତୀୟ ନେତା କରିଦେଲା।

୨୦୧୪ ମସିହାରେ ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ନବୀନ ପଟ୍ଟନାୟକଙ୍କ ଦ୍ଵାରା ମନ୍ତ୍ରୀଙ୍କୁ ବିଦା କରିବା ନିଷ୍ପତ୍ତିରେ ବିରାମ ଆସିଲା। ପରୀ ଘଟଣାରେ ସେ ଆଉ ବିରୋଧୀଙ୍କ ଦାବିକୁ କର୍ଣ୍ଣପାତ କଲେ ନାହିଁ। ନିଜକୁ ବିଜେଡ଼ି ଏତେ ସୁରକ୍ଷିତ ମନେ କଲା ଯେ ସାଧାରଣ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗର କୌଣସି ସ୍ୱଚ୍ଛ ଅନୁସନ୍ଧାନ ମଧ୍ୟ କ୍ରମଶଃ ପୋଲିସ ଦ୍ଵାରା ହେଲା ନାହିଁ। ଦଳିତ, ଆଦିବାସୀ, ମୁସଲମାନ ଓ ଖ୍ରୀଷ୍ଟିୟାନ ମହିଳାଙ୍କ ଅଭିଯୋଗକୁ ସ୍ଵତନ୍ତ୍ର ଭାବରେ ଧ୍ୟାନ ଦିଆଗଲା ନାହିଁ। ଲୋକେ ଏହାକୁ ବିଜେଡିର ଅହଂକାର ବୋଲି ମନେକଲେ ଓ ଏକ ବିରାଟ ଭୋଟର ଗୋଷ୍ଠୀ ବିଜେଡି ଠାରୁ ଦୂରେଇଗଲେ।

ଅଞ୍ଜନା ମିଶ୍ରଙ୍କ ଘଟଣା ପରେ କଂଗ୍ରେସ ଚାହିଁଥିଲେ ନିଜ କର୍ମୀମାନଙ୍କର ମହିଳାଙ୍କ ପ୍ରତି ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥାନ୍ତା। ଅନ୍ତତଃ ଦଳୀୟ କର୍ମୀମାନେ ଯେପରି ନିଜର ପରିବାର ମଧ୍ୟରେ କୌଣସି ବି ପ୍ରକାରର ଲିଙ୍ଗଗତ ଭେଦଭାବ ରଖିବେ ନାହିଁ ସେ ଦିଗରେ ଦଳର ମୁଖ୍ୟ କେବେ ନିଷ୍ପତ୍ତି ଶୁଣାଇନଥିଲେ। ଫଳରେ, ସରକାରୀ ପାଦପଦବୀରେ ଯିଏ ରହିଲା ସେ ଲୋକଙ୍କୁ ଅତ୍ୟାଚାର କରିବା, ହିଂସା ଆଚରଣ, ଯୌନ ଲାଳସା, ଅର୍ଥ ଲାଳସା ମେଣ୍ଟାଇବା ଲାଗି ଉଦ୍ୟମ କରିବା ଇତ୍ୟାଦି ରହିଲା। ଏହା ହିଁ ବିଜେଡି କ୍ଷେତ୍ରରେ ହେଲା ଓ ଏହା ହିଁ ଦେଶର ଅନେକ ରାଜନୈତିକ ଦଳ ମଧ୍ୟରେ ହେଉଛି।

ରାଜ୍ୟର ମୁଖ୍ୟ ମହିଳା ହେବା ସତ୍ତ୍ୱେ

ଗଲା ବର୍ଷ କଲିକତା ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ତୃଣମୂଳ କଂଗ୍ରେସ ସରକାର ଯେଉଁଭଳି ଚପାଇବାକୁ ଚେଷ୍ଟା କରୁଥିଲେ ତାହା ଅବିଶ୍ଵସନୀୟ ଥିଲା। କାରଣ ରାଜ୍ୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀ ଥିଲେ ଓ ସେ ପାର୍ଟିର ମୁଖ୍ୟ ମଧ୍ୟ। ଉକ୍ତ ଘଟଣା ଆମକୁ ସୁଚାଇ ଦେଇଥିଲା ଯେ ଜଣେ ମହିଳା ମୁଖ୍ୟାମନ୍ତ୍ରୀ ହୋଇଗଲେ ଯେ ରାଜ୍ୟ ମଧ୍ୟରେ ମହିଳା ସୁରକ୍ଷିତ ହେବେ ସେଭଳି ଯୁକ୍ତି ଅତ୍ୟନ୍ତ ଅବାସ୍ତବ।

ଆଞ୍ଚଳିକ ଅସ୍ମିତା, ଦ୍ରାବିଡ଼ ଅସ୍ମିତା ଏପରିକି କମ୍ୟୁନିଷ୍ଟ ପାର୍ଟି ଦ୍ଵାରା ଶାସିତ ରାଜ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ କଥା ଘଟୁଛି। ଏଠାରେ ମଧ୍ୟ ମହିଳାଙ୍କ ଅଭିଯୋଗ ପାର୍ଟି ମଧ୍ୟରେ ରହିଥିବା କ୍ଷମତାର ବ୍ୟୁହକୁ ଭେଦ କରିପାରୁନାହିଁ। ତାମିଲନାଡୁର ଆନ୍ନା ବିଶ୍ୱବିଦ୍ୟାଳୟ ଛାତ୍ରୀ ଗଣଦୁଷ୍କର୍ମର ଅଭିଯୋଗ ସତ୍ତ୍ୱେ ପୋଲିସର ନିଷ୍କ୍ରିୟତା ଓ ଏହାର ପ୍ରତିବାଦରେ ତାମିଲନାଡୁ ବିଧାନସଭା ଅଚଳ ହେବା କ'ଣ ଲଜ୍ଜାକର ବିଷୟ ନୁହେଁ? ପରେ କୋର୍ଟ ଦ୍ଵାରା ଛାତ୍ରୀ ଦୁଷ୍କର୍ମକାରୀ ଡିଏମକେର ଅଭିଯୁକ୍ତ ସଦସ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କେରଳର ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀଙ୍କ ଉପରେ ହେଉଥିବା ଯୌନ ଶୋଷଣର ଅଭିଯୋଗର ତଦନ୍ତ ପାଇଁ ଗଠିତ ହେମା କମିଟି ରିପୋର୍ଟକୁ ସିପିଏମ ସରକାର ଦୀର୍ଘ ପାଞ୍ଚ ବର୍ଷ ଚାପି ରଖିଥିଲେ। ୨୦୧୯ରେ ରିପୋର୍ଟ ଦାଖଲ ହୋଇଥିଲେ ମଧ୍ୟ ୨୦୨୪ରେ ଏହାର କିଛି ଅଂଶ ଲୋକଙ୍କ ସାମ୍ନାକୁ ଆରଟିଆଇ ମାଧ୍ୟମରେ ଆସିଥିଲା। କିନ୍ତୁ ରିପୋର୍ଟ ଆସିବାର ଠିକ ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ଶକ୍ତିଶାଳୀ ବ୍ୟକ୍ତି ସରକାରୀ ପଦବୀରୁ ଇସ୍ତଫା ଦେଇଥିଲେ। କିଏ କିଏ ଗିରଫ ମଧ୍ୟ ହୋଇଥିଲେ। ଅଥଚ ଆଜି ବି ଉକ୍ତ ରିପୋର୍ଟ କେରଳ ବିଧାନସଭାରେ ଉପସ୍ଥାପିତ ହୋଇନାହିଁ।

ସରକାରୀ ଦଳ ସର୍ବଦା ନିଜର ବିରୋଧୀଙ୍କ ମତକୁ ଚପାଇବା, ଗୁଣ୍ଡାଗିରି କରି ଲୋକଙ୍କୁ ଡରାଇ ଜମି ଅକ୍ତିଆର କରିବା, ପାର୍ଟି ପାଇଁ ଅର୍ଥ ସଂଗ୍ରହ କରିବା, ଭିନ୍ନମତକୁ ଦମିତ କରିବା ଓ ବିରୋଧୀଙ୍କୁ କିଣିନେବା ନହେଲେ ହତ୍ୟା କରିବା ଭଳି ଜଘନ୍ୟ କାର୍ଯ୍ୟ ନିଜର ବିଶ୍ଵାସୀ କର୍ମୀ ଓ ଅଫିସରଙ୍କ ଦ୍ଵାରା କରାଇଥାଏ। ଚାହେ ପଶ୍ଚିମ ବଙ୍ଗ, ଓଡ଼ିଶା, ତାମିଲନାଡୁ ହେଉ ଅଥବା ଅନ୍ୟ କୌଣସି ରାଜ୍ୟ, କେହି ନା କେହି ସରକାର ଲାଗି ଏହି କାର୍ଯ୍ୟ କରିଥାନ୍ତି। ସରକାରୀ ଦଳ ପୁଣି ଏହାର ବିନିମୟରେ ସେହିମାନଙ୍କୁ ସୁରକ୍ଷା ଦେଇଥାଏ, ବିଶେଷକରି ଯେତେବେଳେ ସେମାନଙ୍କ ବିରୁଦ୍ଧରେ କୌଣସି ଦୁର୍ନୀତି ଅଥବା ଯୌନ ଶୋଷଣ ବା ଉଭୟ କାର୍ଯ୍ୟର ଅଭିଯୋଗ ଆସେ। କଲିକତା ମେଡିକାଲ କଲେଜ ଛାତ୍ରୀ ହୁଅନ୍ତୁ ଅଥବା ଆନ୍ନା ବିଶ୍ୱବିଦ୍ୟାଳୟ କିମ୍ବା ଫିଲ୍ମ ଅଭିନେତ୍ରୀଙ୍କ ପ୍ରକୃତ ଅତ୍ୟାଚାରୀକୁ ଏଥିଲାଗି ଘଣ୍ଟ ଘୋଡ଼ାଇ ରଖାଯାଉଛି।

ଧର୍ମ ଓ ନୈତିକତାର ପ୍ରଚାର ସତ୍ତ୍ୱେ

କୁହାଯାଏ ଯେ ମଣିଷ ଯଦି ଧର୍ମ ପରାୟଣ ହୁଏ, ନୈତିକତାକୁ ଗୁରୁତ୍ଵ ଦିଏ ତେବେ ତାହା ମଧ୍ୟରେ ବ୍ୟଭିଚାର ଗୁଣ ଲୋପ ପାଇଯାଏ ଓ ସେ ଜଣେ ଆଦର୍ଶ ମଣିଷ ହୋଇଥାଏ। ଧର୍ମର ସୁରକ୍ଷାର କଥା ସବୁଠାରୁ ଅଧିକ ଭାରତୀୟ ରାଜନୀତିରେ ଭାରତୀୟ ଜନତା ପାର୍ଟି କରୁଛି। ସେମାନେ ଏହି ଉଦ୍ଦେଶ୍ୟରେ ମଧ୍ୟ ପିଲାଙ୍କ ପାଠ୍ୟ ପୁସ୍ତକକୁ ବଦଳାଇଦେଉଛନ୍ତି। ଅନେକ ମନ୍ଦିର ନିର୍ମାଣ କରୁଛନ୍ତି। ଗୋସେବାକୁ ଗୁରୁତ୍ଵ ଦେଉଛନ୍ତି। ମହିଳାଙ୍କୁ ଦେବୀର ସ୍ଥାନ ଦେଉଛନ୍ତି।

କିନ୍ତୁ ବିଜେପି ଶାସିତ ରାଜ୍ୟରେ ଏହାର ମନ୍ତ୍ରୀ ଓ ବିଧାୟକଙ୍କ ବିରୁଦ୍ଧରେ ଆସୁଥିବା ଅନେକ ଯୌନ ଶୋଷଣ ମାମଲାକୁ ପାର୍ଟି ‘ବିରୋଧୀଙ୍କ ଷଡ଼ଯନ୍ତ୍ର’ କହି ଟାଳି ଦେଉଛି। ମହିଳା ଯଦି ଆଦିବାସୀ, ଦଳିତ ଅଥବା ଗରିବ ତେବେ ଦୁଷ୍କର୍ମକାରୀର ସପକ୍ଷରେ ରାଲି, ସଭା ଓ ବିକ୍ଷୋଭ ଆୟୋଜନ କରୁଛି। ଉଦାହରଣ: ୨୦୧୭ ମସିହାରେ ଉତ୍ତରପ୍ରଦେଶର ଉନ୍ନାଓ ଦଳିତ ମହିଳା ଗଣଦୁଷ୍କର୍ମ ମାମଲାରେ ବିଜେପି ଏମଏଲଏ କୁଳଦୀପଙ୍କୁ ପାର୍ଟି ସୁରକ୍ଷା ଦେଉଥିଲା। ତୁରନ୍ତ ଗିରଫ କଲାନାହିଁ। ସ୍ଥାନୀୟ କୋର୍ଟ ପରେ ତାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ।

୨୦୧୮ ରେ କଠୁଆ ଠାରେ ଆଦିବାସୀ ବାଳିକାକୁ ମନ୍ଦିର ମଧ୍ୟରେ ଗଣଦୁଷ୍କର୍ମ ଓ ହତ୍ୟା କରାଗଲା। ଏଠାରେ ଦୋଷୀଙ୍କ ସପକ୍ଷରେ ବିଜେପିର କର୍ମୀମାନେ ରାଲି କରିଥିଲେ। ପରେ କୋର୍ଟ ସମସ୍ତଙ୍କୁ ଦୋଷୀ କରିଥିଲେ। କିନ୍ତୁ ରାଲି କରିଥିବା ସେହି ସମର୍ଥକଙ୍କ ବିରୁଦ୍ଧରେ ପାର୍ଟି କୌଣସି ପଦକ୍ଷେପ ନେଇନଥିଲା।

୨୦୨୦ରେ ଉତ୍ତରପ୍ରଦେଶର ହାଥ୍ରାସ ଠାରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିଲା। ଦିଲ୍ଲୀରେ ପରେ ସେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିଲେ। ଦିଲ୍ଲୀରୁ ମହିଳାଙ୍କ ଶବକୁ ନେଇ ଉତ୍ତରପ୍ରଦେଶ ପୋଲିସ ପରିବାର ସଦସ୍ୟଙ୍କୁ ନଜଣାଇ ନିଜେ ସତ୍କାର କରିଥିଲା। କିନ୍ତୁ କୌଣସି ଗିରଫ ଦୀର୍ଘ ଦିନ ଧରି କରିନଥିଲା। ପୋଲିସର ଭୂମିକାକୁ ସିବିଆଇ ମଧ୍ୟ ତିରସ୍କାର କରିଛି।

୨୦୦୨ ଗୁଜୁରାଟ ଦଙ୍ଗାରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯିବା ପରେ ଏହାକୁ ଚପାଇଦେବା ଲାଗି ଉଦ୍ୟମ ହୋଇଛି। ଶେଷରେ ଯେଉଁ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରଯାଇଥିଲା ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ୨୦୨୨ରେ ସ୍ଵତନ୍ତ୍ର ଆଗ୍ରହ ଦେଖାଇ ପାରୋଲରେ ଛାଡ଼ିଦେଲେ। ସେହି ୧୧ ଜଣ ବ୍ୟକ୍ତିଙ୍କୁ ଜେଲରୁ ଫୁଲମାଳ ଦେଇ ଭିଏଚପି ସ୍ଵାଗତ କରିଥିଲା ଯାହାଙ୍କୁ ସୁପ୍ରିମକୋର୍ଟ ପୁଣି ଜେଲକୁ ପଠାଇଥିଲେ। ଏହାପରେ ବିଜେପି ଅଥବା ଭିଏଚପି ନିଜ କାର୍ଯ୍ୟ ଲାଗି କେବେ ବି ଦୁଃଖ ପ୍ରକାଶ କରିନଥିଲେ।

୨୦୨୩ ମସିହାରେ ମଣିପୁର ଠାରେ ଦୁଇ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ ଓ ଲଙ୍ଗଳା କରି ଚଳାଇବା ଘଟଣାରେ ମହିଳାଙ୍କ ଅଭିଯୋଗକୁ ଅଣଦେଖା କରି ପୋଲିସ ସେମାନଙ୍କୁ ୯୦୦ରୁ ୧୦୦୦ ପୁରୁଷଙ୍କ ଭିଡ଼ ମଧ୍ୟକୁ ଠେଲି ଦେଇଥିଲା।

ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ତାଲିକା ଏହିଭଳି ଦୀର୍ଘ।

ଗୁଜୁରାଟରେ ବିଲକିସ ବାନୋ ବା ମଣିପୁର ମହିଳାଙ୍କ ସହିତ ଦଳ ଯାହା କରିଥିଲା ତାହାର ପରିଣାମ ଦଳ ବାଲେଶ୍ଵରରେ ଛାତ୍ରୀ ଆତ୍ମହତ୍ୟାରେ ପାଇଲା ବୋଲି ମୋର ସମୟ ସମୟରେ ମନେହୁଏ। ଓଡ଼ିଶାରେ ବିଜେପିର ଶାସନ ସମୟରେ ବାଲେଶ୍ଵର ଛାତ୍ରୀ ସେହି ସମସ୍ତ ଅନୁଷ୍ଠାନ ଓ ନିର୍ବାଚିତ ସାଂସଦ ଓ ବିଧାନସଭା ସଦସ୍ୟଙ୍କୁ ନିବେଦନ କରିଥିଲେ ଯାହାଙ୍କ ଦ୍ଵାରସ୍ଥ ଦିନେ ବିଲକିସ ଓ ଅନେକ ନିର୍ଯାତିତା ମହିଳା ନିଜ ନିଜ ଅଞ୍ଚଳରେ ହୋଇଥିଲେ। ବାଲେଶ୍ଵର ଛାତ୍ରୀ ଜଣକଙ୍କ କଥା କେହି ନଶୁଣିବା ହେତୁ ସେ ଆତ୍ମହତ୍ୟା କଲେ। ଯଦି ଛାତ୍ରୀ ଜଣକ ଆଦାନୀ କିମ୍ବା ଅମ୍ବାନୀ ଭଳି ପରିବାରର ହୋଇଥାନ୍ତେ ତେବେ ଏଭଳି ଅଣଦେଖା କଣ ହୋଇଥାନ୍ତା?

ବିଜେପିର ଦୃଢ଼ ରାଷ୍ଟ୍ରବାଦ କେବଳ ଧନୀ ଶ୍ରେଣୀର ସୁରକ୍ଷା ନୁହେଁ କି? ବିଲକିସ ଅଥବା ହାଥ୍ରାସର ଦଳିତ ମହିଳାଙ୍କ ଉପରେ ଘଟିଥିବା ଘଟଣାକୁ ସମଗ୍ର ମହିଳାଙ୍କ ସମ୍ମାନର ପ୍ରଶ୍ନ ବୋଲି ପାର୍ଟି ଯଦି ବୁଝିଥାନ୍ତା ତେବେ ପାର୍ଟିକର୍ମୀଙ୍କ ମଧ୍ୟରେ ମହିଳାଙ୍କ ଅଭିଯୋଗକୁ ଗୁରୁତର ସହିତ ନେବାର ଚିନ୍ତାଧାରା (ଗୋଚାଲାଣ ଓ ଧର୍ମାନ୍ତରୀକରଣ ପ୍ରସଙ୍ଗ ଠାରୁ ବି ଗୁରୁତ୍ୱପୂର୍ଣ୍ଣ) ବିକଶିତ ହୋଇଥାନ୍ତା, ନୁହେଁ କି?

ପଶ୍ଚିମ ବଙ୍ଗରେ ଆରଜି କର ମେଡିକାଲ କଲେଜ ଘଟଣାରେ ସରକାରଙ୍କ ଅମନଯୋଗୀତାକୁ ସମାଲୋଚନା କରି ପାର୍ଟି କଲିକତା ମେୟର ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦୋଷୀ କରିବା ଲାଗି ଦାବି କରିଥିଲା। କିନ୍ତୁ ହାଥ୍ରାସ ଅଥବା ବାଲେଶ୍ଵର ଘଟଣାରେ ନିଜର ମୁଖ୍ୟଙ୍କୁ ସୁରକ୍ଷିତ ରଖିବା ଲାଗି ଯୁକ୍ତି ମିଡିଆ ସାମ୍ନାରେ ରଖାଯାଇଥିଲା। ଏହାକୁ ରାଜ୍ୟବାସୀ ବିଶ୍ଵାସ କରିନଥିଲେ। ସରକାରଙ୍କ ଅବହେଳାର ପ୍ରତିବାଦରେ ରାଜ୍ୟବାସୀ ଓଡ଼ିଶା ବନ୍ଦରେ ସ୍ଵତଃ ଭାବରେ ଯୋଗଦେଇଥିଲେ।

ଚାହେ କୌଣସି ବି ରାଜନୈତିକ ଦଳ ହୁଅନ୍ତୁ ନା କାହିଁକି, ସେମାନଙ୍କର ବିରୋଧୀ ଦଳରେ ରହିଥିବା ବେଳେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନା ପ୍ରସଙ୍ଗରେ ଯେଉଁ ଭୂମିକା ନିଅନ୍ତି ପୁଣି ନିଜେ ଶାସନକୁ ଆସିଲା ପରେ ତାହାର ବିପରୀତ ହୋଇଯାନ୍ତି। ସେମାନେ ସେହି କାମ କରୁଛନ୍ତି ଯାହାକୁ ସେମାନେ ବିରୋଧୀ ଦଳରେ ଥିବା ସମୟରେ ସମାଲୋଚନା କରିଥିଲେ।

ଶେଷରେ

କିଛି ଫରକ ନାହିଁ ଯଦି ସେ ସୌମ୍ୟାଶ୍ରୀ ହୁଅନ୍ତି କି ଅପରାଜିତା, ସେ ବେବିନା ହୁଅନ୍ତୁ କି ନିହାରୀକା, ସେ ଅଞ୍ଜନା ହୁଅନ୍ତୁ କି ସୋଫିଆ, ଜ୍ୟୋତି ହୁଅନ୍ତୁ କି ଜ୍ୟାକଲିନ କିଛି ବି ଫରକ ନାହିଁ ଯଦି ରାଜନୈତିକ ଦଳ ମଧ୍ୟରେ ସଂସ୍କାର ନଆସୁଛି। ଏ ଦିଗରେ ରାଜନୈତିକ ଦଳ ମଧ୍ୟରେ ରହୁଥିବା ସମସ୍ତ ମହିଳା, ଚାହେ ଭାରତର ଯେ କୌଣସି ରାଜନୈତିକ ଦଳ ହେଉ ନା କାହିଁକି, ଚିନ୍ତା କରିବା ଆବଶ୍ୟକ ଯେ ସେମାନଙ୍କ ନିଜସ୍ଵ ମହତ୍ଵାକାଂକ୍ଷା ଠାରୁ ସମସ୍ତ ମହିଳା ସରକାରଙ୍କ ଠାରୁ ସମାନ ବ୍ୟବହାର ପାଇବାର ହକ ଅଧିକ ଗୁରୁତ୍ୱପୂର୍ଣ୍ଣ। ସେମାନେ ପ୍ରଥମେ ଅନୁଭବ କରିବା ଆବଶ୍ୟକ ଯେ ଏକ ପୁରୁଷତାନ୍ତ୍ରିକ ସମାଜରେ ସେମାନେ ପ୍ରଥମେ ଜଣେ ମହିଳା ପରେ ସେମାନେ ପାର୍ଟିର ସଦସ୍ୟା। ଆଜି ସେମାନେ କ୍ଷମତାରେ ଅଛନ୍ତି ଆସନ୍ତାକାଲି ସେମାନେ କ୍ଷମତାରୁ ଚାଲିଯିବେ। ଆଜିର ବିରୋଧୀ ଦଳ ଗଲା କାଲି ବି କ୍ଷମତାରେ ଥିଲା।

ତେଣୁ ଚାହେ ମହିଳା କୌଣସି ବି ଧର୍ମ ବା ଜାତି ବା ବର୍ଗ ବା ରାଜନୈତିକ ଦଳର ହୋଇଥାନ୍ତୁ ତାହାଙ୍କ ଉପରେ ଯେପରି କୌଣସି ଯୌନ ନିର୍ଯାତନା କରାନଯିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ସେମାନେ ପାର୍ଟି ମଧ୍ୟରେ ନେବା ଜରୁରୀ। ସେମାନେ ହିଁ ଦୋଷୀକୁ ଦଣ୍ଡିତ କରିବା ଦିଗରେ ଆଗଭର ହେବା ଆବଶ୍ୟକ। ଯଦି ପାର୍ଟି ମଧ୍ୟରେ କଥା ଓ କାର୍ଯ୍ୟରେ ବିରୋଧାଭାସ ରହିଛି ତେବେ ତାହା ବିରୁଦ୍ଧରେ ପ୍ରଥମ ପ୍ରତିବାଦ ପାର୍ଟି ମଧ୍ୟରେ ହେବା ଆବଶ୍ୟକ।

ମୋବାଇଲ- ୯୪୩୭୭୬୨୨୭୨

Self Immolation Attempt Rape Balasore Girl