Advertisment

ଆଞ୍ଚଳିକ ବୈଷମ୍ୟ ଓ ବିକାଶ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃଷ୍ଣା ମହାନ୍ତିଙ୍କ ଖୋଲା ଚିଠି

ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡ଼ିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡ଼ିଶାର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନକରିବା ତଥା ଏହାକୁ ଅସମ୍ମାନ କରିବା ତଥା ଓଡ଼ିଶା ରାଜ୍ୟରେ ପଶ୍ଚିମ ଓଡ଼ିଶା ମିଶିବା ଭୁଲ ହୋଇଛି ବୋଲି କହି ସମଗ୍ର ରାଜ୍ୟକୁ ଆନ୍ଦୋଳିତ କରିଛନ୍ତି।

Krushan Mohanty

Krushan Mohanty

Advertisment

ପ୍ରାପ୍ତି,

ଶ୍ରୀଯୁକ୍ତ ମୋହନ ଚରଣ ମାଝୀ

ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ସରକାର, ଭୁବନେଶ୍ଵର।

ବିଷୟ-ପ୍ରତି ଓଡ଼ିଆର ବିକାଶରେ ସରକାରୀ ବିଫଳତାର କାରଣ କୋଶଳ ଆନ୍ଦୋଳନ ବୋଲି ପ୍ରଥମେ ବୁଝିବାକୁ ହେବ ଓ କେବଳ ବୟାନବାଜି ମାଧ୍ୟମରେ କୋଶଳ ଆନ୍ଦୋଳନକୁ ଦବାଇ ଦିଆଯାଇ ପାରିବ ନାହିଁ।

Advertisment

ସମ୍ମାନନୀୟ ମହାଶୟ,

ସାଦର ନମସ୍କାର। ଆପଣଙ୍କ ଦଳର ଜନୈକ ବିଧାୟକ ଏକ ସରକାରୀ କାର୍ଯ୍ୟକ୍ରମରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ରଚିତ ଓଡ଼ିଶାବାସୀଙ୍କ ଦ୍ଵାରା ସ୍ୱୀକୃତିପ୍ରାପ୍ତ ଓଡ଼ିଶାର ଜାତୀୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନକରିବା ତଥା ଏହାକୁ ଅସମ୍ମାନ କରିବା ତଥା ଓଡ଼ିଶା ରାଜ୍ୟରେ ପଶ୍ଚିମ ଓଡ଼ିଶା ମିଶିବା ଭୁଲ ହୋଇଛି ବୋଲି କହି ସମଗ୍ର ରାଜ୍ୟକୁ ଆନ୍ଦୋଳିତ କରିଛନ୍ତି। ତେବେ ଆପଣଙ୍କର ସେହି ବିଧାୟକ କେବଳ ରାଜନୈତିକ ଦୃଷ୍ଟିରୁ ଚର୍ଚ୍ଚାରେ ରହିବା ଉଦ୍ଦେଶ୍ୟରେ ଏଭଳି ବୟାନ ଦେଇଥିବା ଯେପରି ସତ, ସେହିଭଳି ବିରୋଧୀ ଦଳମାନେ ବି ତାଙ୍କ ବୟାନକୁ ବିରୋଧ କରି କେବଳ ନିଜର ରାଜନୈତିକ କର୍ତ୍ତବ୍ୟ ସମ୍ପାଦିତ କରୁଥିବା ମନେହୁଏ।

ଆପଣଙ୍କୁ ଜଣାଇବାକୁ ଚାହେଁ ଯେ, ଯେତେବେଳେ ଆମ ଓଡ଼ିଶାର ସ୍ଵତନ୍ତ୍ର ପରିଚୟ ନଥିଲା ଓ ଆମ ପୂର୍ବସୁରୀମାନେ ଏଥିପାଇଁ ଆନ୍ଦୋଳନରତ ଥିଲେ, ସେତେବେଳେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଆମ ଓଡ଼ିଆ ଜାତିକୁ ଏକ ସ୍ଵତନ୍ତ୍ର ପରିଚୟ ଦେବାକୁ ଯାଇ ୧୯୨୦ ମସିହା ଡିସେମ୍ବର ୨୭ ତାରିଖରେ ନାଗପୁର କଂଗ୍ରେସ ଅଧିବେଶନରେ ନିଜେ ‘ଉତ୍କଳ ପ୍ରଦେଶ କଂଗ୍ରେସ କମିଟି’ ଗଠନର ପ୍ରସ୍ତାବ ଦେଇ ଓ ପାରିତ କରାଇ ଆମ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ସ୍ଵତନ୍ତ୍ର ପରିଚୟ ପ୍ରଦାନ କରିଥିଲେ। ତେବେ ଆମକୁ ସ୍ଵତନ୍ତ୍ର ପରିଚୟ ନିମନ୍ତେ ଉତ୍କଳ ଗୌରବ ମଧୁସୂଦନ ଦାସ, କୃଷ୍ଣଚନ୍ଦ୍ର ଗଜପତି, ସାର ସୁଢଳ ଦେବ, ପଣ୍ଡିତ ଗୋପବନ୍ଧୁ, ସ୍ଵଭାବ କବି ଗଙ୍ଗାଧର ମେହେର, ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ, କୁନ୍ତଳା କୁମାରୀ ସାବତ, ଗୌରୀଶଙ୍କର ରାୟ, ଗୋକୁଳାନନ୍ଦ ଚୌଧୁରୀ ଆଦି ଉତ୍କଳ ସମ୍ମିଳନୀ ମାଧ୍ୟମରେ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳି ଏହି ସ୍ଵପ୍ନକୁ ୧୯୩୬ ମସିହାରେ ସଫଳକାମ କରାଇଥିଲେ।

Advertisment

ଯେଉଁ ସ୍ଵପ୍ନ ନେଇ ଉପରୋକ୍ତ ମହାମନୀଷି ଗଣ ଓଡ଼ିଶା ରାଜ୍ୟ ଗଠନ କରିଥିଲେ, ତାହା ଅଦ୍ୟାବଧି ସଫଳ ହୋଇପାରିଛି କି? କେବଳ ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକରେ ବିକାଶ କରାଇ ଆମେ ଏହାକୁ ସମଗ୍ର ଓଡ଼ିଶାର ବିକାଶ ବୋଲି କହିପାରିବା କି? ଆଜି ବି ଓଡ଼ିଶାର ଦକ୍ଷିଣାଞ୍ଚଳ, ପଶ୍ଚିମାଞ୍ଚଳ ତଥା ଉତ୍ତରାଞ୍ଚଳର ଅନେକ ଅଞ୍ଚଳ ଏପରିକି ଉପକୂଳ ଓଡ଼ିଶାର ଅନେକ ଅଞ୍ଚଳରେ ବିକାଶ ପହଞ୍ଚିବା ସମ୍ଭବପର ହୋଇପାରି ନାହିଁ। ସେଥିରେ ପୁଣି ବିକାଶ ଆଳରେ ଖଣି ଖାଦାନ ଖୋଳିବା ଓ ଜଙ୍ଗଲ ପାହାଡ଼ ସବୁର ନଷ୍ଟଭ୍ରଷ୍ଟ କରି ସରକାରମାନେ ସାଧାରଣ ଆଦିବାସୀ, ବନବାସୀ, ଦଳିତ, ବହୁଜନ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିସାରିଲେଣି। ଉପକୂଳ ଓଡ଼ିଶାରେ ଦୁଇ ଦିନ ବର୍ଷାରେ ବେହାଲ ଚାଷୀ ଆତ୍ମହତ୍ୟା ଘଟଣା, ପଶ୍ଚିମ ଓଡ଼ିଶାରେ ଧାନ ବିକ୍ରୟରେ ହନ୍ତସନ୍ତ ହେଉଥିବା ଚାଷୀକୂଳଙ୍କ ସ୍ଥିତି, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ଖଣିଖାଦାନ ଖୋଳିବା ଆଳରେ ଲକ୍ଷ ଲକ୍ଷ ଗରୀବ ଜନତାଙ୍କର ବିସ୍ଥାପନର ଦୁଃଖ କେଉଁ ଭଳି ବିକାଶକୁ ସୂଚାଉଛି? ପଶ୍ଚିମ ଓଡ଼ିଶାର ବିକାଶ ନିମନ୍ତେ ଗଠିତ ପଶ୍ଚିମ ଓଡ଼ିଶା ବିକାଶ ବିକାଶ ପରିଷଦର କାର୍ଯ୍ୟାଳୟ ଆଜି ଯାଏ ପଶ୍ଚିମ ଓଡ଼ିଶାକୁ ଯାଇପାରୁ ନାହିଁ, ସେଥିରୁ ହିଁ ସରକାର ପଶ୍ଚିମ ଓଡିଶାବାସୀଙ୍କ ବିଶ୍ଵାସଭାଜନ ହେବା ଦିଗରେ ବିଫଳ ହୋଇଛନ୍ତି, ତାହା ସୁସ୍ପଷ୍ଟ।

ଆପଣ ଆପଣଙ୍କ ସରକାରକୁ ଲୋକଙ୍କ ସରକାର ବୋଲି କହୁଛନ୍ତି। ତେବେ କେବଳ ଏତିକି କହିଲେ ଚଳିବ ନାହିଁ, ଏଥି ନିମନ୍ତେ ଆମକୁ ରାଜ୍ୟର ସମସ୍ତ ପଛୁଆ ଅଞ୍ଚଳମାନଙ୍କ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେଇ, ସମସ୍ୟା ଆଧାରରେ ବିଶେଷ ଯୋଜନା ମାଧ୍ୟମରେ ଏ ଦିଗରେ ପଦକ୍ଷେପ ନେବାକୁ ହେବ। ଆପଣ ନିଜେ ଏକ ଗରୀବ ପରିବାରରୁ ଆସିଛନ୍ତି। ତେଣୁ ଗରୀବଙ୍କ ଦୁଃଖ ଆପଣ ଭଲ ଭାବରେ ବୁଝିପାରୁଥିବେ। ସେହି ଦୃଷ୍ଟିରୁ ସେମାନଙ୍କ ଉନ୍ନତି ଦିଗରେ ବଳିଷ୍ଠ ପଦକ୍ଷେପ ନେବା ସହ ବିଚ୍ଛିନ୍ନତାବାଦୀ ରାଜନୀତିରେ ବିଶ୍ଵାସ କରୁଥିବା ଆପଣଙ୍କ ସେହି ବିଧାୟକଙ୍କୁ ତାଗିଦ କରିବେ ବୋଲି ମୁଁ ଆପଣଙ୍କୁ ନିବେଦନ କରୁଛି। ଆଶା, ସକୁଶଳରେ ଥିବେ। ଇତି।

ଆପଣଙ୍କର ଶୁଭାନୁଧ୍ୟାୟୀ

କୃଷ୍ଣା ମହାନ୍ତି, ସଭାନେତ୍ରୀ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି

ମୋ - ୯୪୩୭୦୭୫୯୨୯

Odisha Western Odisha Development Mohan Majhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe