ଦେବ ରଞ୍ଜନ
କାଶ୍ମୀରରେ ଗଲା ପାଞ୍ଚ ବର୍ଷ ମଧ୍ୟରେ ବେଶ କେତେକ ପରିବର୍ତ୍ତନ ଆସିଥିବା ମନେହୁଏ। ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଧାରା ୩୭୦ ଉଚ୍ଛେଦ କରିଥିଲେ। ସେ ସମୟର ବିଭିନ୍ନ ତଥ୍ୟ ଅନୁସନ୍ଧାନ ରିପୋର୍ଟ ପଢ଼ିଲେ ଓ ଆଜିର ପହଲଗାମ ଆକ୍ରମଣର ସ୍ଥିତିକୁ ଦେଖିଲେ ଏହି ପରିବର୍ତ୍ତନ ସହଜରେ ଜଣାପଡ଼େ।
ପହଲଗାମ ଆକ୍ରମଣର ଠିକ ପରେ ପରେ ଜାତୀୟ ଗଣମାଧ୍ୟମ ଦ୍ଵାରା ଏହାକୁ ହିନ୍ଦୁ-ମୁସଲମାନ ବିବାଦ ଭାବେ ଚିତ୍ରିତ କରିବାକୁ ପ୍ରୟାସ କରାଯାଇଥିଲା। ସେମାନେ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟକୁ ସିଧାସଳଖ ପୂରଣ କରୁଥିଲେ। ଏହା ପୂର୍ବରୁ ଆତଙ୍କବାଦୀମାନେ କେବେ କାଶ୍ମୀରରେ ଧର୍ମ ପଚାରି ମାରିନଥିଲେ। ଯଦି ବି ଆତଙ୍କବାଦୀମାନେ ପ୍ରଥମ ଥର ଏଭଳି ବୀଭତ୍ସ କାଣ୍ଡ କରିଥିଲେ ତାହାକୁ ଗଣମାଧ୍ୟମର ଦୂରଦୃଷ୍ଟି ବିହୀନ ଉପସ୍ଥାପକ ଓ ଉପସ୍ଥାପିକାମାନେ ସେମାନଙ୍କ ଉଦ୍ଦେଶ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରକୁ ନେଇଗଲେ। ମିଡିଆ ହାଉସର ମାଲିକମାନେ ତାହା ହିଁ କଲେ ଯାହା ଆତଙ୍କବାଦୀମାନେ ଚାହୁଁଥିଲେ। ଫରକ ହେଲା ଯେ ମିଡିଆ ମାଲିକମାନେ ହିନ୍ଦୁ ଧର୍ମାବଲମ୍ବୀଙ୍କ ସମର୍ଥନରେ ଓ ଆତଙ୍କବାଦୀମାନେ କଲମା ପଢ଼ିବାକୁ ବାଧ୍ୟ କରିବା ଦ୍ଵାରା ମୁସଲମାନ ଧର୍ମୀଙ୍କ ସପକ୍ଷରେ ଠିଆ ହେବାର ଅଭିନୟ କରୁଥିଲେ।
ପହଲଗାମ ଆକ୍ରମଣର ଠିକ ପରେ ପରେ ଗଣମାଧ୍ୟମ ଦ୍ଵାରା ସୃଷ୍ଟ ଧାର୍ମିକ ବିଭାଜନର ପ୍ରତିବାଦ କାଶ୍ମୀର ଉପତ୍ୟକାରେ ଏଥର ବେଶ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ଏଥର ଅନେକ ଛାତ୍ରଛାତ୍ରୀ ନିଜ ପାଖରେ ରଖିଥିବା ମୋବାଇଲର ଉପଯୁକ୍ତ ବ୍ୟବହାର କରୁଥିଲେ। ସେମାନେ ଛୋଟ ଛୋଟ ରିଲ୍ସ କରି ସାଧାରଣ ଲୋକଙ୍କ ପ୍ରତିକ୍ରିୟାକୁ ଆମ ନିକଟରେ ପହଞ୍ଚାଇ ଦେଉଥିଲେ।
ସେହି ଛୋଟ ଛୋଟ ଭିଡିଓରେ ଏଥର ସାଧାରଣ କାଶ୍ମୀରବାସୀଙ୍କ ସକାରାତ୍ମକ ପ୍ରତିକ୍ରିୟା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେମାନେ ଯେତେବେଳେ କହୁଛନ୍ତି, ‘ଆମେ କଣ ହିନ୍ଦୁସ୍ତାନୀ ନୋହୁଁ’, ‘ଏ ଦେଶ କଣ ଆମର ନୁହେଁ’, ‘ଏଠି ନା ହିନ୍ଦୁ ନା ମୁସଲମାନ କିଛି ଫରକ ନାହିଁ’, ‘ଆମ ହିନ୍ଦୁସ୍ତାନର ଭାଇଭଉଣୀମାନେ କାଶ୍ମୀର ବୁଲିବାକୁ ଆସିଥିଲେ, ଏହା ଆମର ଫର୍ଜ ଯେ ଆମେ ତାଙ୍କୁ ସୁରକ୍ଷା ଦେବୁ’ ଓ ‘ଆମେ କଣ ଆମ ଗୋଡ଼ରେ କଦାପି କୁରାଢ଼ି ମାରିପାରିବୁ, କେହି କଣ ମାରେ’ ଏହାକୁ ହିଁ କୁହାଯିବ କାଶ୍ମୀରବାସୀଙ୍କ ପରିବର୍ତ୍ତନ। ଏହା ପରେ ସେମାନେ କେଉଁଭଳି ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନାରେ ପହଞ୍ଚାଇଥିଲେ ତାହାର ବର୍ଣ୍ଣନା କରୁଥିଲେ। ଏହି କାଶ୍ମୀରବାସୀଙ୍କ ମଧ୍ୟରେ ଥିଲେ ଅନେକ ଅଟୋଚାଳକ, ଦୋକାନୀ, ଶ୍ରମିକ, ହୋଟେଲ ମାଲିକ, ଟୁର ଅପରେଟର, ଅଗଣିତ ଛାତ୍ରଛାତ୍ରୀ ତଥା ବିଭିନ୍ନ ବର୍ଗର ମହିଳା।
କାଶ୍ମୀରବାସୀ ସ୍ଵୀକାର କରିନେଇଛନ୍ତି ଯେ ଆଜି ପର୍ଯ୍ୟଟନ ସେମାନଙ୍କ ପରିବାରର ଅର୍ଥନୀତିକୁ ସୁଧାରିବା ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଚାରିମାସ ହିଁ ସେମାନଙ୍କୁ ପିଲାଙ୍କ ପାଠପଢା ଠାରୁ ଚିକିତ୍ସା କି ଗୃହ ନିର୍ମାଣ ହେଉ, ସବୁଲାଗି କିଛି ଅର୍ଥ ସଞ୍ଚୟରେ ସାହାଯ୍ୟ କରିବ। ସେମାନେ ପର୍ଯ୍ୟଟନକୁ ନେଇ ବେଶ ଉତ୍ସାହିତ ଥିଲେ। ମନେ କରାଯାଉ ଯେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହୋଇନଥାନ୍ତା, ତେବେ କାଶ୍ମୀରବାସୀଙ୍କ ଅର୍ଥନୀତି ସତରେ କେତେ ସୁଧୁରି ଯାଇନଥାନ୍ତା! ଏହାକୁ କେମିତି କେନ୍ଦ୍ରୀୟ ନେତୃବର୍ଗ ଦେଖିପାରିଲେ ନାହିଁ?
୨୦୧୯ ମସିହାରେ ବିଶେଷକରି ଧାରା ୩୭୦ ଉଚ୍ଛେଦ ସମୟରେ କିନ୍ତୁ କାଶ୍ମୀରବାସୀଙ୍କ ଠାରୁ ଅତି କ୍ଷୋଭର ସହିତ ଭିନ୍ନ କିଛି ଶୁଣିବାକୁ ମିଳିଥିଲା। ବିଭିନ୍ନ ତଥ୍ୟ ଅନୁସନ୍ଧନ ଦଳକୁ ସେମାନେ ସାକ୍ଷାତକାର ଦେଇ କହୁଥିଲେ, ‘ଇଣ୍ଡିଆ ହମେ ଜଖମ ଦିଆ ହେ’, (ଭାରତ ଆମକୁ ଆଘାତ ଦେଇଛି), ‘ଇଣ୍ଡିଆ ନେ କାଶ୍ମୀର ପର କବଜା କିଆ ହେ’ (ଭାରତ କାଶ୍ମୀରକୁ ନିଜ କର୍ତ୍ତୃତ୍ଵକୁ ନେଇଯାଇଛି) ଇତ୍ୟାଦି। ସେ ସମୟରେ ନିଜକୁ ଇଣ୍ଡିଆର ଅଂଶ ଭାବରେ କ୍ଵଚିତ ସ୍ଵୀକାର କରୁଥିଲେ।
ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ନପଚାରି ସେମାନଙ୍କ ବିନା ସହମତିରେ ହଠାତ ଧାରା ୩୭୦କୁ ଉଚ୍ଛେଦ କରିଦେଇଥିଲେ। ଲୋକେ ସୁପ୍ରିମ କୋର୍ଟ ଉପରେ ଭରସା କରିଥିଲେ। ପରେ, ୨୦୨୩ ମସିହାରେ, କୋର୍ଟ ଉଚ୍ଛେଦ ସପକ୍ଷରେ ରାୟ ଦେବା ପରେ ସମ୍ଭବତଃ କାଶ୍ମୀରବାସୀଙ୍କ ମଧ୍ୟରେ ହତାଶବୋଧକୁ ବାସ୍ତବତାକୁ ଶୀଘ୍ର ସ୍ଵୀକାର କରିବାର ମାନସିକତା ଆସିଛି। ସେମାନେ ଯେଉଁ ‘ଆଜାଦୀ’ର କଥା ସେ ସମୟରେ କହୁଥିଲେ ଏବେ ତାହା ଶୁଣିବାକୁ ମିଳିନଥିଲା।
କାଶ୍ମୀରବାସୀଙ୍କର ଏହି ପରିବର୍ତ୍ତନକୁ ସମ୍ଭବତଃ ଆତଙ୍କବାଦୀମାନେ ଠଉରାଇଥିଲେ। ସେମାନେ ଏହି ପରିବର୍ତ୍ତନ ନେଇ ଆଦୌ ଖୁସି ନଥିଲେ। ସେମାନେ ଏପରି ଏକ ସ୍ଥାନର ଅନ୍ଵେଷଣରେ ଥିଲେ ଯେଉଁଠି ସୁରକ୍ଷାବାହିନୀ କମ ଥିବେ ଓ ସେମାନେ ଶୀଘ୍ର ଅନ୍ତର୍ଦ୍ଧାନ ହୋଇଯାଇପାରିବେ। ସରକାରଙ୍କ ସୁରକ୍ଷା ବିଶେଷଜ୍ଞ ସ୍ଵୀକାର କରୁଛନ୍ତି ଯେ ପହଲଗାମରେ ପୂର୍ବରୁ ସେଭଳି କୌଣସି ଆକ୍ରମଣ ହୋଇନଥିବା କାରଣରୁ ଓ ପାକିସ୍ତାନ ସୀମାରେଖା ଠାରୁ ୧୫୦ କିମି ଦୂର ହୋଇଥିବା କାରଣରୁ ସେଠାରେ ସୁରକ୍ଷା ବାହିନୀର ଉପସ୍ଥିତି କମ ଥିଲା। ଏହାକୁ ଯଦି ବିଶ୍ଵାସ କରାଯିବ ତେବେ ତାହା ହିଁ ଆତଙ୍କବାଦୀଙ୍କ ଅନ୍ଵେଷଣର ଉଦ୍ଦେଶ୍ୟ ଥିଲା ଓ ସେମାନେ ପର୍ଯ୍ୟଟନ ସମୟରେ ପର୍ଯ୍ୟଟକଙ୍କୁ ଦେଖି ହତ୍ୟା କରିଥିଲେ। ବରଂ ଜଣେ ସ୍ଥାନୀୟ କାଶ୍ମୀର ଯୁବକ, ସୟଦ ଆଦିଲ ହୁସେନ ଶାହାଙ୍କର ମୃତ୍ୟୁବରଣ କରିବା ଉପତ୍ୟକା ମଧ୍ୟରେ ହେଉଥିବା ପରିବର୍ତ୍ତନକୁ ଦର୍ଶାଉଛି। ସେ ଆତଙ୍କବଦୀଙ୍କୁ ବିରୋଧ କରିବାକୁ ଯାଇ ତାଙ୍କ ଗୁଳିରେ ପ୍ରାଣ ଦେଲେ।
ଅତି ଦୁଃଖର କଥା ଯେ ଆତଙ୍କବାଦୀ ସମ୍ପର୍କରେ ସଂପୂର୍ଣ୍ଣ ତଥ୍ୟ ନେବା, ସେମାନଙ୍କୁ ଗିରଫ କରିବା ଓ ସେମାନଙ୍କ ବିଚାର କରିବାକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଲେନାହିଁ। ବରଂ ପିଓକେ ଉପରେ ଆକ୍ରମଣ ଓ ଯୁଦ୍ଧ ଲାଗି ଶୀଘ୍ର ନିଷ୍ପତ୍ତି ନେଇଗଲେ। ଯୁଦ୍ଧ ପରେ ଏବେ ଯେତେବେଳେ ସେହିକଥା ଦୋହରାଯାଉଛି ଯେ ପହଲଗାମ ଆକ୍ରାମଣକାରୀଙ୍କୁ କାହିଁକି ଗିରଫ କରାଯାଇପାରିଲା ନାହିଁ, ସେତେବେଳେ ସରକାର ନୀରବ ରହୁଛନ୍ତି। ଠିକ ସମୟରେ ଉପଯୁକ୍ତ ପଦକ୍ଷେପ ନନେଇପାରିବା ଏହି ସରକାରର ଏକ ବଡ଼ ବିଫଳତା। ଏହା ରାଷ୍ଟ୍ରନୀତିଜ୍ଞତ୍ଵ ବା ଷ୍ଟେଟ୍ସମ୍ୟାନଶିପର ଅଭାବର ଲକ୍ଷଣ।
ସେହିଭଳି ଅନ୍ୟ ଅଭାବ ମଧ୍ୟ ରହିଛି। ମନେ କରାଯାଉ ଯେ କାଶ୍ମୀର ନହୋଇ ଆତଙ୍କବାଦୀ ଆକ୍ରମଣ ପଞ୍ଜାବରେ ହୋଇଥାନ୍ତା ଓ ତାହା ଠିକ ଗହମ ଅମଳ ସମୟରେ ହୋଇଥାନ୍ତା। ତେବେ ସରକାର ଯୁଦ୍ଧର ନିଷ୍ପତ୍ତି ଏତେ ଶୀଘ୍ର ନେଇନଥାନ୍ତେ ଯେତେଶୀଘ୍ର ସେ କାଶ୍ମୀରରେ ଆକ୍ରମଣ ସମୟରେ ନେଲେ। ଯଦି ଏହା ଗୁଜୁରାଟର ସୀମାରେ ଅବସ୍ଥିତ ସୁରଟ ସହରରେ ହୋଇଥାନ୍ତା ଓ ଦୀପାବଳି ସମୟରେ ହୋଇଥାନ୍ତା ତେବେ ବି କେନ୍ଦ୍ର ସରକାର ଏତେ ଶୀଘ୍ର ଏଭଳି ନିଷ୍ପତ୍ତି ନେଇନଥାନ୍ତେ।
କାଶ୍ମୀରବାସୀଙ୍କର ପର୍ଯ୍ୟଟନ ଉପରେ ନିର୍ଭରଶୀଳତାକୁ ହୃଦୟଙ୍ଗମ କରିଥିଲେ ଯୁଦ୍ଧ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇନଥାନ୍ତା। ଏବେ ସଂପୂର୍ଣ୍ଣ ଉପତ୍ୟକା ଖାଲି ପଡ଼ିଥିବା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ଵୀକାର କରୁଛନ୍ତି। ଯଦି ଯୁଦ୍ଧ ହୋଇନଥାନ୍ତା ତେବେ ସାଧାରଣ କାଶ୍ମୀରବାସୀ ଦୀର୍ଘ ବର୍ଷ ହେଲା ଆଭ୍ୟନ୍ତରୀଣ ଯୁଦ୍ଧ ଓ କୋଭିଡ କାରଣରୁ ଯେଉଁ କ୍ଷତି ସହିଥିଲେ ତାହାକୁ ହୁଏତ ଭରଣା କରିପାରିଥାନ୍ତେ। କାଶ୍ମୀରକୁ ଦେଶର ଅଂଶ ବୋଲି ଭାବିବା ଅଥଚ କାଶ୍ମୀରବାସୀଙ୍କୁ ସନ୍ଦେହ କରିବା ଭଳି ମାନସିକତା ଦେଶର ଅନେକ ପ୍ରାନ୍ତରେ ଅଛି। ସମାନ କଥା କେନ୍ଦ୍ର ସରକାରଙ୍କ ଭିତରେ ରହିଛି। କେନ୍ଦ୍ର ସରକାର କାଶ୍ମୀରବାସୀଙ୍କୁ ଦେଶର ଅନ୍ୟ ରାଜ୍ୟ ଭଳି ନିଜର ଚିନ୍ତାଧାରା ମଧ୍ୟରେ ସମାନ ଭାବରେ ଯୋଡ଼ିନପାରିବା ହିଁ ରାଷ୍ଟ୍ରନୀତିଜ୍ଞତ୍ଵର ଅଭାବର ଅନ୍ୟ ଏକ ଲକ୍ଷଣ।
ଅନ୍ୟ ଏକ ଅଭାବ ହେଲା ଦୂରଦର୍ଶିତାର ଅଭାବ। ଫେବୃଆରୀ ୨୨, ୨୦୨୨ ଦିନ ୟୁକ୍ରେନ ମଧ୍ୟକୁ ରୁଷିଆ ପ୍ରବେଶ କରିଥିଲା। ୟୁକ୍ରେନକୁ ଆମେରିକା ଓ ଅନ୍ୟ ନାଟୋ ଦେଶ ସମର୍ଥନ ଦେବେ ବୋଲି ଘୋଷଣା ତ କରିଥିଲେ କିନ୍ତୁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଯୋଗାଇବାରେ କୁଣ୍ଠାବୋଧ କରିଆସୁଥିଲେ।
ୟୁକ୍ରେନରେ ବହୁ ମୂଲ୍ୟବାନ ପ୍ରାକୃତିକ ସମ୍ପଦ ଗଚ୍ଛିତ ରହିଛି। ସେ ମଧ୍ୟରେ ରହିଛି ଗ୍ରାଫାଇଟ, ଲିଥିୟମ, ଟିଟାନିୟମ ଓ ଅନ୍ୟ ବହୁ ପ୍ରକାର ବିରଳ ଖଣିଜ ସମ୍ପଦ। ବିଶ୍ଵ ଅର୍ଥନୈତିକ ଫୋରମର ତଥ୍ୟ ଅନୁସାରେ ୟୁକ୍ରେନରେ ୧୧୬ ପ୍ରକାରର ଖଣିଜ ସମ୍ପଦ ଗଛିତ ଥିବା ୨୦,୦୦୦ ଖଣି ରହିଛି। ଏହା ବହୁତ ବଡ଼। ରୁଷିଆ ଯୁଦ୍ଧ ପୂର୍ବରୁ ମାତ୍ର ୧୫ ପ୍ରତିଶତ ଖଣିଜ ସମ୍ପଦ ଉତ୍ତୋଳନ ହୋଇଥିଲା। କାରଣ ୟୁକ୍ରେନ ନିଜର କୃଷି ସମ୍ପଦ ଉପରେ ଅଧିକ ନିର୍ଭରଶୀଳ ଥିଲା।
ୟୁକ୍ରେନକୁ ସାମରିକ ସହଯୋଗ ଦେବା ପୂର୍ବରୁ ଆମେରିକା ସର୍ତ୍ତ ରଖିଥିଲା ଯେ ସେହି ସମସ୍ତ ଖଣିଜ ସମ୍ପଦର ଉତ୍ତୋଳନ ଉପରେ ତାକୁ ଅଧିକାର ଦିଆଯାଉ। ଏହି ସର୍ତ୍ତକୁ ୟୁକ୍ରେନ ଗ୍ରହଣ କରିନଥିଲା। ସେଥିଲାଗି ୟୁକ୍ରେନ ରାଷ୍ଟ୍ରପତି ଜେଲେଂସ୍କି ଓ ଆମେରିକ ରାଷ୍ଟ୍ରପତି ଟ୍ରମ୍ଫଙ୍କ ମଧ୍ୟରେ ବିଚାରାଲୋଚନା ଚାଲିଥିବା ସମୟରେ ଏହା ଠାରେ ଯୁକ୍ତିତର୍କର ସ୍ତରକୁ ମଧ୍ୟ ଚାଲିଯାଇଥିଲା। ଏବେ କିଛି ସପ୍ତାହ ତଳେ ଆମେରିକା ଓ ୟୁକ୍ରେନ ମଧ୍ୟରେ ଖଣିଜ ସମ୍ପଦ ଉତ୍ତୋଳନକୁ ନେଇ ଚୁକ୍ତି ସ୍ଵାକ୍ଷର ହୋଇଛି। ଏହା ପରେ ଯୁଦ୍ଧର ଗତି କୁଆଡ଼େ ଯିବ କୁହାଯାଇନପାରେ। କିନ୍ତୁ ୟୁକ୍ରେନ ଯେ କ୍ରମଶଃ ଶକ୍ତିହୀନ ଓ ଦରିଦ୍ର ହୋଇଯିବ ଏଥିରେ ସନ୍ଦେହ ନାହିଁ।
କୌଣସି ବ୍ୟକ୍ତିର ବିପତ୍ତି ସମୟରେ ତାହାକୁ ସହଯୋଗ କରିବାକୁ ଯାଇ ସର୍ତ୍ତ ରଖିବା ଓ ତାହାର ସମ୍ପତ୍ତି ଉପରେ ଲୋଭଦୃଷ୍ଟି ପକାଇବାକୁ ଆମ ସଭ୍ୟତାରେ କ୍ରୁର ବୁଦ୍ଧି କୁହାଯାଇଥାଏ। ଆମେରିକାର ଉକ୍ତ କ୍ରୁର ବୁଦ୍ଧି ଆଜିର ନୁହେଁ। ଏହି ରାଷ୍ଟ୍ର ଜାତିସଂଘର ସୃଷ୍ଟି ପରଠାରୁ ଏହି କ୍ରୁରବୁଦ୍ଧିର ଉଦାହରଣ ସୃଷ୍ଟି କରିଚାଲିଛି। କେବେ ଆଭ୍ୟନ୍ତରୀଣ ଗଣ୍ଡଗୋଳରେ ସାମିଲ ହୋଇ “ବିଦ୍ରୋହୀ”ଙ୍କୁ ସହଯୋଗ କରି ନିର୍ବାଚିତ ଶାସକଙ୍କୁ ପଦଚ୍ୟୁତ କରିଛି, ପୁଣି କେତେବେଳେ ଦୁଇ ରାଷ୍ଟ୍ରର ଲଢ଼େଇରେ ସାମିଲ ହୋଇ ଯୁଦ୍ଧଅସ୍ତ୍ରର ବେପାରକୁ ବଢ଼ାଇଛି ତ ପୁଣି କେଉଁଠି ତେଲ ନେବା ପାଇଁ ଅନ୍ୟ ରାଷ୍ଟ୍ରର ମୁଖ୍ୟଙ୍କୁ ହତ୍ୟା କରିଛି।
ଆମେରିକାର ଇରାକ ସହିତ ଯୁଦ୍ଧରେ (୨୦୦୩-୨୦୧୧) ୧,୩୪.୦୦ ରୁ ୧,୭୫,୦୦୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଲିବିଆରେ ମିଲିଟାରୀ ହସ୍ତକ୍ଷେପ (୨୦୧୧) ଦ୍ଵାରା ୨୦,୦୦୦ରୁ ୫୦,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ସୋମାଲିଆରେ ବିବାଦ ଓ ଆମେରିକା ସୈନ୍ୟବାହିନୀର ଯୁଦ୍ଧ (୨୦୦୭ରୁ ଆଜି ପର୍ଯ୍ୟନ୍ତ) ହେତୁ ସାଧାରଣ ସୋମାଲିଆ ବାସୀଙ୍କ ମୃତ୍ୟୁ ସଂଖ୍ୟା ୫୦,୦୦୦ରୁ ୧,୦୦,୦୦୦। ସିରିଆ ଯୁଦ୍ଧରେ ସାଧାରଣ ଦେଶବାସୀଙ୍କ ମୃତ୍ୟୁର ସଂଖ୍ୟା ୬,୦୬,୦୦୦ରୁ ୧୦,୦୦,୦୦୦୦ ହେବ। ଆମେରିକା ସୈନ୍ୟବାହିନୀ ଏହି ସମସ୍ତ ଦେଶର କେଉଁଠି ଆଭ୍ୟନ୍ତରୀଣ ଗୃହଯୁଦ୍ଧ ଅଥବା ପଡୋଶୀ ରାଷ୍ଟ୍ର ସହିତ ଯୁଦ୍ଧରେ ସାମିଲ ହୋଇଯାଇଛି। ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ନାମରେ ଅନେକ ସମ୍ପଦକୁ ଲୁଟ କରିଛି। ବିଭିନ୍ନ ଦେଶ ଉପରେ ଆମେରିକା ସେନାବାହିନୀର ଆକ୍ରମଣ ଦ୍ଵାରା ଅନ୍ୟୁନ୍ୟ ଏକ କୋଟି ଲୋକ ମୃତ୍ୟୁବରଣ କରିସାରିଥିବେ।
ଏବେ ଏବେ ଟ୍ରମ୍ଫ ଭାରତ ସହିତ ‘ଟିକସ ଯୁଦ୍ଧ’ ଆରମ୍ଭ କରିଥିଲେ। ଅତି ଶସ୍ତାରେ ଭାରତୀୟ ସାମଗ୍ରୀ ନେବା ଲାଗି ସେ ଆମଦାନୀ ଟିକସ ଏକପାଖିଆ ବଢ଼ାଇଦେଇଥିଲେ। ଏହାକୁ ପ୍ରଧାନମନ୍ତ୍ରୀ ଗ୍ରହଣ ନକରି ଏହାର ବିରୋଧ କରିଥିଲେ। ଏହି ଦେଶକୁ ନିଜ ପଡ଼ୋଶୀ ଦେଶ ବିରୁଦ୍ଧରେ ‘ମଧ୍ୟସ୍ଥି’ ଲାଗି ବାଛିବା ନିଜର ଦୂରଦର୍ଶିତାର ଘୋର ଅଭାବ। ସେ ବିରୋଧ କଣ ପ୍ରକୃତ ବିରୋଧ ନଥିଲା? ଟ୍ରମ୍ଫଙ୍କ ‘ସହଯୋଗ’ ନେବାର ମୂଲ୍ୟ ଆମକୁ ଦେବାକୁ ହେବ। ହୁଏତ ଏହା ଆଜି ଜଣାପଡ଼ିନାହିଁ। ଠିକ ୟୁକ୍ରେନ ଭଳି ବହୁତ ଶୀଘ୍ର ଜଣାପଡ଼ିବ।
ସମଗ୍ର ଘଟଣାକୁ ବିଶ୍ଳେଷଣ କଲେ ଆମେ ଜାଣୁଛେ ଯେ କେନ୍ଦ୍ର ସରକାରଙ୍କ ନିକଟରେ ରାଷ୍ଟ୍ରନୀତିଜ୍ଞତ୍ଵ ବା ଷ୍ଟେଟ୍ସମ୍ୟାନଶିପର ଘୋର ଅଭାବ ରହିଛି। କେହି କେହି ଏହାକୁ ବିଜେପି ଦଳର ନିର୍ବାଚନ ଜିତିବାର ପ୍ରବଳ ମାନସିକତା କହୁଛନ୍ତି। ତେଣୁ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକ ପଦକ୍ଷେପକୁ ନିର୍ବାଚନ ଜିତିବା ଉଦ୍ଦେଶ୍ୟରେ କରାଯାଉଛି ବୋଲି କହୁଛନ୍ତି। ନିକଟରେ ଅବଶ୍ୟ ବିହାର ନିର୍ବାଚନ ଅଛି। ମାତ୍ର ଏଭଳି କହିବା ଦ୍ଵାରା ବିହାର ଭୋଟର ଯେ ବିଚାରଶୂନ୍ୟ ସେଭଳି ମନେହେଉଛି। ତେଣୁ ସେଭଳି ଆକ୍ଷେପର ମୁଁ ସମର୍ଥକ ନୁହେଁ।
ତେବେ ସେ ଯାହା ହେଉ ନା କାହିଁକି। ଯୁଦ୍ଧର ଆବଶ୍ୟକତା ଆଦୌ ନଥିଲା। କିନ୍ତୁ ଯୁଦ୍ଧ କିଛି ଦିନ ପାଇଁ ଲାଗିଯାଇଥିଲା। ଆଜି ଯୁଦ୍ଧ ବନ୍ଦ ହୋଇଛି। ଦେଶ ଏକ ବଡ଼ ବିପଦରୁ ମୁକ୍ତି ପାଇଛି। କିନ୍ତୁ ପହଲଗାମ ଘଟଣା ଠାରୁ ଆଜି ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଦୂରଦର୍ଶିବିହୀନ ବ୍ୟର୍ଥ ରାଷ୍ଟ୍ରନୀତିକୁ ଦର୍ଶାଉଛି।
ମୋବାଇଲ - ୯୪୩୭୭୬୨୨୭୨
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।