ଲକ୍ଷ୍ୟରେ ଲାକ୍ଷାଦ୍ୱୀପ

  • ସରଳ କୁମାର ଦାସ

ଲାକ୍ଷାଦ୍ୱୀପରେ ସବୁ ବେଳେ ଶାନ୍ତି ଏତେ ଅଧିକ ବିରାଜମାନ କରୁଥାଏ ଯେ ତାହା ଜାତୀୟ ଗଣମାଧ୍ୟମରେ ଖବରର ଶିରୋନାମ ପାଲଟିବା ପ୍ରାୟ କେହି କେବେ ଦେଖନ୍ତି ନାହିଁ। ହେଲେ ଏବେ ଅଶାନ୍ତ ସେହି ଲାକ୍ଷାଦ୍ୱୀପ। ସେଠାରେ ନବନିଯୁକ୍ତ ପ୍ରଶାସକ ପ୍ରଫୁଲ୍ଲ ଖୋଡ଼ା ପଟେଲ ଡିସେମ୍ୱର ୫, ୨୦୨୦ରେ କାର୍ଯ୍ୟରେ ଯୋଗଦାନ କରିବା ପରଠାରୁ ପ୍ରଶାସନର କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦର ସ୍ୱର କ୍ରମଶଃ ବୃଦ୍ଧି ପାଉଛି। ତାଙ୍କର କିଛି ନିଷ୍ପତ୍ତି ଓ କାର୍ଯ୍ୟ ଦ୍ୱୀପ ତଥା ଦ୍ୱୀପାଞ୍ଚଳ ଅଧିବାସୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ଦର୍ଶାଇ ତୀବ୍ର ବିରୋଧ ହେଉଥିବାରୁ ଜନ ଅସନ୍ତୋଷର କାରଣଗୁଡିକୁ ଜାଣିବାର ଆବଶ୍ୟକତା ରହିଛି।

ଏକଦା ମାଡ୍ରାସ ପ୍ରେସିଡେନ୍ସିରେ ମାଲାବାର ଜିଲ୍ଲାର ଅଂଶ ବିଶେଷ ଥିବା ଲାକ୍ଷାଦ୍ୱୀପକୁ କେରଳ ରାଜ୍ୟ ଗଠନ ପରେ ୧୯୫୬ ମସିହାରେ ଏକ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପ୍ରଦାନ କରାଗଲା। ଆୟତନ ଦୃଷ୍ଟିରୁ ଲାକ୍ଷାଦ୍ୱୀପ ଭାରତର କ୍ଷୁଦ୍ରତମ କେନ୍ଦ୍ରଶାସିତ ଅଞ୍ଚଳ। ଏହା କେରଳ ଉପକୂଳର ପଶ୍ଚିମରେ ୨୨୦ରୁ ୪୪୦ କିଲୋମିଟର ଦୂରତାରେ ଆରବ ସାଗରସ୍ଥିତ ୩୨ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ୩୬ଟି ଦ୍ୱୀପକୁ ନେଇ ଏକ ଦ୍ୱୀପପୁଞ୍ଜ। ଏଥି ମଧ୍ୟରୁ ଗୋଟିଏ ଦ୍ୱୀପ ପାଣିରେ ବୁଡ଼ି ସାରିଥିବାରୁ ଏବେ ଆଉ ୩୫ଟି ଦ୍ୱୀପ ଅଛି। ଏଗୁଡ଼ିକ ମଧ୍ୟରୁ ମାତ୍ର ୧୦ଟିରେ ଲୋକେ ବସବାସ କରନ୍ତି ଓ ଏଠାକାର ସମୁଦାୟ ଜନସଂଖ୍ୟା ପ୍ରାୟ ୭୦ ହଜାର। ଏଠାରେ ୪ ପ୍ରକାର ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଓ ଏମାନେ ସମସ୍ତେ ମୁସଲମାନ ଧର୍ମାବଲମ୍ୱୀ। ସମୁଦାୟ ଜନସଂଖ୍ୟାର ୯୫ ପ୍ରତିଶତ ଆଦିବାସୀ ହୋଇଥିବା ବେଳେ ୯୬ ପ୍ରତିଶତ ମୁସଲମାନ ଅଟନ୍ତି। ଏଠାକାର ପ୍ରଚଳିତ ଭାଷା ମାଲାୟାଲମ। ସମଗ୍ର ଦ୍ୱୀପାଞ୍ଚଳକୁ ଗୋଟିଏ ଜିଲ୍ଲା ଭାବେ ଗ୍ରହଣ କରି ଜିଲ୍ଲା ସ୍ତରରେ ଗୋଟିଏ ଜିଲ୍ଲା ପରିଷଦ ଥିବା ବେଳେ ବିଭିନ୍ନ ଦ୍ୱୀପରେ ମୋଟ ୧୦ଟି ଦ୍ୱୀପ ପଞ୍ଚାୟତ ରହିଛି। ଲାକ୍ଷାଦ୍ୱୀପରୁ ଜଣେ ଲୋକସଭା ସଦସ୍ୟ ନିର୍ବାଚିତ ହୋଇ ଥାଆନ୍ତି। ଦୀର୍ଘ ସମୟ ଧରି ଏହି ଆସନଟି କଂଗ୍ରେସ ହାତରେ ରହି ଆସିବା ପରେ ବର୍ତ୍ତମାନ ତାହା ଏନସିପି ଦଳ ଅକ୍ତିଆରରେ ରହିଛି। ପ୍ରାଶାସନିକ ଭାବେ ଏହା ଗୋଟିଏ ଜିଲ୍ଲା ହୋଇଥିବାରୁ ଏହାର ଦାୟିତ୍ୱରେ ଜଣେ ଜିଲ୍ଲାପାଳ ଅବସ୍ଥାପିତ ଓ ଜିଲ୍ଲାରେ ସମୁଦାୟ ୧୦ଟି ସବ-ଡିଭିଜନ ରହିଛି। ଦ୍ୱୀପପୁଞ୍ଜର ପ୍ରାଶାସନିକ ମୁଖ୍ୟ ଭାବେ ଜଣେ ଆଡମିନିଷ୍ଟ୍ରେଟର କାର୍ଯ୍ୟ କରିଥାଆନ୍ତି ଓ ତାଙ୍କ ଅଧୀନରେ କିଛି ବିକାଶମୂଳକ ବିଭାଗ ଅବସ୍ଥାପିତ। ଲାକ୍ଷାଦ୍ୱୀପରେ ଦ୍ୱୀପପୁଞ୍ଜ ବାହାରର ଲୋକଙ୍କ ପ୍ରବେଶ ପାଇଁ ପରମିଟର ଆବଶ୍ୟକତା ପଡ଼ିଥାଏ।

ଦେଶରେ ଥିବା ୮ଟି କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ପାଞ୍ଚଟି ଯଥା – ଦିଲ୍ଲୀ, ଜାମ୍ମୁ ଓ କାଶ୍ମୀର, ଲଦ୍ଦାଖ, ପୁଡୁଚେରି ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଶାସନମୁଖ୍ୟ ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ଜଣେ ଲେଖାଏଁ ଲେଫନାଣ୍ଟ ଗଭର୍ଣ୍ଣର ନିଯୁକ୍ତ ହେଉଥିବା ବେଳେ ପଞ୍ଜାବର ରାଜ୍ୟପାଳଙ୍କୁ ଚଣ୍ଡିଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ (ଆଡମିନିଷ୍ଟ୍ରେଟର) ଭାବେ ଅତିରିକ୍ତ ଦାୟିତ୍ୱ ଦିଆ ଯାଇଥାଏ। ଅବଶିଷ୍ଟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ, ଦାଦ୍ରା ଓ ନାଗର ହଭେଲି ଏବଂ ଦାମନ ଓ ଦିଉରେ ରାଷ୍ଟ୍ରପତିଙ୍କ ଦ୍ୱାରା ଶାସନମୁଖ୍ୟ ଭାବେ ଜଣେ ଲେଖାଏଁ ପ୍ରଶାସକ (ଆଡମିନିଷ୍ଟ୍ରେଟର) ନିଯୁକ୍ତ ହୋଇ ଥାଆନ୍ତି। ପାରମ୍ପରିକ ଭାବେ ଏହି ପଦରେ ଜଣେ ଆଇଏଏସ ପ୍ରାଶାସନିକ ଅଧିକାରୀ ରହି ଆସୁଥିଲେ। ତେବେ ୨୦୧୪ରେ ଏନଡିଏ ସରକାର ଆସିବା ପରେ ଏହାର ବ୍ୟତିକ୍ରମ ଘଟି ପ୍ରଫୁଲ୍ଲ ଖୋଡ଼ା ପଟେଲ ନାମକ ଜଣେ ରାଜନୈତିକ ବ୍ୟକ୍ତିଙ୍କୁ ଦାମନ ଓ ଦିଉର ପ୍ରଶାସକ ଭାବେ ନିଯୁକ୍ତି ଦିଆଗଲା। ଆରଏସଏସ ପୃଷ୍ଠଭୂମିର ଏହି ବିଜେପି ନେତା ୨୦୦୭ରେ ପ୍ରଥମ ଥର ଲାଗି ଗୁଜରାଟରେ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା। ସୋହରାବୁଦ୍ଦିନ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଅମିତ ସାହା ୨୦୧୦ରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ପଟେଲ କ୍ୟାବିନେଟ ସ୍ତରକୁ ପଦୋନ୍ନତି ପାଇ ତତକାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କର ନିକଟତର ହୋଇ ପାରିଥିଲେ। ତେବେ ୨୦୧୨ ନିର୍ବାଚନରେ ପରାଜିତ ହୋଇଥିବା ପଟେଲଙ୍କୁ ୨୦୧୪ରେ ପ୍ରଶାସକ ଭାବେ ନିଯୁକ୍ତି ପ୍ରଦାନ କରି ଥଇଥାନ କରା ଯାଇଥିଲା। ୨୦୧୬ରେ ତାଙ୍କୁ ଦାଦ୍ରା ଓ ନାଗର ହଭେଲିର ପ୍ରଶାସକ ଭାବେ ମଧ୍ୟ ନିଯୁକ୍ତି ମିଳିଲା। ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାନୁଆରି ୨୬, ୨୦୨୦ରେ ମିଶାଇ ଗୋଟିଏ କରି ଦିଆଗଲା ଓ ପଟେଲ ତାହାର ପ୍ରଶାସକ ଭାବେ ଦାୟିତ୍ୱ ନିର୍ବାହ କଲେ। ଲାକ୍ଷାଦ୍ୱୀପର ପ୍ରଶାସକ ଦୀନେଶ୍ୱର ଶର୍ମାଙ୍କର ମୃତ୍ୟୁ ହେବା ପରେ ଡିସେମ୍ୱର ୫, ୨୦୨୦ରୁ ଅତିରିକ୍ତ ଭାବେ ପଟେଲଙ୍କୁ ପାଞ୍ଚ ବର୍ଷ ଲାଗି ପ୍ରଶାସକ ଦାୟିତ୍ୱ ଅର୍ପଣ କରାଗଲା। ଅର୍ଥାତ୍, ଏବେ ଦୁଇଟି ଯାକ କେନ୍ଦ୍ର ଶାସିତ ଅଞ୍ଚଳର ସେ ହିଁ ଏକ ମାତ୍ର ପ୍ରଶାସକ। ତାଙ୍କୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାକୁ ଲାକ୍ଷାଦ୍ୱୀପକୁ ପଠାଯାଇଛି, ଆଉ ସେହି ଲକ୍ଷ୍ୟଟିର ରୂପରେଖ ନୀତି ଆୟୋଗ ଦ୍ୱାରା ପ୍ରସ୍ତୁତ ହୋଇ ‘ଟ୍ରାନ୍ସଫର୍ମିଙ୍ଗ ଆଇଲାଣ୍ଡସ ଥ୍ରୁ କ୍ରିଏଟିଭିଟି ଆଣ୍ଡ ଇନୋଭେସନସ’ ପୁସ୍ତିକାରେ ୨୦୧୯ ମସିହା ମେ ମାସରୁ ପ୍ରକାଶ ପାଇ ସାରିଛି।

ଲାକ୍ଷାଦ୍ୱୀପରେ ପ୍ରାୟ ୪୦୦୦ ବର୍ଗ କିଲୋମିଟର ବ୍ୟାପ୍ତ ଏକ ବିଶାଳ ଲାଗୁନ (ଉପହ୍ରଦ) ଅଞ୍ଚଳ ଥିବାରୁ ଏହାକୁ ‘ଲାଗୁନର ସ୍ୱର୍ଗ’ ବୋଲି କୁହା ଯାଇଥାଏ। ତେଣୁ ଏହି ଅଞ୍ଚଳରେ ପର୍ଯ୍ୟଟନର ବ୍ୟାପକ ସମ୍ଭାବନା ଥିବାରୁ ତାକୁ ଆଧାର କରି ସମଗ୍ର ଦ୍ୱୀପାଞ୍ଚଳର ବିକାଶ କରିବା ଉପରେ ନୀତି ଆୟୋଗ ଗୁରୁତ୍ୱ ଦେଉଛି। ବସ୍ତୁତଃ, ଲାକ୍ଷାଦ୍ୱୀପଠାରୁ ମାତ୍ର କେଇ ଶହ କିଲୋମିଟର ଦୂରରେ ଅବସ୍ଥିତ ମାଳଦ୍ୱୀପର ତଳରୂପ (ଟୋପୋଗ୍ରାଫି) ପ୍ରାୟ ଏକା ପ୍ରକାର ହୋଇ ତାହା ଏକ ପ୍ରମୁଖ କେନ୍ଦ୍ର ଭାବେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିଥିବାରୁ, ଲାକ୍ଷାଦ୍ୱୀପକୁ ସେହି ଢାଞ୍ଚାରେ ବିକଶିତ କରା ଯାଇ ପାରିଲେ ତାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସକ୍ଷମ ହେବ ବୋଲି ବିଶ୍ୱାସ। ତେଣୁ ସେଥିପାଇଁ ଆବଶ୍ୟକ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ। ତଦ୍ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏଥିସହ ମାଛ ଓ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟ ତଥା ନଡ଼ିଆର ରପ୍ତାନୀ ବୃଦ୍ଧି ମାଧ୍ୟମରେ ଦ୍ୱୀପାଞ୍ଚଳର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଜୀବନଧାରଣର ମାନକୁ ଉନ୍ନତ କରାଯାଇ ପାରିବ। ଏହି ଯୋଜନାର ରୂପରେଖ ପାଇଁ ପ୍ରଶାସକ ପଟେଲଙ୍କୁ ପଠାଯାଇଥିଲେ ବି ତାଙ୍କ ଏପରି କିଛି ପଦକ୍ଷେପ ଦ୍ୱାରା ସେ ଲୋକଙ୍କ ବିଶ୍ୱାସଭାଜନ ହେବା ତ ଦୂରର କଥା ବରଂ ବିରୋଧର ସମ୍ମୁଖୀନ ହେଲେ।

ପ୍ରଶାସକ ପଟେଲ କାର୍ଯ୍ୟରେ ଯୋଗ ଦେବା ପରେ ସେ ତୁରନ୍ତ ବାହାରୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ ସଂକ୍ରାନ୍ତୀୟ ସଙ୍ଗରୋଧ ବ୍ୟବସ୍ଥାଟିକୁ କୋହଳ କରି ଦେଲେ। ପୂର୍ବ ବ୍ୟବସ୍ଥା ଅନୁଯାୟୀ ଲାକ୍ଷାଦ୍ୱୀପକୁ ଆସୁଥିବା ପ୍ରତ୍ୟେକଙ୍କୁ କେରଳର କୋଚି ବା ଲାକ୍ଷାଦ୍ୱୀପର ରାଜଧାନୀ କାଭାରାତିଠାରେ ୭ ଦିନ ଲାଗି ସଙ୍ଗରୋଧରେ ରହିବାକୁ ପଡୁଥିଲା। ନୂତନ ବ୍ୟବସ୍ଥା ଅନୁଯାୟୀ ୪୮ ଘଣ୍ଟା ପୂର୍ବର ନେଗେଟିଭ ଆରଟିପିସିଆର ପରୀକ୍ଷା ରିପୋର୍ଟ ସହ ଯେ କୌଣସି ବ୍ୟକ୍ତିଙ୍କୁ ଦ୍ୱୀପକୁ ପ୍ରବେଶ କରିବାର ଅନୁମତି ଦିଆଗଲା। ଫଳସ୍ୱରୂପ, ସେଠାରେ ଜାନୁଆରି ୨୦୨୧ ଯାଏଁ କୌଣସି ବ୍ୟକ୍ତି କୋଭିଡ ସଂକ୍ରମଣର ଶିକାର ହୋଇ ନ ଥିବା ବେଳେ ମେ ୨୮, ୨୦୨୧ ସୁଦ୍ଧା ସମୁଦାୟ ଜନସଂଖ୍ୟାର ୧୦ ପ୍ରତିଶତ ଅର୍ଥାତ୍ ୭୩୦୦ ଜଣ  ଆକ୍ରାନ୍ତ ହୋଇଗଲେ ଓ ଏଥି ମଧ୍ୟରୁ ୨୮ ଜଣ ମୃତ୍ୟୁବରଣ କରିଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସେତେ ଉନ୍ନତ ହୋଇ ନ ଥିବାରୁ ସଂକ୍ରମଣ ବ୍ୟାପିବା ପରେ ଉପଯୁକ୍ତ ଚିକିତ୍ସା ଅଭାବରୁ ତାହା ଏକ ପ୍ରକାର ନିୟନ୍ତ୍ରଣ ବାହାରକୁ ଚାଲିଗଲା। ପ୍ରଶାସକଙ୍କ ସଙ୍ଗରୋଧ ଉଠାଇବା ନିଷ୍ପତ୍ତିକୁ ସଂକ୍ରମଣ ବୃଦ୍ଧିର ମୁଖ୍ୟ କାରଣ ବୋଲି ଦାୟୀ କରି ତା’ ବିରୁଦ୍ଧରେ ଜନମତ ସୃଷ୍ଟି ହେବାକୁ ଲାଗିଲା। କୋଭିଡ ପରିଚାଳନାରେ ସରକାରଙ୍କ ବିଫଳତା ସମ୍ପର୍କରେ ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ସହ ସମ୍ପୃକ୍ତ ଲାକ୍ଷାଦ୍ୱୀପର ଏକମାତ୍ର ମହିଳା ଚିତ୍ର ନିର୍ମାତା ଆଈଷା ସୁଲତାନା ଏକ ଟେଲିଭିଜନ ଆଲୋଚନାରେ ମତ ଦେବା ପରେ ତାଙ୍କ ବିରୁଦ୍ଧରେ ଏକ ଦେଶଦ୍ରୋହ ମାମଲା ରୁଜୁ କରାଗଲା। ଏହି ଘଟଣା ମଧ୍ୟ ସ୍ଥାନୀୟ ଅଧିବାସୀଙ୍କୁ ଅଧିକ ଉତ୍ତେଜିତ କଲା।

ପ୍ରଶାସକଙ୍କ ଏକ ଆଦେଶ କ୍ରମେ ସେଠାରେ ଗୋମହିଷାଦି କାଟିବା ପୂର୍ବରୁ ଅଧିକାରୀଙ୍କ ନିକଟରୁ ସାର୍ଟିଫିକେଟ ହାସଲ କରିବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ରହିଛି। ଏଥିସହ ଗୋମାଂସ ବିକ୍ରି, ପରିବହନ ଓ ଭଣ୍ଡାରଣ ଉପରେ ନିଷେଧାଦେଶ ଜାରି କରା ହେବ। ଏଥିରେ ଦୋଷୀ ସାବ୍ୟସ୍ତ ହେଲେ ବର୍ଷେ ଜେଲ ସହ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି। ସେଠାକାର ୯୫ ପ୍ରତିଶତରୁ ଅଧିକ ଲୋକ ଆଦିବାସୀ ଏବଂ ମୁସଲମାନ ଓ ଗୋମାଂସ ଭକ୍ଷଣ ସେମାନଙ୍କ ପାରମ୍ପରିକ ଖାଦ୍ୟାଭ୍ୟାସର ଅଂଶ ବିଶେଷ। ଦେଶର ବିଭିନ୍ନ ରାଜ୍ୟରେ ଗୋ ସଂରକ୍ଷଣ ପାଇଁ ଆଇନ ପ୍ରଣୀତ ହୋଇଥିଲେ ବି ଏବେ ମଧ୍ୟ ବିଜେପି ଶାସିତ ଗୋଆ ସମେତ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ଗୋମହିଷାଦି କାଟିବା ଓ ଗୋମାଂସ ଭକ୍ଷଣ ଉପରେ କୌଣସି ପ୍ରତିବନ୍ଧ ନ ଥିବାରୁ ଜଣେ ପ୍ରଶାସକଙ୍କ ମାଧ୍ୟମରେ ଲାକ୍ଷାଦ୍ୱୀପରେ ତାହା କରିବା କେତେ ଯୁକ୍ତିଯୁକ୍ତ? ତା’ ଛଡ଼ା ପ୍ରଶାସକ ଜଣକ ଯେଉଁ ଧାର୍ମିକ ଓ ରାଜନୈତିକ ମତାଦର୍ଶର ପୃଷ୍ଠଭୂମିରୁ ଆସିଛନ୍ତି ସେଥିରେ ତାଙ୍କର ନିଜସ୍ୱ ଖାଦ୍ୟ ପସନ୍ଦ ଓ ନାପସନ୍ଦ ଥାଇପାରେ। ତେବେ ସେହି ପସନ୍ଦ ବା ନାପସନ୍ଦକୁ ଏକ ଅଞ୍ଚଳର ଲୋକଙ୍କ ଉପରେ ଲଦି ଦେବାର ଅର୍ଥ ସ୍ଥାନୀୟ ଲୋକଙ୍କ ସଂସ୍କୃତି ଓ ଖାଦ୍ୟାଭ୍ୟାସକୁ ଅସମ୍ମାନ କରି ଜୋର ଜବରଦସ୍ତ ବଦଳାଇବାର ଅପଚେଷ୍ଟା କରିବା। କେବଳ ସେତିକି ନୁହେଁ ସେଠାରେ ସ୍କୁଲମାନଙ୍କରେ ମିଡ-ଡେ-ମିଲ ଯୋଜନାରେ ଦିଆ ଯାଉଥିବା ମାଂସକୁ ମଧ୍ୟ ବନ୍ଦ କରି ତା’ ସ୍ଥାନରେ କେବଳ ମାଛ ଓ ଅଣ୍ଡା ଦେବାକୁ ସ୍ଥିର ହୋଇଛି।

ଜନଭାବନାକୁ ସମ୍ମାନ ଜଣାଇ ଲାକ୍ଷାଦ୍ୱୀପର ଜନ ବସତି ଥିବା ସବୁ ଦ୍ୱୀପରେ ଏବେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟ କରୁଛି। କେବଳ ଜନମାନବଶୂନ୍ୟ ବଙ୍ଗାରାମ ଦ୍ୱୀପର ରିସର୍ଟରେ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଯୋଗାଇ ଦିଆ ଯାଇଥାଏ। ପ୍ରଶାସନର ଏବର ଆଦେଶ ଅନୁଯାୟୀ ସେଠାରେ ଜନବସତି ଥିବା ସବୁ ଦ୍ୱୀପରେ ମଧ୍ୟ ପର୍ଯ୍ୟଟକଙ୍କୁ ମଦ ଯୋଗାଇ ଦେବା ପାଇଁ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ଏହା ହେଲେ ସ୍ଥାନୀୟ ଅଧିବାସୀମାନେ ବି ମଦର ବିଷ ବଳୟକୁ ପ୍ରବେଶ କରି ତା’ର କୁପ୍ରଭାବରେ ଅତି ବେଶି ଆକ୍ରାନ୍ତ ହେବାର ଆଶଙ୍କା ଥିବାରୁ ସେଠାରେ ସମ୍ପୂର୍ଣ୍ଣ ନିଶା ନିବାରଣକୁ କାର୍ଯ୍ୟକାରୀ କରି ମଦ ଦୋକାନ ଖୋଲିବାର ପ୍ରାଶାସନିକ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ଦାବି ଜୋର ଧରିଛି।

ଲାକ୍ଷାଦ୍ୱୀପରେ ‘ପ୍ରିଭେନସନ ଅଫ ଆଣ୍ଟି-ସୋସିଆଲ ଆକ୍ଟିଭିଟିଜ ରେଗୁଲେସନ’ ନାମକ ଏକ ନୂଆ ନିୟମର ଚିଠା ପ୍ରସ୍ତୁତ ହୋଇଛି, ଯେଉଁଥିରେ ଯେ କୌଣସି ଲୋକ ଅସାମାଜିକ କାର୍ଯ୍ୟ କରି ଶାନ୍ତି ରକ୍ଷାରେ ବାଧକ ସାଜୁଥିବା ଦର୍ଶାଇ ପ୍ରଶାସନ ତାକୁ କୌଣସି ପ୍ରକାର ଆଇନଗତ ସହାୟତା ପାଇବାରୁ ବଞ୍ଚିତ ରଖି ଛଅ ମାସରୁ ବର୍ଷେ ପର୍ଯ୍ୟନ୍ତ ଅଟକ କରି ରଖିବାର ପ୍ରାବଧାନ ରହିଛି। ପ୍ରଶାସନ ତରଫରୁ ସେଠାରେ ହେବାକୁ ଯାଉଥିବା ଜନବିରୋଧୀ କାର୍ଯ୍ୟଗୁଡ଼ିକ ବିରୁଦ୍ଧରେ ଲୋକମାନଙ୍କ ପ୍ରତିବାଦର ସ୍ୱରକୁ ଦବାଇ ଦେବା ପାଇଁ ଏହି ଦମନମୂଳକ ଆଇନଟି ପ୍ରଣୀତ ହେଉଛି ବୋଲି ଲୋକଙ୍କ ଦୃଢ ବିଶ୍ୱାସ। ଉଲ୍ଲେଖଯୋଗ୍ୟ ଯେ ଏନସିଆରବିର ତଥ୍ୟ ଅନୁଯାୟୀ ସେଠାରେ ବିଭିନ୍ନ ଅପରାଧର ହାର ଜାତୀୟ ହାରଠାରୁ ଯଥେଷ୍ଟ କମ।

ଦ୍ୱୀପର ଅଧିବାସୀଙ୍କ ଲାଗି ସବୁଠାରୁ ଉଦବେଗଜନକ ହେଉଛି ପ୍ରଶାସନ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚିଠା ‘ଲାକ୍ଷାଦ୍ୱୀପ ଡେଭଲପମେଣ୍ଟ ଅଥରିଟି ରେଗୁଲେସନ’। ଦ୍ୱୀପଗୁଡ଼ିକର ବିକାଶ ପାଇଁ ‘ପ୍ଲାନିଙ୍ଗ ଆଣ୍ଡ ଡେଭଲପମେଣ୍ଟ ଅଥରିଟି’ର ପ୍ରତିଷ୍ଠା କରାଯିବ। ସେହି ସଂସ୍ଥାରେ ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚିତ ନ ହୋଇ ପ୍ରଶାସକଙ୍କ ଦ୍ୱାରା ମନୋନୀତ ହେବାକୁ ଥିବାରୁ ଦ୍ୱୀପବାସୀଙ୍କ ମତକୁ କୌଣସି ଗୁରୁତ୍ୱ ଦିଆଯିବ ନାହିଁ। ଏହି ସଂସ୍ଥା ଦ୍ୱାରା ସେଠାରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ପାଇଁ ଜମିର ଅଧିଗ୍ରହଣ ଓ ବ୍ୟବହାରରେ ବ୍ୟାପକ ଅଦଳ ବଦଳ କରାଯାଇ ପାରିବ। ଏହା ଦ୍ୱାରା ଆଦିବାସୀଙ୍କର କ୍ଷୁଦ୍ର ଜମିଗୁଡିକୁ ପ୍ରଶାସନ ଦଖଲକୁ ନେଇ ପାରିବ ଯଦ୍ଦ୍ୱାରା ସେମାନେ ଭୂମିହୀନ ହୋଇ ପଡ଼ିବେ। ପରୋକ୍ଷରେ ତାହା ସେମାନଙ୍କୁ ଗାଁ ଗଣ୍ଡା ଛାଡ଼ି ପଳାୟନ କରିବାକୁ ବାଧ୍ୟ କରିବ ଓ ସେମାନଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହୋଇ ପଡ଼ିବ ବୋଲି ସେମାନଙ୍କ ଧାରଣା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏ ଭଳି ଆଇନର ଖସଡ଼ା ପ୍ରସ୍ତୁତି ପୂର୍ବରୁ ଜନସାଧାରଣ ଓ ପଞ୍ଚାୟତଗୁଡ଼ିକ ସହ କୌଣସି ବିଚାର ବିମର୍ଶ ହୋଇ ନାହିଁ।

ଚିଠା ପଞ୍ଚାୟତ ରେଗୁଲେସନ, ୨୦୨୧ରେ ମଧ୍ୟ ପରିବର୍ତ୍ତନ କରା ଯାଉଛି ଯଦ୍ଦ୍ୱାରା ଦୁଇଟି ସନ୍ତାନରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ବିଶେଷ ପଞ୍ଚାୟତ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ। ଏହି ଧରଣର ଆଇନ ଦେଶର ଅନ୍ୟତ୍ର ଥିଲେ ବି ଏହି ପରିବର୍ତ୍ତନକୁ ଲୋକମାନେ ଗ୍ରହଣ କରି ପାରୁ ନାହାନ୍ତି ଓ ସେଠାକାର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଏନସିପି ମଧ୍ୟ ଏହାର ବିରୋଧ କରୁଛନ୍ତି। ଅବଶ୍ୟ ଏହି ଆଇନ ପିଛିଲା ଭାବେ ଲାଗୁ ହେଉ ନ ଥିଲେ ବି ପ୍ରଶାସନ ଲୋକଙ୍କୁ ବୁଝାଇବାକୁ ସମର୍ଥ ହୋଇନାହିଁ।

ଦ୍ୱୀପଗୁଡ଼ିକର ବିକାଶ ପାଇଁ ପ୍ରସ୍ତୁତ ପୁସ୍ତିକାରେ ସରକାରଙ୍କ ଘୋଷିତ ଭିଜନ ହେଉଛି, ‘ପରିବେଶଗତ ଭାବେ ସଂରକ୍ଷିତ ଦ୍ୱୀପରେ ସୁଖୀ ଓ ସମୃଦ୍ଧଶାଳୀ ଦ୍ୱୀପବାସୀ’ (ହାପି ଆଣ୍ଡ ପ୍ରସପରସ ଆଇଲାଣ୍ଡର୍ସ ଇନ ଇକୋଲୋଜିକାଲି ପ୍ରୋଟେକ୍ଟେଡ ଆଇଲାଣ୍ଡସ)। ଅର୍ଥାତ୍, ବିକାଶର କେନ୍ଦ୍ରରେ ଦ୍ୱୀପର ପରିବେଶଗତ ସୁରକ୍ଷା ଓ ଦ୍ୱୀପବାସୀ। ସେହି ଦ୍ୱୀପବାସୀଙ୍କ ସହ ବା ସେମାନଙ୍କ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଚାର ବିମର୍ଶ ନ କରି ବା ସେମାନଙ୍କୁ ବିଶ୍ୱାସକୁ ନ ନେଇ ଉପରୁ ପ୍ରସ୍ତୁତ ହୋଇଥିବା ଯେ କୌଣସି ଯୋଜନା, ଯେତେ ଭଲ ହୋଇଥିଲେ ବି, ଦ୍ୱୀପବାସୀଙ୍କୁ ଖୁସି କରି ପାରିବ ନାହିଁ। ଏହାଦ୍ୱାରା ଉପରୋକ୍ତ ଭିଜନର ବିରୁଦ୍ଧାଚରଣ ହେବ। ପରିବେଶ ଦୃଷ୍ଟିରୁ ସମ୍ୱେଦନଶୀଳ ଦ୍ୱୀପାଞ୍ଚଳରେ ବୃହତ ପର୍ଯ୍ୟଟନ ପ୍ରକଳ୍ପମାନ ପ୍ରତିଷ୍ଠା କରାଗଲେ ତାହା ସେଠାକାର ଭଙ୍ଗୁର ପରିବେଶ ପ୍ରତି ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି। ତେଣୁ ଏହି ଧରଣର ବିକାଶମୂଳକ କାର୍ଯ୍ୟ ହାତକୁ ନେବାକୁ ହେଲେ ପ୍ରଶାସକଙ୍କୁ ପ୍ରଥମେ ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଉଦ୍ୟମ କରିବାର ଥିଲା, ଯେଉଁଥିରେ ସେ ଆପାତତଃ ବିଫଳ ହୋଇଛନ୍ତି। ସେଠାକାର ସ୍ଥିତି ଏବେ ଏପରି ଯେ ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କ ଯୋଗୁ ଲୋକଙ୍କ ମାନବାଧିକାର ହନନ ହେଉଥିବା ଦର୍ଶାଇ ତାଙ୍କୁ ସେଠାରୁ ତୁରନ୍ତ ସ୍ଥାନାନ୍ତରଣ କରିବାର ଦାବି ଜୋର ଧରିଲାଣି। ତେଣୁ ପ୍ରସ୍ତାବିତ ଆଇନ ଓ ନିଷ୍ପତ୍ତିଗୁଡ଼ିକୁ ସାମୟିକ ଭାବେ ସ୍ଥଗିତ ରଖି ପ୍ରଶାସକ ପ୍ରଥମେ ସେଠାକାର ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ବିଶେଷ ଉଦ୍ୟମ କରିବା ଆବଶ୍ୟକ। ନ ହେଲେ ଏକ ଶାନ୍ତ ଅଞ୍ଚଳ ପ୍ରାଶାସନିକ ବ୍ୟର୍ଥତା ଯୋଗୁ ଏକ ଅଶାନ୍ତ ଦ୍ୱୀପାଞ୍ଚଳରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇପାରେ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।