Advertisment

ବୃତ୍ତିଗତ ନୈତିକତାର କ୍ରିୟାକର୍ମ?

ଏଥିଲାଗି ରାମନାଥ ଗୋଏଙ୍କା ବାରମ୍ବାର ସରକାରୀ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କିନ୍ତୁ ପରେ ଯେବେ ତାଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ, ‘ମୋ ପାଖରେ ଦୁଇଟି ରାସ୍ତା ଥିଲା: ମୋର ହୃଦୟର କଥା ଶୁଣିବା ନଚେତ ମୋର ମନିପର୍ସର। ମୁଁ ମୋ ହୃଦୟର କଥାକୁ ଶୁଣିଥିଲି।’

author-image
Debendra Prusty
Representative Image

Representative Image

ଦେବ ରଞ୍ଜନ

‘ମଣିଷ ମରିଗଲା ପରେ କିଛି ଭାବିନଥାଏ, ମଣିଷ ମରିଗଲା ପରେ କିଛି କହିନଥାଏ, କିଛି ନଭାବିବା ଓ କିଛି ନକହିବା ଲୋକକୁ ମୃତ ବୋଲି ଧରାଯାଏ।’ - ହିନ୍ଦୀ ଭାଷାର କବି ଉଦୟ ପ୍ରକାଶ

Advertisment

୨୦୧୬ ମସିହାରେ ରାମନାଥ ଗୋଏଙ୍କା ପୁରସ୍କାର ବଣ୍ଟନର ସମୟର କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିମନ୍ତ୍ରିତ ଅତିଥି ଭାବରେ ଉପସ୍ଥିତ ରହିଥାନ୍ତି। ଏହି ଅବସରରେ ‘ଦି ଇଣ୍ଡିଆନ ଏକ୍ସପ୍ରେସ’ର ମୁଖ୍ୟ ସମ୍ପାଦକ ରାଜ କମଲ ଝା ଏକ ପୁରୁଣା କଥାକୁ ମନେପକାଇ କହିଥିଲେ, ‘ଏହା ସତ୍ୟ ଯେ ଇଣ୍ଡିଆନ ଏକ୍ସପ୍ରେସର ମାଲିକ ରାମନାଥ ଗୋଏଙ୍କାଙ୍କୁ ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜର ଜଣେ ଷ୍ଟାଫ ରିପୋର୍ଟର ସମ୍ପର୍କରେ ମନ୍ତବ୍ୟ ଦେଇ କହିଲେ ‘ଆପକା ରିପୋର୍ଟର ବହୁତ ଆଚ୍ଛା କାମ କରରହା ହେ’। ଏହା ଶୁଣି ରାମନାଥ ଗୋଏଙ୍କ ସେହି ରିପୋର୍ଟଙ୍କୁ ଚାକିରିରୁ ବାହାର କରିଦେଇଥିଲେ।

ରାମନାଥ ଗୋଏଙ୍କା ଏକମାତ୍ର ଖବରକାଗଜ ମାଲିକ ଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ଦ୍ଵାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ (୧୯୭୫-୭୭) ବିରୋଧ କରିଥିଲେ। ସେ ସମୟରେ ସରକାରଙ୍କ ଦ୍ଵାରା କରାଯାଉଥିବା ଭିନ୍ନମତ ଓ ସମାଲୋଚନା କରୁଥିବା ଲେଖକ ଓ ସାମ୍ବାଦିକଙ୍କୁ ଗିରଫ, ଜବରଦସ୍ତ ପରିବାର ନିୟୋଜନ ଓ ଜମି ହଡ଼ପ ଇତ୍ୟାଦି କାର୍ଯ୍ୟକୁ ବିରୋଧ କରି ବିସ୍ତୃତ ଖବର ‘ଦି ଇଣ୍ଡିଆନ ଏକ୍ସପ୍ରେସ’ ଖବରକାଗଜରେ ଛପାଯାଉଥିଲା। ଏଥିଲାଗି ରାମନାଥ ଗୋଏଙ୍କା ବାରମ୍ବାର ସରକାରୀ ଆକ୍ରୋଶର ଶିକାର ମଧ୍ୟ ହୋଇଥିଲେ। କିନ୍ତୁ ପରେ ଯେବେ ତାଙ୍କୁ ଏ ସମ୍ପର୍କରେ ପଚରା ଯାଇଥିଲା ସେ କହିଥିଲେ, ‘ମୋ ପାଖରେ ଦୁଇଟି ରାସ୍ତା ଥିଲା: ମୋର ହୃଦୟର କଥା ଶୁଣିବା ନଚେତ ମୋର ମନିପର୍ସର। ମୁଁ ମୋ ହୃଦୟର କଥାକୁ ଶୁଣିଥିଲି।’

Advertisment

ଆଜି ଏହି କଥା ମନେପକାଇବାର ପ୍ରାସଙ୍ଗିକତା ରହିଛି।

ଘରକୁ ଛୁଆଟିଏ ତାହାର ପ୍ରଥମ ଜନ୍ମଦିନ ନିଜେ ଛୁଆ ନୁହେଁ ବରଂ ଘର ଲୋକେ ବେଶ ଖୁସିରେ ପାଳିଥାନ୍ତି। କିନ୍ତୁ ନିଜର ପ୍ରଥମ ବର୍ଷ ଶାସନର ପୂର୍ତ୍ତି ପାଳନ ଲାଗି ରାଜ୍ୟ ସରକାର ନିଜ ତରଫରୁ ଅନେକ ଉଦ୍ୟମ କରିଚାଲିଛନ୍ତି। ସେଥିମଧ୍ୟରୁ ଅନ୍ୟତମ ଥିଲା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟର କିଛି ଖ୍ୟାତ ସାମ୍ବାଦିକ, ସଂପାଦକ, ଲେଖକ ଓ ସ୍ତମ୍ଭକାରଙ୍କୁ ନିମନ୍ତ୍ରଣ। ଏହି ନିମନ୍ତ୍ରଣ ସମ୍ପର୍କରେ ଏକ ଫଟୋ ଆମକୁ ସାମାଜିକ ଗଣମାଧ୍ୟମରୁ ମିଳିଥିଲା। ସେହିଦିନ ଠାରୁ ମୁଁ ଭାବୁଛି ଯେ ଏମାନଙ୍କ ମଧ୍ୟରେ କେଉଁ ବିଷୟରେ ବାର୍ତ୍ତାଳାପ ହୋଇଥିବ।

ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୁହାଁମୁହିଁ ପ୍ରଶ୍ନ ଉତ୍ତରର ଝଞ୍ଜଟ ଅପେକ୍ଷା କିଛି ଖାସ ‘ଅତିଥି’ଙ୍କ ସହିତ ସୁଖଦୁଃଖ ହେବା ଉଚିତ ମନେକଲେ ଓ ଏକକାଳୀନ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ। ଏହା ସାମ୍ବାଦିକ ସମ୍ମିଳନୀ ନଥିଲା। କାରଣ ଏ ସମ୍ପର୍କରେ ପରଦିନ କୌଣସି ଖାବରାକାଗଜରେ କିଛି ବି ଖବର ପ୍ରକାଶ ପାଇନଥିଲା। ସେହିଦିନ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ହୋଇଥିଲା। ସେଠାକୁ ଅନ୍ୟ ସାମ୍ବାଦିକ ଡକାଯାଇଥିଲେ। ସେ ଖବର ପ୍ରକାଶ ପାଇଥିଲା। ଏହାକୁ ଆମେ ବ୍ୟକ୍ତିଗତ ସାକ୍ଷାତକାର ମଧ୍ୟ କହିପାରିବା ନାହିଁ, କାରଣ ଏକ ବିରାଟ ଗୃପ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ଥିରୀକୃତ ସମୟରେ ଏକାଠି ହେଉଛନ୍ତି। ନିମନ୍ତ୍ରିତ ସ୍ତମ୍ଭକାରମାନେ ନିଜେ ନିମନ୍ତ୍ରିତ ହୋଇଥିଲେ ବୋଲି ଭେଟିଆସିବା ପରେ କୌଣସି ଠାରେ ଉକ୍ତ ଆଲୋଚନା ସମ୍ପର୍କରେ ଉଲ୍ଲେଖ ମଧ୍ୟ କରୁନାହାନ୍ତି। ତେବେ ଏହା କ’ଣ ଥିଲା?

ଚାରିକୋଟି ଓଡ଼ିଶାବାସୀଙ୍କ ମଧ୍ୟରେ ତିନି ପ୍ରତିଶତ ଖ୍ରୀଷ୍ଟିୟାନ ବିଶ୍ଵାସୀ ରାଜ୍ୟ ମଧ୍ୟରେ ଅଛନ୍ତି। ଗଲା ଛଅ ମାସ ମଧ୍ୟରେ ରାଜ୍ୟର ଖ୍ରୀଷ୍ଟିୟାନ ବିଶ୍ଵାସୀଙ୍କ ଉପରେ ୫୩ଟି ଆକ୍ରମଣ ଘଟଣାର ଅଭିଯୋଗ ଯଥା: ଦାହ ସଂସ୍କାର ପାଇଁ ସୁଯୋଗ ନଦେବା, ଜବରଦସ୍ତି ଲଣ୍ଡା କରିଦେବା, ଘର ଉପରେ ଆକ୍ରମଣ କରିବା ଇତ୍ୟାଦି ହୋଇଛି। ଅତି ଅମାନୁଷିକ ଘଟଣା ତ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ମହିଳାମାନଙ୍କ ଉପରେ ହୋଇଛି। ‘ଅତିଥିମାନେ’ କ’ଣ ରାଜ୍ୟରେ ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ଉପରେ ବଢ଼ିଥିବା ଆକ୍ରମଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଚିନ୍ତା ପ୍ରକଟ କରିଥିବେ? ରାଜ୍ୟରେ ଧର୍ମନିରପେକ୍ଷତା ବଜାୟ ରଖିବା ଲାଗି ତାଙ୍କୁ ଅନୁରୋଧ କରିଥିବେ? କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜଣେ ହେଲେ ଖ୍ରୀଷ୍ଟିୟାନ ତ ନଥିଲେ! ହୁଏତ ରାଜ୍ୟରେ ଖ୍ରୀଷ୍ଟିୟାନ ସଂପାଦକ ନଥିବେ!

ରାଜ୍ୟ ଜନସଂଖ୍ୟାର ଦୁଇ ପ୍ରତିଶତ ଅର୍ଥାତ ଆଠ ଲକ୍ଷ ମୁସଲମାନ ବିଶ୍ଵାସୀ ଏ ରାଜ୍ୟରେ ଅଛନ୍ତି। ପଡ଼ୋଶୀ ରାଜ୍ୟରୁ ଅନେକ ମୁସଲମାନ ବ୍ୟକ୍ତି ରାଜ୍ୟରେ ସିମେଣ୍ଟ ମିସ୍ତ୍ରୀ, କାଠ ମିସ୍ତ୍ରୀ, ସେଣ୍ଟ୍ରିଙ୍ଗ, ପେଣ୍ଟର, ଟାଇଲ ମାଷ୍ଟର ଓ ମଜୁରିଆ ଭାବରେ କାମ କରନ୍ତି। ଠିକ ଯେମିତି ଓଡ଼ିଆ ଶ୍ରମିକ ଦିଲ୍ଲୀରେ ପ୍ଲମ୍ବର, ବମ୍ବେରେ ଇଲେକ୍ଟ୍ରିସିଆନ, ବାଙ୍ଗାଲୋରରେ ହୋଟେଲ ଓ କେରଳରେ ଫାର୍ମ ହାଉସରେ କାମ କରନ୍ତି। ଅଗଷ୍ଟ ମାସର ପ୍ରଥମ ଓ ଦ୍ଵିତୀୟ ସପ୍ତାହରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯଥା ପୁରୀ, ଜଗତସିଂହପୁର, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାରେ ମୁସଲମାନ ଶ୍ରମିକ ଓ ଫେରିବାଲାଙ୍କ ଘର ମଧ୍ୟରେ ପଶି, ରାସ୍ତାରେ, ବଜାରରେ ସବୁଠି ଲାଠିରେ, ଶାବଳରେ ଆକ୍ରମଣ ହେଲା। ଯଦିଓ ଅନେକ ସଂବେଦନଶୀଳ ଲୋକ ପୋଲିସକୁ ସୂଚନା ଦେଲେ ତଥାପି ନା ସେହି ଶ୍ରମିକଙ୍କୁ ପୋଲିସ ସୁରକ୍ଷା ଦେଲା ନା ଏହାର କୌଣସି ଏଫଆଇଆର ପୋଲିସ ନିଜ ତରଫରୁ ଫାଇଲ କଲା। ଏହି ଆକ୍ରମଣ ଏକ ଭୟ ଶ୍ରମିକଙ୍କ ମଧ୍ୟରେ ସୃଷ୍ଟି କଲା ଯାହାର କୌଣସି ରେକର୍ଡ ମଧ୍ୟ ରହିଲା ନାହିଁ। ଆଜି ସେମାନଙ୍କ ମଧ୍ୟରୁ ଅନେକ ରାଜ୍ୟ ଛାଡ଼ି ଚାଲିଗଲେଣି।

ମୁଖ୍ୟମନ୍ତ୍ରୀ କ୍ଷମତାକୁ ଆସିବା ଦିନ ଠାରୁ ‘ବାଙ୍ଗଲାଦେଶୀ’, ‘ରୋହିଙ୍ଗିଆ’, ‘ବିଦେଶୀ’, ‘ଅନୁପ୍ରବେଶକାରୀ’ ଓ ‘ଘୁସପଇଠିୟାଁ’ ନାମରେ ଓଡ଼ିଶାରେ ଧାର୍ମିକ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ଆକ୍ରମଣ ହେଉଛି। ବାଲେଶ୍ଵରର ଭୁଜାଖିଆ ପୀରଙ୍କ ନିକଟରେ ଏକ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟି ଜଣେ ମୁସଲମାନଙ୍କ ଘରକୁ ଜାଳି ମଧ୍ୟ ଦିଆଗଲା। ତେବେ ନିମନ୍ତ୍ରିତ ଅତିଥିମାନେ ଏ ସମ୍ପର୍କରେ କ’ଣ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିବେ? ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ଜଣେ ହେଲେ ମୁସଲମାନ ଧର୍ମବିଶ୍ଵାସୀ କିନ୍ତୁ ନଥିଲେ। ହୁଏତ ରାଜ୍ୟରେ ମୁସଲମାନ ସଂପାଦକ ନଥିବେ!

ଓଡ଼ିଶାବାସୀଙ୍କ ମଧ୍ୟରେ ଖ୍ରୀଷ୍ଟିୟାନ, ମୁସଲମାନ, ଦଳିତ, ଆଦିବାସୀ, ମହିଳା ଅଛନ୍ତି। ରାଜ୍ୟର ଉନ୍ନତି କହିଲେ ସେମାନଙ୍କ ସୁରକ୍ଷାକୁ ବୁଝାଉଛି। ଏହା ସହିତ ରାଜ୍ୟର ଶ୍ରମିକ, ଚାଷୀ ଓ ବ୍ୟବସାୟୀଙ୍କ ଉନ୍ନତିକୁ ରାଜ୍ୟର ଉନ୍ନତି ବୁଝାଉଛି। ଏହାକୁ ସାମ୍ନାରେ ରଖି ଚିନ୍ତା କରାଯାଇ ପାରେ ଯେ ରାଜ୍ୟର ଉନ୍ନତି ଲାଗି କଣ ସବୁ ଆଲୋଚନା ହୋଇଥିବ। ହଁ, ମୁଁ ଏଠାରେ ନିମନ୍ତ୍ରିତ ଅତିଥି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗଢ଼ିଥିବା ସମ୍ପର୍କର ସୂତ୍ରକୁ ଖୋଜିବାକୁ ଚେଷ୍ଟା କରୁଛି। ସାମ୍ବାଦିକ ଓ ସରକାର ମଧ୍ୟରେ ‘ବନ୍ଧୁତା’ ଗଢ଼ି ଉଠିବା ଗଣତନ୍ତ୍ର ଲାଗି ବିପଦ ନା ସମ୍ପଦ?

ଯଦି ଅତିଥିମାନେ ‘ବନ୍ଧୁତା’ ଖାତିରରେ ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ଶାସନର ପ୍ରଥମ ବର୍ଷର ପୂର୍ତ୍ତି ପାଳନ ଲାଗି ତେବେ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆ ପ୍ରଶ୍ନଟିଏ ତ ପଚାରି ପାରିଥାନ୍ତେ? ଅଡୁଆ ପ୍ରଶ୍ନ କେବଳ ଜଣେ ବନ୍ଧୁ ହିଁ କରିପାରେ। ଅତିଥିମାନେ ମୁଖ୍ୟମନ୍ତ୍ରୀଙ୍କୁ ପଚାରି ପାରିଥାନ୍ତେ ଯେ ତାଙ୍କର ଶାସନକୁ ଆସିବାର ବହୁ ପୂର୍ବରୁ ତାଙ୍କ ଦଳର ମୁଖ୍ୟମାନେ ବିଭିନ୍ନ ସମୟରେ ‘ହିନ୍ଦୁରାଷ୍ଟ୍ର’ ଗଠନର ପ୍ରସ୍ତାବ ଦେଇଆସୁଛନ୍ତି। ଏଭଳି ଏକ ଅସାମ୍ବିଧାନିକ ବିଚାର ରହିଥିବା ଦଳରେ ସେ ଯୋଗଦେଲେ କେମିତି? ସେ କ’ଣ ଏହାକୁ ସମ୍ପୂର୍ଣ ବିଶ୍ଵାସ କରୁଛନ୍ତି? ଏଭଳି ପ୍ରଶ୍ନ ଆଜି ପ୍ରତ୍ୟେକ ସମ୍ବିଧାନ-ବିଶ୍ଵାସୀ ମଧ୍ୟରେ ରହିଛି। ମୁଁ ଭାବୁନାହିଁ କୌଣସି ସାମ୍ବାଦିକ ଓ ସ୍ତମ୍ଭକାର ଏଭଳି ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ କରିପାରିଥିବେ!

ରାଜ୍ୟର ଜନସଂଖ୍ୟା ମଧ୍ୟରେ ଦଳିତ ବର୍ଗଙ୍କ ସଂଖ୍ୟା ୧୮ ପ୍ରତିଶତ, ଅନ୍ତତଃ ଏକ କୋଟି ଲୋକ। ଅଥଚ ଆଜି ବି ଦଳିତ ବର୍ଗର ଲୋକଙ୍କୁ ସାମାନ୍ୟ ମନ୍ଦିର ପ୍ରବେଶର ଅଧିକାର ନାହିଁ। ନୟାଗଡ଼ ଜିଲ୍ଲା ବୋଲଗଡ଼ ଅଞ୍ଚଳରେ ଦଳିତ ବୟସ୍କ ବ୍ୟକ୍ତି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ନେଇ ବିବାଦ କାରଣରୁ ତାଙ୍କୁ ହତ୍ୟା କରିଦିଆଗଲା। ରାଜ୍ୟରେ ଅନେକ ସ୍ଥାନରେ ଆଜି ମନ୍ଦିର ପ୍ରବେଶ, ଜମି ଅଧିକାର, ମଜୁରୀ ଦାବି କରିବା, ଚାଷ ପାଇଁ ବଳଦ ଯୋଗାଡ଼ କରିବା, ନିଜର ସ୍ଥାୟୀ ଘରଟିଏ ନିର୍ମାଣ କରିବା, ଗାଁ ଦାଣ୍ଡରେ ବାଜା ବଜାଇ ବିବାହ କାର୍ଯ୍ୟକୁ ଯିବା ଓ ପୂର୍ବ ପୁରୁଷରୁ ଜାତି ହିସାବରେ କରୁଥିବା ପାରମ୍ପରିକ କାର୍ଯ୍ୟ କରିବାକୁ ମନା କରିବା କାରଣରୁ ଦଳିତ ବର୍ଗ ଗଲା ବର୍ଷେ ହେଲା ଅନେକ ସ୍ଥାନରେ ଆକ୍ରମଣର ଶିକାର ହେଉଛନ୍ତି। କେତେକଙ୍କୁ ହତ୍ୟା ହୋଇଛି। ଅପରାଧୀର ରାଜନୈତିକ ଦଳୀୟ ସମ୍ବନ୍ଧ କାରଣରୁ ପୋଲିସ ନିଷ୍କ୍ରିୟ ହୋଇଛି। ଦଳିତ ବର୍ଗର ସୁରକ୍ଷା ଲାଗି ସେମାନେ କଣ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଥିବେ? କିନ୍ତୁ ସେଭଳି କିଛି ଅଡୁଆ ପ୍ରଶ୍ନ ହୁଏତ ହୋଇପାରେ ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କ ସେହି ଅତିଥି ତାଲିକାରେ ଜଣେ ହେଲେ ଦଳିତ ବର୍ଗର ରହିନଥିଲେ। ହୁଏତ ରାଜ୍ୟରେ କୌଣସି ଦଳିତ ସଂପାଦକ ନଥିବେ!

ତେବେ କଣ ‘ଅତିଥିମାନଙ୍କ’ ମଧ୍ୟରେ ଜଣେ କେହି ଆଦିବାସୀ ଥିଲେ ଓ ସେମାନେ ଆଦିବାସୀଙ୍କ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିବେ? ଆଦିବାସୀଙ୍କ ଜମି ସରକାର କିଣି ନେବାର ଯୋଜନା କଲେଣି। ପେସା ରୁଲ୍ସ ଆଜି ବି ଆସିନାହିଁ। ମିଥ୍ୟା ଗ୍ରାମସଭା କରାଉଥିବା ଏଜେନ୍ସିକୁ ଦଣ୍ଡିତ କରାଯାଉନାହିଁ। ବିସ୍ଥାପନ ସମସ୍ୟା କମୁନାହିଁ। ପୂର୍ବରୁ ବିସ୍ଥାପିତ ବ୍ୟକ୍ତି ଦେଶ ଲାଗି ବିକାଶ ଆଣି ନିଜ ଲାଗି ଦାରିଦ୍ର୍ୟ ବରିଛି।

ନୂଆ ସରକାର ଗଲା ବର୍ଷକ ମଧ୍ୟରେ ରାୟଗଡ଼ା ଜିଲ୍ଲାର କାଶୀପୁରରେ ସିଜିମାଳୀରେ ଖଣିକୁ ବିରୋଧ କରିବା କାରଣରୁ ଆଦିବାସୀ ଓ ଦଳିତ ଚାଷୀଙ୍କୁ ଗିରଫ କରୁଛନ୍ତି, ସୁନ୍ଦରଗଡ଼ରେ ସିମେଣ୍ଟ ପ୍ଳାଣ୍ଟ ପ୍ରଦୂଷଣକୁ ବିରୋଧ କରିବା କାରଣରୁ ଗିରଫ କରୁଛନ୍ତି, ରାଉରକେଲାରେ ରେଳ ଲାଗି ଜମି ଦେବାକୁ ମନା କରିବା କାରଣରୁ ଗିରଫ ହୋଇଛନ୍ତି। ଅତିଥିମାନେ କଣ ଆଦିବାସୀଙ୍କ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ କିଛି କହିଥିବେ? କହିଥିବେ କି ଯେ ଆଦିବାସୀଙ୍କ ଉପରେ ସରକାରଙ୍କ ତରଫରୁ ହୋଇଥିବା ପୋଲିସ ମାମଲା ଗୁଡ଼ିକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ?

ତେବେ କଣ ଅତିଥିମାନେ ମହିଳାଙ୍କ ସୁରକ୍ଷା ସମ୍ପର୍କରେ କିଛି ପଚାରିଥିବେ ଓ ମୁଖ୍ୟମନ୍ତ୍ରୀଙ୍କ ଲାଗି ଅଡୁଆ ସ୍ଥିତି ସୃଷ୍ଟି କରିପାରିଥିବେ? ମୁଖ୍ୟମନ୍ତ୍ରୀ ମୋହନ ମାଝୀ କିଛି ମାସ ତଳେ ବିଧାନସଭାରେ ସ୍ଵୀକାର କରିଥିଲେ ଯେ ସମଗ୍ର ରାଜ୍ୟରେ ଗଲା ଚାରିବର୍ଷ ମଧ୍ୟରେ ୨୭୮୩ ଘଟଣା ମଧ୍ୟରୁ କେବଳ ଭୁବନେଶ୍ୱରରେ ସବୁଠାରୁ ଅଧିକ, ଅର୍ଥାତ ଗଲା ବର୍ଷ ୧୩୪୧ଟି ‘ଖରାପ ବ୍ୟବହାର’ର ଅଭିଯୋଗ ରେକର୍ଡ ହୋଇଛି।

ରାଜ୍ୟରେ ମହିଳା କମିଶନ ଅଧ୍ୟକ୍ଷ ପଦ ଏବେ ବି ଖାଲିପଡ଼ିଛି। ଏହାକୁ ଯେଭଳି ରାଜନୈତିକ ପଦବୀ କରାନଯାଇ ମହିଳାଙ୍କ ପରିସ୍ଥିତି, ଅଧିକାର ଓ ଲଢ଼େଇରେ ସାମିଲ ଓ ଆଇନ ବିଷୟରେ ଜାଣିଥିବା ବ୍ୟକ୍ତିଙ୍କୁ ଦିଆଯିବ ଓ କମିଶନଙ୍କୁ କାର୍ଯ୍ୟରେ ସହଯୋଗ କରିବା ଲାଗି ଏକ ସ୍ଵତନ୍ତ୍ର ଦଳର ନିଯୁକ୍ତି କରାଯିବା ଲାଗି କଣ ଅତିଥିମାନେ ପ୍ରସ୍ତାବ ଦେଇଥିବେ? ପ୍ରତି ଅଫିସରେ ‘ବିଶାଖା କମିଟି’ ଉପଯୁକ୍ତ ଭାବରେ କାମ କରୁଛି କି ନାହିଁ ତାହାର ଅନୁଧ୍ୟାନ ମହିଳା କମିଶନ ତଥା ରାଜ୍ୟ ମହିଳା ଓ ଶିଶୁ ବିଭାଗ ଯେପରି ତଦାରଖ କରିବ, ପୋଲିସ ଓ ଅର୍ଦ୍ଧ ସାମରିକ ବାହିନୀ ବିରୁଦ୍ଧରେ ଆସୁଥିବା ଯୌନ ଶୋଷଣର ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବ ସେ ସମ୍ପର୍କରେ ପ୍ରତିଶୃତି ଚାହିଁଥିବେ?

ଦୁଃଖର କଥା ଯେ ଯଦିଓ ରାଜ୍ୟରେ ୨ ପ୍ରତିଶତ ମୁସଲମାନ, ୩ ପ୍ରତିଶତ ଖ୍ରୀଷ୍ଟିୟାନ, ୧୭ ପ୍ରତିଶତ ଦଳିତ, ୨୨ ପ୍ରତିଶତ ଆଦିବାସୀ ଅର୍ଥାତ ୪୫ ପ୍ରତିଶତ ଜନସାଧାରଣ ଅଛନ୍ତି ଓ ସମୁଦାୟ ଜନସଂଖ୍ୟାର ୫୦ ପ୍ରତିଶତ ମହିଳା ଅଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ସ୍ଵତନ୍ତ୍ର ଅତିଥିମାନଙ୍କ ମଧ୍ୟରେ ଜଣେ ହେଲେ ନା ମହିଳା ଥିଲେ ନା ମୁସଲମାନ, ଖ୍ରୀଷ୍ଟିୟାନ, ଦଳିତ ଓ ଆଦିବାସୀ ବର୍ଗରୁ ଥିଲେ। ଏହା ଯେ ଯୋଜନାବଦ୍ଧ ଭାବରେ ହୋଇନଥିବ ତାହା କୁହାଯାଇନପାରେ।

ଗଣତନ୍ତ୍ରର ପ୍ରକୃତ ପରିମାପକ ହେଲା ସ୍ଵାଧୀନ ଭାବରେ ନିଜର ବିଚାରକୁ ବ୍ୟକ୍ତ କରିବା ଓ ସୁଖଶାନ୍ତିରେ ଜୀବନ ବିତାଇବା। ଏଥିଲାଗି ଆବଶ୍ୟକ ଗଣତନ୍ତ୍ରର ପ୍ରତ୍ୟେକ ଅନୁଷ୍ଠାନ ନିଜର ନୈତିକତାର ସୀମା ମଧ୍ୟରେ କାର୍ଯ୍ୟ କରିବା। ନହେଲେ ଗଣତନ୍ତ୍ର ଭୁଷୁଡି ଯିବ। କିନ୍ତୁ ଯଦି ମୁଖ୍ୟମନ୍ତ୍ରୀ ଓ ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୁଏ ତେବେ ରାମନାଥ ଗୋଏଙ୍କାଙ୍କ ଭାଷାରେ ଏହା ‘ମନିପର୍ସର’ କଥା ହେବ କି ‘ହୃଦୟର କଥା’?

ପୂର୍ବର ବିଜୁ ଜନତା ଦଳର ସରକାର ମଧ୍ୟରେ ଘଟିଥିବା ଅନେକ ଦୁର୍ନୀତିକୁ ସରକାର ପ୍ରଥମ ବର୍ଷରେ ଉଠାଇବେ ବୋଲି ପ୍ରତିଶୃତି ୨୦୨୪ ମସିହାରେ ଦେଇଥିଲେ। ଗଲା ବର୍ଷକ ମଧ୍ୟରେ କୌଣସି ଗୋଟିଏ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବା ପ୍ରସ୍ତାବ ଆମେ ଦେଖୁନାହୁଁ।

ପୂର୍ବ ସରକାର ଓ ଏବର ସରକାର ମଧ୍ୟରେ ଯେ କିଛି ପାର୍ଥକ୍ୟ ରହିଛି ତାହା ନୁହେଁ। ପୂର୍ବର ସରକାର ନିଜର ମନୋନୀତ ସାମ୍ବାଦିକଙ୍କୁ ନେଇ ଚା’ ଭୋଜି କରୁଥିଲେ। ବାକି ସାମ୍ବାଦିକଙ୍କୁ ଅଣଦେଖା କରୁଥିଲେ। ଏବର ସରକାର ନିଜର ମନୋନୀତ ଅତିଥି ବାଛିଚନ୍ତି ଓ ସେମାନଙ୍କ ସହିତ ଆଳାପ କରିଛନ୍ତି। ଓଡ଼ିଶାରେ ନା ପୂର୍ବରୁ କୌଣସି ପେସାଦାର ସାମ୍ବାଦିକ ସରକାରୀ ବିରୋଧୀ ଲେଖା ଲାଗି ସରକାରଙ୍କ ଆକ୍ରୋଶର ଶିକାର ହୋଇଥିଲେ ନା ଏବେ ସୁଦ୍ଧା କେହି ହୋଇଛନ୍ତି! ରାଜ୍ୟରେ ସବୁ କିଛି ଠିକ ଚାଲିଛି!

ଓଡ଼ିଶା ଆଜି ଦାଦନ ଓ ପ୍ରବାସୀ ଶ୍ରମିକଙ୍କ ପେଣ୍ଠ ହୋଇଛି। କାର୍ଯ୍ୟସ୍ଥଳୀରେ ମୃତ ହେବା ଓ ଶବ ହୋଇ ଫେରିବାର ଘଟଣା ଘଟୁଛି। ଏହାର ସମାଧାନ ଲାଗି ଜମିହୀନ ଓ ଭାଗଚାଷୀଙ୍କୁ ଜମିର ମାଲିକାନା ଦେବା, ଚାଷୀର ଧାନକୁ କିଣିନେବା, ସମସ୍ତ ଉତ୍ପାଦନର ଦର ଧାର୍ଯ୍ୟ କରିବା, ଅଭାବୀ ବିକ୍ରିକୁ ରୋକିବା ଓ ଚାଷୀ ଆତ୍ମହତ୍ୟାକୁ ରୋକିବା ଲାଗି ସହଜ କୃଷି ଋଣ ଉପଲବ୍ଧ କରିବା ଆବଶ୍ୟକ।

କ୍ଷୁଦ୍ର ବ୍ୟବସାୟୀ ଆଜି ଅନଲାଇନ ବ୍ୟବସାୟ, ଟ୍ରାନ୍ସପୋର୍ଟ, ଟିକସ ଓ ସ୍ଥାୟୀ ଜାଗାଟିଏ ମ୍ୟୁନିସିପାଲିଟି ଅଧୀନରେ ପାଇବାରେ ଅସୁବିଧା ଅନୁଭବ କରୁଛନ୍ତି। ଠିକା ସାମ୍ବାଦିକ, ଗ୍ରାମାଞ୍ଚଳ ସାମ୍ବାଦିକ, ଷ୍ଟ୍ରିଞ୍ଜର ଓ ଅସ୍ଥାୟୀ କର୍ମଚାରୀ ଘୋର ଦୁର୍ଦ୍ଦିନ ମଧ୍ୟରେ ସାମ୍ବାଦିକତାକୁ ବଞ୍ଚାଇ ରଖିଛନ୍ତି। ରାଜ୍ୟରେ ବନ୍ଦ ପଡିଥିବା ସ୍କୁଲ ଖୋଲୁନାହିଁ। ଅନେକ ମେଡିକାଲ କଲେଜ ଖୋଲିଲେ ବି ଆବଶ୍ୟକୀୟ ଡାକ୍ତରଙ୍କ ଅଭାବରୁ ଅଧିକ ରୋଗୀ କଟକ ମେଡିକାଲ କଲେଜକୁ ରେଫର ହେଉଛନ୍ତି। ଏଭଳି ଅବ୍ୟବସ୍ଥାର ତାଲିକା ଦୀର୍ଘ ଥିବା ବେଳେ ସାମ୍ବାଦିକମାନେ ଏଭଳି ଅନେକ ପ୍ରସଙ୍ଗରେ ନୀରବ ରହିଆସିଛନ୍ତି।

ଓଡ଼ିଶାର ଆଦିବାସୀ, ଦଳିତ, ଚାଷୀ, ମହିଳା, ମୁସଲମାନ ଓ ଖ୍ରୀଷ୍ଟିୟାନ ସମସ୍ତେ ସରକାରଙ୍କ ଅନେକ ଜନବିରୋଧୀ ନିଷ୍ପତ୍ତି ଓ ଅପାରଗତା ବିରୋଧରେ ଠିଆ ହୋଇଥିବା ବେଳେ ଆଜି (ଅତୀତରେ ମଧ୍ୟ) ମୁଖ୍ୟଧାରାର ସମ୍ବାଦପତ୍ର ଓ ଇଲେକ୍ଟ୍ରୋନିକ ମିଡିଆ ଅନ୍ୟାୟ ଦେଖିବିନି, ଶୁଣିବିନି ଓ କହିବିନି ତିନି ନିୟମକୁ ପାଳନ କରୁଛନ୍ତି।

ଗଣତନ୍ତ୍ର ଶାସନରେ ଜଣେ ବି ମଣିଷ ଅବ୍ୟବସ୍ଥା କାରଣରୁ ମୃତ୍ୟୁବରଣ କରିବା ସମଗ୍ର ଅନୁଷ୍ଠାନ ପ୍ରତି ନିନ୍ଦା। ଗଣତନ୍ତ୍ରର ପ୍ରତ୍ୟେକ ସ୍ତମ୍ଭ ଚାହେ ନିର୍ବାଚିତ ସାଂସଦ ଓ ବିଧାୟକ ହୁଅନ୍ତୁ ଅଥବା ଚତୁର୍ଥ ସ୍ତମ୍ଭର ସାମ୍ବାଦିକ ହୁଅନ୍ତୁ ସମସ୍ତେ ଏଭଳି ଅପମୃତ୍ୟୁ ଲାଗି ଦାୟୀ। ମାତ୍ର ଏଭଳି ଗୁରୁ ଦାୟିତ୍ଵକୁ ଅନୁଭବ କରିବା ଲାଗି ନିଜ ଭିତରେ ସଂବେଦନଶୀଳ ମନ ରହିଥିବା ଆବଶ୍ୟକ।

ଇଣ୍ଡିଆ ଟିଭିର ମାଲିକ ତଥା ‘ଆପ କି ଅଦାଲତ’ର ପ୍ରସିଦ୍ଧ ସାମ୍ବାଦିକ ରଜତ ଶର୍ମାଙ୍କ ଭଳି ଜଣେ ସରକାରୀ-ସାମ୍ବାଦିକଙ୍କ କଥା ମନେପଡୁଛି। ଆରଟିଆଇ ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ ମସିହାର ପଦ୍ମ ତାଲିକାରେ ତାଙ୍କ ନାମ ନଥିଲେ ମଧ୍ୟ ଅରୁଣ ଜେଟେଲିଙ୍କ ପ୍ରସ୍ତାବ କ୍ରମେ ତାଙ୍କୁ ଶେଷ ମୁହୂର୍ତ୍ତରେ ‘ପଦ୍ମଭୂଷଣ’ ମିଳିଥିଲା। ସେ ବିଜେପି ଓ ବିଏସପିର ଏକାତ୍ମକତା ପଛରେ ମୁଖ୍ୟ ଭୂମିକା ନେଇଥିଲେ। ତତ୍କାଳୀନ ବିଜେପି ଏମପି ଶତ୍ରୁଘ୍ନ ସିହ୍ନାଙ୍କ ଭାଷାରେ ‘ରଜତ ଶର୍ମା ବିଜେପି ସରକାରରେ କୌଣସି ମନ୍ତ୍ରୀଙ୍କ ଠାରୁ ଯଥେଷ୍ଟ କ୍ଷମତାଶାଳୀ।’ ଜଣେ ବୃତ୍ତିଗତ ସାମ୍ବାଦିକ ଯଦି ସରକାରୀ ଏଜେଣ୍ଟ ହୁଅନ୍ତି ତେବେ ସମ୍ବାଦିକତା ଯେ କେଉଁ ସ୍ତରରେ ପହଞ୍ଚିଛି ତାହା ସହଜେ ଅନୁମେୟ।

ଯଦି ସବୁ ସାମ୍ବାଦିକ ନିଜେ ଛଦ୍ମ ସରକାରୀ ହୋଇଯାନ୍ତି ତେବେ ସରକାର ବାସ୍ତବରେ କ’ଣ ନହୋଇଯିବେ? ଗଲା କାଲି ଆମେ ରାମନାଥ ଗୋଏଙ୍କାଙ୍କୁ ଦେଖିଥିଲୁ ଓ ଆଜି ଆମେ ରଜତ ଶର୍ମାମାନଙ୍କୁ ଦେଖୁଛୁ। ମୁଖ୍ୟମନ୍ତ୍ରୀଙ୍କ ସେହି ‘ଅତିଥିମାନେ’ ସତରେ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ସାମ୍ବାଦିକ ସମ୍ମିଳନୀ ଲାଗି ହେଲେ ବାଧ୍ୟ କରିଥାନ୍ତେ! ତାହାହେଲେ ଉପରୋକ୍ତ ଅନେକ ପ୍ରଶ୍ନର ଉତ୍ତର ମିଳିବାର ସମ୍ଭାବନା ରହିଥିଲା। କିନ୍ତୁ ତାହା ହେଲା ନାହିଁ। ଏହା ଦ୍ୱାରା ସେମାନେ ନିଜର ବୃତ୍ତିଗତ ନୈତିକତାର ଯେଉଁ ଟିକକ ବିଚାର ନିଜ ଭିତରେ ରହିଯାଇଥିଲା ତାହାର ଅନ୍ତିମ କ୍ରିୟାକର୍ମ କରିନାହାନ୍ତି ତ?

ତଥାପି ଆଶା ରହିଛି, ଦିନେ ଏ ସମାଜ ବଦଳିବ। ସମସ୍ତେ ନିଜର ଦାୟିତ୍ଵକୁ ବୁଝିବେ ଓ ନିଜ ‘ହୃଦୟର କଥା’କୁ ଶୁଣିବାକୁ ଚେଷ୍ଟା କରିବେ। ସତ୍ୟାନନ୍ଦ ଭୋଇଙ୍କ କବିତା ମନେପଡୁଛି। ‘ଖୁବ ଦୂରରେ, ଫୁଟିବାର ସମ୍ଭାବନାରେ ସମ୍ମୋହିତ କରୁଛି / ଜାତିବିହୀନ, ଶ୍ରେଣୀ ବିହୀନ ଗୋଟେ ସଭ୍ୟତାର ଫୁଲକଢ଼ / ମୁଁ ତାର ପ୍ରେମରେ ପାଗଳ।’

ମୋବାଇଲ - ୯୪୩୭୭୬୨୨୭୨

Odisha Odia Journalism Mohan Majhi Emergency