Odisha Chief Minister Mohan Majhi Photograph: (Internet)
ପଞ୍ଚାନନ କାନୁନଗୋ
୨୦୨୪ ନିର୍ବାଚନ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟି ସରକାର ଗଠନ କଲେ। ଡବଲ୍ ଇଞ୍ଜିନ୍ ବିଚାର ଓ ଚର୍ଚ୍ଚା ଆଧାରରେ ଏହି ସରକାର ପ୍ରତିଷ୍ଠିତ ହେଲା। ଅର୍ଥାତ୍ କେନ୍ଦ୍ରରେ ଥିବା ସରକାରୀ ଦଳ ରାଜ୍ୟରେ ସରକାର ଗଠନ କଲେ। ଯେଉଁ ସରକାରର ମୁଖ୍ୟମନ୍ତ୍ରୀଙ୍କ ହାତରେ ୭ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖାଗଲା। ମୁଖ୍ୟମନ୍ତ୍ରୀ ବିଧାୟକ ଭାବରେ ନୂଆ ନଥିଲେ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ମନ୍ତ୍ରୀ ପଦରେ ନୂଆ ଥିଲେ। ତାଙ୍କ ସହିତ ଯେଉଁ ଉପମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରାଯାଇଥିଲା, ସେମାନଙ୍କ ଭିତରୁ ଜଣେ ସମ୍ପୂର୍ଣ୍ଣ ଭାବରେ ନବାଗତ ବିଧାୟକ ଭାବେ ଓ ମନ୍ତ୍ରୀ ଭାବେ ମଧ୍ୟ ନବାଗତ ଥିଲେ। କେବଳ କନକ ବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ପଦରେ ରହିବା ଆଗରୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ବିଭିନ୍ନ ପଦ ପଦବୀରେ ରହିଥିଲେ। ଆଉ ପ୍ରାୟତଃ ସମସ୍ତ ମନ୍ତ୍ରୀ ସମ୍ପୂର୍ଣ୍ଣ ନୂଆ ଭାବରେ ପଦବୀ ଗ୍ରହଣ କରିଥିଲେ।
ନୂଆ ମନ୍ତ୍ରୀ ହେବାରେ କିଛି ଯାଏ ଆସେ ନାହିଁ। କାରଣ ମନ୍ତ୍ରୀ ମଣ୍ଡଳକୁ ସହଯୋଗ କରିବା ପାଇଁ ଅନ୍ୟ ଏକ ଦକ୍ଷ ଓ ଅଭିଜ୍ଞ ପ୍ରଶାସକମାନଙ୍କ ପ୍ରଶାସନ ବ୍ୟବସ୍ଥା ରହିଆସିଥାଏ। ଏଣୁ ମନ୍ତ୍ରୀମାନେ ନୂଆ ହେଲେ ମଧ୍ୟ ଏହି ପ୍ରଶାସନିକ ଦକ୍ଷ ଅଫିସରମାନଙ୍କ ସହଯୋଗରେ ସେ ତାଙ୍କର ସମସ୍ତ କାର୍ଯ୍ୟ ଚଳାଇପାରିଥାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତ୍ରୀମଣ୍ଡଳର ଅନେକ ବ୍ୟକ୍ତି ବ୍ୟକ୍ତିଗତ ଭାବେ ଉତ୍ତମ ଓ ଲୋକପ୍ରିୟ ହୋଇଥାଇ ପାରନ୍ତି। ମାତ୍ର ମନ୍ତ୍ରୀ ହେବାର ଦକ୍ଷତା ବା ଅଭିଜ୍ଞତା ଜଣେ ଦି’ ଜଣଙ୍କୁ ଛାଡ଼ିଦେଲେ ଆଉ କାହାରି ପାଖରେ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଦକ୍ଷତା ଓ ଅଭିଜ୍ଞତାର ଅଭାବ ଯେ ଶାସନ କ୍ଷେତ୍ରରେ କେତେ ଆବଶ୍ୟକ ତାହା ଏବେ ରାଜ୍ୟବାସୀ ଅନୁଭବ କରୁଛନ୍ତି।
ଏବେ କିଛିଦିନ ହେବ ଲକ୍ଷ୍ୟ କରାଯାଉଛି ରାଜ୍ୟରେ ଆଇନ ଶୃଙ୍ଖଳା ପୂରାପୂରି ଭୁଷୁଡ଼ି ପଡ଼ିଛି। ପୋଲିସ୍ ପ୍ରଶାସନରେ ଥିବା ଦୁର୍ବଳତା ବା ଅସଜଡ଼ା କାର୍ଯ୍ୟ ପାଇଁ ପୂର୍ବ ସରକାର ଯେ ଦାୟୀ ନୁହଁନ୍ତି ସେ କଥା କୁହାଯାଇପାରିବ ନାହିଁ। କିନ୍ତୁ ପୋଲିସର ଦାୟିତ୍ୱହୀନତା ଓ ଲୋକବିରୋଧୀ କାର୍ଯ୍ୟ ସମ୍ପର୍କରେ ଏହି ଅଳ୍ପଦିନ ତଳେ ରାଜ୍ୟ ବିଧାନସଭାରେ ସିଏଜିଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟାବଳିରେ ଅନେକ ସୂଚନା ମିଳିସାରିଛି। ତେବେ ବର୍ତ୍ତମାନର ନୂଆ ସରକାର ପୋଲିସ୍ ବିଭାଗରେ ଅନେକ ବଦଳାବଦଳି କରି ଡିଜି କମିସନରଙ୍କ ଠାରୁ ଆରମ୍ଭ କରି ଥାନାର ସବ୍ଇନିସ୍ପେକ୍ଟର୍ ପର୍ଯ୍ୟନ୍ତ ନୂଆ ବ୍ୟକ୍ତିମାନଙ୍କୁ ଅବସ୍ଥାପିତ କରିସାରିଛନ୍ତି। ସେ ଦୃଷ୍ଟିରୁ ଦେଖିବାକୁ ଗଲେ ନବାଗତ ସରକାର ନିଜର ପୋଲିସ୍ ବାହିନୀଙ୍କୁ ସଜାଡ଼ି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାର ଦାୟିତ୍ୱ ଆପେ ନିଜ ମୁଣ୍ଡକୁ ନେଇସାରିଛନ୍ତି।
ଏପରି ଏକ ପରିସ୍ଥିତିରେ ରାଜ୍ୟରେ ପ୍ରତିଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର ସମ୍ବାଦପତ୍ରରେ ପ୍ରକାଶିତ ହୋଇଆସୁଛି। ଏପରିକି ଦିନକୁ ୧୫ ମହିଳା ଜନିତ ବିଶୃଙ୍ଖଳା ଦେଖାଦେଉଥିବା ଖବର ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏବେ ଏକ ସାଂଘାତିକ ସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଓକିଲମାନେ ନିର୍ଭୟରେ ପକ୍ଷଭୁକ୍ତ ହୋଇ ଚୋର, ଡକାୟତ, ଖଣ୍ଟଙ୍କ ସପକ୍ଷ ହେଉ ବା ବିପକ୍ଷ ହେଉ କୋର୍ଟରେ ଲଢ଼ିଥାନ୍ତି। ସେଥିରେ ସେମାନେ ସଂପୂର୍ଣ୍ଣ ନିର୍ଭୀକ ଥାନ୍ତି। ଏବେ ଅଳ୍ପ କିଛିଦିନ ତଳେ ଜଣେ ଖ୍ୟାତନାମା ଓକିଲ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁରର ତାଙ୍କ ଘର ସାମ୍ନାରେ ଦୁଇ ଜଣ ଦୁବୃର୍ତ୍ତ ହତ୍ୟାକରି ଚାଲିଗଲେ। କାରଣ କିଛି ଜଣାପଡୁନାହିଁ। ସନ୍ଦେହରେ ବାଡ଼ି ବୁଲା ଚାଲିଛି। ବାଲିଚୋରୀରେ ସଂପୃକ୍ତ ବ୍ୟକ୍ତିମାନେ ବା ଗୋପାଳପୁରରେ ଦୁଷ୍କର୍ମ କରିଥିବା ବ୍ୟକ୍ତିମାନେ ଏହି କାର୍ଯ୍ୟ ଘଟାଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏସବୁ ଅଭିଯୁକ୍ତଙ୍କ ବିରୋଧରେ ଥିବାରୁ ତାଙ୍କୁ ଯଦି ହତ୍ୟା କରାଯାଇଥାଏ, ତେବେ ତ’ ରାଜ୍ୟରେ ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲାଣି ବୋଲି ଭାବିବାକୁ ପଡ଼ିବ। କୌଣସି ଅଭିଯୁକ୍ତଙ୍କ ବିରୋଧରେ ଆଉ କେହି ଲଢ଼ିବେ ନାହିଁ। ଯାହା ହେଉ ନା କାହିଁକି କୌଣସି ଜଣେ ହେଲେ ଅଭିଯୁକ୍ତଙ୍କୁ ପୋଲିସ୍ ଏ ପର୍ଯ୍ୟନ୍ତ ଠାବ କରିପାରିନାହିଁ।
ଅଧିକନ୍ତୁ, ଗୋଟିଏ ବସରେ ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ ଜଣେ ବ୍ୟକ୍ତି ବ୍ୟାଗରେ ଆଣିଥିବା କଟୁରୀ ବାହାର କରି ୬-୭ ଜଣଙ୍କୁ ହାଣିପକାଇବା ଘଟଣା ଆହୁରି ଅଧିକ ବିସ୍ମିତ କରିଛି। ଏତଦ୍ ବ୍ୟତୀତ ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଞ୍ଚଟି ହତ୍ୟାକାଣ୍ଡ ଘଟିଥିବା ସମସ୍ତଙ୍କୁ ବିବ୍ରତ କରିଛି। ଦଶହରା ବଜାରରେ ଯେତେବେଳେ ସମସ୍ତେ ଉତ୍ସବରେ ବୁଡ଼ି ରହିଛନ୍ତି ଓ ସମଗ୍ର ରାଜ୍ୟଟି ଏକ ଉତ୍ସବମୁଖର ହୋଇଉଠିଛି, ଠିକ୍ ସେହି ସମୟରେ କଟକ ସହରରେ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହେଲା ଓ କର୍ଫ୍ୟୁ ଜାରିହେଲା। କଟକରେ ଯେ ଆଗରୁ କର୍ଫ୍ୟୁ ହୋଇନଥିଲା ତା’ ନୁହେଁ, ୧୯୬୮ ମସିହାରେ କର୍ଫ୍ୟୁ ଜାରି ହୋଇଥିଲା। ୧୯୬୮ ମସିହା ଠାରୁ ୨୦୨୫ ମସିହା ଭିତରେ ପୋଲିସ୍ ବିଭାଗରେ ଗୁଣାତ୍ମକ ଦୃଷ୍ଟିରୁ ହେଉ ବା ସଂଖ୍ୟାତ୍ମକ ଦୃଷ୍ଟିରୁ ହେଉ ଅନେକ ଅଭିବୃଦ୍ଧି ଘଟିଛି। କେଉଁଠି ଦୁର୍ଘଟଣା ବା ସଂଘବଦ୍ଧ ଆକ୍ରମଣ ଘଟିବ ତାହା ପୋଲିସ୍ ଜାଣିନପାରିବା ସମସ୍ତଙ୍କୁ ବିସ୍ମିତ କରିଛି। କେବଳ ସେତିକି ନୁହେଁ ପୂର୍ବରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ବିଷୟରେ ପୋଲିସ୍ ପାଖରେ ବିଷଦ ଖବର ରହିବା ସ୍ୱାଭାବିକ। ଏଥିସହିତ ପୋଲିସ୍ ଜାଣିଛି ଯେ, ବର୍ତ୍ତମାନର ଆସିଥିବା ସରକାର ଏକ ଭିନ୍ନ ବିଚାର ବା ଚର୍ଚ୍ଚାକୁ ଆଧାର କରି ତା’ର ଲୋକପ୍ରିୟତା ହାସଲ କରିଛି। ତା’ର ସମର୍ଥକମାନେ ଅତ୍ୟନ୍ତ ଉଲ୍ଲସିତ ଅଛନ୍ତି। ସେହି ଦୃଷ୍ଟିରୁ ମଧ୍ୟ ପୋଲିସ୍ ଅଧିକ ସତର୍କ ରହିବା ଆବଶ୍ୟକ ଥିଲା। ତା’ ହେଲାନାହିଁ।
ଅନ୍ୟଏକ ଚିନ୍ତାର କାରଣ ହେଇଛି ଦୁଇଜଣ ବ୍ୟକ୍ତି ବାହାରୁ ଓଡ଼ିଶାକୁ ଆସିଲେ, ପୋଲିସ୍ ସେମାନଙ୍କୁ ବିମାନ ବନ୍ଦରରେ ଫୁଲତୋଡ଼ା ଦେଇ ସ୍ୱାଗତ କଲା। ପରବର୍ତ୍ତୀ ଅବସ୍ଥାରେ ଜଣାଗଲା ସେ ଦୁଇଜଣ ଅତ୍ୟନ୍ତ ଉଚ୍ଚକୋଟିର ଠକ ଓ ବହୁ ଲୋକଙ୍କ ଠାରୁ କୋଟି କୋଟି ଟଙ୍କାର ଅସାଧୁ ଉପାୟରେ ବା ଠକି ନେବାର ଉଦ୍ୟମରେ ଆସିଥିବା ମଧ୍ୟ ଜଣାଗଲା। ଯେଉଁ ପୋଲିସ୍ ତାଙ୍କୁ ବିମାନ ବନ୍ଦରରୁ ସମ୍ବର୍ଦ୍ଧିତ କରି ଏସ୍କବର୍ଟରେ ଆଣି ହୋଟେଲରେ ଛାଡ଼ିଥିଲା, ସେହି ପୋଲିସ୍ ବର୍ତ୍ତମାନ ତାଙ୍କୁ ଗିରଫ କରି ହେପାଜତରେ ରଖିଛି ଏବଂ ଏହି ଦୁଇଜଣ ଅଭିଯୁକ୍ତଙ୍କ ଠାରୁ ପଚରାଉଚରା କରି ପୋଲିସ୍ ବିଭିନ୍ନ ଆପତ୍ତିଜନକ ତଥ୍ୟ ସଂଗ୍ରହ କରିବାରେ ଲାଗିଛି।
ଅଳ୍ପଦିନ ତଳେ ପୋଲିସ୍ ବିଭାଗର ଅଫିସର୍ (ଏସ୍ଆସଇ)ଚାକିରୀ ପାଇଁ ଯେଉଁ ପରୀକ୍ଷା ହେବାର ଥିଲା ସେଥିରେ କୋଟି କୋଟି ଟଙ୍କାର ଲାଞ୍ଚ କାରବାର ହେବା, ପିଲାଙ୍କୁ କପି ଯୋଗାଇବା ଆଦି ଧରାପଡ଼ିଲା। ସେମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଅଫିସର୍ ହୋଇଥାନ୍ତେ, ନିଜର ଯୋଗ୍ୟତା ବଳରେ ନୁହେଁ, ପ୍ରଚୁର ଅର୍ଥ ଦେଇ। ଏବେ ସେମାନଙ୍କ ମଧ୍ୟରୁ ୧୨୦ ଜଣ ଧରାପଡ଼ିଲେ ସୁଦ୍ଧା ପ୍ରକୃତ ଦୋଷୀମାନେ ଧରା ପଡ଼ିନାହାନ୍ତି। ଏଥିରେ ପୋଲିସ୍ ବିଭାଗର ବଡ଼ବଡ଼ିଆଙ୍କ ହାତଥିବା ସନ୍ଦେହ କରାଯାଉଛି। କେତେ ବଡ଼ ସାଂଘାତିକ ବିପଦ ପୋଲିସ୍ ବିଭାଗ ପାଇଁ ମାଡ଼ି ଆସିଥାନ୍ତା। ଅସାଧୁ ଅସତ୍ ଉପାୟରେ ଯେଉଁମାନେ ଚାକିରୀରେ ଯାଇଥାନ୍ତେ, ସେମାନେ ସମସ୍ତେ ନିଜ କାର୍ଯ୍ୟକାଳରେ ସେହିପରି ମଧ୍ୟ ଉଚ୍ଚତର ଅସାଧୁ ବୃତ୍ତି ଅବଲମ୍ବନ କରିଥାନ୍ତେ।
ପ୍ରତିଦିନ ସମ୍ବାଦପତ୍ର ଖୋଲିଦେଲେ କୋଉଠି ନା କୋଉଠି ଶିଶୁ ହତ୍ୟା, ନାବାଳିକା ପ୍ରତି ଅସଦାଚରଣ, ପରିବାରରେ ବିଶୃଙ୍ଖଳା ହେତୁ ହତ୍ୟା ବା ଆତ୍ମହତ୍ୟା ସମ୍ବାଦସବୁ ନଜରକୁ ଆସୁଛି। ଏପରିକି ଗୋଟିଏ ଦିନରେ ପାଞ୍ଚ ପାଞ୍ଚୋଟି ନିର୍ମମ ହତ୍ୟା ଘଟୁଥିବା ଦେଖାଯାଉଛି। ଭଞ୍ଜନଗରରେ ପୂର୍ବତନ ପଞ୍ଚାୟତ ସଂପାଦକଙ୍କୁ ହତ୍ୟା, ଧରାକୋଟରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା, ତିର୍ତ୍ତୋଲରେ ଗାଁ ଦାଣ୍ଡରେ ଯୁବକଙ୍କୁ ହାଣି ହତ୍ୟା, ଇଜିଂଗରେ ପାଞ୍ଚ ବର୍ଷର ଶିଶୁକୁ ପଥରରେ ଛେଚି ନୃସଂଶ ଭାବେ ହତ୍ୟା ଘଟଣା ଗୋଟିଏ ଦିନରେ ସାମନାକୁ ଆସିଛି। କେବଳ ସେତିକି ନୁହେଁ କାରାଗାରରେ କଏଦୀ ସୁରକ୍ଷିତ ନୁହଁନ୍ତି। ହାଜତ ମୃତ୍ୟୁ ଅଭିଯୋଗ ଆସୁଛି। ଅଥବା ଦୁର୍ଦ୍ଦାନ୍ତ କଏଦୀ ଜେଲ୍ଖାନନା କାନ୍ଥ ପାର ହୋଇ ପୁନଶ୍ଚ ଅପରାଧ ଘଟାଇବା ପାଇଁ ରାସ୍ତାକୁ ଗଲାଣି। ଏ ସମସ୍ତ ନିଶ୍ଚୟ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ଭାବରେ ତାଙ୍କର ମୂଲ୍ୟବାନ୍ ସମୟକୁ ବ୍ୟବହାର କରୁଥିବା ଦେଖାଯାଉଛି। ସେଥିଭିତରେ ବେଶୀ ସମୟ ଯାଉଛି ତାଙ୍କର ବିଭିନ୍ନ ଉତ୍ସବ ମନାଇବା ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓ ଭାରତୀୟ ଜନତା ପାର୍ଟିର ବିଶିଷ୍ଟ ବରିଷ୍ଠ ନେତାମାନଙ୍କର ରାଜ୍ୟରେ ସଭାସମିତିର ଆୟୋଜନ କରି ବା କରାଇ ସେଥିରେ ଉପସ୍ଥିତ ରହିବା ଓ ସମୟ ବିତାଇବା। ରାଜ୍ୟର ପରିସ୍ଥିତି ବିଗିଡ଼ି ଯାଉଛି ସେଥିପାଇଁ ସମୟ ଦେଇ ସମସ୍ୟାର ସମାଧାନ ବାଟ ବାହାର କରିବା ପାଇଁ ତାଙ୍କ ପାଖରେ ଆଉ ସମୟ କାହିଁ? ପୂର୍ବରୁ ଥିବା ଜଣେ ମୁଖ୍ୟମନ୍ତ୍ରୀ ଘର ଭିତରେ ବସି ଗପୁଥିଲେ, ବାହାରେ କିନ୍ତୁ ସେ କାଗଜ ଖଣ୍ଡିଏ ଧରି ପଢ଼ିଦେଇ ସଭାରୁ ଚାଲିଆସୁଥିଲେ। ଲୋକେ ତାଙ୍କୁ ଅନ୍ୟ ଭାବରେ ଚର୍ଚ୍ଚା କରୁଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଗୋଟିଏ ସଭାକୁ ଗଲେ ଘଣ୍ଟା ଘଣ୍ଟା ଧରି ଅନର୍ଗଳ ଭାଷଣ ଦେଉଛନ୍ତି। ସେବା ଓ ଲୋକଙ୍କ କଥା ବୁଝିବାରେ ତାଙ୍କର ସମସ୍ତ ସମୟ ଯାଉଛି ବୋଲି ଲୋକଙ୍କୁ କହୁଛନ୍ତି। ଅଥଚ ଶାସନ ବ୍ୟବସ୍ଥା ବିଗିଡ଼ି ୠଲାଣି ସେଥିପ୍ରତି ନଜର ନାହିଁ।
ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେବଳ ଯେ ଉଜୁଡ଼ି ଯାଉଛି ତା’ ନୁହେଁ, ଏବେ ଜଣାପଡ଼ିଛି ଯେ ରାଜ୍ୟ ପାଇଁ ପ୍ରସ୍ତୁତ ହୋଇଥିବା ଏ ବର୍ଷର ବଜେଟ୍ ଅଟକଳରୁ ଅନେକ ବିଭାଗ ୩୦% ମଧ୍ୟ ଏପର୍ଯ୍ୟନ୍ତ ଗତ ୯ ମାସରେ ଖର୍ଚ୍ଚ କରିପାରିନାହାନ୍ତି। ଏପରିକି ଦୁଇଟି ବିଭାଗ ମାତ୍ର ୨% ଖର୍ଚ୍ଚ କରିଥିବା ମଧ୍ୟ କୁହାଯାଉଛି। ରାଜ୍ୟର ବିକାଶଧାରା କେବଳ ଅନର୍ଗଳ ୧ ଘଣ୍ଟା ୩୫ ମିନିଟର ଭାଷଣ ଦେଲେ ଆସେନାହିଁ, ଏଥିପାଇଁ କଠୋର ସାଧନା ଓ ନିରନ୍ତର ବିଚାରର ଆବଶ୍ୟକତା ରହିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ତ ନାହିଁ ବରଂ ସେଗୁଡ଼ିକ ସବୁ ଅସଜଡ଼ା, ଅବ୍ୟବସ୍ଥିତ ହେବାର ଲକ୍ଷ୍ୟ କରାଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଜଣେ ଉତ୍ତମ ବ୍ୟକ୍ତି ହୋଇପାରନ୍ତି, କିନ୍ତୁ ଉତ୍ତମ ଓ ସୁଶାସକ ହେବାପାଇଁ ତାଙ୍କ ପାଖରେ ଯେଉଁ ନିଷ୍ଠା ଓ ଆନ୍ତରିକତା ଜନସାଧାରଣ ଆଶା କରନ୍ତି ତାହା ଦେଖିବାକୁ ମିଳୁନାହିଁ। ସେ ଏଥିପ୍ରତି ସଜାଗ ରହିବା ଦରକାର।
ଫୋ- ୯୪୩୮୩୬୦୮୪୯
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/10/mohan-majhi-2025-10-10-12-13-09.jpg)