Advertisment

ଲଢ଼ିବା ଶିଖ, ହାରିବା ବିକଳ୍ପ ନୁହେଁ

ଝିଅମାନେ ଅନୁକମ୍ପା ଓ ଦୟାର ମୂର୍ତ୍ତି ହେଲେ ମଧ୍ୟ ଯେତେବେଳେ ଅନ୍ୟାୟ ସହିପାରିବା ସୀମା ଅତିକ୍ରମ କରିଯାଏ, ସେମାନେ ବି ଅଗ୍ନି ରୂପ ଧାରଣ କରନ୍ତି। ଦୁର୍ବଳତା କୌଣସି ଜନ୍ମଗତ ଗୁଣ ନୁହେଁ, ଏହା ଏକ ଶିକ୍ଷିତ ଅଭ୍ୟାସ ବା ସଂସ୍କାର ଯାହା ଆମ ପରିବାର ଓ ସମାଜ ଝିଅଙ୍କୁ ଶିଖାଇଛି। କିନ୍ତୁ ଏବେ ସମୟ ହେଉଛି ଏହି ଅଭ୍ୟାସକୁ ଭାଙ୍ଗି ଦେବାର। ଝିଅମାନେ ଯଦି ଆତ୍ମବଳ ଓ ସ୍ୱାଭିମାନର ସହ ସେମାନଙ୍କ ଅଧିକାର ଓ ଅସ୍ମିତା ପାଇଁ ଲଢ଼ିବେ, ତେବେ କୌଣସି ପ୍ରତିବନ୍ଧକ ସେମାନଙ୍କୁ ରୋକିପାରିବେ ନାହିଁ।

Malala Yusafzai

Malala Yusafzai

Advertisment

ଡ. ରୀନା ରାଉତରାୟ

ଆମ ଭାରତୀୟ ସଂସ୍କୃତିରେ ଝିଅମାନଙ୍କୁ ଶାନ୍ତ, ଶିଷ୍ଟ, ଦୟାଳୁ ଓ ସହନଶୀଳ ହେବାକୁ ଶିକ୍ଷା ଦିଆ ଯାଇଥାଏ। କିନ୍ତୁ ଏହି ସମସ୍ତ ଗୁଣ ଆଜିର କଳୁଷିତ ସମାଜରେ ବରଂ ଅନେକ ଶୋଷଣ, ଉପେକ୍ଷା, ଅନ୍ୟାୟ ଓ ମନୋବଳ ଧ୍ଵଂସର ଦୁର୍ଭାଗ୍ୟଜନକ ଆବାହକ ସାଜିଛି।

Advertisment

ଏହି ପାରମ୍ପରିକ ଚିନ୍ତାଧାରାକୁ ଦୂରେଇ ସ୍ୱାଭିମାନର ସହିତ ଅନ୍ତଃଶକ୍ତି ପରିଚୟ ଦେବାର ସମୟ ଉପନୀତ।

ଯେଉଁଠି ପୂର୍ବରୁ ଝିଅମାନେ ଘରର ଚାରିକାନ୍ଥ ଭିତରେ ବନ୍ଦ ରହି ନିଜର ଦାୟିତ୍ୱ ପାଳନ କରୁଥିଲେ, ଏବେ ସେମାନେ ସମାଜରେ ନେତୃତ୍ୱ ନେଉଛନ୍ତି, ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି। ନିଜ ପାଇଁ ନିଜେ ଲଢ଼ିବା ଶିଖୁଛନ୍ତି।

Advertisment

ଝିଅମାନେ ଅନୁକମ୍ପା ଓ ଦୟାର ମୂର୍ତ୍ତି ହେଲେ ମଧ୍ୟ ଯେତେବେଳେ ଅନ୍ୟାୟ ସହିପାରିବା ସୀମା ଅତିକ୍ରମ କରିଯାଏ, ସେମାନେ ବି ଅଗ୍ନି ରୂପ ଧାରଣ କରନ୍ତି। ଦୁର୍ବଳତା କୌଣସି ଜନ୍ମଗତ ଗୁଣ ନୁହେଁ, ଏହା ଏକ ଶିକ୍ଷିତ ଅଭ୍ୟାସ ବା ସଂସ୍କାର ଯାହା ଆମ ପରିବାର ଓ ସମାଜ ଝିଅଙ୍କୁ ଶିଖାଇଛି। କିନ୍ତୁ ଏବେ ସମୟ ହେଉଛି ଏହି ଅଭ୍ୟାସକୁ ଭାଙ୍ଗି ଦେବାର। ଝିଅମାନେ ଯଦି ଆତ୍ମବଳ ଓ ସ୍ୱାଭିମାନର ସହ ସେମାନଙ୍କ ଅଧିକାର ଓ ଅସ୍ମିତା ପାଇଁ ଲଢ଼ିବେ, ତେବେ କୌଣସି ପ୍ରତିବନ୍ଧକ ସେମାନଙ୍କୁ ରୋକିପାରିବେ ନାହିଁ।

ଝିଅମାନେ ଲଢ଼ିବା ଶିଖନ୍ତୁ, କୌଣସି ପରିସ୍ଥିତିରେ ହାରିବା ଉଚିତ ନୁହେଁ।

ଆମ ମାନଙ୍କ ପାଖରେ ଅନେକ ଝିଅ ଉଦାହରଣ ସ୍ୱରୂପ ଆମକୁ ଅନେକ କିଛି ଶିକ୍ଷା ଦେଇଛନ୍ତି। କ୍ୟାପଟେନ ସୋଫିଆ କୁରେସି, ଯିଏ ଅପରେସନ ସିନ୍ଦୂର ମିଡିଆ ବ୍ରିଫିଂ କରୁଥିଲେ। ମେରି କୋମ, ଯିଏ କି ସନ୍ତାନ ଜନ୍ମଦେବା ପରେ ମଧ୍ୟ ଅଲିମ୍ପିକ୍ ମେଡାଲ୍ ଜିତିଲେ। ମଲାଲା ୟୁସୁଫ ଗୁଳିମାଡ଼ ଖାଇ ମଧ୍ୟ ଶିକ୍ଷା ପାଇଁ ଲଢ଼ିଲେ। ଏହିପରି ଝିଅମାନେ ଆମ ପାଇଁ ପ୍ରେରଣା ଓ ଆଶାର ପ୍ରଦୀପ।

ଏମାନେ ସମସ୍ତେ ଅନେକ ଚ୍ୟାଲେଞ୍ଜ ଦେଖିଛନ୍ତି। ତଥାପି ହାରି ନାହାନ୍ତି। ସେମାନେ ନିଜେ ଲଢ଼ିଛନ୍ତି, ସ୍ୱପ୍ନ ଦେଖିଛନ୍ତି ଓ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କୁ ଦେଖି ଆମ ଝିଅମାନେ ମଧ୍ୟ ଶିଖୁନ୍ତୁ, ଜୀବନ ମାନେ କେବଳ ଶାନ୍ତିର ଗଳ୍ପ ନୁହେଁ, ଏହା ସଂଘର୍ଷର ପଥ ମଧ୍ୟ।

ଆତ୍ମସମ୍ମାନ ଓ ନ୍ୟାୟ ପାଇଁ ଲଢ଼ନ୍ତୁ। ଲଢ଼ିବା ମାନେ କେବଳ ମୁକାବିଲା ନୁହେଁ। ଲଢ଼ିବା କହିଲେ ବହୁ ଲୋକ ଶାରୀରିକ ସାମର୍ଥ୍ୟ ବୁଝନ୍ତି, କିନ୍ତୁ ଏଠାରେ ଲଢେଇ ହେଉଛି ମନର, ମନୋବଳର, ଚେତନାର ଓ ଆତ୍ମବିଶ୍ୱାସର। ଯଦି ଜଣେ ଝିଅ ଥରେ ମନରେ ନିଶ୍ଚୟ କରିନିଏ ଯେ “ମୁଁ ହାରିବି ନାହିଁ,” ସେଇଠୁ ଆରମ୍ଭ ହୁଏ ଲଢ଼େଇ। ଅନ୍ୟାୟ ରୋକିବା, ଶିକ୍ଷା ଗ୍ରହଣ କରିବା, ସ୍ୱାବଲମ୍ବୀ ହେବା, ବିରୋଧ କରିବା, ନିଜ ସ୍ଵର ଉଠାଇବା, ମନୋବଳ ନ ହାରିବା, ଏ ସମସ୍ତ ଲଢ଼େଇର ଅଂଶ।

ଏଠି ନିଜର ଅସ୍ତିତ୍ୱ ଓ ଆତ୍ମସମ୍ମାନ ପାଇଁ ଯୁଦ୍ଧ ଚାଲିଛି।

ଆଜି ବି ଅନେକ ଝିଅ ନିଜ ଘରେ, ନିଜ ସ୍କୁଲରେ, କାର୍ଯ୍ୟାଳୟରେ ଉପେକ୍ଷା, ଦୁର୍ବ୍ୟବହାର, ଶୋଷଣ ଓ ଅନ୍ୟାୟର ସମ୍ମୁଖୀନ ହେଉଛନ୍ତି। ସେମାନେ ଭୟରେ ଚୁପ ରହନ୍ତି, କିନ୍ତୁ ଏହି ଚୁପ ଅନ୍ୟାୟକୁ ଅଧିକ ପ୍ରୋତ୍ସାହିତ କରିଥାଏ। ଏମିତି ଅବସ୍ଥାରେ ଝିଅ ମାନେ ଶିଖିବା ଉଚିତ, କେବଳ ପ୍ରତିକ୍ରିୟା ନୁହେଁ, ସଠିକ୍ ପଦକ୍ଷେପ ନେବା। ଆତ୍ମସମ୍ମାନ ହେଉଛି ଜୀବନର ସବୁଠୁ ବଡ଼ ଧନ, ଯଦି ଏହାକୁ କେହି କ୍ଷତି ପହଞ୍ଚାଇଲେ ତେବେ ଲଢ଼ିବା ଦରକାର।

ଏକ ଝିଅ ପାଇଁ ସବୁଠାରୁ ବଡ଼ ଶକ୍ତି ହେଉଛି ଶିକ୍ଷା ଓ ଆର୍ଥିକ ସ୍ୱାଧୀନତା। ଯଦି ସେ ଶିକ୍ଷିତ ଓ ସ୍ୱାବଲମ୍ବୀ ହେବେ, ତେବେ ଜୀବନର କୌଣସି ଆଘାତ ତାଙ୍କୁ ହତାଶ କରିପାରିବ ନାହିଁ। ଶିକ୍ଷା ହେଉଛି ଅନ୍ଧକାରକୁ ଆଲୋକ ଦେଇଥିବା ଅସ୍ତ୍ର ଓ ଆର୍ଥିକ ସ୍ୱାଧୀନତା ହେଉଛି ନିଜେ ନିଷ୍ପତ୍ତି ନେବାର ଶକ୍ତି।

ନିଜ ସ୍ୱରରେ ବିଶ୍ୱାସ ରଖ। ସମୟ ଆସିଛି, ଝିଅମାନେ ନିଜ ସ୍ୱରକୁ ଶାଣିତ କରନ୍ତୁ, ସ୍ୱପ୍ନକୁ ଦୃଢ଼ କରନ୍ତୁ।ମନେ ରଖନ୍ତୁ, ବିପଦ ଆସିବ, ଅସୁବିଧା ହେବ, ଲୋକ ନିନ୍ଦା କରିବେ କିନ୍ତୁ ଏହି ସବୁକୁ ଆଡେଇ ଆଗେଇ ଯିବାର ଶକ୍ତି ଓ ସାହସ ରଖିଲେ ବିଜୟ ନିଶ୍ଚିତ। ମନେରଖ ତୁମେମାନେ ହେଲ ଶକ୍ତି, ସମ୍ଭାବନା, ଭବିଷ୍ୟତର ଆଶା ଓ ଅଦମ୍ୟ ଇଚ୍ଛାଶକ୍ତିର ପ୍ରତୀକ।

ଏହି ନୂଆ ଯୁଗରେ ତୁମେମାନେ ଜଣେ ଜଣେ ଯୋଦ୍ଧା ଭଳି ଲଢ଼ିବ ଓ କୌଣସି ପରିସ୍ଥିତିରେ ହାରିଯିବ ନାହିଁ। କାରଣ ତୁମେମାନେ ହୃଦୟଙ୍ଗମ କରିବା ଉଚିତ ଯେ ଏହି ଜୀବନ ଏକ ଲଢ଼େଇ ଓ ତୁମେମାନେ ଏକ ଏକ ଯୋଦ୍ଧା।

ଝିଅମାନେ ଲଢ଼ିବା ଶିଖନ୍ତୁ, ହାରିବା ନୁହେଁ। ଏହି ଲଢ଼େଇ ହେଉଛି ନିଜ ମୂଲ୍ୟ, ଅସ୍ତିତ୍ୱ ଓ ସ୍ୱାଭିମାନ ପାଇଁ, ଯାହାର କୌଣସି ହାର ନାହିଁ।

ଫୋ- ୯୪୩୮୨୭୨୧୫୨

Women Empowerment Women's Liberty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe