Advertisment

ଆମଦାନୀ ଆଠେନୀ, ଖର୍ଚ୍ଚା ରୂପେୟା

ବହୁଦିନ ତଳେ ଗୋଟିଏ ସିନେମା ଗୀତ ସାଧାରଣରେ ବେଶ୍‍ ଆଦୃତ ହୋଇଥିଲା ଏବଂ ଅନେକ ଲୋକ ସେହି ସିନେମାର ସେହି ଗୀତଟିକୁ ଯିବା ଆସିବା ସମୟରେ ଗାନ କରୁଥିଲେ। ‘ଆମଦାନୀ ଆଠନୀ, ଖର୍ଚ୍ଚା ରୂପେୟା’। ଏହି ହିନ୍ଦୀ ଗୀତଟିର ଅର୍ଥଟି ହେଲା, ରୋଜଗାର ଆଠ ଅଣା ଓ ଖର୍ଚ୍ଚା ଟଙ୍କାଏ। ସେ ସମୟରେ ଚାରଣା, ଆଠଣା ଇତ୍ୟାଦିର ପ୍ରଚଳନ ଥିଲା। ସେହି ଅନୁସାରେ ଗୀତର ଏହି ପଂକ୍ତିଟି ରଚନା ହୋଇଥିଲା।

author-image
OR Desk
gst

GST Reform Photograph: (Internet)

ପଞ୍ଚାନନ କାନୁନଗୋ

ବହୁଦିନ ତଳେ ଗୋଟିଏ ସିନେମା ଗୀତ ସାଧାରଣରେ ବେଶ୍‍ ଆଦୃତ ହୋଇଥିଲା ଏବଂ ଅନେକ ଲୋକ ସେହି ସିନେମାର ସେହି ଗୀତଟିକୁ ଯିବା ଆସିବା ସମୟରେ ଗାନ କରୁଥିଲେ। ଆମଦାନୀ ଆଠନୀ, ଖର୍ଚ୍ଚା ରୂପେୟା। ଏହି ହିନ୍ଦୀ ଗୀତଟିର ଅର୍ଥଟି ହେଲା, ରୋଜଗାର ଆଠ ଅଣା ଓ ଖର୍ଚ୍ଚା ଟଙ୍କାଏ। ସେ ସମୟରେ ଚାରଣା, ଆଠଣା ଇତ୍ୟାଦିର ପ୍ରଚଳନ ଥିଲା। ସେହି ଅନୁସାରେ ଗୀତର ଏହି ପଂକ୍ତିଟି ରଚନା ହୋଇଥିଲା।

Advertisment

ଏବେ ଏବେ ଭାରତର ଅର୍ଥନୀତି ଓ ଭାରତ ସରକାରଙ୍କର ଆୟବ୍ୟୟ ତଥା ଲୋକଙ୍କର ଆୟବ୍ୟୟ ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ସେହି ପଂକ୍ତିଟି ବାରମ୍ବାର ମନକୁ ଆସେ। ଗତ ୨୦୧୭ ମସିହା ଜୁନ୍‍ ମାସରେ କେନ୍ଦ୍ର ସରକାର ଏକ ଦେଶ ଏକ ଟିକସର ପ୍ରଚଳନ କରିବା କଥା ପ୍ରଚାର କଲେ ଓ ଜୁଲାଇ ୧ ତାରିଖରୁ ଏ ବ୍ୟବସ୍ଥା ପ୍ରଚଳିତ ହେଲା। ଲୋକଙ୍କ ଉପରେ ଟିକସର ଭାର ଅଧିକ ପଡ଼ିବ ନାହିଁ ବୋଲି କୁହାଯାଇ ଅନେକ ଛୋଟ ଛୋଟ ଟିକସ ପ୍ରତ୍ୟାହାର କରିନିଆଗଲା ବା ମିଶାଇ ଦିଆଗଲା। ସମସ୍ତ ଟିକସ ମିଶି ସେବା କର ଓ ବିକ୍ରି କର ଦୁଇଟି ମୁଖ୍ୟ ପରୋକ୍ଷ କରକୁ ମିଶାଇ ଗୋଟିଏ କର ପ୍ରସ୍ତୁତ କରାଗଲା। ତାହାର ନାମ ରହିଲା ଦ୍ରବ୍ୟ ଓ ସେବା କର (ଜିଏସ୍‍ଟି)।

ଏହି କରର ଉଦ୍ଦେଶ୍ୟ ହେଲା ମୁଖ୍ୟତଃ ଲୋକଙ୍କ ଠାରୁ ଆଦାୟ ହେଉଥିବା ସମସ୍ତ କରର ମୁଖ୍ୟ ଅଂଶ କେନ୍ଦ୍ର ହାତକୁ ଯିବ। ସମ୍ବିଧାନ ପ୍ରଦତ୍ତ କର ଆଦାୟର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପାଖରେ ସଂକୁଚିତ ହେବ। ବାସ୍ତବ କ୍ଷେତ୍ରରେ ଗୋଟିଏ କଥା ସତ୍ୟ ପ୍ରମାଣିତ ହେଲା ଯେ, ଦେଶରେ ଆଦାୟ ହେଉଥିବା ପରୋକ୍ଷ କରର ଏକ ବିରାଟ ଅଂଶ କେନ୍ଦ୍ର ସରକାରଙ୍କ ହାତକୁ ଗଲା। ରାଜ୍ୟ ସରକାରମାନେ ଏପରିକି ୧୪% କର ଆଦାୟ କରିବାକୁ ସକ୍ଷମ ହେଲେ ନାହିଁ। ରାଜସ୍ୱ ଭରଣା ପାଇଁ କେନ୍ଦ୍ର ସରକାରଙ୍କ ଆଗରେ ହାତ ପାତିଲେ। ଦେଶରେ ଗୋଟିଏ କରର ପ୍ରଚଳନ ହେଲାନାହିଁ। ପାଖାପାଖି ୩୧ ଗୋଟି କର ଆଦାୟ ଚାଲୁ ରହିଲା। ସେଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଦ୍ରବ୍ୟ ଓ ସେବାକର ବାବଦ ୫%, ୧୨%, ୧୮% ଓ ୨୮ % କର ସହିତ ସୁନା ଉପରେ ୨%, ୨.୫% କର ଆଦାୟର ବ୍ୟବସ୍ଥା ରହିଲା। ଅଧିକନ୍ତୁ, ପେଟ୍ରୋଲ୍‍ ଓ ଡିଜେଲ୍‍ ଉପରେ ବିକ୍ରି କର ବା ଭାଟ୍‍ ନିଜ ଇଚ୍ଛା ଅନୁସାରେ ରାଜ୍ୟମାନେ ବସାଇବାର କ୍ଷମତା ରଖିଲେ।

Advertisment

ରାଜ୍ୟମାନେ ହରାଉଥିବା ରାଜସ୍ୱକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ନ କରିବା ଉଦ୍ଦେଶ୍ୟରେ ଏହା କରାଗଲା। ଏତଦ୍‍ବ୍ୟତୀତ ଗୋଟିଏ ଉଚ୍ଚହାରର ଟିକସ ମଦ ଆଦି ଅବକାରୀ ଜିନିଷ ଉପରେ ମଧ୍ୟ ରହିଲା। ଅନ୍ୟ ଭାବରେ ଦେଖିବାକୁ ଗଲେ ଗୋଟିଏ କର ସେସ୍‍ ଅନେକ ବ୍ୟବସ୍ଥା ଉପରେ ଲାଗୁ ହେଲା। ଯାହାକି କେବଳ କେନ୍ଦ୍ର ସରକାରଙ୍କ ହାତକୁ ଗଲା। ଅନେକ କ୍ଷେତ୍ରରେ ସର୍‍ଚାର୍ଜ ଓ ଆଡିସ୍‍ନାଲ୍‍ ସରଚାର୍ଜ ଇତ୍ୟାଦି ନାମରେ କିଛି ଟିକସ ମଧ୍ୟ ବସିଲା। ପୁନଶ୍ଚ ରାସ୍ତା ଉପରେ ଟୋଲ୍‍ ଆଦାୟ ଓ ଅନେକ ଭାବରେ ଲୋକଙ୍କ ଠାରୁ ୟୁଜର୍ସ ଫିମଧ୍ୟ ଆଦାୟ କରାଗଲା। ଗଣତି କଲେ ଦେଖାଯିବ ଯେ, ପାଖାପାଖି ୩୧ରୁ ଉର୍ଦ୍ଧ୍ୱ କର ଲୋକଙ୍କ ଉପରେ ତଥାପି ଲାଗୁହେଲା।

ଏବେ ଗତ ୨୨ ତାରିଖ (ସେପ୍ଟେମ୍ବର ୨୦୨୫)ଠାରୁ ଏହି ସେବା ଓ ଦ୍ରବ୍ୟ କରର ଏକ ବିରାଟ ପରିବର୍ତ୍ତନ ଘଟି ନୂଆ କର ବ୍ୟବସ୍ଥା ଲାଗୁ ହୋଇଛି। ଦୀର୍ଘ ୮ ବର୍ଷ କାଳ ପ୍ରଚୁର କର ଆଦାୟ କରି ସାରିକେନ୍ଦ୍ର ଅନେକ କରର ପରିବର୍ତ୍ତନ କରିଥିବାର ଦେଖାଗଲା। ଦୁଇଟି ମଧ୍ୟବର୍ତ୍ତୀ କର ୧୨% ଓ ୨୮% ଉଚ୍ଛେଦ କରାଗଲା। ତାପରିବର୍ତ୍ତେ ୪୦ ପ୍ରତିଶତ ଉଚ୍ଚ ତର କର ବସିଲା, ସରକାର କହୁଛନ୍ତି ଯେ, ୧୨%ର ଅଧିକାଂଶ କର ପାଖାପାଖି ୯୯% ରହିଥିବା ୫% କରର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହା କ୍ରେତାଙ୍କ ଉପକାରରେ ଆସିବ। ଏହା ଏକ ବଡ଼ ସଂସ୍କାର ଓ କରଦାତାମାନେ ଏହି ବାବଦ ଅନେକ ଅର୍ଥ ସଞ୍ଚୟ କରିବେ।

କିନ୍ତୁ ଆମେ ବର୍ଷ ଶେଷରେ ଲକ୍ଷ୍ୟ କରିବା ଯେଉଁସବୁ କର ବ୍ୟବସ୍ଥା ଅଛି ତଦ୍ୱାରା ଏହି କ୍ରେତାମାନଙ୍କର ବିଶେଷ ଭାବରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରୀବ ଶ୍ରେଣୀର କ୍ରେତାମାନେ ଯାହା ପାଇବେ ତାଠାରୁ ଅଧିକ ହରାଇବେ। କାରଣ ହେଉଛି ପରିବହନ ଖର୍ଚ୍ଚରେ ଏକ ବିରାଟ ଅସ୍ଥିରତା ଦେଖାଦେବ ଏବଂ ଏହି ପରିବହନ ଖର୍ଚ୍ଚ ବାବଦୀୟ ଅର୍ନ୍ତଜାତୀୟ ବଜାରରେ ଅଶୋଧିତ ତୈଳ (ପେଟ୍ରୋଲ ଡିଜେଲ୍‍) ଦର ବୃଦ୍ଧି ହେବା ହେତୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବ। ଫଳତଃ ସବୁ ବର୍ଗର କ୍ରେତା ଏହା ଦ୍ୱାରା ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

ସେବା ଓ ଦ୍ରବ୍ୟକର ଏବେ ବି ଏକ ହେଲା ନାହିଁ। ଅଥଚ ଅର୍ଥମନ୍ତ୍ରୀ ମାନ୍ୟବର ସୀତାରମଣ ବାରମ୍ବାର କହିଚାଲିଛନ୍ତି ଏହା ଏକ ବିରାଟ ସଂସ୍କାର ଓ ଏହି ଶେଷ ସଂସ୍କାର ଫଳରେ ଉପଭୋକ୍ତାମାନେ ଉପକୃତ ହେବେ। କେନ୍ଦ୍ରରେ ଥିବା ସରକାରର ରାଜ୍ୟ ଦଳ ଓ ସରକାର ଏହି କର ପରିବର୍ତ୍ତନ ଯୋଗୁ ରାଜ୍ୟମାନେ ବିଶେଷ ଉପକୃତ ହେବେ ବୋଲି କହିଚାଲିଛନ୍ତି। ଆମେ ସମସ୍ତେ ଲକ୍ଷ୍ୟ କରିବା କଥା, କିପରି ଓ କେଉଁ ପରି ଭାବରେ ରାଜ୍ୟ ସରକାର ଉପକୃତ ହେବେ। ଏହି ବର୍ଷର ଶେଷ ଆଡ଼କୁ ମାର୍ଚ୍ଚ ମାସ ବେଳକୁ ଚଳିତ ଆର୍ଥିକ ବର୍ଷର ୬ ମାସ ଭିତରେ ରାଜ୍ୟ ସରକାର କେତେ ଅଧିକ ଆମଦାନୀ କରିବେ ବା କ୍ଷତି ସହିବେ ଆସନ୍ତା ବଜେଟରେ ତାହା ସ୍ପଷ୍ଟ ହୋଇଯିବ। ସାଧାରଣ ଉପଭୋକ୍ତା ବିଶେଷତଃ ମଧ୍ୟମ ଧରଣର ଉପଭୋକ୍ତାମାନେ ଛୋଟ ଗାଡ଼ି ଓ ମଟର ସାଇକେଲ କିଣିବାରେ କିଛି ପରିମାଣରେ ଫାଇଦା ହାସଲ କରିବେ ନିଶ୍ଚୟ। କିନ୍ତୁ କ୍ରମବର୍ଦ୍ଧିଣ୍ଣୁ ପେଟ୍ରୋଲ୍‍ ଡିଜେଲ୍‍ ଦର ଓ ଏଥିରେ ଥିବା ଟିକସ ବ୍ୟବସ୍ଥା ହେତୁ ଦୁଇଚକିଆ ବା ଛୋଟ ଚାରିଚକିଆ ଯାନ ବ୍ୟବହାରକାରୀମାନେ କେତେ ଲାଭ ବା କେତେ କ୍ଷତି ସହିବେ ଗୋଟିଏ ବର୍ଷର ବ୍ୟବହାର ପରେ ତାହା ସେହିମାନେ ହିଁ ଜାଣିବେ। ଏହି କ୍ରେତାମାନଙ୍କର ଥିବା ଗୋଟିଏ ଦୁଇଟି ବଦ ଅଭ୍ୟାସ ଉପରେ ବଢ଼ିଥିବା ଟିକସ ୪୦% ହେବ। ସେମାନେ ମଧ୍ୟ ବଡ଼ ବ୍ୟୟର ସମ୍ମୁଖୀନ ହେବେ।

ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରିବ ଯେ, ଯେଉଁ ରାଜ୍ୟଗୁଡ଼ିକ କ୍ରେତା ରାଜ୍ୟ (କନ୍‍ଜ୍ୟୁମର୍‍ ଷ୍ଟେଟ୍‍) ଭାବେ ପରିଚିତ ସେହି ରାଜ୍ୟର ଗରିବ ଓ ମଧ୍ୟବିତ୍ତ ବର୍ଗର କ୍ରେତାମାନେ ନିଶ୍ଚୟ କ୍ଷତି ସହିବେ। ତାର କାରଣ ହେଉଛି ଓଡ଼ିଶା ଭଳି ରାଜ୍ୟର ଆଳୁ, ପିଆଜ, ଅଦା, ମାଛ, ତେଲ, କ୍ଷୀର ଗୁଣ୍ଡ ଆଦି ଖାଦ୍ୟ ପଦାର୍ଥ ବାହାର ରାଜ୍ୟରୁ ଆମଦାନୀ କରାଯାଇଥାଏ। ତେଣୁ ଏହାର ଦର ଉପରେ ଅଧିକ ଭାବରେ ପରିବହନ ଖର୍ଚ୍ଚ ନିଆଯାଇ ଉପଭୋକ୍ତାମାନଙ୍କୁ ଶୋଷଣ କରାଯିବ। ଅଧିକନ୍ତୁ, ଓଡ଼ିଶା ଭଳି ରାଜ୍ୟର ସମସ୍ତ କ୍ରେତାବର୍ଗ ଏହିପରି ପରିବହନ ଖର୍ଚ୍ଚ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହେବେ। ତେବେ ସେମାନେ କେତେ ସଞ୍ଚୟ କରିବେ ତାହା କେବଳ ବର୍ଷ ଶେଷରେ ତାଙ୍କର ଆୟବ୍ୟୟର ହିସାବରୁ ଜଣାପଡ଼ିବ। ଆଉ ମଧ୍ୟ ଏକଥା ସ୍ପଷ୍ଟ ଭାବେ କୁହାଯାଇପାରେ ଯେ, ସେମାନଙ୍କର ଖର୍ଚ୍ଚ ଆୟ ତୁଳନାରେ ଅଧିକ ନହୋଇପାରେ। କିନ୍ତୁ ଯଦି ଆୟ ସ୍ଥିର ଓ ନିମ୍ନଗାମୀ ହେଲା ତେବେ ଖର୍ଚ୍ଚ ନିଶ୍ଚିତ ଭାବରେ ଅଧିକ ହେବ। ଅତଏବ ସଞ୍ଚୟର ସମ୍ଭାବନା କେଉଁଠୁ ଉଠୁଛି?

ଆମେ ସମସ୍ତ ଉପଭୋକ୍ତାମାନେ ଏବେଠାରୁ ଆମର ସମସ୍ତ ଖର୍ଚ୍ଚକୁ ଲିପିବଦ୍ଧ କରି ରଖିବା। ଗତ ବର୍ଷ ଯେଉଁ ପରିମାଣରେ ଏବଂ ଯେଉଁ ଯେଉଁ ଜିନିଷ କ୍ରୟ କରୁଥିଲେ, ଆଗାମୀ ଦିନରେ ସେହି ସେହି ଜିନିଷ ସେହି ପରିମାଣରେ କ୍ରୟ କରି ଆମେ ବାସ୍ତବରେ କ୍ଷତିଗ୍ରସ୍ତ ହେଉଛେ ନା ଲାଭ ପାଉଛେ ତାପରଖିବା। ସମସ୍ତ ଉତ୍ପାଦନକାରୀ ସଂସ୍ଥା ତାଙ୍କର ଦ୍ରବ୍ୟରେ ଟିକସ କମାଇପାରନ୍ତି, କିନ୍ତୁ ଦ୍ରବ୍ୟମାତ୍ରାର ସାମାନ୍ୟ ଏକର ସେକର କରି ଖାଉଟିକୁ ଯେ ନ ଠକିବେ ଏକଥା କିଏ କହିବ? ଅଳ୍ପ କିଛି ଜିନିଷ ଯାହାକି କୃଷିଜାତ ଦ୍ରବ୍ୟ ଭାବେ ଆମ ପାଖରେ ପହଞ୍ଚିଥାଏ, ବଟର୍‍, ଛେନା, କ୍ଷୀର ଆଦି ସେହିସବୁ ପଦାର୍ଥରେ କିଛି ପରିମାଣରେ ମୂଲ୍ୟ ହ୍ରାସ ଜନିତ ସୁବିଧା ଖାଉଟିକୁ ମିଳିବ। କିନ୍ତୁ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷମାନଙ୍କରେ ଏହା ଯେ, ଆଦୌ ମିଳିବ ନାହିଁ ଏକଥା ସ୍ପଷ୍ଟ ଭାବରେ କୁହାଯାଇପାରେ।

କେନ୍ଦ୍ରର ଟିକସ ଆୟ ବୃଦ୍ଧି ପାଇବ ଓ ରାଜ୍ୟମାନଙ୍କରୁ ରାଜସ୍ୱରେ କ୍ଷତି ଘଟିବ। କେନ୍ଦ୍ର ଅଧିକ ଶକ୍ତିଶାଳୀ ହେବ, ରାଜ୍ୟ ସମୂହ ଦୁର୍ବଳ ହେବାରେ ଲାଗିବେ। ଯେଉଁମାନେ ଏହି ଟିକସ ପରିବର୍ତ୍ତନକୁ ଏକ ବଡ଼ ସଂସ୍କାର ବୋଲି ବିଚାର କରୁଛନ୍ତି ତାହା ଆଦୌ ଠିକ୍‍ ନୁହେଁ। ୨୦୧୭ ମସିହାରେ ଦ୍ରବ୍ୟ ଓ ସେବାକର ଲାଗୁହେବା ଦିନଠାରୁ ପାଖାପାଖି ୬୩ ଥର କାଉନ୍‍ସିଲ୍‍ ବସି ଟିକସ ହାର ଏପଟ ସେପଟ କରାଯାଇଛି। ଭବିଷ୍ୟତରେ ଯେ, ଆହୁରି ପରିବର୍ତ୍ତନ ନହେବ ତାହା ନୁହେଁ। ଏଥିରେ ବ୍ୟବସାୟୀମାନେ ହନ୍ତସନ୍ତ ହେବାରେ ଲାଗିଛନ୍ତି। ଭବିଷ୍ୟତରେ ଆହୁରି ହେବେ ମଧ୍ୟ। ହୁଏତ ସେମାନେ ଯେଉଁ ହିସାବ ରକ୍ଷକ ଓକିଲ (ଚାଟାର୍ଡ ଆକାଉଟାଣ୍ଟ୍‍, କଷ୍ଟ ଆକାଉଟାଣ୍ଟ୍‍) ମାନଙ୍କର ସାହାଯ୍ୟ ନେଇଥାନ୍ତି, ସେମାନେ ବିଶେଷ ଭାବରେ ଉପକୃତ ହେବେ।

ସେବା ଓ ଦ୍ରବ୍ୟକର ପ୍ରଚଳନ ବେଳେ କୁହାଯାଉଥିଲା ଯେ, ଟିକସ ଫାଙ୍କିବା, ଟିକସ ଚୋରୀ ଅଧିକ ପରିମାଣରେ ହେବନାହିଁ। ମାତ୍ର ତାହା ଭୁଲ୍‍ ପ୍ରମାଣିତ ହେଲା। ଅଧିକାଂଶ ଦିନ ସମ୍ବାଦପତ୍ର ଓଲଟାଇଲେ କେଉଁଠି ନା କେଉଁଠି ଟିକସ ଚୋରୀ, ଟିକସ ଫାଙ୍କି ଆମ ନଜରକୁ ଆସୁଥିଲା। ଏବେ ଏହି ତଥାକଥିତ ସଂସ୍କାର ପରେ ଟିକସ ଚୋରୀ ବା ଫାଙ୍କି ଯେ କମିଯିବ ସେପରି ଦୃଢ଼ତାର ସହିତ କେହି କହିପାରିବେ ନାହିଁ। ଏଥିରେ ଏବେ ବି ଅନେକ ଜଟିଳତା ଭରି ରଖାଯାଇଛି। ଯାହାଫଳରେ ଟିକସ ଫାଙ୍କି ଓ ଟିକସ ଚୋରୀ ପାଇଁ ପଥ ସୁଗମ ହେବ। ବିଶେଷତଃ ଯେଉଁ ଦ୍ରବ୍ୟର ଟିକସ ୪୦%ରେ ରହିଛି ସେହିସବୁ ଟିକସରେ ନାନା ଭାବରେ ହେର୍‍ଫେର୍‍ ହେବାର ଆଶଙ୍କା ରହିଛି।

ରାଜ୍ୟ କ୍ଷତିଗ୍ରସ୍ତ ହେବ, ସବୁ ବର୍ଗର କ୍ରେତା କ୍ଷତିଗ୍ରସ୍ତ ହେବେ, କେନ୍ଦ୍ର ସରକାର ଓ ବେପାରୀ ଲାଭ ଉଠାଇବେ, ଏହା ହିଁ ହେବ ଶେଷ ଫଳ। ଅତି ଦୃଢ଼ ଭାବରେ କୁହାଯାଇପାରେ ଯେ, ପୁନଶ୍ଚ ଏକ ସଂସ୍କାର ନାମରେ ଏହି ଟିକସରେ ପୁନର୍ବାର ଏକ ଅସ୍ଥିରତା ଅଣାଯିବାର ଆଶଙ୍କା ରହିଛି।

ଫୋ- ୯୪୩୮୩୬୦୮୪୯

GST GST reform GST reform effect