/odisha-reporter/media/media_files/2026/01/07/unit-1-haat-2026-01-07-14-02-32.jpg)
Bhubaneswar Unit 1 Haat Photograph: (Internet)
ଡ. ରୀନା ରାଉତରାୟ
ସେଦିନ ରାତି ପ୍ରାୟ ୧୦ଟା।
ଘରକୁ ଫେରୁ ଫେରୁ ଆମେ ଭୁବନେଶ୍ୱରର ଏକ ନମ୍ବର ହାଟ ଭିତରକୁ ପଶିଲୁ, କିଛି ପରିବା ନେବାକୁ, କିନ୍ତୁ ଆମେ ଯାହା ନେଇ ଫେରିଲୁ, ସେଥିରେ ଥିଲା ଜୀବନର ଗଭୀର ଅର୍ଥ।
ଏତେ ରାତିରେ ମଧ୍ୟ ହାଟରେ ଥିବା ସେଇ ଚଞ୍ଚଳତା, ସେଇ ହସ, ସେଇ ଡକାଡକି, ସେଇ ହାତେହାତର ଜୀବନ, ଭାବନାକୁ ଅଚାନକ ଏକ ନୂଆ ଦୃଷ୍ଟି ଦେଇଗଲା।
‘ମାଟିଆଳୁ ଅଛି କି?’ ମୁଁ ପଚାରିଲି।
‘ମୋର ସରିଗଲା ମାଆ…ସେଇ ଟୁଙ୍ଗୁରୁ ଭୋଳ ପାଖରେ ମିଳିବ,’ ହସି ହସି କହି ଦୁଇ ତିନୋଟି ଦୋକାନ ପରେ ଦେଖାଇଦେଲେ।
ସେହି ଦୋକାନୀ ଭାଇଙ୍କ ପାଖକୁ ଯାଇ ମାଟି ଆଳୁ ଓଜନ କରୁ କରୁ ପଚାରିଲି, ତୁମ ନାମ ଟୁଙ୍ଗୁରୁ ଭୋଳ? ହସି ହସି ଦୋକାନୀ କହିଲେ ନାଇଁ ମ’ ମାଆ, ମୁଁ ଛୋଟିଆ ଟିଏ ବୋଲି ସିଏ ମୋତେ ସେମିତି ଡାକେ।
ସେହି ହସରେ କ୍ଳାନ୍ତି ନଥିଲା, ଅଭିଯୋଗ ନଥିଲା, ଜୀବନ ପ୍ରତି କୌଣସି ଅସନ୍ତୋଷ ମଧ୍ୟ ନଥିଲା। ଦିନଯାକ ପରିଶ୍ରମ, ଧାର କରଜର ଜୀବନ, ହାଡ଼ଭଙ୍ଗା ପରିଶ୍ରମ, ତଥାପି ସେମାନଙ୍କ ମୁହଁରେ ଅନବରତ ହସ।
ସେଇ ହାଟ ଭିତରେ ଠିଆହୋଇ ମନେ ହେଲା, ଏଇଠି ହିଁ ଧକ୍ ଧକ୍ କରୁଛି ସାରା ଭୁବନେଶ୍ୱରର ହୃତପିଣ୍ଡ।
ଖୁବ ଭଲ ଲାଗିଲା ସେମାନଙ୍କୁ ଦେଖି, ଏତେ ପରିଶ୍ରମ ଓ ସଙ୍ଘର୍ଷମୟ ଜୀବନରେ ମଧ୍ୟ ପ୍ରତ୍ୟେକ ପରିସ୍ଥିତିରେ ସେମାନେ ଖୁସି ରହି ପାରିଛନ୍ତି। ରାସ୍ତା, ଆଲୋକ, ବଡ଼ ମଲ୍, ବଡ଼ ବଡ଼ ବିଲ୍ଡିଂ ନୁହେଁ, ଏହି ଛୋଟ ଛୋଟ ଦୋକାନ,
ଏହି ସରଳ ଲୋକ, ଏହି ଶ୍ରମ ଓ ସନ୍ତୋଷ ହିଁ ସହରର ସତ୍ୟ ସବୁଜ ପ୍ରାଣ।
ହାଟ ହେଉଛି ସାଧାରଣ ଲୋକଙ୍କ ସଂସଦ, ଏଠି କେହି ଧନୀ ନୁହେଁ, କେହି ଗରିବ ନୁହେଁ, ସମସ୍ତେ ଜୀବନର ସାମ୍ନାସାମ୍ନି।
ଏଠି ଆଳୁ, ପିଆଜ, ବାଇଗଣ ସହିତ ବିକ୍ରି ହୁଏ ସାହସ, ହସ ସହିତ ବଣ୍ଟାହୁଏ ଆଶା ଏବଂ ପ୍ରତ୍ୟେକ ମୁହଁରେ ଲୁଚିଥାଏ ଏକ ଯୁଦ୍ଧଜୟୀ ଗଳ୍ପ।
ହାଟ କେବଳ ଏକ ଅର୍ଥନୈତିକ ପ୍ରାଣକେନ୍ଦ୍ର ନୁହେଁ, ଯେଉଁ ସମୟରେ ସହରୀ ଜୀବନ ଧୀରେ ଧୀରେ ମଲ୍, ଆପ୍ ଓ ଏୟାରକଣ୍ଡିସନ୍ରେ ସୀମିତ ହୋଇଯାଉଛି, ସେଇ ସମୟରେ ହାଟ ଭଳି ସ୍ଥାନଗୁଡ଼ିକ ଆଜି ମଧ୍ୟ ଧରି ରଖିଛି ଆମ ସଭ୍ୟତା, ଆମ ସଂସ୍କୃତି ଓ ପରମ୍ପରା।
ସରକାରଙ୍କ ସହରୀ ଅର୍ଥନୀତି ରିପୋର୍ଟ ଅନୁସାରେ, ଭୁବନେଶ୍ୱର ସହରର ପ୍ରାୟ ୩୮% କ୍ଷୁଦ୍ର ବାଣିଜ୍ୟ କାରବାର ହାଟ ଓ ସ୍ଥାନୀୟ ବଜାର ମାଧ୍ୟମରେ ହୋଇଥାଏ। ଏହା ସିଧାସଳଖ ଭାବେ ଲକ୍ଷାଧିକ ପରିବାରଙ୍କ ଜୀବିକା ସହିତ ସଂପୃକ୍ତ। ଏକ ହାଟ ମାନେ କେବଳ ଦୋକାନ ଧାଡ଼ି ନୁହେଁ, ଏହା ହେଉଛି ଏକ ଜୀବନ ଚଳିତ ଅର୍ଥନୀତି। ଚାଷୀ, ଦଲାଲ, ବୋଝବାହକ, ବିକ୍ରେତା, ଗ୍ରାହକ ସମସ୍ତଙ୍କ ଜୀବନ ଜୀବିକାର ଚକ୍ର।
ହାଟରେ କାମ କରୁଥିବା ପ୍ରାୟ ୯୦% ଶ୍ରମଜୀବୀ ଅସଂଗଠିତ କ୍ଷେତ୍ରର ଅନ୍ତର୍ଭୁକ୍ତ। ତାଙ୍କ ପାଖରେ ସ୍ଥାୟୀ ଆୟ ନାହିଁ, ସାମାଜିକ ସୁରକ୍ଷା ନାହିଁ, ତଥାପି ସେମାନେ ଦିନକୁ ଦିନ ହସି ହସି ସହରର ଖାଇବା ଥାଳିକୁ ଭରପୂର କରି ରଖନ୍ତି।
ହାଟରେ ଜୀବନ ଥାଏ, କିନ୍ତୁ ଏହି ଜୀବନ ଅନେକ ଅନ୍ଧାର ସହିତ ଲଢ଼ୁଛି। ହାଟରେ ଜୀବନ ବଞ୍ଚୁଥିବା ଲୋକଙ୍କ ଜୀବନ ଆଜି ମଧ୍ୟ ଅନେକ ସମସ୍ୟାରେ ଘେରା। ଯେଉଁମାନେ ସହରକୁ ଜୀବନ ଦେଉଛନ୍ତି, ସେମାନଙ୍କ ଜୀବନ ନିଜେ ଅସୁରକ୍ଷିତ, ଏହା ସହରୀ ଅର୍ଥନୀତିର ଏକ ବିରୋଧାଭାସ।
ନ୍ୟାସନାଲ ସାମ୍ପଲ ସର୍ଭେ (NSSO) ଅନୁସାରେ ଭାରତର ସମୁଦାୟ ଶ୍ରମଶକ୍ତିର ୮୧% ଅଣସଙ୍ଗଠିତ କ୍ଷେତ୍ରରେ କାମ କରେ। ସହରୀ ଅଣସଙ୍ଗଠିତ ବ୍ୟବସାୟର ପ୍ରାୟ ୩୦–୪୦% ଲୋକ ହାଟ ଓ ରାସ୍ତା କଡ଼ ବ୍ୟବସାୟରେ ନିୟୋଜିତ।
ଭାରତରେ ପ୍ରାୟ ୫୦ ଲକ୍ଷରୁ ଅଧିକ ରାସ୍ତା କଡ ବ୍ୟବସାୟୀ (Street vendors) ଅଛନ୍ତି ତାଙ୍କ ମଧ୍ୟରୁ ୩୦% ମହିଳା।
ସେବା ରିପୋର୍ଟ ୨୦୨୩ (SEWA) ଅନୁସାରେ ୭୦% ମହିଳା ବିକ୍ରେତାଙ୍କ ପାଖରେ କୌଣସି ସ୍ୱାସ୍ଥ୍ୟ ବୀମା ନାହିଁ।
୬୦% ମହିଳା ବିକ୍ରେତା ଦୈନିକ ୮ରୁ ୧୦ ଘଣ୍ଟା ଖୋଲା ଆକାଶ ତଳେ କାମ କରନ୍ତି, ତାଙ୍କ ମଧ୍ୟରୁ ଅଧିକାଂଶଙ୍କ ମାସିକ ଆୟ ୬୦୦୦ରୁ ୯୦୦୦ ମଧ୍ୟରେ ସୀମିତ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହରୀ ସ୍ୱାସ୍ଥ୍ୟ ସର୍ଭେ (WHO Urban Health Study) ଅନୁସାରେ ରାସ୍ତାକଡ଼ ବ୍ୟବସାୟୀ ବା ଷ୍ଟ୍ରିଟ୍ ଭେଣ୍ଡର୍ସମାନେ ଶ୍ୱାସ ରୋଗ: ୪୫%, ଚର୍ମ ରୋଗ: ୩୮%, ଅସ୍ଥି-ସନ୍ଧି ସମସ୍ୟା: ୫୨%, ଏହି ସବୁ ସ୍ଵାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ।
କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ- ୨୦୨୪ ରିପୋର୍ଟ ଅନୁସାରେ ସ୍ମାର୍ଟ ସିଟି ପ୍ରୋଜେକ୍ଟ ପରେ ୨୫% ହାଟ ଓ ରାସ୍ତାକଡ ବ୍ୟବସାୟୀ ତାଙ୍କ ପୁରୁଣା ସ୍ଥାନ ହରାଇଛନ୍ତି।
Street Vendors Act ୨୦୧୪ରେ ଅନେକ ନୀତି ନିୟମ ଥିଲେ ମଧ୍ୟ ୫୦% ସହରରେ ଏହାର ପୂର୍ଣ୍ଣ ପ୍ରୟୋଗ ହୋଇନାହିଁ।
Street Vendors (Protection of Livelihood and Regulation of Street Vending) Act, ୨୦୧୪ ଅନୁସାରେ ହାଟ ବ୍ୟବସାୟୀଙ୍କୁ ପଞ୍ଜିକରଣ, ସୁରକ୍ଷିତ କାର୍ଯ୍ୟସ୍ଥଳ, ସାମାଜିକ ସୁରକ୍ଷା, ଅନ୍ୟାୟ ଉଚ୍ଛେଦରୁ ସୁରକ୍ଷା ଦେବାକୁ ବାଧ୍ୟତାମୂଳକ।
କିନ୍ତୁ ଏବେ ମଧ୍ୟ ଅନିଶ୍ଚିତ ଆୟ ଓ ଆର୍ଥିକ ଅସୁରକ୍ଷା, ହାଟର ଅଧିକାଂଶ ବିକ୍ରେତା ଦୈନିକ ଆୟରେ ବଞ୍ଚନ୍ତି। ବର୍ଷା, ଝଡ଼, ମହଙ୍ଗାଇ, ଟ୍ରାଫିକ୍ ନିୟନ୍ତ୍ରଣ ସବୁ ତାଙ୍କ ଆୟକୁ ପ୍ରଭାବିତ କରେ। କୌଣସି ସ୍ଥାୟୀ ବେତନ, ପେନ୍ସନ୍, ବୀମା ନାହିଁ। ସାମାଜିକ ସୁରକ୍ଷାର ଅଭାବ, ଅଧିକାଂଶ ହାଟ କର୍ମୀଙ୍କ ପାଖରେ ସ୍ୱାସ୍ଥ୍ୟ ବୀମା, ଦୁର୍ଘଟଣା ବୀମା,ବୃଦ୍ଧାବସ୍ଥା ସୁରକ୍ଷା ନାହିଁ। ଦେହ ଖରାପ ହେଲେ ଦିନକ ଆୟ ମଧ୍ୟ ବନ୍ଦ।
ଖୋଲା ଆକାଶ ତଳେ କାମ,ଧୂଳି, ଧୂଆଁ, ବର୍ଷା, ଖରାରେ ଦୀର୍ଘ ସମୟର କଠିନ ପରିଶ୍ରମ ହାଟ କର୍ମୀଙ୍କ ସ୍ୱାସ୍ଥ୍ୟକୁ ଧୀରେ ଧୀରେ ପ୍ରଭାବିତ କରେ। ତା ଉପରେ ଲାଇସେନ୍ସ ପାଇବାର ଜଟିଳତା,ପୁଲିସର ଅତ୍ୟାଚାର, ହଟାଓ ଅଭିଯାନ,ଅନିଶ୍ଚିତ ଦୋକାନ ସ୍ଥାନ ଏ ସବୁ ହାଟ ଜୀବନର ନିତ୍ୟ ସଂଘର୍ଷ।
ଶୁଦ୍ଧ ପାଣି, ଶୌଚାଳୟ, ଆଲୋକ, ବର୍ଷା ଓ ଖରାରୁ ବଞ୍ଚିବା ପାଇଁ ଛାଉଣି ପରି ଅନେକ ମୌଳିକ ସୁବିଧା ଅନେକ ହାଟରେ ଅନୁପସ୍ଥିତ। ମହିଳା ବିକ୍ରେତା ମାନେ ଦୁଇଗୁଣ ଚାପରେ ଥାଆନ୍ତି।
ବ୍ୟବସାୟ, ଘରର ଦାୟିତ୍ୱ, ସୁରକ୍ଷାର ଅଭାବ,ସ୍ୱାସ୍ଥ୍ୟ ଅବହେଳାର ଶିକାର ହୋଇ ଥାଆନ୍ତି।
ଏହା ଗୋଟିଏ ଗମ୍ଭୀର ପ୍ରଶ୍ନ, ବିକାଶ କ’ଣ ଜୀବନ ବଦଳରେ ହୁଏ?
ହାଟ ହେଉଛି ସହରର ସାମାଜିକ ମିଳନ କେନ୍ଦ୍ର, ଆମ ସାମାଜିକ ସଂସ୍କୃତି ପରମ୍ପରାର ଆଇନା। ଏଠି ଧନୀ-ଗରିବ ଭେଦ ହ୍ରାସ ପାଏ, ମଣିଷ, ମଣିଷ ସହିତ କଥାହୁଏ, ଭାଷା, ହସ, ହାଟବାଟ ମିଶି ଏକ ଜୀବନ୍ତ ସଭ୍ୟତା ଗଢ଼େ। ସ୍ମାର୍ଟ ସିଟି ଯୋଜନା, ମେଟ୍ରୋପଲିଟନ୍ ରୋଡ୍, ଏବଂ ମଲ୍ ସଂସ୍କୃତିର ଅଗ୍ରସରତା ହାଟଗୁଡ଼ିକୁ ଧୀରେ ଧୀରେ କୋଣଠେସା କରି ଦେଉଛି।
ଧୀରେ ଧୀରେ ହାଟକୁ ସହରୀ ଅର୍ଥନୀତିର ସ୍ଥାୟୀ ଅଂଶ ଭାବେ ମାନ୍ୟତା, ବିକ୍ରେତାଙ୍କୁ ସାମାଜିକ ସୁରକ୍ଷା, ହାଟ ପାଇଁ ନିର୍ଦ୍ଦିଷ୍ଟ ଅଞ୍ଚଳ, ସ୍ୱଚ୍ଛତା ଇତ୍ୟାଦିକୁ ସରକାରୀ ସ୍ତରରେ ଧ୍ୟାନ ଦେବାକୁ ଆରମ୍ଭ ହେଲାଣି।
ମଲ୍ ସହରକୁ ସୁନ୍ଦର କରେ, କିନ୍ତୁ ହାଟ ସହରକୁ ଜୀବନ ଦେଇଥାଏ। କାରଣ ହାଟରେ ହିଁ ଜୀବନ ଅଛି।
ଏହି ହାଟ ଆମକୁ ଶିଖାଏ, ଜୀବନ ମାନେ ଅଭିଯୋଗ ନୁହେଁ, ଜୀବନ ମାନେ ହସିକରି ଲଢ଼ିବା। ଏହି ହାଟ କହିଦିଏ, ସଫଳତା ମାନେ ଆଡ଼ମ୍ବର ନୁହେଁ, ସନ୍ତୋଷ ହିଁ ସର୍ବୋଚ୍ଚ ସମ୍ପଦ।
ହାଟରେ ହିଁ ଜୀବନ ଅଛି।ଏଠି ଜୀବନ ଚାଲେ, ହସେ, ଲଢ଼େ, ଜିତେ…
ଏଠି ମଣିଷ ହିଁ ମଣିଷ ପାଇଁ ଆଶା।
ଫୋ- ୯୪୩୮୨୭୨୧୫୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
