Advertisment

ଗୋଷ୍ଠୀ ଭୁଲୁଛି ବନ୍ୟା ମୁକାବିଲା, ବଢ଼ୁଛି ବନ୍ୟା ପର୍ଯ୍ୟଟନ

ଋୁଦ୍ର ପ୍ରସନ୍ନ ରଥ ଓଡ଼ିଶାର ଚିର ସହଚର ହେଉଛି ପ୍ରାକୃତିକ ବିପର୍ଯ୍ୟୟ। ସବୁ ବର୍ଷ ବନ୍ୟା, ବାତ୍ୟା ଏବଂ ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ମାଟି ଖିନଭିନ୍ ହୁଏ। ଚିର ଗରିବ ଓଡ଼ିଆଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲିଯାଏ। ଓଡ଼ିଶାର ଦୁର୍ଭାଗ୍ୟଜନକ ଅବସ୍ଥିତି କୁହନ୍ତୁ କିମ୍ବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଆଙ୍କ ଭାଗରେ ପ୍ରତିବର୍ଷ ଗୋଟିଏ ଅଧେ ବନ୍ୟା ନତୁବା ଘୂର୍ଣ୍ଣିବାତ୍ୟା ଆସେ। ଏହି ସଂଖ୍ୟା ଦିନକୁ ଦିନ ବଢୁଛି, କମିବାର ନାମ ନେଉ ନାହିଁ। ଓଡ଼ିଶା ଗତ କୋଡ଼ିଏ […]

author-image
Debendra Prusty
ଅଦ୍ୟତନ ହୋଇଛି
ଗୋଷ୍ଠୀ ଭୁଲୁଛି ବନ୍ୟା ମୁକାବିଲା, ବଢ଼ୁଛି ବନ୍ୟା ପର୍ଯ୍ୟଟନ

flood water

ଋୁଦ୍ର ପ୍ରସନ୍ନ ରଥ

ଓଡ଼ିଶାର ଚିର ସହଚର ହେଉଛି ପ୍ରାକୃତିକ ବିପର୍ଯ୍ୟୟ। ସବୁ ବର୍ଷ ବନ୍ୟା, ବାତ୍ୟା ଏବଂ ଦୁର୍ଭିକ୍ଷ ଯୋଗୁଁ ଓଡ଼ିଶାର ମାଟି ଖିନଭିନ୍ ହୁଏ। ଚିର ଗରିବ ଓଡ଼ିଆଙ୍କର ଆର୍ଥିକ ମେରୁଦଣ୍ଡ ଦୋହଲିଯାଏ। ଓଡ଼ିଶାର ଦୁର୍ଭାଗ୍ୟଜନକ ଅବସ୍ଥିତି କୁହନ୍ତୁ କିମ୍ବା ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଆଙ୍କ ଭାଗରେ ପ୍ରତିବର୍ଷ ଗୋଟିଏ ଅଧେ ବନ୍ୟା ନତୁବା ଘୂର୍ଣ୍ଣିବାତ୍ୟା ଆସେ। ଏହି ସଂଖ୍ୟା ଦିନକୁ ଦିନ ବଢୁଛି, କମିବାର ନାମ ନେଉ ନାହିଁ।

Advertisment

ଓଡ଼ିଶା ଗତ କୋଡ଼ିଏ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି କାରଣରୁ ବିପର୍ଯ୍ୟୟର ସଂଖ୍ୟା ବଢ଼ିଲେ ବି ଏହା ଜନିତ କ୍ଷୟକ୍ଷତିକୁ ରୋକାଯାଇ ପାରିଛି। ବିପର୍ଯ୍ୟୟ ଦ୍ୱାରା କ୍ଷତିଗ୍ରସ୍ତ ଭିତ୍ତିଭୂମିକୁ ରେକର୍ଡ ସମୟ ମଧ୍ୟରେ ସଜଡ଼ାଯାଇ ପାରୁଛି। ଓଡ଼ିଶା ଭାରତ ପାଇଁ ରୋଲ ମଡେଲ ସାଜିଛି। ତେବେ ଏସବୁ ବିଶେଷ ଭାବେ ସରକାରୀ କଳଦ୍ୱାରା ସଂଭବ ହୋଇପାରୁଛି। କାରଣ ବନ୍ୟା ସମୟରେ ଜନସହଭାଗୀତା ମାଧ୍ୟମରେ ବିପର୍ଯ୍ୟୟର ଜ୍ୱାଳାକୁ ପ୍ରଶମିତ କରିବା ଏବେ ବି ସମ୍ଭବ ହୋଇ ପାରୁ ନାହିଁ। ଲୋକ ବନ୍ୟା ଏବଂ ବାତ୍ୟାପରି ବିପର୍ଯ୍ୟୟ ଜନିତ କ୍ଷୟକ୍ଷତିର ପରିଚାଳନା ସଂପୂର୍ଣ୍ଣ ରୂପେ ସରକାରୀ କଳ ଭରସାରେ ଛାଡ଼ି ଦେଇଛନ୍ତି।

ଏମିତି ନୁହେଁ ଯେ ଆଗରୁ ବନ୍ୟା ହେଉନଥିଲା। ଲୋକବାକ କିମ୍ବା ଗାଈଗୋରୁ ଭାସିଯାଉନଥିଲେ। ଘର ଭାଙ୍ଗୁନଥିଲା। ଓଡ଼ିଶା ଅନେକ ବନ୍ୟା ଦେଖିଛି। କେତେବେଳେ ଉପକୂଳ ଓଡ଼ିଶାର ଉର୍ବର ଦୋ ଫସଲି ଜମି ବନ୍ୟାର ଲହ ଲହ କରୁଥିବା ଜିଭରେ ପୋଛି ହୋଇଯାଇଛି ତ ଆଉ କେତେବେଳେ ବନ୍ୟାପାଣିର କାନ୍ଥପଡ଼ି ସଧବାର ସିନ୍ଦୁର ଲିଭିଯାଇଛି। ଅନେକ ସମୟରେ ତ ଖାଲି ଗାଁ  ନୁହେଁ ପୂରା ପଂଚାୟତ ଅନେକ ଦିନ ଧରି ବନ୍ୟାଦ୍ୱାରା ଜଳବନ୍ଦୀ ହୋଇ ରହିଛି। ସେହି ଆଣ୍ଠୁଏ ପାଣିରେ ଗର୍ଭବତୀ ସ୍ତ୍ରୀଟିଏ ଛୁଆ ଜନ୍ମ କରି ଚିନ୍ତାରେ ଥିବା ଗାଁରେ ଖୁସିର ଲହର ଖେଳାଇ ଦେଇଛି। ବିଶେଷ ସରକାରୀ ସାହାଯ୍ୟ ବିନା ଲୋକ କାନ୍ଧରେ କାନ୍ଧ ମିଳାଇ ଜନ୍ତାଳ ରାନ୍ଧିଛନ୍ତି। ସାହି ଭାଇ ଏକାଠି ହୋଇ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରି ମରି ଆସୁଥିବା ଆଶାକୁ ଆଉ ଟିକିଏ ତେଜି ଧରିଛନ୍ତି। ଚୁଡ଼ା ଗୁଡ଼ ଚାଉଳ ରୂପକ ସରକାରୀ ସାହାଯ୍ୟ ପହଁଚିବା ଆଗରୁ ଲୋକ ଅଂଟା ସଳଖିବାକୁ ଚେଷ୍ଟା କରିଛନ୍ତି।

Advertisment

ଏବେ ପୁଣି ଥରେ ଓଡ଼ିଶାରେ ବନ୍ୟା ଆସିଥିଲା। ବାଲେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା  ଜିଲ୍ଲା ବୁଡ଼ିଲା। ଲୋକ ଭୋକରେ ଆଉଟୁ ପାଉଟୁ ହେଲେ। ସରକାରୀ ସାହାଯ୍ୟ କେଉଁଠି ପହଁଚିଲା ତ ଆଉ କେଉଁଠି ପହଁଚିଲା ନାହିଁ। ସବୁଆଡ଼େ ବନ୍ୟା ବିଭୀଷିକା ଭିତରେ ଦିଅ ଦିଅ ର ଆର୍ତ୍ତନାଦ। ଲାଗୁଛି ମଣିଷକୁ ବନ୍ୟା ଡରାଇ ଦେଇଛି। ସରକାରୀ ବ୍ୟବସ୍ଥାକୁ ଚାତକ ପରି ଚାହିଁ ବନ୍ୟା ପ୍ରପୀଡ଼ିତ ନିଜର ଭାଗ୍ୟକୁ ପର ହାତରେ ଟେକି ଦେଇଛି।

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସଂଖ୍ୟାଧିକ ଲୋକଙ୍କର ଆଦୌ ଦରଦ ନାହିଁ କହିଲେ ଚଳେ। ଲୋକ ବରଂ ବନ୍ୟାକୁ ପର୍ଯ୍ୟଟନର ମାନ୍ୟତା ଦେବାକୁ ବସିଛନ୍ତି। ପାଣି ଭିତରେ ଥିବା ଲୋକ ଭାଗ୍ୟକୁ ନିନ୍ଦା କରୁଥିବା ବେଳେ ପାଣି ବାହାରେ ଥିବା ଲୋକଙ୍କ ପାଇଁ ଦ୍ରୁତ ଗତିରେ ଗଛଲତା ବୋହି ନେଉଥିବା ସେହି ଫେନିଳ ଜଳରାଶି ଏକ ଦୁର୍ବାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଅଂଟାଏ ପାଣିରେ ଠିଆ ହୋଇ ସେଲ୍ଫି ନେବା ହେଉ କିମ୍ବା ମଡ଼ ମଡ଼ ହୋଇ ଭାଙ୍ଗିପଡୁଥିବା ପୋଲର ଭିଡିଓ ତିଆରି କରିବା ହେଉ ମଣିଷ ମୋବାଇଲ ଧରି ଜିଅନ୍ତା ଅମଣିଷ ପାଲଟିଛି। ବନ୍ୟା ଭିତରେ ଥିବା ଲୋକଙ୍କୁ ସାହାଯ୍ୟ କରିବାର ମୌଳିକ ଦାୟିତ୍ୱବୋଧ ତା ମୁଣ୍ଡରୁ ହଟିଯାଇଛି। ମୁଣ୍ଡରେ ସଇତାନ ସବାର ନହେଲେ କଣ ଜଣେ ବନ୍ୟା ପାଣିରେ ପଶି ସେଲ୍ଫି ଉଠାଇ ପାରିବ? ବଢୁଥିବା ପାଣି ପାଖରେ ଠିଆ ହୋଇ ଗୁପ୍‌ଚୁପ୍ ଚାଟ ଖାଇ ସତେ ଯେମିତି ସେ ପିକ୍‌ନିକ୍‌ ଆସିଛି ତାହା ଅନୁଭବ କରିବାକୁ ଚେଷ୍ଟା କରୁଛି। ମଣିଷ ବଂଚିଛି ଯାହା ମଣିଷ ପଣିଆ ମରିଯାଇଛି।

କୁହାଯାଏ ଯେ କୌଣସି ବନ୍ୟାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ସେ ଅଂଚଳର ଗୋଷ୍ଠୀ ହୁଏ । ଅତଏବ୍ ଗୋଷ୍ଠୀ ହିଁ ନିଜକୁ ସର୍ବପ୍ରଥମେ ସାହାଯ୍ୟ କରିବା କଥା। ସରକାରୀ ସାହାଯ୍ୟ କେବେ ଆସିବ ସେଯାଏ ଅପେକ୍ଷା ନକରି ନିଜେ ଆଗେ ନିଜ ପାଇଁ ଯୋଜନା ପ୍ରସ୍ତୁତ କରିବା କଥା। ଜଳ ନିଷ୍କାସନରେ ସାହାଯ୍ୟ କରିବା, ଭାଙ୍ଗିଯାଇଥିବା ଗଛ କାଟି ରାସ୍ତା ସଫା କରିବା, ପିଲା ଏବଂ ବୁଢ଼ାଙ୍କ ପାଇଁ ଔଷଧ ଆଣିବାର ବ୍ୟବସ୍ଥା କରିବା, ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ନେଇ କରିଯିବା ଏସବୁ କାମ ଗୋଷ୍ଠୀର ପ୍ରଥମ ଏବଂ ପ୍ରଧାନ ଦାୟିତ୍ୱ ହେବା କଥା। ତେବେ ସରକାରୀ ବ୍ୟବସ୍ଥାକୁ ରିଲିଫ୍ ସର୍ବସ୍ୱ ଏବଂ ଅଫିସର କୈନ୍ଦ୍ରିକ କରିଦେଲାପରେ ଲାଗୁଛି ଯେପରି ଗୋଷ୍ଠୀ ନିଜର ମୂଳ ଦାୟିତ୍ୱ ଭୂଲି ଯାଇଛି। ଅବସ୍ଥା ଏପରି ହୋଇଛି ଯେ ସରକାରୀ ଅଫିସର ଆସି ଘରଭଂଗା ପାଇଁ ଫଟୋ ଉଠାଇ ନନେଲାଯାଏ ଲୋକ ସେହି ଭଂଗାଘରକୁ ଧରି ଦୁଇ ତିନିମାସ ପଡ଼ି ରହୁଛି। ଯଦି ଘର ନିଜେ ବାଗେଇ ଦେଉଛି ତାହାହେଲେ କାଳେ ତା ଘର ଭଂଗା ପଇସା ତାକୁ ମିଳିବ ନାହିଁ ସେ ଡରରେ ସେ ବାଧ୍ୟ ହୋଇ ଭଂଗାଘରେ ପଡ଼ି ରହୁଛି।

ଏବେ ରିଲିଫ ଆସିଲାପରେ ଗୋଷ୍ଠୀ ଭିତରେ ଟଣା ଓଟରା ଲାଗି ରହୁଛି। କିଏ ପ୍ରଭାବିତ ତାକୁ ଆଗ ଦେବା ଅପେକ୍ଷା ନିଜର ଆବଶ୍ୟକତାଠାରୁ ଅଧିକ ମାଡ଼ି ବସି ପ୍ରାକୃତିକ ବିପର୍ଯ୍ୟୟରେ ବି କୁବେର ହେବାର ନିଶାରେ ଘାରି ହେଉଛି। ଗରୀବ ବିଧବା କିମ୍ବା ଦିବ୍ୟାଙ୍ଗ ଭାଗରେ ବରଂ ପାଲ ନ ପଡୁ, ଥିଲାବାଲା ଲୋକ କିନ୍ତୁ ନିଜ ପାଇଁ ଖଣ୍ଡେ ଖଣ୍ଡେ କରି ରିଲିଫ୍ ସାମଗ୍ରୀ ଲୁଟ୍ କରିବାର ଯୋଜନାରେ ରହୁଛି। ନିଜର ପଇସା ଆଉ କ୍ଷମତା ବଳରେ ନିଜ ସହିତ ସରକାରୀ ଅଫିସର, କିରାଣୀମାନଙ୍କୁ ଯୋଡ଼ିବାର ଚେଷ୍ଟା ଅପଚେଷ୍ଟା ବି ହେଉଛି।

ଯାହା ଲାଗୁଛି ଲୋକ ନିଜ ଭିତରେ ଥିବା ସଂପ୍ରୀତି, ଭାଇଚାରା ସହୃଦୟତାକୁ ବଳି ପକାଇ ସରକାରୀ କଳର ଯତ୍ କିଂଚିତ୍ ସହାୟତା ପାଇବାକୁ ବେଶ୍ ସହଜରେ ଗ୍ରହଣ କରି ନେଇଛନ୍ତି। ପାଖରେ ବିପଦରେ ପଡ଼ିଥିବା ସଖା, ସହୋଦର ଏବଂ ବଂଧୁ ଜଣଙ୍କୁ ସାହାଯ୍ୟ କରିବା ଅପେକ୍ଷା ତାଙ୍କୁ ସରକାରୀ ସହାୟତା ଆଶାରେ ଛାଡ଼ିଦେବାର ଗୋଟିଏ କଦର୍ଯ୍ୟ ପରମ୍ପରା ନିଜ ଜାଣତ କିମ୍ବା ଅଜାଣତରେ ସୃଷ୍ଟି କରୁଛି। ହୁଏତ ଦିନ ଆସିବ ଆମେ ବୈଜ୍ଞାନିକ ବ୍ୟବସ୍ଥା ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟରୁ ମୁକ୍ତି ପାଇବାର ତରିକା ବାହାର କରି ପାରିବା, ହେଲେ ନିଜ ଭିତରେ ଦୈନନ୍ଦିନ ଘଟୁଥିବା ଏହି ବିପର୍ଯ୍ୟୟ ଉପରେ ସତରେ କ’ଣ ବିଜୟଲାଭ କରିବା ସମ୍ଭବ? ବନ୍ୟାକୁ ପର୍ଯ୍ୟଟନର ଅବସର ବୋଲି ଭାବୁଥିବା ମଣିଷ ପାଖରେ ବୋଧହୁଏ ଏ ପ୍ରଶ୍ନର ବି ଉତ୍ତର ନଥିବ। କେବଳ ସମୟକୁ ଅପେକ୍ଷା କରିବା ଛଡ଼ା ଆମ ପାଖରେ ଆଉ କିଛି ବିକଳ୍ପ ବି ନାହିଁ ଯେ।

ଧବଳଗିରି, ଯାଜପୁର ରୋଡ

ଫୋ-୭୯୭୮୬୭୧୭୭୬

Odisha Flood Flood Management Flood Tourism