/odisha-reporter/media/post_attachments/uploadimage/library/16_9/16_9_0/IMAGE_1744887406.jpg)
Lower Suktel Dam Project
ରବି ଦାସ
ବଲାଙ୍ଗୀର ଜିଲ୍ଲାରେ ଖୋଦ୍ ବଲାଙ୍ଗୀର ବ୍ଲକ୍ରେ ନିର୍ମିତ ହୋଇଥିବା ଲୋୟର ସୁକତେଲ୍ ଜଳସେଚନ ଡ୍ୟାମ୍ ଯେତେବେଳେ ପରିକଳ୍ପନା କରାଯାଇଥିଲା, ସେତେବେଳେ ବଲାଙ୍ଗୀର ଜିଲ୍ଲାରେ ଏକ ଆଶା ଓ ବିଶ୍ୱାସର ବାତାବରଣ ଥିଲା। କାରଣ ଓଡ଼ିଶାରେ ଜଳସେଚନ ଦୃଷ୍ଟିରୁ ଦେଖିଲେ ଯଦି କେଉଁ ଜିଲ୍ଲାରେ ଜଳସେଚନ ବ୍ୟବସ୍ଥା ଶତକଡ଼ା ୧୦ ଭାଗ ଅତିକ୍ରମ କରିପାରିନାହିଁ ସେହି ଜିଲ୍ଲାଟି ହେଉଛି ବଲାଙ୍ଗୀର।
୨୦୦୧ ମସିହାରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାର ମାତ୍ର ବର୍ଷକ ପରେ ଏହି ଡ୍ୟାମ୍ ପାଇଁ ଶିଳାନ୍ୟାସ କରିଥିଲେ। ସେତେବେଳେ ଏହି ପ୍ରକଳ୍ପରେ ମାତ୍ର ୨୧୭ କୋଟି ଟଙ୍କା ଖର୍ଚ୍ଚ ହେବାର ହିସାବ କରାଯାଇଥିଲା। କିନ୍ତୁ ଏହି ପ୍ରକଳ୍ପ ଯଦିଓ ସବୁ ଦୃଷ୍ଟିରୁ ଶେଷ ହୋଇନାହିଁ ତଥାପି ସେଥିରେ ୨,୭୨୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ହିସାବ କରାଯାଇଛି। ଅର୍ଥାତ୍ ପ୍ରାରମ୍ଭିକ ଆକଳନର ୧୦ ଗୁଣ ଅର୍ଥ ଏଥିରେ ଖର୍ଚ୍ଚ ହୋଇଛି। ତଥାପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ନିର୍ବାଚନ ପୂର୍ବରୁ ଜାନୁଆରୀ ମାସରେ ଡ୍ୟାମ୍ର ଉଦ୍ଘାଟନ କରିଦେଲେ। ଏବେ କିନ୍ତୁ ଯିଏ ବି ଗଲେ ଦେଖିପାରିବ ଯେ, ଡ୍ୟାମ୍ରେ ଆଦୌ ପାଣି ନାହିଁ ବା ଏହି ଜଳସେଚନ ପ୍ରକଳ୍ପ ଦ୍ୱାରା କୌଣସି ଜମି ଜଳସେଚିତ ହେଉନାହିଁ। ହୁଏତ ଏଥିପାଇଁ ଆଉ ଦୁଇବର୍ଷ ସମୟ ଲାଗିବ।
କିନ୍ତୁ ଡ୍ୟାମ୍ରେ ପାଣି ନଥିଲେ ମଧ୍ୟ ଗତ ବର୍ଷା ସମୟରେ ପାଣି ପଶିଯିବାର ଆଶଙ୍କା ସୃଷ୍ଟିକରି ସେହି ଡ୍ୟାମ୍ ଯୋଗୁ ବିସ୍ଥାପିତ ହେବାକୁ ଥିବା ୨୯ଟି ଗ୍ରାମର ପ୍ରାୟ ୩୦ ହଜାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପୋଲିସ୍ ବଳ ପ୍ରୟୋଗ କରି ଜବରଦସ୍ତ ବିସ୍ଥାପିତ କରିଦେଲେ। ଏହି ଯେଉଁମାନଙ୍କୁ ବିସ୍ଥାପିତ କରାଗଲା ସେମାନେ ବିସ୍ଥାପନ ବିରୋଧରେ ଆନ୍ଦୋଳନ କରିଥିଲେ ମଧ୍ୟ ସରକାରଙ୍କ ପ୍ରଚେଷ୍ଟାରେ ଓ ସେଠାରେ ସ୍ଥାନୀୟ ରାଜନେତାମାନଙ୍କର ନୀରବତା ଯୋଗୁ ବିସ୍ଥାପନ ଆଇନରେ ସେମାନଙ୍କୁ କେଉଁଥିରେ କେତେ କ୍ଷତିପୂରଣ ମିଳିବ ତାହା ହିସାବ କରି ପର୍ଯ୍ୟାୟକ୍ରମେ ଅଧିକାରୀମାନଙ୍କ ଠାରୁ ସେହି ଅର୍ଥ ନେଇଛନ୍ତି। ଆଶ୍ଚର୍ଯ୍ୟର କଥା ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ ସରକାରଙ୍କ କଥାରେ ପ୍ରଭାବିତ ହୋଇ କ୍ଷତିପୂରଣ ନେଇଗଲେ ସେମାନେ ରାଜ୍ୟ ସରକାରଙ୍କର ୨୦୦୬ ଆଇନ ଅନୁଯାୟୀ କ୍ଷତିପୂରଣ ପାଇଲେ। କିନ୍ତୁ ଯେଉଁ ଆକର୍ଷଣୀୟ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ୟୁପିଏ ସରକାର ସମୟରେ ୨୦୧୩ରେ ପ୍ରଣୟନ କରାଯାଇଥିଲା ଯେଉଁଥିରେ ଜମି ମାଲିକମାନେ ବଜାର ମୂଲ୍ୟଠାରୁ ପ୍ରାୟ ୪ ଗୁଣ ଦରରେ ମୂଲ୍ୟ ପାଉଥିଲେ ସେହି ସୁବିଧା କେବଳ ଯେଉଁମାନେ କ୍ଷତିପୂରଣ ପ୍ରଥମରୁ ନେଇନଥିଲେ ସେହିମାନେ ପାଇଲେ।
ଗୋଟିଏ ପ୍ରକଳ୍ପରେ ଓ ସମାନ ସମୟରେ ବିସ୍ଥାପିତ ହୋଇଥିବା ଲୋକ ୨ଟି ଆଇନରେ କ୍ଷତିପୂରଣ ଓ ଥଇଥାନ ସୁବିଧା ପାଇବା କଦାପି ଗ୍ରହଣୀୟ ନୁହେଁ। ବରଂ ଯେଉଁମାନେ ପ୍ରଥମରୁ ସରକାରଙ୍କ ଠାରୁ ବିସ୍ଥାପନ ପାଇଁ କ୍ଷତିପୂରଣ ନେଇଥିଲେ ସେମାନେ ଏହି ପ୍ରକଳ୍ପକୁ ମନୋବଳ ଯୋଗାଇବାରେ ବଡ଼ ଭୂମିକା ନେଇଥିଲେ। ତେଣୁ ଯଦି ପରେ କ୍ଷତିପୂରଣ ପାଇଥିବା ବିସ୍ଥାପିତଙ୍କୁ ୨୦୧୩ ଆଇନ ଅନୁସାରେ ସୁଯୋଗ ଦିଆଗଲା ତେବେ ପୂର୍ବରୁ କ୍ଷତିପୂରଣ ନେଇଥିବା ଲୋକମାନେ ଏହା ପାଇବେନାହିଁ କାହିଁକି?
ଏହି ୩୦ ହଜାର ଲୋକଙ୍କୁ ଯେତେବେଳେ ଡ୍ୟାମ୍ରେ ପାଣି ଭର୍ତ୍ତି ହୋଇଯିବା ଯୋଗୁ ଗାଁ ବୁଡ଼ିଯିବ କହି ପ୍ରଶାସନ ବିସ୍ଥାପିତ କରିଥିଲା ସେମାନଙ୍କ ଥଇଥାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିନଥିଲା। ସେମାନଙ୍କୁ ଗାଡ଼ି ମଟର ଓ ଟ୍ରକ୍ରେ ଆଣି ବିସ୍ଥାପିତ ଲୋକମାନେ ରହିବା ପାଇଁ ପ୍ରସ୍ତୁତ ଟିଣ ଘରଗୁଡ଼ିକରେ ଭର୍ତ୍ତି କରିଦେଲେ। ଏହି ଲୋକମାନଙ୍କ ପାଇଁ ପାଖପାଖ ତିନୋଟି ବ୍ଲକ୍ରେ ଯେଉଁ ବିସ୍ଥାପିତ ଶିବିର କରାଯାଇଛି ସେଠାରେ ସେମାନଙ୍କୁ ପରିବାର ପିଛା ୪ ଗୁଣ୍ଠ କିମ୍ବା ୫ ଗୁଣ୍ଠ ଜମି ଘର ପାଇଁ ଦିଆଯାଇଛି। ଅର୍ଥାତ୍ ଏହି ସ୍ଥାନଗୁଡ଼ିକରେ ସେମାନେ ଘର କଲେ ଯାଇଁ ଏହି ଟିଣ ଘରରୁ ମୁକ୍ତି ପାଇପାରିବେ। ବଲାଙ୍ଗୀର ପରି ଅଂଚଳରେ ଟିଣ ଘରେ କାହାକୁ ରଖିବା ବସ୍ତୁତଃ ଦଣ୍ଡଦେବା ସହିତ ସମାନ।
ଏହି ବିସ୍ଥାପିତ ଲୋକମାନେ ଯେତେବେଳେ ବିସ୍ଥାପନ ବିରୋଧରେ ପ୍ରଥମେ ଲଢ଼େଇ କରୁଥିଲେ ସେତେବେଳେ ଏକ ବନଦୁର୍ଗା ମନ୍ଦିର ସ୍ଥାପନ କରି ସେହିଠାରୁ ଆଶୀର୍ବାଦ ନେଇ ଲଢ଼ିବାକୁ ଶପଥ ନେଇଥିଲେ। ଏହି ଲୋକମାନେ ମୁକାବିଲା ବା ହିଂସାକୁ ପସନ୍ଦ ନକରି ସେମାନଙ୍କର ଦାବି ଓ ହକ୍କୁ ରାଜ୍ୟ ସରକାର ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥାରେ ବିଚାର କରିବେ ବୋଲି ଆଶା କରିଥିଲେ। କିନ୍ତୁ ସେମାନଙ୍କୁ ବିସ୍ଥାପନ କରିବା ସମୟରେ ସରକାର ଭୁଲିଗଲେ ଯେ, ଜମି ବଦଳରେ କିଛି ଆର୍ଥିକ କ୍ଷତିପୂରଣ ବା ଘର ପାଇଁ କିଛି ସହାୟତା ଦେଇଦେଲେ ତାହା ଯଥେଷ୍ଟ ନୁହେଁ, ଅଧିକନ୍ତୁ ଜଣେ ବ୍ୟକ୍ତି ବା ଗୋଟିଏ ଗ୍ରାମବାସୀ ଗାଁରେ ଥିବା ସମୟରେ ଯେଉଁସବୁ ଅନ୍ୟ ସୁବିଧା ପାଉଥିଲେ ତାହା ନୂଆ ବସତିରେ ସେମାନେ ପାଇବାକୁ ନ୍ୟାୟତଃ ହକ୍ଦାର୍।
ପ୍ରଥମ କଥା ହେଲା, ଯାହାର ଜମି ଚାଲିଗଲା ତା’ର ଜୀବିକା ମଧ୍ୟ ଚାଲିଗଲା। ଯେଉଁ ଆର୍ଥିକ ସୁବିଧା ପାଇଛନ୍ତି ସେଥିରେ ସେ ଘରଟିଏ କରିପାରନ୍ତି। ଯାହାକି ଏବେ ସବୁ ନାଗରିକଙ୍କୁ ବା ବାସହୀନ ଲୋକମାନଙ୍କୁ ଜମି ଓ ପ୍ରଧାନମନ୍ତ୍ରୀ ଆବାସରେ ଘର ଯୋଗାଇଦେବାର ବ୍ୟବସ୍ଥା ଅଛି। କିନ୍ତୁ ଏହି ବିସ୍ଥାପିତ ଲୋକମାନେ ଟିଣ ଘରୁ ମୁକ୍ତି ପାଇବା ପାଇଁ ନିଜେ ପାଇଥିବା ଅର୍ଥରେ ଘରଟିଏ କରିପାରନ୍ତି। କିନ୍ତୁ ଚାଷଜମି ନଥିବାରୁ ସେମାନଙ୍କର କୌଣସି ଜୀବିକା ନାହିଁ। ଯେଉଁମାନଙ୍କର ୧୦ ଏକର ବା ୧୫ ଏକର ବା ଏପରିକି ୫ ଏକର ବା ତା’ ଠାରୁ କମ୍ ଜମି ଥିଲା ସେମାନଙ୍କର ତାହାକୁ ନେଇ ଏକ ଜୀବିକା ଥିଲା। ଚାଷ ବ୍ୟତୀତ ଏମାନେ ଆଉ କ’ଣ କରିପାରିବେ? କିନ୍ତୁ ସେମାନଙ୍କୁ ଚାଷଜମି ଦିଆଗଲା ନାହିଁ।
ଦ୍ୱିତୀୟରେ, ଜଣେ ଜମିହୀନ ଲୋକ ମଧ୍ୟ ଗାଁରେ ଚାଷ ଜମିରେ ମୂଲଲାଗି ବା ଛେଳି, ଗାଈ ରଖି ଜୀବିକା ଅର୍ଜନ କରୁଥିଲା। ଏବେ ଏହି ନୂଆ ବସତିରେ ସେ କରିବ କ’ଣ? ତାହାଠାରୁ ବଡ଼ ସମସ୍ୟା ହେଉଛି ଏହି ନୂଆ ବସତିଗୁଡ଼ିକରେ ପାନୀୟ ଜଳ ପାଇଁ କିଛି ବ୍ୟବସ୍ଥା ନାହିଁ। ବ୍ଲକ୍ ପଇସାରେ ଗୋଟିଏ ଦୁଇଟି ଟିଉବୱେଲ୍ ହୋଇଥିଲେ ମଧ୍ୟ ଗାଁ ଲୋକଙ୍କ ପାଇଁ ଏହା ଯଥେଷ୍ଟ ନୁହେଁ। ସବୁଠାରୁ ବଡ଼ କଥା ଯେ, ଏହି ବସତିଗୁଡ଼ିକରେ କୌଣସି ପୋଖରୀ ନାହିଁ। କୌଣସି ବସତିରେ ଯଦି ପୋଖରୀ ନରୁହେ ତେବେ ଗ୍ରାମବାସୀ ଗାଧେଇବା ଓ ଅନ୍ୟ କାର୍ଯ୍ୟ କରିବେ କିପରି? ଆହୁରି ବଡ଼କଥା ଯେ, ଗତ ଦୁଇବର୍ଷ ହେଲା ଏହି ଲୋକମାନଙ୍କୁ ଜବରଦସ୍ତ ଆଣି ବସତିରେ ରଖାଯାଇଥିଲେ ମଧ୍ୟ ସେଠାରେ ଛୋଟ ପିଲାମାନେ ପଢ଼ିବା ପାଇଁ କୌଣସି ପ୍ରାଥମିକ ସ୍କୁଲ୍ ନାହିଁ। ଗାଁରେ କେହି ଜଣେ ମୃତ୍ୟୁବରଣ କଲେ ତାହାର ଶବ ସତ୍କାର ପାଇଁ ଶ୍ମଶାନଟିଏ ବି ନାହିଁ। କାରଣ ଏହି ସବୁ ବସତିଗୁଡ଼ିକ ସରକାରୀ ବ୍ୟବସ୍ଥାରେ ରାଜସ୍ୱ ଗ୍ରାମର ମାନ୍ୟତା ପାଇନି।
ଏଣୁ ଅନେକ ଭାବରେ ଏହି ଲୋକମାନେ ସାଧାରଣ ନାଗରିକର ଯେଉଁ ପାରମ୍ପରିକ ଅଧିକାର ରହିଛି ପାଉନାହାନ୍ତି। ନିକଟରେ ବିସ୍ଥାପିତ ପରିବାରମାନଙ୍କ ପକ୍ଷରୁ ବନଦୁର୍ଗା ଉତ୍ସବ କରାଯାଇ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଲୋକମାନଙ୍କୁ ଡାକି ସେମାନଙ୍କର ଦାବି ବା ଅସୁବିଧା ଦୃଷ୍ଟିକୁ ଆଣିଛନ୍ତି। ଯେଉଁମାନଙ୍କ ବିସ୍ଥାପନ ଯୋଗୁ ବଲାଙ୍ଗୀର ପରି ଜଳସେଚନ ଦୃଷ୍ଟିରୁ ବହୁ ପଛରେ ଥିବା ଏକ ଜିଲ୍ଲାରେ ଏକ ବଡ଼ ପ୍ରକଳ୍ପ ସମ୍ଭବ ହେଲା ସେମାନଙ୍କୁ ସରକାର ବା ସାଧାରଣ ଲୋକ ଭୁଲିଯିବା ଘୋର ଅନ୍ୟାୟ। ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି। ହେଲେ ଯେଉଁମାନଙ୍କ ପାଇଁ ଏହି ପ୍ରକଳ୍ପ ସମ୍ଭବ ହେଲା ସେମାନଙ୍କୁ ରାଜ୍ୟ ସରକାର ଭୁଲିଯିବା ଘୋର ଅନ୍ୟାୟ। ଅତୀତରେ ହୀରାକୁଦ ଠାରୁ ଆରମ୍ଭ କରି ଅନେକ ଯୋଜନାରେ ବିସ୍ଥାପିତମାନେ ବର୍ଷବର୍ଷ ଧରି ସେମାନଙ୍କ ନ୍ୟାୟ ଓ ଅଧିକାର ପାଇନଥିବାରୁ ବିସ୍ଥାପନ ସମସ୍ୟା ଆସିବା କ୍ଷଣି ଲୋକମାନେ ଏହାର ତୀବ୍ର ବିରୋଧ କରିବାକୁ ବାଧ୍ୟ ହେଉଛନ୍ତି।
ଘରପିଛା ଯେଉଁ ସାହାଯ୍ୟ ଦିଆଗଲା ସେଥିରେ ପରିବାରର ୧୮ ବର୍ଷରୁ ବଡ଼ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ସାହାଯ୍ୟ ଦିଆଯିବା କଥା। କିନ୍ତୁ ତାହା ଦିଆଯାଇନାହିଁ। ମୋଟାମୋଟି ଭାବରେ ଅତ୍ୟନ୍ତ ଅବ୍ୟବସ୍ଥିତ ଭାବରେ ଏହି ବିସ୍ଥାପିତ ଲୋକମାନେ ଜୀବିକା ହରାଇ ଓ ମୌଳିକ ସୁବିଧାରୁ ବଂଚିତ ହୋଇ ଯେପରି କାଳତିପାତ କରୁଛନ୍ତି ତାହା ରାଜ୍ୟର ବିକାଶର ସ୍ଲୋଗାନ ଦେଉଥିବା ସରକାର ପାଇଁ କଦାପି ଏକ ଗ୍ରହଣୀୟ ସୂଚକାଙ୍କ ହେବନାହିଁ।
ଗଲା ନିର୍ବାଚନରେ ରାଜ୍ୟରେ ସରକାରର ପରିବର୍ତ୍ତନ ହୋଇଛି। ମୋହନ ଚରଣ ମାଝୀଙ୍କ ପରି ଜଣେ ଆଦିବାସୀ ନେତା ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଏହି ବିସ୍ଥାପିତ ଲୋକମାନଙ୍କର ସମସ୍ୟାକୁ ଅଗ୍ରାଧିକାର ଭିତ୍ତିରେ ବିଚାର ପାଇଁ ସ୍ୱତନ୍ତ୍ର ଭାବରେ ଏକ କମିଟି ଗଠନ କରିବା ଉଚିତ୍। ସେମାନଙ୍କର ଯେଉଁ ମୁଖ୍ୟ ସମସ୍ୟା ଅଗ୍ରାଧିକାର ଭିତ୍ତିରେ ବିଚାର କରାଯିବା ଉଚିତ ସେଥିରେ ଗୋଟିଏ ହେଲା ଗୋଟିଏ ପ୍ରକଳ୍ପରେ ଦୁଇ ପ୍ରକାର ଆଇନରେ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କରାନଯାଇ ୨୦୧୩ ଆଇନରେ ସମସ୍ତ ବ୍ୟବସ୍ଥା ହେବା। ଯେଉଁମାନେ ଚାଷଜମି ହରାଇଛନ୍ତି ସେମାନଙ୍କୁ ସେହି ପରିମାଣରେ ନହେଲେ ମଧ୍ୟ ସର୍ବନିମ୍ନ ୩-୪ ଏକର ପର୍ଯ୍ୟନ୍ତ ଚାଷଜମି ଦେବାର ବ୍ୟବସ୍ଥା ହେଲେ ସେମାନଙ୍କ ଜୀବିକା ରକ୍ଷା ହେବ। ଯେଉଁମାନେ ଭୂମିହୀନ ସେମାନଙ୍କୁ ଜବରଦସ୍ତି ଟିଣଘରେ ନରଖି ସମସ୍ତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହନିର୍ମାଣ କରି ଯୋଗାଇ ଦିଆଯିବା ଉଚିତ୍। ପାନୀୟ ଜଳର ସ୍ଥାୟୀ ସୁବିଧା ସହିତ ଲୋକମାନେ ଗାଧୋଇବା ପାଇଁ ପ୍ରତ୍ୟେକ ବିସ୍ଥାପିତ ଶିବିରଗୁଡ଼ିକରେ ପୋଖରୀ ନିର୍ମାଣ କାର୍ଯ୍ୟ ତୁରନ୍ତ କରାଯିବା ଉଚିତ୍। ଛୋଟ ପିଲାମାନେ ଯେପରି ଶିକ୍ଷା ଅଧିକାର ଆଇନ ଅନୁସାରେ ପ୍ରାଥମିକ ସ୍କୁଲ୍ରେ ପାଠ ପଢ଼ିପାରିବେ ସେଥିପାଇଁ ପ୍ରତ୍ୟେକ ଶିବିରରେ ପ୍ରାଥମିକ ସ୍କୁଲ ଉପଯୁକ୍ତ ଶିକ୍ଷକ ସହ ଚଳିତ ବର୍ଷ ଆରମ୍ଭ କରାଯିବା ଉଚିତ୍। ପିଲାମାନେ ଖେଳାଖେଳି କରିବା ପାଇଁ ଓ ଏହି ଶିବିରଗୁଡ଼ିକରେ ଲୋକମାନେ ଛେଳି ଗାଇ ରଖିବା ପାଇଁ ପଡ଼ିଆ ସୁବିଧା ନିହାତି କରାଯିବା ଆବଶ୍ୟକ।
ବିସ୍ଥାପିତ ଲୋକମାନଙ୍କର ଗତ ବନଦୁର୍ଗା ମହୋତ୍ସବରେ ଯୋଗଦେବା ପାଇଁ ଏହି ସାମ୍ବାଦିକ ଜଣକ ଯାଇଥିବା ସମୟରେ ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରାନଗଲେ ମେ ମାସ ୧୦ ତାରିଖ ପରେ ସେମାନେ ବାଧ୍ୟ ହୋଇ ନିଜ ନିଜ ଗାଁକୁ ଫେରିଯାଇ ଜନ୍ମମାଟିରେ ରହିବା ପାଇଁ ବଦ୍ଧପରିକର। ଯେହେତୁ ଏବେ ଡ୍ୟାମ୍ରେ ପାଣି ନାହିଁ, ସେହେତୁ ବିସ୍ଥାପିତମାନେ ଏହି ପଦକ୍ଷେପ ନେଲେ ସରକାର ଭବିଷ୍ୟତ ପାଇଁ ଅଡୁଆରେ ପଡ଼ିବେ। ଏହି ଜଳସେଚନ ପ୍ରକଳ୍ପକୁ ସଂପୂର୍ଣ୍ଣ କରି ଚାଷୀମାନଙ୍କୁ ଜଳ ଯୋଗାଇବା ପାଇଁ ଯେଉଁ ମେଗା ଉଠା ଜଳସେଚନ ପ୍ରକଳ୍ପର ଚିନ୍ତା କରାଯାଇଛି ତାହା ଆଉ ଆଦୌ ବିଳମ୍ବିତ ହେବା ଉଚିତ୍ ନୁହେଁ। ଏହି ପ୍ରକଳ୍ପ ସଂକ୍ରାନ୍ତରେ ସିଏଜି ଏକ ପୂର୍ଣ୍ଣାଙ୍ଗ ଅଡିଟ୍ କରିବା ଜରୁରୀ ବୋଲି ଅନୁଭବ କରାଯାଉଛି।
ମୋ- ୮୦୧୮୦୯୪୪୫୫
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
