Advertisment

ଭାଗ୍ୟବାନ ନବୀନ

ପିତା ବିଜୁ ବାବୁ ଥିଲେ ବେଖାତିର; ପୁତ୍ର ନବୀନ କିନ୍ତୁ ସ୍ୱାର୍ଥପର। ଏହି ସ୍ୱାର୍ଥସର୍ବସ୍ୱ ଦୃଢ଼ ମନୋଭାବ ହିଁ ନବୀନଙ୍କୁ ରାଜନୈତିକ ସିଦ୍ଧାନ୍ତରେ ପହଞ୍ଚାଇ ଦେଇଥିଲା ଓ ଏହି ଗୁଣଟି ହିଁ ତାଙ୍କୁ ଏତେ ଦିନ ଧରି ରାଜନୀତିରେ ରଖିପାରିଛି।

naveen

Naveen Patnaik Photograph: (Internet)

Advertisment

ଜାନକୀଶ ବଡ଼ପଣ୍ଡା

‘ମୋ ପିତା କହନ୍ତି ଯେ ଜଣେ ରାଜନୀତି ସମ୍ପର୍କରେ କିଛି ହିଁ ଜାଣି ନାହାନ୍ତି, ଯେତେଦିନ ଯାଏଁ ସେ ସର୍ବନିମ୍ନ ଦଶ ବର୍ଷ କ୍ଷମତା ବାହାରେ ରହି ନାହାନ୍ତି’। ଏକଥା ଥରେ  କହିଥିଲେ, ବିଜୁ ଜନତା ଦଳର ଅଧ୍ୟକ୍ଷ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେ ବିରୋଧୀ ନେତା ନବୀନ ପଟ୍ଟନାୟକ। ନବୀନଙ୍କ ଭାଷାରେ, ‘My father used to say that you haven't learnt anything about politics unless you've been out of power for at least 10 years.’

Advertisment

ବିଜୁବାବୁଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା ୧୯୪୬ ମସିହାରେ। ୧୯୯୭ ମସିହାରେ ତାଙ୍କର ମୃତ୍ୟୁ ଯାଏଁ ସେ ପ୍ରତ୍ୟକ୍ଷ ରାଜନୀତିରେ ରହିଥିଲେ। ଏହି ଅର୍ଦ୍ଧଶତାବ୍ଦୀର କାଳଖଣ୍ଡରେ ସେ ଓଡ଼ିଶା ବିଧାନସଭାରେ ୧୦ ବର୍ଷ ଏବଂ ସଂସଦରେ ପ୍ରାୟ ୬ ବର୍ଷ କାଳ ବିରୋଧୀ ଦଳରେ ବସିଥିଲେ। ସେଇଥିପାଇଁ ସେ ଭାରତୀୟ ରାଜନୀତିର ବିବିଧତା ସହିତ ରାଷ୍ଟ୍ର-ପ୍ରଦେଶ ସମ୍ପର୍କରେ ନିଜସ୍ୱ ବିଚାର ରଖି ସମଗ୍ର ଦେଶରେ ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏବଂ ୨୦୪୭ ମସିହାରେ ସ୍ୱାଧୀନତା ହେବାର ଶହେ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ଉପଲକ୍ଷେ ତଥା ତାହାର ପରବର୍ତ୍ତୀ କାଳରେ ଓଡ଼ିଶାର ରାଜନୈତିକ ଇତିହାସ ଲେଖାଯିବାବେଳେ ଉଭୟ ବିଜୁବାବୁ ଓ ତାଙ୍କର ସାନପୁଅ ନବୀନ ପଟ୍ଟନାୟକଙ୍କ ବିଷୟରେ ଲେଖିବାକୁ ଇତିହାସକାରମାନେ ବସ୍ତୁତଃ ବାଧ୍ୟ ହେବେ। ବିଜୁଙ୍କ ନାମ ଅଦମ୍ୟ ସାହସିକତା ତଥା ରାଷ୍ଟ୍ରନୀତି ପାଇଁ ଉଲ୍ଲେଖ ହେବାବେଳେ ନବୀନ ପଟ୍ଟନାୟକଙ୍କ ନାମ ସ୍ୱାର୍ଥପରତା ତଥା ପ୍ରତିହିଂସା ପରାୟଣତାର ଉଦାହରଣୀୟ ବ୍ୟକ୍ତିସତ୍ତା ଭାବେ ଉଲ୍ଲେଖ ହେବ। 

୧୯୯୭ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନବୀନ ପଟ୍ଟନାୟକ ଓଡ଼ିଶା ରାଜନୀତିର ପିଚ୍ଛିଳ ପଡ଼ିଆକୁ ଅନିଚ୍ଛାକୃତ ଭାବେ ଲମ୍ଫ ପ୍ରଦାନ କରିଥିଲେ। ଏହାହିଁ ଥିଲା ଏକ ଐତିହାସିକ ଘଟଣା, ଯାହା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ବିଜୁଙ୍କ ଅବର୍ତ୍ତମାନରେ ଅନୁଷ୍ଠିତ ଉପନିର୍ବାଚନରେ ନବୀନ ସେହିବର୍ଷ ଆସିକା ସଂସଦୀୟ କ୍ଷେତ୍ରରୁ ପ୍ରଥମ ଥର ପାଇଁ ଜନତା ଦଳ ସାଂସଦ ଭାବେ ନିର୍ବାଚିତ ହେଲେ। ସେହି ବର୍ଷ ଜନତା ଦଳରେ ବିଭାଜନ ହେଲା ଏବଂ ବିଜୁ ଜନତା ଦଳ ଗଠନ ହେଲା। ୧୯୯୮ ମସିହାରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ସେ ବିଜେଡି ସାଂସଦ ଭାବେ ଆସିକା ସଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହେଲେ ଏବଂ କେନ୍ଦ୍ରମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କଲେ। ସେହି ସମୟରେ ବିଜୁ ଜନତା ଦଳ କେନ୍ଦ୍ରରେ ଭାଜପା ନେତୃତ୍ୱରେ ଗଠିତ ଏନଡିଏ ଗଠବନ୍ଧନ ସରକାର ଥାଏ ଏବଂ ପ୍ରଧାନମନ୍ତ୍ରୀ ଥାଆନ୍ତି ଅଟଳ ବିହାରୀ ବାଜପେୟୀ। ଏନଡିଏ ଗଠବନ୍ଧନ ସରକାରରୁ ଏଆଇଡିଏମକେ ସମର୍ଥନ ପ୍ରତ୍ୟାହାର କରିନେବାରୁ ୨୦୦୦ ମସିହାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା, ଯେଉଁଥିରେ ଭାଜପା-ବିଜେଡି ମେଣ୍ଟ ଚମତ୍କାର ପ୍ରଦର୍ଶନ କରିଥିଲା। ବିଜେଡିର ୯ ଜଣ ସାଂସଦ ଏବଂ ୬୮ ବିଧାୟକ ବିଜୟଲାଭ କଲେ ଏବଂ ନବୀନ ବାବୁ ଭାଜପାର ୩୮ ଜଣ ବିଧାୟକଙ୍କ ମେଣ୍ଟ-ସମର୍ଥନ ସହିତ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ। ଏହି ମେଣ୍ଟ ୨୦୦୯ ମସିହାରେ ଭାଙ୍ଗିଯିବା ପରେ ଯେଉଁ ନିର୍ବାଚନ ହେଲା ସେଥିରେ ବିଜେଡି ୧୪ ଜଣ ଲୋକସଭା ସାଂସଦ ଏବଂ ୧୦୩ ଜଣ ବିଧାୟକଙ୍କୁ ଜିତାଇ ଏକାକୀ ସରକାର ଗଢିଲା। ତୃତୀୟ ଥର ପାଇଁ ନବୀନ ମୁଖ୍ୟମନ୍ତ୍ରୀ ହେଲେ। 

Advertisment

ସେହିପରି ସମଗ୍ର ଦେଶରେ ଭାଜପା ସପକ୍ଷରେ ମୋଦିଲହର ଚାଲିଥିଲା ବେଳେ ୨୦୧୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ ନବୀନ ପୁନର୍ବାର କ୍ଷମତାକୁ ଆସିଥିଲେ। ମେ ୨୦୧୯ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ଲଗାତାର ପଞ୍ଚମ ବିଜୟ ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ ଥିଲା - କାହିଁକି ଓ କେମିତି ନବୀନ ବାରମ୍ବାର ନିର୍ବାଚନ ଜିତୁଛନ୍ତି ଓ ଏହା ପଛରେ ରାହସ୍ୟଟି କ’ଣ? ଲଗାତାର ଭାବେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହେବା ଓଡ଼ିଶାର ଅନ୍ୟ କୌଣସି ରାଜନେତାଙ୍କ ଭାଗ୍ୟରେ ଜୁଟିନଥିଲା, ଭବିଷ୍ୟତରେ ଜୁଟିବ କି ନାହିଁ ତାହା କଳ୍ପନା କରିହେଉନାହିଁ। ସତରେ, ନବୀନ ଜଣେ ଭାଗ୍ୟବାନ ମଣିଷ! ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହି ଉପଲବ୍ଧି ବିଶେଷ ମହତ୍ୱପୂର୍ଣ୍ଣ କୁହାଯାଇ ପାରିବ। କାରଣ ସେ ମୂଳରୁ ହିଁ ଅନିଚ୍ଛାକୃତ ଭାବେ ରାଜନୀତି କ୍ଷେତ୍ରକୁ ଅଚାନକ ଲମ୍ଫ ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲେ। ନବୀନଙ୍କ ଭଳି  ଜଣେ କୁଣ୍ଠିତ ତଥା ଅନିଚ୍ଛୁକ ରାଜନେତା କ୍ଷମତା ବଳୟରେ ପ୍ରବେଶ କଲାପରେ ଯେ ଘଟଣାଚକ୍ରରେ ଏଭଳି ବିରଳ ସ୍ୱୀକୃତି ଲାଭ କରି ପାରିବେ, ତାହା ଏକ ଅବିଶ୍ୱସନୀୟ ସତ୍ୟ। ଏହା ଭାରତୀୟ ରାଜନୀତିରେ ବିରଳତମ ଘଟଣା ଭାବେ ଲିପିବଦ୍ଧ ହୋଇ ରହିବ।

ନବୀନ ପଟ୍ଟନାୟକ ରାଜନୀତିକୁ ଉତ୍ତରାଧିକାର ସୂତ୍ରରେ ପାଇଥିଲେ। କିନ୍ତୁ ଯେଉଁଭଳି ସ୍ଥିତିରେ ସେ ରାଜ୍ୟର ଶାସନ ଭାର ସମ୍ଭାଳିଥିଲେ ତାହା କିଛି କମ ଘଟଣାବହୁଳ ନଥିଲା। ୧୯୯୯ ମହାବାତ୍ୟାରେ ଉପକୂଳ ଓଡ଼ିଶାର ବହୁ ଅଞ୍ଚଳ ଧ୍ୱଂସ ହୋଇ ଯାଇଥିଲା ଏବଂ ଜୀବନ ଓ ଜୀବିକା ମଧ୍ୟ ଚାଲିଯାଇଥିଲା। ବନ୍ୟା, ବାତ୍ୟା ଓ ମରୁଡ଼ି ଭଳି ପ୍ରକୃତିକ ବିପର୍ଯୟ ତଥା ଅସ୍ଥିର ରାଜନୀତିକ କାରଣରୁ ଓଡ଼ିଶା କେବେ ବି ଗୁଜରାଟ କି ମହାରାଷ୍ଟ୍ର ଭଳି ବିକଶିତ ରାଜ୍ୟ ନଥିଲା। ବିପୁଳ ଖଣିଜ ସମ୍ପଦ ଓ ଅପାର ସମ୍ଭାବନା ସତ୍ତ୍ୱେ ଦାରିଦ୍ର୍ୟର କଷାଘାତ ଓ ପ୍ରକୃତିକ ବିପର୍ଯ୍ୟୟ ମଧ୍ୟରେ ଗତି କରୁଥିବା ଏକ ପଛୁଆ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ନିଶ୍ଚିତଭାବେ ଆହ୍ୱାନପୂର୍ଣ୍ଣ ଥିଲା।
ବିଜୁଙ୍କ ଅନୁଗାମୀ ଓ ସମର୍ଥକଙ୍କ କଥା ଭାଙ୍ଗି ନପାରି ନବୀନ ରାଜନୀତିର ପୋଖରୀ ଭିତରକୁ ଲମ୍ଫ ପ୍ରଦାନ କଲାପରେ ତାଙ୍କ ପାଇଁ ଆଉ ପଛକୁ ଫେରି ଚାହିଁବାର ଅବକାଶ ନଥିଲା। ପିତା ବିଜୁ ବାବୁ ଥିଲେ ବେଖାତିର; ପୁତ୍ର ନବୀନ କିନ୍ତୁ ସ୍ୱାର୍ଥପର। ଏହି ସ୍ୱାର୍ଥସର୍ବସ୍ୱ ଦୃଢ଼ ମନୋଭାବ ହିଁ ନବୀନଙ୍କୁ ରାଜନୈତିକ ସିଦ୍ଧାନ୍ତରେ ପହଞ୍ଚାଇ ଦେଇଥିଲା ଓ ଏହି ଗୁଣଟି ହିଁ ତାଙ୍କୁ ଏତେ ଦିନ ଧରି ରାଜନୀତିରେ ରଖିପାରିଛି।

ବିଜୁବାବୁଙ୍କ ନିଧନ ପରେ ଯେତେବେଳେ ଆସିକା ଲୋକସଭା ଆସନ ପାଇଁ ୧୯୯୭ରେ ଉପନର୍ବାଚନ ହେଲା ସେତେବେଳେ ହିଁ ନବୀନଙ୍କ ଦୃଢ଼ତାର ପରିପ୍ରକାଶ ଘଟିଥିଲା। ବିରୋଧୀ ଦଳ ତାଙ୍କୁ ଜଣେ ‘ବାହାରର ଲୋକ’ ବୋଲି ଚିତ୍ରିତ କରିବା ସହିତ ଓଡ଼ିଶାର ଭାଷା ଓ ସଂସ୍କୃତି ସମ୍ବନ୍ଧରେ ସେ ପୂରା ଅଜ୍ଞ ବୋଲି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ତାହା ବିଜୁବାବୁଙ୍କ ପ୍ରତି ଲୋକଙ୍କ ଦୁର୍ବଳତା, ମୃତ୍ୟୁପର ଅନୁକମ୍ପା କାରଣରୁ ପ୍ରଭାବ ଶୂନ୍ୟ ରହିଥିଲା।

ନବୀନ ପଟ୍ଟନାୟକଙ୍କ ଆଉ ଏକ ବୈଶିଷ୍ଟ୍ୟ ହେଲା ବିରୋଧୀ ମାନଙ୍କ ମୁଳୋତ୍ପାଟନ। ଏହି ବୈଶିଷ୍ଟ୍ୟର ପରିଚୟ ମିଳିଥିଲା ଯେତେବେଳେ ସେ ପ୍ରଥମେ ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ବିଜୟ ମହାପାତ୍ରଙ୍କୁ ଦୁଆର ଦେଖାଇ ଦେଇଥିଲେ। ବିଜୟଙ୍କ ରାଜନୈତିକ ଜୀବନରେ ଏହା ଥିଲା ପ୍ରଚଣ୍ଡତମ ଧକ୍କା, ଯେଉଁଥିରେ ତାଙ୍କର ରାଜନୈତିକ ପତିଆରା ବିଧ୍ୱସ୍ତ ହୋଇ ଯାଇଥିଲା। ପରେପରେ ତାଙ୍କର ଅନ୍ୟ ବିରୋଧି ମାନଙ୍କୁ ମଧ୍ୟ ସମାନ ଢଙ୍ଗରେ ନବୀନ ରାସ୍ତାରୁ ହଟାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ପରେ ରାଜନୀତିର ଜଟିଳତା ଥିବାର ଜାଣି ତାହାର ସମାଧାନ ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କ ଉପରେ ଗୋପନରେ ଦାୟିତ୍ୱ ନ୍ୟସ୍ତ କରି ଆସିଛନ୍ତି ନବୀନ। ଜଣେ କୁଶଳୀ ରଣନୀତିକାର ଭାବରେ ତାଙ୍କର ପରିଚୟ ସୃଷ୍ଟି କରାଯାଇ ଆସିଛି। ଜୀବନରେ ସାମ୍ବାଦିକ ସମ୍ମିଳନୀ କରିନଥିବା ନବୀନ କିନ୍ତୁ ଗଣମାଧ୍ୟମରେ ବହୁଚର୍ଚ୍ଚିତ ହୋଇ ରହି ଆସିଛନ୍ତି। ତାଙ୍କର ପ୍ରତିଟି ପଦକ୍ଷେପକୁ କୁହାଯାଏ ମାଷ୍ଟର୍ ଷ୍ଟ୍ରୋକ। ତାଙ୍କର ବିରୋଧିମାନେ କିନ୍ତୁ ଏହି ସମସ୍ତ ପଦକ୍ଷେପକୁ କେହି ଜଣେ ପ୍ରଶାସକଙ୍କ ମସ୍ତିଷ୍କ ପ୍ରସୂତ ବୋଲି ଅଭିଯୋଗ କରନ୍ତି। ସତେ ଯେମିତି, ନବୀନ ନିଜ ଆସନ ପ୍ରତି ବିପଦ ବ୍ୟତିତ ଅନ୍ୟ କିଛି ପ୍ରସଙ୍ଗରେ ଅନାଗ୍ରହୀ! ଅଭିଯୋଗ ପଛରେ ସତ୍ୟତା ରହିଛି। ପ୍ୟାରୀମୋହନ ମହାପାତ୍ର ୨୦୧୨ ଯାଏଁ ଏବଂ ତାହାପରଠାରୁ ଭି କେ ପାଣ୍ଡିଆନଙ୍କ ଉପରେ ରାଜ୍ୟର ଶାସନ ବ୍ୟବସ୍ଥା ତଦାରଖ ଦାୟିତ୍ୱ ଛାଡ଼ିଦେଇ ନବୀନ ଜନମାନସରେ କ୍ଷମତା ନିର୍ଲୋଭୀ ଭାବେ ଭ୍ରାନ୍ତି ସୃଷ୍ଟି କରି ଆସିଛନ୍ତି।  
ବସ୍ତୁତଃ, ଏହିସବୁ ଗୁଣ ଓ ସ୍ୱଭାବ ହିଁ ଦଳକୁ ଶୃଙ୍ଖଳିତ କରି କରିବାରେ ନବୀନଙ୍କୁ ସାହାଯ୍ୟ କରିଆସିଛି। ଅବିବାହିତ, ନିଃସନ୍ତାନ ନବୀନ ପ୍ରଥମ ଦୁଇ ପାଳିରେ ଦୁର୍ନୀତିର ଛାୟା ଦେଖିଲେ ଶୂନ୍ୟ-ସହନଶୀଳତା ପ୍ରଦର୍ଶନ କରି ନେତା, ମନ୍ତ୍ରୀଙ୍କ ବିରୁଦ୍ଧରେ ପଦକ୍ଷେପ ନେଇଥିବାରୁ ନିଆରା ରାଜନେତା ଭାବେ ଉଜ୍ଜ୍ୱଳ ଭାବମୂର୍ତ୍ତି ସୃଷ୍ଟି କରି ନିର୍ବାଚନ ସଫଳତା ପାଇ ଆସିଛନ୍ତି। ଦୃଢ଼ ତୃଣମୂଳ ସଙ୍ଗଠନ କାରଣରୁ ଅନ୍ୟ ଦଳ ମାନଙ୍କ ଠାରୁ ବିଜୁ ଜନତା ଦଳ କେବଳ ଆଗରେ ରହିଛି ତାହା ନୁହେଁ ଏକ ଆଞ୍ଚଳିକ ଦଳ ହେବା ସତ୍ତ୍ୱେ ରାଜ୍ୟରେ ଜାତୀୟ ଦଳଗୁଡ଼ିକୁ ଅପ୍ରାସଙ୍ଗିକ କରି ଆସିଛି।

ଭୋଟ୍ ରାଜନୀତିରେ ସଫଳତା ବ୍ୟତୀତ ନବୀନ-ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ ପ୍ରକାର କଲ୍ୟାଣମୂଳକ କାର୍ଯ୍ୟକ୍ରମ ଘୋଷଣା କରି ଆସିଛନ୍ତି। ବିଗତ ବର୍ଷମାନଙ୍କରେ ସୁଚିନ୍ତିତ ଭାବେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଜନାମାନ ପ୍ରସ୍ତୁତ କରିଛନ୍ତି ଏବଂ କିଛି କେନ୍ଦ୍ରୀୟ ଯୋଜନାକୁ ନିଜର ବୋଲି କହି ଭ୍ରମ ସୃଷ୍ଟି କରିଛନ୍ତି। ଯେଉଁଥିପାଇଁ ସେ ନିଜର ଭୋଟବ୍ୟାଙ୍କ ସୃଷ୍ଟି କରି ଆସିଛନ୍ତି। ଚାଷୀଙ୍କୁ ଜଳସେଚନ ସୁବିଧା ନଦେଇ କାଳିଆ ଯୋଜନାରେ ନଗଦ ଅର୍ଥ ପ୍ରଦାନ କରି ଚାଷୀଙ୍କ ମୁହଁ ବନ୍ଦ କରିଦେବା, କେନ୍ଦ୍ର ସରକାର ଯୋଗାଇଥିବା ୧୦୮ ଆମ୍ବୁଲାନ୍ସ ସେବା ଓ ଗରିବ ଲୋକଙ୍କୁ ଚାଉଳ ଓଡିଶା ସରକାରଙ୍କ ଯୋଜନା ଭାବେ ପ୍ରଚାର କରାଯିବା ଏହାର ଦୁଇ-ତିନିଟି ଉଦାହରଣ ମାତ୍ର।

ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସମସ୍ତ ଦେଶରେ ବ୍ୟାପକ କାର୍ଯ୍ୟକ୍ରମ ଚାଲୁଥିଲା ବେଳେ ଓଡ଼ିଶାରେ ମିଶନ ଶକ୍ତି ବିଳମ୍ବରେ ଆରମ୍ଭ କରାଯାଇଥିଲା। ଏହାକୁ ନବୀନ ପଟ୍ଟନାୟକ ନିଜର  ମୁଖ୍ୟ ଭୋଟବ୍ୟାଙ୍କ କରିନେଲେ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ନଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିବା ମଧ୍ୟ ଏକ ଗେମ୍ ଚେଞ୍ଜର ହୋଇପାରିଲା। 
ପୂର୍ବରୁ ଓଡ଼ିଶାରେ ସବୁବେଳେ ରାଜନୈତିକ ଅସ୍ଥିରତା ଲାଗି ରହିଥିଲା, ଯାହାର ଅନ୍ତ ଘଟାଇଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ତାଙ୍କ ପରେ ନବୀନ ଲଗାତାର ଭାବେ ୨୪ ବର୍ଷ ଧରି ଶାସନ କଲେ ଏବଂ  ଅନ୍ୟ କୌଣସି ରାଜନୀତିକ ଦଳକୁ କ୍ଷମତାକୁ ଆସିବାକୁ ଦେଇନଥିଲେ। ଏହାକୁ ନବୀନଙ୍କ ଯାଦୁ କହିଲେ ବି ଭାଗ୍ୟଦେବୀଙ୍କ ଆଶୀର୍ବାଦ କହିବା ଅଧିକ ପ୍ରାସଙ୍ଗିକ ହେବ। ପ୍ରାୟ ଚବିଶ ବର୍ଷ ଧରି କ୍ଷମତାରେ ରହିବା ପଛର ରହସ୍ୟ କ’ଣ? ରହସ୍ୟଟି ହେଉଛି ନବୀନଙ୍କ ବ୍ୟକ୍ତିତ୍ୱ, ନିର୍ମଳ ଭାବମୂର୍ତ୍ତି ଓ ସମଦୂରତ୍ୱ ନାମରେ ସୁବିଧାବାଦୀ, ଚତୁର ନିର୍ଭରଶୀଳତା।

ନବୀନ ପଟ୍ଟନାୟକ ସରକାରଙ୍କ ସଫଳତାର ଅନ୍ୟତମ କାରଣ ହେଉଛି ଗଣମାଧ୍ୟମ ପରିଚାଳନା। ତାଙ୍କର ସୁଦୀର୍ଘ ଶାସନ କାଳରେ ରାଜ୍ୟର ସମସ୍ତ ଚିନିକଳ, ସୂତାକଳ, ଲୁଗାକଳ ଓ ଝୋଟ କଳ ବନ୍ଦ ହୋଇଯାଇଛି। ଏହି ଶିଳ୍ପ ଉପରେ ନିର୍ଭରଶୀଳ ଆଖୁ, କପା ଓ ଝୋଟ ଚାଷରୁ କୃଷକମାନେ ମୁହଁ ଫେରାଇ ନେଇଛନ୍ତି। ଶୀତଳ ଭଣ୍ଡାର ବନ୍ଦ ହୋଇଛି, ଆଳୁ ଉତ୍ପାଦନ କମିଛି। ପସ୍କୋ କମ୍ପାନୀ ପାରାଦୀପରୁ ଫେରିଯାଇଛି। ଓଡ଼ିଶାରେ ନିତ୍ୟ ବ୍ୟବହାର୍ଯ୍ୟ ଛତା ଓ ସାଇକେଲ ଉତ୍ପାଦନ କରାଯାଇ ପାରିନି, ଅଥଚ ଖଣିଜ ସମ୍ପଦ ଲୁଟ୍ ହୋଇଛି। କିଛି ଲୌହ ଓ ବିଦ୍ୟୁତ୍ ଶିଳ୍ପ ପ୍ରତିଷ୍ଠା କରି ଗଣମାଧ୍ୟମରେ ରାଜ୍ୟର ସମୂହ ବିକାଶ କରିଥିବାର ଡିଣ୍ଡିମ ପିଟିବାରେ ନବୀନ ସରକାରର ଅବଦାନ ଉଲ୍ଳେଖନୀୟ।

ନବୀନ ପଟ୍ଟନାୟକଙ୍କ ପ୍ରଥମ କାର୍ଯ୍ୟକାଳରୁ ହିଁ ଦୁର୍ନୀତି ବିରୋଧୀ ଅଭିଯାନ ଏକ ନଜିର ସୃଷ୍ଟି କରିଥିଲା। ୨୦୦୦ରୁ ୨୦୧୨ ମଧ୍ୟରେ ୨୬ ଜଣ ମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ନିର୍ମମ ଭାବେ ବରଖାସ୍ତ କରିଦେଇଥିଲେ। ଅଥଚ ପରବର୍ତ୍ତୀ କାଳରେ ହତ୍ୟା, ନାରୀ ନିର୍ଯ୍ୟାତନା ଭଳି ଅଭିଯୋଗରେ ଅଭିଯୁକ୍ତ ମନ୍ତ୍ରୀମାନଙ୍କ ବିରୁଦ୍ଧରେ ମୁହଁ ଖୋଲି ନଥିଲେ। ବିପର୍ଯ୍ୟୟ ପରିଚାଳନା, ଦାରିଦ୍ର୍ୟ ନିରାକରଣ ଯୋଜନାର ପାହାଡ଼ ତଳେ ନିଜେ ବସାଇଥିବା ତଦନ୍ତ କମିଶନ ପ୍ରଦତ୍ତ ବିବରଣୀ ଗୁଡ଼ିକୁ କବର ଦେଇଥିଲେ। ମନୋନୀତ ଅବସରପ୍ରାପ୍ତ ଅଧିକାରୀଙ୍କୁ ଥଇଥାନ କରି ସେ ଯେଉଁ ଉଦାହରଣ ସୃଷ୍ଟି କଲେ, ତାହାର ଫଳରେ ସମଗ୍ର ଶାସନ କଳ ଲୋକାଭିମୂଖୀ ହେବା ବଦଳରେ ନବୀନାଭିମୂଖୀ ହୋଇଗଲା। ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ମାଧ୍ୟମରେ ଲକ୍ଷାଧିକ ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ଫଳରେ ସରକାରୀ ଡାକ୍ତରଖାନାଗୁଡ଼ିକ ରୁଗ୍ଣ ହୋଇଗଲା ଏବଂ ଘରୋଇ ହସ୍ପିଟାଲଗୁଡିକୁ ଉତ୍ସାହିତ କରାଗଲା। ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କୁ ନିଯୁକ୍ତି ଦିଆନଯାଇ, ଡାକ୍ତରଖାନା କୋଠା ଓ ଶିକ୍ଷକ ନିଯୁକ୍ତି ନଦେଇ ବିଦ୍ୟାଳୟ ନିର୍ମାଣ ହେଲା। 

ଏହି ସମସ୍ତ କଥାକୁ ବଳି ଯାଇଥିଲା ‘୫-ଟି’ ନାମକ ଏକ ଅଦ୍ଭୁତ ବିଭାଗର ସୃଷ୍ଟି। ଏହି ସମସ୍ତ ପ୍ରମାଣ କରେ ଯେ ନବୀନ ପଟ୍ଟନାୟକ ଜଣେ ଭାଗ୍ୟବାନ ଜମିଦାର, ଯେ କି କିଛି ପ୍ରଭୁଭକ୍ତ ଚାକରଙ୍କ ଉପରେ ଜମିଦାରୀ ପରିଚାଳନା ଦାୟିତ୍ୱ ଛାଡ଼ିଦେଇ ଅୟସରେ କାଳାତିପାତ କରିଗଲେ। ଆଗ କାଳରେ କାବ୍ୟକବିତାଗୁଡ଼ିକ ରାଜାଙ୍କ ନାମରେ ଭଣିତା କରାଯାଉଥିବା ଭଳି ନବୀନଙ୍କୁ କେବଳ ସଫଳତା ଦିଆ ଯାଉଥିଲା। 

ନବୀନ ପଟ୍ଟନାୟକଙ୍କ କମ୍ କଥାବାର୍ତ୍ତା ଶୈଳୀ ତାଙ୍କୁ ଅନ୍ୟ ରାଜନେତାଙ୍କଠାରୁ ଅଲଗା କରିଛି। ଇଂରାଜିରେ ଲିଖିତ ଭାଷଣ ସେ ପଢ଼ିଦେଇ ଓଡ଼ିଆ ଭାଷଣ ଦେଇଥିବାର ଭ୍ରମ ସୃଷ୍ଟି କଲାବେଳେ ଓଡ଼ିଆ ଭାଷା ଶିଖିବାକୁ ଚାହିଁ ନାହାନ୍ତି। ଅଥଚ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ କରି ବ୍ୟକ୍ତିଗତ ଭାବମୂର୍ତ୍ତି ବଢାଇଛନ୍ତି। ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଓଡ଼ିଶା ଓ ଭାରତୀୟ ରାଜନୀତିରେ ଏକ ବିସ୍ମୟକାରୀ ଐତିହାସିକ ଅଧ୍ୟାୟ। ଏବେ ସେ ବିରୋଧୀ ଦଳରେ। ଆଶା, ସେ ଅନ୍ତତଃ ସର୍ବନିମ୍ନ ଦଶବର୍ଷ କ୍ଷମତା ବାହାରେ ରହି ରାଜନୀତି ସମ୍ପର୍କରେ କିଛି ହିଁ ଜାଣିପାରିବେ ଏବଂ ନୀରବରେ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣକରିବାର ପ୍ରୟାସ କରିବେ।

ଫୋ- ୯୪୩୮୨୯୯୦୩୭ 

Odisha BjD Naveen Patnaik Biju Patnaik Odisha Politcs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe