Lunar Eclipse
ଦେବ ରଞ୍ଜନ
ଧର୍ମ ବ୍ୟକ୍ତିର ନିଜସ୍ଵ ବିଶ୍ଵାସ। ଏହା ଗୋଷ୍ଠୀଗତ ବିଶ୍ଵାସ ନୁହେଁ ଅର୍ଥାତ କୌଣସି ଏକ ଅଞ୍ଚଳର ସମସ୍ତ ମଣିଷ ସେହି ସମାନ ଧର୍ମ ଓ ଆଚରଣକୁ ଯେ ବିଶ୍ଵାସ କରିବେ ତାହା ନୁହେଁ। ହେଲେ ଏହାକୁ ଆମ ସମାଜର ବେଶ କେତେକ ଲୋକ ସ୍ଵୀକାର କରିବା ଲାଗି ରାଜି ନୁହନ୍ତି। ଏହାର ସତ୍ୟତାକୁ ପ୍ରଶ୍ନ କରାଗଲେ ସେମାନେ ଆକ୍ରାମକ ହୋଇଉଠୁଛନ୍ତି। ସେମାନେ ଭୟ କରୁଛନ୍ତି ଯେ ସମାଜରେ ଅଧିକ ଲୋକ ଏହାକୁ ପ୍ରଶ୍ନ ନକରନ୍ତୁ।
ହଁ, ମୁଁ ଚନ୍ଦ୍ର ଗ୍ରହଣ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ ହେଉଥିବା ପ୍ରତିକ୍ରିୟା ସମ୍ପର୍କରେ ଏଠାରେ ଉତ୍ଥାପନ କରୁଛି। ଚନ୍ଦ୍ରଗ୍ରହଣ ସମ୍ପର୍କରେ ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କ ପ୍ରତି ହିନ୍ଦୁ ରୁଢିବାଦୀଙ୍କ ପ୍ରତିକ୍ରିୟା ସମସ୍ତ ଶୋଭନୀୟତାକୁ ଅତିକ୍ରମ କରୁଛି। କାହିଁକି ଏତେ ଘୃଣା? କାହିଁକି ଏ ଅହଂକାର? ଯଦି ତର୍କ ତୁମ ସପକ୍ଷରେ ଅଛି ତେବେ ତାହାର ଠୋସ ଯୁକ୍ତି ଉପସ୍ଥାପନ କର। ନିଶ୍ଚିତ ତାହାକୁ ଗ୍ରହଣ କରାଯିବ।
ଚନ୍ଦ୍ର ପୃଷ୍ଠରେ ମଣିଷ: ଚନ୍ଦ୍ରରେ ମଣିଷ ଯେବେ ପହଞ୍ଚିଲା (ଆମେରିକାର ନେଲ ଆର୍ମଷ୍ଟ୍ରଙ୍ଗ, ୧୯୬୯ ମସିହାରେ) ସେବେଠାରୁ ଏହା ଆଉ ‘ମହାପୁରୁ’ ହୋଇରହିଲା କି? ସେହି ବ୍ୟକ୍ତି ଏ ଭିତରେ ମରିବା (ଆର୍ମଷ୍ଟ୍ରଙ୍ଗଙ୍କ ମୃତ୍ୟୁ ୨୦୧୨ ମସିହାରେ) ୧୩ ବର୍ଷ ହୋଇଗଲାଣି। ନା ସେ ନର୍କକୁ ଗଲେ ନା ତାଙ୍କ ଦେଶ ଆମେରିକାର କିଛି କ୍ଷତି ହେଲା? ୨୦୨୩ ମସିହାରେ ମେସିନ ଚାଳିତ ଯାନ ପଠାଇ ଚନ୍ଦ୍ରଙ୍କ ଫୋଟୋ ଭାରତ ଆଣିଲା। ଏହା ବିଜେପିର ଶାସନ ସମୟରେ ହୋଇଛି। ଏହାପରେ ଆମେ ବିଶ୍ଵାସ କରିବା କି ଯେ ଚନ୍ଦ୍ର ଗ୍ରହଣ ସମୟରେ ରାହୁ ଓ କେତୁ ଚନ୍ଦ୍ରକୁ ଗ୍ରାସ କରିଥାନ୍ତି?
ରାହୁ ଓ କେତୁ କଳ୍ପିତ ଗ୍ରହ: ହିନ୍ଦୁ ଧର୍ମଗ୍ରନ୍ଥର ମତ ଅନୁସାରେ ସମୁଦ୍ର ମନ୍ଥନ ସମୟରେ ଦୁଇ ଅଭିଶପ୍ତ ଗ୍ରହ ରାହୁ ଓ କେତୁଙ୍କ ଚାଲାକିକୁ ଚନ୍ଦ୍ର ପ୍ରକଟିତ କରିଦେଇଥିବା ହେତୁ (ଅମୃତ ନପାଇବା କାରଣରୁ) ସେହି ରାଗରେ ସେମାନେ କିଛି ସମୟ ଲାଗି ଚନ୍ଦ୍ରଙ୍କୁ ଗ୍ରାସ କରନ୍ତି। ମାତ୍ର ବାସ୍ତବରେ ରାହୁ ଓ କେତୁ ବୋଲି କୌଣସି ଗ୍ରହ ବା ମହାଜାଗତିକ ବସ୍ତୁ ମହାକାଶରେ ନାହାନ୍ତି। ଏହା ଭାରତୀୟ ଜ୍ୟୋତିର୍ବିଜ୍ଞାନରେ କଳ୍ପିତ ନବଗ୍ରହ ମଧ୍ୟରୁ ଦୁଇ କାଳ୍ପନିକ ଗ୍ରହ। ସେହି ନବଗ୍ରହ ହେଲା ସୂର୍ଯ୍ୟ, ପୃଥିବୀ, ଚନ୍ଦ୍ର, ମଙ୍ଗଳ, ବୁଧ, ଶୁକ୍ର, ବୃହଷ୍ପତ୍ତି, ଶନି, ରାହୁ ଓ କେତୁ। ଏହା ବେଦାଙ୍ଗ ଜ୍ୟୋତିଷରେ ଉଲ୍ଲେଖ ରହିଛି। କିନ୍ତୁ ଭାରତରେ ଆର୍ଯ୍ୟଭଟ୍ଟ ଆସିବା ପରେ (ଚତୁର୍ଥ ଶତାବ୍ଦୀ) ଏ ସମ୍ପର୍କରେ ଆଲୋଚନା ନାହିଁ। ଆଧୁନିକ ଜ୍ୟୋତିର୍ବିଜ୍ଞାନ ଟେଲିସ୍କୋପ ଉପରେ ନିର୍ଭର କରି ତଥ୍ୟ ପ୍ରକାଶ କରୁଛି ଯେ ସୂର୍ଯ୍ୟଙ୍କ ଚାରିପାଖରେ ଆଠଟି ଗ୍ରହ ପ୍ରଦକ୍ଷିଣ କରୁଛନ୍ତି। ଏ ଭିତରେ କେଉଁଠି ବି ରାହୁ ଓ କେତୁ ଦେଖାଯାଉନାହାନ୍ତି।
ଚନ୍ଦ୍ର ଗ୍ରହଣର କାରଣ: ଆମେ ପାଠ୍ୟ ପୁସ୍ତକରେ ଭୁଲ ପଢ଼ିଥିଲେ ଯେ ଚନ୍ଦ୍ର ପୃଥିବୀ ଚାରିପାଖରେ ସଂପୂର୍ଣ୍ଣ ଗୋଲାକାର ପଥରେ ଓ ସମାନ ପୃଷ୍ଠରେ ପ୍ରଦକ୍ଷିଣ କରିଥାଏ। ଯଦି ତାହା ହୋଇଥାନ୍ତା ତେବେ ପ୍ରତି ପୂର୍ଣ୍ଣମୀରେ ଚନ୍ଦ୍ର ଗ୍ରହଣ ହୋଇଥାନ୍ତା। କେପଲରଙ୍କ ମତ ଅନୁସାରେ, ଚନ୍ଦ୍ର ପୃଥିବୀ ଚାରିପାଖରେ ଘୂରୁଥିବା ପଥ ସାମାନ୍ୟ ଚେପଟା। କେତେବେଳେ ଏହା ପୃଥିବୀର ନିକଟ ହୁଏ ତ ପୁଣି କେତେବେଳେ ଦୂର। ପୃଥିବୀର ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବା ପଥ ଓ ଚନ୍ଦ୍ର ପୃଥିବୀ ଚାରିପାଖରେ ପ୍ରଦକ୍ଷିଣ କରୁଥିବା ପଥ ମଧ୍ୟରେ ୫ ଡିଗ୍ରୀର କୋଣ ରହିଛି। ତେଣୁ ସବୁ ପୂର୍ଣମୀରେ ଚନ୍ଦ୍ରଗ୍ରହଣ ହୋଇନଥାଏ।
କ୍ଵଚିତ ସମୟରେ ସୂର୍ଯ୍ୟ ଓ ଚନ୍ଦ୍ରର ମଝିରେ ପୃଥିବୀ ଆସିବା ଦ୍ଵାରା ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡ଼େ। ତେଣୁ ପୃଥିବୀର ଏକ ଭାଗ ଚନ୍ଦ୍ର ଗ୍ରହଣ ଦେଖିପାରୁଥିଲେ ଅନ୍ୟ ଭାଗ ବା ସୂର୍ଯ୍ୟଙ୍କ ପଟକୁ ରହୁଥିବା ଭାଗ ଚନ୍ଦ୍ରଗ୍ରହଣ ଦେଖିପାରନ୍ତି ନାହିଁ। ଏସିଆ ମହାଦେଶରେ ଦେଖାଯାଉଥିବା ଚନ୍ଦ୍ର ଗ୍ରହଣ ଆମେରିକାବାସୀଙ୍କୁ ଦେଖାଯିବ ନାହିଁ। କେବେ ଏହା ଆଂଶିକ ଚନ୍ଦ୍ର ଗ୍ରହଣ ହୁଏ ତ କେବେ ପୂର୍ଣ୍ଣ ଗ୍ରହଣ। ଏହାର ପଥ ୫ ଡିଗ୍ରୀ କୋଣ କରୁଥିବା ହେତୁ ଏପରି ହୋଇଥାଏ।
ଜୀବାଣୁ ଓ ରୋଗର ଭୟ : ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ହାରାହାରି ଦୂରତା ୩,୮୪,୦୦୦ କିଲୋମିଟର। ଏହା କେବେ ଅଧିକ ହୁଏ ତ ପୁଣି କେବେ ନିକଟ। ଜୀବାଣୁମାନେ ଏତେ ଦୂରତା ଅତିକ୍ରମ କରି ଆସିବା ସହଜ କି? ପୁଣି ଯେଉଁ ଚନ୍ଦ୍ରରେ ଜୀବନ ନାହିଁ ବୋଲି ବୈଜ୍ଞାନିକମାନେ ଦେଖିଲେ ସେଠାରେ ଜୀବାଣୁମାନେ ବଞ୍ଚିବେ କେମିତି? ପାକତ୍ୟାଗ ଏକ ମିଥ୍ୟା ଅବଧାରଣା ଯାହାର ବାସ୍ତବ ତଥ୍ୟ ସହିତ କୌଣସି ସମ୍ବନ୍ଧ ନାହିଁ।
ହିନ୍ଦୁ ଧର୍ମଗ୍ରନ୍ଥରେ ପାକତ୍ୟାଗ : ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ନଖାଇବା ଲାଗି ଅନେକ ହିନ୍ଦୁ ଧର୍ମ ଗ୍ରନ୍ଥରେ ପ୍ରକାଶିତ ବୋଲି ଜଣେ ବ୍ୟକ୍ତି ମୋ ସହିତ ଯୁକ୍ତି କରିଥିଲେ। ସେ ଏ ସମ୍ପର୍କରେ ଠୋସ କିଛି କହି ତ ପାରିଲେ ନାହିଁ କିନ୍ତୁ ଏହା ମୋତେ ଅନୁସନ୍ଧାନ ପାଇଁ ବାଧ୍ୟ କରିଥିଲା। ଚନ୍ଦ୍ର ଗ୍ରହଣ ସମ୍ପର୍କରେ ବେଦ ଓ ଉପନିଷେଦରେ ଉଲ୍ଲେଖ ରହିଛି, କିନ୍ତୁ, ଏ ସମୟରେ ଯେ ପାକତ୍ୟାଗ କରାଯିବ ବା ଏହା ଏକ ଅଶୁଭ ସମୟ ସେ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଅର୍ଥାତ ସେମାନେ ଏହାକୁ ବିଶ୍ଵାସ କରିନାହାନ୍ତି।
ମହାଭାରତରେ ଜୟଦ୍ରଥ ବଧ ଉକ୍ତ ଚନ୍ଦ୍ର ଗ୍ରହଣ ସମୟରେ ହୋଇଥିବା ଦର୍ଶାଯାଇଛି କିନ୍ତୁ ଏଥିରେ ପାକତ୍ୟାଗ ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ଭଗବତ ଗୀତାରେ ମଧ୍ୟ ନୁହେଁ। ଅଠର ପୁରାଣ ପ୍ରସ୍ତୁତ ହୋଇଛି କିନ୍ତୁ ସେଥିରୁ କେବଳ ଗରୁଡ଼ ପୁରାଣ ବ୍ୟତୀତ ଅନ୍ୟ କୌଣସି ପୁରାଣରେ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏପରିକି ପୁରୁଷୋତ୍ତମ ପୁରୀରେ ଲିଖିତ ବ୍ରହ୍ମପୁରାଣରେ ମଧ୍ୟ ପାକତ୍ୟାଗ ସମ୍ପର୍କରେ ଉଲ୍ଲେଖ ନାହିଁ। ଏହା ଜାଣିବା ଆବଶ୍ୟକ ଯେ ପୁରାଣର ଲିଖନ ଅନେକଟା ଆଞ୍ଚଳିକ।
ଗରୁଡ଼ ପୁରାଣରେ ପାକତ୍ୟାଗ: ହିନ୍ଦୁ ଧର୍ମଗ୍ରନ୍ଥର ପୁରାଣ ଲିଖନର ସମୟ ଅଲଗା ଅଲଗା ଓ ଭୌଗୋଳିକ ସ୍ଥାନ ମଧ୍ୟ ଅଲଗା। ପୁରାଣ ଲିଖନ ପଞ୍ଚମ ଶତାବ୍ଦୀରେ ବିଭିନ୍ନ ଅଞ୍ଚଳରେ ଆରମ୍ଭ ହୋଇ ଅଷ୍ଟାଦଶ ଶତାବ୍ଦୀରେ ଶେଷ ହେଲା। ଗରୁଡ଼ ପୁରାଣ ନବମରୁ ଦ୍ଵାଦଶ ଶତାବ୍ଦୀ ମଧ୍ୟରେ ବିହାରର ମିଥିଳା ଅଞ୍ଚଳରେ ଲିଖିତ ହୋଇଛି। ଗରୁଡ଼ ପୁରାଣରେ ମଣିଷର ଜନ୍ମ ଓ ମୃତ୍ୟୁ ସମୟରେ ବ୍ରାହ୍ମଣ ଦ୍ଵାରା ବିଭିନ୍ନ କ୍ରିୟାକର୍ମ କରାଯିବାର ଯେଉଁ ବର୍ଣ୍ଣନା ରହିଛି ଓ ପିତୃପକ୍ଷର କଥା ଉଲ୍ଲେଖ ରହିଛି ସେଠାରେ ପାକତ୍ୟାଗର କଥା ରହିଛି।
ଗରୁଡ଼ ପୁରାଣରେ ମହାପାତକ: ଚନ୍ଦ୍ର ଗ୍ରହଣ ସମୟରେ ବ୍ରାହ୍ମଣକୁ ଗୋଦାନ କଲେ ଅନେକ ପୂଣ୍ୟ ହୁଏ ଓ ନକଲେ ନର୍କପ୍ରାପ୍ତି ହୁଏ ବୋଲି ଗରୁଡ଼ ପୁରାଣରେ ରହିଛି। ଏହା ଅନ୍ୟତମ ମହାପାତକ। ଅଠର ପୁରାଣରେ ଶହେ ପ୍ରକାରର ନର୍କ ଯନ୍ତ୍ରଣା ଓ ସେଥିରୁ ମୁକ୍ତି ଲାଗି ବ୍ରାହ୍ମଣକୁ ଚବିଶ ପ୍ରକାରର ଦାନର କଥା ରହିଛି। ଆମ ସମାଜ ଏହା ଚିନ୍ତା କରିବା ଆବଶ୍ୟକ ଯେ ପୁରାଣର ବର୍ଣ୍ଣନାକୁ ଗର୍ବର ସହିତ ପାଳନ କରିବା ଦ୍ଵାରା ପୁଣି ସେହି ଅନ୍ଧଗଳି ମଧ୍ୟକୁ ସମଗ୍ର ସମାଜକୁ ଠେଲି ଦିଆଯାଉନାହିଁ ତ ଯେଉଁଠି ନାରୀ, ବୟସ୍କ, ଶିଶୁ, ଦଳିତ ଓ ତୃତୀୟ ଲିଙ୍ଗର ମଣିଷ ସବୁଠାରୁ ଅସୁରକ୍ଷିତ? ଆମେ ଜାତିପ୍ରଥା ନାମରେ ଅଧିକ ଘୃଣା ଓ ହିଂସା ଠାରୁ ଏ ସମାଜକୁ ରକ୍ଷା କରିବା କି ପୁରାଣ ନାମରେ ଅନେକ ଅବୈଜ୍ଞାନିକ ଓ ଅମାନବୀୟ ଚିନ୍ତାଧାରାକୁ ପ୍ରଶ୍ରୟ ଦେବା?
ରୋଗ ଉପାଖ୍ୟାନ: ଆଜି ପର୍ଯ୍ୟନ୍ତ ଏଭଳି କୌଣସି ବେମାରର କାରଣ କୁହାଯାଇନାହିଁ ଯେ ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ହେତୁ ହୋଇଛି। ଆଜିପର୍ଯ୍ୟନ୍ତ ମେଡିକାଲ ବିଜ୍ଞାନ ସେଭଳି କୌଣସି ରୋଗ ବା ରୋଗୀ ପାଇନାହିଁ। ଯଦି ଚନ୍ଦ୍ର ଗ୍ରହଣ ସମୟରେ ଖାଇବା ଦ୍ଵାରା ରୋଗ ହେଉଥାନ୍ତା ତେବେ ଦେଶର ୮ ପ୍ରତିଶତ ଆଦିବାସୀ, ୧୫ ପ୍ରତିଶତ ମୁସଲମାନ, ୩ ପ୍ରତିଶତ ଖ୍ରୀଷ୍ଟିୟାନ, ୨ ପ୍ରତିଶତ ଶିଖ, ୨ ପ୍ରତିଶତ ବୌଦ୍ଧ ଓ ଜୈନ ଅର୍ଥାତ ୩୦ ପ୍ରତିଶତ ଲୋକ ଏହାଦ୍ୱାରା ବେମାର ହୋଇଥାନ୍ତେ। ନା ଆଦିବାସୀ ନା ଅଣହିନ୍ଦୁ କୌଣସି ଧର୍ମଗ୍ରନ୍ଥରେ ପାକତ୍ୟାଗ ସମ୍ପର୍କରେ ସାମାନ୍ୟ କୌଣସି ସୂଚନା ବା ଧାର୍ମିକ ନିର୍ଦ୍ଦେଶ ରହିଛି।
ପୁରାଣର ସୁରକ୍ଷାକର୍ତ୍ତାଙ୍କୁ ପ୍ରଶ୍ନ: ଆଜି ଅନ୍ଧବିଶ୍ଵାସୀମାନେ ଗରୁଡ଼ ପୁରାଣର କଥା ଅନୁସାରେ ପାକତ୍ୟାଗକୁ ସମଗ୍ର ସମାଜ ଉପରେ ଲଦିଦେବା ଲାଗି ହିଂସ୍ରକ ହୋଇଉଠିଛନ୍ତି। ଅର୍ଥାତ ମନ୍ଦିରର ପୂଜକ ଜଣେ ଦଳିତ ବର୍ଗର ମଣିଷ ମଧ୍ୟ ହୋଇପାରିବ। ପୁରାଣ ଅନୁସାରେ ବ୍ରାହ୍ମଣ କୃଷି କର୍ମ କରିପାରିବ। ବେଦରେ ମନ୍ଦିରରେ ଯେ ଭଗବାନ ରୁହନ୍ତି ତାହାର କୌଣସି ଉଲ୍ଲେଖ ନାହିଁ। ଏହାସତ୍ତ୍ୱେ ମନ୍ଦିରରେ ବ୍ରାହ୍ମଣଙ୍କ ଲାଗି ଶହେ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କାହିଁକି?
ସନାତନ ଧର୍ମ ନାମରେ ଏତେ ମନ୍ଦିର କାହିଁକି ନିର୍ମାଣ କରାଯାଉଛି? ଏହା କେବଳ ଯୁକ୍ତି ଲାଗି ଲେଖୁଛି। ଗଣତନ୍ତ୍ର ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଆବଶ୍ୟକ। ସମ୍ବିଧାନର ଧାରା ୧୫ରେ ସମସ୍ତ ପ୍ରକାରର ଉଚ୍ଚ ନୀଚ୍ଚ ବ୍ୟବହାରକୁ ବିରୋଧ କରାଯିବା ଓ ଧାରା ୧୯ରେ ବାକ ସ୍ଵାଧୀନତାର ଅଧିକାର ଉଲ୍ଲେଖ ରହିଥିଲେ ବି କୌଣସି ସରକାର ଏହାକୁ ସମ୍ମାନ ଦେଇ କାର୍ଯ୍ୟ କରୁନାହାନ୍ତି। ସେ ଦିଗରେ ଆମେ ଆମର ସ୍ଵରକୁ ଦୃଢ଼ କରିବା ଜରୁରୀ।
ରାଜନୈତିକ ହିଂସା: ଆଜି ପାକତ୍ୟାଗ ଲାଗି ବାଧ୍ୟ କରାଯିବା ଏକ ରାଜନୈତିକ କାର୍ଯ୍ୟ ହୋଇଯାଇଛି। ପାକତ୍ୟାଗ ଏକ ଅନ୍ଧବିଶ୍ଵାସ। ଏହା କହୁଥିବା ବ୍ୟକ୍ତି ପ୍ରତି ଅପଶବ୍ଦ ବ୍ୟବହାର କରାଯାଉଛି, ଆକ୍ରମଣ ମଧ୍ୟ କରାଯାଉଛି। ଏଭଳି କରିବା ଆଇନତଃ ଅପରାଧ। ବିଡ଼ମ୍ବନା ଯେ ହିନ୍ଦୁ ଧର୍ମ ନାମରେ ରାଜନୀତି କରୁଥିବା ବ୍ୟକ୍ତି ଏହି ଅନ୍ଧବିଶ୍ଵାସ ମଧ୍ୟରୁ ଜନ୍ମିତ ସଂଗଠନ ମଧ୍ୟରୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ କୌଣସି ବୈଜ୍ଞାନିକ ଚିନ୍ତାଧାରା ନାହିଁ। ସେଥିଲାଗି ଧର୍ମ ଗ୍ରନ୍ଥକୁ ପ୍ରଶ୍ନ କରିବା ସେମାନଙ୍କୁ ଅସହ୍ୟ ହେଉଛି। ସେମାନେ କେତେବେଳେ ସରକାରୀ ଶକ୍ତିକୁ ନିଜ ଲାଗି ପ୍ରୟୋଗ କରୁଛନ୍ତି ତ ପୁଣି ଅର୍ଥ ବଳରେ ଏକ ଯୁବ ବାହିନୀ ତିଆରି କରି ଧର୍ମ ନାମରେ ଆକ୍ରମଣକୁ ପ୍ରଶ୍ରୟ ଦେଉଛନ୍ତି। ସେମାନେ ଧର୍ମ ନାମରେ ଆଇନକୁ ହାତକୁ ନେଉଛନ୍ତି।
ଚନ୍ଦ୍ର ଗ୍ରହଣ କ୍ଷେତ୍ରରେ ଆମେ ହିନ୍ଦୁ ମୌଳବାଦୀ ରାଜନୈତିକ ଦଳ ମଧ୍ୟରେ ଯାହା ଦେଖୁଛେ ଅନ୍ୟ ପର୍ବ ପର୍ବାଣିରେ ଖ୍ରୀଷ୍ଟିୟାନ ଓ ମୁସଲମାନ ମୌଳବାଦୀଙ୍କ ବ୍ୟବହାର ସମାନ ଦେଖୁଛେ। ଏହା କଦାପି ଆମକୁ ସମାଜବାଦ ଓ ବୈଜ୍ଞାନିକ ମନୋଭାବ ଆଡ଼କୁ ନେଇଯିବ ନାହିଁ। ଏହା ଗଣତନ୍ତ୍ରକୁ ଧ୍ଵଂସ କରିବା ଲାଗି ଉଦ୍ଦିଷ୍ଟ। ଧାର୍ମିକ ଅନ୍ଧବିଶ୍ଵାସ ମୁକ୍ତ ସମାଜ ପାଇଁ ଆମର ଉଦ୍ୟମ ଜାରି ରହୁ।
ମୋବାଇଲ- ୯୪୩୭୭୬୨୨୭୨
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1757573111.jpg)